ଏ ଭବେ ପାଇବ କାହିଁ ?
ଲେଖକ/କବି: ମଧୁସୂଦନ ଦାସ


ପ୍ରେମର ଚୁମ୍ଵନ ଯାହାକୁ ବୋଲନ୍ତି
                       ଏ ଭବେ ପାଇବ କାହିଁ ?
ସ୍ଵର୍ଗର ଲତିକା ରୋପିଥିଲେ ଦେବେ
                       ମାନବେ ଚିହ୍ନିଲେ ନାହିଁ ।
                       
ବାରିଧିର ଜଳ ଚନ୍ଦ୍ରମାମୂରତି
                       କୋଳରେ ଦୋଳାଇ ନାଚେ,
କିନ୍ତୁ କଳା ମେଘ ଗଗନେ ଦେଖିଲେ
                       ଚନ୍ଦ୍ରମା ଭୟରେ ଲୁଚେ ।
     
ପ୍ରେମ ଚୁମ୍ଵନର ଏ ନୁହେଁ ଲକ୍ଷଣ
                       ପ୍ରେମ ବନ୍ଧ ଛିଣ୍ଡେ କାହିଁ ?
ପ୍ରେମର ମିଳନ ଦୁଧ ପାଣି ପରି
                       ଆଉ ଛଡାଛଡି ନାହିଁ ।
                       
ଫୁଲର ସୁଗନ୍ଧ ପାଇବା ଲୋଭରେ
                       ଭ୍ରମର ତା' ପାଶେ ଉଡେ,
କିନ୍ତୁ ଭ୍ରମରକୁ ଚୁମ୍ଵିବା ଆଶାରେ
                       ଫୁଲ କି ତା ସ୍ଥାନ ଛାଡେ ।

ରବିର ଉଦୟ ଆକାଶେ ଦେଖିଲେ
                       କମଳ ତା ଆଖି ମେଲେ,
କିନ୍ତୁ କମଳକୁ ତୁଚ୍ଛ ଜ୍ଞାନ କରି
                       ରବି ଯାଏ ଅସ୍ତାଚଳେ ।
                       
ପ୍ରୀତିର ମିଳନ ଦୂରୁଁ ଆକର୍ଷଣ
                       ଚୁମ୍ଵନ ତ ସଂଘର୍ଷଣ,
ସଂଘର୍ଷଣ ହେଲେ ହୁତାଶନ ଜଳେ
                       ଦହିବାକୁ ମନ ପ୍ରାଣ ।

ରବି ଦୂରେ ଥାଇ କିରଣ ବିତରେ
                       ପ୍ରାଣ ଦାନ କରେ ଜୀବେ,
ରବିର ଚୁମ୍ଵନ ହେଲେ ସଙ୍ଘଟନ
                       ବିପ୍ଳବ ଘଟିବ ଭବେ ।
                       
କଳା ମେଘ ଦେହେ ସୌଦାମିନୀ ହସେ
                       କବିବର ମନ ତୋଷେ,
ଚପଳା ଆସିଲେ ଚୁମ୍ଵନ କରିଲେ
                       ସମସ୍ତ ଅନ୍ଧାର ଦିଶେ ।