ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ

ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ ଲେଖକ/କବି: ରାଧାନାଥ ରାୟ
ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ




ଟଙ୍କିଳା ତରଙ୍ଗାୟିତ ଲୋହିତ କର୍କର –
ପୁଞ୍ଜ ଅରୁଣିତ ଯାର ଉଚ୍ଚାବଚ ଭୂମି,
ବିଶ୍ୱ-ନରମେଧ-ବେଦୀ, ବିଶ୍ଵେ ଊର୍ଜ୍ଜ୍ଵସଳା
ଆର୍ଯ୍ୟଭାଗ୍ୟ-ଆବର୍ତ୍ତନ-ଅଭିନୟସ୍ଥଳୀ
କୁରୁକ୍ଷେତ୍ରେ, ଭୀଷ୍ମ, ଦ୍ରୋଣ, କର୍ଣ୍ଣଙ୍କ ଉତ୍ତାରେ
ନିରାଶଜର୍ଜର କୁରୁସେନା-ଶେଷ-ଆଶା,
ଅଦ୍ରିପତି ସମ ରଥୀ ଅଟଳ ସମରେ,
ହତ ମଦ୍ରପତି ଶଲ୍ୟ ଆଜ ରଣାଙ୍ଗନେ,
ପାଣ୍ଡବ ରାଜର ଖରଶାଣ-ବାଣାଘାତେ;
ହତ ପୁଣି ଖଳମତି ଦୁରନ୍ତ ଶକୁନି,
ଅଗ୍ରଣୀ କପଟପାଶା-ପ୍ରପଞ୍ଚ ଭିଆଣେ,
ମାଦ୍ରୀସୁତ-ଖରଶାଣ-କୃପାଣର ଚୋଟେ।
ଅବଶିଷ୍ଟ କୁରୁବଳେ ଆଉ ତିନି ରଥୀ
କୃପାଚାର୍ଯ୍ୟ, କୃତବର୍ମା, ବୀର ଅଶ୍ୱତ୍‌ଥାମା,
ବରତି ନ ପାରି ରଣେ ପାଣ୍ଡବପ୍ରତାପେ
ଆତଙ୍କେ ପଳାଇ ଲୁଚିଅଛନ୍ତି କେ କାହିଁ ;
ଧ୍ଵସ୍ତ ଛିନ୍ନଭିନ୍ନ ହୋଇ କୌରବବାହିନୀ
ପଡ଼ନ୍ତି ସମରକ୍ଷେତ୍ରେ, ପଡ଼ଇ ଯେସନେ
ପ୍ରଚ଼ଣ୍ଡ ବାତ୍ୟାର ବେଗେ ରମ୍ଭାତରୁରାଜି ।
କାହୁଁ କାହୁଁ ଆସିଥିଲେ ପଦାତିକ, ରଥୀ,
ଅଶ୍ୱସାଦୀ, ଗଜସାଦୀ, ଉଡ଼ାଇ କୌତୁକେ
ପତାକା, ବଜାଇ ମହାଦର୍ପ ବୀରବାଜା,
ମତ୍ତ ହୋଇ ଯଶ ଆଶା ଜାଗ୍ରତ-ସ୍ଵପନେ;
ସେତୁବନ୍ଧଠାରୁ – ଯହିଁ ଶୈଳ ବେନି ପାଶେ
ବନ୍ଦନ୍ତି ଜଳଦେବୀଏ କୃତାଞ୍ଜଳିପୁଟେ
ରାଘବପଦାଙ୍କ, ଭେଦି ସାଗର-ଲହରୀ
ଫେନିଳ, ନୀଳାୟମାନ ଆଶାଚ଼କ୍ରବାଳେ,
ବଦରିକାଶ୍ରମ ଯାଏ, ହିମଗିରି ଯହିଁ
ଦେବଦାରୁ-ଉପତ୍ୟକା-ମରକତବେଦୀ–
ପରେ ସ୍ଵଚ୍ଛ ସ୍ଫଟିକର ମେହେରାବି ପରି
ତୋଳିଛି ଗଗନେ ଗଙ୍ଗା-ଶୃଙ୍ଗାରିତ ଶିଖା,
ବିରାଜିତ ପୁର ଗ୍ରାମ ଆବସଥ ଯେତେ,
ସବୁଥିରୁ ଆସିଥିଲେ ଏହି ରଣ-ଯୋଗେ
ଏ ବିରାଟ ନରମେଧେ, ରଣମଦେ ମାତି,
ଯଜ୍ଞ -ପଶୁରୂପେ, ଆହା, କେତେ ମହାପ୍ରାଣୀ !
ଆସିଥିଲେ ମାତ୍ର ସିନା ଲୋଟାଇବା ପାଇଁ
ଶତ୍ରୁଖଣ୍ଡାଘାତେ ମୁଣ୍ଡ ରଣଚଣ୍ଡୀ ପୀଠେ !
ହତ ଗଜ ବାଜି, ଭଗ୍ନ ରଥ, ଛିନ୍ନ ସେହ୍ନା,
ଛିନ୍ନ ଅସ୍ତ୍ର ଶସ୍ତ୍ର, ଢାଲ ସଙ୍ଗେ ରୁଣ୍ଡ ହୋଇ
ପଡ଼ିଛନ୍ତି ରଣାଙ୍ଗନେ ପର୍ବତପ୍ରମାଣେ
ଲକ୍ଷ ଲକ୍ଷ ବୀର, ଆହା, ରକ୍ତାକ୍ତବିଗ୍ରହେ;
ଧନିକ, ନିର୍ଦ୍ଧନ, ଯୁବା, ବୃଦ୍ଧ, ରାଜା ପ୍ରଜା,
କି କୁଳୀନ ଅକୁଳୀନ, ସୁନ୍ଦର କୁତ୍ସିତ,
ଶତ୍ରୁ ମିତ୍ର, ଏକ ତଳ୍ପେ ଗାଢ଼ ଆଲିଙ୍ଗନେ।
ଏକମାତ୍ର ଦୁର୍ଯ୍ୟୋଧନ ଲକ୍ଷଣ ସହିତେ
ଯୁଝୁଥିଲେ ଅଳ୍ପ ସୈନ୍ୟେ ମହାଦମ୍ଭଭରେ
ଶତ୍ରୁ ସଙ୍ଗେ, କୁମାରଙ୍କୁ ବଞ୍ଚାଇବା ଆଶେ
ଗୁପ୍ତ ପଥେ ପେଷିଲେ ସେ ତାଙ୍କୁ ସ୍ଵଶିବିରେ,
ମାତ୍ର ସେ ଲକ୍ଷଣ ପଡ଼ି ଶତ୍ରୁଙ୍କ ହାବୋଡ଼େ
ଲଭିଲେ ନିଧନ କୁରୁପତିର ଅଜ୍ଞାତେ ।

ଅବଶିଷ୍ଟ ସୈନ୍ୟକ୍ଷୟ ଦେଖି କୁରୁନାହା
ବେନି ହସ୍ତେ ବେନି ଗଦା ଧରି ଅତି ଦ୍ରୁତେ
ପଳାଇଲେ ତ୍ରସ୍ତେ ବ୍ୟାସ-ସରୋବରମୁଖେ ;
ବୁଡ଼ନ୍ତେ ଭାସ୍କର, ପଥେ ଆସିଲା ଶର୍ବରୀ,
ଏ ସମୟେ କାଦମ୍ବିନୀ ଘୋଟି ନଭସ୍ତଳେ
ଭୀମ ପ୍ରଭଞ୍ଜନ ସହ ଅବିରଳ ଧାରେ
ଢ଼ାଳିଲା ସଲିଳପୂର ବୁହାଇ ସମ୍ମୁଖେ
ସୁଗଭୀର ଖରସ୍ରୋତ ଲୋହିତ ଶୋଣିତେ,
ଭାସିଯାଉଥିଲା ଯହିଁ ଶବ ରାଶି ରାଶି
ନର ଗଜ ବାଜିଙ୍କର ସ୍ୟନ୍ଦନ ସହିତେ,
ଅଗ୍ରେ ରକ୍ତନଦୀ ଦେଖି ବିକଳେ ଭୂପତି
ହାହାକାରେ କରଯୁଗ ମାରି ନିଜ ଭାଲେ
କହିଲେ ଆରତେ, ‘‘ପଛେ ଗୋଡ଼ାନ୍ତି ପାଣ୍ଡବେ,
ଶସ୍ତ୍ରପାଣି, ଦଣ୍ଡପାଣି ଦଣ୍ଡଧର ଯଥା,
ସମ୍ମୁଖେ ଭୀଷଣ ନଦୀ ତରଙ୍ଗମାଳିନୀ,
କେବଣ ଉପାୟେ ମୁହିଁ ଯିବି ସରୋବରେ ?
କେ ତାରିବ ମୋତେ, ଆହା, ଏ ଘୋରସଙ୍କଟେ ?

ସହସା ଦେଖିଲେ ସ୍ରୋତେ ଯାଉଅଛି ଭାସି
ଦୁଃଶାସନ ଶବ, ଯାଇ ସେ ଶବ ନିକଟେ
ବୋଇଲେ, ‘‘ହେ ବାବୁ, ତୋର କ୍ଷତ୍ରିୟସମାଜେ
ଥିଲା ସବୁ ପରେ ଟେକ ବଇରି-ବିଭ୍ରାଟେ,
ଅଭିମାନ ମୋର, ବାବୁ, ନ ସହୁ ରେ କ୍ଷଣେ,
ମୋର ଏ ଜୀବନେ, ବାବୁ, କିସ କାର୍ଯ୍ୟ ଆଉ ?
ଜୀଇଁଛି ନିର୍ଲଜ ମୁଁ ଯା ତୁମ୍ଭଙ୍କୁ ମରାଇ !
ତୁ ତ ପହଁରୁଛୁ ଏବେ ରକତଲହରୀ,
ଏ ପ୍ରବାହେ ପାରି କରି ଦେବୁ କି ତୁ ମୋତେ ?
ଏହା ବୋଲି ଭେଳା କରି ଦୁଃଶାପରେ ଯାଇ
ପଡ଼ନ୍ତେ ବୁଡ଼ିଲା ଶବ ତ୍ରିତାଳ ଗଭୀରେ ;
ତାକୁ ଛାଡ଼ି କୁରୁବୀର ଦେଖିଲେ ଅଦୂରେ
କର୍ଣ୍ଣଙ୍କର ଶବ ଭାସି ଆସୁଛି ସେ ସ୍ରୋତେ,
ପ୍ରାଣହୀନ ହୋଇ ସୁଦ୍ଧା ଝଟକଇ ଯହିଁ
ବୀରତେଜ ଆଗ ପରି ବାଳାର୍କ ପରାୟେ,
ପ୍ରାଂଶୁ ସ୍ଵର୍ଣ୍ଣତାଳ ପ୍ରାୟେ ସେହି ଗୌର ତନୁ
ଏବେ ସୁଦ୍ଧା ଦିଶେ ତୋରା ମୃତ୍ୟୁର କବଳେ,
କୋଳ କରି କର୍ଣ୍ଣେ ତହୁଁ କହିଲେ ସମ୍ବୋଧି
କୁରୁମଣି, “ଆହା ମିତ୍ର, ପ୍ରିୟ ପ୍ରାଣୁଁ ବଳି
ତୁ ମୋହର, ଦୁଃଖି-ଦୁଃଖ ଦେଖି ତୋର ହିଆ
ଦ୍ରବୁଥିଲା ସଦା, ତେଣୁ ଥିଲୁ ମହାଦାତା,
ଦାନବୀର ବୋଲି ଥିଲୁ ବିଖ୍ୟାତ ଜଗତେ,
ଦ୍ଵିଜବେଶେ ଦାନ ତୋତେ ମାଗନ୍ତେ ମଘବା,
କବଚ଼ କୁଣ୍ଡଳ ତାଙ୍କୁ ଦେଲୁ ଅକାତରେ ;
ନିରାଶ ନୋହିଲେ ଅର୍ଥୀ ତୋହଠାରେ କେବେ,
ମେଣ୍ଟି ତୁହି, ମିତ୍ରମଣି, ମାତାଙ୍କର ବାଣୀ
ସୋଦରଗଣଙ୍କୁ ଛାଡ଼ି ଆଶ୍ରା କଲୁ ମୋତେ ;
ବହୁକାଳ ମୁହିଁ ତୋତେ ସମ୍ଭାଳିଣ ଥିଲି,
ପାରି କରି ନେବୁକିରେ ମୋତେ ଏ ପ୍ରବାହେ ?
ଏହା କହି କର୍ଣ୍ଣ ଦେହେ ପଡ଼ିଲା ମାତ୍ରକେ
ବୁଡ଼ିଗଲା ସେହି ଦେହ ଅତଳ ସଲିଳେ,
ଦ୍ରୋଣଙ୍କର ପିଣ୍ଡ ଭାସି ଆସନ୍ତେ ତା ପରେ,
'ହା ହା ଗୁରୁ' ବୋଲି ରାଜା ଧଇଲେ ତା ଯାଇ
‘‘ମୂର୍ତ୍ତିମନ୍ତ ଧନୁର୍ବେଦ ଥିଲୁ ତୁ ଜଗତେ,
ଶିଖିଥିଲି କ୍ଷୁଦ୍ର ବିଦ୍ୟା ତୋହରି ପୟରେ ।
ନ ଥିଲେ ଅରହ ତୋତେ ସମରେ ମଘବା,
ବାତ୍ସଲ୍ୟ ତୋହର ଥିଲା ଅଧିକ ଅର୍ଜୁନେ,
ପରାଭବ ସେହି ତୋତେ ଦେଲା ଅବଶେଷେ !
ବେଦ ଶାସ୍ତ୍ରେ ଥିଲୁ ତୁହି ମର୍ତ୍ତ୍ୟେ ବୃହସ୍ପତି,
ଏପରି ବ୍ରାହ୍ମଣ ଗୁରୁ ମରାଇ ପାଣ୍ଡବେ
ଲଭିଲେ ସାମ୍ରାଜ୍ୟ-ଶିରୀ କେଉଁ ଧର୍ମବଳେ ?
ତୋର ଗୁଣ କହିବାକୁ ନାହିଁ ବେଳ ଆଉ,
ବରତିବି ନାହିଁ ମୁହିଁ ଜାଣିଲେ ପାଣ୍ଡବେ ;’’
ଗୁରୁଙ୍କୁ ଏମନ୍ତ ସ୍ତବି, ତାଙ୍କ ଶବ ପରେ
କୋଳ କରି କୁରୁପତି ପଡ଼ିଲାରୁ ମାଡ଼ି,
ବୁଡ଼ିଗଲା ସେହି ପିଣ୍ଡ ଜଳେ ସେହିକ୍ଷଣି ।

ଏଅନ୍ତେ ଶକୁନି ଶବ ଆସିଲାକ ଭାସି,
ଶକୁନି–ବିକ୍ଷତମୁଖ, ବିକୃତ ଆକୃତି।
ତହିଁ ନେତ୍ର ପଡ଼ିଲାରୁ ଖେଦେ କୁରୁନାହା
କହିଲେ ଏସନ ବାଷ୍ପଗଦଗଦ ସ୍ଵରେ,
‘‘ହା ହା, ମୋ ମାତୁଳ, ତୁହି ପାଣ୍ଡବବିନାଶେ
ଭିଆଇଲୁ ଯେତେ କୂଟ ସବୁ ହେଲା ବୃଥା !
ବିଷଲଡୁ ଖୁଆଇଲୁ ଭୀମକୁ କୌଶଳେ,
ଜଉ, ଝୋଟ, ଛଣପଟ, ଗୁଆଘୃତ ଯୋଗେ
ଭିଆଇ ତୁ ଜତୁଗୃହ; ବରଗିଲୁ ତହିଁ
ପୁରୋଚ଼ନେ ପାଣ୍ଡବର ଦାହନ ଉଦ୍ଦେଶ୍ୟେ,
ଉବୁରିଲେ ତହୁଁ ସେହି କେଉଁ ବୁଦ୍ଧିବଳେ ?
କପଟପାଶାର ଥିଲୁ ସୂତ୍ରଧାର ତୁହି,
ଜିତିଲୁ ତୁ ରାଜ୍ୟ ଆଦି ସବୁ ବୁଦ୍ଧି କରି,
ମାତ୍ର ବୃଥା ହେଲା ସବୁ ଦଇବ-ଅବଳେ !
ତୋର ଗୁଣ, ମାତୁଳ, ମୁଁ କହିବଇଁ କେତେ ?
କହ, ମାମୁଁ, କି ବୁଦ୍ଧି ମୁଁ କରିବି ଏ କାଳେ ?
କେମନ୍ତେ ହୋଇବି ପାରି ଏ ରୁଧିର-ନଦୀ ?”
ଶକୁନି ଉପରେ ରାଜା ପଡ଼ିଲାରୁ ମାଡ଼ି
ବୁଡ଼ିଗଲା ସେହି ପିଣ୍ଡ ଅଗାଧ ପ୍ରବାହେ ।

ସେ ଉଦ୍ୟମ ବୃଥା ଦେଖି ତହୁଁ ସେ ଆରତେ
କାନ୍ଦିଲେ ସୁମରି ଦେବେ, ହାହାକାର କରି,
ଦେଖିଲେ ଏକାଳେ ଅଗ୍ରେ ଆସୁଅଛି ଭାସି
ପରମ ସୁନ୍ଦର ଯୁବା ସେହି ଖର-ସ୍ରୋତେ,
କଙ୍କଣ କୁଣ୍ଡଳ ନାନା ଅଳଙ୍କାର ଦେହେ,
ଶତଚନ୍ଦ୍ର ଭାସି କି ସେ ଯାଉଛି ସଲିଳେ !
ଜଳଦେବତା କି ଯାଏ ନିଦ୍ରାଯୋଗେ ଭାସି
ସେ ଜଳେ, ବିଳାସେ ଆଶ୍ରି ଲହରୀ-ପ୍ରେଙ୍ଖୋଳା ।
ଏହି ମୋତେ ନେବ ପରା ସ୍ରୋତ ପାରି କରି,
ଏହା ପାଞ୍ଚି କୁରୁନାଥ କୋଳ କରି ତାକୁ
ଉପରେ ଥୋଇଲେ ଦୁଇ ଗଦା ଯେ ତଡ଼ତି,
ଆପେ କୁରୁନାଥ ପରେ ବସିଲେକ ମାଡ଼ି,
ଶୋଲ ଜିଣି ଭାସେ ଶବ ସେ ରୁଧିରସ୍ରୋତେ,
ପିଠିରେ ବସିଣ ରାଜା ବେନି ହାତେ ବାହି
ଦ୍ୱିଘଡ଼ିରେ ଉପନୀତ ହେଲେ ପରପାରେ ।

ପାରି ହୋଇ ମୃତପିଣ୍ଡୁ ଓହ୍ଲାଇ ତ୍ୱରିତେ
ବୋଇଲେ ସେ ଶବ ପ୍ରତି, ‘‘ଦୁଃଶା କର୍ଣ୍ଣ ଆଦି
ଯୋଗେ ଯା ନୋହିଲା, ସାଧ୍ୟ ହେଲା ତୋହ ଯୋଗେ,
କିଏ ତୁ ମହାତ୍ମା ? ମୃତ ହୋଇ ଉପକାରୀ
ହେଲୁ ଏଡ଼େ ତୁହି ମୋର ଏ ଆତଙ୍କବେଳେ ?
ବୁଲାଇ ସେ ଶବ ମୁଖ ନିରେଖନ୍ତେ ପୁଣି
ଚିହ୍ନିଲେ ସଖେଦେ ରାଜା କୁମାର ଲକ୍ଷଣେ ।
ଥୋକେ ଅସମ୍ଭାଳ ହୋଇ ବାହୁନି ବାହୁନି
ଶବକୁ ନିରେଖି ତହୁଁ କହିଲେ ଆରତେ,
"ଏକମାତ୍ର କୁଳାଙ୍କୁର ଏହି କୁରୁକୁଳେ,
କୁମାର ଲକ୍ଷଣ, ତୁହି ଥିଲୁ ଯେଣୁକରି,
ତୋର ରକ୍ଷା ଲାଗି ତୋତେ ରଣସ୍ଥଳୁଁ ମୁହିଁ
ପେଷିଲଇଁ ଗୁପ୍ତପଥେ କୌରବ-ଶିବିରେ ।
ଆହା, ତୋହଠାରେ କିଏ କଲା ଏ ଅନୀତି
ସ୍ଫୁଟୋନ୍ମୁଖ ଏ କୋରକ ଛିଣ୍ଡାଇ ଅକାଳେ
କିଏ ଦଳିଦେଲା, ଆହା, କୁରୁ-ଆଶାଲତା !
ବାଳୁତ ହୋଇ ତୁ ମୋର ଆଗେ ଗଲୁ ଚାଲି
ଛାଡ଼ି ମୋତେ ଏ ଜଗତେ, ମୋର ଯୋଗ୍ୟସୁତ,
ସୁଯୋଗ୍ୟ ଦାୟାଦ କୁରୁରାଜ-ସିଂହାସନେ
ଥିଲୁ ତୁହି; ଆରେ ବାବୁ, କି ଗୁଣେ କି ରୂପେ
ସୁମରି ତୋ ଗୁଣରାଶି, ଦୟାପୂର୍ଣ୍ଣ ହିଆ
ଝୁରି ହେଉଥାନ୍ତି ପ୍ରଜା-ଦେଶଦେଶାନ୍ତରେ ।
ଦାନ ଦେବା ପାଇଁ ଦିନ ରାତ୍ର ତୁ ନ ଜାଣୁ,
ଅହର୍ନିଶ ଭକ୍ତି ତୋର ଦେବତା ବ୍ରାହ୍ମଣେ,
ଧର୍ମ କାର୍ଯ୍ୟ ସଦା ଲାଗିଥାଇ ତୋର ଚିତ୍ତେ,
କେମନ୍ତେ ଛାଡ଼ିଲେ ତୋତେ ସେ ଧର୍ମଦେବତା ।
ସଦା ସଦାଳାପୀ, ଦୁଃଖୀଜନର ଭରସା,
ସଦା ସତ୍ୟବାଦୀ, ସଦା ରତ ପରହିତେ,
ତୋତେ ଦେଖି ‘ସାଧୁ ସାଧୁ' କହୁଥିଲେ ଲୋକେ ।
ପୂତସ୍ମିତଶାଳୀ ତୋର ବଦନ-ଚନ୍ଦ୍ରମା
ଦେଖି ହେଉଥିଲେ ଲୋକେ ଆପ୍ଳୁତ ହରଷେ,
ଚହଟୁଣ ଥିଲା ଦେଶ ତୋ ଯଶଃସୌରଭେ;
ସାଧୁ ଯଥା, ଦୁର୍ଜ୍ଜୟ ତୁ ଥିଲୁ ରଣସ୍ଥଳେ,
କମ୍ପୁଥିଲେ ଶତ୍ରୁକୁଳ ତୋର ଧନୁର୍ଘୋଷେ,
ଅଛଇ ତୋହର, ବାବୁ, ସଦଗୁଣ ଯେତେ
ମୁଖେ ନ ପାରିବେ କହି ସବୁ ଗଣପତି l
ବାବୁ ଲକ୍ଷଣ ରେ, କଲୁ ଅନାଥ ତୁ ମୋତେ
ବୁଡ଼ାଇଲୁ ଭେଳା ମୋର ଅତଳ ସାଗରେ ।
ଅନ୍ଧାର ଏ ସୃଷ୍ଟି ମୋତେ ଦିଶେ ତୋ ବିହୁନେ,
ବିକଳ ହେଉଛି ମୁହଁ, ନ ନିରେଖୁ କିପାଁ ?
ଉଠ ଉଠ, ବାବୁ ଯିବା ନବରେ ବାହୁଡ଼ି,
ଚାହିଁଥିବେ ତୋର ବାଟ ଭାନୁମତୀ ମାଏ ;
ମାଏ ପୋଏ କଲ ମୋତେ ଅନେକ ଦଇନି,
ବାହୁଡ଼ି ନ ଯାନ୍ତି ଯଥା କୃଷ୍ଣ ଅପମାନେ,
ପଡ଼ା ପାଞ୍ଚଖଣ୍ଡି ମାଗିଥିଲେ ଯଦୁପତି,
ବେନି ପଡ଼ା ଦେବା ଲାଗି ତୁମ୍ଭେ କର ଅଳି ।
ବିନା ଯୁଦ୍ଧ ସୂଚୀମୁନେ ଦେବି ନାହିଁ କ୍ଷିତି,
କର୍ଣ୍ଣ ଶକୁନିଙ୍କ ସଙ୍ଗେ ପାଞ୍ଚି ଏ ମନ୍ତ୍ରଣା,
ପ୍ରତିଫଳ ତାର, ବାବୁ, ପାଇଲି ମୁଁ ଏବେ ।
ଏଡ଼େ ବଡ଼ ସମ୍ପଦ ମୁଁ ହେଳେ ବୁଡ଼ାଇଲି !

ଆରେ ପୁତ୍ର, ବୋଲ ତୋର ମାନୁଛି ଏକ୍ଷଣି,
ଅଧେ ରାଜ୍ୟ ଦେବି, ଏବେ ଆସ ମୋର ତୁଲେ;
ଦେଖି ତୋର ସେହି କାନ୍ତି, ସେହି ମୁଖଶଶୀ
ଧରିବି ପରାଣ କେହ୍ନେ ଏ ବେଶେ ନିରେଖି ?
ମୃତ ପିଣ୍ଡ, ବାବୁ, ତୋର ଜଡ଼ାଇ ହୃଦୟେ,
ଏ ମୋହର ଦେହ କିପାଁ ଯାଉ ନାହିଁ ଫାଟି ?
କର୍ପୂର ଚନ୍ଦନ ବୋଳି ହେଉ ଯେଉଁ ଦେହେ,
ସେହି ଦେହ ଏବେ, ଆହା, ଆପ୍ଲୁତ ଶୋଣିତେ !
ଲୁଳୁଥିଲା ଯେଉଁ ହୃଦେ ମଣି ଗଜମୋତି,
ମେଦମାଂସ ଏବେ ବୋଳା ହୋଇଛି ସେ ସ୍ଥଳେ !
ଜନ୍ମଠାରୁ ମୁଖ ତୋର ଚାହିଁ ଆଜଯାଏ
ନିରେଖ ହେଲିଟି ଏବେ ମୁହିଁ ଭବତଳେ ।
କେବେହେଁ ନ ହେଉ ତୋର ମୋହ ପରି ପିତା
ତୋହୋ ପରି ପୁତ୍ର ହେଉ ଜନମେ ଜନମେ ।’’
ଏହା କହି ସେହି ଘୋର ରଜନୀ ଅନ୍ଧାରେ
ନିବିଡ଼ ପଳାଶକୁଞ୍ଜେ ଏକ ଖାତ ଖୋଳି
କୁରୁପତି ଲକ୍ଷ୍ମଣକୁ ଶୁଆଇ ସେ ଖାତେ ;
ସାଶ୍ରୁନେତ୍ରେ ତା ଉପରେ ପକାଇଲେ ମାଟି।
ଖରଗତି ତଦନ୍ତରେ ପଳାଇ ଗୁପତେ
ସେ ପଳାଶ କୁଞ୍ଜେ କୁଞ୍ଜେ ମହିଷ ଡଗରେ
ଭଜିଲେ ଆଶ୍ରୟ ବ୍ୟାସ-ସରୋବରେ ଯାଇଁ ।


ମହାକବି ଶୂଦ୍ରମୁନି ଶାରଳା ଦାସଙ୍କ ମହାଭାରତର ଶଲ୍ୟପର୍ବରେ ଦୁର୍ଯ୍ୟୋଧନଙ୍କର ବ୍ୟାସ- ସରୋବର ପ୍ରବେଶ ସମୟରେ କୌରବପକ୍ଷୀୟ ଭିନ୍ନ ଭିନ୍ନ ବାରମାନଙ୍କ ଶବ ଉପରେ ଏବଂ ସର୍ବଶେଷରେ କୁମାର ଲକ୍ଷ୍ମଣଙ୍କ ଶବ ଉପରେ ରକ୍ତନଦୀ ପାର ହେବାର ଦୃଶ୍ୟ ଅତି କରୁଣ। ସମଗ୍ର ଉତ୍କଳ ସାହିତ୍ୟରେ, କେବଳ ଉତ୍କଳ ସାହିତ୍ୟରେ କାହିଁକି, ଯେ କୌଣସି ସାହିତ୍ୟରେ ଏହା ଅତୁଳନୀୟ ବିବେଚିତ ହେବ । ଶାରଳା ଦାସଙ୍କର ଏହି ଆଖ୍ୟାନ ଅବଲମ୍ବନ କରି ଏହି ପ୍ରସଙ୍ଗ ଲିଖିତ । - ପ୍ରକାଶକ, ରାଧାନାଥ ଗ୍ରନ୍ଥାବଳୀ