ମୁଖ୍ୟ ସୂଚୀ ଦେଖିବେ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ପଞ୍ଚମ ସ୍କନ୍ଧ

ବିଷୟସୂଚୀ

ପ୍ରଥମ ଅଧ୍ୟାୟସମ୍ପାଦନ କରନ୍ତୁ

ମୈତ୍ରେୟ ଉବାଚ

ପରମ-ପୁରୁଷ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ।। ୧
ତହୁଁ ଗଳଇ ମକରନ୍ଦେ । ତାହା ଯେ ପିବନ୍ତି ଆନନ୍ଦେ ।। ୨
ଶ୍ରଦ୍ଧାଯୁକ୍ତରେ ଚିନ୍ତାକରି । ହେଳେ ତରନ୍ତି ଭବବାରି ।। ୩
ପରମଭକ୍ତି ସେ ଲଭଇ । କରୁଣା କରନ୍ତି ଗୋସାଇଁ ।। ୪
ତାହାଙ୍କ ଚରଣେ ବନ୍ଦଇ । ପଞ୍ଚମସ୍କନ୍ଧେ ଗୀତ ଗାଇ ।। ୫
କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୬
ଶୁକ ପରୀକ୍ଷିତ ସମ୍ବାଦ । ଶୁଣିଲେ ତୁଟେ ଭବବନ୍ଧ ।। ୭

ପରୀକ୍ଷିତ ଉବାଚ

ଭୋ ମୁନି ରାଜା ପ୍ରିୟବ୍ରତ । ସେ ଆତ୍ମାରାମ ଭାଗବତ ।। ୮
ଗୃହେ ରମିଲା ତାର ମନ । ପ୍ରାରବ୍‌ଧ-କର୍ମରେ ବନ୍ଧନ ।। ୯
ନିଶ୍ଚୟେ ମୁକ୍ତସଙ୍ଗ ଯାର । ଏମନ୍ତ ପ୍ରାଣୀମାନଙ୍କର ।। ୧୦
କିମ୍ପା ଏ ଗୃହେ ମନ ରହେ । ଭୋ ମୁନି ଫେଡିବା ସନ୍ଦେହେ ।। ୧୧
ନିଶ୍ଚେ ମହତଲୋକଙ୍କର । ଉତ୍ତମ ଶ୍ଳୋକ କଥାସାର ।। ୧୨
ନିବୃତ୍ତଚିତ୍ତ ସେ ହୁଅନ୍ତି । ସେ କିମ୍ପା ବ୍ୟର୍ଥ ଆଚରନ୍ତି ।।୧୩
ଏ ମୋତେ ସଂଶୟ ବହୁତ । ଯେ ପ୍ରାଣୀ ଗୃହେ ମୋହଚିତ୍ତ ।। ୧୪
ତା ମତି କୃଷ୍ଣ-ବିଷୟରେ । ହୋଇଲା କେମନ୍ତ ପ୍ରକାରେ ।। ୧୫
ଏମନ୍ତ ରାଜା ମୁଖୁଁ ଶୁଣି । ମୁନି କହନ୍ତି ପରିମାଣି ।। ୧୬

ଶୁକ ଉବାଚ

ଯାହା ତୁ କରିଲୁ ପ୍ରଶନ । ଧନ୍ୟ ରାଜନ ତୋ ବଚନ ।। ୧୭
ଉତ୍ତମଶ୍ଳୋକ ଯେ ଗୋବିନ୍ଦ । ତାହାଙ୍କ ଚରଣାରବିନ୍ଦ ।। ୧୮
ତହୁଁ ଅମୀୟରସ ବହେ । ସେ ରସ ଯେବା ପ୍ରାଣୀ ପିଏ ।। ୧୯
ଭକତ ସାଧୁ ସେହୁ ଜନ । ପରମହଂସ ଦିବ୍ୟଜ୍ଞାନ ।। ୨୦
ତାହାର କୃଷ୍ଣକଥା ବିନେ । କେବେହେଁ ମନ ନୋହେ ଆନେ ।। ୨୧
ଅନ୍ୟ ଯେ ଗୁଣକଥାମାନ । ଇଚ୍ଛା ନ କରନ୍ତି ସେ ଜନ ।। ୨୨
ତେଣୁ ସେ ନୃପ ପ୍ରିୟବ୍ରତ । ଗୁଣରେ ହୋଇଲା ପୂଜିତ ।। ୨୩
ମୁନି ପରମ-ଭାଗବତ । ନାରଦ ଲୋକରେ ବିଖ୍ୟାତ ।। ୨୪
ତାହାଙ୍କ ଚରଣ ସେବାରେ । ସର୍ବକଳୁଷ ଗଲା ଦୂରେ ।। ୨୫
ତକ୍ଷଣେ ସ‌ତ୍ତ୍ୱଗୁଣ ହୋଇ । ବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ ।। ୨୬
ପିତାର ଆଜ୍ଞା ଘେନି ଶିରେ । ଅବନୀ ପାଳନ ବିଚାରେ ।। ୨୭
ତେଣେ ନ ଇଚ୍ଛେ ନୃପବର । ଉତ୍ତମ ସ‌ତ୍ତ୍ୱଗୁଣ ତାର ।। ୨୮
ଅଖିଳଲୋକଙ୍କ ଜୀବନ । ଅନାଦିନାଥ ନାରାୟଣ ।। ୨୯
ତାହାଙ୍କ ଚରଣାରବିନ୍ଦେ । ଚିତ୍ତ ନିବେଶି ଅପ୍ରମୋଦେ ।। ୩୦
ପ୍ରବୃତ୍ତ ସଂସାର ବେଭାର । ତହୁଁ ମନକୁ କରି ଦୂର ।। ୩୧
ନିଶ୍ଚୟ ଜାଣି ପରାଭବ । ଇଚ୍ଛଇ ନାହିଁ ରାଜ୍ୟ ଲାଭ ।। ୩୨
ଏଥି ଉତ୍ତାରେ ଭଗବାନ । ଦେବଙ୍କ ଯେ ଆଦି କାରଣ ।। ୩୩
ରାଜାର ଗୁଣମାନ ଘେନି । ଜନ କୁଶଳେ ଆତ୍ମଯୋନି ।। ୩୪
ନିଗମ ନିଜ ଗୁଣେ ଥାଇ । ଭୁବନୁ ଅଇଲେ ଗୋସାଇଁ ।। ୩୫
ଗଗନ ମଧ୍ୟେ ଚନ୍ଦ୍ର ଯେହ୍ନେ । ବିରାଜି ଶୋହେ ତାରାଗଣେ ।। ୩୬
ନିର୍ମଳ ପୂଜା ଉପହାରେ । ପୂଜିଲେ ତାଙ୍କୁ ଦେବବରେ ।। ୩୭
ପଥରେ ଯୂଥ ଯୂଥ ହୋଇ । ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ।। ୩୮
ଚାରଣ ମୁନିଙ୍କ ସହିତେ । ଗାୟନ କଲେ ଯେଝାମତେ ।। ୩୯
ଗନ୍ଧମାର୍ଦ୍ଦନ ଗିରି ତଳେ । ଶୋଭା କରାଇ ବିଜେ କଲେ ।। ୪୦
ହଂସଯାନରେ ଆଗମନ । ହିରଣ୍ୟଗର୍ଭ ଯାର ନାମ ।। ୪୧
ସେଠାରେ ଥାଇଣ ନାରଦ । ବନ୍ଦିଲେ ପିତା ପଦ୍ମପାଦ ।। ୪୨
ମନୁ ସହିତେ ନୃପବର । ଆନନ୍ଦେ ଯୋଡି ବେନିକର ।। ୪୩
ପିତାମହକଙ୍କୁ ସେ ନମିଲା । ଚରଣେ ଶିର ନିବେଶିଲା ।। ୪୪
ପ୍ରିୟବ୍ରତର ପୂଜା ଘେନି । କୋମଳବାକ୍ୟେ ପଦ୍ମଯୋନି ।। ୪୫
ସଦୟେ ଚାହିଁ ବେଦବର । ରାଜାଙ୍କୁ ବୋଲନ୍ତି ଉତ୍ତର ।। ୪୬

ବ୍ରହ୍ମା ଉବାଚ

ହେ ପ୍ରିୟବ୍ରତ କହୁଁ ତୋତେ । କ୍ରୋଧ ନ କର ତୋର ଚିତ୍ତେ।। ୪୭
ଆମ୍ବେ ନାରଦ ଆଦି ଯେତେ । ଯା ଆଜ୍ଞା ବହୁ ଅନାୟତ୍ତେ ।। ୪୮
ତପସ୍ୟା ବିଦ୍ୟା ଯୋଗ କରି । ପଣ୍ତିତପଣକୁ ଆଚରି ।। ୪୯
ଧର୍ମେ ବା ଅର୍ଥେ କେହୁ ଏଡି । ଈଶ୍ୱର ଇଚ୍ଛାକୁ ନ ପାରି ।। ୫୦
ଜନ୍ମ ମରଣ କର୍ମେ ପାଇ । ଜୀବ ଶରୀରକୁ ବହଇ ।। ୫୧
ଶୋକ-ମୋହକୁ ନିତ୍ୟେ ପାଇ । ସୁଖ ଦୁଃଖକୁ ସେ ଭୁଞ୍ଜଇ ।। ୫୨
ଦଉଡି ନାସାରନ୍ଧ୍ରେ ଦେଇ । ପଶୁକୁ ଯେସନେ ବୁହାଇ ।। ୫୩
ଈଶ୍ୱର ବାକ୍ୟ ଗୁଣ ବଳେ । ଜୀବ ଭ୍ରମଇ ଏ ଶୟଳେ ।। ୫୪
ଦ୍ୱିପଦ ଚତୁଷ୍ପଦ ଯେତେ । ସର୍ବେ ବନ୍ଧନ ସେହିମତେ ।। ୫୫
ଦୁଃଖସୁଖ କର୍ମ ଗୁଣରେ । ଏମାନ ଘେନି ସଙ୍ଗତରେ ।। ୫୬
ଈଶ୍ୱର ସୃଷ୍ଟିର କରତା । ସକଳେ ତାହାଙ୍କୁ ସେବନ୍ତା ।। ୫୭
ସେହି ଈଶ୍ୱରବଶେ ଦେହୀ । ଅନ୍ଧର ପ୍ରାୟ ଭ୍ରମୁଥାଇ ।। ୫୮
ଦେଖୁ ଦେଖୁଣ ଭ୍ରମୁ ଥାଇ । ଏକଥା ମୂଢ଼ ନ ଜାଣଇ ।। ୫୯
ବିମୁକ୍ତ ହେଲେ ହେଁ ପୁରୁଷ । ପ୍ରାରବ୍‌ଧ ଭୁଞ୍ଜଇ ଅବଶ୍ୟ ।। ୬୦
ନିଦ୍ରାକୁ ପାଇ ଯେହ୍ନେ ନରେ । ସ୍ୱପ୍ନ ଦେହରେ ଭୋଗ କରେ ।। ୬୧
ପ୍ରମତ୍ତ-ପ୍ରାଣୀମାନଙ୍କର । କେବେହେଁ ଭ୍ରମ ନୋହେ ଦୂର ।। ୬୨
ଲୋଭାଦିମାନଙ୍କରେ ଯୁତ । ଯେଣୁ ହୁଅଇ ଅବିରତ ।। ୬୩
ଯେ ବୁଧ ଜିଣେ ଇନ୍ଦ୍ରିମାନ । ତାହାର ଗୃହ କର୍ମମାନ ।। ୬୪
ବନ୍ଧନ ନ କରେ ତାହାରେ । ନିର୍ଭୟେ ଭ୍ରମେ ସେ ଗୃହରେ ।। ୬୫
ଲୋଭାଦି ଜିଣନ୍ତି ଯେ ଜନ । ଗୃହେ ନ ରମେ ତାର ମନ ।। ୬୬
ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ । ଜିଣି ପ୍ରରଳ ଶତ୍ରୁଗଣେ ।। ୬୭
ଗୃହ ମଧ୍ୟରେ ଦେଇ ମନ । ଲୋଭାଦି ନାଶିବ ତେସନ ।। ୬୮
ଇନ୍ଦ୍ରିୟ ଜିଣନ୍ତେ ସେ ନର । ଆନନ୍ଦେ ଭ୍ରମିବ ସଂସାର ।। ୬୯
ତୁ ପଦ୍ମନାଭ-ପଦାଶ୍ରିତ । ସର୍ବସଙ୍ଗରୁ ହୋଇ ମୁକ୍ତ ।। ୭୦
କରି ସଂସାର-ସୁଖ ଲାଭ । ଅନ୍ତେ ପରମଗତି ଲାଭ ।। ୭୧

ଶୁକ ଉବାଚ

ଏମନ୍ତ ତ୍ରିଭୁବନେ ପୁରି । ଭଗବାନଙ୍କ ଆଜ୍ଞାକାରୀ ।। ୭୨
ବିନୟେ ବ୍ରହ୍ମା ଉପଦେଶେ । ସ୍ୱୀକାର କଲା ସେ ବିଶ୍ୱାସେ ।। ୭୩
ନାରଦ ରାଜା ପ୍ରିୟବ୍ରତେ । ପୂଜିତ ହୋଇ ଯଥୋଚିତେ ।। ୭୪
ନିଶ୍ଚଳଆତ୍ମା ନିଜସ୍ଥାନେ । ଗମିଲେ ଚତୁରଆନନେ ।। ୭୫
ଶୁଣ ରାଜନ ପରୀକ୍ଷିତ । ତଦନ୍ତେ ରାଜା ପ୍ରିୟବ୍ରତ ।। ୭୬
ବ୍ରହ୍ମାଙ୍କ ଜ୍ଞାନବାକ୍ୟ ଶୁଣି । ଆପଣେ ଅକିଞ୍ଚନ ମାନି ।। ୭୭
ମନରେ ଭାଳନ୍ତି ରାଜନ । ପାଳିବି ବ୍ରହ୍ମାଙ୍କ ବଚନ ।। ୭୮
ନାରଦ ବାକ୍ୟେ ମନ ଦେଇ । ମନୁ ଆତ୍ମଜେ ମହୀ ଦେଇ ।। ୭୯
ବିଷମ-ବିଷୟାକୁ ତେଜି । ରହେ ସା‌ତ୍ତ୍ୱିକଭାବେ ମଜ୍ଜି ।। ୮୦
ଏଥୁ ଅନ୍ତରେ ପୃଥିବୀରେ । ନିଯୁକ୍ତ ହୋଇଲା କୁମରେ ।। ୮୧
ଅଖିଳ-ଜଗତ-ବନ୍ଦନ । ନିବେଶି କୃଷ୍ଣପାଦେ ମନ ।। ୮୨
ଆଦିପୁରୁଷ ପାଦେ ଧ୍ୟାୟି । ମନ ନିବେଶି ନିତ୍ୟେ ତହିଁ ।। ୮୩
ପୃଥିବୀ ପରିପାଳନରେ । ଚିତ୍ତ ସେ ଦେଲା ନିରନ୍ତରେ ।। ୮୪
ଯେ ବିଶ୍ୱକର୍ମା ପ୍ରଜାପତି । ତାର ଦୁହିତା ବର୍ହିଷ୍କୃତୀ ।। ୮୫
ସେ କନ୍ୟା ବରି ନରନାଥ । ବିଭା ହୋଇଲା ଯଥୋଚିତ ।। ୮୬
ଦଶ ଆତ୍ମଜ ତାର ତହିଁ । ଜନ୍ମିଲେ ଗୁଣ-ତେଜ ବହି ।। ୮୭
ଏକ ଦୁହିତା ରୂପବତୀ । ନାମ ଯାହାର ଉର୍ଜସ୍ୱତୀ ।। ୮୮
ଆଗ୍ନୀଧ୍ର ଇଧ୍ୱଜିହ୍ୱ ଦୁଇ । ତୃତୀୟ ଯଜ୍ଞବାହୁ ହୋଇ ।। ୮୯
ସବପନ ଘୃତପୁଷ୍ଠ ଆର । ହିରଣ୍ୟରେତା ମହାବୀର ।। ୯୦
ବୀତିହୋତ୍ର ଯେ ମେଧାତିଥି । କବି ଏ ଦଶନାମ ଖ୍ୟାତି ।। ୯୧
ଏ ଦଶନାମ ପୁତ୍ରଙ୍କର । ଏଥିର ମଧ୍ୟେ ତିନି ସାର ।। ୯୨
ମହାବୀର କବି ସବନ । ଉର୍ଦ୍ଧ୍ୱରେତା ଏ ତନିଜଣ ।। ୯୩
ପରମହଂସ ଦୀକ୍ଷା ଧରି । ସକଳ ଚେଷ୍ଟା ପରିହରି ।। ୯୪
ସର୍ବଜୀବରେ କୃପାମୟ । ଶ୍ରୀବାସୁଦେବେ କରି ଲୟ ।। ୯୫
ଭୟେ ଆରତ-ପ୍ରାଣୀଙ୍କର । ଶରଣ-ରକ୍ଷଣ-ଶ୍ରୀଧର ।। ୯୬
ସେ ପଦ୍ମପାଦ ଆଶ୍ରୟରୁ । ନିରତେ ନାମ କୀର୍ତ୍ତନରୁ ।। ୯୭
ପରମଭକ୍ତି ପ୍ରଭାବରେ । ଦୟା ବହିଲେ ପ୍ରାଣୀଠାରେ ।। ୯୮
ଭାବେ ନିର୍ମଳଚିତ୍ତ ହୋଇ । ହରି ସର୍ବଭୂତେ ଦେଖଇ ।। ୯୯
ସେ ମହାପ୍ରଭୁ ନାରାୟଣେ । ନିତ୍ୟେ ଭଜିଲେ ଦାସପଣେ ।। ୧୦୦
ପ୍ରିୟବ୍ରତଙ୍କ ଅନ୍ୟନାରୀ । ଥିଲା ସେ ଅତୀବ ସୁନ୍ଦରୀ ।। ୧୦୧
ଦ୍ୱିତୀୟ ପତ୍ନୀ ଗର୍ଭେ ତାର । ହୋଇଲେ ତିନି ଯେ କୁମର ।। ୧୦୨
ଉତ୍ତମ ତାମସ ରୈବତ । ମନୁରେ ହୋଇଲେ ବିଖ୍ୟାତ ।। ୧୦୩
ଏମନ୍ତ ପୁତ୍ରମାନ ଘେନି । ସେ ରାଜା ଚିରକାଳ ପୁଣି ।। ୧୦୪
ସୁବାହୁ ବଳବୀର୍ଯ୍ୟ ଧରି । ପୃଥିବୀ ନିଷ୍କଣ୍ଟକ କରି ।। ୧୦୫
ସେ ରାଜା ପୁରୁଷାର୍ଥ କରି । ଧରମପଥକୁ ଆଚରି ।। ୧୦୬
ସେ ରାଜା ପତ୍ନୀ ବିଷୟରେ । ପ୍ରତି ଦିବସ ସ୍ନେହଭରେ ।। ୧୦୭
ସେ ପତ୍ନୀ ନବ-ଯଉବନେ । ମନ୍ଦହାସ ଅବଲୋକନେ ।। ୧୦୮
ବିହାର ତାର ସଙ୍ଗେ କରି । ତା ବଶ ନୋହି ଦଣ୍ତଧାରୀ ।। ୧୦୯
ବିବିଧ-କ୍ରୀଡା ନାନାରଙ୍ଗେ । ଦିନ ହରଇ ତାର ସଙ୍ଗେ ।। ୧୧୦
ଏମନ୍ତେ ରାଜା ପ୍ରିୟବ୍ରତ । ରାଜ୍ୟ ପାଳନେ ହେଲା ରତ ।। ୧୧୧
ପ୍ରଜାଙ୍କୁ ପାଳନ୍ତି ହରଷେ । ଏକାଦଶ-ଅର୍ବୁଦ-ବର୍ଷେ ।। ୧୧୨
ତାହାଙ୍କ ବେନିଭୂଜ ତେଜେ । ବିପକ୍ଷପକ୍ଷ ତାଙ୍କୁ ଭଜେ ।। ୧୧୩
ଏମନ୍ତ ନିର୍ଭୟ-ମନରେ । ଆନନ୍ଦେ ସଂସାରେ ବିହରେ ।। ୧୧୪
ମେରୁକୁ ସୂର୍ଯ୍ୟ ଯେବେ ଯାଏ । ତେଜରେ ପ୍ରକାଶ ସେ ହୋଏ ।। ୧୧୫
ତେଜେ ସୂର୍ଯ୍ୟତେଜ ଗଞ୍ଜଇ । ତପସ୍ୟାବଳେ ବିରାଜଇ ।। ୧୧୬
ଆରୋହି ଜ୍ୟୋତିର୍ମୟ-ରଥେ । ପ୍ରକାଶ କରାଇବା ଅର୍ଥେ ।। ୧୧୭
ରଜନୀ ଦିବସେ ଭ୍ରମଇଁ । ଦ୍ୱିତୀୟସୂର୍ଯ୍ୟ ପ୍ରାୟ ହୋଇ ।। ୧୧୮
ତପସ୍ୟାବଳୁ ପ୍ରିୟବ୍ରତ । ସାଧିଳା ଅବ୍ୟକ୍ତ ଏ ବ୍ରତ ।। ୧୧୯
ଏମନ୍ତ ଜାଣି ବେଦପତି । ଆସି ମିଳିଲେ ତାର କତି ।। ୧୨୦
ସସ୍ନେହେ କହେ ବେଦବର । ଏ ନୋହେ ତୁମ୍ଭ ଅଧିକାର ।। ୧୨୧
ସେ ରାଜା ରଥର ଚକ୍ରର । ହୋଇଲା ଯେତେକ ବିସ୍ତାର ।। ୧୨୨
ତେଣୁ ସପତସିନ୍ଧୁ ହେଲା । ପୃଥିବୀ ସାତଭାଗ କଲା ।। ୧୨୩
ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ । କୁଶ ପୁଷ୍କର ଆଉ କ୍ରୌଞ୍ଚ ।। ୧୨୪
ଏପରି ସପ୍ତଦ୍ୱୀପ ହେଲା । ସେ ରାଜା ଆନନ୍ଦେ ବୁଡିଲା ।। ୧୨୫
ଆନନ୍ଦମନେ ଦଣ୍ତଧାରୀ । ଏହା ସେ କର୍ମରେ ବିଚାରି ।। ୧୨୬
ଏମନ୍ତେ ରାଜା ପ୍ରିୟବ୍ରତ । ସଂସାରକାର୍ଯ୍ୟେ ହେଲ ବ୍ରତ ।। ୧୨୭
ପୁତ୍ରଙ୍କୁ ଅଧିପତି କଲେ । ରାଜ୍ୟ ବିଭାଗ କରିଦେଲେ ।। ୧୨୮
ଦୁହିତା ଊର୍ଜସ୍ୱତୀ ନାମ । ତାହାକୁ ଶୁକ୍ରେ କଲା ଦାନ ।। ୧୨୯
ତାହାର କନ୍ୟା ଅନୁପମ । ହୋଇଲା ଦେବଯାନୀ ନାମ ।। ୧୩୦
ଏଥୁ ଅନ୍ତରେ ରାଜା ଚିତ୍ତେ । ବୈରାଗ୍ୟ ଉପୁଜେ ନିରତେ ।। ୧୩୧
ମନେ ବିଚାରି ନୃପନାଥ । ସ୍ୱନିନ୍ଦା କଲାକ ବହୁତ ।। ୧୩୨
ସ୍ତ୍ରୀସଙ୍ଗେ ଆସକ୍ତ ହୋଇଲି । ବଡ଼ ଅସାଧୁପଣ କଲି ।। ୧୩୩
ଏଣୁ ଇନ୍ଦ୍ରିୟେ ବଣ ହୋଇ । ଅବିଦ୍ୟା-ବିଷୟରେ ଥାଇ ।। ୧୩୪
ଏଣୁ ଏ ଧିକ ମୋ ଜୀବନ । ବିସ୍ମୟେ ଭାଳନ୍ତେ ରାଜନ ।। ୧୩୫
ଈଷ୍ଟ ଦେବତା-ପ୍ରସାଦରେ । ବୈରାଗ୍ୟ ଜାତ ତା ମନରେ ।। ୧୩୬
ବିଷୟ-ଚେଷ୍ଟା ପାଶୋରିଲା । ଇନ୍ଦ୍ରିୟମାନ ନିରୋଧିଲା ।। ୧୩୭
ରାଜସମ୍ପଦ ନ ଇଚ୍ଛିଲା । ପୁତ୍ରଙ୍କୁ ଭାଗ କରି ଦେଲା ।। ୧୩୮
ସ୍ୱପତ୍ନୀ ତେଜି ମୃତପ୍ରାୟେ । ମୁକ୍ତି ଇଚ୍ଛିଲା ନୃପରାୟେ ।। ୧୩୯
ମହାନୁଭାବ ଭଗବାନ । ନାରଦ ବ୍ରହ୍ମାର ନନ୍ଦନ ।। ୧୪୦
ତାହାଙ୍କ ପଥ ଆଶ୍ରେ କଲା । ନିଶ୍ଚୟେ ନିବୃତ୍ତ ହୋଇଲା ।। ୧୪୧
ଯେଉଁ ରାଜାର ଏତେ କୃତ୍ୟ । ଗାୟନ କରନ୍ତି ଜଗତ ।। ୧୪୨
ପ୍ରିୟବ୍ରତର କଲାକର୍ମ । ଏହା କେ କରିବାକୁ କ୍ଷମ ।। ୧୪୩
ତାହାର ରଥଚକ୍ର-ମାର୍ଗେ । ସପ୍ତସମୁଦ୍ର ପୃଥ୍ୱୀଭାଗେ ।। ୧୪୪
ଭାଗ-ବିଭାଗ ମହୀ କରି । ଦ୍ୱୀପ-ଉପଦ୍ୱୀପ ବିସ୍ତାରି ।। ୧୪୫
ଯେବା କଲା ମନୁକୁମର । ପୃଥିବୀ-ସ୍ୱର୍ଗେ ଅଗୋଚର ।। ୧୪୬
ସେ ପ୍ରିୟବ୍ରତର ମହିମା । ତ୍ରୈଲୋକ୍ୟେ ନାହିଁନା ଉପମା ।। ୧୪୭
ପ୍ରିୟ ଅଖିଳ ଜନଙ୍କର । ମହାମହିମା ଅଗୋଚର ।। ୧୪୮
ପ୍ରିୟବ୍ରତ ରାଜା ଚରିତ । କହଇ ଦାସ ଜଗନ୍ନାଥ ।। ୧୪୯

ଇତି ଶ୍ରୀମଦ୍ଭାଗବତେ ମହୁପରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ବିଜୟେ
ପ୍ରଥମୋଽଧ୍ୟାୟଃ ।।

ଦ୍ୱିତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ଏ ଅନ୍ତରେ । ପିତାର ଆଜ୍ଞା ଘେନି ଶିରେ ।। ୧
ଜମ୍ବୁଦ୍ୱୀପରେ ପ୍ରଜାଜନ । ଆଗ୍ନୀଧ୍ର କରଇ ପାଳନ ।। ୨
ଏମନ୍ତେ କେତେଦିନ ଗଲା । ଆଗ୍ନୀଧ୍ର ମନେ ବିଚାରିଲା ।। ୩
ସନ୍ତୋଷ ପିତୃଲୋକଙ୍କର । କେମନ୍ତେ ହୋଇବ ମୋହାର ।। ୪
ଏମନ୍ତ ମନେ ବିଚାରିଲା । ମନ୍ଦରଗିରିରେ ମିଳିଲା ।। ୫
ସୁରବନିତା କ୍ରୀଡାସ୍ଥାନେ । ପଶିଲା ଗହନ କାନନେ ।। ୬
ସଂସାରକରତାଙ୍କୁ ଧ୍ୟାୟି । ବସିଳା ସ୍ଥିରମନ ହୋଇ ।। ୭
ତାହା ଜାଣିଲେ ଭଗବାନ । ଯେ ବ୍ରହ୍ମା ସୃଷ୍ଟିର କାରଣ ।। ୮
ସଭାରେ କରଇ ଗାୟନ । ଯାହାର ପୂର୍ବଚିତ୍ତ ନାମ ।। ୯
ଅତି ସୁନ୍ଦରୀ ଅପସରୀ । ତାକୁ ପେଷିଲେ ବେଗ କରି ।। ୧୦
ଆଗ୍ନୀଧ୍ର ତପୋବନ ଲାଗେ । ମିଳିଲା ଅପସରୀ ବେଗେ ।। ୧୧
ଅତିମଞ୍ଜୁଳ ମନୋହର । ବିବିଧ-ବିଟପୀ-ଅପାର ।। ୧୨
ଘନ-ନିବିଡ-ଲତାମାନ । ଅଛନ୍ତି ନାନା-ପକ୍ଷୀଗଣ ।। ୧୩
କର୍ଣ୍ଣାଭିରାମ-ଧ୍ୱନିମାନ । କରନ୍ତି ହରଷିତ ମନ ।। ୧୪
ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି । ବିବିଧ-ଜଳାଶୟେ ପୂରି ।। ୧୫
କୁକ୍ଳୁଟ-କାରଣ୍ତବ-ହଂସ । କରନ୍ତି ରୁଚିର-ବିଳାସ ।। ୧୬
କାନନେ ନାନା ପୁଷ୍ପସାର । ପଦ୍ମ-ପୂରିତ-ସରୋବର ।। ୧୭
ମନ୍ଦପବନ ବହେ ନିତ୍ୟେ । ତା ଦେଖି କନ୍ୟା ତୋଷଚିତ୍ତେ ।। ୧୮
କରଇ ଲଳିତେ ଗାୟନ । ବିନ୍ୟାସେ ପାଦଗତିମାନ ।। ୧୯
ଚରଣେ ନୂପୁର ତାହାର । ଧ୍ୱନି କରଇ ମନୋହର ।। ୨୦
ଅତି ମଞ୍ଜୁଳ-ତାନ ଶୁଣି । ନୃପ କୁମର-ଶିରୋମଣି ।। ୨୧
ସମାଧିଯୋଗରୁ ତାହାର । ନୟନକମଳଯୁଗଳ ।। ୨୨
ଈଷିତେ ବିକଶିତ କଲା । ମନ୍ଦ-ମଧୁରେ ସେ ଚାହିଁଲା ।। ୨୩
ନିକଟେ ତାର ମୁଖ ଦେଖି । ପିଛାଡି ନ ପାରଇ ଆଖି ।। ୨୪
ଭ୍ରମର-ମତି ସେ ଯେସନ । ପୁଷ୍ପ ଲୋଡଇ ବନେବନ ।। ୨୫
ଦେବମାନବ ଆଦି ଯେତେ । ଉଲ୍ଲାସ ହୁଅନ୍ତି ଜଗତେ ।। ୨୬
ବିହାର-ଅବଲୋକନରେ । ସୁସ୍ୱର-ବଚନ-ମଧୁରେ ।। ୨୭
ପ୍ରାଣୀର ମନକୁ ସେ ନେଇ । ଅନଙ୍ଗେ ଅସ୍ଥିର କରଇ ।। ୨୮
ସେ ଯେତେବେଳେ ବାକ୍ୟ କହି । ବଦନୁ ସୁଗନ୍ଧ ବାସଇ ।। ୨୯
ତେଣେ ଲୁବୁଧ-ଭୃଙ୍ଗଗଣେ । ଭ୍ରମନ୍ତି ତାର ସନ୍ନିଧାନେ ।। ୩୦
ତେଣୁ ନ ପାରେ ବେଗେ ଯାଇ । ପବନେ ବସନ ଚଳଇ ।। ୩୧
ତା ଦେଖି ନୃପତିନନ୍ଦନ । ହୋଇଲା ଅନଙ୍ଗେ ଅଧୀନ ।। ୩୨
ଜଡ ପରାୟେ ସେ ହୋଇଲା । କାହୁଁ ତୁ ଅଇଲୁ ବୋଇଲା ।। ୩୩
ବନଦେବତା ମାୟାକରି । ବନେ କି ଖୋଜୁ ବନ ହେରି ।। ୩୪
କାମର ଅସ୍ତ୍ରମାନ ଯୋଖି । କି ଅର୍ଥେ ବୁଲୁ ତୁ ମୃଗାକ୍ଷି ।। ୩୫
ମୃଗାକ୍ଷି କହ ତୁ ବଚନ । ମୃଗକୁ ଲୋଡୁ କି କାରଣ ।। ୩୬
ତୋ ବେନି କମଳଲୋଚନ । ନିଶ୍ଚୟ ଅନଙ୍ଗର ବାଣ ।। ୩୭

ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଆଗ୍ନୀଧ୍ରବର୍ଣ୍ଣନଂ ନାମ
ଦ୍ୱିତୀୟୋଽଧ୍ୟାୟଃ ।।

ତୃତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଆଗ୍ନୀଧ୍ରସୁତଙ୍କ ମଧ୍ୟରେ । ନାଭିଙ୍କ ପୁତ୍ର ନୋହିବାରେ ।। ୧
ବା‚ଞ୍ଛା କରି ପୁତ୍ରକାମରେ । ତା ପତ୍ନୀ ମେରୁଦେବୀଠାରେ ।। ୨
ଭଗବାନ - ଯଜ୍ଞପୁରୁଷେ । ସେ ରାଜା ଭଜିଲା ବିଶ୍ୱାସେ ।। ୩
ନାଭି ଯେ ଶୁଦ୍ଧଭାବ ଧରି । ମନ୍ତ୍ରେ ଆହୁତି ହବି-ବଳି ।। ୪
ତାହାର ଶ୍ରଦ୍ଧାଭାବୁଁ କରି । ଯଜ୍ଞେ ପ୍ରସନ୍ନ ନରହରି ।। ୫
ଭଗବାନ-ଭକ୍ତବତ୍ସ›ଳ । ସେ ସର୍ବଆତ୍ମାର କୁଶଳ ।। ୬
ରାଜାର ସନ୍ତୋଷ ନିମନ୍ତେ । ସ୍ୱଚ୍ଛନ୍ଦେ ଅତି ହୃଷ୍ଟଚିତ୍ତେ ।। ୭
ମନ-ନୟନାନନ୍ଦ-ବେଶ । ଅଗ୍ନିରେ ହୋଇଲେ ପ୍ରକାଶ ।। ୮
ଭୁଜଯୁଗଳ ବେନିକରି । ପୀତବସନ ଛନ୍ତି ଧରି ।। ୯
ଶଙ୍ଖ-କମଳ ବାମେ ଧରି । ଦକ୍ଷିଣକରେ ଗଦା ଅରୀ ।। ୧୦
ତେଜେ ବିରାଜମାନ ହୋଇ । କୌସ୍ତୁଭମଣି କଣ୍ଠେ ଶୋହି ।। ୧୧
ଅମୂଲ୍ୟରତ୍ନ-ମୁକ୍ତହାର । ବିରାଜମାନ ହୃଦୟର ।। ୧୨
ବିବିଧମଣିମାନଙ୍କରେ । ନିର୍ମିତ ମୁକଟ ଶିରରେ ।। ୧୩
କୁଣ୍ତଳ-କଙ୍କଣ-ସୁନ୍ଦର । କଟୁମେଖଳା ରତ୍ନସାର ।। ୧୪
ହାର କେୟୂର ଯେ ନୂପୁର । ଏ ଆଦି ଭୂଷଣ ଶରୀର ।। ୧୫
ସେ ଯଜ୍ଞ ବରଣକର୍ତ୍ତାର । ଉ›ତ୍ସୁକ ହୃଦୟେ ଅପାର ।। ୧୬
ନିର୍ଦ୍ଧନ-ଗୃହପତି ଧନେ । ପ୍ରାପତ କୋଟିନିଧି ଯେହ୍ନେ ।। ୧୭
ତେମନ୍ତ ହୋଇ ଦ୍ୱିଜଗଣ । ଯଜ୍ଞରେ ଥିଲେ ଯେତେ ଜନ ।। ୧୮
ପରମ-ହରଷକୁ ପାଇ । ନମିଲେ ଶିରେ କର ଦେଇ ।। ୧୯
ଭୋନାଥ ପରମକାରଣ । ତୁମ୍ଭର ଆମ୍ଭେ ଭୃତ୍ୟଗଣ ।। ୨୦
ସର୍ବପୂରିତ ତୁ ଠାକୁର । ସେବା ତୁ ଘେନ ହେ ଆମ୍ଭର ।। ୨୧
ତୋହର ଚରଣାରବିନ୍ଦେ । ନମିଲୁ ପରମ ଆନନ୍ଦେ ।। ୨୨
ତୋର ଭିଆଣ ଏ ଜଗତ । ପ୍ରକୃତି-ପୁରୁଷ ବିଦିତ ।। ୨୩
ତ୍ରିଗୁଣେ ଜୀବ ବନ୍ଦୀ ହୋଇ । ତୋର ମାୟାରେ ଭ୍ରମୁଥାଇ ।। ୨୪
ଯେତେ ସୃଷ୍ଟିର କର୍ତ୍ତାମାନ । ସେ ସର୍ବେ ତୋହର ଅଧୀନ ।। ୨୫
ଭୋନାଥ ତୋହର ମହିମା । ସଂଖ୍ୟାରେ କେ କରିବ ସୀମା ।। ୨୬
ତୋର ଆକୃତି-ରୂପ -ନାମ । ଧ୍ୟାନେ କରନ୍ତି ନିରୂପଣ ।। ୨୭
ସାକ୍ଷାତେ ନୁହଁଇ ଗୋଚର । ଭୋ ପ୍ରଭୁ ରୂପଗୁଣ ତୋର ।। ୨୮
ତୋହର ନାମ ଉଚ୍ଚାରଣ । ସକଳ-ପାପ-ବିଧ୍ୱଂସନ ।। ୨୯
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁ ନାଥ କରୁଣାସାଗର ।। ୩୦
ତୋହର ଯେତେ ଭକ୍ତଜନେ । ଆନନ୍ଦେ ପ୍ରସନ୍ନ ବଦନେ ।। ୩୧
ସଲିଳ-ଦୂର୍ବା-ତୁଳସୀରେ । ପୂଜନ୍ତି ତୋହର ପୟରେ ।। ୩୨
ତେଣୁ ତୁ ପରମପୁରୁଷ । ପ୍ରସନ୍ନ ହେଉ ହୃଷୀକେଶ ।। ୩୩
ଏ ଯଜ୍ଞ ହୋଇଲା ସଫଳ । ଯେଣୁ ପ୍ରସନ୍ନ ଆଦିମୂଳ ।। ୩୪
ସୁଫଳ କି ଅବା ଅପରେ । ହୋଇବ ଏଥୁ ଅଧିକରେ ।। ୩୫
ବାଳକବୁଦ୍ଧି ସେ ଯେସନେ । ତେମନ୍ତ ପ୍ରାୟ ଆମ୍ଭେମାନେ ।। ୩୬
ପୂର୍ଣ୍ଣ ଯେ ପରମ-ପୁରୁଷେ । ଯଜ୍ଞ ଯେ କରୁ ତୋ ବିଶ୍ୱାସେ ।। ୩୭
ପରମ-ଦୟାର ସାଗର । ରାଜାଙ୍କୁ ପ୍ରଭୁ କୃପା କର ।। ୩୮
ଏମନ୍ତ ସ୍ତୁତି ଶ୍ରବଣରେ । ଜଗତ ପ୍ରଭୁ ସେ ଅଗ୍ନିରେ ।। ୩୯
ରାଜାର ଚକ୍ଷୁର ଗୋଚର । ହୋଇଲେ ଅତି ମନୋହର ।। ୪୦
ଯେ ଅବଶେଷ ପାପ ଥିଲା । ତକ୍ଷଣେ ସର୍ବ ଦୂର ଗଲା ।। ୪୧
ପୁଣି ବୋଲନ୍ତି ଦ୍ୱିଜଗଣ । ଭୋନାଥ ସାବଧାନେ ଶୁଣ ।। ୪୨
ଜ୍ଞାନ ଅନଳେ ପାପ ଦହି । ତୋ ପାଦପଦ୍ମଯୁଗ ଧ୍ୟାୟି ।। ୪୩
ଯେ ଆତ୍ମାରାମ-ମୁନିଗଣ । ସେବନ୍ତି ତୋହର ଚରଣ ।। ୪୪
ଏ ତୋର ଗୁଣକର୍ମମାନ । କରନ୍ତି ଅବିରତେ ଧ୍ୟାନ ।। ୪୫
ତୁ ନାଥ ଅଖିଳଠାକୁର । ପରମମଙ୍ଗଳର ଘର ।। ୪୬
ଆମ୍ଭେ ସ୍ୱଭାବେ ହୀନଜନ । କରିବୁଁ ତୋହର ସ୍ମରଣ ।। ୪୭
ସକଳ-କଳୁଷ-ନାଶନ । ନିର୍ମଳ ତୋଗୁଣ ଗାୟନ ।। ୪୮
ଆମ୍ଭର ମରଣଦଶାରେ । ତୋ ନାମ ଥିବ ବଚନରେ ।। ୪୯
ଏମନ୍ତ ଆଜ୍ଞା ପ୍ରଭୁ କର । ଅଖିଳବହ୍ମାଣ୍ତଠାକୁର ।। ୫୦
ଏବେ ତୁ ଶୁଣ ଭାବଗ୍ରାହୀ । ଏ ରାଜା ପୁତ୍ରକାମୀ ହୋଇ ।। ୫୧
ତୋର ପ୍ରସାଦୁ ଏ କୁମର । ମାଗଇ ସଦୃଶରେ ତୋର ।। ୫୨
ସ୍ୱର୍ଗ ଭୋଗ ଯେ ମୋକ୍ଷପଦ । ସକଳ ଦେଉ ତୁ ଗୋବିନ୍ଦ ।। ୫୩
ଏ ପୁତ୍ର ମାଗଇ ଯେମନ୍ତେ । ତୁଷ ମାଗିବା ଧନବନ୍ତେ ।। ୫୪
ଏଥୁ ଅନ୍ତରେ ସେ ରାଜନ । ନିଶ୍ଚଳ ଚିତ୍ତେ କରି ଧ୍ୟାନ ।। ୫୫
ଈଶ୍ୱର-ଶ୍ରୀମୁଖକୁ ଚାହିଁ । ଗଦ୍‌ଗଦେ ବଚନ ବୋଲଇ ।। ୫୬
ଭୋ ନାଥ ପରମମଙ୍ଗଳ । ପ୍ରସନ୍ନ ହୁଅ ଆଦିମୂଳ ।। ୫୭
ଏ ତୋର ଚରଣାରବିନ୍ଦ । ଆଶ୍ରୟ ନ କରି ଗୋବିନ୍ଦ ।। ୫୮
ଏ ଭବସାଗରେ ଯେ ଜନ । ମାୟାର ହୁଅନ୍ତି ଅଧୀନ ।। ୫୯
ସେ ମୂଢ଼ପ୍ରାଣୀମାନଙ୍କର । ଭୋ ନାଥ ଏମନ୍ତ ବେଭାର ।। ୬୦
ତୋର ଚରଣେ ନ ଭଜନ୍ତି । ଅଜ୍ଞାନେ ସଂସାରେ ପଡନ୍ତି ।। ୬୧
ସକଳକର୍ତ୍ତା ତୁ ଈଶ୍ୱର । ତୋର ଭିଆଣ ଏ ସଂସାର ।। ୬୨
ଏମନ୍ତେ ନାଭି-ସ୍ତୁତି ଶୁଣି । ଦେବାଧିଦେବଶିରୋମଣି ।। ୬୩
ଅଖିଳ-ବୃନ୍ଦାରକଗଣ । ସେବନ୍ତି ଯାହାର ଚରଣ ।। ୬୪
ସଦୟ ଚିତ୍ତେ ଭଗବାନ । କହନ୍ତି କୋମଳ ବଚନ ।। ୬୫

ଭଗବାନ ଉବାଚ

ହେ ସର୍ବ ମୁନିଜନ ଯେତେ । ସ୍ତୁତିରେ ବଶ କଲ ମୋତେ ।। ୬୬
ମୋର ସଦୃଶ ଏହା ସୁତ । ମାଗିଲ ଏ ବଡ଼ ଅଦ୍‌ଭୁତ ।। ୬୭
ମୋହର ରୂପତ ଅପାର । କି ରୂପେ ହୋଇବି କୁମର ।। ୬୮
ତପସ୍ୟା-ବ୍ରହ୍ମବାକ୍ୟମାନ । ବିଅର୍ଥ ହୋଇବ କେସନ ।। ୬୯
ବ୍ରହ୍ମାର କୁଳ ଏ ହୁଅଇ । ମୋହର ପାଳିବା ଯୋଗାଇ ।। ୭୦
ଏବେ ମୁଁ ପୁତ୍ରରୂପ ହୋଇ । ଅଂଶରେ ଅବତରିବଇଁ ।। ୭୧
ରାଜା ସହିତେ ମୁନିଗଣ । ଶୁଣିଲେ ଏମନ୍ତ ବଚନ ।। ୭୨
ଏତେକ କହି ନାରାୟଣ । ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ ।। ୭୩
ଏମନ୍ତେ ମୁନି ଯଜ୍ଞ କରି । ପ୍ରସନ୍ନ କରାଇଲେ ହରି ।। ୭୪
ରାଜାର ପ୍ରିୟଭାବ ବହି । ସେ ପ୍ରଭୁ ମେରୁଦେବୀ ତହିଁ ।। ୭୫
ସଂସାରେ ଧର୍ମ ବିସ୍ତାରିଣ । ଅବତରିଲେ ନାରାୟଣ ।। ୭୬
ବୋଲଇ ଦାସ ଜଗନ୍ନାଥ । ରାଜା-ଯଜ୍ଞସ୍ତୁତି-ଚରିତ ।। ୭୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ପଞ୍ଚମସ୍କନ୍ଧେ ନାଭିଚରିତେ ଋଷଭାବତାରୋ ନାମ
ତୃତୀୟୋଽଧ୍ୟାୟଃ ।।

ଚତୁର୍ଥ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏଥୁଅନ୍ତରେ ଶୁଣ ରାୟେ । ନାଭିରେ ହୋଇଲା ତନୟେ ।। ୧
ଯେତେ ଲକ୍ଷଣ କୃଷ୍ଣଠାରେ । ସକଳ ଅଛି ସେ କୁମରେ ।। ୨
ଶାନ୍ତି-ବୈରାଗ୍ୟ ଗୁଣ ଯେତେ । ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ ।। ୩
ଅତି ସୋହାଗେ ବହୁଧନେ । ପାଳିତ ହୋଇ ପ୍ରତିଦିନେ ।। ୪
ଶୁକଳପକ୍ଷେ ବନ୍ଦ୍ର ଯେହ୍ନେ । ବଢ଼ଇ ପୁତ୍ର ଦିନୁଦିନେ ।। ୫
ଅମାତ୍ୟଆଦି ପ୍ରଜା ଯେତେ । ଦେବତା-ବ୍ରାହ୍ମଣ ସହିତେ ।। ୬
ଅବନୀତଳେ ଯେତେ ଜନ । ସାନନ୍ଦ ହେଲା ତାଙ୍କ ମନ ।। ୭
ତାହାର ବାଳରୂପ-ଗୁଣ । ଅତି ଅଦ୍‌ଭୁତ ଯେ ଲକ୍ଷଣ ।। ୮
ଦେଖି ତାହାର ଚିହ୍ନ ବର୍ଣ୍ଣ । ପିତା ଋଷଭ ଦେଲେ ନାମ ।। ୯
ଯେବେ ତାହାଙ୍କ ସଙ୍ଗତରେ । ବିବାଦ କଲେ ପୁରନ୍ଦରେ ।। ୧୦
ସେ ଭଗବାନ ଯୋଗେଶ୍ୱର । ଋଷଭ ନାମଟି ଯାହାର ।। ୧୧
ଆପଣା ଯୋଗମାୟା ବଳେ । ଇନ୍ଦ୍ରଙ୍କୁ ନିଗ୍ରହ ଯେ କଲେ ।। ୧୨
ନାଭି ସେ କର୍ମମାନ ଦେଖି । ଲୋତକେ ପୂର୍ଣ୍ଣ କଲା ଆଖି ।। ୧୩
ଆନନ୍ଦେ ଗଦଗଦ ହୋଇ । ହେ ପୁତ୍ର ହେ ତାତ ବୋଲଇ ।। ୧୪
ସେ ଭଗବାନ ଯୋଗେଶ୍ୱର । ପୁରାଣ-ପୁରୁଷ-ଠାକୁର ।। ୧୫
ମାୟାରେ ଅଂଶରୂପ ହୋଇ । ଲୀଳାରେ ଶରୀର ବହଇ ।। ୧୬
ତାହାଙ୍କୁ ପୁତ୍ରଭାବେ କରି । ବଦନେ ବଚନ ଉଚ୍ଚାରି ।। ୧୭
ସ୍ନେହଭାବରେ ସେ ଭଜିଲା । ପରମବ୍ରହ୍ମକୁ ପାଇଲା ।। ୧୮
ଏଥୁଅନ୍ତରେ ନୃପମଣି । ପୁତ୍ରର ବୁଦ୍ଧି-ବଳ ଜାଣି ।। ୧୯
ଆତ୍ମୀୟ-ବ୍ରାହ୍ମଣଙ୍କୁ ରାଇ । ରାଜତ୍ୱପଣ ପୁତ୍ରେ ଦେଇ ।। ୨୦
ଯେ ମେରୁଦେବୀ ପତ୍ନୀ ତାର । ସଙ୍ଗତେ ଘେନି ନୃପବର ।। ୨୧
ବଦରିକାଶ୍ରମେ ରହିଲା । ପରମତପ ଆଚରିଲା ।। ୨୨
ସମାଧିଯୋଗରେ ରାଜନ । ଚିନ୍ତଇ ପ୍ରଭୁ ଭଗବାନ ।। ୨୩
କେତେହେଁ ଦିନ ତପ କଲା । ଅନ୍ତେ ସେ ମୁକତି ଲଭିଲା ।। ୨୪
ଯା ଯଶ ଏ ବେନିଶ୍ଳୋକରେ । ଗାୟନ କରନ୍ତି ସଂସାରେ ।। ୨୫
ଏମନ୍ତ ସଂସାରେ କେ ହେବ । ନାଭିର କର୍ମକୁ କରିବ ।। ୨୬
ଯାହାର ଶୁଦ୍ଧଭାବୁଁ କରି । ପୁତ୍ର ହୋଇଲେ ନରହରି ।। ୨୭
ସେ ରାଜା ବିପ୍ରଭକ୍ତ ହୋଇ । ଯଜ୍ଞେ ପୂଜିଲେ ଭାବଗ୍ରାହୀ ।। ୨୮
ଅଗ୍ନିରେ ପ୍ରଭୁ ଚକ୍ରଧର । ଦେଖିଲେ ନୟନ-ଗାଚର ।। ୨୯
ଏଥୁଅନ୍ତରେ ନୃପ ଶୁଣ । ସେ ଯେ ଋଷଭଗବାନ ।। ୩୦
ଗୁରୁକୁଳରେ ବାସ କଲେ । ଲୋକରେ ଧର୍ମ ଦେଖାଇଲେ ।। ୩୧
ସମସ୍ତ ବିଦ୍ୟା ପୂର୍ଣ୍ଣ କରି । ଗୁରୁଙ୍କ ଆଜ୍ଞା ଶିରେ ଧରି ।। ୩୨
ଗୃହସ୍ଥଧର୍ମ ଆଚରଣ । କରନ୍ତେ ସଂସାର-ପାଳନ ।। ୩୩
ଗୁରୁ ସନ୍ତୋଷେ ଦେଲେ ବର । ହୋଇବ ଶତେକ କୁମର ।। ୩୪
ଏମନ୍ତେ ଗଲା କେତେଦିନ । ଋଷଭ ସେ ମହାରାଜନ ।। ୩୫
ବେଦଉକତ ଧର୍ମମତେ । ବିଭା ହୋଇଲେ ଯଥୋଚିତେ ।। ୩୬
ପୂର୍ବେ ଇନ୍ଦ୍ରର ହୋଇ ଦତ୍ତ । ଯେ କନ୍ୟା ଜୟନ୍ତୀ ବିଦିତ ।। ୩୭
ତହିଁ ବିବିଧ ଭୋଗକରି । ଆନନ୍ଦେ ସ୍ୱଚ୍ଛନ୍ଦେ ବିହରି ।। ୩୮
ଯଥାକାଳରେ ତାହାଙ୍କର । ହୋଇଲେ ଶତେକ କୁମର ।। ୩୯
ଏହାଙ୍କ ମଧ୍ୟେ ମହାବୀର । ଜ୍ୟେଷ୍ଠ ଯେ ଭରତ କୁମର ।। ୪୦
ଏ ଭୂମି ଯାହାର ନାମରେ । ଭାରତ ବୋଲାଇ ସଂସାରେ ।। ୪୧
ଏ ଜ୍ୟେଷ୍ଠ ଭରତ ଅନ୍ତରେ । ହୋଇଲେ ଋଷଭ କୁମରେ ।। ୪୨
ଯେ ଇଳାବର୍ତ୍ତ କୁଶାବର୍ତ୍ତ । ଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ ।। ୪୩
ମଳୟ କେତୁ ଯେ ନନ୍ଦନ । ବିଦର୍ଭ ଆର ଭଦ୍ରସେନ ।। ୪୪
କୀକଟ ଆଦି ନବପୁତ୍ର । ପଛେ କହିବା ତା ଚରିତ ।। ୪୫
ଏହାଙ୍କ ଯେ ନବ ଅନୁଜ । ଶୁଣ କହିବା ମହାରାଜ ।। ୪୬
ସେ କବି ହରି ଅନ୍ତରୀକ୍ଷ । ଏ ତିନି ଦାନଧ୍ୟାନେ ଦକ୍ଷ ।। ୪୭
ପ୍ରବୁଦ୍ଧ ଯେ ପିପ୍‌ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ।। ୪୮
ଦୁର୍ମିଳ ଚମସ ଏ ଦୁଇ । କରଭାଜନ ନବଭାଇ ।। ୪୯
ଏ ନବ ଶ୍ରେଷ୍ଠଭାଗବତ । ପବିତ୍ର କଲେ ଏ ଜଗତ ।। ୫୦
ପରେ ବସୁଦେବ ନାରଦ । ବେନିଜନଙ୍କ ଯେ ସମ୍ବାଦ ।। ୫୧
ସେଠାରେ ବର୍ଣ୍ଣିବୁ ସମସ୍ତ । ଶୁଣ ରାଜନ ପରୀକ୍ଷିତ ।। ୫୨
ଏକାଶୀପୁତ୍ରଙ୍କ ଚରିତ । ଶୁଣ କହିବା ଏକଚିତ୍ତ ।। ୫୩
ଶ୍ରୋତ୍ରିୟ ସୁଶୀଳ ମହାନ୍ତ । ପିତା ଆଜ୍ଞାରେ ଅନୁଗତ ।। ୫୪
ଯଜ୍ଞାଦି କର୍ମରେ ନିପୁଣ । ହୋଇଲେ ବିଶୁଦ୍ଧ-ବ୍ରାହ୍ମଣ ।। ୫୫
ଏଥୁ ଉତ୍ତାରେ ସେ ଈଶ୍ୱର । ଋଷଭନାମେ ଯୋଗେଶ୍ୱର ।। ୫୬
ସେ ନିତ୍ୟ ଅବ୍ୟୟ ଅନନ୍ତ । ପରମାନନ୍ଦ ସେ ଅଚ୍ୟୁତ ।। ୫୭
ମାୟାରେ ନରଦେହ ଧରି । ଅନେକକାଳ ସେ ବିହରି ।। ୫୮
ଧର୍ମ ଆଚର-ଶିକ୍ଷାମାନ । ଦିଅନ୍ତି ପ୍ରଜା ପୁତ୍ରେ ଦାନ ।। ୫୯
ପରମ ଦୟାଳୁ ସେ ପୁଣ । ସର୍ବଭୂତରେ ମିତ୍ରପଣ ।। ୬୦
ପ୍ରତିପାଳନ୍ତି ପ୍ରଜାଜନ । ପୁତ୍ରକୁ ପିତାହିଁ ଯେସନ ।। ୬୧
ବେଦପ୍ରମାଣେ ମୁନିଗଣ । ଯେ ପଥ କରନ୍ତି ଦର୍ଶନ ।। ୬୨
ସେହିପ୍ରକାରେ ନୃପବର । ପାଳନ କରନ୍ତି ସଂସାର ।। ୬୩
ଉତ୍ତମସ୍ଥଳେ ଶୁଦ୍ଧକାଳେ । ନାନାସମ୍ଭାରେ ସେ ନିଶ୍ଚଳେ ।। ୬୪
ମନ୍ତ୍ର ସମ୍ପାଦି ଅନୁକ୍ରମେ । ସଙ୍କଳ୍ପ କରି ଶୁଦ୍ଧମନେ ।। ୬୫
ଏମନ୍ତ କଲେ ଯଜ୍ଞ ଶତେ । ବେଦ-ବିହିତ-ଯଥୋଚିତେ ।। ୬୬
ଋଷଭ ପରିପାଳେ ମହୀ । ଏମନ୍ତ କେ ଅବା ଅଛଇ ।। ୬୭
ଦରିଦ୍ର ଖଳ ହିଂସ୍ର ବାଦୀ । ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ।। ୬୮
ଦ୍ରବ୍ୟେ ଯେ ଯାଚନା କରଇ । ଏମନ୍ତ ଜନ କେହି ନାହିଁ ।। ୬୯
ଶ୍ରୀକୃଷ୍ଣଭକ୍ତି ବିନୁ ଆର । ଆନ ନ ବାଞ୍ଛ‚ନ୍ତି ସେ ନର ।। ୭୦
ଏବେ ହୋ ଶୁଣ ସାବଧାନେ । ଋଷଭ ବୁଲୁଁ ଏକଦିନେ ।। ୭୧
ବ୍ରହ୍ମଋଷି-ସଭାରେ ଯାଇ । ତନୟମାନେ ଛନ୍ତି ଯହିଁ ।। ୭୨
କୋମଳ-ମଧୁର ବଚନେ । ଶିକ୍ଷା କରାନ୍ତି ଯେ ରାଜନେ ।। ୭୩
କହନ୍ତି ହିତବାକ୍ୟମାନ । ଶୁଣନ୍ତି ଯେତେ ସଭାଜନ ।। ୭୪
ବୋଲଇ ଜଗନ୍ନାଥ ଦାସ । ଋଷଭ ନାରାୟଣ ଅଂଶ ।। ୭୫
ତାଙ୍କ ଚରିତ ଯେ ଶୁଣନ୍ତି । ସେ ପ୍ରାଣୀ ସଂସାରୁ ତରନ୍ତି ।। ୭୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ପଞ୍ଚମସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ।।

ପଞ୍ଚମ ଅଧ୍ୟାୟସମ୍ପାଦନ କରନ୍ତୁ

ଋଷଭ ଉବାଚ

ଭୋ ପୁତ୍ରମାନେ ସାବଧାନ । ହୋଇଣ ଶୁଣ ମୋ ବଚନ ।। ୧
ଯେ ପ୍ରାଣୀ କାମ୍ୟକର୍ମମାନ । ନିରତେ କରେ ଆଚରଣ ।। ୨
ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ । ପଡେ ନରକେ ମହାଘୋରେ ।। ୩
ଯେ ବ୍ରହ୍ମକର୍ମ ସ‌ତ୍ତ୍ୱଗୁଣ । ତପେ ଅନନ୍ତ-ଆରାଧନ ।। ୪
ନିର୍ମାଣମାର୍ଗ ଏ ବିଦିତ । ଶୁଣ କହିବା ପୁତ୍ରେ ସତ୍ୟ ।। ୫
ସ୍ତିରୀସଙ୍ଗମ ଆଦି ଯେତେ । ଏ ଗୋରତମ ଶତସୁତେ ।। ୬
ଏ ସର୍ବ ଦୂରେ ପରିହରି । ମହାନ୍ତଜନ ସେବା କରି ।। ୭
ମହାନ୍ତପ୍ରାଣୀ ଅଟେ ସେହି । ପ୍ରଶାନ୍ତ-ସାଧୁ ସେ ବୋଲାଇ ।। ୮
ଯେ ଜନ କ୍ରୋଧ ବିବର୍ଜିତ । ତାହାର ସୁହୃଦ ଜଗତ ।। ୯
ସେ ପ୍ରାଣୀ ମୋର ପଦ୍ମପାଦେ । ମନ ଅର୍ପଇ ଅପ୍ରମାଦେ ।। ୧୦
ଯେ ଜନ ଜାୟା ଗୃହ ଧନ । ତନୟ-କ୍ଳେଶ ନାନାକର୍ମ ।। ୧୧
କରି ନାନାଭ୍ରମ ହୋଇ । ଯାବତ ମୋତେ ନ ଭଜଇ ।। ୧୨
ଅନିତ୍ୟ-ଦେହ ନିତ୍ୟ କରେ । ସେ ସାଧୁ ନୋହଇ ସଂସାରେ ।। ୧୩
ତାବତ ପରାଭବ ପାଇ । ଯାବତ ଆତ୍ମା ନ ଚିହ୍ନଇ ।। ୧୪
ଯାବତ ନାନାକର୍ମ କରେ । ମନ ବଢ଼ାଇ ନିରନ୍ତରେ ।। ୧୫
ତାବତ କର୍ମବଶ ହୋଇ । ନାନା ଶରୀରେ ସେ ଭ୍ରମଇଁ ।। ୧୬
ଅବ୍ୟୟ-ବାସୁଦେବ ମୁହିଁ । ମୋରେ ଯାହାର ପ୍ରୀତି ନାହିଁ ।। ୧୭
ସେ ନୋହେ ଦେହବନ୍ଧୁଁ ପାର । ଯେଣୁ ନ ଚିହ୍ନେ ସେ ଈଶ୍ୱର ।। ୧୮
ସ୍ୱପନପ୍ରାୟ ଦେହେ ନର । କରଇ ନାନା ଅହଙ୍କାର ।। ୧୯
ନିଦ୍ରାରେ ଯେତେ ସୁଖଭୋଗ । ଜାଗ୍ରତେ ନ ପାଇ ତା ଲାଭ ।। ୨୦
ଗୃହବନ୍ଧର ଏ କାରଣ । ନାରୀ ସଙ୍ଗତେ ଅନୁଦିନ ।। ୨୧
ସ୍ତିରୀ-ପୁରୁଷ ଭାବବହି । ତହିଁରେ ମନକୁ ବାନ୍ଧଇ ।। ୨୨
ମୋହର ଗୃହ ମୋର ଧନ । ବୋଲେ ମାୟାରେ ହୋଇ ଛନ୍ନ ।। ୨୩
ତାବତ କର୍ମବନ୍ଧମାନ । ନୋହଇ ତାହାର ଖଣ୍ତନ ।। ୨୪
ଯେବେଟି ପଦ୍ମପାଦେ ମୋର । ଆଶ୍ରୟ କରଇ ସେ ନର ।। ୨୫
ପାଦପଲ୍ଲବଯୁଗ ଧରି । ତରଇ ଏ ଭବ-ଲହରୀ ।। ୨୬
ଅଖିଳଗୁରୁ ମୁହିଁ ହରି । ମୋତେ ଭଜିବ ଦେହ ଧରି ।। ୨୭
ନିବୃତ୍ତଚିତ୍ତ ହୋଇ ନର । ଭକ୍ତି କରିବ ମୋ ପୟର ।। ୨୮
ବ୍ୟସନ-ହିଂସାକୁ ଛାଡିବ । ତପରେ ମୋତେ ଆରଧିବ ।। ୨୯
ମୋହର ଗୁଣକର୍ମ ନାମ । ନିରତେ କରିବ କୀର୍ତ୍ତନ ।। ୩୦
ଏକାନ୍ତଭାବ ମୋହଠାରେ । ଭୋ ପୁତ୍ରେ କରନ୍ତି ଯେ ନରେ ।। ୩୧
ଇନ୍ଦ୍ରିୟଗୁଣଙ୍କୁ ନିବାରି । ଅଧ୍ୟାତ୍ମବିଦ୍ୟାକୁ ଆଚରି ।। ୩୨
ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ । ପ୍ରଶାନ୍ତ-ସତ୍ୟ-ବଚନରେ ।। ୩୩
ମୋହର ଭାବଭକ୍ତିମାନ । ଚିତ୍ତେ ଚିନ୍ତଇ ଅନୁକ୍ଷଣ ।। ୩୪
ଭବଜଳରୁ ସେ ତରଇ । ଗୃହବନ୍ଧନ ତାର ନାହିଁ ।। ୩୫
ସ୍ୱକର୍ମ କରି ଏ ସଂସାରେ । ଯେ ଅର୍ପେ ମୋହର ପୟରେ ।। ୩୬
ତାହାର କର୍ମବନ୍ଧ ମୁହିଁ । ଅକ୍ଳେଶେ ନିଶ୍ଚୟ ଛେଦଇଁ ।। ୩୭
ଆତ୍ମାର ଶ୍ରେୟକର୍ମଠାରେ । ଶ୍ରଦ୍ଧା ନ କରନ୍ତି ପାମରେ ।। ୩୮
ଅଳପସୁଖ ହେତୁକରି । ଅନ୍ୟୋନ୍ୟ-ହିଂସାକୁ ଆଚରି ।। ୩୯
ଅଶେଷଦୁଖର କାରଣ । କରନ୍ତି ହୋଇ ମତିଭ୍ରମ ।। ୪୦
ମୃଗତୃଷ୍ଣାର ପ୍ରାୟେ ହୋଇ । ଅବିଦ୍ୟାସମୂହେ ଭ୍ରମଇ ।। ୪୧
ଅନ୍ଧ ଯେସନେ ପଥେ ଯାଇ । କକ-ଦୁର୍ଗମେ ଭ୍ରମଇ ।। ୪୨
ଭକତିଯୋଗେ ଯେ ସଂସାରେ । ନିକଟ-ମୃତ୍ୟୁ ନ ନିବାରେ ।। ୪୩
ସେ ନୋହେ ଗୁରୁ ମିତ୍ର ପିତା । ପତି ଜନନୀ ବା ଦେବତା ।। ୪୪
ମୃଢ଼ ଜାଣିବ ଏହା କାହିଁ । ନିତ୍ୟେ ମାୟାରେ ଭ୍ରମୁଥାଇ ।। ୪୫
ଭୋପୁତ୍ରେ ଶୁଣ ମୋ ଉତ୍ତର । ଏ ଯେ ମୋହର କଳେବର ।। ୪୬
ଅଷ୍ଟାଙ୍ଗଯୋଗଧ୍ୟାନେ ମୋତେ । ମୁନି ଚିନ୍ତନ୍ତି ଅବିରତେ ।। ୪୭
ଯେଣୁ ଆମ୍ଭର ତୁମ୍ଭେ ସୁତ । ପରମ ଶ୍ରେଷ୍ଠ-ଭାଗବତ ।। ୪୮
ଏବେ ଏମନ୍ତ ତୁମ୍ଭେ କର । ଭରତ ଜ୍ୟେଷ୍ଠ ଯେ ତୁମ୍ଭର ।। ୪୯
ଅକ୍ଳେଶବୁଦ୍ଧିରେ ସମସ୍ତେ । ତାହାଙ୍କୁ ଭଜ ଯଥୋଚିତେ ।। ୫୦
ମୋର ବଚନ ଧରି ଶିରେ । ସୁଖେ ଭ୍ରମିବ ଏ ସଂସାରେ ।। ୫୧
ସର୍ବଭୂତରେ ମୁହିଁଥାଇ । ସୁଖଦୁଃଖାଦି ମୁଁ ଭୁଞ୍ଜଇ ।। ୫୨
ଭୂତ-ଗନ୍ଧର୍ବ ସେ ମାନବ । ପ୍ରମଥଗଣ ଯେତେ ଦେବ ।। ୫୩
ଯେ ବ୍ରହ୍ମସୁତ ଦକ୍ଷଆଦି । ମୋର ଶରୀର ଯେ ପ୍ରସିଦ୍ଧି ।। ୫୪
ସର୍ବଦେହର ମଧ୍ୟେ ସାର । ସଂସାରେ ବିପ୍ର-କଳେବର ।। ୫୫
ଶ୍ରଦ୍ଧାରେ ଶୁଦ୍ଧଚିତ୍ତେ ଯେହି । ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ।। ୫୬
ସନ୍ତୋଷେ ମୁଁ ତାହା ଭୁଞ୍ଜଇ । ଯଜ୍ଞେ ସନ୍ତୋଷ ତେତେ ନୋହି ।। ୫୭
ଯମନିୟମନ୍ଦମେ ମୋତେ । ବିପ୍ରେ ପୂଜନ୍ତି ଯଥୋଚିତେ ।। ୫୮
ସକଳ ପରଙ୍କର ପର । ମୁହିଁ ଅନନ୍ତ-ଯୋଗେଶ୍ୱର ।। ୫୯
ସ୍ୱର୍ଗମୋକ୍ଷର ଦାତା ମୁହିଁ । ମୋ ବିନୁ ଅନ୍ୟ କେହି ନାହିଁ ।। ୬୦
ଯେ ପ୍ରାଣୀ ଅକିଞ୍ଚନ ହୋଇ । ମୋହର ପାଦେ ମନ ଦେଇ ।। ୬୧
ତାହାର ଯେତେ କର୍ମମାନ । ସକଳ କରଇ ଗ୍ରହଣ ।। ୬୨
ମୋହର ପୂଜା ତୁମ୍ଭେମାନେ । କରିବ ଯଥାର୍ଥ-ବିଧାନେ ।। ୬୩
ପବିତ୍ର ଅବଲୋକନରେ । ସ୍ଥିର-ମନ-ବାକ୍ୟ-ବୁଦ୍ଧିରେ ।। ୬୪
ମୋହର ଅନୁଗ୍ରହ ବିନେ । ସଂସାରେ ଯେତେ ପ୍ରାଣୀମାନେ ।। ୬୫
ଶମନ-ପାଶ-ବନ୍ଧନରୁ । କେ ଅବା ତରିବ ସଂସାରୁ ।। ୬୬

ଶୁକ ଉବାଚ

ଏମନ୍ତ ଶିକ୍ଷା ପୁତ୍ରେ ଦେଇ । ଋଷଭ ପ୍ରଭୁ ଭାବଗ୍ରାହୀ ।। ୬୭
ପ୍ରାଣୀଙ୍କ ନିସ୍ତାର କାରଣେ । ଧର୍ମ ବିସ୍ତାରିଲେ ଆପଣେ ।। ୬୮
ଶତେତନୟ ମଧ୍ୟେ ସାର । ଜ୍ୟେଷ୍ଠ ଯେ ଭରତକୁମର ।। ୬୯
ପରମ-ଭାଗବତ ସେହି । ନିରତେ ପ୍ରଭୁଙ୍କୁ ଭଜଇ ।। ୭୦
ସାଧୁସଙ୍ଗତେ ଅନୁଗତ । ତାହାର ଗୁଣ ଯେ ବହୁତ ।। ୭୧
ଅବନୀ ପାଳିବାର ପାଇଁ । ରାଜତ୍ୱପଣ ତାକୁ ଦେଇ ।। ୭୨
ଯେ ମୁକ୍ତି ଧର୍ମ ମହାମୁନି । ଜ୍ଞାନ-ବୈରାଗ୍ୟ-ଭକ୍ତି ଘେନି ।। ୭୩
ତାହାଙ୍କ ଲକ୍ଷଣ ଆଚରି । ଋଷଭ ପ୍ରଭୁ ନରହରି ।। ୭୪
ବାହ୍ୟ-ଶରୀର-ମାତ୍ର ଧରି । ଉନ୍ମତ୍ତରୂପକୁ ଆଚରି ।। ୭୫
ମୁକୁଳା କରି କେଶପାଶ । ଗଗନ କରି କଟିବାସ ।। ୭୬
ଯେହ୍ନେ ବଧିର ଜଡ଼ ମୂକ । ଅନ୍ଧ ପିଶାଚ ଉନ୍ମାଦକ ।। ୭୭
ଏମନ୍ତ ଅବଧୂତବେଶ । ଧରି ସେ ବ୍ରହ୍ମାଣ୍ତର ଈଶ ।। ୭୮
ପ୍ରାଣୀଙ୍କି ବଚନ ନ କହି । ମଉନ ବ୍ରତକୁ ସେ ଲଇ ।। ୭୯
ସକଳ-ପୁର-ଗ୍ରାମ-ଗିରି । ଘୋର କାନନ ଆଦିକରି ।। ୮୦
ଦୁର୍ଜନ-ଦୁଷ୍ଟଙ୍କ ବଚନ । ପ୍ରହାର ଆଦି ଅପମାନ ।। ୮୧
ଏ ପରାଭବକୁ ସେ ସହି । ସୁଖେ ଭ୍ରମନ୍ତି ଏହା ମହୀ ।। ୮୨
ଆପଣାଠାରେ ଚିତ୍ତ ଥୋଇ । ନିତ୍ୟ ଆନନ୍ଦମନା ହୋଇ ।। ୮୩
ଅତି ସୁନ୍ଦର ସୁକୁମାର । ଚରଣଯୁଗ ବେନିକର ।। ୮୪
ବିପୁଳ ଉଚ୍ଚ ବକ୍ଷସ୍ଥଳ । ମଞ୍ଜୁଳ ବଦନକମଳ ।। ୮୫
ଅଦି ସୁନ୍ଦର ତା ଶରୀର । ଈଷତହାସ ବିମ୍ବାଧର ।। ୮୬
ନବ-ନଳୀନଦଳ ଯେହ୍ନେ । ଲୋଚନଯୁଗଳ ତେସନେ ।। ୮୭
ସୁରଙ୍ଗ ସୁନ୍ଦର କପୋଳ । ନିଗୂଢ଼ କଣ୍ଠ ସୁମଞ୍ଜୁଳ ।। ୮୮
ସେ ରୂପ ଦେଖିଣ ନୟନେ । ଟଳନ୍ତି ସୁରପତ୍ନୀମାନେ ।। ୮୯
କୁସୁମାୟୁଧବାଣେ ମନ । ତକ୍ଷଣେ ହୋଏ ଅଚେତନ ।। ୯୦
ସୁନ୍ଦର ଶରୀର ମଳିନ । ଦିଶିଲେ ଆନୁ ଆନ ବର୍ଣ୍ଣ ।। ୯୧
ସଂସାରେ ଯେତେ ଦୁଷ୍ଟପ୍ରାଣୀ । ଯୋଗ ଭାଙ୍ଗିବେ ଏହା ଜାଣି ।। ୯୨
ଯେ ବ୍ରତ ଅତିଭୟଙ୍କର । ଅଜଗରର ଯେ ଆଚାର ।। ୯୩
ସେ ଅଜଗରପ୍ରାୟ ହୋଇ । ରହିଲେ ନିଜପରୂପ ଧ୍ୟାୟି ।। ୯୪
ଏମନ୍ତେ କହିବଇଁ କେତେ । ଅଷ୍ଟାଙ୍ଗଯୋଗ ନାନାମତେ ।। ୯୫
କରି ସେ ବଇବଲ୍ୟ ଦାତା । ଯେ ପ୍ରଭୁ ଜଗତକରତା ।। ୯୬
ଏମନ୍ତେ ନାନାଯୋଗ ଚିନ୍ତି । ସେ ହରି ଭକତର ଗତି ।। ୯୭
ସକଳଭୂତ ଆତ୍ମା ସେହି । ଋଷଭ ଅଂଶେ ଦେହ ବହି ।। ୯୮
ପରମପ୍ରଭୁ ଯୋଗେଶ୍ୱର । ସେ ଯୋଗ ସାଧିଲେ ଅପାର ।। ୯୯
ସେ ପ୍ରଭୁ ଚରଣେ ସନ୍ତତ । ନିଶ୍ଚଳେ ବହୁ ମୋର ଚିତ୍ତ ।। ୧୦୦
କହଇ ଦାସ ଜଗନ୍ନାଥ । ଋଷଭ ଗୋବିନ୍ଦ ଚରିତ ।। ୧୦୧
ସୁଜନେ ଚିତ୍ତେ ଏହା ଭାବ । ସଂସାରୁ ଯେମନ୍ତେ ତରିବ ।। ୧୦୨
ଗୁରୁଦୀକ୍ଷାକୁ ମନେ କରି । ଭବସାଗରୁ ହେବ ପାରି ।। ୧୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁ ଚରିତେ
ପଞ୍ଚମୋଽଧ୍ୟାୟଃ ।।

ଷଷ୍ଠ ଅଧ୍ୟାୟସମ୍ପାଦନ କରନ୍ତୁ

ପରୀକ୍ଷିତ ଉବାଚ

ମୋର ସଂଶୟ ହୃଦଗତେ । ଭୋ ମୁନି ଫେଡ଼ ଦୟାଚିତ୍ତେ ।। ୧
ଯେ ଇଚ୍ଛାବିହାରୀ ପୁରୁଷ । ସକଳକର୍ମର ଯେ ଈଶ ।। ୨
ଏ ରୂପେ କିବା କାର୍ଯ୍ୟ ତାର । ସଂଶୟ ଫେଡ ମୁନିବର ।। ୩
ଅଷ୍ଟ ଐଶ୍ୱର୍ଯ୍ୟଦାତା ହୋଇ । କଷ୍ଟେ କ୍ଲେଶିତ କାହିଁପାଇଁ ।। ୪

ଶୁକ ଉବାଚ

ଯେ ପ୍ରଶ୍ନ କଲ ହେ ରାଜନ । କହଇ ଶୁଣ ସାବଧାନ ।। ୫
ଐଶ୍ୱର୍ଯ୍ୟପଦ ଆଦି ଯେତେ । ନିତ୍ୟେ କଦର୍ଥନ୍ତି ସମସ୍ତେ ।। ୬
ଏ ମନ ଚଞ୍ଚଳ ସ୍ୱଭାବ । କେବେ ହେଁ ବିଶ୍ୱାସ ନ ଯିବ ।। ୭
ଯାହାର ମୂଳ କାମ ଲୋଭ । ଶୋକ ମୋହ ଯେ କ୍ରୋଧ ଗର୍ବ ।। ୮
ଏ ସର୍ବ ଯାର ମୂଳ ହୋଇ । ପ୍ରାଣୀଙ୍କି ବନ୍ଧନ କରଇ ।। ୯
କେ ଏହା ସାଧୁ କରି ମଣେ । ମୂଢ଼ ପାମର ଜନ ବିନେ ।। ୧୦
ଏବେ ହୋ ଶୁଣ ମହୀପାଳ । ସେ ଯେ ଋଷଭ-ଅବତାର ।। ୧୧
ଅଖିଳ-ଲୋକପାଳ-ବର । ବଦନ୍ତି ଚରଣେ ଯାହାର ।। ୧୨
ସେ ଦେବା ନାନା ବିଲକ୍ଷଣ । ଜଡ଼ର ପ୍ରାୟ ଆଚରଣ ।। ୧୩
ଭ୍ରମନ୍ତି ନାନା ଦେଶ-ଗ୍ରାମେ । ଯୋଗ ଶିଖାଇ ଯୋଗଧର୍ମେ ।। ୧୪
ଏମନ୍ତେ ଗଲା କେତେଦିନ । ଶୁଣ ରାଜନ ଏକମନ ।। ୧୫
ଋଷଭ ମନେ ବିଚାରିଲେ । ଏ ଦେହ ଛାଡିବୁ ବୋଇଲେ ।। ୧୬
ଆତ୍ମାରେ ଆତ୍ମାକୁ ବୁଡାଇ । ଇନ୍ଦ୍ରିୟବୃତ୍ତେ ମନ ନାହିଁ ।। ୧୭
ଏମନ୍ତ ମୁକ୍ତଲିଙ୍ଗରୂପ । ହୋଇଲେ ଈଶ୍ୱର-ସ୍ୱରୂପ ।। ୧୮
ମୃତ୍ପିଣ୍ତ ପ୍ରାୟେ ଦେହ ମଣି । ସ୍ୱଚ୍ଛନ୍ଦେ ବିହରିଲେ ଜ୍ଞାନୀ ।। ୧୯
ଦକ୍ଷିଣେ କର୍ଣ୍ଣାଟଦେଶରେ । ମିଳିଲେ କୁଟକଗିରିରେ ।। ୨୦
ତହିଁର ଉପବନେ ସେହି । ବୁଲନ୍ତି ମୁକ୍ତଦେଶ ହୋଇ ।। ୨୧
ଏମନ୍ତେ ପବନ ବେଗରେ । ଅଗ୍ନି ଜଳିଲା ଅତିଖରେ ।। ୨୨
ବନସ୍ତ-ବୃକ୍ଷ-ଜୀବମାନ । ଶୀଘ୍ର ସେ କରଇ ଦହନ ।। ୨୩
ସେ ଜଡ଼ରୂପ ଯୋଗେଶ୍ୱର । ପଶିଲେ ଅଗ୍ନିର ଭିତର ।। ୨୪
ଅନଳତେଜ ଅତିଖର । ଦହିଲା ତାହାଙ୍କ ଶରୀର ।। ୨୫
ପାଷଣ୍ତପଣ ଯହୁଁ ହୋଇ । କୁପଥମାନଙ୍କୁ ସେ ଲଇ ।। ୨୬
କଳିଯୁଗରେ ନରନାଥ । ଏ ଯେ ଋଷଭଦେବ-ପଥ ।। ୨୭
ନ ବୁଝ ପାଷଣ୍ତ ବହୁତ । ବାହ୍ୟ-ଆଚାରେ ଅବଧୂତ ।। ୨୮
ଶୌଚ-ପବିତ୍ର ଦୂରକରି । ଦେବତାନିନ୍ଦାକୁ ଆଚରି ।। ୨୯
କଳିର ଆଚର ଯେସନ । ତହିଁରେ ହୋଇ ମତିଭ୍ରମ ।। ୩୦
ଦେବ-ବ୍ରାହ୍ମଣ-ଯଜ୍ଞମାନ । ନିନ୍ଦା କରିବେ ଅନୁକ୍ଷଣ ।। ୩୧
ସୁକର୍ମପଥକୁ ଛାଡିବେ । କୁମାର୍ଗମାନ ଆଚରିବେ ।। ୩୨
ଶୁଣ କହିବା ନୃପବର । ଏ ଯେ ଋଷଭ-ଅବତାର ।। ୩୩
ରଗୁଷର ଜାତ ଯେତେ । ତାହାଙ୍କ କଇବଲ୍ୟ ଅର୍ଥେ ।। ୩୪
ତାହାଙ୍କ ଗୁଣ ଏ ସଂସାରେ । ଗାୟନ କରୁଛନ୍ତି ନରେ ।। ୩୫
ସପତସିନ୍ଧୁ ମଧ୍ୟେ ଥାଇ । ଦ୍ୱୀପ ବରଷ ଯେତେ ହୋଇ ।। ୩୬
ଭାରତବର୍ଷ ତହିଁ ଧନ୍ୟ । ଯହିଁରେ ଜନ୍ମି ପ୍ରାଣୀମାନ ।। ୩୭
ଅଖିଳଜନର ଠାକୁର । ତାହାଙ୍କ ଜନ୍ମ-ଅବତାର ।। ୩୮
ଗାୟନ କରନ୍ତି ହରଷେ । ଯେଣେ ଅଜ୍ଞାନ-ପାପ ନାଶେ ।। ୩୯
ଧନ୍ୟ ଏ ପ୍ରିୟବ୍ରତ ବଂଶ । ଯହିଁ ଜନ୍ମିଲେ ବିଷ୍ଣୁଅଂଶ ।। ୪୦
ଧନ୍ୟ ସେ ରାଜାମଧ୍ୟେ ଶ୍ରେଷ୍ଠ । ଭକତ ମଧ୍ୟରେ ଗରିଷ୍ଠ ।। ୪୧
ଏହାର ତୁଲ୍ୟ କେ ଅପର । ଯେ ବଂଶେ ଦେବ-ଯୋଗେଶ୍ୱର ।। ୪୨
ବେଦ ବ୍ରାହ୍ମଣ ଗୋରୁ ଆଦି । ଦେବତା ନର ଯେ ପ୍ରସିଦ୍ଧି ।। ୪୩
ଏ ସର୍ବ ଗୁରୁ ଭଗବାନ । ଋଷଭ ପରମ-କାରଣ ।। ୪୪
ତାହାଙ୍କ ଅଦଭୁତ-କର୍ମ । ବିଶୁଦ୍ଧ ଯେତେ ଆଚରଣ ।। ୪୫
ପ୍ରାଣୀମାନଙ୍କ ପାପହର । ପରମ-ମଙ୍ଗଳ-ମନ୍ଦିର ।। ୪୬
ଶ୍ରଦ୍ଧାରେ ଶୁଣନ୍ତି ଯେ ନର । ହରଷେ କରନ୍ତି ବିଚାର ।। ୪୭
ଚଞ୍ଚଳଚିତ୍ତ ସ୍ଥିର କରି । ଯେ ଅବା ବଦନେ ଉଚ୍ଚାରି ।। ୪୮
ତା ମତି କୃଷ୍ଣର ପୟରେ । ରହଇ ଅତି ଦୃଢ଼ତରେ ।। ୪୯
ପରମ-କୃପାମୟ ତହିଁ । ନିଶ୍ଚଳ-ଭକତି ଲଭଇ ।। ୫୦
ଯେ ଭକ୍ତିପ୍ରସାଦରୁ ନର । ସଂସାରବନ୍ଧୁ ହୋନ୍ତି ପାର ।। ୫୧
ବିଷୟଜଳେ ବୁଡୁଥାଇ । ଭକ୍ତିଭେଳାରେ ସେ ତରଇ ।। ୫୨
ସେ ସର୍ବପୁରୁଷାର୍ଥ ପାଇ । ଯାର ପ୍ରସାଦୁ ମୋକ୍ଷ ହୋଇ ।। ୫୩
ଶୁଣ କହିବା ନୃପବର । ଯେ ଯଦୁବଂଶର ଠାକୁର ।। ୫୪
ତାହାର ଭୃତ୍ୟ ତୁ ରାଜନ । ସେ ଯେ ଅନାଦି-ଭଗବାନ ।। ୫୫
ନାନାଦି ଅବତାର ବହି । ସଂସାରୁ ପ୍ରାଣୀଙ୍କି ତାରଇ ।। ୫୬
ଭକ୍ତିରେ ତାଙ୍କୁ ଯେ ଭଜଇ । ସେ ପ୍ରଭୁ ତାରେ ମୋକ୍ଷ ଦେଇ ।। ୫୭
ଯେ ନିତ୍ୟ-ଆନନ୍ଦ-ଶରୀର । ତାହାର ତୃଷ୍ଣା ଆଦି ଦୂର ।। ୫୮
ପରମ-କଲ୍ୟାଣ-କାରଣ । ଲୋକରେ ଦୟା ପରାୟଣ ।। ୫୯
ସେ ଯେ ରକ୍ଷଭ-ଯୋଗେଶ୍ୱର । ତାହାଙ୍କୁ ମୋର ନମସ୍କାର ।। ୬୦
କହଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ।। ୬୧
ସେ ପ୍ରଭୁ ଋଷଭ-ଚରଣେ । ମୋ ମନ ରହୁ ଅନୁକ୍ଷଣେ ।। ୬୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁଚରିତେ ଷଷ୍ଠୋଽଧ୍ୟାୟଃ ।।

ସପ୍ତମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଋଷଭ ଉତ୍ତାରେ ଯେମନ୍ତ ।। ୧
କହିବା ତହିଁର ଉଦନ୍ତ । ରାଜନ ହୁଅ ଏକଚିତ୍ତ ।। ୨
ଭରତ ମହାଭାଗବତ । ଋଷଭେ ହୋଇଣ ସମ୍ଭୂତ ।। ୩
ତାହାଙ୍କ ଆଜ୍ଞା ଶିରେ ଘେନି । ଆନନ୍ଦେ ପାଳନ୍ତି ମେଦିନୀ ।। ୪
ବିଶ୍ୱରୂପର କନ୍ୟା ସେହି । ପଞ୍ଚଜନୀକୁ ବିଭା ହୋଇ ।। ୫
ପଞ୍ଚକୁମର ଯେ ତାହାର । ହୋଇଲେ ଅତି ମନୋହର ।। ୬
ଧୂମ୍ରକେତୁ ଯେ ସୁଦର୍ଶନ । ସୁମତି ରାଷ୍ଟଭୃତ ନାମ ।। ୭
ଅପରେ ଆବରଣ ନାମ । ହୋଇଲେ ଅତି ଅନୁପମ ।। ୮
ଏ ଦେଶ ଅଜନାଭ ଥିଲା । ଭରତୁଁ ଭାରତ ହୋଇଲ ।। ୯
ଏମନ୍ତେ ଶୁଣ ପରୀକ୍ଷିତ । ବିଷ୍ଣୁଭକତ ସେ ଭରତ ।। ୧୦
ଦେବ-ବ୍ରାହ୍ମଣ-ପ୍ରଜାଜନ । ସ୍ୱଚ୍ଛନ୍ଦେ କରଇ ପାଳନ ।। ୧୧
ଯେ ଯାହା ଧର୍ମଅନୁସାର । ଆନ ନ କରନ୍ତି ଆଚାର ।। ୧୨
ଯେ ଦର୍ଶ-ପୌର୍ଣ୍ଣମାସ ଆଦି । ଚାତୁର୍ମାସ୍ୟ ଯଜ୍ଞ ପ୍ରସିଦ୍ଧି ।। ୧୩
ଅଗ୍ନିହୋତ୍ର ଯେ ପଶୁ-ସୋମ । ଏ ଆଦି ଯେତେ ଯଜ୍ଞମାନ ।। ୧୪
ଶ୍ରଦ୍ଧାରେ ଯାଗଯଜ୍ଞ କରି । ପୂଜନ୍ତି ଦେବ ନରହରି ।। ୧୫
ଯଜ୍ଞେ ସକଳଦେବ ତୋଷି । ଯେଯାହା ଭାବେ ରାଜଋଷି ।। ୧୬
ନାନାଯଜ୍ଞରେ ସେ ରାଜନ । ସନ୍ତୋଷେ ପୂଜେ ଭଗବାନ ।। ୧୭
ସର୍ବଦେବତାମୂଳ ସେହି । ଅଶେଷ-ପ୍ରଭୁ-ଭାବଗ୍ରାହୀ ।। ୧୮
ଅଖିଳଦେବଙ୍କ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ।। ୧୯
ତାହାଙ୍କ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ।। ୨୦
ସକଳ ଯଜ୍ଞଅବସାନେ । ଦେବେ ସନ୍ତୋଷ ହୋଇ ମନେ ।। ୨୧
ପରମକଲ୍ୟାଣ ସେ କରି । ହରଷେ ଗଲେ ଯେଜା ପୁରୀ ।। ୨୨
ସୁକର୍ମ-ପ୍ରସାଦୁ ରାଜାର । ନିର୍ମଳ ହେଲା କଳେବର ।। ୨୩
ସ‌ତ୍ତ୍ୱଗୁଣରେ ନୃପମଣି । ମନେ ଚିନ୍ତଇ ଚକ୍ରପାଣି ।। ୨୪
ଆକାଶପ୍ରାୟ ଯେ ଈଶ୍ୱର । ଶୁଦ୍ଧ ନିର୍ମଳ ସ‌ତ୍ତ୍ୱସାର ।। ୨୫
ପରମବ୍ରହ୍ମ ବାସୁଦେବ । ଅନାଦିପୁରୁଷ ମାଧବ ।। ୨୬
ନାନାଲକ୍ଷଣେ ବିରାଜିତ । ଚତୁରଭୁଜେ ସେ ଶୋଭିତ ।। ୨୭
ଶ୍ରୀବତ୍ସ କଉସ୍ତୁଭମଣି । ଗଦା କମଳ ଚକ୍ରପାଣି ।। ୨୮
ଶଙ୍ଖ ଶୋହଇ ବାମକରେ । ବନମାଳା ଯେ ଲମ୍ବେ ଉରେ ।। ୨୯
ଏ ଆଦି ଯେତେ ଚିହ୍ନ-ବର୍ଣ୍ଣ । ଚିନ୍ତା କରଇ ସେ ରାଜନ ।। ୩୦
ଅତିଭକତି ନାରାୟଣେ । ହୋଇଲା ତାର ଦିନୁଦିନେ ।। ୩୧
ଏମନ୍ତେ ଗଲା କେତେଦିନ । ଶୁଣ ସୁମନେ ହେ ରାଜନ ।। ୩୨
ଲକ୍ଷେବରଷ ସେ ରାଜନ । ଅବନୀ କରିଣ ପାଳନ ।। ୩୩
ସକଳକର୍ମ ସାଧ୍ୟ କଲେ । ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ।। ୩୪
ରାଜସମ୍ପଦ ଯଥୋଚିତେ । ବିଭାଗ କରି ଯେଝାମତେ ।। ୩୫
ଦେଇ ସେ ଋଷଭକୁମର । ଆପଣେ ହୋଇଲେ ବାହାର ।। ୩୬
ପୁଲହଋଷିଙ୍କ ଆଶ୍ରମ । ତହିଁକି କଲେକ ଗମନ ।। ୩୭
ଅଦ୍ୟାପି ହରି -ଭଗବାନ । ଯହିଁ ଅଛନ୍ତି କରି ସ୍ଥାନ ।। ୩୮
ତହିଁର ନଦୀ ଶୁଦ୍ଧଜଳ । ସୁଖେ ସେବନ୍ତି ମୁନିକୁଳ ।। ୩୯
ତାହର ଗଣ୍ତକୀ ଯେ ନାମ । ସ୍ପରଶେ ପାପ-ବିନାଶନ ।। ୪୦
ପୁଲହାଶ୍ରମ ଯେ ଗହନ । ବିବିଧ ଦ୍ରୁମରେ ଶୋଭନ ।। ୪୧
ନାନା କୁସୁମେ ପରିମଳ । ନିର୍ମଳ ସୁଶୀତଳ ଜଳ ।। ୪୨
ମଳୟପବନ ନିରତେ । ତହିଁ ଭରତ ଶୁଦ୍ଧ ଚିତ୍ତେ ।। ୪୩
କୋମଳ ତୁଳସୀରଦଳ । ସୁସ୍ୱାଦୁ ପକ୍ୱ ଫଳମୂଳ ।। ୪୪
ଅନ୍ୟ ଯେ ବନ୍ୟ-ଉପହାର । ନିବେଦି ଗୋବିନ୍ଦ ପୟର ।। ୪୫
ଇନ୍ଦ୍ରିୟଗଣକୁ ନିବାରି । ବିଷୟରସ ଦୂର କରି ।। ୪୬
ନିତ୍ୟେ ଗୋବିନ୍ଦ-ଆରାଧନ । କରଇ ହରଷେ ରାଜନ ।। ୪୭
ମହାପୁରୁଷ ସେବା ବିନେ । ଅନ୍ୟ ସେ ନ ଭାବଇ ମନେ ।। ୪୮
ଜଗତ-ପ୍ରଭୁ ନାରାୟଣେ । ଶ୍ରଦ୍ଧା ବଢାଇ ଅନୁକ୍ଷଣେ ।। ୪୯
କୈବଲ୍ୟଦାତା ନାମ ଧରି । ହୃଦୟ ଗଦଗଦ କରି ।। ୫୦
ରୋମପୁଲକ ଅଶ୍ରୁପାତ । ହରଷ ତନୁ ଅବିରତ ।। ୫୧
ଏମନ୍ତ ପ୍ରଭୁ ଯେ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ।। ୫୨
ଆସ୍ୱାଦ କରି ଅବିରତେ । ପରମଭକ୍ତି ଯୋଗମତେ ।। ୫୩
ଗଭୀର-ହ୍ରଦ-ହୃଦୟରେ । ଚିତ୍ତ ବୁଡାଇ ନିରନ୍ତରେ ।। ୫୪
ନିତ୍ୟେ ଯେ ପ୍ରଭୁ ସେବା ତାର । ବିସ୍ମର କଲା ନୃପବର ।। ୫୫
ଏଥୁ ଅନ୍ତରେ ସେ ରାଜନ । ଅଜିନ କରି ପରିଧାନ ।। ୫୬
ଶିରେ କପିଳ-ଜଟାଭାର । ଶରୀର ଦିଶଇ ସୁନ୍ଦର ।। ୫୭
ସୂର୍ଯ୍ୟମଣ୍ତଳେ ସେ ରାଜନ । ବ୍ରହ୍ମରୂପକୁ କରି ଧ୍ୟାନ ।। ୫୮
ଏମନ୍ତ ବାକ୍ୟ ଅନୁମାନେ । ବୋଲଇ ହରଷିତ ମନେ ।। ୫୯
ହେ ପରଂବହ୍ମ ତୁ ସବିତା । ନିଖିଳ-କର୍ମଫଳଦାତା ।। ୬୦
ଇଚ୍ଛାମାତ୍ରକେ ସୃଷ୍ଟି କରୁ । ସକଳ ଜୀବେ ପ୍ରତିପାଳୁ ।। ୬୧
ତୋ ତେଜେ ସର୍ବବୁଦ୍ଧି ସ୍ଫୁରେ । ଶରଣ ଗଲି ତୋ ପୟରେ ।। ୬୨
ସେ ପରାପର-ବ୍ରହ୍ମରୂପ । ତାଙ୍କୁ ଚିନ୍ତଇ ନିତ୍ୟେ ନୃପ ।। ୬୩
ଭରତ କର୍ମ ଅନୁସରି । ସୂଜନେ ଚିନ୍ତ ନରହରି ।। ୬୪
ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ।। ୬୫
କହଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଭଜନ-ଚରିତ ।। ୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍‌ପରିଚର୍ଯ୍ୟାୟାଂ
ସପ୍ତମୋଽଧ୍ୟାୟଃ ।।

ଅଷ୍ଟମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକଉବାଚ

ଶୁଣ ରାଜନ ସାବଧାନେ । ମହାନଦୀରେ ଏକଦିନେ ।। ୧
ସ୍ନାନ-ଆହ୍ନିକକ୍ରିୟା ସାରି । ଭରତ ଗୋବିନ୍ଦ ସୁମରି ।। ୨
ତିନିମୁହୂର୍ତ୍ତ ଜଳେ ରହି । ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ।। ୩
ତକ୍ଷଣେ ଦେଖେ ମହୀପାଳ । ହରିଣୀ ହୋଇ ତୃଷାକୁଳ ।। ୪
ମିଳିଲା ଜଳାଶୟତୀରେ । ଜଳ ପିଅଇ ସେ ସଧୀରେ ।। ୫
ଏମନ୍ତ ସମୟେ ରାଜନ । ଶୁଭି ସିଂହର ଗର୍ଜନ ।। ୬
ଡେଇଁଲା ମୃଗେନ୍ଦ୍ର ଭୟରେ । ପଳାଏ ଅତି ଦୁରାନ୍ତରେ ।। ୭
ସେ ମୃଗବଧୂ ଯେ ଗର୍ଭିଣୀ । ଜଳ ପିଅନ୍ତେ ଛନ୍ନପୁଣି ।। ୮
ଜଳପାନରେ ତୃଷା ତାର । ପୂର୍ଣ୍ଣ ନୋହିଲା ନୃପବର ।। ୯
ଚାରିଦିଗରେ ସେ ନୟନ । ବୁଲାଇ ଅତି ଛନ୍ନଛନ୍ନ ।। ୧୦
ନିକଟେ ସିଂହ ପ୍ରାୟ ମଣି । ଅତି କାତରେ ସେ ହରିଣୀ ।। ୧୧
ଜଳୁ ଉଠିଣ ଧାତିକାରେ । ଡେଇଁଲା ମରଣ କାତରେ ।। ୧୨
ସ୍ୱଭାବେ ଗର୍ଭ ହୋଇଥିଲା । ସେ ଗର୍ଭ ଜଳରେ ପଡିଲା ।। ୧୩
ଗର୍ଭ ନିପାତେ ଖେଦମତି । ପ୍ରାଣ ତେଜିଲା ମୃଗସତୀ ।। ୧୪
ନଦୀରେ ଦେଖି ମୃଗବାଳ । ସେ ଯେ ଭରତ-ମହୀପାଳ ।। ୧୫
ମାତାର ମୃତ୍ୟୁ ତାର ଦେଖି । ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ।। ୧୬
ଚିତ୍ତେ ଆକୁଳ ନୃପବର । ପ୍ରବଶେ ବାଳକ ପାଶର ।। ୧୭
ମୃଗନନ୍ଦନ ଘେନି କରେ । ଆଶ୍ରମେ ମିଳିଲେ ସତ୍ୱରେ ।। ୧୮
ସେ ମୃଗନନ୍ଦନର ତହିଁ । ଅତ୍ୟନ୍ତ ସ୍ନେହଭର ହୋଇ ।। ୧୯
ନିତ୍ୟେ କୋମଳ-ତୃଣାଙ୍କୁର । ଲୋଡି ଆଣଇ ନୃପବର ।। ୨୦
ଯାହା ସେ କରେ ଅଭିଳାଷ । ତା ଦେଇ କରେ ମନତୋଷ ।। ୨୧
ତା ସେବା ନିରତେ କରଇ । ମାୟାରେ ମତିଭ୍ରମ ହୋଇ ।। ୨୨
ନିୟମ-ସନ୍ଧ୍ୟା-ତପ ଯେତେ । ବିସ୍ମର ହେଲା ନୃପ ଚିତ୍ତେ ।। ୨୩
କେତେ ହେଁ ଦିନ ଅନନ୍ତର । ପ୍ରଭୁର ସେବା କଲା ଦୂର ।। ୨୪
ଜଗତ ପିତାମାତା ହରି । ତାର ଚରନ ଚିତ୍ତେ ଧରି ।। ୨୫
ଦାରା ତନୟ ଆଦି ଯେତେ । ସକଳ ଦୂରକରି ଚିତ୍ତେ ।। ୨୬
ଏ ଭାବେ ଥିଲା ସେ ରାଜନ । ଦେଖ ଏହାର ମୂଢ଼ପଣ ।। ୨୭
ସକଳ କର୍ମ ଦୂର କଲା । ମୃଗବାଳକେ ମନ ଦେଲା ।। ୨୮
ବିଚାରେ ମାତାପିତା ଭାଇ । ଏହାର ଆନ କେହି ନାହିଁ ।। ୨୯
ଆଶ୍ରୟ କରିଅଛି ମୋତେ । ମୁଁ ତାକୁ ତେଜିବି କେମନ୍ତେ ।। ୩୦
ଏ ସାଧୁକର୍ମର କାରଣ । ଏମନ୍ତ ଚିନ୍ତିଣ ରାଜନ ।। ୩୧
ଆସନ-ଶୟନ-ଗମନେ । ସ୍ନାନ-ଭୋଜନ-ଜନପାନେ ।। ୩୨
ମୃଗବାଳକେ ମନ ତାର । ନିମିଷମାତ୍ର ନୋହେ ଦୂର ।। ୩୩
କାଷ୍ଠ-ପଲାଶ ଆଣିବାରେ । ଯେବେ ସେ ଯାଇ ବନସ୍ତରେ ।। ୩୪
ମୃଗବାଳକ ଘେନି ସଙ୍ଗେ । ପଥେ ଚଳଇ ନାନାରଙ୍ଗେ ।। ୩୫
ବାଳକ ଚଳି ନ ପାରଇ । ଭରତ ମନେ ବିଚାରଇ ।। ୩୬
ଅତ୍ୟନ୍ତ ସ୍ନେହବଶ ହୋଇ । କନ୍ଧେ ତାହାକୁ ସେ ବହଇ ।। ୩୭
ହୃଦରେ ଆରୋପି ହରଷେ । ବାହୁରେ ଭିଡେ ସ୍ନେହବଶେ ।। ୩୮
ସ୍ନାନ-ଭୋଜନବେଳେ ତାର । କ୍ଷଣେ ହେଁ ନ କରେ ଅନ୍ତର ।। ୩୯
ଏଥି ଉତ୍ତାରେ କିଛିଦିନେ । ମୃଗଶାବକ ଗଲା ବନେ ।। ୪୦
ସେ ଅବସରେ ନୃପବର । ନ ଦେଖି ମୃଗର କୁମର ।। ୪୧
ଅସ୍ଥିରେ ତାହାକୁ ଲୋଡଇ । ପୁଣି ସେ ଯେବେଟି ଦେଖଇ ।। ୪୨
ଚଞ୍ଚଳଚିତ୍ତ ସ୍ଥିର କରେ । ଆଶିଷ ବାଞ୍ଛଇ ତାହାରେ ।। ୪୩
ହେ ବତ୍ସ ମୋହର କଲ୍ୟାଣ । ଶୁଭ କରନ୍ତୁ ନାରାୟଣ ।। ୪୪
ଯେବେ ନିମିଷେ ନ ଦେଖଇ । ଶୋକ-ସାଗରେ ସେ ବୁଡଇ ।। ୪୫
କୃପଣ ଦ୍ରବ୍ୟକୁ ଯେସନ । ଚଉର୍ଯ୍ୟ କରି ନେଲେ ଆନ ।। ୪୬
ତେମନ୍ତ ପ୍ରାୟେ ମହୀପାଳ । କ୍ଷଣେ ନ ଦେଖି ମୃଗବାଳ ।। ୪୭
ବିହଳେ ହୃଦୟ କାତର । ଲୋଡଇ ମୃଗର କୁମର ।। ୪୮
ଭ୍ରମେ ବୋଲଇ ବାକ୍ୟମାନ । ମଲା କି ମୃଗରନନ୍ଦନ ।। ୪୯
କି କର୍ମ କଲି ମୁଁ କିରାତ । କେଣେ ମୋ ଗଲା ମୃଗସୁତ ।। ୫୦
ମୃଗବାଳକ ସୁକଲ୍ୟାଣେ । ଚରୁକି ଥିବ ଉପବନେ ।। ୫୧
ପ୍ରଭୁ କି ରଖିଥିବେ ତାରେ । ଦେଖିବି ନୟନଗୋଚରେ ।। ୫୨
କି ଅବା ମୃଗବାଳେ ମୋର । ଭକ୍ଷିଲେ ଶୃଗାଳ କୁକୁର ।। ୫୩
ରବିର ଅସ୍ତକାଳ ହୋଇ । ମୋ ମୃଗସୁତ ନ ଦିଶଇ ।। ୫୪
ଶୋକେ ଆକୁଳ ମୋର ଦେହୀ । କେଣେ ହେଁ ମୃଗବାଳ ନାହିଁ ।। ୫୫
ସେ ମୃଗରାଜର କୁମର । ମନୋଜ୍ଞ-ଗମନ ତାହାର ।। ୫୬
କ୍ଷଣକେ ଆଶ୍ରମଲୋକର । ଦୁଃଖ ଖଣ୍ତଇ ନିରନ୍ତର ।। ୫୭
ମିଥ୍ୟାରେ ଚକ୍ଷୁବୁଜି ମୁହିଁ । କ୍ଷଣମାତ୍ରକ ଯେବେ ରହି ।। ୫୮
ଚକିତ ପ୍ରାୟେ ସେ ହୁଅଇ । ମୋହର ଅଗ୍ରତେ ଲୋଟଇ ।। ୫୯
ଋଷିକୁକମରଙ୍କର ସଙ୍ଗେ । ଖେଳୁ ଯେ ଥାଇ ନାନରଙ୍ଗେ ।। ୬୦
କୋମଳତୃଣାଙ୍କୁରମାନ । ବାଳକେ ଦିଅନ୍ତି ବହନ ।। ୬୧
ସେ ସର୍ବସୁଖ ଦୂର ହେଲା । ମୃଗକୁମର କେଣେ ଗଲା ।। ୬୨
ସେ ମୋର କୃଷ୍ଣସାରବାଳ । ମୃଦୁ ତାହାର ପାଦତଳ ।। ୬୩
କୋମଳ ଖୁରପୁଟପନ୍ତି । ସେ ମୋର ଦ୍ରବିଣ-ସମ୍ପତ୍ତି ।। ୬୪
ମୃଗଶାବକ ଖୋଜିବାର । ନୃପତି ହୋଇଲା ବାହାର ।। ୬୫
ପଥରେ ପଦଚିହ୍ନ ଦେଖି । କହଇ ନିରେଖି ନିରେଖି ।। ୬୬
ଧନ୍ୟ ପୃଥିବୀ ତୋର ପୁଣ୍ୟ । ଏ ଚିହ୍ନ କଲୁ ତୁ ଧାରଣ ।। ୬୭
ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ । ତୋ ଦେହ ଶୋଭାକୁ ଯେ ପାଏ ।। ୬୮
ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା । ଯହୁଁ ସେ ଚନ୍ଦ୍ରକୁ ଦେଖିଲା ।। ୬୯
ତହିଁ ଦେଖିଣ ମୃଗଚିହ୍ନ । ଭାବିଲା ନିଜ ମନେ ମନ ।। ୭୦
ମୃଗଶାବକ ଦେଖି ଏକ । ଦୟାରେ କି ତାରାନାୟକ ।। ୭୧
ସିଂହଭୟରୁ ରକ୍ଷା କଲେ । ଆପଣା ନିକଟେ ରଖିଲେ ।। ୭୨
ଅତ୍ୟନ୍ତ ସୁଖକୁ ସେ ଦେଇ । ତା ବିନୁ ମୋର କେହି ନାହିଁ ।। ୭୩
ଏ ଯେ ଆଶ୍ରମ-ମୁନିଗଣ । କରନ୍ତି ନାନା ଶୁଭକର୍ମ ।। ୭୪
ହରଷଚିତ୍ତେ ମୁନିଗଣ । କରନ୍ତି ତାହାରେ କଲ୍ୟାଣ ।। ୭୫
ମୃଗେନ୍ଦ୍ର ଭୟରୁ ତାହର । ମାତା ଯେ ଛାଡିଲା ଶରୀର ।। ୭୬
ତେଣୁ ମୁଁ ଳଭିଲି ତାହାରେ । ଏବେ ସେ ଗଲା ବନଘୋରେ ।। ୭୭
ଏମନ୍ତେ ଶୁଣ ମହୀପାଳ । କ୍ଷଣେ ସେ ଦେଖି ମୃଗବାଳ ।। ୭୮
ବ୍ୟର୍ଥକର୍ମରେ ସେବା ତାର । ସୁକର୍ମ ତେଜି ନୃପବର ।। ୭୯
ପୂର୍ବତପସ୍ୟା ହତ ତାର । ଶୁଭକର୍ମକୁ କଲା ଦୂର ।। ୮୦
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦିରଥ-ନାରାୟଣ ।। ୮୧
ତାର ଚରଣ ଦୂର କରି । ମୃଗବାଳକେ ମନ ଧରି ।। ୮୨
ମୋକ୍ଷପଦକୁ ପ୍ରତିବନ୍ଧ । ସେ ମୃଗବାଳ ପଶୁମନ୍ଦ ।। ୮୩
ତହିଁ ମମତା ରାଜା କଲା । ଯୋଗଅଭ୍ୟାସ ନ ଜାଣିଲା ।। ୮୪
ତାହାକୁ ଥୋଇ ହୃଦାସନେ । ଭୁଲିଲା ଜଗତ କାରଣେ ।। ୮୫
ମୃଗର ଲାଳନ-ପାଳନ । ଏଣେ ହରଇ ସେହୁ ଦିନ ।। ୮୬
ଏମନ୍ତେ କେତେ ଦିନ ଗଲା । ଆୟୁଷ ଶେଷ ତା ହୋଇଲା ।। ୮୭
ଏମନ୍ତେ ଶୁଣ ହେ ରାଜନ । କାଳର ହେଲା ସେ ଅଧୀନ ।। ୮୮
ସମୀପେ ଦେଖି ମୃଗବାଳ । ଶୋକରେ ହୋଇଲା ବିକଳ ।। ୮୯
ପୁତ୍ରର ପ୍ରାୟେ ସ୍ନେହଭରେ । ମନ ଅର୍ପଲା ତାହାଠାରେ ।। ୯୦
ଅତ୍ୟନ୍ତ ଶୋକକରି ମନେ । ପ୍ରାଣ ଛାଡିଲା ତତକ୍ଷଣେ ।। ୯୧
ମୃଗର ତହିଁ ମନ ଥିଲା । ତେଣୁ ସେ ମୃଗଜନ୍ମ ହେଲା ।। ୯୨
ମୃଗଜନ୍ମଟି ସେ କାରଣୁ । ଶୁଣ ହେ ଅଭିମନୁ-ତନୁ ।। ୯୩
ପୂର୍ବଜନ୍ମର କଥା ତାର । ସ୍ମରଣ କଲା ନୃପବର ।। ୯୪
ମୃଗଙ୍କ ସେଙ୍ଗ ବନେ ଥାଇ । ଅରଣ୍ୟେ ବୁଲଇ ସେ ମହୀ ।। ୯୫
ବୁଲନ୍ତେ ଏକଦିନକର । ବୃକ୍ଷର ମୂଳେ ମୁନିବର ।। ୯୬
ବ୍ରହ୍ମସାଧନେ ଚିତ୍ତ ଦେଇ । ମନକୁ ବ୍ରହ୍ମରନ୍ଧ୍ରେ ଥୋଇ ।। ୯୭
ତା ଦେଖି ରାଜା ବିଚାରଇ । ମୁଁ ଯେ ହୋଇଣ ଥିଲି ଏହି ।। ୯୮
ମନରେ ଜାଣି ସେ ରାଜନ । ବିକଳେ ହୋଇ ଛନ୍ନଛନ୍ନ ।। ୯୯
ମୃଗଜନ୍ମର ଯେ କାରଣ । ମନେ ଜାଣିଲା ସେ ରାଜନ ।। ୧୦୦
ପ୍ରଭୁର ସେବା ଭ୍ରଷ୍ଟ ହୋଇ । ମନେ ବହୁତ ତାପ ପାଇ ।। ୧୦୧
ଅତ୍ୟନ୍ତ ଶୋକ କରି ମନେ । ବୋଲଇ ଲୋତକନୟନେ ।। ୧୦୨
ଭ୍ରଷ୍ଟ ହୋଇଲି ମୁଁ ପାମର । ପ୍ରଭୁର ସେବା କଲି ଦୂର ।। ୧୦୩
ସମସ୍ତ ତପକୁ ହୁଡିଣ । ବିବିଧ-ଯଜ୍ଞ-ଶୁଭକର୍ମ ।। ୧୦୪
ନାମଶ୍ରବଣଂ ଉଚ୍ଚାରଣ । ନିରତେ କରି ଆରଧନ ।। ୧୦୫
ସକଳ-ଆତ୍ମା ଭଗବାନ । ମନ ଅର୍ପିଲି ଅନୁଦିନ ।। ୧୦୬
ଯେଣୁ ସେ ସକଳ ଛାଡିଲି । ମୃଗବାଳକେ ମନ ଦେଲି ।। ୧୦୭
ତେଣୁ ଏ ଜୀବନ ମୋହର । ପାଇଲା ମୃଗର ଶରୀର ।। ୧୦୮
ଏମନ୍ତ ମନରେ ବିଚାରି । ଚଞ୍ଚଳଚିତ୍ତ ସ୍ଥିର କରି ।। ୧୦୯
ଆପଣା ମାତା ଯେ ହରିଣୀ । ତାହାକୁ ତେଜି ନୃପମଣି ।। ୧୧୦
ପ୍ରଭୁର ଅତି ପ୍ରିୟସ୍ଥାନ । ଯେ ତୀର୍ଥ ଶାଳଗ୍ରାମ ନାମ ।। ୧୧୧
ପରମସାଧୁ ଭକ୍ତଜନେ । ଅଛନ୍ତି ଯହିଁ ମୁନିମାନେ ।। ୧୧୨
ତହିଁକି ଶୀଘ୍ର ଚଳିଯାଇ । ରହିଲା ମୃତ୍ୟୁବାଟ ଚାହିଁ ।। ୧୧୩
କୁସଙ୍ଗ-ସଙ୍ଗକୁ ସେ ଡରି । ମନେ ଚିନ୍ତଇ ନରହରି ।। ୧୧୪
ନୀରସଦଳ ସେ ଭକ୍ଷଇ । ମୃଗଶରୀର ଯିବା ପାଇଁ ।। ୧୧୫
ମନରେ କରଇ ବିଚାର । କେମନ୍ତେ ଯବି ଏ ଶରୀର ।। ୧୧୬
ଏମନ୍ତେ ଶୁଣ ହେ ରାଜନ । କେତେହେଁ ଗଲା ତହିଁ ଦିନ ।। ୧୧୭
ସେ ତୀର୍ଥଜଳରେ ତାହାର । ତେଜିଲା ମୃଗକଳେବର ।। ୧୧୮
ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣ । ବ୍ରହ୍ମା ଚିନ୍ତଇ ଯା ଚଉଣ ।। ୧୧୯
ସେ ଚକ୍ରଧର ନାରୟଣ । ପଦପଙ୍କଜ ସୁମରିଣ ।। ୧୨୦
କହଇ ଦାସ ଜଗନ୍ନାଥ । ସାଦୁଙ୍କ ହିତେ ଭାଗବତ ।। ୧୨୧
ପଞ୍ଚମସ୍କନ୍ଧେ କୃଷ୍ଣବାଣୀ । ଶୁଣି ସଂସାରୁ ତରପ୍ରାଣୀ ।। ୧୨୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ
ଅଷ୍ଟମୋଽଧ୍ୟାୟଃ ।।

ନବମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । ଏ ଅନନ୍ତରେ ସେ ଭରତ ।। ୧
ସନ୍ଧ୍ୟାଦି ତପ ଶମଦମ । ତିତିକ୍ଷା ଆଦି ଯେ ନିୟମ ।। ୨
ଜ୍ଞାନୀଙ୍କ ମଧ୍ୟେ ଶ୍ରେଷ୍ଠବର । ଦ୍ୱିଜ ଆଙ୍ଗରସ-ପ୍ରବର ।। ୩
ଏ ସବୁ ଗୁଣେ ଗୁଣୀ ସେହି । ପତ୍ନୀ ତାହାଙ୍କ ଥିଲା ଦୁଇ ।। ୪
ଜ୍ୟେଷ୍ଠଭାର୍ଯ୍ୟାର ନବସୁତ । ପିତାଙ୍କ ତୁଲ୍ୟେ ଗୁଣବନ୍ତ ।। ୫
କନିଷ୍ଠାଭାର୍ଯ୍ୟା ଗର୍ଭଜାତ । ଏକ ଦୁହିତା ଏକ ସୁତ ।। ୬
ଏ ସୁତ ମହାଭାଗବତ । ସେହି ସେ ରାଜର୍ଷି ଭରତ ।। ୭
ମୃଗଦେହକୁ ତ୍ୟାଗ କରି । ତଦନ୍ତେ ବିପ୍ରରୂପ ଧରି ।। ୮
ଦ୍ୱିଜଙ୍କ ପୁତ୍ରଭାବ ବହି । ଜନ୍ମ ଲଭିଲେ ତାଙ୍କ ତହିଁ ।। ୯
ଅପରେ ତାର ସହୋଦର । ଉତ୍ତମ-ସାଧୁଶୀଳପର ।। ୧୦
ସେ ସାଧୁସଙ୍ଗରୁ ରାଜନ । ତାହାର ହେଲା ଶୁଦ୍ଧଜ୍ଞାନ ।। ୧୧
ଯେଣୁ କର୍ମବନ୍ଧ ଖଣ୍ତନ । ଶ୍ରୀକୃଷ୍ଣ ନାମ-କର୍ମ-ଗୁଣ ।। ୧୨
ତାହା ଶୁଣଇ ଅବିରତେ । ପଦାରବିନ୍ଦ ଧାୟି ଚିତ୍ତେ ।। ୧୩
ପ୍ରଭୁଙ୍କ କୃପାରୁ ରାଜନ । ପୂର୍ବଜନ୍ମର କଥାମାନ ।। ୧୪
ସ୍ମରଣ ହୋଇଲା ତାହାର । ଅସାଧୁ ସଙ୍ଗକୁ ତା ଡର ।। ୧୫
ଉନ୍ମତ୍ତ ଜଡ ଯେ ବଧିର । ପ୍ରାୟେ ସେ ବ୍ରାହ୍ମଣ-କୁମର ।। ୧୬
ଅଶେଷ-ଜ୍ଞାନେ ଶ୍ରେଷ୍ଠ ହୋଇ । କପଟ ଲୋକରେ ଦେଖାଇ ।। ୧୭
ତେବେହେଁ ପୁତ୍ରଠାରେ ତାର । ସଂସ୍କାର କଲାକ କୁମର ।। ୧୮
ବେଦ-ଉଚିତ-କର୍ମ ଯେତେ । ଦଶକର୍ମରେ ଯଥୋଚିତେ ।। ୧୯
ଶୁଣ ପରୀକ୍ଷ ନୃପବର । ସେ ଯେଉଁ ବ୍ରାହ୍ମଣକୁମର ।। ୨୦
ଶଉଚ ଆଚମନ ବିଧି । ବ୍ରାହ୍ମଣ-କର୍ମ ଯେ ପ୍ରସିଦ୍ଧି ।। ୨୨
ଗୁରୁଙ୍କ ଉପଦେଶ ବିନେ । ଜାଣିଲା ସେ ଯେ ଅନୁମାନେ ।। ୨୩
ପୁତ୍ରର ଶୁଦ୍ଧମନ ଜାଣି । ସେ ଯେ ବ୍ରାହ୍ମଣ-ଶିରୋମଣି ।। ୨୪
ଅତ୍ୟନ୍ତ ସ୍ନେହଭର ହୋଇ । ମନ ଅର୍ପିଲା ତାର ତହିଁ ।। ୨୫
ଓଁକାର ଆଦି ବେଦସାର । ବ୍ୟାହୃତି-ପ୍ରଣବ-ଅକ୍ଷର ।। ୨୬
ସାବିତ୍ରୀ-ମୂଳମନ୍ତ୍ର-ସାର । ସାନନ୍ଦେ ଦେଲେ ବିପ୍ରବର ।। ୨୭
ଯଜନଆଦି ଷଟକର୍ମ । ଏ ଯେ ବ୍ରାହ୍ମଣ ନିଜଧର୍ମ ।। ୨୮
ପୁରୁଷସୂକ୍ତଆଦି ଯେତେ । ସର୍ବ କହିଲେ ଯଥୋଚିତେ ।। ୨୯
ପ୍ରତୁସ୍ନେହରେ ବିପ୍ରବର । ଶିକ୍ଷା କରନ୍ତି ନିରନ୍ତର ।। ୩୦
ସମ୍ପୂର୍ଣ୍ଣ ନୋହୁ ମନୋରଥ । ଏମନ୍ତେ ଶୁଣ ନରନାଥ ।। ୩୧
ଆୟୁଷଶେଷେ ସେ ବ୍ରାହ୍ମଣ । କାଳର ହୋଇଲା ଅଧୀନ ।। ୩୨
ଦ୍ୱିଜଙ୍କ କନିଷ୍ଠ ରମଣୀ । ଭହତପୁତ୍ର ସଙ୍ଗେ ଘେନି ।। ୩୩
ଆପଣା ଜ୍ୟେଷ୍ଠ-ସପତ୍ନୀରେ । ସମର୍ପି ଦେଲ ସ୍ନେହଭରେ ।। ୩୪
ଆପଣେ ପତିର ସଙ୍ଗତେ । ଚଳିଲା ହରଷିତ ଚିତ୍ତେ ।। ୩୫
ଏମନ୍ତେ ପିତାର ଅନ୍ତରେ । ସେ ଯେ ବ୍ରାହ୍ମଣର କୁମରେ ।। ୩୬
ଜଡ ଯେ ବ୍ରାହ୍ମଣ କୁମର । ତାଠାରେ କଲେ ହତାଦର ।। ୩୭
ତାହାର ପ୍ରଭାବ ନ ଜାଣି । ଜଡ଼ର ପ୍ରାୟେ ତାକୁ ମଣି ।। ୩୮
ଜଡ଼ ବଧିର ଯେ ଉନ୍ମତ୍ତ । ଏମନ୍ତ ରୂପ ସେ ଭରତ ।। ୩୯
ଦ୍ୱିପଦନର ପଶୁମତେ । ଏହାଙ୍କୁ ଦେଖନ୍ତି ଏମନ୍ତେ ।। ୪୦
ସେ ପରାଧୀନ ପ୍ରାୟ ହୋଇ । ଲୋକରେ କର୍ମକୁ କରଇ ।। ୪୧
ଲୋକେ ଶ୍ରଦ୍ଧାରେ ଯାହା ଦେଇ । ପରମତୋଷେ ତା ଭୁଞ୍ଜଇ ।। ୪୨
ଇନ୍ଦ୍ରିୟପ୍ରୀତି ନିମିତ୍ତରେ । କେବେହେଁ ଆହାର ନ କରେ ।। ୪୩
ନିବୃତ୍ତ ହୋଇ ସର୍ବଠାରେ । ପରମ ଆନନ୍ଦେ ବିହରେ ।। ୪୪
ଦୁଃଖସୁଖରେ ସମ ତାର । ହୃଦେ ନ କରେ ଅହଙ୍କାର ।। ୪୫
ଗ୍ରୀଷ୍ମ ବରଷା ଶୀତ ବାତ । ସକଳ ସହେ ସେ ଭରତ ।। ୪୬
ଦିଶଇ ମହାମଣି ସମ । ଶରୀର ଅତି-ସ୍ଥୂଳ-ପୀନ ।। ୪୭
ଅତ୍ୟନ୍ତ ବ୍ରହ୍ମତେଜ ବହି । ଜଡ଼ର ପ୍ରାୟେ ସେ ଭ୍ରମଇ ।। ୪୮
ଆହାରଆଦି ସର୍ବଠାରେ । ସେ ଥାଇ ନିଗ୍ରହ-ବେଭାରେ ।। ୪୯
ତଥାପି ଶୁଣ ହେ ରାଜନ । ତାହାର ନିଜ ଭ୍ରାତାଗଣ ।। ୫୦
କୃଷିରକ୍ଷଣ କାରଣରେ । ନିଯୁକ୍ତ କରନ୍ତି ତାହାରେ ।। ୫୧
ଭ୍ରାତୃବଚନ ଅନୁମତେ । କୃଷି ରଖଇ ଯଥୋଚିତେ ।। ୫୨
ମୃଗ ବରାହଙ୍କୁ ନିବାରି । ଥାଇ ସେ ନିରତେ ଆବୋରି ।। ୫୩
ଶୁଣ ହେ ଅଭିମୁନ୍ୟୁ ବଳା । ଏମନ୍ତେ କେତେଦିନ ଗଲା ।। ୫୪
ଏମନ୍ତେ ସାବଧାନେ ଶୁଣ । ବୃଷଳପତି ଯେ ରାଜନ ।। ୫୫
ଅତ୍ୟନ୍ତ ପୁତ୍ରକାମୀ ହୋଇ । ଦେବୀଙ୍କି ମହାପଶୁ ସହି । ୫୬
ଶକ୍ତି-ଭକ୍ତିରେ ଦୃଢ଼ ସେହି । ଅନ୍ୟଦେବତା ନ ଜାଣଇ ।। ୫୭
ତାହାର ପ୍ରସାଦରୁ କରି । ଅନେକ-ସମ୍ପଦ ତାହାରି ।। ୫୮
ଗ୍ରାମ-ଅନ୍ତରେ ଦେବୀବାସ । ମଧୁ-ମାଂସେ ବଡ଼ ତୋଷ ।। ୫୯
ଚଣ୍ତୀର ସନ୍ତୋଷ କାରଣେ । ବିନାଶେ ନରପଶୁଗଣେ ।। ୬୦
ରୁଧିର-ମାଂସେ ତୋଷ ହୋଇ । ନିତ୍ୟେ ଚଣ୍ତିକା ବିହରଇ ।। ୬୧
ତାହାର ପୂଜା ଅନୁସରି । ରାଜସେବକେ ପଶୁ ଧରି ।। ୬୨
ନରପଶୁ ଏ ଯତ୍ନ କରି । ରଖନ୍ତି ନିରତେ ପାହାରୀ ।। ୬୩
ଦଇବେ ଅଭିମନ୍ୟୁବଳା । ସେ ନରପଶୁ କେଣେ ଗଲା ।। ୬୪
ତାହାର ପଥ ଅନୁରେ । ଧାଇଁଲେ ତାର ଅନୁଚରେ ।। ୬୫
ନିଶି ଅନ୍ଧାର ଘୋର ତମେ । ଖୋଜନ୍ତି ନାନାଦିଗ ଗ୍ରାମେ ।। ୬୬
ପଶୁ ନ ପାଇ ଅନୁଚରେ । ନିରାଶ ହୋଇଲେ ଅନ୍ତରେ ।। ୬୭
ଗୃହକୁ କରନ୍ତେ ଗମନ । ଦେଖିଲେ ବିପ୍ରର ନନ୍ଦନ ।। ୬୮
ଇତର ପ୍ରାୟ ତାକୁ ମଣି । ଜଡ଼ର ପ୍ରଭାବ ନ ଜାଣି ।। ୬୯
ବନ୍ଧନ କରି ତତକ୍ଷଣେ । ସ୍ୱାମୀର କର୍ମ-ସମ୍ପାଦନେ ।। ୭୦
ଚଣ୍ତିକାଗୃହେ ପ୍ରବେଶିଲେ । ସ୍ୱାମୀଙ୍କି ସମର୍ପି ଦେଲେ ।। ୭୧
ସୁଗନ୍ଧ-ଶୀତଳ ଜଳରେ । ସ୍ନାହନ କରାଇ ବିଧିରେ ।। ୭୨
ଶୁଭ୍ର-ନିର୍ମଳ-ବସ୍ତ୍ର ଦେଲେ । ନାନାଭୂଷଣେ ସେ ମଣ୍ତିଲେ ।। ୭୩
ବିବିଧ-ସ୍ୱାଦୁଦ୍ରବ୍ୟମାନ । ତାହାକୁ କରାନ୍ତି ଭୋଜନ ।। ୭୪
ସୁଗନ୍ଧ-ଚନ୍ଦନାଦି ଦେଲେ । ମାଳାଏ କଣ୍ଠେ ଲମ୍ବାଇଲେ ।। ୭୫
ମୃଦଙ୍ଗ ଶଙ୍ଖ ଭୋରୀ ସ୍ୱନ । ଆନନ୍ଦେ କରନ୍ତି ଗାୟନ ।। ୭୬
ଏମନ୍ତେ ନାନାବିଧିମତେ । ସ୍ଥାପିଲେ ଦେବୀର ଅଗ୍ରତେ ।। ୭୭
ବୃଷଳପତି ଏ ଅନ୍ତରେ । ତୀକ୍ଷ୍‌ଣ-ଖଡଗ ଧରି କରେ ।। ୭୮
ତାହାର ରୁଧିରକୁ ଦେଇ । ଦେବୀ ସନ୍ତୋଷ ହେବା ପାଇଁ ।। ୭୯
ଏମନ୍ତେ ଶୁର ହେ ରାଜନ । ବୃଷଳେ ହୋଇ ମତିଭ୍ରମ ।। ୮୦
ଧନସମ୍ପଦ ମଦେ କରି । ତମଗୁଣକୁ ଆଶ୍ରା କରି ।। ୮୧
ଈଶ୍ୱରଅଂଶକୁ ଯେ ଧରେ । ହିଂସା କରନ୍ତି ସେ ତାହାରେ ।। ୮୨
ଦାରୁଣକର୍ମ ତାହାଙ୍କର । ପ୍ରତ୍ୟକ୍ଷେ ବ୍ରାହ୍ମଣକୁମର ।। ୮୩
କୃଷ୍ଣର କଳାବନ୍ତ ଯେହି । ତାହାଙ୍କୁ କଦର୍ଥନ୍ତି ନେଇ ।। ୮୪
ଯେ ସର୍ବଭୂତେ ସମଚିତ୍ତ । ବିଷ୍ଣୁ ଜପଇ ଅବିରତ ।। ୮୫
ତାହାଙ୍କୁ ପଶୁରେ ବିଚାରି । ନିକଟେ ହେଲା ଖଡ୍‌ଗ ଧରି ।। ୮୬
ଏବେ ହୋ ଶୁଣ ପରୀକ୍ଷିତ । ବ୍ରାହ୍ମଣ-ତେଜ ଅପ୍ରମିତ ।। ୮୭
ଜ୍ୱାଳା-କରାଳ-ଦୁର୍ବିଃସହ । ତେଣୁ ସେ ଦଗ୍‌ଧଦେବୀ ଦେହ ।। ୮୮
ଭକ୍ତଙ୍କ ପ୍ରତି ହିଂସା ଦେଖି । ଦେବୀ ମନରେ କୋପ ରଖି ।। ୮୯
ପ୍ରତିମା ପରିତ୍ୟାଗ କଲେ । କ୍କୁ କୋଳରେ ଘେନିଲେ ।। ୯୦
ତକ୍ଷଣେ ଉଗ୍ରମୂର୍ତ୍ତି ହୋଇ । ଉଠିଲେ ଅତି ରୋଷବହି ।। ୯୧
ସେ ଦେବୀ ଚଣ୍ତୀ ଭଦ୍ରକାଳୀ । ଅତ୍ୟନ୍ତ କୋପେ ପରଜ୍ୱଳି ।। ୯୨
ଭ୍ରୂକଟୀ କୁଟୀଳ ତାହାର । ବଦନ ଦିଶେ ଭୟଙ୍କର ।। ୯୩
ଦନ୍ତ ଦିଶନ୍ତି ବିକରାଳ । ଅରୁଣ ନୟନଯୁଗଳ ।। ୯୪
ଚଣ୍ତାଟ୍ଟହାସ ଘୋରସ୍ୱନ । ପୂର୍ଣ୍ଣ ନୋହିଛି ଦେବୀମନ ।। ୯୫
ଧାଇଁଲେ ଅତି ଶୀଘ୍ରତରେ । ପାପିଷ୍ଠମାନଙ୍କ ଉପରେ ।। ୯୬
ତାହାର ହସ୍ତୁ ଖଡ୍‌ଗ ଘେନି । ଶୁଣ ହେ ନୃପଶିରୋମଣି ।। ୯୭
ଶାଣିତ ଅସି ତୀକ୍ଷ୍‌ଣ ଧାର । ଛେଦିଲେ ତାହାଙ୍କର ଶିର ।। ୯୮
ପରମ ସନ୍ତୋଷକୁ ପାଇ । ଆପଣାଗଣ ସଙ୍ଗେ ଲଇଁ ।। ୯୯
ରୁଧିର ସୁରା କରି ପାନ । ଭୋଳେ ହୋଇଲେ ମନେ ଛନ୍ନ ।। ୧୦୦
ଦେବୀର ଯେତେ ପାରିଷଦ । ଆନନ୍ଦେ କରି ଗୀତନାଦ ।। ୧୦୧
ମସ୍ତକମାନ ହସ୍ତେ ଧରି । ହରଷେ ବୁଲନ୍ତି ବିହରି ।। ୧୦୨
ଶୁଣ ରାଜନ ସାବଧାନେ । ସେ ଯେ ବୃଷଳ ପାପୀମାନେ ।। ୧୦୩
ସାଧୁଙ୍କୁ କରି ପରାଭବ । ଆପଣେ ନାଶ ଗଲେ ସର୍ବ ।। ୧୦୪
ବିଷ୍ଣୁଭକତ ଯେତେ ନରେ । ଦୟା ବହନ୍ତି ସର୍ବଠାରେ ।। ୧୦୫
ବଇର ହିଂସା ଦୂରେ ତେଜି । ସେ ପାଦପଦ୍ମ ହୃଦେ ଭଜି ।। ୧୦୬
ପରମହଂସ-ଭାଗବତ । ତାହାଙ୍କୁ ରଖନ୍ତି ଅଚ୍ୟୁତ ।। ୧୦୭
କହଇ ଦାସ ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ।। ୧୦୮
ପ୍ରଭୁ ପଦାରବିନ୍ଦତଳେ । ମନ ମୋ ରହିବ ନିଶ୍ଚଳେ ।। ୧୦୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଜଡ଼ଭରତ ଚରିତେ ନବମୋଽଧ୍ୟାୟଃ ।।

ଦଶମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏଥୁ ଅନ୍ତରେ ଏକଦିନେ । ଶୁଣ ରାଜନ ସାବଧାନେ ।। ୧
ସିନ୍ଧୁପତି ଯେ ରହୂଗଣ । ସେ ରାଜା ବିଷ୍ଣୁ ପରାୟଣ ।। ୨
ତାହାର ଏକ ଶ୍ରେଷ୍ଠଭୃତ୍ୟେ । ରାଜାର ଗମନ ନିମନ୍ତେ ।। ୩
ବମାନ ବହିବାର ପାଇଁ । ଏକ ପୁରୁଷେ ସେ ଲୋଡଇ ।। ୪
ଦଇବଯୋଗ ଦେଖ ତାର । ସେ ବିଷ୍ଣୁଅଂଶ ବିପ୍ରବର ।। ୫
ସେଠାରେ ହେଲା ଉପସ୍ଥିତ । ତାକୁ ଦେଖିଲା ନୃପଦୂତ ।। ୬
ହରଷମନେ ବିଚାରଇ । ଏହାର ତୁଲ୍ୟ କେହି ନାହିଁ ।। ୭
ଅତିବଳିଷ୍ଠ ଏ ଶରୀର । ବିମାନ ବହିବ ନିକର ।। ୮
ଏମନ୍ତେ ଶୀଘ୍ରେ ଘେନିଗଲା । ବିମାନ ବୁହାରେ ଖଞ୍ଜିଲା ।। ୯
ତହିଁ ନିଯୁକ୍ତ ନର ସଙ୍ଗେ । ବିମାନ ବହିଲା ସେ ରଙ୍ଗେ ।। ୧୦
ସାକ୍ଷାତେ ବିଷ୍ଣୁଭକ୍ତ ସେହି । ପର ଅଧୀନ ପ୍ରାୟ ହୋଇ ।। ୧୧
ସେ ଯେ ପରମ-ଭାଗବତ । ଏ କର୍ମ ତାର ଅନୁଚିତ ।। ୧୨
ପୂର୍ବେ ଯେ ପାପକର୍ମ କଲା । ଅସାଧୁ-ସଙ୍ଗକୁ ଭଜିଲା ।। ୧୩
ସେହି ସକାଶୁ ଏହିଗତି । ଶୁଣ ତୁ ଏକମନେ ଚିନ୍ତି ।। ୧୪
ବିମାନ ବହି ନ ଜାଣଇ । ବିଷମସମେ ସେ ଚଳଇ ।। ୧୫
କ୍ଷୁଦ୍ର-ଜୀବଙ୍କ ମୃତ୍ୟୁଭୟେ । ପାଦ ନ କ୍ଷେପନ୍ତି ନିର୍ଭୟେ ।। ୧୬
ତେଣୁ ବିମାନ ବକ୍ର ହୋଇ । ରାଜା ଦେହରେ କଷ୍ଟ ପାଇ ।। ୧୭
ବିମାନ ବୁହା ପୁରୁଷରେ । ନୃପ କହଇ କୋପଭରେ ।। ୧୮
ବିଷମସମ ଭାବ ହୋଇ । ବିମାନ ବହ କାହିଁ ପାଇଁ ।। ୧୯
ପ୍ରଭୁବଚନ କୋପଭରେ । ଶୁଣି କମ୍ପନ୍ତି ସେ କିଙ୍କରେ ।। ୨୦
ଅତ୍ୟନ୍ତ ଭୟଚିତ୍ତ ହୋଇ । ଜଡ଼କୁ ଦେଲେ ସେ ଦେଖାଇ ।। ୨୧
ଭୋନାଥ ଆମ୍ଭ ଦୋଷ ନାହିଁ । ଏ ଯେ ପୁରୁଷ ନ ଚଳଇ ।। ୨୨
ଏହାର ବକ୍ରଗତି ପାଇଁ । ବିମାନ ବକ୍ରଭାବ ହୋଇ ।। ୨୩
ଭୋନାଥ ଶୁଣ ସାବଧାନେ । ପୁଣି ହିଁ ଚଳଇ ବିଷମେ ।। ୨୪
ଏହାର ସଙ୍ଗତେ ରାଜନ । ବହି ନ ପାରିବୁ ବିମାନ ।। ୨୫
ଏହାର ସଂସର୍ଗ ଦୋଷରେ । ଆମ୍ଭଙ୍କୁ ଦଣ୍ତିବ ବେଭାରେ ।। ୨୬
ଏମନ୍ତେ ଭୃତ୍ୟବାକ୍ୟ ଶୁଣି । ସେ ଯେ ରାଜନ ଶିରୋମଣି ।। ୨୭
ଏହାଙ୍କୁ ସଂସର୍ଗ ଦୋଷରେ । କିମ୍ପା ଦଣ୍ତିବା ଅବିଚାରେ ।। ୨୮
ରାଜା ସ୍ୱଭାବେ ସାଧୁ ହୋଇ । ରଜୋଗୁଣରୁ କ୍ରୋଧ ବହି ।। ୨୯
ବିଷ୍ଣୁଭକତ ନୃପବର । ଭରତେ ବୋଲନ୍ତି ଉତ୍ତର ।। ୩୦
ପୁଷ୍ଟ ପୃଥୁଳ ତୋ ଶରୀର । କଠିନ ପୀନ ଗ୍ରୀବା ତୋର ।। ୩୧
ସ୍ଥକିତେ ଚଳୁ କି କାରଣ । ଏ ତୋର ଦେହ ନିଷ୍କାରଣ ।। ୩୨
ଏ କ୍ଷୁଦ୍ରେ ତୋର ସଙ୍ଗତରେ । ବିମାନ ବୁହନ୍ତି ତ‌ତ୍ପରେ ।। ୩୩
ବ୍ୟର୍ଥ ତୋହର କଳେବର । ମିଥ୍ୟାରେ ବହୁ ତୁ ଶରୀର ।। ୩୪
ଏମନ୍ତେ ଶୁଣ ପରୀକ୍ଷିତ । ସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ ।। ୩୫
ଏମନ୍ତ ବଚନେ ମଉନ । ସ୍ୱଭାବେ ବହନ୍ତି ବିମାନ ।। ୩୬
ପୁଣି ବିମାନ ବକ୍ର ହେଲା । ସେ ରାଜା ଅତି କୋପ କଲା ।। ୩୭

ରାଜା ଉବାଚ

ଆରେ ପାମର ମୂଢ଼ଚିତ୍ତ । ଜୀବନ ଥାଉଁ ତୁହି ମୃତ ।। ୩୮
ମୋହର ଅଙ୍ଗେ କଷ୍ଟ ଦେଉ । ପ୍ରମତ୍ତଭାବକୁ ତୁ ବହୁ ।। ୩୯
ଯମର ପ୍ରାୟ ମୁଁ ଅଟଇ । ଦୁଷ୍ଟଙ୍କ ଦର୍ପ ବିନାଶଇ ।। ୪୦
ତୋହର ମତ୍ତଭାବ ମୁହିଁ । ଆଜହୁଁ ଦୂର କରିବଇଁ ।। ୪୧
ଏମନ୍ତେ ଅତି ନିନ୍ଦାମାନ । ଜଡକୁ କଲା ସେ ରାଜନ ।। ୪୨
ରଜୋଗୁଣରୁ ତମ ତାର । ତମୋଗଣରୁ ଅହଙ୍କାର ।। ୪୩
ସେ ଯେ ବ୍ରାହ୍ମଣର କୁମର । ସକଳଭୂତେ ଦୟାପର ।। ୪୪
ଈଷତହାସ୍ୟ-ବଦନରେ । ବଚନ କହନ୍ତି ରାଜାରେ ।। ୪୫

ବ୍ରାହ୍ମଣ ଉବାଚ

ଭୋ ନୃପ ଶୁଣ ସାବଧାନେ । ତୁମ୍ଭେ ଯା କହିଲ ବଚନେ ।। ୪୬
ହେ ବୀର ଭାର ନାମ ଯେହି । ଭାର ବହଇ ଅବା କେହି ।। ୪୭
ଗମନ କରି ନ ପାରଇ । ଅତିହିଁ ସ୍ଥୂଳ ମୋର ଦେହୀ ।। ୪୮
ଜୀବନ ମୃତ ଯେ ବୋଇଲ । ସେ କଥା ସତ୍ୟଟି କହିଲ ।। ୪୯
ଯେ ସ୍ଥୂଳ କୃଶ ଆଧି ବ୍ୟାଧି । କ୍ଷୁଧା ପିପାସା ଭୟ ଆଦି ।। ୫୦
ନିଦ୍ରା ବିହାର କ୍ରୋଧ ଯେତେ । ମଦ ଅହଙ୍କାର ସହିତେ ।। ୫୧
ଯା ଦେହେ ଅଭିମାନ ଥାଇ । ତାହାର ତହିଁ ଏତେ ଥାଇ ।। ୫୨
ମୋର ଦେହରେ ଏତେ ନାହିଁ । ଏଣୁ ଜୀବନମୃତ ମୁହିଁ ।। ୫୩
ବିଶେଷ କହିଲି ରାଜନ । ବ୍ରହ୍ମବିଚାରେ ଏ ବଚନ ।। ୫୪
କେ ଅବା କାହାରେ ବହଇ । ଏମନ୍ତ ମୁହିଁ ନ ଦେଖଇ ।। ୫୫
କେବା ଈଶ୍ୱର କେ କିଙ୍କର । ଏମନ୍ତ ନ ଦେଖି ଅପର ।। ୫୬
ତୁମ୍ଭେ ଆମ୍ଭରେ ଏ ବଚନ । କେମନ୍ତେ କହିଲ ରାଜନ ।। ୫୭
ଆମ୍ଭେ କି କରିବୁ ତୁମ୍ଭରେ । ସ୍ୱଭାବେ ଏ ଜଡ଼-ଶରୀରେ ।। ୫୮
ପ୍ରମତ୍ତ-ଜଡ଼ଭାବେ ମୁହିଁ । ବିମାନ କେବେ ବହିନାହିଁ ।। ୫୯

ଶୁକ ଉବାଚ

ଶୁଣ ପରୀକ୍ଷ ନୃପବର । ସେ ଯେ ବ୍ରାହ୍ମଣର କୁମର ।। ୬୦
ସୁଶୀଳ ସାଧୁ ସମଚିତ୍ତ । ବିଶେଷେ ଶ୍ରୀକୃଷ୍ଣଭକତ ।। ୬୧
ରାଜାର ବାକ୍ୟ ଅନୁସାରେ । ଏମନ୍ତ କହି ସେ ମଧୁରେ ।। ୬୨
ପ୍ରାରବ୍‌ଧକର୍ମ କ୍ଷୟପାଇଁ । ପୁଣି ବହନ୍ତି ତୁନିହୋଇ ।। ୬୩
ଏମନ୍ତେ ଶୁଣ ନୃପବର । ବିଷୟକର୍ମ କରି ଦୂର ।। ୬୪
ତ‌ତ୍ତ୍ୱଜିଜ୍ଞାସା ନିମନ୍ତରେ । ରାଜା ଯେ ଥାଏ ସ୍ନେହଭରେ ।। ୬୫
ବିପ୍ର ବଚନେ ତ‌ତ୍ତ୍ୱଜ୍ଞାନ । ବିଷୟ ଭ୍ରମ ତା ଖଣ୍ତନ ।। ୬୬
ଅମୃତପ୍ରାୟ ତାଙ୍କ ବାଣୀ । ମନେ ଚିନ୍ତିଲା ନୃପମଣି ।। ୬୭
ତକ୍ଷଣେ ଶୀଘ୍ରତର ହୋଇ । ବିମାନୁ ପଡିଲା ଓହ୍ଲାଇ ।। ୬୮
ବ୍ରାହ୍ମଣ ପାଦଯୁଗଳରେ । ଶିର ସମର୍ପି ଭୟାତୁରେ ।। ୬୯
ବୋଲଇ ବାକ୍ୟ ଗଦଗଦ । କ୍ଷମା କରିବା ଅପରାଧ ।। ୭୦
କେ ତୁମ୍ଭେ କହ ସ୍ୱାମୀ ମୋରେ । କରୁଣାକର ଏ କିଙ୍କରେ ।। ୭୧
ଗୁପତଭାବେ ଭ୍ରମୁଥାଅ । ବ୍ରାହ୍ମଣଭାବ ତୁମ୍ଭ ଦେହ ।। ୭୨
କି ଅବା ଅବଧୂତ-ବର । କେମନ୍ତେ ମିଳିଲ ଏଠାର ।। ୭୩
କାହିଁ ତୁମ୍ଭର ନିଜସ୍ଥାନ । କେମନ୍ତେ ବହିଲ ବିମାନ ।। ୭୪
ଏ ଯେତେ ଅପରାଧ ମୋର । କ୍ଷମା ତୁ କର ଦ୍ୱିଜବର ।। ୭୫
ଇନ୍ଦ୍ରାଦି ଯେତେ ଦେବାସୁର । ପବନ ଅଗ୍ନିଦିବାକର ।। ୭୬
ଏହାଙ୍କ କ୍ରୋଧକୁ ମୋହର । ଭୟ ଯେ ନାହିଁ ଦ୍ୱିଜବର ।। ୭୭
ବ୍ରାହ୍ମଣଅପମାନେ ମୋର । ହୃଦ କମ୍ପଇ ଥରହର ।। ୭୮
ଏଣୁ ଅପରାଧ ମୋହର । କ୍ଷମାକରିବା ବିପ୍ରବର ।। ୭୯
ଅଶେଷଜ୍ଞାନର କାରଣ । ତୁ ନାଥ ବିଷ୍ଣୁପରାୟଣ ।। ୮୦
ଅଜ୍ଞାନ-ପ୍ରାଣୀମାନଙ୍କରେ । ଦେଖୁ ଏଜଡ଼ ଶରୀରେ ।। ୮୧
ତୋହର ଯେତେ ବାକ୍ୟମାନ । ଗ୍ରଥିତ ହୋଇଅଛି ଜ୍ଞାନ ।। ୮୨
ସକଳବର୍ଣ୍ଣ‌ଗୁରୁ ତୁହି । ତୋତେ ମୁଁ ପ୍ରଶନ କରଇ ।। ୮୩
ଜ୍ଞାନ-ସ୍ୱରୂପ ତୋ ଶରୀର । ଭୋନାଥ ମୋତେ କୃପାକର ।। ୮୪
ଅଦ୍ଭୁତ-ଜଡ଼ରୂପ ହୋଇ । ପ୍ରାଣୀଙ୍କ ହିତେ ଭ୍ରମୁ ତୁହି ।। ୮୫
ଭୋନାଥ ବିପ୍ର-ଯୋଗେଶ୍ୱର । ମୁଁ ମୂଢ ପତିତ ପାମର ।। ୮୬
କେମନ୍ତେ ତୋତେ ଚିହ୍ନିବଇଁ । ସ୍ୱଭାବେ ଗୃହବନ୍ଧେ ଥାଇ ।। ୮୭
ଏ ଯେ ମୋହର ଅନୁଚର । ଅତ୍ୟନ୍ତ ମୂଢ ଦୁରାଚାର ।। ୮୮
ଅଜ୍ଞାନହେତୁ ଆଣି ଦେଲେ । ବିଧାତାଘଟଣାର ବଳେ ।। ୮୯
ଭାର ବହିଲେ ଶ୍ରମ ହୋଇ । ତୁ କିମ୍ପା ବୋଲୁ ଶ୍ରମ ନାହିଁ ।। ୯୦
ସକଳ ବସ୍ତୁ ଏ ଜଗତେ । ମିଥ୍ୟାତୁ ବୋଲୁ ବା କେମନ୍ତେ ।। ୯୧
ଘଟାଦି ଯେବେ ମିଥ୍ୟା ହୋଇ । କେମନ୍ତେ ଜଳ ଆଣି ତହିଁ ।। ୯୨
ଆତ୍ମାର ସ୍ଥୂଳ କୁଶଭାବ । କେମନ୍ତେ ନୁହଁଇ ସମ୍ଭବ ।। ୯୩
ଅଗ୍ନିର ତାପ ପାତ୍ରେ ଯାଇ । ସେ ତାପେ ଜଳ ଉଷ୍ଣ ହୋଇ ।। ୯୪
ତହୁଁ ତଣ୍ତୁଳ ତାପ ପାଇ । ଅନ୍ନ ରୂପରେ ସିଦ୍ଧ ହୋଇ ।। ୯୫
ଇନ୍ଦ୍ରିରୁ ପ୍ରାଣେ ପ୍ରାଣୁ ମନେ । ଜୀବ ତା ଭୁଞ୍ଜଇ ତକ୍ଷଣେ ।। ୯୬
ତେସନ ଦେହ ଗ୍ରୀଷ୍ମତାପେ । ସେ ତାପ ଇନ୍ଦ୍ରିଗଣେ ବ୍ୟାପେ ।। ୯୭
ଉପାଧି ଧର୍ମ ପୁରୁଷର । କେମନ୍ତେ ବୋଲୁ ନୁହେ ତାର ।। ୯୮
ତୁ ଯେ ବୋଇଲୁ ଏହା ସତ୍ୟ । କେ ଅବାପ୍ରଭୁ କେବା ଭୃତ୍ୟ ।। ୯୯
ତଥାପି ରାଜାପ୍ରଜାଭାବ । ଅବଶ୍ୟ ସଂସାରେ ରହିବ ।। ୧୦୦
ବିଚାର କରି ଧର୍ମାଧର୍ମ । କରିବ ଦଣ୍ତ ଯେ ପାଳନ ।। ୧୦୧
କୃଷ୍ଣ ଆଦେଶ ମଣି କଲେ । ପାପ ନଲାଗେ ତାକୁ ଭଲେ ।। ୧୦୨
ମୁଁ ତୋତେ କଲି ଅପମାନ । ଏ ଦୋଷ ମୋହର ନଘେନ ।। ୧୦୩
ତୋହର ମାନଅପମାନ । ତୁଲ୍ୟ ବା ବୋଲିବୁ ଏସନ ।। ୧୦୪
ତଥାପି ମହତ-ଲଂଘନ । ଦୋଷେ ମୁଁ ନାଶ ଯିବି ଜାଣ ।। ୧୦୫
ଏଣୁ ମାଗି କ୍ଷମାକର । ଯେଣୁ ତୁ କାତରବତ୍ସଳ ।। ୧୦୬
ଶୁଣ ପରୀକ୍ଷ ସାବଧାନେ । ସେ ବିପ୍ର ନୃପତି ବଚନେ ।। ୧୦୭
ଜ୍ଞାନ ବୈରାଗ୍ୟ ଆଦି କରି । ସକଳ ଅଛି ତହିଁ ପୂରି ।। ୧୦୮
ଗୋବିନ୍ଦ-ପାଦପଦ୍ମ-ତଳେ । ମନ ତୁ ରୁହାଅ ନିଶ୍ଚଳେ ।। ୧୦୯
ପଞ୍ଚମସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୧୧୦
କୃଷ୍ଣଚରିତ ସୁଧାରସ । କହଇ ଜଗନ୍ନାଥଦାସ ।। ୧୧୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଦଶମୋଽଧ୍ୟାୟଃ ।।

ଏକାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଜଡ଼ଭରତ ଉବାଚ

ହେ ନୃପ ଶୁଣ ସାବଧାନେ । ତୁ ଯେ କହିଲୁ ଅନୁମାନେ ।। ୧
ମୂର୍ଖ-ପଣ୍ତିତ ଦୁଇମତ । ଏ କଥା ଅଟଇ ଉଚିତ ।। ୨
ତଥାପି ପଣ୍ତିତ ତୁ ନୋହୁ । ପଣ୍ତିତପ୍ରାୟେ କଥା କହୁ ।। ୩
କେ କାହା ସ୍ୱାମୀ କେବା ଭତ୍ୟ । ଏମନ୍ତ ଜାଣ ନରନାଥ ।। ୪
ଅଜ୍ଞାନବଶୁ ଦେଖୁ ଭିନ୍ନ । ତ‌ତ୍ତ୍ୱବିଚାରେ ସର୍ବସମ ।। ୫
ଅପରେ ଶୁଣ ହେ ରାଜନ । ଗୃହ କର୍ମରେ ଯେଉଁଜନ ।। ୬
ସୁକର୍ମବିଦ୍ୟାକୁ ଆଚରେ । ତ‌ତ୍ତ୍ୱଜ୍ଞାନକୁ ମନେ ଧରେ ।। ୭
ପଣ୍ତିତ ବୋଲିବା ତାହାରେ । ସେ ଶୁଦ୍ଧ ଏ ଘୋର-ସଂସାରେ ।। ୮
ସେ ସାଧୁ ବୋଲାଇ ସଂସାରେ । ପ୍ରାଣୀଙ୍କି ଯେବା ଦୟାକରେ ।। ୯
ଦଣ୍ତିବା ଶକ୍ତି ଯାର ଥାଇ । ସେ ଯେବେ କ୍ଷମା ଆଚରଇ ।। ୧୦
ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖଦୁଃଖରୁ ସେ ବାହାର ।। ୧୧
ଅପରେ ଶୁଣ ନୃପବର । ଯାବତ ପ୍ରାଣୀମାନଙ୍କର ।। ୧୨
ସ‌ତ୍ତ୍ୱ ରଜ ତମ ଗୁଣରେ । ମନ ରହଇ ଦୃଢତରେ ।। ୧୩
ଯେ ଗୁଣ ଯାହାର ହୁଅଇ । ସେ ଗୁଣେ ପ୍ରାଣୀ ପ୍ରକାଶଇ ।। ୧୪
କୁଶଳ ମନ୍ଦଭାବେ ଦୁଇ । ମଧ୍ୟମ ଭାବକୁ ବହଇ ।। ୧୫
ଧରଇ ଗୁଣ ଅନୁସାରେ । ରୂପ ଗୁଣ ନାମ ବେଭାରେ ।। ୧୬
ଯେ ଦୁଃଖସୁଖ ଆଦି କରି । ଲଭଇ କର୍ମକୁ ଆବୋରି ।। ୧୭
ଦେଖ ଏ ଅନିତ୍ୟ-ଶରୀର । ମାୟା-ଚରିତ ଆତ୍ମାସାର ।। ୧୮
ତାହାର ଗୁଣ ଅନୁସାରେ । ପ୍ରାଣୀ ଯେ କର୍ମମାନ କରେ ।। ୧୯
କ୍ଷେତ୍ରଜ୍ଞାଭାବକୁ ସେ ବହି । ସକଳ-ସାକ୍ଷୀ ହୋଇ ରହି ।। ୨୦
ତେଣୁ କହନ୍ତି ବେଦସାର । ଗୁଣନିର୍ଗୁଣ ଏ ବିଚାର ।। ୨୧
ସଗୁଣେ ପ୍ରାଣୀମାନଙ୍କର । ନାନାବ୍ୟସନର ଆଚାର ।। ୨୨
ନିର୍ଗୁଣଭାବକୁ ଯେ ଧରେ । ସେ ପ୍ରାଣୀ ଭବସିନ୍ଧୁ ତରେ ।। ୨୩
ଘୃତ-ପ୍ରଦୀପ ପ୍ରାୟେ ହୋଇ । ସଗୁଣେ ସଂସାରେ ଭ୍ରମଇଁ ।। ୨୪
ଦ୍ରବ୍ୟ ସ୍ୱଭାବ କାଳ କର୍ମ । ଆଶ୍ରୟ ଅଙ୍ଗ ହେ ରାଜନ ।। ୨୫
ମାୟାରବଳେ ଏ ସଂସାରେ । ପ୍ରାଣୀମାନଙ୍କ ମନ ହରେ ।। ୨୬
କ୍ଷେତ୍ରଜ୍ଞଭାବକୁ ଆଚରି । ଶରୀର ରହିଛି ଆବୋରି ।। ୨୭
ପ୍ରତ୍ୟକ୍ଷଭାବେ କେବେ ଥାଇ । କେବେ ବା ପ୍ରାଣୀ ନ ଜାଣଇ ।। ୨୮
ଶୁଦ୍ଧ-ଅଶୁଦ୍ଧ ଏ ଶରୀରେ । ଦେଖଇ ଭୁଞ୍ଜଇ ବିକାରେ ।। ୨୯
ଅପରେ ଶୁଣ ହେ ରାଜନ । କ୍ଷେତ୍ରଜ୍ଞ ପୁରୁଷ-ପୁରାଣ ।। ୩୦
ପରମଆତ୍ମା ଜ୍ୟୋତିର୍ମୟ । ଅନାବୃତ ସେ ସର୍ବଦେହ ।। ୩୧
ସେ ନାରାୟଣ ଭଗବାନ । ବାସୁଦେବ ଆଦିକାରଣ ।। ୩୨
ଯାର ସ୍ମରଣେ ପାପମାନ । ବିଶେଷେ ହୁଅନ୍ତି ଖଣ୍ତନ ।। ୩୩
ସ୍ୱକୀୟ-ମାୟାରେ ଜଗତ । କ୍ରୀଡା କରି ଅବିରଚ ।। ୩୪
ସ୍ଥାବରଜଙ୍ଗମାଦିଠାରେ । ପବନ ଯେସନେ ସଞ୍ଚରେ ।। ୩୫
ତେମନ୍ତ ହୋଇ ସର୍ବଠାରେ । କ୍ଷେତ୍ରଜ୍ଞରୂପେ ସେ ବିହରେ ।। ୩୬
ଯାବତକାଳ ପ୍ରାଣୀମନ । ମାୟାକୁ ନ କରେ ଖଣ୍ତନ ।। ୩୭
ଷଡ଼ଅଇରି ନ ଜିଣଇ । ବିମୁକ୍ତସଙ୍ଗ ସେ ନୁହଇ ।। ୩୮
ପ୍ରଭୁଙ୍କୁ ଏ ରୂପେ ନ ଜାଣେ । ତାବତ ଭ୍ରମେ ଅକାରଣେ ।। ୩୯
ସଂସାର-ତାପେ ଗ୍ରସ୍ତମନ । ସେ ଯେ ଅନାଦି ନାରାୟଣ ।। ୪୦
ଯାବତ ତାଙ୍କୁ ନ ଚିହ୍ନଇ । ଶୋକ-ମୋହରେ ଭ୍ରମୁଥାଇ ।। ୪୧
ତୁ ଏବେ ଶୁଣ ନୃପବର । ସେ ଯେ ବ୍ରହ୍ମାଣ୍ତର ଠାକୁର ।। ୪୨
ଅଖିଳପ୍ରାଣୀଙ୍କର ଗୁରୁ । ଯାର ମହିମା ମହାମେରୁ ।। ୪୩
ତାହାର ଚରଣାରବିନ୍ଦେ । ମନ ନିବଶେି ଅପ୍ରମାଦେ ।। ୪୪
ମାୟା-କପଟ ଏ ସଂସାର । ତୁ ଏହା ଶୀଘ୍ର ପରିହର ।। ୪୫
ପଞ୍ଚମସ୍କନ୍ଧେ ବିପ୍ରବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୪୬
ସେ ପ୍ରଭୁ ପାଦକମଳରେ । ମନ ମୋ ରହୁ ନିରନ୍ତରେ ।। ୪୭
କହଇ ବିପ୍ର ଜଗନ୍ନାଥ । ହରିଚରିତ ଭାଗବତ ।। ୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣରହୂଗଣସମ୍ବାଦେ
ଏକଦଶୋଽଧ୍ୟାୟଃ ।।

ଦ୍ୱାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ରହୂଗଣ ଉବାଚ

ନମଇଁ ପ୍ରଭୁ ବିପ୍ରବର । ପ୍ରାଣୀଙ୍କ ହିତେ ତୋ ଶରୀର ।। ୧
ସ୍ୱଇଚ୍ଛା-ବିହାର ତୋହର । ନମସ୍ତେ ଦୟାର ସାଗର ।। ୨
ବେଶରେ ତୁହି ଅବଧୂତ । ମାୟାରୂପରେ ତୁ ଯେ ସ୍ଥିତ ।। ୩
ଗୁପତଭାବେ ଭ୍ରୁମ ତୁହି । ତୋହର ମାୟା କେ ଜାଣଇ ।। ୪
ବିଅର୍ଥେ ପ୍ରାଣୀ ଆତଯାତ । ତୁ ଯେ ମାୟାର ପରେ ସ୍ଥିତ ।। ୫
ବ୍ୟାଧିରେ ପୀଡିତ ଯେ ଜନ । ତାହର ଔଷଧି ଯେସନ ।। ୬
ନିଦାଘ-ଆତପେ ପୀଡିତ । ତାହାକୁ ଯେହ୍ନେ ଜଳଶୀତ ।। ୭
ସଂସାର-ଦୁଃଖ-ଦାବାନଳ । ତହିଁ ମୁଁ ହୋଇଲି ଆକୁଳ ।। ୮
ପୀୟୂଷରସ ତୁମ୍ଭ ବାଣୀ । ପିଇ ତରିଲି ଦ୍ୱିଜମଣି ।। ୯
ସଂଶୟ ମନରୁ ମୋହର । ତୁମ୍ଭେ ଛେଦିବ ବିପ୍ରବର ।। ୧୦
ଅଜ୍ଞାନ-ଜଡ଼ଭାବ ଥିଲେ । ତାହା ଛେଦିବ ତୁମ୍ଭେ ଭଲେ ।। ୧୧
ଅଧ୍ୟାତ୍ମଯୋଗ ତୋ ବଚନ । ଶୁଣି ସନ୍ତୋଷ ମୋର ମନ ।। ୧୨
ତ‌ତ୍ତ୍ୱଜ୍ଞାନରେ ପ୍ରାଣୀଙ୍କର । ମନ ନୋହଇ ଦୃଢ଼ତର ।। ୧୩
ଯେତେ ଏ କ୍ରିୟାଫଳମାନ । କହିଲ ଈଶ୍ୱର-ଅଧୀନ ।। ୧୪
ପରମତ‌ତ୍ତ୍ୱ ଏ ବେଭାର । ପୃଥୁଳବୁଦ୍ଧି ମାନଙ୍କର ।। ୧୫
ଏ ଯେ ସଂଶୟ ମନେ ମୋର । ଭୋ ବିପ୍ର ଛେଦନ ତୁ କର ।। ୧୬

ଜଡ଼ଭରତ ଉବାଚ

ପାର୍ଥିବ-ବିକାର ଯେହୁଟି । ଭାରକୁ ବହଇ ସେହିଟି ।। ୧୭
ଶ୍ରମ ଯେ ହୋଇବ କାହାର । ଏହାକୁ ବୁଝ ନୃପବର ।। ୧୮
ଶରୀରେ ଅଛି ଯେ ଚରଣ । ତହିଁ ଉପରେ ଗୁଳ୍‌ଫ ଜାଣ ।। ୧୯
ଜାନୁ ଊରୁ ଯେ ମଧ୍ୟଦେଶ । ବକ୍ଷସ୍ଥଳ ଯେ ସ୍କନ୍ଧଦେଶ ।। ୨୦
ସ୍କନ୍ଧରେ ବିମାନ ଅଛଇ । କେ ତାର ଭାରକୁ ବହଇ ।। ୨୧
ତହିଁରେ ଅବୟବ ବହି । ସୌବୀର ରାଜା ବସିଛଇଁ ।। ୨୨
ସେ ଅଟେ ପାର୍ଥିବ-ବିକାର । ଏହା ତୁ ନୃପ ହେତୁକର ।। ୨୩
ଏହି ବିକାରେ ଅଭିମାନ । ତୋହର ହୋଇଛି ରାଜନ ।। ୨୪
ଏ ଯେ ସଂସାରେ ପ୍ରାଣୀମାନେ । ନୃପସେବକ ନାମ ଭିନ୍ନେ ।। ୨୫
କେହୁ କାହାକୁ ନମସ୍କାର । କରଇ ଆଚାର ବେଭାର ।। ୨୬
ଏ ଜୀବମାନେ ବସି ତହିଁ । ନାନା-କୁକଥାମାନ କହି ।। ୨୭
ମୁଁ ନୃପ ବୋଲି ଅହଙ୍କାର । ଏ ମୂଢ଼ଲୋକଙ୍କ ବେଭାର ।। ୨୮
ପ୍ରାଣୀଙ୍କି ଦଣ୍ତ ଦେଉ ତୁହି । ଏମନ୍ତେ ନାନାକଥା କହି ।। ୨୯
ପ୍ରମତ୍ତଭାବକୁ ଧଇଲୁ । ଏଣୁ ତୁ ମୋତେ ନ ଚିହ୍ନିଲୁ ।। ୩୦
ଦେଖ ଏ ଅଖିଳସଂସାର । ଜନ୍ମଇଁ ଯହୁଁ ଚରାଚର ।। ୩୧
ଯା ତହୁଁ ନାନା ଯାହାପରେ । ବଡ଼ଟି ନାହିଁ ଏ ସଂସାରେ ।। ୩୨
ପରମ ଅଣୁ ସୂକ୍ଷ୍ମ ସ୍ଥୂଳ । ଏ ଆଦି ଯେତେକ ସକଳ ।। ୩୩
ତା ବିନୁ ଅନ୍ୟ କେହି ନାହିଁ । ଅଜ୍ଞାନମତି ନ ଜାଣଇ ।। ୩୪
ବୃହତ କ୍ଷୁଦ୍ର ଆଦି ଯେତେ । ନିର୍ଜୀବ ସଜୀବ ସହିତେ ।। ୩୫
ଦ୍ରବ୍ୟ ସ୍ୱଭାବ କାଳ କର୍ମ । ପୃଥକଭାବ ଯେହୁ ନାମ ।। ୩୬
ଜ୍ଞାନ ବିଶୁଦ୍ଧ ସେ ଅଟଇ । ପରମଆତ୍ମା-ରୂପ ବହି ।। ୩୭
ଏକ ଅନେକ ସର୍ବ ସେହି । ପ୍ରଭୁଙ୍କ ବିନୁ ଆନ ନାହିଁ ।। ୩୮
ସର୍ବଜ୍ଞପୁରୁଷ ଅଚ୍ୟୁତ । ତାହାର ଲୀଳା ଏ ଜଗତ ।। ୩୯
ସେ ପ୍ରଭୁ ଅଖିଳକାରଣ । ମୁନିଏ କରନ୍ତି ଗାୟନ ।। ୪୦
ହେ ରହୂଗଣ ସାବଧାନେ । ଶୁଣ ତୁ ମୋହର ବଚନେ ।। ୪୧
ବିବିଧ-ତପ ଯଜ୍ଞକର୍ମ । କି ଅବା ବେଦଅଧ୍ୟୟନ ।। ୪୨
ଏ ଆଦି ଯେତେ ହେ ରାଜନ । ସକଳ-ଶ୍ରେଷ୍ଠ ଭକ୍ତଜନ ।। ୪୩
ଯା ପାଦରଜେ ପାପମାନ । ନିଃଶେଷେ ହୁଅନ୍ତି ଖଣ୍ତନ ।। ୪୪
ଉତ୍ତମଶ୍ଳୋକ କଥାସାର । ଯେ ପ୍ରାଣୀ କରନ୍ତି ଉଚ୍ଚାର ।। ୪୫
ଗ୍ରାମ୍ୟକଥାରେ ତାର ମତି । କେବେହେଁ ନୁହଁଇ ସଙ୍ଗତି ।। ୪୬
ଯେବେ ନିଶ୍ଚଳଭାବେ ମନ । ପ୍ରଭୁରେ କରଇ ଅର୍ପଣ ।। ୪୭
ତାହାଙ୍କୁ ପ୍ରଭୁ ଭାବଗ୍ରାହୀ । ସ‌ତ୍ତ୍ୱପ୍ରଧାନ-ମତି ଦେଇ ।। ୪୮
ଏବେ ତୁ ଶୁଣ ନୃପମଣି । ଆମ୍ଭର ପୂର୍ବଜନ୍ମ-ବାଣୀ ।। ୪୯
ଭରତ ନାମେ ରାଜା ମୁହିଁ । ବ୍ରହ୍ମାର ବଂଶେ ଜାତ ହୋଇ ।। ୫୦
ସର୍ବସମ୍ପଦ ଦୂର କଲି । ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି ।। ୫୧
ପୂର୍ବଅର୍ଜିତ କର୍ମଫଳ । ମୃଗବାଳକେ ମତିଭୋଳ ।। ୫୨
ଯେଣୁ ଅସାଧୁସଙ୍ଗ କଲି । ମୃଗଶରୀର ମୁଁ ପାଇଲି ।। ୫୩
ପୂର୍ବଜନ୍ମର ପୁଣ୍ୟ ଥିଲା । ପ୍ରଭୁଙ୍କ କରୁଣା ହୋଇଲା ।। ୫୪
ତେଣୁ ପୂର୍ବର କଥାମାନ । ମୋହର ହୋଇଲା ସ୍ମରଣ ।। ୫୫
ଏବେ ହୋ ଶୁଣ ନୃପବର । ଲଭିଲି ବ୍ରାହ୍ମଣ-ଶରୀର ।। ୫୬
ଏଣୁ ସଙ୍ଗକୁ ମୁହିଁ ଡ଼ରି । ଏ ଜଡ଼ରୂପକୁ ଆବୋରି ।। ୫୭
ଭ୍ରମଇଁ ଏ ଘୋର-ସଂସାରେ । କର୍ମବନ୍ଧନ ଖଣ୍ତିବାରେ ।। ୫୮
ଏକାକୀ ନିବୃତ୍ତ-ବେଭାରେ । ମନ ନିବେଶି କୃଷ୍ଣଠାରେ ।। ୫୯
ଶୁଣ ରାଜନ ଏକମନେ । ଏଣୁ ସଂସାରେ ପ୍ରାଣୀମାନେ ।। ୬୦
ଅସତ-ସଙ୍ଗୁ ମୋକ୍ଷ ନୋହେ । ନାନାଯୋନିରେ ଦେହ ବହେ ।। ୬୧
ସାଧୁସଙ୍ଗତେ ସଙ୍ଗ ଯାର । ପବିତ୍ର ହୁଏ ତା ଶରୀର ।। ୬୨
ନିଶ୍ଚଳମତି ସେ ହୁଅଇ । ସଂସାରସାଗରୁ ତରଇ ।। ୬୩
ସାଧୁସଙ୍ଗତି ପ୍ରଭାବରେ । ପ୍ରଭୁର କୃପା ହୋଇ ତାରେ ।। ୬୪
ସେ ଯେ ଅନାଦି ଚକ୍ରଧର । ଜଗତବନ୍ଧୁ ଦାମୋଦର ।। ୬୫
ସେ ପ୍ରଭୁ ପଦ୍ମପାଦତଳେ । ମୋ ମନ ରହିବ ନିଶ୍ଚଳେ ।। ୬୬
ଜଡ଼ଭରତ-ତ‌ତ୍ତ୍ୱବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୬୭
ବୋଲଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ।। ୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣ-ରହୂଗଣ ସମ୍ବାଦେ
ଦ୍ୱାଦଶୋଽଧ୍ୟାୟଃ ।।

ତ୍ରୟୋଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଜଡ଼ଭରତ ଉବାଚ

ଏ ପଥ ଅତ୍ୟନ୍ତ-ଦୁର୍ଗମ । ପ୍ରବୃତ୍ତିମାର୍ଗ ଯାର ନାମ ।। ୧
ମାୟାରେ ତହିଁ ପ୍ରବେଶିଣ । ଯେ ଭବ ଗହନ-ଅରଣ୍ୟ ।। ୨
ସ‌ତ୍ତ୍ୱ-ରଜ-ତମର ମତେ । ପୃଥକଭାବେ କର୍ମ ଚିନ୍ତେ ।। ୩
ସଂସାର-ଅରଣ୍ୟେ ଭ୍ରମଇଁ । ସୁଖର ଲେଖ ତାର ନାହିଁ ।। ୪
ଯେମନ୍ତେ ବଣିଜାରମାନେ । ଅର୍ଥଅର୍ଜନ ଲୋଭମନେ ।। ୫
ଏ ଯେ ସଂସାର ମହାଘୋର । ଅରଣ୍ୟ ଅତି ଭୟଙ୍କର ।। ୬
ଏଥି ନିବେଶେ ମୂଢ ମନ । ନାନାଯାତନାର ଯେ ସ୍ଥାନ ।। ୭
ଯେ ବନେ ଷଡ଼ଇନ୍ଦ୍ରି-ଚୋର । ନାନାଭୋଗରେ ତତପର ।। ୮
ଦେଖ ସଂସାରେ କୁନାୟକ । ବୁଦ୍ଧି-ସାରଥି ଅବିବେକ ।। ୯
ଶୃଗାଳତୁଲ୍ୟ ଦାରାପୁତ୍ର । ସେ ବନେ ଅଛନ୍ତି ନିରତ ।। ୧୦
ଯେ ଯାହା ମତେ ଆକର୍ଷନ୍ତି । ମେଷକୁ ଯେହ୍ନେ ବୃକପନ୍ତି ।। ୧୧
ସେ ବନେ ଲତା ତୃଣ ଗୁଳ୍ମ । ଗହ୍ୱରପ୍ରାୟ କାମ୍ୟକର୍ମ ।। ୧୨
ଦୁର୍ଜନ-ମଶକାଦି ତେଣେ । ପୀଡ଼ନ୍ତି କଠୋର-ଦଂଶନେ ।। ୧୩
ଗନ୍ଧର୍ବପୁରପ୍ରାୟ ଦେହେ । ମଣେ ଅସତ୍ୟ ସତ୍ୟପ୍ରାୟେ ।। ୧୪
ନିବାସ ପଶୁ ଯେ ଦ୍ରବିଣ । ତହିଁରେ ହୋଇ ହୃଷ୍ଟମନ ।। ୧୫
କରଇ ତହିଁ ଆତ୍ମବୁଦ୍ଧି । ଏମନ୍ତ ବନେ ସେ ଦୁର୍ବୁଦ୍ଧି ।। ୧୬
ବାତ-ଭ୍ରମିତ ରେଣୁ ଲାଗି । ଚକ୍ଷୁ ହୁଅଇ ଦୁଃଖଭାଗୀ ।। ୧୭
ବିବିଧ-ଘୋରସ୍ୱନ ଲାଗି । କର୍ଣ୍ଣ ହୁଅଇ ଦୁଃଖଭାଗୀ ।। ୧୮
ଉଲ୍ଲକଆଦି ଘୋରବାଣୀ । ଆତ୍ମା ଦୁଃଖିତ ତାହା ଶୁଣି ।। ୧୯
କ୍ଷୁଧାପୀଡିତ ଯେବେ ହୋଇ । ନିଷ୍ଫଳ-ବୃକ୍ଷକୁ ଧାମଇଁ ।। ୨୦
କେବେ ବା ମୃଗତୃଷ୍ଣା ଦେଖି । ତୃଷାରେ ଧାମଇଁ ନିରେଖି ।। ୨୧
ନିରାଶ ହୋଇଣ ତହିଁରେ । ଧାମଇଁ ଶୁଷ୍କନଦୀତୀରେ ।। ୨୨
ଅନ୍ୟୋନ୍ୟଭାବକୁ ସେ ବହି । ନିର୍ଦ୍ଧନ-ପ୍ରାଣୀଙ୍କି ମାଗଇ ।। ୨୩
ଦାରା ତନୟ ଅଗ୍ନି ପ୍ରାୟେ । ତହିଁ କ୍ରୀଡ଼ଇ ମାୟାମୋହେ ।। ୨୪
କେବେହେଁ ଶାନ୍ତି ନ ଭଜଇ । ପୁଣି ଉଦ୍‌ବେଗ-ମନ ହୋଇ ।। ୨୫
ବିବିଧ-ଶୋକ-ଦୁଃଖ ପାଇ । ପରମକ୍ଲେଶକୁ ଲଭଇ ।। ୨୬
ଗନ୍ଧର୍ବପୁରେ ପ୍ରବେଶିଣ । ପ୍ରମୋଦଲଭେ ଏକକ୍ଷଣ ।। ୨୭
କଣ୍ଟକ-ଦୁର୍ଗମ-ପାଷାଣେ । ନିରତେ ଭ୍ରମେ ଅକାରଣେ ।। ୨୮
ବିମନ ହୋଇ ଦୁଃଖପାଇ । କ୍ଷଣକେ ପୁଣି ପାଶୋରଇ ।। ୨୯
ଅନ୍ତର-ବାହାରେ ଯନ୍ତ୍ରିତ । ପ୍ରାଣୀ ହୁଅଇ ଅବିରତ ।। ୩୦
କୁଟୁମ୍ବ ପାଇଁ ନାନାପାପ । ବିପକ୍ଷପକ୍ଷେ ବହେ କୋପ ।। ୩୧
ଦୁଷ୍ଟଜନ୍ତୁରେ ପୀଡ଼ା ପାଇ । ବିପିନେ ନିରତେ ଭ୍ରମଇଁ ।। ୩୨
ଅନ୍ଧ ଯେସନେ ଅନ୍ଧକୂପେ । ପଡ଼ଇ କର୍ମର ବିପାକେ ।। ୩୩
ସେ ଭବବନେ କଦାଚିତ । ପରଯୋଷିତେ ହୋଇରତ ।। ୩୪
ତା ସ୍ୱାମୀ ଦେଖିଲେ ଦଣ୍ତଇ । ତହିଁରେ ବ୍ୟଥିତ ହୁଅଇ ।। ୩୫
କାହିଁ ବା ଶୀତ ବର୍ଷା ବାତ । ଗ୍ରୀଷମେ ହୁଅଇ ପୀଡିତ ।। ୩୬
ଧନବିହୁନେ ଗୃହ ନାହିଁ । ଶଯ୍ୟା ଆସନ ଅବା କାହିଁ ।। ୩୭
ଲୋଡ଼ଇ ପୁଣି ପରଧନ । ତେଣେ ହୁଅଇ ହୀନିମାନ ।। ୩୮
ଦୁଃଖେ ଅର୍ଜିତ ଯେତେ ଧନ । କେହି ବା ହରାଇ ବିପନ୍ନ ।। ୩୯
ତାହାଙ୍କ ତେଜି ଅନ୍ୟେ ଯାନ୍ତି । ପୁଣି ଲେଉଟି ନ ଆସନ୍ତି ।। ୪୦
ଏ ମୋର ଭୂମି ମୋର ଗୃହ । ପଣ୍ତିତେ କରନ୍ତି କଳହ ।। ୪୧
ଯେ ସର୍ବ ଶ୍ରୀକୃଷ୍ଣେ ଅର୍ପଇ । ତା ଗତି ପାଇବେ ସେ କାହିଁ ।। ୪୨
ବାଳଭାଷିତେ ମୋହ ହୋଇ । ଯୋଷିତ-ଭୁଜଲତା କେହି ।। ୪୩
ଆଶ୍ରୟ କରି କାଳଡରେ । ପାଷଣ୍ତ ସଙ୍ଗତେ ବିହରେ ।। ୪୪
ତହିଁ ବଞ୍ଚିତ ହୋଇ ପୁଣ । ହଂସର ତୁଲ୍ୟ ବିପ୍ରଗଣ ।। ୪୫
ସେଙ୍ଗ ବିହରେ କିଛିକାଳ । ତାଙ୍କ ଆଚାର କୁଳଶୀଳ ।। ୪୬
ଦେଖି ନ ମଣେ ତାକୁ ଈଷ୍ଟ । ମର୍କଟ ସଙ୍ଗେ ହୁଏ ଭ୍ରଷ୍ଟ ।। ୪୭
କେବେ ବା ପ୍ରମାଦ ବଶରେ । ପଡଇ ଗିରି କନ୍ଦରରେ ।। ୪୮
ପୁଣି ଭ୍ରମଇଁ ଛାଡି କରି । ନିର୍ଭୟ-ପଥକୁ ଆବୋରି ।। ୪୯
ତହିଁ ଅତି-କଷ୍ଟରୁ ନର । ବାହୁଡି ଭ୍ରମଇଁ ଅପାର ।। ୫୦
ପୁଣି ଆତ୍ମାର ତ‌ତ୍ତ୍ୱବାଣୀ । କ୍ଷଣକେ ପାଶୋରଇ ପ୍ରାଣୀ ।। ୫୧
ମାୟା-ରଚିତ ଏ ସଂସାର । ନିସ୍ତାର ନୋହେ ମୂଢନର ।। ୫୨
ନାନାକୁକର୍ମରେ ଭ୍ରମନ୍ତି । ଆତ୍ମା-କାରଣ ନ ଜାଣନ୍ତି ।। ୫୩
ହେ ରହୂଗଣ ଏ ସଂସାର । ଦୁର୍ଗମପଥ ଯେ ଏହାର ।। ୫୪
ସେ ଜୀବଆତ୍ମା ଏଣୁ ତୁଲ୍ୟ । ଜାଣଇ ପ୍ରାଣୀ-ମନ୍ଦଭଲ ।। ୫୫
ସୁଜିତଆତ୍ମା ହୋଇ ତହିଁ । ହରିସେବାରେ ମନଦେଇ ।। ୫୬
ଜ୍ଞାନଖଡଗ ଧରି କର । ନିଶ୍ଚିନ୍ତେ ଏଥୁ ହୁଅ ପାର ।। ୫୭

ରହୂଗଣ ଉବାଚ

ସାଧୁମାନଙ୍କ ଜନ୍ମସାର । ସଂସାରେ କିବା ଜନ୍ମ ଆର ।। ୫୮
ଯେ ଜନ ହୃଷୀକେଶ-ଗୁଣ । ବଦନେ କରେ ଉଚ୍ଚାରଣ ।। ୫୯
ଶ୍ରବଣେ ଶୁଣି ଯଶଗାଇ । ସୁସାଧୁ ସଙ୍ଗତେ ବସଇ ।। ୬୦
ଭୋ ସ୍ୱାମୀ ତୁମ୍ଭ ପାଦରେଣୁ । ମୋ ଦେହେ ଲାଗିଲାକ ଯେଣୁ ।। ୬୧
ସର୍ବଦୁରିତ କ୍ଷୟଗଲା । ମନ ମୋ ନିର୍ମଳ ହୋଇଲା ।। ୬୨
ଅବିଦ୍ୟାକର୍ମ ଯେ ମୋହର । ଭୋ ସ୍ୱାମୀ ସମାଗମେ ତୋର ।। ୬୩
ଅବିବେକାଦି ଯେ ପ୍ରମାଦେ । ହତ ହୋଇଲେ ତୋ ପ୍ରସାଦେ ।। ୬୪
ନମଇଁ ମହତ-ଈଶ୍ୱର । ନମସ୍ତେ ଶିଶୁରୂପଧର ।। ୬୫
ତୁ ନାଥ ଯୁବାରୂପଧର । ତୋତେ ମୋହର ନମସ୍କାର ।। ୬୬
ଅବଧୂତରୁପକୁ ଧରି । ପୃଥିବୀ ପର୍ଯ୍ୟଟନ କରି ।। ୬୭
ଏମନ୍ତ ରୂପ ଯେ ତୁମ୍ଭର । ତୋ ପାଦେ ମୋର ନମସ୍କାର ।। ୬୮
ଏ ରୂପ ଧରି ଯେ ବ୍ରାହ୍ମଣ । ପୃଥିବୀ କରେ ପର୍ଯ୍ୟଟନ ।। ୬୯
ପ୍ରଜାଙ୍କ କୁଶଳ ନିମନ୍ତେ । ଭାବେ ଭ୍ରମଣ ଏ ଜଗତେ ।। ୭୦

ଶୁକ ଉବାଚ

ଏମନ୍ତେ ରହୂଗଣ ବାଣୀ । ସାନନ୍ଦେ ଶୁଣି ବିପ୍ରମଣି ।। ୭୧
ପରମ-କରୁଣାକୁ ବହି । ରହୂଗଣକୁ ତ‌ତ୍ତ୍ୱ କହି ।। ୭୨
ହରଷ ହୋଇ ରହୂଗଣ । ବନ୍ଦିଲେ ତାହାଙ୍କ ଚରଣ ।। ୭୩
ରାଜାର ପୂଜାକୁ ଘେନିଲେ । ଧରଣୀ-ଭ୍ରମଣେ ଗମିଲେ ।। ୭୪
ସେ ନରପତି ରହୂଗଣ । ପରମତ‌ତ୍ତ୍ୱକୁ ପାଇଣ ।। ୭୫
ଆତ୍ମା ଅବିଦ୍ୟା ଧ୍ୟାନ ଯେତେ । ଦେହ ଅହଙ୍କାର ସହିତେ ।। ୭୬
ତକ୍ଷଣେ ଛାଡ଼ିଲା ସକଳ । ଶୁଣ ପରୀକ୍ଷ ମହୀପାଳ ।। ୭୭
ଆଶ୍ରିତ-ଭାଗବତଜନ । ଏଡ଼େ ପ୍ରଭାବ ହେ ରାଜନ ।। ୭୮

ପରୀକ୍ଷିତ ଉବାଚ

ଯେତେ ପ୍ରକାରେ ଏ ସଂସାର । ବର୍ଣ୍ଣିଲେ ବ୍ରାହ୍ମଣ-କୁମର ।। ୭୯
ଯେ ଭାଗବତ-ଶ୍ରେଷ୍ଠନର । ଜାଣିବ ତହିଁ ବିଚାର ।। ୮୦
ଏହାଙ୍କ ବାକ୍ୟ ଅନୁସରି । ଯେ ପ୍ରାଣି ହେତୁରେ ନ ଧରି ।। ୮୧
ତାଙ୍କର କି ଗତି ଅପାର । ଏ ଯେ ଦୁରଧିଗମ୍ୟ ମୋର ।। ୮୨
ତାହାର ସଂଘଟନ ଯେତେ । ବୁଝାଇ କହ ମୋ ଅଗ୍ରତେ ।। ୮୩
ତୁ ଅନୁଗ୍ରହ କରି କହ । ମୋହର ଫେଡିବା ସନ୍ଦେହ ।। ୮୪
ସେ ବିପ୍ର ରହୂଗଣ ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ।। ୮୫
ସକଳ ପାପୁ ସେ ତରନ୍ତି । ଅନ୍ତେ କୈବଲ୍ୟକୁ ଲଭନ୍ତି ।। ୮୬
କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ।। ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ ।।

ଚତୁର୍ଦ୍ଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏ ଯେଉଁ ସଂସାର-ଅରଣ୍ୟ । ତହିଁରେ ଯେତେ ଜୀବଗଣ ।। ୧
ବେପାରୀ ବଣିଜାର ପ୍ରାୟେ । ସଂସାରମାର୍ଗେ ଭ୍ରମୁଥାଏ ।। ୨
ଭଗବାନ ପ୍ରଭୁ ଈଶ୍ୱର । ଯେ ବିଷ୍ଣୁ ଅଖିଳଠାକୁର ।। ୩
ତାର ମାୟାରେ ମୋହ ହୋଇ । ଏ ଜୀବ କିଛି ନ ଜାଣଇ ।। ୪
ଦେହାଭିମାନୀ ହୋଇ ନର । ସ‌ତ୍ତ୍ୱାଦିଗୁଣେ ତାହାଙ୍କର ।। ୫
କୁଶଳ-ଅକୁଶଳ ଦୁଇ । ମିଶ୍ରଣେ ନିର୍ମିତ ଯେ ହୋଇ ।। ୬
ବିବିଧ ଦେହମାନ ବହି । ସଂଯୋଗ ବିଯୋଗ ସେ ହୋଇ ।। ୭
ଏଣେ ନିର୍ମିତ ଯେ ସଂସାର । ଇନ୍ଦ୍ରିୟଦ୍ୱାରେ ତା ବିହାର ।। ୮
ଦୁର୍ଗମମାର୍ଗ ଏ ସଂସାର । ଇନ୍ଦ୍ରିୟଦ୍ୱାରେ ତା ବିହାର ।। ୯
ଏହାକୁ ମୂଢ ନ ଜାଣଇ । ବିଷ୍ଣୁ ମାୟାରେ ମୋହ ହୋଇ ।। ୧୦
ଘୋର-ଅରଣ୍ୟ ଏ ସଂସାର । ଏଥିରେ ରତ ମୂଢ଼ନର ।। ୧୧
ବିବିଧ ବିଫଳ ଯେ କର୍ମ । ତେଣେ ହୁଅଇ ମତିଭ୍ରମ ।। ୧୨
ପ୍ରଭୁଙ୍କ ଚରଣାରବିନ୍ଦ । ସ୍ୱାଦୁ ସୁଗନ୍ଧ ମକରନ୍ଦ ।। ୧୩
ତାହାକୁ ଆସ୍ୱାଦ ଯେ କରି । ଅଛନ୍ତି ସେ ପଦ ଆବୋରି ।। ୧୪
ତାହାଙ୍କଠାରେ ଏ ସଂସାର । ହୁଅଇ ସୁଖର ଆକର ।। ୧୫
ପାପ ନାଶଇ ସୁଖ ଦେଇ । ଏମନ୍ତ ପଦବୀ ସେ ହୋଇ ।। ୧୬
ସେ ପଥ ଆଶ୍ରୟ ନ କରି । ଭ୍ରମନ୍ତି ମାୟାକୁ ଆବୋରି ।। ୧୭
ଏ ଦେହେ ଯେତେ ଇନ୍ଦ୍ରିଗଣ । ଚଉର ବୋଲି ତାଙ୍କୁ ଜାଣ ।। ୧୮
ପରମଗୁରୁ ଆରାଧନ । ଏ ଆଦି ଯେତେ ଶୁଭକର୍ମ ।। ୧୯
ବହୁ କୁଚ୍ଛ୍ରାଦି ତପଫଳ । ବଳେ ହରନ୍ତି ମହୀପାଳ ।। ୨୦
ଦୃଷ୍ଟିରେ ବସ୍ତୁରୂପ ଦେଖି । କରେ ସ୍ପରଶ ଉପଲକ୍ଷି ।। ୨୧
ଶବଦ ଶୁଣଇ କର୍ଣ୍ଣରେ । ଆସ୍ୱାଦ କରଇ ଜିହ୍ୱାରେ ।। ୨୨
ଏ ଆଦି ଯେତେ ଇନ୍ଦ୍ରିଗଣ । ନାନା-ଉପଭୋଗ କାରଣ ।। ୨୩
ଗ୍ରାମ୍ୟ-ଭୋଗରେ ଭୋଳ ହୋଇ । ଅଜିତେନ୍ଦ୍ରିୟ ଯେତ ଦେହୀ ।। ୨୪
କରନ୍ତି ଆତ୍ମାପୁଣ୍ୟ ଦୂର । ତେଣୁ ସେ ମୂଢ଼ ନୃପବର ।। ୨୫
ଅଥବା କୁଟୁମ୍ବ ବିଷୟେ । ଅପତ୍ୟ-ସ୍ନେହ ମାୟାମୋହେ ।। ୨୬
କଦର୍ଯ୍ୟା-କୁଟୁମ୍ବ-ଭରଣ । ମୋହେ ହୁଅନ୍ତି ହତଜ୍ଞାନ ।। ୨୭
ଦାରା ତନୟ ନାମ ବହି । ବ୍ୟାଘ୍ର ଶୃଗାଳ ପ୍ରାୟ ହୋଇ ।। ୨୮
ନାଶନ୍ତି ତାର ଧର୍ମ-ଧନ । ମେଷ ଶାବକକୁ ଯେସନ ।। ୨୯
ଯେସନେ କୃଷିକାରୀ ଜନେ । ଅନୁବତ୍ସର କରଷଣେ ।। ୩୦
ଯେ ତୃଣ ଗୁଳ୍ମ ଲତା ଆଦି । ନିଃଶେଷେ ନ ପାରନ୍ତି ଛେଦି ।। ୩୧
ସେ ବୀଜ କେବେ ନଷ୍ଟ ନୋହେ । ପୁଣି ସେ କ୍ଷେତ୍ରେ ଉଦେ ହୋଏ ।। ୩୨
ସେ ରୂପେ ଏ ଯେ ଗୃହାଶ୍ରମ । କର୍ମନାଶନେ ନୋହେ କ୍ଷମ ।। ୩୩
ଦଂଶ ମଶକ ନୀଚଜନ । କ୍ରୀଡା କରିଣ ହରେ ଧନ ।। ୩୪
ଶଲଭ ଶକୁନ୍ତ ତସ୍କର । ମୂଷିକ ଆଦି ପୀଡା ଘୋର ।। ୩୫
ଅବିଦ୍ୟା-କାମ୍ୟକର୍ମେ ମନ । ଜଡିଣ ଥାଇ ଅନୁକ୍ଷଣ ।। ୩୬
ବାସନା କ୍ଷୀଣ ତାର ନୋହି । ଏ ନରଲୋକେ ଭ୍ରମୁଥାଇ ।। ୩୭
ଗନ୍ଧର୍ବ-ନଗର ପରାୟେ । ମିଥ୍ୟାକୁ ସତ୍ୟେ ଦେଖେ ରାୟେ ।। ୩୮
ଏ ଯେ ଗନ୍ଧର୍ବ ନଗରରେ । ବିଷୟ-ମୃଗତୃଷ୍ଣାତୁରେ ।। ୩୯
ମଦ୍ୟ ମାଂସ ଯେ ସ୍ପୀସଙ୍ଗମ । ନିରତେ ଏଣେ ହୋଏ ଭ୍ରମ ।। ୪୦
ଦାରା ତନୟ ଗୃହେ ଥାଇ । କେବଳ କ୍ଳେଶକୁ ଲଭଇ ।। ୪୧
ଅଶେଷ ଦୋଷଙ୍କର ସ୍ଥାନ । ଅଗ୍ନି-ପୁରୀଷ ଯେ ସୁବର୍ଣ୍ଣ ।। ୪୨
ତେଣେ ସେ ଦେଇଥାଇ ବୁଦ୍ଧି । ସୁବର୍ଣ୍ଣ-ଅର୍ଜନେ ଅବଧି ।। ୪୩
ଯେସନେ ଶୀତାତୁରଜନେ । ପିଶାଚ ଅଗ୍ନି ଦେଖି ବନେ ।। ୪୪
ଅଗ୍ନିମଣି ତାକୁ ପ୍ରତ୍ୟକ୍ଷେ । ଧାଇଁ ଛୁଟଇ ତାର ପଛେ ।। ୪୫
ସ୍ୱଭାବେ ଅଗ୍ନି ସେ ନୁହଇ । ତାକୁ ପାଇବ ଅବା କାହିଁ ।। ୪୬
କେବେ ବା ଗୃହାଶ୍ରମକର୍ମେ । ମନ ନିବେଶି ସେ ଯେ ଭ୍ରମେ ।। ୪୭
କେବେହେଁ କୁଟୁମ୍ବ ଆବୋରି । ବାତ-ଉପମା ସେ ଯେ ନାରୀ ।। ୪୮
ତାହାଙ୍କ ଅଙ୍କ ଆଶ୍ରେ କରେ । ଧୂଳି-ଉପମା ତା ସ୍ନେହରେ ।। ୪୯
ତେଣେ ତା ଦୃଷ୍ଟି ଆବରଣେ । ଦିଗ ଦେବତାଙ୍କୁ ନ ଜାଣେ ।। ୫୦
ପାପା ଆଚରେ ମତିଭ୍ରମେ । ଶାସ୍ତ୍ରମର୍ଯ୍ୟାଦା ଅତିକ୍ରମେ ।। ୫୧
କେବେହେଁ ଦେହ ମିଥ୍ୟା ମାନି । ନିବୃତ୍ତମନ ହୋଏ ପ୍ରାଣୀ ।। ୫୨
ନିଦ୍ରାରେ ସ୍ୱପ୍ନପ୍ରାୟ କରି । କ୍ଷଣକେ ପୁଣି ତା ପାଶୋରି ।। ୫୩
କେବେ ଉଲ୍ଲୁକ ଅବା ଝିଲ୍ଲି । କର୍କଶରାବଠାରୁ ବଳି ।। ୫୪
ରିପୁ ବା ରାଜକୁଳଜନ । କରନ୍ତି ଯେ ଅବା ଭର୍ତ୍ସନ ।। ୫୫
ତେଣେ ବ୍ୟଥିତଚିତ୍ତ ହୋଇ । ବଧିରପ୍ରାୟ ରହିଥାଇ ।। ୫୬
ଯେତେ ସୁକୃତ-କର୍ମଫଳ । ଭୋଗର ଅନ୍ତେ ମହୀପାଳ ।। ୫୭
ଜୀବନସୃତ ଯେତେ ଧନୀ । ତାହାଙ୍କୁ ଅନୁସରେ ପ୍ରାଣୀ ।। ୫୮
ପ୍ରାଣୁ ଅଧିକ ସ୍ନେହ ଭରେ । ସେ ଧନ ରଖେ ନିରନ୍ତରେ ।। ୫୯
ଦେବ ଅତିଥି ପିତୃଜନ । ନ ଦିଏ ନକରେ ଭୋଜନ ।। ୬୦
ଏଣୁ ଅସତସେଙ୍ଗ ନର । ଲଭଇ ପାଷଣ୍ତ ଶରୀର ।। ୬୧
ଉଭୟଲୋକେ ଦୁଃଖ ପାଏ । ଏମନ୍ତ ଜାଣ ନରରାୟେ ।। ୬୨
କେବେ ବା କ୍ଷୁଧା ତୃଷାଭରେ । ଅତି ପୀଡିତ ହୋଇ ନରେ ।। ୬୩
ପିତା ପୁତ୍ର ଯେ ଅନ୍ୟୁ ଅନ୍ୟେ । ନାଶନ୍ତି ପୁଣି ଅନ୍ନବିନେ ।। ୬୪
ଗୃହ ଦ୍ରବିଣ ଦାରା ସୁତ । ଏ ଆଦି ଯେତେ ପ୍ରିୟଅର୍ଥ ।। ୬୫
ତହିଁ କ୍ଲେଶିତ କେହି ହୋଇ । ବନଅନଳେ ଯେହ୍ନେ ଦହି ।। ୬୬
କେବେ ବା ରାଜା ହରେ ଧନ । ନାନାକ୍ଲେଶରେ ଦୁଃଖମନ ।। ୬୭
ଜୀବନମୃତ ପ୍ରାୟ ହୋଇ । କେବେ ବା କ୍ଷଣେ ସେ ରହଇ ।। ୬୮
କେବେ ବା ପିତୃ-ପିତାମହେ । ଚିନ୍ତାରେ ଲଭେ ସ୍ୱପ୍ନ ପ୍ରାୟେ ।। ୬୯
କେବେ ବା ଗୃହାଶ୍ରମ-କର୍ମେ । ମନନିବେଶି ମାୟାଭ୍ରମେ ।। ୭୦
ପାପ-ଅନଳେ ଦେହ ଧରି । ନିତ୍ୟ ଭ୍ରମଇଁ କର୍ମକରି ।। ୭୧
ଲୌକିକ-କର୍ମେ କ୍ଳେଶଜାତ । କ୍ଷଣକ୍ଷଣକେ ଦୁଃଖଚିତ୍ତ ।। ୭୨
କଣ୍ଟକ-ଦୁର୍ଗମ-ପର୍ବତେ । ଅରୋହେ ନାନା କଷ୍ଟମତେ ।। ୭୩
କେବେ ବା କୁଟୁମ୍ବ ଆବୋରି । ବିଷୟା-ବିଷ ପାନକରି ।। ୭୪
କ୍ଷୁଧା-ଅନଳେ ଦହି ହୁଏ । ତେଣୁ କୁଟୁମ୍ବେ କ୍ରୋଧ ବହେ ।। ୭୫
କେବେ ସେ ନିଦ୍ରା-ଅଜଗରେ । ଅଜ୍ଞାନତମେ ଶୋଇ ମରେ ।। ୭୬
ଶ୍ମଶାନ ଶବ ପ୍ରାୟ ହୋଇ । ସୁଖଦୁଃଖକୁ ନ ଜାଣଇ ।। ୭୭
ଦୁର୍ଜନଦ୍ୱନ୍ଦ୍ୱେ ଦୁଃଖକରି । ଉନ୍ନିଦ୍ର-ଭାବକୁ ଆଚରି ।। ୭୮
ବ୍ୟଥିତ-ହୃଦୟକୁ ପାଇ । ଅନ୍ଧ ଯେସନେ କଷ୍ଟେ ଥାଇ ।। ୭୯
ଅଜ୍ଞାନଭାବୁ କଷ୍ଟଚିତ୍ତେ । ପଡ଼ଇ ଅନ୍ଧତମେ ଅନ୍ତେ ।। ୮୦
ସକାମେ ହରି ପରଧନ । କେବେ ତା ନ କରେ ପ୍ରଦାନ ।। ୮୧
ନିରତେ ପରଦାରା ସେବି । ପରକଥାରେ ପରାଭବି ।। ୮୨
ସ୍ୱାମୀରେ ଦ୍ରୋହ ଚିନ୍ତା କରେ । ଦୁର୍ଗମ-ନରକ ଆବୋରେ ।। ୮୩
ଏମନ୍ତେ ଆତ୍ମା-କର୍ମଫଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ।। ୮୪
ଜନ୍ମବାସନାଫଳେ ତାର । ପୁଣି ଜନ୍ମଇ ଏ ସଂସାର ।। ୮୫
ଶୁଣ ରାଜନ ଏକମନେ । ଯେବେ ଏ କର୍ମେ କର୍ମୀମାନେ ।। ୮୬
ଛେଦନ୍ତି କୃଷ୍ଣେ ଆଶ୍ରେ କରି । ତେବେ ସଂସାରୁ ପ୍ରାଣୀ ତରି ।। ୮୭
ଶୀତ ବରଷା ଯେ ତପତି । ତ୍ରିତାପତାପେ ଦୁଃଖମତି ।। ୮୮
ଏ ଆଦି ନିବାରଣ ସେହି । କେବେ ହେଁ କରି ନ ପାରଇ ।। ୮୯
ଦୁରନ୍ତଚିନ୍ତାମଗ୍ନ ହୋଇ । ବିଷର୍ଣ୍ଣଭାବରେ ରହଇ ।। ୯୦
କେବେହେଁ ନାନା ଗୀତନାଦେ । ଦୈବର ବିଭୂତି ସମ୍ପଦେ ।। ୯୧
କେବେହେଁ ହୃଦେ ନ ଚିନ୍ତିବ । ବିଷ୍ଣୁର ପାଦେ ମନଦେବ ।। ୯୨
ଆନର ଧନ ଆନେ ଦେଇ । ସ୍ୱଭାବେ ଦ୍ୱନ୍ଦ୍ୱ ଉପୁଜାଇ ।। ୯୩
ଏ ଯେ ସଂସାର ଘୋରପଥ । ନାନା ଉପସର୍ଗ ସହିତ ।। ୯୪
ଦ୍ୱେଷଭାବକୁ ଲୋକେ ପାଇ । ଅନ୍ତେ ସେ ନରକ ଲଭଇ ।। ୯୫
ଏ ଭାବେ ଆଶ୍ରେ କରି ପ୍ରାଣୀ । ଏ ଭବ ଅନୁଭବେ ଜାଣି ।। ୯୬
ଶୋକ-ଲୋଭାଦି ମୋହମାନ । ମାତ୍ସର୍ଯ୍ୟ ଈର୍ଷ୍ୟା ଅଭିମାନ ।। ୯୭
ସୁଖ ଦୁଃଖ ବା ଅପମାନ । ରାଗ ଦ୍ୱେଷ ଯେ କ୍ଷୁଧା ଜନ୍ମ ।। ୯୮
ପିପାସାଆଦି ବ୍ୟାଧି ଯେତେ । ଜରା-ମରଣାଦି ସହିତେ ।। ୯୯
ଦେବମାୟାେ ମୋହ ହୋଇ । ନାରୀର ବଶଭାବ ବହି ।। ୧୦୦
ତା ଭୁଜଲତାରେ ବନ୍ଧନ । ତା ସ୍ନେହେ ମନ କରି ଛନ୍ନ ।। ୧୦୧
ତା ଅବଲୋକନ-ବିହାରେ । ତେଣେ ଆସକ୍ତ ମୂଢ଼ନରେ ।। ୧୦୨
ସୁତ-ତୁହିତାଙ୍କ ବଚନେ । ଶ୍ରୁତି ନିବେଶି ଅନୁକ୍ଷଣେ ।। ୧୦୩
ତାହାଙ୍କ କୋମଳବଚନ । ଶ୍ରବଣେ ପୀୟୁଷ ଯେସନ ।। ୧୦୪
ହୃଦୟେ ହରଷିତ ହୋଇ । ଆଶାକୁ ତହିଁରେ ବଳାଇ ।। ୧୦୫
ଦୁର୍ବଳଆତ୍ମା ଯେ ଅଟନ୍ତି । ଜୀବକୁ ନରକେ କ୍ଷେପନ୍ତି ।। ୧୦୬
କେବେ ବା ଅଖିଳଈଶ୍ୱର । ବିଷ୍ଣୁ ଭଗବାନ ଠାକୁର ।। ୧୦୭
ଯାହାର କାଳଚକ୍ରେ କରି । ସଂସାରସମୂହ ସଂହରି ।। ୧୦୮
ସକଳ ବଶଟି ତାହାର । ଏମନ୍ତ ପ୍ରଭୁ ଯେ ଈଶ୍ୱର ।। ୧୦୯
ତାହାର କାଳଚକ୍ର କରେ । ଭ୍ରମଇଁ ଅଖିଳସଂସାରେ ।। ୧୧୦
ଯେ ଯଜ୍ଞପୁରୁଷ ଠାକୁର । ତାହାଙ୍କୁ କରି ଅନାଦର ।। ୧୧୧
ପାଷଣ୍ତଭାବକୁ ଆଚରି । ନାନାଦେବତା ସେବାକରି ।। ୧୧୨
ଆତ୍ମାର ଗତି ନ ବିଚାରି । ବିବିଧ କୁପଥ ଆଚରି ।। ୧୧୩
ନିଗମ-ଅନାଚାର-କର୍ମ । କରନ୍ତି ହୋଇ ମତିଭ୍ରମ ।। ୧୧୪
ପାଷଣ୍ତଭାବରେ ବିଦିତ । ଆତ୍ମାକୁ କରନ୍ତି ବଞ୍ଚିତ ।। ୧୧୫
ଅଗ୍ନିହୋତ୍ରାଦି ସହିତରେ । ବଞ୍ଚଇ ଶୁଦ୍ର -ପରକାରେ ।। ୧୧୬
ମୈଥୁନଭାବ ଅନୁକ୍ଷଣେ । ଆକୁଳ କୁଟୁମ୍ବପୋଷଣେ ।। ୧୧୭
ଅଜ୍ଞାନ-ପାଷଣ୍ତ ବେଭାରେ । ନିରତେ ସ୍ତ୍ରୀବଶେ ବିହରେ ।। ୧୧୮
ଅତି-କୃପଣବୁଦ୍ଧି ହୋଇ । ଅନ୍ୟୋନ୍ୟେ ସ୍ନେହଭାବ ବହି ।। ୧୧୯
ତା ମୁଖ ଚାହେଁ ଅନୁକ୍ଷଣେ । ପ୍ରତେଜି ପିତୃମାତୃଗଣେ ।। ୧୨୦
ବିସ୍ମରି ମୃତ୍ୟୁକାଳ ତହିଁ । ଅଜ୍ଞାନେ ସ୍ୱଚ୍ଛନ୍ଦେ ଭ୍ରମଇଁ ।। ୧୨୧
ବାନର-ପଶୁର ସମାନ । ମୈଥୁନେ ହରୁଥାଇ ଦିନ ।। ୧୨୨
ପରମ-ଉତ୍ସବ ମଣଇ । ଦାରାତନୟମଧ୍ୟେ ରହି ।। ୧୨୩
ମୃତ୍ୟୁ-ଅଜଗର ଭୟରେ । ପଶଇ ଗିରି-କନ୍ଦରରେ ।। ୧୨୪
ଶୀତ ତପତ ଦୁଃଖମାନ । ଦୈବ୍ୟର ବିଭୂତିବ୍ୟସନ ।। ୧୨୫
ଦୁସ୍ତର ଚିନ୍ତାମଗ୍ନ ହୋଇ । ବିକଳଭାବରେ ରହଇ ।। ୧୨୬
କେବେହେଁ ଏକାନ୍ତେ ରମଇଁ । କେବେହେଁ କ୍ଷୀଣଧନ ହୋଇ ।। ୧୨୭
ଦ୍ରବ୍ୟ-ସଂଗ୍ରହେ ଯେ ସ୍ୱଭାବ । ଶଯ୍ୟା ଆସନ ଆଦିଭୋଗ ।। ୧୨୮
ସକଳ-ଉପଭୋଗ ତାର । ଦ୍ରବ୍ୟ-ବିହୀନେ ହୋଏ ଦୂର ।। ୧୨୯
ପୁଣି କେବେହେଁ ମନୋରଥ । ଦ୍ରବ୍ୟ-ଲାଳସେ ଭ୍ରମେ ଚିତ୍ତ ।। ୧୩୦
ପୁଣି କେବେହେଁ ଦ୍ରବ୍ୟ ପାଇଁ । ମତି ତାହାର ତୁଷ୍ଟ ହୋଇ ।। ୧୩୧
ସୁଖବିହାର ଆଦି ଯେତେ । ଇଚ୍ଛଇ କଳତ୍ର ସହିତେ ।। ୧୩୨
ଏମନ୍ତ ଚିତ୍ତବୃତ୍ତି ସଙ୍ଗେ । ବୁଡଇ ସ୍ନେହ-ଅନୁରାଗେ ।। ୧୩୩
ତେଣୁ ସେ ପୂର୍ବ-ବାସନାରେ । ବିବିଧ ଶରୀରେ ପ୍ରଚରେ ।। ୧୩୪
ତେଣୁ ସଂସାରପଥେ ନର । ନାନା କ୍ଲେଶ ବ୍ୟାଧି ଶରୀର ।। ୧୩୫
ପୁଣି ଜନ୍ମିଣ ନାଶ ଯାଇ । ନାନା ଆପଦକୁ ଭୁଞ୍ଜଇ ।। ୧୩୬
ନାନା ଶୋକ ମୋହ ତାପରେ । ପୀଡିତ ହୋଏ ତା ଶରୀରେ ।। ୧୩୭
ଅସାଧୁ-ବନ୍ଧନେ ବଞ୍ଚଇ । ସେ ପଥ ପାର ନ ଦେଖଇ ।। ୧୩୮
ଯେ ପଥ ଅତ୍ୟନ୍ତ ନିର୍ମଳ । ସୁସାଧୁ ନର ଯହିଁ ଠୁଳ ।। ୧୩୯
ଅଗମ୍ୟ ରାଜଋଷିଙ୍କର । ଯେ ପଥ ଅତି ଅଗୋଚର ।। ୧୪୦
ମାୟାକୁ ପରିହାର କରି । ଯେ କର୍ମେ ଆୟୁର୍ବଳ ସାରି ।। ୧୪୧
ସେ ପଥ ପାର ନ ଦେଖନ୍ତି । ଲେଉଟି ସଂସାରେ ଭ୍ରମନ୍ତି ।। ୧୪୨
ଏଣୁ ଋଷିଏ ଶ୍ରଦ୍ଧାଚିତ୍ତେ । ଗାବନ୍ତି ଭରତଚରିତେ ।। ୧୪୩
ଭରତ ରାଜଋଷିବର । ତା ପଥ ଅତି ଅଗୋଚର ।। ୧୪୪
ଯୋଗର ଅନୁଶୀଳ କରେ । ଯେ ମାର୍ଗେ ଅମର ଶରୀରେ ।। ୧୪୫
ଆପଦ-ନରକୁ ବିମୁକ୍ତ । ଯାହାକୁ ଭାବନ୍ତି ଜଗତ ।। ୧୪୬
ପ୍ରାଣୀର ମନୋରଥ ପଥେ । ଅଗମ୍ୟ ଅଟଇ ଯୁଗତେ ।। ୧୪୭
ଏମନ୍ତ କେବା ନରଦେବ । ତା ପଥେ ପଥିକ ହୋଇବ ।। ୧୪୮
ଗରୁଡ଼ପକ୍ଷୀ ଗତି ଯହିଁ । ମକ୍ଷିକା ଗତି ତହିଁ କାହିଁ ।। ୧୪୯
ଦୁସ୍ତ୍ୟଜ ସୁତ ଦାରା ଧନ । ସୁହୃଦ ରାଜ୍ୟ ଗୃହମାନ ।। ୧୫୦
ଏହା ଯେ ତୁଚ୍ଛପ୍ରାୟେ ବୁଝେ । ଉତ୍ତମଶ୍ଳୋକ ପାଦେ ଭଜେ ।। ୧୫୧
ଯାହାର ସାମ୍ରାଜ୍ୟ-ବିଭବ । ତ୍ରିଦଶମାନଙ୍କୁ ଦୁର୍ଲଭ ।। ୧୫୨
ଏହା ନ ଦେଖି ସାଧୁ ଚିତ୍ତେ । ମହତ ଗୁରୁପାଦଗତେ ।। ୧୫୩
ସେବିଣ ମନ-ବୁଦ୍ଧି ଦେଇ । ଥିଲେ ଯେ ମନକୁ ବୁଡାଇ ।। ୧୫୪
ହେ ଯଜ୍ଞଧର୍ମ ତପୋମୟ । ବିଧି-ନିପୁଣ ଯୋଗଦେହ ।। ୧୫୫
ସାଂଖ୍ୟଯୋଗରେ ଯେହୁ ସାର । ହେ ପ୍ରଭୁ ପ୍ରକୃତି ଈଶ୍ୱର ।। ୧୫୬
ହେ ନାରାୟଣ କୃଷ୍ଣ ହରି । ଏମନ୍ତ ନାମ ମୁଖେ ଧରି ।। ୧୫୭
ଛାଡିଲେ ମୃଗକଳେବର । କି ଅବା ଦେବା ପଟାନ୍ତର ।। ୧୫୮
ହେ ଭାଗବତ ପରୀକ୍ଷିତ । ବିଶୁଦ୍ଧକର୍ମା ଯେ ଭରତ ।। ୧୫୯
ଏହା ଶଗୁଣ-ଚରିତମାନ । ପଢ଼ନ୍ତି ଶୁଣନ୍ତି ଯେ ଜନ ।। ୧୬୦
ଆୟୁଷ ଯଶ ଧର୍ମ ତାର । ଲଭଇ ମଙ୍ଗଳ ଅପାର ।। ୧୬୧
ଏହା ଯେ ଶୁଣେ ଶୁଦ୍ଧଚିତ୍ତେ । ଭରତ ଉପାଖ୍ୟାନ ଗତେ ।। ୧୬୨
କୃଷ୍ଣଚରଣେ ଭକ୍ତି ତାର । ଅଶେଷପାପୁ ହୋଏ ପାର ।। ୧୬୩
ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ।। ୧୬୪
ପ୍ରଭୁ-ପଦାରବିନ୍ଦଗତେ । ମନ ମୋ ରହୁ ଅବିରତେ ।। ୧୬୫
ପଞ୍ଚମସ୍କନ୍ଧେ ଭାଗବତ । ସୁଜନେ ଶୁଣ ଦେଇ ଚିତ୍ତ ।। ୧୬୬
ଅମୃତ-ରସମୟ-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୧୬୭
ବୋଲଇ ଜଗନ୍ନାଥ ଦାସ । ଭରତ-ଗୀତ-କଥାରସ ।। ୧୬୮
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତୋପାଖ୍ୟାନେ ଚତୁର୍ଦ୍ଦଶୋଽଧ୍ୟାୟଃ ।।

ପଞ୍ଚଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ନରନାଥ । ଭରତବଂଶାନୁଚରିତ ।। ୧
ସୁମତି ତାହାର ତନୟେ । ଋଷଭପଥେ ସେ ଆଶ୍ରୟେ ।। ୨
ପାଷଣ୍ତଜନେ କଳିଯୁଗେ । ଧର୍ମକଳ୍ପିବେ ତାଙ୍କ ମାର୍ଗେ ।। ୩
ବେଦ ଯେତେକ ଅଛି କହି । ତହିଁରେ ଏ ଦେବତା ନାହିଁ ।। ୪
ତାହାର ବୃଦ୍ଧସେନା ନାମ । ଭାର୍ଯ୍ୟା ଅଟଇ ଅନୁପମ ।। ୫
ସୁମତି-ପତ୍ନୀଠାରେ ସୁତ । ହୋଇଲା ନାବ ଦେବଜିତ ।। ୬
ତାହାର ହୋଇଲା କୁମର । ଦେବଦ୍ୟୁମନ ନାମ ତାର ।। ୭
ପରମେଷ୍ଠୀ ତାର କୁମର । ଜନ୍ମିଲା ଧେନୁମତୀ ଠାର ।। ୮
ସୁବର୍ଚ୍ଚଳା ଯେ ପତ୍ନୀ ତାର । ଜନ୍ମିଲା ପ୍ରତୀହ କୁମର ।। ୯
ଏ ଆତ୍ମବିଦ୍ୟା ବ୍ୟାଖ୍ୟାକରି । ଭଜିଲା ପ୍ରଭୁ ନରହରି ।। ୧୦
ତାହାର ପ୍ରତିହର୍ତ୍ତା ନାମ । ତନୟ ହୋଇଲେ ଜନମ ।। ୧୧
ପ୍ରତିହର୍ତ୍ତା‌ର ଯେ କୁମର । ବେନି ହୋଇଲେ ନୃପବର ।। ୧୨
ଭୂମାନ ଅଜ ଯେ କୁମର । ହୋଇଲେ ସ୍ତୁତିଠାରେ ତାର ।। ୧୩
ଉଦ୍‌ଗୀଥ ଭୂମାର ଯେ ସୁତ । ଋଷିକୂଲ୍ୟାର ତହୁଁ ଜାତ ।। ୧୪
ଦେବକୂଲ୍ୟାର ତହିଁ ତାର । ହୋଇଲା ପ୍ରସ୍ତାବ କୁମର ।। ୧୫
ନିରୁତ୍ସାୟାର ତହିଁ ତାର । ଜନ୍ମିଲା ବିଭୁ ଯେ କୁମର ।। ୧୬
ରତିରଠାରେ ଯେ ବିଭୁର । ପୃଥୁବେଣ ବୋଲି କୁମର ।। ୧୭
ଆକୂତିଠାରେ ତାର ସୁତ । ନକ୍ତ ନାମରେ ସେ ବିଦିତ ।। ୧୮
ନକ୍ତରାଜାର ଯେ କୁମର । ହୋଇଲା ଗୟ ନୃପବର ।। ୧୯
ସେ ବିଷ୍ଣୁଅଂଶକୁ ବହଇ । ନାନା ଲକ୍ଷଣେ ପୂର୍ଣ୍ଣ ହୋଇ ।। ୨୦
ସ୍ୱଧର୍ମେ ପ୍ରଜାପାଳନରେ । ମନ ତାହାର ନିରନ୍ତରେ ।। ୨୧
ଯେ ମହାପୁରୁଷ ଈଶ୍ୱର । ଅନାଦିନାତ ନିରାକାର ।। ୨୨
ସେ ସର୍ବଦେବଙ୍କର ବର । ପରମବ୍ରହ୍ମ ଯୋଗେଶ୍ୱର ।। ୨୩
ତାହାଙ୍କ ତହିଁ ମନ ଦେଇ । ପରମଭକ୍ତିଭାବ ବହି ।। ୨୪
ସ‌ତ୍ତ୍ୱପ୍ରଧାନମତି ହୋଇ । ଆନନ୍ଦେ ପାଳଇ ସେ ମହୀ ।। ୨୫
ତାହାର ଗୁଣ ମହୀତଳେ । ଗାୟନ କରନ୍ତି ସକଳେ ।। ୨୬
ଗୟର ସମ କେ ସଂସାରେ । ଯଜ୍ଞାଦିକର୍ମ କରିବାରେ ।। ୨୭
ଯାହାର ଭକ୍ତିଭାବୁଁ କରି । ବଶ ହୋଇଲେ ନରହରି ।। ୨୮
ଯାହାକୁ ଦକ୍ଷକନ୍ୟାଯାକ । ସନ୍ତୋଷେ କଲେ ଅଭିଷେକ ।। ୨୯
ସକଳତୀର୍ଥୁ ଜଳ ନେଇ । ରାଜତ୍ୱପଣ ତାକୁ ଦେଇ ।। ୩୦
ତାହାର ପ୍ରଜାସୁଖ ପାଇଁ । ବହୁତ ଶସ୍ୟ ଦେଲା ମହୀ ।। ୩୧
ମହୀରେ ଯେତେ ନୃପବର । ଖଟନ୍ତି ତାହାର ପୟର ।। ୩୨
ସଂଗ୍ରାମେ ଯାହାର ଚରିତ । ସ୍ତୁତି କରନ୍ତି ଶୂରବନ୍ତ ।। ୩୩
ଯାହାର ଯଜ୍ଞମାନଙ୍କରେ । ସନ୍ତୋଷ ହେଲେ ଦ୍ୱିଜବରେ ।। ୩୪
ଇନ୍ଦ୍ର-ସୂର୍ଯ୍ୟାଦି ଦେବ ଯେତେ । ସନ୍ତୁଷ୍ଟ ହୋଇଲେ ସମସ୍ତେ ।। ୩୫
ଏ ଅନନ୍ତରେ ପରୀକ୍ଷିତ । ତାହାର ହେଲେ ତିନିସୂତ ।। ୩୬
ସୁଗତି ଚିତ୍ରରଥ ନାମ । ତୃତୀୟ ଯେ ଅବରୋଧନ ।। ୩୭
ଚିତ୍ରରଥର ପତ୍ନୀଠାର । ସମ୍ରାଟ ହୋଇଲେ କୁମର ।। ୩୮
ଉତ୍କଳାପତ୍ନୀଠାରେ ତାର । ମରୀଚି ହୋଇଲା କୁମର ।। ୩୯
ତା ପତ୍ନୀ ବିନ୍ଦୁମତୀଠାରେ । ବିନ୍ଦୁମାନ ହେଲା କୁମରେ ।। ୪୦
ବିନ୍ଦୁମାନର ଯେ କୁମର । ମଧୁ ହୋଇଲା ନୃପବର ।। ୪୧
ତାର ବୀରବ୍ରତ କୁମର । ଭୋଜା ନାମରେ ପତ୍ନୀ ତାର ।। ୪୨
ତାହାର ତହୁଁ ବେନିସୁତ । ମନ୍ଥୁ ପ୍ରମନ୍ଥୁ ଯେ ବିଦିତ ।। ୪୩
ମନ୍ଥୁର ସତ୍ୟାଠାରେ ସୁତ । ଭୌବନ ହୋଇଲେ ବିଦିତ ।। ୪୪
ଦୂଷଣା-ପତ୍ନୀଠାରେ ତାର । ତୋଷ୍ଟା ସେ ହୋଇଲା କୁମର ।। ୪୫
ବିରୋଚନାର ତହିଁ ତାର । ବିରଜ ହୋଇଲା କୁମର ।। ୪୬
ଶୁଣ ରାଜନ ପରୀକ୍ଷିତ । ବିରଜ-ପୁତ୍ର ହେଲେ ଶତ ।। ୪୭
ଏହାଙ୍କ ମଧ୍ୟେ ଶ୍ରେଷ୍ଠତର । ଶତଜିତ ପୁତ୍ର ତାହାର ।। ୪୮
ବିଷୂଚୀ ପତ୍ନୀଠାରେ ତାର । କନ୍ୟା ଗୋଟିଏ ଯେ ଅପର ।। ୪୯
ଶୁଣ ରାଜନ ପରୀକ୍ଷିତ । ଏମନ୍ତେ ଲୋକେ ହୋଇ ଜାତ ।। ୫୦
ପ୍ରିୟବତର ବଂଶମାନ । ବିରଜ ପ୍ରଭାବୁଁ ରାଜନ ।। ୫୧
ବିଷ୍ଣୁପ୍ରଭାବୁ ଦେବେ ଯେହ୍ନେ । ଶୋଭିତ ହୋଇଲେ ତେସନେ ।। ୫୨
ବିଦିତ ହେଲେ ସର୍ବସ୍ଥାନେ । ବିଷ୍ଣୁ ଭକତି ବିଦ୍ୟମାନେ ।। ୫୩
ପ୍ରିୟବ୍ରତର ବଂଶମାନ । ସୁଜନେ ସାବଧାନେ ଶୁଣ ।। ୫୪
ଏଣୁ କୃଷ୍ଣର ପାଦତଳେ । ଭକତି ହୋଇବ ନିଶ୍ଚଳେ ।। ୫୫
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ।। ୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ପ୍ରିୟବ୍ରତବଂଶାନୁକୀର୍ତ୍ତନମ୍‌ନାମ
ପଞ୍ଚଦଶୋଽଧ୍ୟାୟଃ ।।

ଷୋଡ଼ଶ ଅଧ୍ୟାୟସମ୍ପାଦନ କରନ୍ତୁ

ରାଜନ ଉବାଚ

ଏ ଭୂମିମଣ୍ତଳ ବିସ୍ତାର । ତୁମ୍ଭେ କହିଲ ମୁନିବର ।। ୧
ଯାବତ ସୂର୍ଯ୍ୟର ପ୍ରକାଶ । ନକ୍ଷତ୍ର ଚନ୍ଦ୍ରଙ୍କର ବାସ ।। ୨
ପ୍ରିୟବ୍ରତ-ରଥଚରଣ । ଯାବତ କରିଛି ଭ୍ରମଣ ।। ୩
ତହୁଁ ଯେ ଗର୍ତ୍ତ ଉପୁଜିଲା । ସପତସିନ୍ଧୁ ସେ ହୋଇଲା ।। ୪
ଏହା କହିଲ ବିପରୀତ । ଅପରେ କି କି ଦ୍ୱୀପ ସାତ ।। ୫
ଏହାର କେତେ ପରିମାଣ । ଅପରେ ଯେତେକ ଲକ୍ଷର ।। ୬
ଏ ସର୍ବ କହ ମୁନିବର । ଶୁଣିତେ ଶରଧା ମୋହର ।। ୭
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ଯାର ନାମ-ଗୁଣ ।। ୮
ଯେ ସ୍ଥୂଳରୂପ ଭଗବାନ । ସେ ଜ୍ୟୋତିର୍ମୟ ସୂକ୍ଷ୍ମ ବ୍ରହ୍ମ ।। ୯
ପରମ ପରଙ୍କର ପର । ଯେ ବାସୁଦେବ ଚକ୍ରଧର ।। ୧୦
ତାହାଙ୍କ ଚରଣାରବିନ୍ଦେ । ମନ ମୋ ରହୁ ଅପ୍ରମାଦେ ।। ୧୧
ଯେଣୁ ତୁମ୍ଭର ଅଗୋଚର । ନାହିଁ ଏ ବ୍ରହ୍ମାଣ୍ତ ମଧ୍ୟରେ ।। ୧୨
ଏଣୁ ଏ ମୋହର ସନ୍ଦେହ । ଭୋ ମୁନି ବିସ୍ତାରିଣ କହ ।। ୧୩
ଶୁଣ ପରୀକ୍ଷ ନୃପବର । ମାୟାରେ ପ୍ରଭୁଙ୍କ ଶରୀର ।। ୧୪
ସଂସାର ଯାହାର ଭିଆଣ । ଅଶେଷପୁର ଯାର ସ୍ଥାନ ।। ୧୫
ତାହାଙ୍କ ରୂପ ଗୁଣ ନାମ । ବର୍ଣ୍ଣନେ କେବା ଅଛି କ୍ଷମ ।। ୧୬
ନର ଅମର ଯେବେ ହୋଇ । ତେବେ ସେ ବର୍ଣ୍ଣି ନ ପାରଇ ।। ୧୭
ତଥାପି କିଛି ଶ୍ରେଷ୍ଠ କରି । କହିବା ଶୁଣ ଦଣ୍ତଧାରୀ ।। ୧୮
ଭୂଗୋଳଚକ୍ରର ବର୍ଣ୍ଣନ । ରାଜନ ସାବଧାନେ ଶୁଣ ।। ୧୯
ଏ ଜମ୍ବୁଦ୍ୱୀପ ନୃପବର । ବିକଚକମଳ ଆକାର ।। ୨୦
ଅତି ଅଦ୍‌ଭୁତ ଏହି ସ୍ଥଳ । ଲକ୍ଷେକ ଯୋଜନ ବିସ୍ତାର ।। ୨୧
ଏ ମଧ୍ୟେ ନବ ଯେ ବରଷ । ସହସ୍ରଯୋଜନ ପ୍ରକାଶ ।। ୨୨
ମହତ ନବପର୍ବତରେ । ବିଭାଗ ହୋଏ ଯେ ଯାହାରେ ।। ୨୩
ଏ ନବବରଷ ମଧ୍ୟରେ । ବର୍ଷ ଈଳାବୃତ ନାମରେ ।। ୨୪
ଯାହାର ନାଭିଦେଶ ତହିଁ । ପର୍ବତରାଜ ବିରାଜଇ ।। ୨୫
ସୁବର୍ଣ୍ଣମୟ ବିରାଜିତ । ଅତି ସୁନ୍ଦର ଅଦଭୁତ ।। ୨୬
ଯାହାର ମସ୍ତକ ପ୍ରମାଣ । ବିତ୍ରଶ ସହସ୍ର-ଯୋଜନ ।। ୨୭
ଷୋଳସହସ୍ର ଯେ ଯୋଜନ । ତାହାର ମୂଳ ପରିମାଣ ।। ୨୮
ସୁବର୍ଣ୍ଣଶୃଙ୍ଗ ତିନି ତାର । ମହୀରେ ସ୍ତମ୍ଭର ଆକାର ।। ୨୯
ପୂର୍ବ ଭାଗରେ ତିନି ଗିରି । ନୀଳ ଧବଳ ରୂପ ଧରି ।। ୩୦
ଲବଣସିନ୍ଧୁ ନିକଟରେ । ବେନିସହସ୍ର ଯେ ବିସ୍ତାରେ ।। ୩୧
ନିଷଧ ହେମକୂଟ ଆଦି । ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ।। ୩୨
ଏହା ଦକ୍ଷିଣେ ଗିରିବର । ହିମାଳୟ ନାମ ତାହାର ।। ୩୩
ପୂର୍ବହୁଁ ଯଥାକ୍ରମେ ତାର । ଅୟୁତଯୋଜନ ବିସ୍ତାର ।। ୩୪
ପୂର୍ବେ ପଶ୍ଚିମେ ମାଲ୍ୟବାନ । ବିଶାଳ ଯେ ଗନ୍ଧମାର୍ଦ୍ଦନ ।। ୩୫
ଦ୍ୱିସସ୍ରଯୋଜନ ବିସ୍ତାର । ଅଛଇ ଜଗତେ ପ୍ରଚାର ।। ୩୬
ଭଦ୍ରାଶ୍ୱ କେତୁମାଳ ଆଦି । ଏହାଙ୍କ ସୀମା ସେ ପ୍ରସିଦ୍ଧି ।। ୩୭
ମନ୍ଦର ଯେ ମେରୁମନ୍ଦର । ସୁପାର୍ଶ୍ୱ ଆଦି ଗିରିବର ।। ୩୮
ସ୍ୱର୍ଣ୍ଣ‌ଗିରିଚତୁର୍ଭାଗରେ । ଅଛନ୍ତି ବେଷ୍ଟିତ ଆକାରେ ।। ୩୯
ବୃକ୍ଷ ନ୍ୟାଗ୍ରୋଧ ଆମ୍ରସାର । ଜମ୍ବୁ କଦମ୍ବ ଏ ଚତ୍ୱାର ।। ୪୦
ପର୍ବତପ୍ରାୟେ ଉଚ୍ଚଶିର । ଯୋଜନସହସ୍ର ବିସ୍ତାର ।। ୪୧
ଚତ୍ୱାର-ସିନ୍ଧୁ ତା ନିକଟେ । ବିରାଜେ ନାନା ଶୁଭ୍ରତଟେ ।। ୪୨
ମଧୁକ୍ଷୀର ଯେ ଈକ୍ଷୁ ଜଳ । ଯହିଁ ସକଳ ଦେବମେଳ ।। ୪୩
ଯେ ଯାହା ମତେ କରି ଧ୍ୟାନ । ପ୍ରଭୁଙ୍କୁ କରନ୍ତି ଭଜନ ।। ୪୪
ସେ ଜଳ ଅତି ଚମତ୍କାର । ସେବନେ ତୁଷ୍ଟ ଯୋଗୀବର ।। ୪୫
ଭଦ୍ର ଚୈତ୍ରରଥ ନନ୍ଦନ । ବୈଭ୍ରାଜ ଚାରି ଉପବନ ।। ୪୬
ଯହିଁ ଅମରବୃନ୍ଦମାନ । କ୍ରୀଡା କରନ୍ତି ଅନୁକ୍ଷଣ ।। ୪୭
କାମିନୀ ସଙ୍ଗତେ ଘେନିଣ । ଯହିଁ ଅନଙ୍ଗ ମୂର୍ତ୍ତିମାନ ।। ୪୮
ଏକାଦଶଶତଯୋଜନ । ମନ୍ଦର-ଗିରିକ୍ରୋଟ ଜାଣ ।। ୪୯
ଅତ୍ୟନ୍ତ-ତୁଙ୍ଗ ବୃକ୍ଷବର । ସୁରଙ୍ଗ-ଦଳ ଫଳ ତାର ।। ୫୦
ସୁଗନ୍ଧ ଅମୃତ ସୁସ୍ୱାଦ । ରସ ଗଳଇ ବିଶାରଦ ।। ୫୧
ସେଠାରୁ ଅରୁଣୋଦା ସାର । ମନ୍ଦରୁ ହୋଇଛି ବାହାର ।। ୫୨
ମେରୁମନ୍ଦରୁ ଜମ୍ବୁଫଳ । ପାଚି ପଡଇ ମହୀତଳ ।। ୫୩
ହସ୍ତୀପ୍ରମାଣେ ଫଳ ତାର । ରସ ଗଳଇ ଯେ ଅପାର ।। ୫୪
ତହିଁରୁ ଜମ୍ବୁନଦ ଜାତ । ଶୁଣ ସୁମନେ ପରୀକ୍ଷିତ ।। ୫୫
ତାହାର ଜଳ-ସଂଯୋଗରେ । ସୁବର୍ଣ୍ଣ ହୋଇଛି କ୍ଷିତିରେ ।। ୫୬
ମହା କଦମ୍ବ-ତରୁବର । ତହିଁର ମଧ୍ୟରେ କ୍ରୋଟର ।। ୫୭
ପରମଧାରା ରୂପ ହୋଇ । ତହୁଁ ଯେ ମଧୁ ପ୍ରସରଇ ।। ୫୮
ଈଲାବୃତକୁ ବେଢି କରି । ସୁଗନ୍ଧ ଆମୋଦ ପ୍ରସରି ।। ୫୯
ତାର ସ୍ପରଶୁ ଯେ ପବନ । ସୁଗନ୍ଧ ଶତେକଯୋଜନ ।। ୬୦
କୁମୁଦଗିରି-ତଟଦେଶେ । ବିଶାଳବଟ ଯେ ପ୍ରକାଶେ ।। ୬୧
ତାହାର କନ୍ଦରୁ ବାହାର । ସୁସ୍ୱାଦୁ ପୟୋରାଶି ସାର ।। ୬୨
ଈଳାବୃତର ଯେ ଉତ୍ତରେ । ପ୍ରଜାଏ ସୁସ୍ଥ ଯାର ନୀରେ ।। ୬୩
ଯାବତ ଜୀବ ସୁଖୀ ହୋଇ । ଅଛନ୍ତି ଯାର ଜଳ ପିଇ ।। ୬୪
କୁରଙ୍ଗ କୁଶୁମ୍ଭ କୁରର । ବୈକଙ୍କ ତ୍ରିକୁଟ ଶିଶିର ।। ୬୫
ବୈଦୁର୍ଯ୍ୟ ନିଷଦ ରୂଚକ । କପିଳ ଶିନୀବାସ ଶଙ୍ଖ ।। ୬୬
ଋଷଭ ଯାରୁଧି ପତଙ୍ଗ । କାଳଞ୍ଜର ଯେ ହଂସ ନାଗ ।। ୬୭
ନୀରଦ ଆଦି ଯେ ବିଦିତ । ଏମନ୍ତ ବିଂଶ ଯେ ପର୍ବତ ।। ୬୮
ମେରୁକର୍ଣ୍ଣିକା ଚାରିପାଶେ । ବିରାଜେ କେଶର-ସଦୃଶେ ।। ୬୯
ଜଠର ଦେବକୁଟ ଦୁଇ । ମେରୁର ପୂର୍ବଭାଗେ ରହି ।। ୭୦
ବେନିସହସ୍ର ଉଚ୍ଚତାର । ଅଠରଯୋଜନ ବିସ୍ତାର ।। ୭୧
ପବନ ପାରିପାତ୍ର ଦୁଇ । ତାହାର ପଶ୍ଚିମେ ଶୋଭଇ ।। ୭୨
କୈଳାସ କରବୀର ଦୁଇ । ଦକ୍ଷିଣପାଶେ ବିରାଜଇ ।। ୭୩
ଉତ୍ତରେ ତ୍ରିଶୃଙ୍ଗ ମକର । ଅଛନ୍ତି ବେନିଗିରିବର ।। ୭୪
ଏ ଅଷ୍ଟଗିରି ମଧ୍ୟଦେଶେ । ସୁବର୍ଣ୍ଣ‌ଗିରି ଯେ ପ୍ରକାଶେ ।। ୭୫
ସୁବର୍ଣ୍ଣ‌ଗିରି ଅଗ୍ରଦେଶେ । ବ୍ରହ୍ମାର ସଦନ ପ୍ରକାଶେ ।। ୭୬
ଅୟୁତଯୋଜନ ସେ ହୋଇ । ନାନାକୁସୁମେ ସୁବାସଇ ।। ୭୭
ହେମକଳସ ତୁଙ୍ଗ ସାର । କି ଅବା ଦେବା ପଟାନ୍ତର ।। ୭୮
ଚାରିଦିଗରେ ଯେ ତାହାର । ଇନ୍ଦ୍ରାଦିଲୋକପାଳଙ୍କର ।। ୭୯
ଯଥାକ୍ରମରେ ଯେଝାମତେ । ନିର୍ମିତ ପୁର ଯଥୋଚିତେ ।। ୮୦
ଆନନ୍ଦ ହୋଇ ଯତୋଚିତେ । ବିହାର କରନ୍ତି ସମସ୍ତେ ।। ୮୧
ଅଷ୍ଟଦିଗପାଳଙ୍କ ପୁର । ସୁସଞ୍ଚ ଅତି ମନୋହର ।। ୮୨
ପଞ୍ଚମସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୮୩
ପ୍ରଭୁ-ପଦାରବିନ୍ଦତଳେ । ମୋମନ ରହୁ ସୁନିଶ୍ଚଳେ ।। ୮୪
କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ।। ୮୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ ନାମ ଷୋଡ଼ଶୋଽଧ୍ୟାୟଃ ।।

ସପ୍ତଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । ସେ ଯଜ୍ଞପୁରୁଷ ଅଚ୍ୟୁତ ।। ୧
ମାୟାବାମନ ଅବତାର । ତାହାଙ୍କ ବାମ ଯେ ପୟର ।। ୨
ଯାହା କନିଷ୍ଟଅଙ୍ଗୁଳିରେ । ବ୍ରହ୍ମାଣ୍ତ ଭାଜିଲା ନିର୍ଭରେ ।। ୩
ତହୁଁ ଅଦ୍‌ଭୁତ ଜଳଧାର । କି ଅବା ଦେବା ପଟାନ୍ତର ।। ୪
ଦୁରିତ ନାଶଇ ସ୍ମରଣେ । ପ୍ରାଣୀ ତରନ୍ତି ସ୍ନାନପାନେ ।। ୫
ତହୁଁ ଗଳିଣ ଅତିଖରେ । ପଡ଼ିଲା ତୁଙ୍ଗ-ପର୍ବତରେ ।। ୬
ଧରାରେ ଅବତୀର୍ଣ୍ଣ ହୋଇ । ଜୀବଙ୍କ କଲ୍ୟାଣ ସାଧଇ ।। ୭
ଧ୍ରୁବ ପରମଭାଗବତ । ଜାଣିଲେ ବିଷ୍ଣୁ ପଦାମୃତ ।। ୮
ଭକ୍ତିଯୋଗରେ ବଶ ହୋଇ । ଆନନ୍ଦେ ରୋମ ପୁଲକାଇ ।। ୯
ମାର୍ଜନ କରିବା ନିମନ୍ତେ । ଶିରରେ ଘେନିଲେ ତୁରିତେ ।। ୧୦
ତେଣୁ ସପତମୁନିଗଣ । ପ୍ରଭାବ ଜାଣି ତତକ୍ଷଣ ।। ୧୧
ସକଳଆତ୍ମା-ଭଗବାନେ । ତପ ସମାଧି ଯୋଗଧ୍ୟାନେ ।। ୧୨
ମୋକ୍ଷ-କାରଣେ ସେ ଭଜନ୍ତି । ପ୍ରଭୁର ମହିମା ଗୁଣନ୍ତି ।। ୧୩
ସେ ଜଳ ପାଇ ତୁଷ୍ଟ ହୋଇ । ଜଟାରେ ଥୋଇଲେ ସେ ନେଇ ।। ୧୪
ସେ ଗଙ୍ଗା ସ୍ୱର୍ଗରୁ ଗମିଲା । ଚନ୍ଦ୍ରମଣ୍ତଳ ଆଚ୍ଛାଦିଲା ।। ୧୫
ତାହାକୁ ଲକ୍ଷ୍ୟ କରି ଗଲା । ବ୍ରହ୍ମ ସଦନେ ସେ ପଡିଲା ।। ୧୬
ତହୁଁ ସେ ଚାରିଧାରା ହୋଇ । ଚତୁର୍ଦ୍ଧାରୂପକୁ ବହଇ ।। ୧୭
ଶୁଣ ପରୀକ୍ଷ ନୃପବର । ଏ ନାମ ଚାରିଟି ତାହାର ।। ୧୮
ସୀତା ଅଳକନନ୍ଦା ଦୁଇ । ଚକ୍ଷୁ ଭଦ୍ରା ନାମକୁ ବହି ।। ୧୯
ଚାରିଦିଗରେ ଏ ଭ୍ରମନ୍ତି । ସିନ୍ଧୁରେ ପ୍ରବେଶ ହୁଅନ୍ତି ।। ୨୦
ବ୍ରହ୍ମସଦନୁ ସୀତା ଯାଇ । କେଶରାଚଳେ ସେ ପଡଇ ।। ୨୧
ଅଧ-ଅଧରେ ଭ୍ରମିଯାଇ । ଗନ୍ଧମାର୍ଦ୍ଦନେ ସେ ପଡ଼ଇ ।। ୨୨
ତାହାର ଶୃଙ୍ଗରେ ବିହରି । ଭଦ୍ରାଶ୍ୱବର୍ଷ ଶୁଦ୍ଧ କରି ।। ୨୩
କ୍ଷାରସିନ୍ଧୁର ପୂର୍ବଭାଗେ । ପ୍ରବେଶ କରିଅଛି ବେଗେ ।। ୨୪
ବ୍ରହ୍ମାସଦନୁ ଚକ୍ଷୁ ଯାଇ । ମାଲ୍ୟବନ୍ତଶିଖେ ପଡ଼ଇ ।। ୨୫
କେତୁମାଳର ମଧ୍ୟ ଦେଇ । ପଶ୍ଚିମ-ସମୁଦ୍ରେ ମିଶଇ ।। ୨୬
ମେରୁଶିଖରୁ ଭଦ୍ରା ଯାଇ । ଉତ୍ତରଦିଗେ ସେ ଭ୍ରମଇଁ ।। ୨୭
ଉତ୍ତରକୁରୁ ବେଢି ଖରେ । ସମୁଦ୍ରେ ମିଶଇ ଉତ୍ତରେ ।। ୨୮
ଅଳକନନ୍ଦା ନାମ ହୋଇ । ବହୁଗିରିରେ ସେ ଭ୍ରମଇ ।। ୨୯
ସୁବର୍ଣ୍ଣ‌ଗିରି ହିମାଳୟ । ତାହାକୁ କରି ସେ ଆଶ୍ରୟ ।। ୩୦
ଅତିପ୍ରଖର ବେଗବଶେ । ପଡ଼ଇ ଭାରତ ବରଷେ ।। ୩୧
ତହୁଁ ଲବଣ-ସିନ୍ଧୁଜଳେ । ପ୍ରବେଶ ହୁଅଇ ନିଶ୍ଚଳେ ।। ୩୨
ଅନ୍ୟ ଯେ ନଦନଦୀ ଯେତେ । ଶତସହସ୍ର ଯେଥାମତେ ।। ୩୩
ନାନାଗିରିରୁ ଜାତ ହୋଇ । ସିନ୍ଧୁରେ ପ୍ରବେଶନ୍ତି ଯାଇ ।। ୩୪
ଭାରତବରଷ ରାଜନ । ଏ କର୍ମକ୍ଷେତ୍ର ବୋଲି ଜାଣ ।। ୩୫
ଅପରେ ଅଷ୍ଟ ଯେ ବରଷ । ସ୍ୱର୍ଗଲୋକଙ୍କର ଏ ବାସ ।। ୩୬
ତହିଁ ପୁରୁଷଙ୍କ ଆୟୁଷ । ଦଶ ସହସ୍ର ଯେ ବରର୍ଷ ।। ୩୭
ଦେବତା ତୁଲ୍ୟ ପରାକ୍ରମ । ନିତ୍ୟେ ସେ ଦିଶନ୍ତି ନବୀନ ।। ୩୮
ପରମ ଆନନ୍ଦେ ସେ ନିତ୍ୟେ । ବିହାର ଯୁବତୀ ସଙ୍ଗତେ ।। ୩୯
ସ୍ୱର୍ଗଭୋଗ ଶେଷଭାଗରେ । ଦେବେ ରହନ୍ତି ସେହି ପୁରେ ।। ୪୦
ତହିଁରେ ଦେବଶ୍ରେଷ୍ଠମାନେ । ଆନନ୍ଦେ ହରଷିତମନେ ।। ୪୧
ସୁରସୁନ୍ଦରୀ ବୃନ୍ଦମେଳେ । ବିହାର କରନ୍ତି ନିଶ୍ଚଳେ ।। ୪୨
ଷଡ଼ଋତୁ ଏକସମୟେ । ଯହିଁ ଅଛନ୍ତି ଏକଠାଏ ।। ୪୩
ନାନାକୁସୁମ ନାନାଫଳ । ସୁଗନ୍ଧ ସମୀର ଶୀତଳ ।। ୪୪
ବିକଚ ନାନା ପୁଷ୍ପତ୍ତରେ । ଲତାଏ ବେଷ୍ଟିତ ଉପରେ ।। ୪୫
ସଦନଆକାରେ ଆଚ୍ଛାଦି । ବୃକ୍ଷ ଲତାରେ ଛନ୍ଦାଛନ୍ଦି ।। ୪୬
ଅତି ମଞ୍ଜୁଳ ମନୋରମ । ନିବିଡ଼ ଲତାର ସଦନ ।। ୪୭
ପର୍ବତ-ଦ୍ରୋଣି ସୁଶୀତଳେ । ନିର୍ମଳ ନାନା ଶୀତଜଳେ ।। ୪୮
ରୁଚିରପଙ୍କଜ ସୁନ୍ଦର । ସୁସଞ୍ଚ ଦିଶେ ସରୋବର ।। ୪୯
ଜଳରେ ରାଜହଂସମାନେ । କ୍ରୀଡନ୍ତି ହରଷିତ ମନେ ।। ୫୦
ଜଳ କୁକ୍‌କୁଯ ଜଳହଂସ । ଚକ୍ର କାରଣ୍ତବ ସାରସ ।। ୫୧
ମଧୁରେ ନାନା ଧ୍ୱନି କରି । ଜଳେ ସେ କ୍ରୀଡନ୍ତି ବିହରି ।। ୫୨
ଏମନ୍ତେ ନାନା ସୁଖସ୍ଥଳେ । ସୁରସୁନ୍ଦରୀବୃନ୍ଦ ମେଳେ ।। ୫୩
ଅମରବୃନ୍ଦ ତୋଷଚିତ୍ତେ । ସର୍ବେ ରମନ୍ତି ଏକଚିତ୍ତେ ।। ୫୪
ତପର ବଳେ ତାହାଙ୍କର । କରୁଣା କରନ୍ତି ଶ୍ରୀଧର ।। ୫୫
ନବବରଷେ ହେ ରାଜନ । ସେ ଯେ ଅନାଦି ନାରାୟଣ ।। ୫୬
ଲୋକର ନିସ୍ତାର କାରଣେ । ଅଛନ୍ତି ପ୍ରଭୁ ଅନୁକ୍ଷଣେ ।। ୫୭
ଯେ ପୁଣ୍ୟ ଈଳାବୃତବର୍ଷ । ଭବ ଯେ ଏକଇ ପୁରୁଷ ।। ୫୮
ଭବାନୀ-ଶାପ ଯୋଗୁଁ ତହିଁ । ଅନ୍ୟ ପୁରୁଷ ବାସ ନାହିଁ ।। ୫୯
ନ ଜାଣି କେହି ତହିଁ ଗଲେ । ତକ୍ଷଣେ ସ୍ତ୍ରୀଭାବରେ ମିଳେ ।। ୬୦
ତାହାଙ୍କ ଶାପର କାରଣ । ପଛେ କହିବା ହେ ରାଜନ ।। ୬୧
ଭବାନୀ କୋଟିନାରୀ ମେଳେ । ଯାହାଙ୍କ ପଦରେ ଖଟିଲେ ।। ୬୨
ସେ ମହାପୁରୁଷଙ୍କ ଶକ୍ତି । ଘେନନ୍ତି ଚତୁର୍ବିଧମୂର୍ତ୍ତି ।। ୬୩
ଚତୁର୍ଥୀ ତାମସୀ ଯେ ଜାଣ । ଯାହାର ନାମ ସଙ୍କର୍ଷଣ ।। ୬୪
ତହିଁ ସ୍ତୁବନ୍ତି ଶିବ ଧ୍ୟାନେ । ତାମସୀ-ମୂର୍ତ୍ତି ସଙ୍କର୍ଷଣେ ।। ୬୫

ରୁଦ୍ର ଉବାଚ

ନମସ୍ତେ ପୁରାଣପୁରୁଷ । ଅଶେଷଗୁଣ ଯହିଁ ବାସ ।। ୬୬
ଅବ୍ୟକ୍ତ ଅନନ୍ତ କାରଣ । ଭଜଇ ତୋହର ଚରଣ ।। ୬୭
ବ୍ରହ୍ମା ଈଶ୍ୱର ପର ତୁହି । ପ୍ରକୃତି ଥାଇ ତୋର ତହିଁ ।। ୬୮
ଭୂତଭାବନ ତୋର ନାମ । ତୋ ନାମେ ଏ ଭବଖଣ୍ତନ ।। ୬୯
ଯାହାର ନାମ ଗୁଣ କର୍ମ । ମନ-ବଚନେ ନୋହେ ଗମ୍ୟ ।। ୭୦
ତୋ ତମ-ମାୟା-ଗୁଣେ ଛନ୍ଦି । ସଂସାର କରିଅଛୁ ବନ୍ଦୀ ।। ୭୧
ମଧୁ-ଆସବେ ତାମ୍ରବର୍ଣ୍ଣ । ଶୋଭଇ ଯାହାର ଲୋଚନ ।। ୭୨
ଦିଶଇ ଅତି ଭୟଙ୍କର । ନାଗବଧୂଙ୍କ ମନୋହର ।। ୭୩
ଯାହାର ସଦୃଶ ଅପରେ । ନାହିଁ ଏ ବ୍ରହ୍ମାଣ୍ତ ଭିତରେ ।। ୭୪
ଉତ୍ପତ୍ତି-ପ୍ରଳୟ-ପାଳନ । ଏ ସର୍ବ ଯାହାର ଭିଆଣ ।। ୭୫
ଯାହାର ଆଦି-ଅନ୍ତ ନାହିଁ । ଅନନ୍ତ ନାମ ସେ ବୋଲାଇ ।। ୭୬
ଯାର ଅସଂଖ୍ୟଶିରେ ମହୀ । ସର୍ଷପପ୍ରାୟେ ବିରାଜଇ ।। ୭୭
ଯାହାର ତହୁଁ ଜନ୍ମ ହୋଇ । ଅଜ ଏ ସଂସାର ସର୍ଜଇ ।। ୭୮
ବ୍ରହ୍ମାଦି ଆମ୍ଭେ ଯେ ସକଳେ । ସେବିଛୁ ଯାର ପାଦତଳେ ।। ୭୯
ରଜ୍ଜୁବନ୍ଧନ ପ୍ରାୟ ହୋଇ । ଯନ୍ତ୍ରିତ ହୋଇଅଛୁ ରହି ।। ୮୦
ଅନୁଗ୍ରହରୁଟି ଯାହାର । ଭିଆଣ କରୁଁ ଏ ସଂସାର ।। ୮୧
ତ୍ରିଗୁଣସଙ୍ଗତେ ବନ୍ଧନ । ଯାର ମାୟାରେ ପ୍ରାଣୀ ମନ ।। ୮୨
ତ୍ରିଗୁଣବଶେ ମୋହି ହୋଇ । ଜନ୍ମର ତ‌ତ୍ତ୍ୱ ନ ଜାଣଇ ।। ୮୩
ତେସନ ମାୟାକୁ ବିସ୍ତାରି । ଯେ ପ୍ରଭୁ ଜଗତେ ବିହରି ।। ୮୪
ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ।। ୮୫
ସୂଜନେ ଶୁଣ ଏହୁବାଣୀ । ପଞ୍ଚମସ୍କନ୍ଧେ ପରିମାଣି ।। ୮୬
ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ।। ୮୭
କହଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏକଚିତ୍ତ ।। ୮୮
ମୁହିଁ ପାମର ଦୁରାଚାର । ଭୋ ନାଥ ମୋତେ କୃପାକର ।। ୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ।।

ଅଷ୍ଟାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଭଦ୍ରାଶ୍ୱ ବରଷ ବିଧାନ । ରାଜନ ଶୁଣ ସାବଧାନ ।। ୧
ଭଦ୍ରଶ୍ରବା ନାମ ତାଙ୍କର । ସାକ୍ଷାତେ ଧର୍ମର କୁମର ।। ୨
ତାହାର କୁଳେ ହୋଇ ଜାତ । ଯେତେକ ପୁରୁଷ ବିଦିତ ।। ୩
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ପ୍ରଭୁ ନାରାୟଣ ।। ୪
ତାହାଙ୍କ ସନ୍ତୋଷ କାରଣେ । ପରମ ସମାଧି ବିଧାନେ ।। ୫
ପ୍ରଭୁ ଯେ ଧର୍ମରୂତ ବହି । ଅଛନ୍ତି ପ୍ରାଣୀହିତ ପାଇଁ ।। ୬
ତାହାଙ୍କ ସେବାରେ ନିରତେ । ଅଛନ୍ତି ଯେ ଯାହାରମତେ ।। ୭
ପରମ ପ୍ରିୟଭାବ ଧରି । ଏହି ସ୍ତବରେ ସ୍ତୁତି କରି ।। ୮
ଭଦ୍ରଶ୍ରବାଗଣ ଉବାଚ
ନମଇଁ ଧର୍ମ-ଅବତାର । ଆତ୍ମା-ଶୋଧନ ପ୍ରାଣୀଙ୍କର ।। ୯
ତୁମ୍ଭର ଲୀଳା ଚମତ୍କାର । ବୁଦ୍ଧି-ଜ୍ଞାନର ଅଗୋଚର ।। ୧୦
ଶରୀରମାତ୍ରେ ଯେ ଅଛଇ । ତଥାପି ପ୍ରାଣୀ ନ ଜାଣଇ ।। ୧୧
ଯାର ମାୟାରେ ମୋହି ହୋଇ । ମୃତ୍ୟୁକୁ ଦେଖି ନ ଦେଖଇ ।। ୧୨
ଜୀବ ଯେ ମୃତ୍ୟୁର ଅଧୀନ । ନ ଭାବେ ଏହା କଦାଚନ ।। ୧୩
ଦେଖଇ ଜୀବ ଅନୁକ୍ଷଣେ । ମରନ୍ତି ଆତ୍ମୀୟସ୍ୱଜନେ ।। ୧୪
ତାହାଙ୍କ ଦେହ ଅବିରତେ । ଭସ୍ମ ହେଉଛି ନିତ୍ୟେନିତ୍ୟେ ।। ୧୫
ଆପଣେ ମଣି ଚିରଞ୍ଜୀବ । ପାପଆଚରେ ମୂଢ଼ଜୀବ ।। ୧୬
ମିଥ୍ୟାସଂସାର ମୂର୍ଖଜନେ । ସତ୍ୟ କରନ୍ତି ଅନୁକ୍ଷଣେ ।। ୧୭
ଜ୍ଞାନୀମାନେ ଏ ସଂସାରର । କହନ୍ତି ବିଶ୍ୱକୁ ନଶ୍ୱର ।। ୧୮
ତଥାପି ଯାହାର ମାୟାରେ । ପଣ୍ତିତେ ଭ୍ରମନ୍ତି ସଂସାରେ ।। ୧୯
ଆତ୍ମତ‌ତ୍ତ୍ୱଜ୍ଞ ଯୋଗୀମାନ । ସମାଧି ଯୋଗରେ ପ୍ରମାଣ ।। ୨୦
ସର୍ବଦା ପ୍ରତ୍ୟକ୍ଷ କରନ୍ତି । ତେବେହେଁ ମାୟାରେ ବୁଡ଼ନ୍ତି ।। ୨୧
ସେ ଅଜ ବ୍ରହ୍ମାଣ୍ତଠାକୁର । ତାହାଙ୍କୁ କରୁ ନମସ୍କାର ।। ୨୨
ସକଳ-ଆବରଣ ହୋଇ । ଯାହାର ଆବରଣ ନାହିଁ ।। ୨୩
ଏ କଥା ଉଚିତ ତୋହର । କାର୍ଯ୍ୟ କାରଣ ତୁ ଠାକୁର ।। ୨୪
ନାନା ଶରୀରବନ୍ତ ହୋଇ । ସର୍ବ ଭୋଗକୁ ଭୁଞ୍ଜୁ ତୁହି ।। ୨୫
ତୁ ନାଥ ସକଳ ଈଶ୍ୱର । ତୋତେ ଆମ୍ଭର ନମସ୍କାର ।। ୨୬
ଜ୍ଞାନ-ବିଜ୍ଞାନ-ଯୁକ୍ତି ବଳେ । ତୁମ୍ଭର ଚରଣ ନ ମିଳେ ।। ୨୭
ବେଦେ ତୁ ବିଶ୍ୱର ବିଧାତା । ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ।। ୨୮
ଯେବେ ପ୍ରଚଣ୍ତ ଦୈତ୍ୟଗଣ । ବେଦକୁ କଲେ ଅପମାନ ।। ୨୯
ପ୍ରଳୟ-ଅବସାନେ ତୁହି । ହୟଗ୍ରୀବମୂର୍ତ୍ତିକି ବହି ।। ୩୦
ରସାତଳରୁ ଉଦ୍ଧରିଲୁ । ବ୍ରହ୍ମା ମାଗନ୍ତେ ତାକୁ ଦେଲୁ ।। ୩୧
ତୁ ସତ୍ୟସଙ୍କଳ୍ପଠାକୁର । ନମଇଁ ତୁମ୍ଭର ପୟର ।। ୩୨
ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ତାଙ୍କ ପାଦଗତେ ।। ୩୩
ନୃସିଂହ ନାମେ ଯେ ଠାକୁର । ଅଛନ୍ତି ହରିବରଷର ।। ୩୪
ତାହାଙ୍କ ରୂପର କାରଣ । ପଛେ କହିବା ହେ ରାଜନ ।। ୩୫
ପରମଭାଗବତଜନ । ମହାପୁରୁଷ ହେ ରାଜନ ।। ୩୬
ଦୈତ୍ୟଦାନବ-କୁଳମଣି । ସୁଶୀଳ ସାଧୁ ସତ୍ୟବାଣୀ ।। ୩୭
ପ୍ରହ୍ଲାଦ ନାମ ସେ ବହଇ । ପ୍ରଭୁଙ୍କ ଅତି ପ୍ରିୟ ସେହି ।। ୩୮
ଇନ୍ଦ୍ରିୟଗୁଣ ସେ ନିବାରି । ଚଞ୍ଚଳମନ ସ୍ଥିର କରି ।। ୩୯
ସେ ସ୍ଥଳଲୋକଙ୍କ ସହିତେ । ପ୍ରଭୁଙ୍କୁ ଚିନ୍ତେ ଅବିରତେ ।। ୪୦
ଏହି ସ୍ତବରେ ସ୍ତୁତି କରି । ସେବଇ ପ୍ରଭୁ ନରହରି ।। ୪୧
ତୁ ପ୍ରଭୁ ଜଗତ କାରଣ । ନୃସିଂହ ରୂପୀ ଭଗବାନ ।। ୪୨
ତୁ ଯେ ଜଗତଜୀବ ହରି । ତୁ ଅଛୁ ସର୍ବଘଟେ ପୂରି ।। ୪୩
ତେଜଙ୍କ ତେଜରୂପେ ତୁହି । ଅଛୁ ଯେ ପ୍ରକଟିତ ହୋଇ ।। ୪୪
ହେ ବଜ୍ରଦଂଷ୍ଟ୍ର ବଜ୍ରନଖ । ତୁମ୍ଭ ଚରଣେ ମୋତେ ରଖ ।। ୪୫
କର୍ମ ବାସନା ଦଗ୍‌ଧ କର । ଅଜ୍ଞାନତମ ବେଗେ ହର ।। ୪୬
ଭୋ ନାଥ ଜୀବର ଜୀବନ । ବିଶ୍ୱକୁ କର ତୁ କଲ୍ୟାଣ ।। ୪୭
ନମସ୍ତେ ପ୍ରଭୁ ଦଇତ୍ୟାରି । ଯାହାର ତେଜେ ଦିଗ ପୂରି ।। ୪୮
ନଖଙ୍କ ତେଜ ପରକାଶ । ରବିକିରଣ କରେ ନାଶ ।। ୪୯
କରାଳଦଂଷ୍ଟ୍ର ସେ ବଦନ । ଅଗ୍ନିର ପ୍ରାୟ ସେ ଲୋଚନ ।। ୫୦
ଯାହାର ନାମେ ଦୁଷ୍ଟ ଡରେ । ନମଇଁ ତାହାର ପୟରେ ।। ୫୧
ଭୋନାଥ ତୋହର ପ୍ରସାଦେ । ପ୍ରାଣୀ ତରନ୍ତି ଅପ୍ରମାଦେ ।। ୫୨
ତୋହର ଅଭୟ-ଚରଣେ । ମନ ମୋ ରହୁ ଅନୁକ୍ଷଣେ ।। ୫୩
ଦାରା ତନୟ ଗୃହେ ମୋର । ଏ ମନ ନୋହୁ ଭୋ ଈଶ୍ୱର ।। ୫୪
ତୁମ୍ଭର ଭକ୍ତଜନସଙ୍ଗେ । ସୁଖେ ବଞ୍ଚିବି ନାନାରଙ୍ଗେ ।। ୫୫
ଆତ୍ମାର ପ୍ରିୟ ଯେ ଅପରେ । ନାହିଁ ଏ ଅଖିଳ-ସଂସାରେ ।। ୫୬
ସକଳ ଆତ୍ମାର ଠାକୁର । ଏଣୁ ତୁ ପ୍ରିୟ ପ୍ରାଣୀଙ୍କର ।। ୫୭
ଯେ ଜନ ଚରଣେ ତୋହର । ସର୍ବସ୍ୱ ଦେଇ ରହେ ସ୍ଥିର ।। ୫୮
ତାହାଙ୍କ ଅନ୍ତରର ମଳ । ଭୋଦେବ କରୁ ତୁ ନିର୍ମଳ ।। ୫୯
ତୋହର ନାମ ସୁମରଣ । ଅଶେଷ ପାପର ଖଣ୍ତନ ।। ୬୦
ଏମନ୍ତ ଯାହାର ପ୍ରଭାବ । ତାହାଙ୍କୁ କେବା ନ ସେଦିବ ।। ୬୧
ତୋହର ତହିଁ ଭକ୍ତି ଯାର । ପୂଜ୍ୟ ସେ ଦେବମାନଙ୍କର ।। ୬୨
ସକଳ ଗୁଣ ତାଙ୍କଠାରେ । ଆଶ୍ରୟ କରନ୍ତି ନିର୍ଭରେ ।। ୬୩
ତୋର ଅଭକ୍ତ ଯେଉଁ ଜନ । ସଂସାରେ ବନ୍ଧନ କାରଣ ।। ୬୪
ଯେହ୍ନେ ସକଳ ମୀନଗଣ । ଜଳରେ କରନ୍ତି ଭ୍ରମଣ ।। ୬୫
ତେସନେ ଯେତେ ଦେହୀଗଣ । ତୋ ମଧ୍ୟେ କରେ ବିଚରଣ ।। ୬୬
ଏହା ଜାଣିଣ ଯେହୁ ନର । ଭଜଇ ନୃସିଂହ ପୟର ।। ୬୭
ଅଶେଷ ଭୟରୁ ତରଇ । କର୍ମବନ୍ଧନ ତାର କାହିଁ ।। ୬୮
ଶୁଣ ରାଜନ ମନତୋଷେ । କେତୁମାଳ ନାମେ ବରଷେ ।। ୬୯
ଅଖିଳ-ବ୍ରହ୍ମାଣ୍ତ-କାରଣ । କାମଦେବରୂପ ଧରିଣ ।। ୭୦
ଲକ୍ଷ୍ମୀର ସନ୍ତୋଷ କାରଣେ । ବିହାର କରନ୍ତି ଆପଣେ ।। ୭୧
ସେ ସ୍ଥଳଲୋକ ପୁଣ୍ୟଫଳେ । ନାନା-ବିହାର ସୁଖଭୋଳେ ।। ୭୨
ଅତି ଲଳିତ ଗତି ତାର । ବିଳାସ ନାନା ମନୋହର ।। ୭୩
ରୁଚିର ହାସ ଲୀଳାମାନ । କଟାକ୍ଷେ ଯେ ଅବଲୋକନ ।। ୭୪
ବିକଚ-ବଦନାରବିନ୍ଦ । ନିନ୍ଦଇ ପୂର୍ଣ୍ଣମୀର ଚାନ୍ଦ ।। ୭୫
ଲଳିତ ହାସ ସୁଖଭୋଳେ । ଲକ୍ଷ୍ମୀ ସଙ୍ଗତେ କୁତୂହଳେ ।। ୭୬
କ୍ରୀଡା କରନ୍ତି ସୁଖମନେ । ଇନ୍ଦ୍ରିୟଭୋଗ ଅନୁମାନେ ।। ୭୭
ପ୍ରଜାପତି-ଦୁହିତା ସଙ୍ଗେ । ତହିଁରେ ଲକ୍ଷ୍ମୀଦେବୀ ରଙ୍ଗେ ।। ୭୮
ପରମ-ସମାଧି-ଯୋଗରେ । ସ୍ତୁତି କରନ୍ତି ବିଷ୍ଣୁଠାରେ ।। ୭୯
ନମସ୍ତେ ପ୍ରଭୁ ହୃଷୀକେଶ । ସକଳ ଗୁଣେ ତୁ ପ୍ରକାଶ ।। ୮୦
ଷୋଡଶ-କଳାବନ୍ତ ତୁହି । ବେଦ ତୋହର ନିଜ ଦେହୀ ।। ୮୧
ସକଳଆତ୍ମା ତୁ ଈଶ୍ୱର । ଅମୃତମୟ ତୋ ଶରୀର ।। ୮୨
ତୁମ୍ଭେ ପରମ-ମନୋହର । ତୁ ନାଥ ଶୁଭଙ୍କ ଈଶ୍ୱର ।। ୮୩
ଅତି ସୁଶୀଳ ଶନ୍ତ ତୁହି । ତୋ ତହୁଁ ଆନ କେହି ନାହିଁ ।। ୮୪
ଭୋ ନାଥ ତୋ ପାଦକମଳ । ସେବି ଲଭନ୍ତି ପୁଣ୍ୟଫଳ ।। ୮୫
ତୋହର ଭକ୍ତ ଯେ ହୁଅଇ । ତାଙ୍କୁ ସଙ୍କଟୁ ତାରୁ ତୁହି ।। ୮୬
ତୋ ପାଦ-ସରୋରୁହ ଦୁଇ । ନିରତେ ଯେମନ୍ତେ ସେବଇ ।। ୮୭
ଏମନ୍ତ ଆଜ୍ଞା ମୋତେ କର । ଭୋ ନାଥ କରୁଣାସାଗର ।। ୮୮
ଯେ ତୋତେ ମନେ ଆରାଧଇ । ତାହାର ମନୋରଥ ତୁହି ।। ୮୯
ତୋହର ପରସନ୍ନୁ ତାର । ସକଳ ହୁଅଇ ସୁଫଳ ।। ୯୦
ତେଣୁ ତୁ ତ୍ରୈଲୋକ୍ୟଈଶ୍ୱର । ଦ୍ୱିତୀୟ ନାହିଁ ପଟାନ୍ତର ।। ୯୧
ଭୋ ନାଥ ତୁମ୍ଭେ ନାନାଦେହ । ସାଧୁଙ୍କ ନିସ୍ତାରଣେ ବହ ।। ୯୨
ତୁମ୍ଭର ଚେଷ୍ଟା ଏ ସଂସାରେ । ବ୍ରହ୍ମାଦି କେବା ଜାଣିପାରେ ।। ୯୩
ରମ୍ୟକବରଷ ଚରିତ । ଶୁଣ ରାଜନ ପରୀକ୍ଷିତ ।। ୯୪
ପ୍ରଭୁର ମତ୍ସ୍ୟ-ଅବତାର । ଦେବମାନବେ ଅଗୋଚର ।। ୯୫
ଅତି ସୁନ୍ଦର ରୂପରାଶି । ମନୁର ବଂଶ ତହିଁ ବସି ।। ୯୬
ସେ ରୂପ ଆରାଧନା ପାଇଁ । ଏମନ୍ତ ସ୍ତୁତି ଯେ କରଇ ।। ୯୭
ନମସ୍ତେ ପରମ ଈଶ୍ୱର । ଯାହାର ଯଶ ଅଗୋଚର ।। ୯୮
ବିସ୍ତାର-ମତ୍ସ୍ୟ ତୋ ଶରୀର । ତୁ ପ୍ରଭୁ ସର୍ବପ୍ରାଣୀଙ୍କର ।। ୯୯
ଥାଉ ଯେ ଅନ୍ତର-ବାହାରେ । ତୋ ମାୟା କେବା ଜାଣିପାରେ ।। ୧୦୦
ତୋହର ମାୟା-ମୀନ-ଦେହୀ । ଦେବମାନବେ ଦେଖା ନାହିଁ ।। ୧୦୧
ସଂସାର-ସାଗରେ ତୋ ଜନ୍ମ । ମାୟାତରଙ୍ଗ ଯହିଁ ଭ୍ରମ ।। ୧୦୨
ପରମ ମହାବଳୀ ହେଉ । ସଂସାରେ ନାନା ଦେହ ବହୁ ।। ୧୦୩
ତୁ ସର୍ବ ଜଗତଠାକୁର । ତୋ ପାଦେ ମୋର ନମସ୍କାର ।। ୧୦୪
ହିରଣୟବରଷ ବାଣୀ । ରାଜନ ଶୁଣ ପରିମାଣି ।। ୧୦୫
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ଧରିଣ କୂର୍ମର ଶରୀର ।। ୧୦୬
ଅର୍ଯ୍ୟାମା ତୁଲେ ପିତୃଗଣେ । ଯେତେ ଅଛନ୍ତି ସେହିସ୍ଥାନେ ।। ୧୦୭
ତାହାଙ୍କୁ ଘେନି ପିତୃପତି । ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି ।। ୧୦୮
ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ପ୍ରଭୁ-ପାଦଗତେ ।। ୧୦୯
ନମଇଁ ସର୍ବ -ସ‌ତ୍ତ୍ୱଗୁଣ । ଲକ୍ଷି ନୋହଇ ଯାର ସ୍ଥାନ ।। ୧୧୦
ନମସ୍ତେ ପ୍ରଭୁ କୂର୍ମଦେହୀ । ତୋ ପଦେ ରଖ ହେ ଗୋସାଇଁ ।। ୧୧୧
ତୋର ଅଶେଷ ନାମ ଗୁଣ । ନମଇଁ ପ୍ରଭୁ ଭଗବାନ ।। ୧୧୨
ନିଜ ମାୟାରେ ଦେହଧରି । ଅଶେଷ ଦେହକୁ ଆବୋରି ।। ୧୧୩
ନାନା-ଜନ୍ମ ଏ ପ୍ରସିଦ୍ଧି । ତୋ ପଦ୍ମପାଦେ ମୋର ବୁଦ୍ଧି ।। ୧୧୪
ଭୋ ଦେବ ତୁହି ଜରାୟୁଜ । ତୁହି ତ ଅଣ୍ତଜ ସ୍ୱେଦଜ ।। ୧୧୫
ତୁହିତ ପ୍ରଭୁ ଭଗବାନ । ଉଦ୍ଭିଦ ସ୍ଥାବର ଜଙ୍ଗମ ।। ୧୧୬
ଦେବତା ଋଷି ପିତୃଭୂତ । ଇନ୍ଦ୍ରିୟ ଆଦି ଯେ ସମସ୍ତ ।। ୧୧୭
ଆକାଶ ଗ୍ରହ ମହୀସ୍ଥଳ । ଗିରି କାନନ ନାନାଜଳ ।। ୧୧୮
ଦିଗ ବରଷ ଯେ ସାଗର । ଏ ସର୍ବ ନାମଟି ତୋହର ।। ୧୧୯
ବ୍ରହ୍ମାଣ୍ତେ ଯେତେକ ଅଛନ୍ତି । କବିଏ ଯେତେ ବିଚାରନ୍ତି ।। ୧୨୦
ସେ ସର୍ବରୂପ ତୁ ଠାକୁର । ନମଇଁ ତୋହର ପୟର ।। ୧୨୧
ଉତ୍ତରକୁରୁବରଷର । ବରାହ ରୂପୀ ମହୀଧର ।। ୧୨୨
କୂର୍ମର ଅନ୍ତେ ତହିଁ ମହୀ । ଆନନ୍ଦେ ସ୍ତୁତି ସେ କରଇ ।। ୧୨୩
ନମଇଁ ଅନାଦି ଅବ୍ୟୟ । ସକଳ ଯଜ୍ଞ ତୋର ଦେହ ।। ୧୨୪
ତ୍ରିଯୁଗ ନାମରୂପଧର । ନମଇଁ ତୋହର ପୟର ।। ୧୨୫
ନିବୃତ୍ତତୃଷ୍ଣ ଜ୍ଞାନୀଜନ । ମାୟାଟି ଯା ନାମେ ଖଣ୍ତନ ।। ୧୨୬
ସୃଷ୍ଟି ଉଦୟ ସ୍ଥିତି ଲୟ । ତ୍ରିଗୁଣ ଘେନି ବହେ ଦେହ ।। ୧୨୭
ସେ ତୋର ମାୟାରେ ଭ୍ରମନ୍ତି । ତୋ ମାୟା କେହି ନ ଜାଣନ୍ତି ।। ୧୨୮
ସର୍ବ କର୍ମର ତୁ ଈଶ୍ୱର । ଭୋ ନାଥ ତୋତେ ନମସ୍କାର ।। ୧୨୯
ସଂଗ୍ରାମେ ନାଶୁ ଦୁଷ୍ଟଗଣ । ମାୟା-ଶୂକର ରୂପେ ଜନ୍ମ ।। ୧୩୦
ଅଗ୍ର ଦନ୍ତରେ ମୋର ପ୍ରାଣ । ଉଦ୍ଧାର କଲୁ ନାରାୟଣ ।। ୧୩୧
ତୁମ୍ଭର ପାଦପଦ୍ମ-ଦୁଇ । ଆନନ୍ଦେ ମୁହିଁ ଯେ ନମଇଁ ।। ୧୩୨
ବରାହ-ଧରଣୀର ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୧୩୩
ସୁଜନଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ।। ୧୩୪
କହଇ ବିପ୍ର ଜଗନ୍ନାଥ । ଶ୍ରୀକୃଷ୍ଣ-ଚରିତ-ଅମୃତ ।। ୧୩୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ
ନାମ ଅଷ୍ଟାଦଶୋଽଧ୍ୟାୟଃ

ଊନବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କିଂପୁରୁଷବରଷ ବାଣୀ । ରାଜନ ଶୁଣ ପରିମାଣି ।। ୧
ସୀତାରମଣ ପ୍ରଭୁ ରାମ । ତାହାଙ୍କ କନିଷ୍ଠ ଲକ୍ଷ୍ମଣ ।। ୨
ପରମ ପ୍ରଭୁ ଯେ ଈଶ୍ୱର । ତାହାଙ୍କୁ ହନୁ ମହାବୀର ।। ୩
ପରମ ଭାଗବତ ସେହି । ନିଶ୍ଚଳେ ଭକ୍ତିଯୋଗ ଲଇଁ ।। ୪
ପ୍ରଭୁ ପଦାରବିନ୍ଦ ତଳେ । ସେବଇ ମନର ନିଶ୍ଚଳେ ।। ୫
ଶ୍ରୀରାମ କଥା ପୁଣ୍ୟତମ । ଗନ୍ଧର୍ବେ କରନ୍ତି ଗାୟନ ।। ୬
ଆର୍ଷ୍ଟିଷେଣ ସହିତ ତହିଁ । ହନୁ ଶୁଣଇ ତୋଷ ହୋଇ ।। ୭
ଏମନ୍ତ କରନ୍ତି ଗାୟନ । ସ୍ତୁତି କରନ୍ତି ଏ ବଚନ ।। ୮
ଉତ୍ତମଶ୍ଳୋକ ତୁ ଠାକୁର । ନମଇଁ ତୋହର ପୟର ।। ୯
ସକଳ ଲକ୍ଷଣ ତୋ ତହିଁ । ସକଳ ଶ୍ରେଷ୍ଠ ତୁ ଗୋସାଇଁ ।। ୧୦
ସର୍ବ-ବନ୍ଦନ ତୁ ଠାକୁର । ତୋତେ ମୋହର ନମସ୍କାର ।। ୧୧
ନମଇଁ ବ୍ରହ୍ମାଣ୍ତ ଈଶ୍ୱର । ସକଳ ଦେବଙ୍କର ବୀର ।। ୧୨
ମହାପୁରୁଷ ମହାରାଜ । ନମଇଁ ବ୍ରହ୍ମାଣ୍ତର ବୀଜ ।। ୧୩
ସ୍ୱତେଜେ କରି ତିନିଗୁଣ । ବିନାଶ କରୁ ନାରାୟଣ ।। ୧୪
ପ୍ରଶାନ୍ତ-ସାଧୁ ତୁ ଠାକୁର । ଜ୍ଞାନୀଙ୍କି ଜ୍ଞାନେ ତୁ ଗୋଚର ।। ୧୫
ତୋହର ନାମ ରୂପ ଯେତେ । କେହି ନ ଜାଣନ୍ତି ଜଗତେ ।। ୧୬
ମାୟାସଂସାରେ ତୋର ଜନ୍ମ । ରାକ୍ଷସ-ସଂହାର-କାରଣ ।। ୧୭
ଅନ୍ୟଥା କାହିଁ ଭଗବାନ । ସୀତାହରଣେ କ୍ଷୋଭ ମନ ।। ୧୮
ମାନବଶିକ୍ଷାର ନିମନ୍ତେ । ତୋହର ଜନ୍ମ ଏ ଜଗତେ ।। ୧୯
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁମ୍ଭେ ବା କି କରି ନ ପାର ।। ୨୦
ତେବେ ପତ୍ନୀର ନିମିତ୍ତରେ । କ୍ଲେଶ ମାନବ-ଅବତାରେ ।। ୨୧
ଏ କି ତୋହରେ ସମ୍ଭବଇ । ଭୋ ନାଥ ତୋର ମାୟା ଏହି ।। ୨୨
ଜନ୍ମ ମରଣ ଯାର ନାହିଁ । ଅଖିଳପ୍ରଭୁ ଭାବଗ୍ରାହୀ ।। ୨୩
ସୁର-ଅସୁର ଆଦି କରି । ବ୍ରହ୍ମାଣ୍ତେ ଯେତେ ଦେହଧାରୀ ।। ୨୪
ଏ ସର୍ବଆତ୍ମା ଯେ ଈଶ୍ୱର । କି ଅବା ଅକର୍ତ୍ତବ୍ୟ ତୋର ।। ୨୫
ଉତ୍ତରକୋଶଳରେ ଜାତ । ଯେ ପ୍ରଭୁ ନରଦେହବନ୍ତ ।। ୨୬
ସେ ରାମ ପାଦତଳେ ମୁହିଁ । ସହସ୍ରେ ପ୍ରଣାମ କରଇ ।। ୨୭
ଶୁଣ ରାଜନ ମନତୋଷେ । ଏବେ ଯେ ଭାରତବରଷେ ।। ୨୮
ନର ନାରାୟଣ ସେ ହରି । କଳ୍ପେ ପର୍ଯ୍ୟନ୍ତ ଦେହଧରି ।। ୨୯
ସାଧୁଙ୍କ ପରିତ୍ରାଣ ପାଇଁ । ସଂସାରେ ରୂପବନ୍ତ ହୋଇ ।। ୩୦
ଭ୍ରମନ୍ତି ଆତ୍ମାଗୁଣ ମତେ । ନାରଦ ତାକୁ ଯଥୋଚିତେ ।। ୩୧
ଭକ୍ତିରେ ସାଧୁଜନ ମେଳେ । ସ୍ତୁତି କରନ୍ତି ଯେ ନିଶ୍ଚଳେ ।। ୩୨
ନମସ୍ତେ ସ୍ୱଭାବ-ସୁଶୀଳ । ତୋ ରୂପ ଚରିତ୍ର ନିର୍ମଳ ।। ୩୩
ଋଷିଙ୍କ ବର ତୁ ଠାକୁର । ତୋତେ ମୋହର ନମସ୍କାର ।। ୩୪
ନର-ନାରାୟଣ ଶରୀର । ପରମହଂସ ତୁ ଠାକୁର ।। ୩୫
ସକଳ ଆତ୍ମଭୂତ ତୁହି । ତୋ ପାଦପଦ୍ମେ ପ୍ରଣମଇଁ ।। ୩୬
ସକଳ କର୍ତ୍ତା ତୁ ଈଶ୍ୱର । ନାହିଁ ତୋହର ଅହଙ୍କାର ।। ୩୭
ତୁ ଯେ ମାନବ କଳେବର । ଶରୀରଭୋଗ ନାହିଁ ତୋର ।। ୩୮
ସକଳ ଦେଖୁ ତୁ ଠାକୁର । ଗୁଣରେ ଦୋଷ ନାହିଁ ତୋର ।। ୩୯
ସକଳ ଗୁଣେ ତୋ ବିହାର । ସର୍ବବିଷୟେ ନିର୍ବିକାର ।। ୪୦
ତୋହର ତହିଁ ଯାର ମନ । ତାହାର ସଂସାର ଖଣ୍ତନ ।। ୪୧
ଦାରା ତନୟ ଧନ ଘର । ଏଣେ ଅର୍ପିତ ମନ ଯାର ।। ୪୨
ସେ ତୋତେ ପାଇବେଟି କାହିଁ । ଶ୍ରମ କେବଳ ତାଙ୍କ ଦେହୀ ।। ୪୩
ଏ ମୋର ମୂଢ଼ମତି ତୁହି । ବିନାଶ କର ଭାବଗ୍ରାହୀ ।। ୪୪
ଏ ତୋର ପାଦେ ମୋର ମନ । ନିଶ୍ଚଳେ ରହୁ ଭଗବାନ ।। ୪୫
ଏ ଯେ ଭାରତବରଷର । ପର୍ବତ ଅଛନ୍ତି ଅପାର ।। ୪୬
ମଳୟ ଋଷଭ କୂଟକ । ମଙ୍ଗଳ ପ୍ରସ୍ଥ ଯେ ମୈନାକ ।। ୪୭
କୋଲ୍ଲ ସହ୍ୟ ଦ୍ରୋଣ ତ୍ରିକୂଟ । ଦେବଗିରି ବିନ୍ଧ୍ୟ ବେଙ୍କଟ ।। ୪୮
ବାରିଧାର ଯେ ଋଷ୍ୟମୂକ । ଋକ୍ଷଗିରି ଯେ ଗୋକାମୁଖ ।। ୪୯
ପାରିଯାତ୍ର ଯେ ଶୁକ୍ତିମାନ । ଚିତ୍ରକୂଟ ଯେ ଗୋବର୍ଦ୍ଧନ ।। ୫୦
କାମଗିରି କକୁଭ ନୀଳ । ରୈବତକ ଯେ ଇନ୍ଦ୍ରକୀଳ ।। ୫୧
ମହେନ୍ଦ୍ର ଶ୍ରୀଶୈଳ ସମେତେ । ଅଛନ୍ତି ଶତ ସସ୍ର ମତେ ।। ୫୨
ଆବର ନଦନଦୀ ଆଦି । ଶତସହସ୍ର ଯେ ପ୍ରସିଦ୍ଧି ।। ୫୩
ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣୀ । ଅବଟୋଦା ଯେ ପୟସ୍ୱିନୀ ।। ୫୪
କୃତମାଳା କାବେରୀ ପୁଣ୍ୟା । ଶର୍କରାବର୍ତ୍ତା କୃଷ୍ଣା ବେଣ୍ୟା ।। ୫୫
ବୈହାୟସୀ ଯେ ତୁଙ୍ଗଭଦ୍ରା । ଭୀମରଥୀ ତାପ୍ତି ନିର୍ବିନ୍ଧ୍ୟା ।। ୫୬
ଗୋଦାବରୀ ରେବା ସୁରସା । ପୟୋଷ୍ଣୀ ନର୍ମଦା ଯେ ବିଶ୍ୱା ।। ୫୭
ଚର୍ମଣ୍ୱତୀ ଶୋଣ ତ୍ରିସାମା । ସରଯୂ ଶତଦ୍ରୁ ସୁଷୋମା ।। ୫୮
ବ୍ରହ୍ମପୁତ୍ର ଯେ ମନ୍ଦାକିନୀ । ଯମୁନା ବିତସ୍ତା ଅସିକ୍ନୀ ।। ୫୯
ମହାନଦୀ ଯେ ବେଦସ୍ମୃତି । ଋଷିକୁଲ୍ୟା ଯେ ରୋଧସ୍ୱତୀ ।। ୬୦
କୌଶିକୀ ସିନ୍ଧୁ ସରସ୍ୱତୀ । ଚନ୍ଦ୍ରଭାଗା ଯେ ଷଷ୍ଠବତୀ ।। ୬୧
ଦୃଶଦ୍‌ବତୀ ପୁଣି ଗୋମତୀ । ମରୁତବୃଦ୍ଧା ସପ୍ତବତୀ ।। ୬୨
ଏ ପୁଣ୍ୟଜଳ ସ୍ନାନପାନ । କରି ତରନ୍ତି ପ୍ରଜାଜନ ।। ୬୩
ତ‌ତ୍ତ୍ୱଜ୍ଞ-ଯୋଗୀ ଋଷିମାନେ । କର୍ମ କରନ୍ତି ଏହି ସ୍ଥାନେ ।। ୬୪
ଏହି ବରଷେ ହେ ରାଜନ । କର୍ମରୁ ପ୍ରାଣୀ ହୋନ୍ତି ଜନ୍ମ ।। ୬୫
ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣ । କର୍ମରୁ ଲଭେ ପ୍ରାଣୀ ଜନ୍ମ ।। ୬୬
ସା‌ତ୍ତ୍ୱିକ ରାଜସ ତାମସ । କର୍ମରେ ଦେବତା ମାନସ ।। ୬୭
ଯେ ପ୍ରାଣୀ ଦୃଢ କରେ ମନ । ସକଳ-ତୀର୍ଥେ କୃଷ୍ଣନାମ ।। ୬୮
ସ୍ୱର୍ଗ ନରକ ଭୂମିଭାଗ । କର୍ମଅଧୀନେ କରେ ଭୋଗ ।। ୬୯
ଯେ ପ୍ରାଣୀ ସର୍ବଭୂତପର । କୃଷ୍ଣରେ ମତିଟି ଯାହାର ।। ୭୦
ସର୍ବଭୂତରେ ଆତ୍ମା ସେହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ।। ୭୧
ସେ ବାସୁଦେବ ଚକ୍ରଧର । ତାହାର ତହିଁ ମତି ଯାର ।। ୭୨
ଭକତିଯୋଗ ଦୃଢ଼ତାରେ । ସେ ପ୍ରାଣୀ କର୍ମବନ୍ଧୁ ତରେ ।। ୭୩
ମହାପୁରୁଷ ପ୍ରସଙ୍ଗରେ । ହେଳାରେ ଶ୍ରଦ୍ଧାରେ ବା କରେ ।। ୭୪
ଦେବେ ତାହାର ଗୁଣ-କର୍ମ । ଆନନ୍ଦେ କରନ୍ତି ଗାୟନ ।। ୭୫
ଧନ୍ୟ ଜୀବନ ତାର ସାର । ମୁକୁନ୍ଦ ପାଦେ ମତି ଯାର ।। ୭୬
ଭାରତେ ମାନବ-ଜନ୍ମରେ । ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ।। ୭୭
ଦୁଷ୍କର-ଜପ-ତପମାନ । ତଥିରେ କି ଅବା କାରଣ ।। ୭୮
ଯଜନ ଆଦି ଷଟକର୍ମ । ଭକ୍ତି-ବିହୀନେ ନିଷ୍କାରଣ ।। ୭୯
ପ୍ରଭୁ-ପଦାରବିନ୍ଦ ସାର । ସୁମତି ନାହିଁଟି ଯାହାର ।। ୮୦
କଳ୍ପ-ଆୟୁଷ ସୁଖମାନ । ଏହୁ ସକଳ ବ୍ୟର୍ଥଶ୍ରମ ।। ୮୧
କ୍ଷଣେ ଆୟୁଷ ଭାରତରେ । ମନ ଯାହାର କୃଷ୍ଣଠାରେ ।। ୮୨
ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ । ତାହାର ସମ କେହି ନାହିଁ ।। ୮୩
ପ୍ରାଣ-ପ୍ରୟାଣ ସମୟରେ । ଯେବେ ମାନସେ କୃଷ୍ଣ-ସ୍ମରେ ।। ୮୪
କ୍ଷଣକେ କର୍ମକୁ ଛେଦଇ । ବୈକୁଣ୍ଠପଦକୁ ଲଭଇ ।। ୮୫
ବୈକୁଣ୍ଠକଥା ସୁଧାରସ । ଯେ ସ୍ଥଳେ ନ ହୁଏ ପ୍ରକାଶ ।। ୮୬
କୃଷ୍ଣଆଶ୍ରିତ ପ୍ରାଣୀମାନ । ଯହିଁ ନାହାନ୍ତି ସାଧୁଜନ ।। ୮୭
ସୁଯଜ୍ଞ-ମହୋବ ଆଦି । ଯେ ସ୍ଥଳେ ନାହିଁ ଭକ୍ତି ସିଦ୍ଧି ।। ୮୮
ଇନ୍ଦ୍ରର ପୁର ଯେବେ ହୋଇ । ତହିଁରେ ବାସ ନ ଯୋଗାଇ ।। ୮୯
ମାନବ ଜନ୍ମ ହୋଇ ନର । ଜ୍ଞାନେ ଅଜ୍ଞାନ ଧ୍ୱଂସ ଯାର ।। ୯୦
ତଥାପି ପ୍ରଭୁଙ୍କ ଭଜନ । ତେଜଇ ହୋଇ ମତେ ଛନ୍ନ ।। ୯୧
ନାନାଯୋନିରେ ଜନ୍ମ ହୋଇ । କର୍ମବନ୍ଧନେ ସେ ପଡଇ ।। ୯୨
ଶ୍ରଦ୍ଧାରେ ଯେତେ ଯେତେ ନରେ । ଘୃତ ଦିଅନ୍ତି ଅଗ୍ନିଠାରେ ।। ୯୩
ନାନା-ଦେବତା ରୂପ ହୋଇ । ଯଜ୍ଞ ଭୁଞ୍ଜନ୍ତି ଭାବଗ୍ରାହୀ ।। ୯୪
ମାୟାରେ ପୃଥକ ସେ ହୋଇ । ତ୍ୱ ତା ବିନୁ କେହି ନାହିଁ ।। ୯୫
ତାଙ୍କୁ ଭଜନ୍ତି ଯେତେ ପ୍ରାଣୀ । ତାହାଙ୍କୁ ମନୁଷ୍ୟରେ ଗଣି ।। ୯୬
ଇଚ୍ଛା ନ କଲେ ଫଳ ଦେଇ । ଯେଣୁ ତା ନାମ ଭାବଗ୍ରାହୀ ।। ୯୭
ପଦପଲ୍ଲବ ଭଜନରେ । ଯାହାର ମନ ନିରନ୍ତରେ ।। ୯୮
ସେ ଭକ୍ତପ୍ରାଣୀମାନଙ୍କରେ । କରୁଣା କରନ୍ତି ବେଭାରେ ।। ୯୯
ଦେବେ ବୋଲନ୍ତି ସ୍ୱର୍ଗେ ଥାଇ । ଭାରତବର୍ଷେ ଜନ୍ମ ହୋଇ ।। ୧୦୦
ଯହିଁ ହରିର ସ୍ମୃତି ଜାତ । ହରି ଚରଣେ ସେବାବନ୍ତ ।। ୧୦୧

ଶୁକ ଉବାଚ

ଜମ୍ବୁଦ୍ୱୀପରେ ନୃପବର । ଯେ ଅଷ୍ଟ ଉପଦ୍ୱୀପ ସାର ।। ୧୦୨
ଅଶ୍ୱ ଖୋଜନ୍ତେ ବସୁନ୍ଧରୀ । ସଗରପୁତ୍ରଙ୍କରେ କରି ।। ୧୦୩
ଗର୍ତ୍ତ ହୋଇଲା ଚାରିଦିଗ । ଏଣୁ ଏ ଅଷ୍ଟଦ୍ୱୀପ ଭାଗ ।। ୧୦୪
ଶୁଣ ହେ ପରୀକ୍ଷ ରାଜନ । ଯେ ଅଷ୍ଟ ଉପଦ୍ୱୀପ ନାମ ।। ୧୦୫
ସୁବର୍ଣ୍ଣପ୍ରସ୍ଥ ନାମେ ଏକ । ଚନ୍ଦ୍ରଶୁକ୍ଳ ନାମ ଆରକ ।। ୧୦୬
ତୃତୀୟ ନାମ ଆବର୍ତ୍ତନ । ଚତୁର୍ଥ ମନ୍ଦରହରିଣ ।। ୧୦୭
ରମଣକ ନାମ ପଞ୍ଚମ । ଷଷ୍ଠର ପାଞ୍ଚଜନ୍ୟ ନାମ ।। ୧୦୮
ସିଂହଳ ଲଙ୍କା ନାମ ହୋଇ । ଆବର ଉପଦ୍ୱୀପ ଦୁଇ ।। ୧୦୯
ବରଷ-ବିଭାଗ ସମେତେ । ଜମ୍ବୁଦ୍ୱୀପର ଯଥୋଚିତେ ।। ୧୧୦
ତୁମ୍ଭ ପ୍ରଶନ ଅନୁସାରେ । ଭୋ ନୃପ କହିଲୁ ତୁମ୍ଭରେ ।। ୧୧୧
ଦ୍ୱୀପ ବରଷ ବନ ଗିରି । ସକଳକର୍ତ୍ତା ନରହରି ।। ୧୧୨
ସେ ପ୍ରଭୁ ଚରଣାରବିନ୍ଦେ । ମୋ ମନ ରହୁ ଅପ୍ରମାଦେ ।। ୧୧୩
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ।। ୧୧୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଜମ୍ବୁଦ୍ୱୀପବର୍ଣ୍ଣ‌ନଂ ନାମ ଏକୋନବିଂଶୋଽଧ୍ୟାୟଃ । ।

ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏ ଅନନ୍ତରେ ହେ ରାଜନ । ପ୍ଳକ୍ଷ ଆଦି ଯେ ଦ୍ୱୀପମାନ ।। ୧
ବରଷ-ଲକ୍ଷଣ ପ୍ରମାଣ । କହିବା ସାବଧାନେ ଶୁଣ ।। ୨
ଜମ୍ବୁଦ୍ୱୀପ ଯେତେ ପ୍ରମାଣ । ପ୍ଲକ୍ଷ ଯେ ତହିଁରେ ଦ୍ୱିଗୁଣ ।। ୩
ଜମ୍ବୁବୃକ୍ଷେ ଏ ଦ୍ୱୀପ ଖ୍ୟାତ । ପ୍ଲକ୍ଷରେ ସେ ଦ୍ୱୀପ ବିଖ୍ୟାତ ।। ୪
ସପତଜିହ୍ୱ ଅଗ୍ନି ତହିଁ । ଅପରେ ଛନ୍ତି ଯେତେ ରହି ।। ୫
ପ୍ରିୟବ୍ରତର ସେ ନନ୍ଦନ । ଇଧ୍ମଜିହ୍ୱ ତାହାର ନାମ ।। ୬
ସେ ଦ୍ୱୀପ ସମଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ।। ୭
ସପତପୁତ୍ରେ ଯେଝାମତେ । ସପ୍ତବରଷ ଯଥୋଚିତେ ।। ୮
କଳ୍ପେ ପର୍ଯ୍ୟନ୍ତ ଭୋଗକଲେ । ସ୍ୱଚ୍ଛନ୍ଦେ ଅବନୀ ମଣ୍ତଳେ ।। ୯
ବରଷ ନାମ ଶୁଣ ତୁହି । ଶିବ ଯବସ ଶାନ୍ତ ହୋଇ ।। ୧୦
ସୁଭଦ୍ର କ୍ଷେମ ଯେ ଅମୃତ । ଅଭୟ ନାମ ଏ ଯେ ସପ୍ତ ।। ୧୧
ତହିଁରେ ଛନ୍ତି ଗିରି-ସାତ । ନଦୀହିଁ ସାତ ତହିଁ ଖ୍ୟାତ ।। ୧୨
ଏଥେ ଯେତେକ ଗିରିମାନ । ଅଛନ୍ତି ଶୁଣ ହେ ରାଜନ ।। ୧୩
ମଣିକୂଟ ଯେ ଇନ୍ଦ୍ରସେନ । ବଜ୍ରକୂଟ ଯେ ଜ୍ୟୋତିଷ୍ମାନ ।। ୧୪
ହିରଣ୍ୟଷ୍ଠୀବ ମେଘମାଳ । ସୁପର୍ଣ୍ଣଶୃଙ୍ଗ ସେତୁଶୈଳ ।। ୧୫
ସାବିତ୍ରୀ ଆଙ୍ଗିରସୀ ବେନି । ଅରୁଣା ନୃମଣା ତଟିନୀ ।। ୧୬
ସୁପ୍ରଭାତା ଯେ ସତ୍ୟମ୍ଭରା । ବିଖ୍ୟାତ ଆର ଋତମ୍ଭରା ।। ୧୭
ଏ ମହାନଦୀମାନେ ତହିଁ । ଏଣୁ ଏ ସ୍ଥଳୀ ବିରାଜଇ ।। ୧୮
ତହିଁର ଜଳ ସ୍ନାନ ପାନେ । ମାନବ-ପଶୁ-ଜୀବମାନେ ।। ୧୯
ସକଳ ପାପ ଦୂର କରି । ସୁଖେଣ ଅଛନ୍ତି ବିହରି ।। ୨୦
ଦେବଙ୍କ ଆୟୁଷ ପ୍ରମାଣେ । ଜୀବନ୍ତି ତହିଁ ପ୍ରାଣୀମାନେ ।। ୨୧
ଯଜ୍ଞ-ଯୋଗ ନାନା ପ୍ରାକାରେ । ସୂର୍ଯ୍ୟଙ୍କୁ ପୂଜନ୍ତି ସେ ନରେ ।। ୨୨
ସ୍ତୁତି କରନ୍ତି ଏ ବଚନେ । ଶୁଣ ରାଜନ ସାବଧାନେ ।। ୨୩
ବିଷ୍ଣୁଙ୍କ ସ୍ୱରୂପକୁ ଧରି । ଅଖିଳ ପ୍ରକାଶ ଯେ କରି ।। ୨୪
ତୁ ସତ୍ୟବ୍ରହ୍ମ ଯେ ପୁରୁଷ । ସକଳଭୂତେ ତୋର ବାସ ।। ୨୫
ତୁ ଯେ ଅଶେଷ ବହୁ ନାମ । ତୋ ପାଦେ ଆମ୍ଭର ପ୍ରଣାମ ।। ୨୬
ସେ ପଞ୍ଚଦ୍ୱୀପ ପ୍ଳକ୍ଷ ଆଦି । ଏଥିରେ ଯେତେକ ପ୍ରସିଦ୍ଧି ।। ୨୭
ସେ ଦ୍ୱୀପବାସୀଙ୍କ ଆୟୁଷ । ଇନ୍ଦ୍ରିୟ ବଳ ଯେ ସାହସ ।। ୨୮
ସ୍ୱଇଚ୍ଛାମତେ ସେ ହୁଅଇ । ଉତପତ୍ତିରୁ ଯେଝାତହିଁ ।। ୨୯
ପ୍ଳକ୍ଷଦ୍ୱୀପର ଚାରିପାଶେ । ଇକ୍ଷୁରସ ସିନ୍ଧୁ ପ୍ରକାଶେ ।। ୩୦
ଏହାକୁ ଦ୍ୱିଗୁର ବିସ୍ତାର । ଶାଳ୍ମଳଦ୍ୱୀପ ନୃପବର ।। ୩୧
ସୁରାସମୁଦ୍ର ବେଢି ତାରେ । ଅଛଇ ବଳୟ ଆକାରେ ।। ୩୨
ସେ ଦ୍ୱୀପେ ଯାର ଅଧିକାର । ପ୍ରିୟବ୍ରତର ସେ କୁମର ।। ୩୩
ଯଜ୍ଞବାହୁ ତାହାର ନାମ । ସେ ସାଧୁ ବିଷ୍ଣୁ ପରାୟଣ ।। ୩୪
ଏ ଦ୍ୱୀପ ସପ୍ତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ।। ୩୫
ବିଭାଗେ ତାର ସପ୍ତସୁତେ । ନେଲେ ସେ ଯେ ଯାହାର ମତେ ।। ୩୬
ସେ ସାତକୁମରଙ୍କ ନାମ । ଶୁଣ ରାଜନ ସାବଧାନ ।। ୩୭
ପାରିଭଦ୍ର ଯେ ସୁରୋଚନ । ଦେବବର୍ଷ ଯେ ଆପ୍ୟାୟନ ।। ୩୮
ରମଣକ ଯେ ଅବିଜ୍ଞାତ । ସୌମନସ୍ୟ ଏ ଭାଇ ସାତ ।। ୩୯
ଏହି ବରଷେ ନଦୀ ଗିରି । ଏତେ ଅଛନ୍ତି ଦଣ୍ତଧାରୀ ।। ୪୦
ଶତଶୃଙ୍ଗ ଯେ ପୁଷ୍ପବର୍ଷ । ମୁକୁନ୍ଦ କୁନ୍ଦ ଯେ ସ୍ୱରସ ।। ୪୧
ସହସ୍ରଶ୍ରୁତିର ସହିତେ । ବାମଦେବ ସପ୍ତପର୍ବତେ ।। ୪୨
ପ୍ରଥମ ନଦୀ ଅନୁମତି । ଦ୍ୱିତୀୟ ସିନୀବାଲୀ ଖ୍ୟାତି ।। ୪୩
ତୃତୀୟ ସରସ୍ୱତୀ ହୋଇ । କୁହୁ ରଜନୀ ପୁଣ ଦୂଇ ।। ୪୪
ଆବର ନନ୍ଦା ରାକା ପୁଣ । ନଦୀଙ୍କ ଏହି ସପ୍ତନାମ ।। ୪୫
ବର୍ଷବାସୀ ପୁରୁଷ ନାମ । ଶ୍ରବଣ କର ତୁ ରାଜନ ।। ୪୬
ଶ୍ରୁତଧର ଯେ ବୀର୍ଯ୍ୟଧର । ବସୁନ୍ଧର ଯେ ଇଷନ୍ଧର ।। ୪୭
ଏ ଯେ ବରଷ ପ୍ରାଣୀମାନେ । ତପ ଆରଧି ଦିନେଦିନେ ।। ୪୮
ସେ ରାଜା ଭଗବାନ ସୋମ । ତାହାଙ୍କୁ କରନ୍ତି ବନ୍ଦନ ।। ୪୯
ଭୋ ନାଥ ତୋର ସୁଧାରସ । ପିତୃ ଦେବତାଙ୍କ ସନ୍ତୋଷ ।। ୫୦
ଆମ୍ଭେ ତୋ ଚରଣେ ଶରଣ । ଅମୃତପଦ ଯେ କାରଣ ।। ୫୧
ଔଷଧିନାଥ ନମୋନମ । ନମସ୍ତେ କଳାପୂର୍ଣ୍ଣ ସୋମ ।। ୫୨
ଘୃତ-ସମୁଦ୍ର ମଧ୍ୟଦେଶେ । କୁଶଦ୍ୱୀପ ନାମ ପ୍ରକାଶେ ।। ୫୩
କ୍ରମେ ସେ ସିନ୍ଧୁଦ୍ୱୀପ ମାନ । ପୂର୍ବକୁ ଅପରେ ଦ୍ୱିଗୁଣ ।। ୫୪
ପ୍ରିୟବ୍ରତର ସେ ନନ୍ଦନ । ହିରଣ୍ୟରେତା ତାର ନାମ ।। ୫୫
କୁଶଦ୍ୱୀପରେ ସେ ରାଜନ । ତାହାର ସପତ ନନ୍ଦନ ।। ୫୬
ସେ ଦ୍ୱୀପ କ୍ରମେ ଭାଗକରି । ପୁତ୍ରଙ୍କୁ ଦେଲେ ଦଣ୍ତଧାରୀ ।। ୫୭
ସପତ ବରଷକୁ କଲା । ଯେ ଯାହାମତେ ତାଙ୍କୁ ଦେଲା ।। ୫୮
ସକଳ ସମ୍ପଦ ଛାଡିଲା । ଆପଣେ ତପ ଆଶ୍ରେ କଲା ।। ୫୯
ବସୁଦାନ ଯେ ସ୍ତୁତ୍ୟବ୍ରତ । ଦୃଢ଼ରୁଚି ଯେ ନାଭିଗୁପ୍ତ ।। ୬୦
ବସୁ ବିବିକ୍ତ ନାମ ଆଉ । ବାମଦେବ ଯେ ପୁତ୍ରେ ଏହୁ ।। ୬୧
ନଦୀ ପର୍ବତ ସୀମା କରି । ବେଭାରେ ଦେଲା ଦଣ୍ତଧାରୀ ।। ୬୨
ଗିରିଙ୍କ ନାମ ମହୀପାଳ । ଚକ୍ର ଚତୁଃଶୃଙ୍ଗ କପିଳ ।। ୬୩
ଚିତ୍ରକୂଟ ଯେ ଉର୍ଦ୍ଧ୍ୱରୋମ । ଦେବାନୀକ ଗିରି ଦ୍ରବିଣ ।। ୬୪
ରସକୁଲ୍ୟା ଯେ ମିତ୍ରବୃନ୍ଦା । ମଧୁକୁଲ୍ୟା ଯେ ଶ୍ରୁତବିନ୍ଦା ।। ୬୫
ଦେବଗର୍ଭା ଯେ ଘୃତଚ୍ୟୁତା । ମନ୍ତ୍ରମାଳା ଗିରି ଦୁହିତା ।। ୬୬
ଏ ସପ୍ତନଦୀ ଜଳପାନେ । ସୁଖେ ବଞ୍ଚନ୍ତି ତହିଁ ଜନେ ।। ୬୭
ଅଗ୍ନିଦେବତାଙ୍କୁ ଯେ ସ୍ମରି । ଅଛନ୍ତି ଏକମନ କରି ।। ୬୮
ପରମବ୍ରହ୍ମର ମୂରତି । ତୋ ରୂପ ଯୋଗୀଜନେଚିନ୍ତି ।। ୬୯
ସଂସାରେ ଯେତେ ସାଧୁଜନ । ଯଜ୍ଞେ କରନ୍ତି ତୋ ଅର୍ଚ୍ଚନ ।। ୭୦
ଏମନ୍ତେ ନାନାସ୍ତୁତି ମତେ । ଅଗ୍ନି ପୂଜନ୍ତି ଯଥୋଚିତେ ।। ୭୧
କ୍ଷୀରସିନ୍ଧୁ ମଧ୍ୟ ଭାଗରେ । ଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ ।। ୭୨
କ୍ରୌଞ୍ଚନାମେ ଯେ ଗିରିବର । ତା ନାମେ ନାମ ସେ ଦ୍ୱୀପର ।। ୭୩
ପ୍ରିୟବ୍ରତର ପୁତ୍ର ହୋଇ । ଘୃତପୃଷ୍ଠ ନାମ ବହଇ ।। ୭୪
ସେ ଦ୍ୱୀପେ ରାଜତ୍ୱ ତାହାର । ସପତ ତାହାଙ୍କ କୁମର ।। ୭୫
ସପ୍ତବରଷ ପୁତ୍ରେ ଦେଇ । ନିଶ୍ଚଳେ କୃଷ୍ଣଙ୍କୁ ଭଜଇ ।। ୭୬
ମଧୁରୁହ ଯେ ମେଘପୃଷ୍ଠ । ସୁଧାମା ଆମ ଯେ ଭ୍ରାଜିଷ୍ଟ ।। ୭୭
ଲୋହିତାର୍ଣ୍ଣ ଯେ ବନସ୍ଫତି । ଏ ସପ୍ତ ନାମେ ବର୍ଷ ଖ୍ୟାତି ।। ୭୮
ଶୁକ୍ଳ ବର୍ଦ୍ଧମାନ ଭୋଜନ । ଉପବର୍ହଣ ନାମେ ଆନ ।। ୭୯
ନନ୍ଦ ନନ୍ଦନ ବେନି ଖ୍ୟାତ । ସର୍ବତୋଭଦ୍ର ମିଶି ସାତ ।। ୮୦
ଅଭୟା ଶୁକ୍ଳା ତୀର୍ଥବତୀ । ଅମୃତୌଘା ଯେ ରୂପବତୀ ।। ୮୧
ଆର୍ଯ୍ୟକା ଯେ ପବିତ୍ରବତୀ । ଏ ସପ୍ତନଦୀ ନାମ ଖ୍ୟାତି ।। ୮୨
ଏସବୁ ନଦୀଙ୍କର ଜଳ । ଅତୀବ ପବିତ୍ର ନିର୍ମଳ ।। ୮୩
ସେ ଜଳ କରି ନିତ୍ୟେ ପାନ । କ୍ରୌଞ୍ଚଦ୍ୱୀପେ ସେ ଯେତେ ଜନ ।। ୮୪
ପୁରୁଷ ଋଷଭ ଦ୍ରବିଣ । ଦେବକ ନାମରେ ସେ ପୁଣ ।। ୮୫
ଯାହାର ଜଳ ପାନ କରି । ଦେବଦେହକୁ ପ୍ରାଣୀ ଧରି ।। ୮୬
ପୂଜନ୍ତି ବରୁଣକୁ ଯାର । ସଲିଳମୟ କଳେବର ।। ୮୭
ହେ ଆପମୟ ତୁ ଈଶ୍ୱର । ଭୁବନ ପବିତ୍ର ତୁ କର ।। ୮୮
ତୁମ୍ଭର ପାଦରେ ବନ୍ଦନ । ଆମ୍ଭରେ ତେଣୁ କରି ମନ ।। ୮୯
ତୁମ୍ଭର ଆପରେ ବହନ । ଆମ୍ଭର ପୂତ କର ମନ ।। ୯୦
ଆମ୍ଭଙ୍କୁ ଅନୁକମ୍ପା କର । ବାହ୍ୟାଭ୍ୟନ୍ତର ପାପ ହର ।। ୯୧
ଏ ଅନନ୍ତରେ ପରୀକ୍ଷିତ । ଶାକଦ୍ୱୀପର ଯେ ତଦନ୍ତ ।। ୯୨
ବତିଶଲକ୍ଷ ଯେ ଯୋଜନ । ଶାକଦ୍ୱୀପର ପରିମାଣ ।। ୯୩
ଦଧିସମୁଦ୍ର ବେଢି ତାରେ । ଅଛି ଯେ ବଳୟ ପ୍ରକାରେ ।। ୯୪
ତହିଁରେ ଶାକ-ତରୁବର । ସୁଗନ୍ଧ କରଇ ବିସ୍ତାର ।। ୯୫
ପ୍ରିୟବ୍ରତର ସେ କୁମର । ମେଧାତିଥି ନାମ ଯାହାର ।। ୯୬
ରାଜତ୍ୱପଣ କରି ତହିଁ । ଶାକଦ୍ୱୀପକୁ ସେ ପାଳଇ ।। ୯୭
ଦ୍ୱୀପକୁ ସାତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ।। ୯୮
ତାହାଙ୍କ ପୁତ୍ରଙ୍କର ନାମ । କହିବା ଶୁଣ ହେ ରାଜନ ।। ୯୯
ପବମାନ ଯେ ମନୋଜବ । ଧୂମ୍ରାନୀକ ଯେ ପୁରୋଜବ ।। ୧୦୦
ଚିତ୍ରରେଫ ଯେ ବହୁରୂପ । ବିଶ୍ୱାଧାର ଏ ସାତନୃପ ।। ୧୦୧
ସପ୍ତବରଷ ଯେଝାମତେ । ଦେଇ ଏ ପୁତ୍ରେ ଯଥୋଚିତେ ।। ୧୦୨
ପ୍ରଭୁପାଦରେ ଚିତ୍ତ ଦେଲା । ତପୋବନରେ ସେ ରହିଲା ।। ୧୦୩
ସେ ଦ୍ୱୀପ ପର୍ବତଙ୍କ ନାମ । କହିବା ଶୁଣ ହେ ରାଜନ ।। ୧୦୪
ସହସ୍ରସ୍ରୋତ ଦେବପାଳ । ମହାନସ ଶତକେସର ।। ୧୦୫
ଗିରି ବଳଭଦ୍ର ଈଶାନ । ଉରୁଶୃଙ୍ଗ ଯେ ସାତନାମ ।। ୧୦୬
ଅପରାଜିତା ନିଜଧୃତି । ଆୟୁର୍ଦା ଯେ ସହସ୍ରଶୂତି ।। ୧୦୭
ଉଭୟସୃଷ୍ଟି ପଞ୍ଚପଦୀ । ଅଗଘା ଆଦି ସପ୍ତନଦୀ ।। ୧୦୮
ସେ ବରଷର ଯେ ପୁରୁଷ । ଋତବ୍ରତ ଆଦି ବିଶେଷ ।। ୧୦୯
ପବନରୂପୀ ଭଗବାନ । ତାହାଙ୍କୁ କରନ୍ତି ସେବନ ।। ୧୧୦
ପରମଯୋଗ-ସମାଧିରେ । ସ୍ତୁତି କରନ୍ତି ସେ ପ୍ରଭୁରେ ।। ୧୧୧
ଭୋ ଦେବ ପବନ ଆକାର । ତୋତେ ଆମ୍ଭର ନମସ୍କାର ।। ୧୧୨
ପ୍ରାଣୀଙ୍କ ଅନ୍ତର ବାହାରେ । ତୁ ନାଥ ଥାଉ ନିରନ୍ତରେ ।। ୧୧୩
ଦଧିସିନ୍ଧୁ ପରେ ରାଜନ । ପୁଷ୍କରଦ୍ୱୀପ ଯେ ଦ୍ୱିଗୁଣ ।। ୧୧୪
ସ୍ୱାଦୁଜଳସିନ୍ଧୁ ତାହାରେ । ବେଢିଛି ବଳୟ ଆକାରେ ।। ୧୧୫
ତହିଁ କମଳ ବିରାଜିତ । ସୁବର୍ଣ୍ଣମୟ ଲକ୍ଷପତ୍ର ।। ୧୧୬
ସେହି କମଳେ ଭଗବାନ । ବସନ୍ତି ଯେ କମଳାସନ ।। ୧୧୭
ଯାହାର ନାମ ଦ୍ୱୀପବର । ଲୋକପ୍ରସିଦ୍ଧ ଯେ ପୁଷ୍କର ।। ୧୧୮
ଏ ଦ୍ୱୀପମଧ୍ୟେ ନୃପବର । ପର୍ବତ ମାନସଉତ‌ତ୍ତର ।। ୧୧୯
ବିସ୍ତାର ଅୟୁତଯୋଜନ । ଚାରିଦିଗରେ ହେ ରାଜନ ।। ୧୨୦
ଇନ୍ଦ୍ରାଦି ଲୋକପାଳଙ୍କର । ଅଛଇ ଏଥି ଚାରିପୁର ।। ୧୨୧
ମେରୁ ଭ୍ରମନ୍ତେ ଦିନକର । ଉପରେ ଭ୍ରମେ ଚକ୍ର ତାର ।। ୧୨୨
ଏ ଦ୍ୱୀପପତି ବୀତିହୋତ୍ର । ପ୍ରିୟବ୍ରତଙ୍କର ଏ ପୁତ୍ର ।। ୧୨୩
ଧାତକି ରମଣକ ଦୁଇ । ବୀତିହୋତ୍ରର ପୁତ୍ର ହୋଇ ।। ୧୨୪
ଏ ଦ୍ୱୀପେ ତାଙ୍କ ଅଧିକାର । ଶୁଣ ପରୀକ୍ଷ ନୃପବର ।। ୧୨୫
ସେ ସ୍ଥଳଲୋକଙ୍କ ସହିତେ । ଏହି ସ୍ତୁତିରେ ଯଥୋଚିତେ ।। ୧୨୬
ଯେ ବ୍ରହ୍ମରୂପୀ ଭଗବାନ । ତାହାଙ୍କୁ କରନ୍ତି ଭଜନ ।। ୧୨୭
ବର୍ଷଦ୍ୱୟର ବାସୀଗର । ଭଜନ୍ତି ନିତ୍ୟେ ପଦ୍ମାସନ ।। ୧୨୮
ଯାହାଙ୍କ ଚରଣାରବିନ୍ଦ । ନିତ୍ୟେ ବାଞ୍ଛନ୍ତି ମୁନିବୃନ୍ଦ ।। ୧୨୯
ଭକ୍ତିଯୋଗରେ ସାଧୁଗଣ । ପୂଜନ୍ତି ଯାହାଙ୍କ ଚରଣ ।। ୧୩୦
ସେ ବ୍ରହ୍ମ ବିଶ୍ୱରୂପ ହୋଇ । ଅଖିଳ-ସୃଷ୍ଟିକି ଭିଆଇ ।। ୧୩୧
ଏ ବ୍ରହ୍ମରୂପୀ ଯେ ଠାକୁର । ନମଇଁ ତାହାଙ୍କ ପୟର ।। ୧୩୨
ଏହାର ପରେ ପରୀକ୍ଷିତ । ଲୋକାଲୋକ ନାମେ ପର୍ବତ ।। ୧୩୩
ତାହାର ମଧ୍ୟେ ଯେଉଁ ସ୍ଥଳ । ପାଞ୍ଚନଭୂମି ମହୀପାଳ ।। ୧୩୪
ମେରୁ-ମାନସ ମଧ୍ୟ ଦେଶେ । କାଞ୍ଚନଭୂମି ଯେ ପ୍ରକାଶେ ।। ୧୩୫
ଯେଣୁ ଏହାର ଅନନ୍ତରେ । ଗତାଗତ ନାହିଁ ଅପରେ ।। ୧୩୬
ଏଣୁ ଏ ଲୋକାଲୋକ ନାମ । ଏ ସର୍ବ ଈଶ୍ୱରଭିଆଣ ।। ୧୩୭
ଏହୁ ଯେ ଭୂଗୋଳ ରାଜନ । ପଞ୍ଚାଶକୋଟି ଯେ ବିସ୍ତୀର୍ଣ୍ଣ ।। ୧୩୮
ପୃଥ୍ୱୀର ଚାରିଭାଗ ସମ । ଏ ଲୋକାଲୋକ ଗିରି ନାମ ।। ୧୩୯
ଅଖିଳ ଜଗତର ଗୁରୁ । ଯେ ଆତ୍ମଯୋନି ମହାମେରୁ ।। ୧୪୦
ଅଖିଳ ଲୋକଙ୍କର ହିତେ । ଏହା ଉପରେ ଯଥୋଚିତେ ।। ୧୪୧
ଦିଗ୍ଗଜପତିଏ ଚତ୍ୱାରେ । ରଖିଲେ କ୍ରମେ ସେ ବେଭାରେ ।। ୧୪୨
ଏ ଚାରି ଗଜପତି ନାମ । ଭୋ ନୃପ ଶୁଣ ତୁ ଆପଣ ।। ୧୪୩
ଋଷଭ ନାମ ଯେ ଏକର । ପୁଷ୍କରଚୂଡ ଯେ ଅପର ।। ୧୪୪
ଅପରାଜିତ ଯେ ବାମନ । ଶେଷ ଦୁଇର ଏହି ନାମ ।। ୧୪୫
ଏହାଙ୍କ ବଳ ନିମନ୍ତରେ । ଅଖିଳ-ବ୍ରହ୍ମାଣ୍ତ-ଠାକୁରେ ।। ୧୪୬
ସେନାଦିପାରିଷଦବରେ । ନାନା ଆୟୁଧ ଧରି କରେ ।। ୧୪୭
ସେ ହସ୍ତୀ ରକ୍ଷଣର ପାଇଁ । ରଖିଲେ ପ୍ରଭୁ ଭାବଗ୍ରାହୀ ।। ୧୪୮
ନାନା ଅଳଙ୍କାରକୁ ଦେଇ । ବିଚିତ୍ରବେଶକୁ କରାଇ ।। ୧୪୯
ଆପଣେ ଗଦା ଧରି କରେ । ବୁଲନ୍ତି ଲୋକାଲୋକ ପରେ ।। ୧୫୦
ବରଷ ଦ୍ୱୀପ ନଦୀ ଗିରି । ତୁମ୍ଭରେ କହିଲୁ ବିସ୍ତାରି ।। ୧୫୧
ଲୋକାଲୋକଗିରି ଅନ୍ତରେ । ଈଶ୍ୱରସୃଷ୍ଟି ଅଗୋଚରେ ।। ୧୫୨
ଅଣ୍ତ ମଧ୍ୟରେ ରବି ସ୍ଥିତି । ଭୂମି ସ୍ୱର୍ଗର ମଧ୍ୟବର୍ତ୍ତୀ ।। ୧୫୩
ସୂର୍ଯ୍ୟ ଭୂମିର ଯେ ଅନ୍ତର । କହନ୍ତି ମଧ୍ୟ ବ୍ରହ୍ମାଣ୍ତର ।। ୧୫୪
ସୂର୍ଯ୍ୟଅଣ୍ତ ମଧ୍ୟରେ ମଧ୍ୟ । ପଞ୍ଚାଶକୋଟି ଯେ ପ୍ରସିଦ୍ଧ ।। ୧୫୫
ବୈରାଜରୂପେ ଗ୍ରହେଶ୍ୱର । ପ୍ରବିଷ୍ଟ ମୃତାଣ୍ତ ମଧ୍ୟର ।। ୧୫୬
ମୃତଅଣ୍ତରେ ଉଦେ ହୋନ୍ତି । ମାର୍ତ୍ତଣ୍ତ ନାମକୁ ବହନ୍ତି ।। ୧୫୭
ହିରଣ୍ୟ ଅଣ୍ତୁ ଯେ ସମ୍ଭବ । ତେଣୁ ନାମ ହିରଣ୍ୟଗର୍ଭ ।। ୧୫୮
ଦିଶ ଆକାଶ ସୂର୍ଯ୍ୟ କରି । ବିଭାଗ ହୋଇ ଦଣ୍ତଧାରୀ ।। ୧୫୯
ଦେବତୀର୍ଯ୍ୟକ ନର ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ।। ୧୬୦
ଆତ୍ମାର ଚକ୍ଷୁରୂପ ସେହି । ସେ ସୂର୍ଯ୍ୟ ଅଖିଳ ଗୋସାଇଁ ।। ୧୬୧
ତା ଶକ୍ତି ଜଗତେ ପ୍ରକାଶ । ଜଗତ ତମ କରେ ନାଶ ।। ୧୬୨
ବିଷ୍ଣୁର ରୂପ ସେ ସାକ୍ଷତ । କହଇ ବିପ୍ର ଜଗନ୍ନାଥ ।। ୧୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷବର୍ଣ୍ଣନେ
ବିଂଶୋଽଧ୍ୟାୟଃ ।।

ଏକବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଭୁବନକୋଷ ପରିମାଣ । କହିଲୁ ଯେତେକ ଲକ୍ଷଣ ।। ୧
ଏମନ୍ତ ଦିବିମଣ୍ତଳର । ଲକ୍ଷଣ ଶୁଣ ନୃପବର ।। ୨
ଚଣକ ବେନିଫାଳ ଯେହ୍ନେ । ଏକକୁ ଆରେକ ସମାନେ ।। ୩
ତେସନ ଧରା ପରିମାଣ । ଦିବିମଣ୍ତଳ ଯେ ସମାନ ।। ୪
ଏ ବେନି ମଧ୍ୟେ ଯେ ଆକାଶ । ସଂଲଗ୍ନ ତା ଉଭୟ ପାର୍ଶ୍ୱ ।। ୫
ଏ ମଧ୍ୟଅନ୍ତରୀକ୍ଷେ ରହି । ସୂର୍ଯ୍ୟ ତ୍ରିଲୋକକୁ ତାପଇ ।। ୬
ଅୟନ ବେନିଭାଗ ହୋଇ । ଉତ୍ତର-ଦକ୍ଷିଣେ ଭ୍ରମଇଁ ।। ୭
ମନ୍ଦ କ୍ଷିପ୍ର ବା ବେଗସମ । ଦିନ ରାତି ବେନି ରାଜନ ।। ୮
ମକରଠାରୁ ରାଶି ଯେତେ । ଦୀର୍ଘ-ହ୍ରସ୍ୱ ଜାଣ ଯୁଗତେ ।। ୯
ବିଷୁବେ ସମାନକୁ ପାଇ । ପୁଣି ଦୀର୍ଘ-ହ୍ରସ୍ୱେ ବଢଇ ।। ୧୦
ତୁଳା ମେଷ ବିଷୁବ ପାଇ । ଅହୋରାତ୍ର ସମାନ ହୋଇ ।। ୧୧
ଏସବୁ ଯେ ପରିବର୍ତ୍ତନ । ସୁଧୀ କରନ୍ତି ପରିମାଣ ।। ୧୨
ନ'କୋଟି ଏକାବନଲକ୍ଷ । ଯୋଜନ ପ୍ରମା ପ୍ରତ୍ୟକ୍ଷ ।। ୧୩
ମାନସୋତ୍ତରଗିରି ତହିଁ । ଇନ୍ଦ୍ରର ପୁର ବିରାଜଇ ।। ୧୪
ପୂର୍ବଭାଗରେ ସେ ମେରୁର । ଦେବଧାନୀ ନାମ ତାହାର ।। ୧୫
ଯମର ପୁର ତା ଦକ୍ଷିଣେ । ବିରାଜେ ସଂଯମନୀ ନାମେ ।। ୧୬
ପଶ୍ଚିମେ ପୁର ବରୁଣର । ନିମ୍ନୋଚନୀ ନାମ ତାହାର ।। ୧୭
ଉତ୍ତରଭାଗେ ଚନ୍ଦ୍ରପୁରୀ । ନାମ ତାହାର ବିଭାବରୀ ।। ୧୮
ତହିଁ ଉଦୟ ମଧ୍ୟ ଅସ୍ତ । ନିଶୀଥକାଳ ଯେ ବିଦିତ ।। ୧୯
ସୁମେରୁ ଚତ୍ୱାରଦିଗରେ । ପ୍ରାଣୀ ପ୍ରବୃତ୍ତି-ନିବୃତ୍ତିରେ ।। ୨୦
ଅହର୍ନିଶି ଭାବରେ ରହି । ପ୍ରାଣୀଙ୍କ ସମୟ ହୁଅଇ ।। ୨୧
ବାମାବର୍ତ୍ତନ କରି ତହିଁ । ନିତ୍ୟେ ଆଦିତ୍ୟ ସେ ଭ୍ରମଇଁ ।। ୨୨
ଉଦୟ କାଳେ ଯେ ଲକ୍ଷଣ । ଅସ୍ତକାଳରେ ସେହି ପୁଣ ।। ୨୩
ଦ୍ୱିକୋଟିଦ୍ୱାଦଶଯୋଜନ । ଲକ୍ଷରେ କରି ପରିମାଣ ।। ୨୪
ପଞ୍ଚଦଶଘଟିକା ବେଳେ । ଇନ୍ଦ୍ରର ପୁରୁ ଅବହେଳେ ।। ୨୫
ଯମର ପୁରରେ ପ୍ରବେଶ । ସେଠାରେ କରନ୍ତି ପ୍ରକାଶ ।। ୨୬
ଏଥୁଁ ବରୁଣଆଦି ଯେତେ । ଆଦିତ୍ୟ ଭ୍ରମନ୍ତି ସେ ନିତ୍ୟେ ।। ୨୭
ଚନ୍ଦ୍ରାଦି ଯେତେ ଗ୍ରହମାନ । ଏହି କ୍ରମରେ ସେ ଭ୍ରମଣ ।। ୨୮
ଜ୍ୟୋତିଷଚକ୍ର ଏ ପ୍ରକାରେ । ଭ୍ରମଇଁ ଚତ୍ୱାର-ଦିଗରେ ।। ୨୯
ଆଦିତ୍ୟ ରଥର ଗମନ । ମୁହୂର୍ତ୍ତକରେ ହେ ରାଜନ ।। ୩୦
ଚଉତ୍ରିଂଶଲକ୍ଷ ଯୋଜନ । ଅଷ୍ଟଶତଅଧିକ ପୁଣ ।। ୩୧
ଇନ୍ଦ୍ରାଦି ସର୍ବଦେବ ପୁରେ । ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ।। ୩୨
ଶତେକ ପାଖୁଡା ପଦ୍ମର । ସୂଚି ମାରନ୍ତେ ନୃପବର ।। ୩୩
ସେ ଯେହ୍ନେ ତ‌ତ୍କାଳେ ଗଳଇ । ତେସନେ ଶୀଘ୍ର ସେ ଚଳଇ ।। ୩୪
ଦ୍ୱାଦଶ ଅର ନାମ ତାର । ସେ ରଥେ ଏକ ଚକ୍ରବର ।। ୩୫
ସୁମେରୁ-ମସ୍ତକ ଉପରେ । କ୍ରମେ ସେ ମାନସଉତ୍ତରେ ।। ୩୬
ତୈଳଯନ୍ତ୍ରର ପ୍ରାୟ ହୋଇ । ରବିର ରଥ ସେ ଭ୍ରମଇଁ ।। ୩୭
ରଥର ଗର୍ଭ ପରିମାଣ । ଷଡ଼ତ୍ରିଂଶ ଲକ୍ଷ ଯୋଜନ ।। ୩୮
ଚତୁର୍ଥଭାଗ ଉଚ୍ଚ ହୋଇ । ଯୁଗ ସେ ବିସ୍ତାରେ ଅଟଇ ।। ୩୯
ସପତଛନ୍ଦ ଅଶ୍ୱ ହୋନ୍ତି । ଆଦିତ୍ୟଦେବଙ୍କୁ ବହନ୍ତି ।। ୪୦
ଅରୁଣ ସାରଥି ତହିଁରେ । ତପତଅଶ୍ୱ ଯେଝାଠାରେ ।। ୪୧
ଅଙ୍ଗୁଷ୍ଠ-ପବମାତ୍ର ହୋଇ । ଷାଠିସହସ୍ର ମୁନି ତହିଁ ।। ୪୨
ବିବିତ ସେ ବାଳଖିଲ୍ୟାରେ । ରବିରଥ ଅଗ୍ରଭାଗରେ ।। ୪୩
ମୁନିଏ ସର୍ବେ ନାନାମତେ । ସ୍ତୁତି କରନ୍ତି ଯଥୋଚିତେ ।। ୪୪
ଅନ୍ୟ ଯେ ନାନା ଋଷିଗଣ । ଗନ୍ଧର୍ବ ସିଦ୍ଧ ଯେ ଚାରଣ ।। ୪୫
ସକଳ ଯକ୍ଷଙ୍କର ବର । ଅପ୍‌ସରାଗଣେ ଯେଝାଠାର ।। ୪୬
ଯେ ଯାତୁଧାନ ନାଗମାନ । ସଙ୍ଗତେ ଘେନି ଯେଝାଗଣ ।। ୪୭
ଅପ୍‌ସରାଗଣ ନୃତ୍ୟଗୀତେ । ଏମନ୍ତେ ଯେ ଯାହାର ମତେ ।। ୪୮
ସେ ସୂର୍ଯ୍ୟରୂପୀ ଭଗବାନ । ଅଖିଳ-ଆତ୍ମାର କାରଣ ।। ୪୯
ତାହାଙ୍କ ଚରଣାରବିନ୍ଦେ । ନମନ୍ତି ପରମ ଆନନ୍ଦେ ।। ୫୦
ଯେ ଯାହା କର୍ମ ଅନୁମତେ । ସେବନ୍ତି ତାଙ୍କ ପାଦଗତେ ।। ୫୧
ନବକୋଟିଲକ୍ଷ ଯୋଜନ । ଅଧିକ ଲକ୍ଷ ଏକାବନ ।। ୫୨
କ୍ଷଣମାତ୍ରକେ ଭଗବାନ । ବେନିସହସ୍ର ଯେ ଯୋଜନ ।। ୫୩
ଏମନ୍ତ କୋଷ ଯେ ଭୁବନ । ସେ ସୂର୍ଯ୍ୟ କରନ୍ତି ଭ୍ରମଣ ।। ୫୪
ଅଖିଳ ଅନାଦି କାରଣ । ସେ ସୂର୍ଯ୍ୟରୂପକୁ ଧରିଣ ।। ୫୫
ଭ୍ରମନ୍ତି ପ୍ରାଣୀଙ୍କର ହିତେ । ତାହାଙ୍କ ପାଦପଦ୍ମଗତେ ।। ୫୬
ମୁଁ ଯେ ପାମର ମୂଢଚିତ୍ତ । ତହିଁରେ ରହୁ ଅବିରତ ।। ୫୭
ଅଚିନ୍ତ୍ୟ ତାହାଙ୍କ ଚରିତ । କହଇ ଦାସ ଜଗନ୍ନାଥ ।। ୫୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରସୂର୍ଯ୍ୟରଥମଣ୍ତଳବର୍ଣ୍ଣ‌ନଂ
ନାମ ଏକବିଂଶୋଽଧ୍ୟାୟଃ ।।

ଦ୍ୱାବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ପରୀକ୍ଷିତ ଉବାଚ

ଭୋ ମୁନି ଏଥିର ତଦନ୍ତ । ଶୁଣିଳେ ଯିବଇଁ ପ୍ରତୀତ ।। ୧
ଆଦିତ୍ୟଦେବ ଯଥୋଚିତେ । ମେରୁ ପ୍ରଦକ୍ଷିଣ କରନ୍ତେ ।। ୨
ଦ୍ୱାଦଶରାଶିଙ୍କ ସମ୍ମୁଖେ । ଭୋଗ ସେ କରନ୍ତି ପ୍ରତ୍ୟକ୍ଷେ ।। ୩
ଆଦିତ୍ୟଗତି ବ୍ୟଗ୍ରତର । ତହିଁରେ କେମନ୍ତେ ସଞ୍ଚାର ।। ୪
ଏଣେ ତ ମୋହର ସନ୍ଦେହ । ଭୋ ମୁନି ତଦନ୍ତ ତୁ କହ ।। ୫

ଶୁକ ଉବାଚ

ସେ କାଳରୂପୀ ଭଗବାନ । ଲୋକଙ୍କ ମଙ୍ଗଳ କାରଣ ।। ୬
ବେଦମୟବପୁ ଆପଣ । ଦ୍ୱାଦଶ ଭାବେ କରିଭିନ୍ନ ।। ୭
ସୂର୍ଯ୍ୟଙ୍କ ରୂପକୁ ଯେ ଧରି । ଅଛନ୍ତି ଅନ୍ତରୀକ୍ଷ ପୂରୀ ।। ୮
ତାଙ୍କ ପ୍ରଭାବେ ଋତୁମାନ । କରନ୍ତି ଶୀତାଦି ବିଧାନ ।। ୯
ପ୍ରଭୁଙ୍କ ଏମନ୍ତ ବିଧାନ । ଚିନ୍ତନ୍ତି ବେଦବିଦମାନ ।। ୧୦
ବିର୍ଣ୍ଣାଶ୍ରମାଚାରୀ ଉକତ । ହୁଅନ୍ତି ଇନ୍ଦ୍ରାଦି ଭକତ ।। ୧୧
ତାହାଙ୍କ ମତେ ଭଗବାନ । ଇନ୍ଦ୍ରାଦି ରୂପେ ଅବତୀର୍ଣ୍ଣ ।। ୧୨
ଲୋକଙ୍କ ଆତ୍ମା ଏ ଆଦିତ୍ୟ । ଆକାଶ ମଣ୍ତଳେ ବିଦିତ ।। ୧୩
ସ୍ୱର୍ଗ ପୃଥିବୀ ମଧ୍ୟେ ରହି । ନିରତେ ଆକାଶେ ଭ୍ରମଇଁ ।। ୧୪
କୁରାଳଚକ୍ର ପ୍ରାୟେ ହୋଇ । ଆଦିତ୍ୟ ରଥ ଯେ ଭ୍ରମଇଁ ।। ୧୫
ରାଶି ନକ୍ଷତ୍ର ଆଦି ଯେତେ । ତହିଁରେ ଭ୍ରମନ୍ତି ସମସ୍ତେ ।। ୧୬
କୁରାଳଚକ୍ରର ସହିତେ । ପିପିଲିକାଦି ଜନ୍ତୁମତେ ।। ୧୭
ସେ କାଳଚକ୍ର ଏକ ଦେଶେ । ଭ୍ରମନ୍ତି ଯେ ଯାହା ପ୍ରକାଶେ ।। ୧୮
ଧ୍ରୁବ ସୁମେରୁ ପ୍ରଦକ୍ଷିଣ । କରି ଭ୍ରମନ୍ତି ଅନୁକ୍ଷଣ ।। ୧୯
ଆଦି ପୁରୁଷ ଭଗବାନ । ଧରଣୀ କଲେ ଉଦ୍ଧାରଣ ।। ୨୦
ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତି । କର୍ମ-ବିଶୁଦ୍ଧିରେ ତା ଚିନ୍ତି ।। ୨୧
ସେ ମୂର୍ତ୍ତି ଦ୍ୱାଦଶ ପ୍ରକାର । କରିଣ ବ୍ରହ୍ମାଣ୍ତଠାକୁର ।। ୨୨
ଷଡ଼ଋତୁ ବସନ୍ତ ଆଦି । ଏ ଥିରେ ଯେତେକ ପ୍ରସିଦ୍ଧି ।। ୨୩
ଯେ ଋତୁକାଳେ ଯେ ହୁଅନ୍ତି । ଆପଣେ ବିଧାନ କରନ୍ତି ।। ୨୪
ଆଶ୍ରମମତେ ନାନାପଥେ । ନାନାକର୍ମରେ ଯଥୋଚିତେ ।। ୨୫
ମହାପୁରୁଷ ମହାଜନେ । ନାନାଯୋଗରେ ଶ୍ରଦ୍ଧାମନେ ।। ୨୬
ଯେ ତାଙ୍କ ଚରଣେ ସେବନ୍ତି । ସକଳ ପାପୁ ସେ ତରନ୍ତି ।। ୨୭
ପରମ କଲ୍ୟାଣ ଲଭନ୍ତି । ଅନ୍ତେ ପରମଗତି ପାନ୍ତି ।। ୨୮
ଏମନ୍ତେ ଶୁଣ ନୃପବର । ସେ ସୂର୍ଯ୍ୟଆତ୍ମା ପ୍ରାଣୀଙ୍କର ।। ୨୯
ପୃଥିବୀ ଆକାଶ ମଧ୍ୟରେ । କାଳଚକ୍ରରେ ଏ ଶୂନ୍ୟରେ ।। ୩୦
ଦ୍ୱାଦଶମାସକୁ ଭଜନ୍ତି । ସମ୍ବତ୍ସର ନାମ ବହନ୍ତି ।। ୩୧
ମାସକେ ବେନିପକ୍ଷ କରି । ଭୁଞ୍ଜନ୍ତି ଅହୋରାତ୍ର କରି ।। ୩୨
ସେ ବେନି ମାସେ ଏକ ଋତୁ । ଛ ଋତୁ ସମ୍ବତ୍ସର ହେତୁ ।। ୩୩
ଯେ କାଳ ନଭ ଅର୍ଦ୍ଧଭାଗେ । ରହନ୍ତି କାଳଚକ୍ର ଲାଗେ ।। ୩୪
ତାକୁ ଅୟନ ବୋଲି କହି । ଶୁଣ ରାଜନ ମନ ଦେଇ ।। ୩୫
ଦ୍ୟାବାପୃଥିବୀର ସହିତେ । ନଭୋମଣ୍ତଳକୁ ଯାବତେ ।। ୩୬
ରବି ଭୁଞ୍ଜନ୍ତି ଯେତେକାଳେ । ସମ୍ବତ୍ସରଟି ବୋଲି ତାରେ ।। ୩୭
ଏ ଅନନ୍ତରେ ହେ ରାଜନ । ଚନ୍ଦ୍ରର ଏ ରୂପେ ଗମନ ।। ୩୮
ଲକ୍ଷେଯୋଜନର ଅନ୍ତରେ । ସୂର୍ଯ୍ୟର ଠାରୁ ସେ ବିହରେ ।। ୩୯
ପ୍ରବଳଗତି ତାର ଖରେ । ଚନ୍ଦ୍ର ଭୁଞ୍ଜନ୍ତି ଯେ ବେଭାରେ ।। ୪୦
ସୂର୍ଯ୍ୟଙ୍କ ଭୋଗ ବେନିପକ୍ଷେ । ବେନିନକ୍ଷତ୍ର ପାଦଋକ୍ଷେ ।। ୪୧
ପକ୍ଷଭୋଗକୁ ଏକଦିନେ । ଭୁଞ୍ଜନ୍ତି ଅହୋରାତ୍ର ମାନେ ।। ୪୨
ଏ ଅନନ୍ତରେ ନୃପବର । ବର୍ଦ୍ଧିତକଳା-ଶଶଧର ।। ୪୩
ଅହୋରାତ୍ର ସେ ଦେବଙ୍କର । ସେ ଶୁକ୍ଳପକ୍ଷରେ ବିହାର ।। ୪୪
କ୍ଷୀଣକଳାରେ ପିତୃଙ୍କର । ଅହୋରାତ୍ର ହେ ନୃପବର ।। ୪୫
ସେ ଯେ ସକଳ ପ୍ରାଣୀଙ୍କର । ଜୀବନଭୂତ-ଶଶଧର ।। ୪୬
ଭୁଞ୍ଜନ୍ତି ତ୍ରିଂଶତମୂହୂର୍ତ୍ତ । ଏକନକ୍ଷତ୍ର ଯଥୋଚିତ ।। ୪୭
ଏଣୁ ସେ ଅନାଦିପୁରୁଷ । ଷୋଡ଼ଶକଳା ସେ ବିଶେଷ ।। ୪୮
ଅମୃତଶରୀରକୁ ଧରି । ପ୍ରାଣୀଙ୍କୁ ଆପ୍ୟାୟନ କରି ।। ୪୯
ମନୁଷ୍ୟ ପଶୁପକ୍ଷୀ ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ।। ୫୦
ଏହାଙ୍କ ହୃଦରେ ବସନ୍ତି । ଏଣୁ ସେ ସର୍ବସୁଖ ଦ୍ୟନ୍ତି ।। ୫୧
ଏହାର ଉର୍ଦ୍ଧ୍ୱେ ହେ ରାଜନ । ତୃତୀୟ ଲକ୍ଷ ଯେ ଯୋଜନ ।। ୫୨
ଭ୍ରମନ୍ତି ନକ୍ଷତ୍ର ସକଳେ । ଜଗତପିତାର କୌଶଳେ ।। ୫୩
ଏ ସବୁ ନକ୍ଷତ୍ର ବିଖ୍ୟାତ । ଅଭିଜିତ ତାରା ସହିତ ।। ୫୪
ନକ୍ଷତ୍ର ଯେ ଅଷ୍ଟାବିଂଶତି । ମେରୁର ଦକ୍ଷିଣେ ବସନ୍ତି ।। ୫୫
ଦ୍ୱିଲକ୍ଷ ତାହାର ଉପରେ । ଉଶନା ବାସ ଯେଉଁଠାରେ ।। ୫୬
ଆଦିତ୍ୟ ପ୍ରାୟ ନାନାଗତି । ପାରୁଶେ ତାଙ୍କର ବସତି ।। ୫୭
ଲୋକର ଯେ ଶୁଭ କଲ୍ୟାଣ । ଏଥେଁ ସେ ନିତ୍ୟ ପରାୟଣ ।। ୫୮
ଏ ଗ୍ରହ ସାଞ୍ଚାର ଯେ ହେଲେ । ବୃଷ୍ଟି ହୁଅନ୍ତି ମହୀତଳେ ।। ୫୯
ଶୁକ୍ରଙ୍କ କାର୍ଯ୍ୟର ସମାନ । ବୁଧର କାର୍ଯ୍ୟର ପ୍ରମାଣ ।। ୬୦
ଶୁକ୍ରଙ୍କ ଉପର-ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ।। ୬୧
ସର୍ବଦା ବୁଧ ତହିଁ ରହି । ଜୀବଙ୍କ କଲ୍ୟାଣ ସାଧଇ ।। ୬୨
ବୁଧ ନାମେ ଯେ ଚନ୍ଦ୍ରସୁତ । ତହିଁରେ ତାହାଙ୍କର ସ୍ଥିତ ।। ୬୩
ପ୍ରାଣୀର ସୁଖେ ସେହୁ ଥାଇ । ଯେବେ ସେ ସୂର୍ଯ୍ୟ ବେଗ ହୋଇ ।। ୬୪
ଅତିଗମନ ଖରତରେ । ଅନାବୃଷ୍ଟିକି ସେ ଆଚରେ ।। ୬୫
ଦ୍ୱିଲକ୍ଷଯୋଜନ ଅନ୍ତରେ । ମଙ୍ଗଳ ବୁଧଙ୍କ ଉପରେ ।। ୬୬
ଏଥି ଅନ୍ତରେ ଏହା ରହି । ପ୍ରାଣୀଙ୍କ ମନ୍ଦ ଯେ କରଇ ।। ୬୭
ଏକରାଶିରେ ତିନିପକ୍ଷ । ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ।। ୬୮
ବକ୍ରଭାବରେ ଭୋଗକରେ । ଏ କ୍ରମେ ଦ୍ୱାଦଶରାଶିରେ ।। ୬୯
ମଙ୍ଗଳ ଉପର ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ।। ୭୦
ତହିଁ ଅଛନ୍ତି ବୃହସ୍ପତି । ଯେ ଦେବପୁରୋହିତ ହୋନ୍ତି ।। ୭୧
ଏକରାଶିରେ ସେ ବରଷେ । ଭୋଗ ଯେ କରନ୍ତି ସନ୍ତୋଷେ ।। ୭୨
ସେ ବୃହସ୍ପତି ଭଗବାନ । ବ୍ରାହ୍ମଣକୁଳର କଲ୍ୟାଣ ।। ୭୩
ଯେବେ ସେ ବକ୍ରଗତି ହୋଇ । କଦର୍ଯ୍ୟଫଳକୁ ଦିଅଇ ।। ୭୪
ତହୁଁ ଦ୍ୱିଲକ୍ଷଯୋଜନରେ । ରହି ଅଛନ୍ତି ଶନିଶ୍ଚରେ ।। ୭୫
ଏକରାଶିରେ ଭୋଗ ତାର । ତିରିଶମାସ ନୃପବର ।। ୭୬
ଅଶାନ୍ତି ସକଳେ କରଇ । ଅଧିକ କେ ଅବା ଭୁଞ୍ଜଇ ।। ୭୭
ତହିଁ ଉପରେ ହେ ରାଜନ । ଏକାଦଶଲକ୍ଷ ଯୋଜନ ।। ୭୮
ଋଷିଙ୍କ ବାସ ଯେ ସେଠାରେ । ସେ କୃପା କରନ୍ତି ପ୍ରାଣୀରେ ।। ୭୯
ଲୋକଙ୍କ ଭାବନ୍ତି କୁଶଳ । ଅଶେଷ-କରୁଣାର ମୂଳ ।। ୮୦
ବିଷ୍ଣୁ ପଦକୁ ନିତ୍ୟେ ଚିନ୍ତି । ପ୍ରଦକ୍ଷିଣରେ ଭ୍ରମୁଛନ୍ତି ।। ୮୧
ସେ ମୁନିଗଣଙ୍କ ପୟରେ । ମୋ ଚିତ୍ତ ରହୁ ନିରନ୍ତରେ ।। ୮୨
କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ।। ୮୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରବର୍ଣ୍ଣନେ ଦ୍ୱାବିଂଶୋଽଧ୍ୟାୟଃ ।।

ତ୍ରୟୋବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏଥୁ ଅନ୍ତରେ ହେ ରାଜନ । ତ୍ରୟୋଦଶଲକ୍ଷଯୋଜନ ।। ୧
ସେ ସ୍ଥାନ ବିରାଜଇ ତହିଁ । ବିଷ୍ଣୁର ସ୍ଥଳ ତାକୁ କହି ।। ୨
ଯହିଁ ପରମ-ଭାଗବତ । ଧ୍ରୁବ ଉତ୍ତାନପାଦସୁତ ।। ୩
ଅଛନ୍ତି କଶ୍ୟପ ସଙ୍ଗତେ । କାଳଯଷ୍ଟିର ସେବାମତେ ।। ୪
କଳ୍ପେ ପର୍ଯ୍ୟନ୍ତେ ସୁଖଭୋଳେ । ପ୍ରଭୁଙ୍କୁ ଭଜନ୍ତି ନିଶ୍ଚଳେ ।। ୫
ସେ ଭାଗବତ ଧୃବବାଣୀ । ପୂର୍ବେ କହିଛୁଁ ନୃପମଣି ।। ୬
ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣ । ଧ୍ରୁବର ସହିତେ ରାଜନ ।। ୭
ଈଶ୍ୱରସୃଷ୍ଟି ଅନୁସାରେ । ଏବେ ଦିଶଇ ସେ ଲୋକରେ ।। ୮
କାଳଚକ୍ରରେ ଭ୍ରମେ ଜାଣ । ବେଗେ ଭ୍ରମନ୍ତି ଅନୁକ୍ଷଣ ।। ୯
ମେରିରେ ପଶୁଗଣ ଯେହ୍ନେ । ସକଳେ ଭ୍ରମନ୍ତି ତେସନେ ।। ୧୦
ମଣ୍ତଳଆକାରରେ ତହିଁ । ଯେ ଯାହା ସ୍ଥାନରେ ଭ୍ରମଇଁ ।। ୧୧
ନକ୍ଷତ୍ର-ଗ୍ରହ ଆଦି ଯେତେ । ଏହି ପ୍ରକାରେ ସେ ସମସ୍ତେ ।। ୧୨
କାଳର ଚକ୍ରେ ଯେ ଭ୍ରମଣ । ବାହାର-ଅନ୍ତରେ ଭ୍ରମିଣ ।। ୧୩
କଳ୍ପାନ୍ତଯାଏଁ ସେ ପ୍ରକାରେ । ଅଛନ୍ତି ବିବିଧ-ବେଭାରେ ।। ୧୪
ଶୂନ୍ୟମଣ୍ତଳେ ମେଘମାଳେ । ଯେସନେ ଥାନ୍ତି ବାୟୁବଳେ ।। ୧୫
ଯେହ୍ନେ ଶ୍ୱେନାଦି ପକ୍ଷୀମାନେ । ପବନବଳେ ଥାନ୍ତି ଶୂନ୍ୟେ ।। ୧୬
କର୍ମଅଧୀନେ ଜ୍ୟୋତିର୍ଗଣେ । ଶୂନ୍ୟରେ ଭ୍ରମନ୍ତି ତେସନେ ।। ୧୭
ପ୍ରକୃତିପୁରୁଷଙ୍କ ଭୋଗ । ତହିଁରେ ହୁଅନ୍ତି ସଂଯୋଗ ।। ୧୮
କର୍ମବନ୍ଧନ ନିମିତ୍ତରେ । ପତନ ନୁହଁନ୍ତି ଭୂମିରେ ।। ୧୯
ଏ ଅନନ୍ତରେ ନୃପବର । ଏ ଜ୍ୟୋତିଶ୍ଚକ୍ର ଶିଶୁମାର ।। ୨୦
ଏମନ୍ତ କରି କେ ବର୍ଣ୍ଣଇ । କହିବା ଶୁଣ ମନ ଦେଇ ।। ୨୧
ଯେ ପ୍ରଭୁ ଅଖିଳ କାରଣ । ଶ୍ରୀବାସୁଦେବ ନାରାୟଣ ।। ୨୨
ତାହାଙ୍କ ଯୋଗର ମୂରତି । ଶରୀର କୁଣ୍ତଳ ଆକୃତି ।। ୨୩
ଅଧୋବଦନ ତାହାଙ୍କର । ପୁଚ୍ଛରେ ନିବାସ ଧ୍ରୁବର ।। ୨୪
ଲାଙ୍ଗୁଳେ ପ୍ରଜାପତି ବାସ । ଅନଳ ଧର୍ମ ଯେ ସୁରେଶ ।। ୨୫
ଧାତା ବିଧାତା ପୁଚ୍ଛମୂଳେ । ସପତଋଷି କଟିସ୍ଥଳେ ।। ୨୬
ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ । କୁଣ୍ତଳ ଆକାର ସେ ଦେହୀ ।। ୨୭
ତାର ଦକ୍ଷିଣଅଂଶଗତେ । ନକ୍ଷତ୍ରମାନ ଯେ ସମସ୍ତେ ।। ୨୮
ଅଭିଜିତ ଆଦି ଏ ଗଣ । ବାମପାରୁଶେ ତାଙ୍କ ସ୍ଥାନ ।। ୨୯
ପୁନର୍ବସୁ ଯେ ପୁଷ୍ୟା ଦୁଇ । ବାମ-ଦକ୍ଷିଣ-ଶ୍ରେଣୀ ତହିଁ ।। ୩୦
ଆକାଶଗଙ୍ଗା ଯେ ପୃଷ୍ଠରେ । ବିରାଜେ ଅତି ଶୁଭ୍ରତରେ ।। ୩୧
ବାମ ଦକ୍ଷିଣ ପାଦଦେଶେ । ଆରାଦ୍ରା ଅଶ୍ଳେଷା ପ୍ରକାଶେ ।। ୩୨
ଉତ୍ତରାଷାଢ଼ା ଅଭିଜିତ । ସବ୍ୟ-ଦକ୍ଷିଣ-ଘ୍ରାଣେ ସ୍ଥିତ ।। ୩୩
ଶ୍ରବଣା ପୂର୍ବାଷାଢ଼ା ଦୁଇ । ବାମ-ଦକ୍ଷିଣ-ନେତ୍ରେ ରହି ।। ୩୪
ଧନିଷ୍ଠା ମୂଳା ବେନିଜନେ । ଦକ୍ଷିଣ ବାମ ବେନିକର୍ଣ୍ଣେ ।। ୩୫
ମଘାଦି ଆଠ ଯେ ବିଦିତ । ବାମ ଅସ୍ଥିରେ କ୍ରମେ ସ୍ଥିତ ।। ୩୬
ମୃଗଶିରାଦି ଦକ୍ଷିଣରେ । ଜ୍ୟେଷ୍ଠା ଶତଭିଷା ସ୍କନ୍ଧରେ ।। ୩୭
ଉତ୍ତର ଅଧର ହନୁରେ । ଅଗସ୍ତି ଶମନ କ୍ରମରେ ।। ୩୮
ମୁଖରେ ଅଙ୍ଗାରକ ଶୋହେ । ଉପସ୍ଥେ ଶନିଶ୍ଚର ରହେ ।। ୩୯
ଆଦିତ୍ୟ ବକ୍ଷସ୍ଥଳେ ବସେ । ବୃହସ୍ପତି କକୁଦଦେଶେ ।। ୪୦
ହୃଦୟେ ନାରାୟଣ ସ୍ଥିତି । ଚନ୍ଦ୍ରମା ମନରେ ବସନ୍ତି ।। ୪୧
ନାଭିରେ ଉଶନା ପ୍ରକାଶ । ସ୍ତନରେ ଅଶ୍ୱିନୀର ବାସ ।। ୪୨
ପ୍ରାଣ-ଅପାନେ ବୁଧ ବସେ । ଗଳାରେ ରାହୁ ଯେ ପ୍ରକାଶେ ।। ୪୩
ସର୍ବ ଅଙ୍ଗରେ କେତୁସ୍ଥାନ । ଏ ଅନୁକ୍ରମେ ହେ ରାଜନ ।। ୪୪
ରୋମମୂଳରେ ତାରାଗଣ । ବିଚିତ୍ରରୂପ ନାରାୟଣ ।। ୪୫
ଏ ରୂପେ ସର୍ବଦେବ ସେହି । ଯେ ଜନ ଶୁଚିମନ୍ତ ହୋଇ ।। ୪୬
ସନ୍ଧ୍ୟାରେ ଦେଖି ସ୍ତବ କରେ । ଅଶେଷ ପାପୁଁ ସେ ନିସ୍ତରେ ।। ୪୭
ଏ ସ୍ତବ ତୁଣ୍ତେ ଉଚ୍ଚାରିଣ । ସ୍ତୁତି କରିବ ସାବଧାନ ।। ୪୮
ନମଇଁ ଜ୍ୟୋତିର୍ଲୋକମୟ । କାଳ ଅଦ୍‌ଭୁତ ଯାର ଦେହ ।। ୪୯
ସକଳଦେବ-ସ୍ୱାମୀ ତୁହି । ତୋ ପାଦେ ଆନନ୍ଦେ ନମଇଁ ।। ୫୦
ଗ୍ରହ ନକ୍ଷତ୍ର ରାଶିଗଣ । ସର୍ବାଧି-ଦେବ ନାରାୟଣ ।। ୫୧
ତ୍ରିକାଳସନ୍ଧ୍ୟାରେ ଯେ ନର । ସ୍ମରଣେ କରେ ନମସ୍କାର ।। ୫୨
ଅହୋରାତ୍ରର ପାପ ତାର । ଦହନ ହୋଏ ନୃପବର ।। ୫୩
ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱର । ଅନାଦି ବ୍ରହ୍ମାଣ୍ତ ଠାକୁର ।। ୫୪
ତାହାଙ୍କ ଚରଣ କମଳେ । ମୋ ଚିତ୍ତ ରହୁ ନରନ୍ତରେ ।। ୫୫
କହଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଶିଶୁମାର ସଂସ୍ଥାବର୍ଣ୍ଣ‌ନଂ
ନାମ ତ୍ରୟୋବିଂଶୋଽଧ୍ୟାୟଃ ।।

ଚତୁର୍ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଆଦିତ୍ୟଠାରୁ ଅଧୋମେଳେ । ଅୟୁତ ଯୋଜନର ତଳେ ।। ୧
ଭ୍ରମ ଆକାରେ ରାହୁ ସ୍ଥିତି । ଏମନ୍ତ କେ ଅବା କହନ୍ତି ।। ୨
ସ୍ୱଭାବେ ସିଂହିକାନନ୍ଦନ । ଏ ଟି ଅସୁର ଭୋ ରାଜନ ।। ୩
ଯେଣୁ ପ୍ରଭୁର କୃପା ହୋଇ । ଅଜରାମର ଏହା ଦେହୀ ।। ୪
ଏହାର ଜନ୍ମକର୍ମମାନ । ପଛେ କହିବା ହେ ରାଜନ ।। ୫
ଅଧୋଭାଗରେ ଯେ ପଡ଼ଇ । ତରଣିମଣ୍ତଳ ହୁଅଇ ।। ୬
ଅୟୁତଯୋଜନ ବିସ୍ତାର । ଲୋକରେ ଖ୍ୟାତ ନୃପବର ।। ୭
ଦ୍ୱାଦଶ ସହସ୍ରଯୋଜନ । ଚନ୍ଦ୍ରମଣ୍ତଳ ପରିମାଣ ।। ୮
ତ୍ରୟୋଦଶସସ୍ରଯୋଜନ । ରାହୁମଣ୍ତଳ ଯେ ବିସ୍ତୀର୍ଣ୍ଣ ।। ୯
ଏ ରାଦୁ ସୁଧାପାନ ବେଳେ । ଚନ୍ଦ୍ର-ସୂର୍ଯ୍ୟଙ୍କ ମଧ୍ୟେ ମିଳେ ।। ୧୦
ତା ଦୁହେଁ କଲେ ବ୍ୟବଧାନ । ତାହା ଜାଣିଲେ ଭଗବାନ ।। ୧୧
ବୈରାନୁବନ୍ଧଭାବେ ତହିଁ । ଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବାପାଇଁ ।। ୧୨
ଧାମଇଁ ବେଗବନ୍ତ ହୋଇ । ତା ଦେଖି ବ୍ରହ୍ମାଣ୍ତଗୋସାଇଁ ।। ୧୩
ରକ୍ଷା ନିମନ୍ତେ ସୁଦର୍ଶନ । ରଖି ଅଛନ୍ତି ଭଗବାନ ।। ୧୪
ଚକ୍ରର ଅତିତେଜ ପାଇଁ । ନିକଟୁ ନିବୃତ୍ତ ହୁଅଇ ।। ୧୫
ଚକିତ ହୋଇଣ ତାହାର । ଉଦ୍‌ବେଗ ହୁଅଇ ଅନ୍ତର ।। ୧୬
ତାହାକୁ ଉପରାଗ ନାମ । ଏ ଲୋକେ କରନ୍ତି ଗାୟନ ।। ୧୭
ତାହାର ତଳେ ନୃପବର । ସିଦ୍ଧ ଚାରଣ ବିଦ୍ୟାଧର ।। ୧୮
ଏହାଙ୍କ ସଦନ ନିର୍ମିତ । ଏହାର ତଳେ ପରୀକ୍ଷିତ ।। ୧୯
ଯକ୍ଷ ପିଶାଚ ଭୂତ ପ୍ରେତ । ଏହାଙ୍କ ଗୃହ ଯେ ନିର୍ମିତ ।। ୨୦
ଯାବତ ବାୟୁର ସଞ୍ଚାର । ଯାବତ ଗତି ଜଳଧର ।। ୨୧
ଭୂମିମଣ୍ତଳ ହେ ରାଜନ । ତା ତଳେ ଶତେକଯୋଜନ ।। ୨୨
ଗମନ କରନ୍ତି ଶୂନ୍ୟରେ । ସୁପର୍ଆଦି ପକ୍ଷୀବରେ ।। ୨୩
ଭୂମିମଣ୍ତଳର ବର୍ଣ୍ଣ‌ନ । କହିତ ଅଛୁ ହେ ରାଜନ ।। ୨୪
ଅବନୀତଳର ବେଭାର । କହିବା ଶୁଣ ନୃପବର ।। ୨୫
ସପତଭୂବିବରେ କରି । ସପ୍ତଭୁବନ ଦଣ୍ତଧାରୀ ।। ୨୬
ଅତଳ ବିତଳ ସୁତଳ । ତଳାତଳ ଯେ ମହାତଳ ।। ୨୭
ରସାତଳ ଯେ ମହୀପାଳ । ସପ୍ତମେ ବିଦିତ ପାତାଳ ।। ୨୮
କ୍ରମେ ଏ ଅୟୁତଯୋଜନ । ଏକ ଏକର ଯେ ପ୍ରମାଣ ।। ୨୯
ବିଳସ୍ୱର୍ଗ ନାମ ଏହାର । ସ୍ୱର୍ଗୁ ଅଧିକ ସୁଖକର ।। ୩୦
କାମ ଐଶ୍ୱର୍ଯ୍ୟ ନାନାଭୋଗ । ପରମାନନ୍ଦ ସୁଖଯୋଗ ।। ୩୧
ନାନା ରତ୍ନରେ ଦିବ୍ୟପୁର । ସୌରଭେ ଭୁବନ ସୁନ୍ଦର ।। ୩୨
ବିବିଧ-କ୍ରୀଡାର ମନ୍ଦିର । ସୁସଞ୍ଚସ୍ଥଳ ମନୋହର ।। ୩୩
ଏ ସ୍ଥଳେ କ୍ରୀଡନ୍ତି ଆନନ୍ଦେ । ସେ ସ୍ଥଳବାସୀ ଜୀବବୃନ୍ଦେ ।। ୩୪
କାଦ୍ରବ ଦାନବ ଦଇତ୍ୟେ । ଅପତ୍ୟ ପତ୍ନୀର ସହିତେ ।। ୩୫
ଗନ୍ଧର୍ବ ବିଦ୍ୟାଧର ଯେତେ । ଅପ୍‌ସରାଗଣଙ୍କ ସହିତେ ।। ୩୬
ମାୟାବୀ ମୟଦୈତ୍ୟ ଯହିଁ । ନିର୍ମାଣ କରି ଯେ ଅଛଇ ।। ୩୭
ନାନାମଣିରେ ଦିବ୍ୟପୁର । ବିବିତ୍ର ବୈଦୂର୍ଯ୍ୟର ଘର ।। ୩୮
ସଭା ଚତ୍ୱର ଯେ ଗୋପୁର । ବିବିଧ ନାନାମଣି ସାର ।। ୩୯
ମିଥୁନ ଶୁକ ପାରାବତ । କୃତ୍ରିମ-ମଣିରେ ନିର୍ମିତ ।। ୪୦
ଶାରିକାଆଦି ପକ୍ଷୀମାନ । ବିବିଧ ପ୍ରକାର ଭିଆଣ ।। ୪୧
ମଣିସଦନ ଉଚ୍ଚ ସାର । ଶୋହଇ ଅତି ମନୋହର ।। ୪୨
ବିଚିତ୍ର-ଚିତ୍ର ଉପବନ । ସୌରଭ ହରେ ପ୍ରାଣୀମନ ।। ୪୩
କୁସୁମ ଫଳ ଅତିଭରେ । ବିଟପୀ ଲାଗନ୍ତି ଭୂମିରେ ।। ୪୪
କୋମଳ ପଲ୍ଲବ ସୁରଙ୍ଗ । ପକ୍ଷୀମିଥୁନ ଯହିଁ ସଙ୍ଗ ।। ୪୫
ବିବିଧ ଜଳାଶୟମାନ । କ୍ରୀଡନ୍ତି ନାନା ବିହଙ୍ଗମ ।। ୪୬
ଧ୍ୱନି କରନ୍ତି ମନୋହର । ଋଷିଙ୍କ ତପ କ୍ଷୋଭକର ।। ୪୭
ନୀରଜ କୁମୁଦ କହ୍ଲାର । ଏହାଙ୍କ ବନେ ତାଙ୍କ ଘର ।। ୪୮
ସେ ପକ୍ଷୀଗଣ ଦିବ୍ୟସ୍ୱନ । ଶ୍ରବଣେ ହରେ ପ୍ରାଣୀମନ ।। ୪୯
ସ୍ୱର୍ଗହୁଁ ଅତି ମନୋହର । ସେ ସ୍ଥାନମାନ ନୃପବର ।। ୫୦
ଅହିଙ୍କ ଶିରେ ମଣିମାନ । ଯହିଁ ହରଇ ଅନ୍ଧତମ ।। ୫୧
ସେ ଭୂମି ଅତି ଅନୁପମ । ତହିଁ ତ ନାହିଁ ରାତ୍ରଦିନ ।। ୫୨
ଆଧିର ପରାଭବ ନାହିଁ । ଦେହରେ ରୋଗ ନ ଲାଗଇ ।। ୫୩
ପୁରୁଷ-ଯୁବତୀମାନର । ଏଣୁ ଯେ ସୁନ୍ଦର ଶରୀର ।। ୫୪
ତେଣୁ ସେ ଶରୀର-ଭେଦରେ । ଶରୀରକାନ୍ତି ନାହିଁ ସରେ ।। ୫୫
ଯଶ-ସମ୍ପଦ ତାଙ୍କ ତହିଁ । ନିତ୍ୟ ପ୍ରକାଶ ଅଛି ଯହିଁ ।। ୫୬
ତହିଁର ନରନାରୀମାନ । ପରମମଙ୍ଗଳ ଭାଜନ ।। ୫୭
ଶ୍ରୀହରି ଚକ୍ର ବିନୁ ତହିଁ । ଅବସ୍ଥା ମୃତ୍ୟୁ ଭୟ ନାହିଁ ।। ୫୮
ଅତଳେ ଅଛି ମହୀପାଳ । ମୟର ପୁତ୍ର ନାମ ବଳ ।। ୫୯
ତାହାର ମାୟା ଦୃଢ଼ତରେ । ଅଦ୍ୟାପି ସଂସାରେ ପ୍ରଚରେ ।। ୬୦
ବଳାସୁର ଜୃମ୍ଭଣେ ଜନ୍ମି । ସ୍ୱୈରିଣୀ ପୁଂଶ୍ଚଳୀ କାମିନୀ ।। ୬୧
ହାଟକ ନାମେ ମାୟାରସ । ତାହାକୁ ପିଅନ୍ତେ ପୁରୁଷ ।। ୬୨
ବିଳାସ-ଅବଲୋକନରେ । ନାନା ପ୍ରକାରେ କ୍ରୀଡା କରେ ।। ୬୩
ଅୟୁତ-ମହାଗଜବଳ । ହୁଅଇ ତହୁଁ ପୁରୁଷର ।। ୬୪
ବିତଳେ ଶମ୍ଭୁଭଗବାନ । ହାଟକେଶ୍ୱର ଯାର ନାମ ।। ୬୫
ପ୍ରଜାପତି-ସୃଷ୍ଟି ନିମନ୍ତେ । ଅଛନ୍ତି ଭବାନୀ ସହିତେ ।। ୬୬
ଏହାଙ୍କ ବୀର୍ଯ୍ୟୁ ଜାତ ହୋଇ । ହାଟକୀ ନାମେ ନାମେ ନଦୀ ବହି ।। ୬୭
ତାର ସଂସର୍ଗୁ ଜାତ ହୋଇ । ସୁବର୍ଣ୍ଣ ହାଟକ ବୋଲାଇ ।। ୬୮
ଅସୁରଙ୍କର ବଧୂଗଣ । ତାହାକୁ କରନ୍ତି ଭୂଷଣ ।। ୬୯
ବିରୋଚନଙ୍କ ପୁତ୍ର ବଳି । ଅଛନ୍ତି ସୁତଳରେ ମିଳି ।। ୭୦
ଉଦାରଶ୍ରବା ପୁଣ୍ୟଶ୍ଳୋକ । ଯାହାକୁ ବୋଲନ୍ତି ତ୍ରିଲୋକ ।। ୭୧
ଇନ୍ଦ୍ରର ପ୍ରିୟଭାବ ବହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ।। ୭୨
ଅଦିତି ତହୁଁ ଜାତ ହୋଇ । ବଟୁବାମନ ରୂପ ବହି ।। ୭୩
ନାନା-ସମ୍ପଦ ତାର ହରି । ପୁଣି ଦୟାକଲେ ମୁରାରି ।। ୭୪
ଇନ୍ଦ୍ରାଦିସୁର ତହୁଁ ବଳି । ସମ୍ପତ୍ତି ଦେଲେ ବନମାଳୀ ।। ୭୫
ପୂଜ୍ୟ ଅଖିଳ ଦେବଙ୍କର । ଅନାଦି-ପ୍ରଭୁ ଯେ ଈଶ୍ୱର ।। ୭୬
ସ୍ୱକର୍ମେ ତାଙ୍କୁ ଆରାଧିଣ । ସୁଖେ ସେ ଅଛନ୍ତି ରାଜନ ।। ୭୭
ସେ ସର୍ବବୀଜ ଭଗବାନ । ପରମଆତ୍ମା ସୂକ୍ଷ୍ମ ବ୍ରହ୍ମ ।। ୭୮
ଯେ ତୀର୍ଥପଦ ଜଗନ୍ନାଥ । ସକଳ-ଦେଶକାଳ-ପାତ୍ର ।। ୭୯
ତାହାଙ୍କୁ ଶ୍ରଦ୍ଧାଯୁକ୍ତ ହୋଇ । ସ୍ଥିରମନରେ ଭୂମି ଦେଇ ।। ୮୦
ବିଳସ୍ୱର୍ଗକୁ ଭୋଗ କରେ । ନାନା-ଐଶ୍ୱର୍ଯ୍ୟର ବେଭାରେ ।। ୮୧
ଯାଚଞ୍ଜା ଛଳେ ଯେ ଉପାୟେ । ତହିଁରେ କରି ଦେବରାୟେ ।। ୮୨
ତ୍ରିଲୋକ ବ୍ୟାପିଲେ ଶରୀରେ । ଶେଷ ନରହିଲା ସଂସାରେ ।। ୮୩
ଯେ ଇନ୍ଦ୍ରେ ଅନୁଗ୍ରହ କରି । ଇନ୍ଦ୍ରର ଭ୍ରାତୃଭାବ ଧରି ।। ୮୪
ଜନ୍ମିଲେ ବ୍ରହ୍ମାଣ୍ତଠାକୁର । ଯାହା ନିମନ୍ତେ ନୃପବର ।। ୮୫
ସେ ସର୍ବଭାବ ଭଗବାନ । ଅଖିଳ-ଗୁରୁ ନାରାୟଣ ।। ୮୬
ଯାହାର ଦ୍ୱାରେ ଗଦା ଧରି । ଅଛନ୍ତି ପ୍ରଭୁ ଯେ ଉଭାରି ।। ୮୭
ତାହାର ଅଧୋଦେଶେ ଯେହି । ତଳାତଳ ନାମ ବୋଲାଇ ।। ୮୮
ମୟଦାନବ ଯେ ପୂର୍ବରେ । ଦ୍ରୋହ ଚିନ୍ତିଲା ଚକ୍ରଧରେ ।। ୮୯
ସ୍ୱପୁର ତ୍ରୟ ଦଗ୍‌ଧ କଲା । ତେଣୁ ସେ ବରକୁ ଲଭିଲା ।। ୯୦
ମାୟାବୀମାନଙ୍କର ବର । ଐଶ୍ୱର୍ଯ୍ୟ ଲଭି ସେ ଅସୁର ।। ୯୧
ଅଭୟ ବରକୁ ସେ ପାଇ । ତଳାତଳରେ ଯେ ଅଛଇ ।। ୯୨
ସୁଦରଶନ ଚକ୍ର ଡରେ । ଶରଣ ପଶିଲା ଶମ୍ଭୁରେ ।। ୯୩
ସେ ଭୟ ତାର ଦୂର କରି । ରଖିଲେ ଶିବ ଶୂଳଧାରୀ ।। ୯୪
ନିର୍ଭୟ ହୋଇ ସେ ଦାନବ । ସେ ସ୍ଥଳେ ଭୁଞ୍ଜଇ ବିଭବ ।। ୯୫
ତାହାର ଅଧୋଭାଗ ଦେଶେ । ମହାତଳପୁର ପ୍ରକାଶେ ।। ୯୬
ତହିଁରେ ନାନା ନାଗ ଆଦି । କ୍ରୋଧବଶ ନାମ ପ୍ରସିଦ୍ଧି ।। ୯୭
କୁହକ କାଳୀୟ ସୁଷେଣ । ତକ୍ଷକ ପ୍ରଧାନ ଏମାନ ।। ୯୮
ସୁଦୀର୍ଘକାୟ ବଳବନ୍ତ । ତହିଁ ଅଛନ୍ତି ପରୀକ୍ଷିତ ।। ୯୯
ନିତ୍ୟ ସେ ଗରୁଡ଼ଙ୍କ ଭୟେ । ଉଦ୍‌ବେଗ ହୋଏ ତାଙ୍କ କାୟେ ।। ୧୦୦
ଦାରା ତନୟ ବନ୍ଧୁ ସଙ୍ଗେ । ବିହାର କରନ୍ତି ସେ ରଙ୍ଗେ ।। ୧୦୧
ତାହାର ତଳେ ମହୀପାଳ । ଯେ ପୁର ନାମ ରସାତଳ ।। ୧୦୨
ଦୈତ୍ୟ-ଦାନବ ପତିମାନ । କବଚ କାଳେୟ ହିରଣ୍ୟ ।। ୧୦୩
ଅତ୍ୟନ୍ତ-ବଳବନ୍ତ ହୋନ୍ତି । ଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି ।। ୧୦୪
ସକଳ ଲୋକର କାରଣ । ମହାପୁରୁଷ ନାରାୟଣ ।। ୧୦୫
ମହାନୁଭାବ ସେ ଯେ ହରି । ତାହାଙ୍କ ଅତିତେଜେ କରି ।। ୧୦୬
ଗୃହୀତବଳ ସେ ଦାନବେ । ସେ ସ୍ଥଳେ ଥାନ୍ତି ଉଦବେଗେ ।। ୧୦୭
ଇନ୍ଦ୍ରଦୂତୀର ବାକ୍ୟ ଶୁଣି । ନିତ୍ୟେ ଡରନ୍ତି ନୃପମଣି ।। ୧୦୮
ତାହାର ତଳେଟି ପାତାଳ । ତହିଁ ଅଛନ୍ତି ନାଗବଳ ।। ୧୦୯
ବାସୁକି ଆଦି ନାଗବଳ । ଶଙ୍ଖ କୁଳିକ ଯେ କମ୍ବଳ ।। ୧୧୦
ମହାଶଙ୍ଖ ଯେ ଆରାଶ୍ୱେତ । ଧନଞ୍ଜୟ ଯେ ଦେବଦତ୍ତ ।। ୧୧୧
ଧୃତରାଷ୍ଟ୍ର ଯେ ଶଙ୍ଖଚୂଡ଼ । ଯେ ମହାଭୋଗୀ ଅଶ୍ୱତର ।। ୧୧୨
ଏ ଯେତେ ମହାଭୋଗୀମାନେ । ବସନ୍ତି ପାତାଳଭୁବନେ ।। ୧୧୩
ପଞ୍ଚ-ସପତ-ଦଶଶିର । ଅନେକ-ଫଣା ତାହାଙ୍କର ।। ୧୧୪
ଏହାଙ୍କ ମହାମଣିମାନ । ପ୍ରକାଶେ ଆଦିତ୍ୟ ଯେସନ ।। ୧୧୫
ପାତାଳ ବିବର ତିମିର । ସ୍ୱତେଜେ କରନ୍ତି ଯେ ଦୂର ।। ୧୧୬
ରାଜନ ସପତପାତାଳ । କହିଲୁ ଯେଝା ବାସସ୍ଥଳ ।। ୧୧୭
ପଞ୍ଚମସ୍କନ୍ଧେ ଏ ବର୍ଣ୍ଣ‌ନ । ସୂଜନେ ସାବଧାନେ ଶୁଣ ।। ୧୧୮
କୃଷ୍ଣଚରଣେ ମନ ଦିଅ । ସୁଜନେ ନିତ୍ୟେ ଏହା ଗାଅ ।। ୧୧୯
କୃଷ୍ଣପଦାରବିନ୍ଦ ରସ । ସ୍ନେହରେ କର ଏହା ଗ୍ରାସ ।। ୧୨୦
କହଇ ଜଗନ୍ନାଥ ଦାସ । ଶ୍ରୀଭାଗବତ ସୁଧାରସ ।। ୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ରାହ୍ୱାଦିସ୍ଥିତିବିଳସ୍ୱର୍ଗମର୍ଯ୍ୟାଦା ନିରୂପଣଂ ନାମ
ଚତୁର୍ବିଂଶୋଽଧ୍ୟାୟଃ ।।

ପଞ୍ଚବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ପାତାଳ ତଳେ ହେ ରାଜନ । ତିରିଶ-ସହସ୍ର-ଯୋଜନ ।। ୧
ତାମସୀକଳା ଯେ ବିଶେଷ । ଅନନ୍ତନାମ ପରକାଶ ।। ୨
ଯେ ବିଷ୍ଣୁଅଂଶେ ଜନ୍ମ ହୋଇ । ସଙ୍କରଷଣ ନାମ ବହି ।। ୩
ଅନନ୍ତ ମୂରତି ଠାକୁର । ସହସ୍ରମସ୍ତକ ତାହାର ।। ୪
ତାହାର ଏକଇ ଶିରରେ । ମହୀମଣ୍ତଳ ଅଛି ସ୍ଥିରେ ।। ୫
ଯେ ସୃଷ୍ଟି କରଇ ସଂହାର । ଭ୍ରୂକୁଟି କରିଣ କରାଳ ।। ୬
ଏକାଦଶରୁଦ୍ର ଯେ ହୋଇ । ସଙ୍କରଷଣ ସେ ବୋଲାଇ ।। ୭
ତିନି ଲୋଚନ ତିନି ଶିର । ପ୍ରଚଣ୍ତ ଶୂଳଟି ଯାହାର ।। ୮
ଭକ୍ତିରେ ଅହିପତିମାନ । ଯାହାଙ୍କୁ କରନ୍ତି ବନ୍ଦନ ।। ୯
ଯାହାର ଚରଣକମଳ । ବିରାଜେ ନଖର ମଣ୍ତଳ ।। ୧୦
ଶିରମଣିରେ ନଖପନ୍ତି । ଚନ୍ଦ୍ରକୁ ଜିଣି ବିରାଜନ୍ତି ।। ୧୧
କୁଣ୍ତଳ-ପ୍ରଭାରେ ମଣ୍ତିତ । ଗଣ୍ତ ମଣ୍ତଳ ହୃଷ୍ଟଚିତ୍ତ ।। ୧୨
ତାହାଙ୍କ ଚରଣାରବିନ୍ଦେ । ଚକ୍ଷୁ ନିବେଶନ୍ତେ ଆନନ୍ଦେ ।। ୧୩
ପରମଭକ୍ତି ଯୋଗମତେ । ଉଦିତ ହୋଏ ହୃଦଗତେ ।। ୧୪
ଯାହାଙ୍କୁ ବିବିଧ-ବିଧାନେ । ସେବନ୍ତି ନାଗପତ୍ନୀ ମାନେ ।। ୧୫
ଯେ ଧରେ ରୂପ ମନୋହର । ବିଶୁଦ୍ଧ ଧବଳ ଶରୀର ।। ୧୬
ବିପୁଳ ବକ୍ଷସ୍ଥଳ ତାର । କୁଙ୍କୁମ ଚନ୍ଦନେ ରୁଚିର ।। ୧୭
ହଳମୂଷଳ କରେ ଯାର । କି ଅବା ଦେବା ପଟାନ୍ତର ।। ୧୮
ରଜତ ସ୍ତମ୍ଭ ଭୂଜ ଦୁଇ । ମନ୍ଦସ୍ମିତରେ ମୁଖ ଶୋହି ।। ୧୯
ମଦ୍ୟେ ଘୂର୍ଣ୍ଣି‌ତ ସୁଲୋଚନ । ବିସ୍ତାର ଅରୁଣ ବଦନ ।। ୨୦
ସେ ଯେ ଅନନ୍ତ ଭଗବାନ । ଅନନ୍ତ ଗୁଣର ନିଧାନ ।। ୨୧
ସେ ଆଦିଦେବ ଯେ ଈଶ୍ୱର । କ୍ରୋଧକୁ କରିଣ ସଂହାର ।। ୨୨
ଲୋକପାଳନ ନିମନ୍ତରେ । ତହିଁ ଅଛନ୍ତି ସେ ଠାକୁରେ ।। ୨୩
ଉରଗ ସୁର ଯେ ଅସୁର । ସିଦ୍ଧ ଗନ୍ଧର୍ବ ବିଦ୍ୟାଧର ।। ୨୪
ଅଶେଷ ମୁନିଗଣ ଯେତେ । ଆନନ୍ଦେ ଯେ ଯାହାର ମତେ ।। ୨୫
ଅପରେ ପାରିଷଦ ଗଣେ । ସେବନ୍ତି ଯାହାର ଚରଣେ ।। ୨୬
ନବତୁଳସୀ ଫୁଲ ଶିରେ । ଗନ୍ଧ ଆମୋଦଇ ପ୍ରଖରେ ।। ୨୭
ଗନ୍ଧେ ମଧୁକର ନିକର । ଧ୍ୱନି କରନ୍ତି ମନୋହର ।। ୨୮
ବନମାଳାଏ କଣ୍ଠେ ଧରି । କୁଣ୍ତଳ ଅତି ମନୋହାରୀ ।। ୨୯
ସୁନ୍ଦର ଭୁଜ ଲମ୍ବମାନ । ମହେନ୍ଦ୍ରବାରଣ ଯେସନ ।। ୩୦
ଧ୍ୟାନ ଶ୍ରବଣ ଯୋଗସାରେ । ମୁନି ଚିନ୍ତନ୍ତି ଯା ମନରେ ।। ୩୧
କଳିକଳୁଷ କର୍ମଗ୍ରନ୍ଥି । ଅବିଦ୍ୟା ନାଶ ଯେ କରନ୍ତି ।। ୩୨
ଶ୍ରଦ୍ଧା-ଆରତେ ଯେବା ଜନ । ଯେବେ କରଇ ସୁମରଣ ।। ୩୩
ଯେ ଏହା କରନ୍ତି ସକଳ । କରୁଣା ବହେ ଆଦିମୂଳ ।। ୩୪
ଯାହାର ଅନୁଭବମାନ । ନାରଦମୁନି ହେ ରାଜନ ।। ୩୫
ବ୍ରହ୍ମା-ସଭାରେ ବିସ୍ତାରିଲେ । ସକଳେ ଶୁଣି ନିସ୍ତରିଲେ ।। ୩୬
ଯାହାର କଟାକ୍ଷକୁ ପାଇ । ଉତ୍ପତ୍ତି ସ୍ଥିତି ଲୟ ହୋଇ ।। ୩୭
ଯାର ମୂରତି କୃପାମୟୀ । ସତ ଅସତ ଯାର ଦେହୀ ।। ୩୮
ସୁଜନ-ମନ ହରିବାରେ । ମୃଗେନ୍ଦ୍ର ପ୍ରାୟ ଲୀଳା କରେ ।। ୩୯
ଯାହାର ନାମ ସୁମରଣ । ଶ୍ରବଣ କୀର୍ତ୍ତନ ରାଜନ ।। ୪୦
ଘୋର-ଦୁର୍ଗମେ ନର ଥାଇ । ଯେବେ ଆରତେ ସୁମରଇ ।। ୪୧
ଆପଦ ଯାଇ ତାର ଦୂର । ସକଳ-ପାପୁ ହୋଏ ପାର ।। ୪୨
ଆଶ୍ରୟ ହୋଇଲେ ତାହାର । ମୋକ୍ଷକୁ ଲଭେ ସେ ନିର୍ଭର ।। ୪୩
ଭୂଗୋଳ ନାନା ନଦୀ ଗିରି । ଦ୍ୱୀପ ସମୁଦ୍ର ଆଦି କରି ।। ୪୪
ଯାହାର ମସ୍ତକେ ଜଗତ । ସ୍ଥିରେ ଅଛଇ ପରୀକ୍ଷିତ ।। ୪୫
ଅତି ବିକ୍ରମ ଯେ ପୁରୁଷ । କେ କହୁଁ ତା ରୂପ ବିଶେଷ ।। ୪୬
ଯେ ଆତ୍ମତନ୍ତ୍ର ଭଗବାନ । ତାର ଅଶେଷ ଗୁଣଗ୍ରାମ ।। ୪୭
ଲୀଳାମାତ୍ରକେ ଏ ସଂସାର । ଯେ ଧରିଅଛି ବିଶ୍ୱଭାର ।। ୪୮
ଏମନ୍ତ ପ୍ରଭାବ ଯାହାର । ଦୁରିତହାରୀ ସେ ଠାକୁର ।। ୪୯
ଏବେ କହିଲୁ ଜୀବଗତି । କର୍ମରୁ ଯେ ଯାହା ଭୁଞ୍ଜନ୍ତି ।। ୫୦
ଯାହାର ସ୍ଥାନଟି ଯେମନ୍ତ । ସକଳ କରିଲୁଁ ବିଦିତ ।। ୫୧
ଯାହାର ଯେମନ୍ତ ଲକ୍ଷଣ । ଯେ ଧର୍ମ ଯାର ଆଚରଣ ।। ୫୨
ଯେ ଉଚ୍ଚ-ନୀଚ ଜୀବଜନ୍ତୁ । ଯାହାର ଯେ କର୍ମ ଯେହେତୁ ।। ୫୩
ତୁମ୍ଭ ପ୍ରଶନ ଅନୁସାରେ । ସକଳ କହିଲୁ ତୁମ୍ଭରେ ।। ୫୪
ଏବେ କି ତୁମ୍ଭ ଅଭିଳାଷ । ଅପରେ କହିବୁଁ ବିଶେଷ ।। ୫୫
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦି ପ୍ରଭୁ ନାରାୟଣ ।। ୫୬
ସେ ପ୍ରଭୁ ଚରଣେ ମୋ ମତି । ଅନବରତେ ହେଉ ସ୍ଥିତି ।। ୫୭
କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ।। ୫୮
ସୁଜନେ ଶୁଣ ଦେଇମନ । ଫିଟିବ ଭବର ବନ୍ଧନ ।। ୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭୂବିବରବିଧି ଉପବର୍ଣ୍ଣ‌ନଂ
ନାମ ପଞ୍ଚବିଂଶୋଽଧ୍ୟାୟଃ ।।

ଷଡ଼ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ପରୀକ୍ଷିତ ଉବାଚ

ବିଚିତ୍ରଗତି ଲୋକଙ୍କର । ତୁମ୍ଭେ କହିଲ ମୁନିବର ।। ୧
ଏ କଥା ସଂଶୟ ମୋ ମନେ । ଏବେ କହିବା ବିଦ୍ୟମାନେ ।। ୨
ଏବେ କହିବା ଫଳଭାବ । ଯେମନ୍ତେ ତରଇ ଅର୍ଣ୍ଣବ ।। ୩

ଶୁକ ଉବାଚ

ତ୍ରିଗୁଣେ ବିଚିତ୍ର ହୁଅଇ । ଶୁଣ ପରୀକ୍ଷ ମନଦେଇ ।। ୪
କର୍ତ୍ତାରମତେ ଫଳଯାଇ । ଶ୍ରଦ୍ଧା-ଅଶ୍ରଦ୍ଧା ବେନି ହୋଇ ।। ୫
ସାତ୍ତ୍ୱିକକର୍ମୀ ହୁଏ ସୁଖୀ । ରାଜସକର୍ମୀ ସୁଖୀଦୁଃଖୀ ।। ୬
ତାମସ ଦୁଃଖୀ ଯେ ବିମୂଢ଼ । ଏ ତ‌ତ୍ତ୍ୱ ବୁଝେ ନାହିଁ ମୂଢ଼ ।। ୭
ଯେତେ ଅଧର୍ମକାରୀଗଣ । ସଦା ଯେ ତମର ଅଧୀନ ।। ୮
ତମୋଗୁଣଙ୍କ ଏହି ବ୍ରତ । ଲଭନ୍ତି ଫଳ ବିପରୀତ ।। ୯
ସକଳ ଏକଭାବ ହୋଇ । କେବେହେଁ କେହି ନ ଭଜଇ ।। ୧୦
ଏ ଅନନ୍ତରେ ଏବେ ଶୁଣ । ନିଷିଦ୍ଧ ଅଧର୍ମ ଲକ୍ଷର ।। ୧୧
ଧର୍ମ ଅଧର୍ମ ବେନି ମତ । ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ ।। ୧୨
ସମାନ କର୍ମଫଳମାନ । କାହାରି ନୁହଁଇ ରାଜନ ।। ୧୩
ଯେତେ ଅବିଦ୍ୟା କାମ୍ୟକର୍ମ । ଏହା ଲକ୍ଷଣ ପରିଣାମ ।। ୧୪
ଗତି ଯେ ଶତ ଶତ ମତ । ପ୍ରବୃତ୍ତ ହୁଏ ପରୀକ୍ଷିତ ।। ୧୫
ଏହାର ଗତି ଅଗୋଚର । ବିସ୍ତାରି ବିର୍ଣ୍ଣବୁ ଅପର ।। ୧୬

ପରୀକ୍ଷିତ ଉବାଚ

ଭୋ ମୁନି ତ୍ରିଲୋକ ବାହାରେ । ନରକ କିବା ଅନ୍ତରାଳେ ।। ୧୭
କିବା ତ୍ରିଭୁବନ ମଧ୍ୟରେ । କହିବା ସାବଧାନେ ମୋରେ ।। ୧୮

ଶୁକ ଉବାଚ

ସେ ତ‌ତ୍ତ୍ୱ ଶୁଣ ତୁ ରାଜନ । କହନ୍ତି ଋଷି ହୃଷ୍ଟମନ ।। ୧୯
ତ୍ରିଜଗତର ଅନ୍ତରାଳ । ଦକ୍ଷିଣଦିଗେ ମହୀପାଳ ।। ୨୦
ଭୂମିର ତଳେ ଜଳପରେ । ଅଗ୍ନିଷ୍ୱାତ୍ତସଭା ତହିଁରେ ।। ୨୧
ସକଳ ପିତୃଗଣ ଯେତେ । ସ୍ୱଗୋତ୍ର କଲ୍ୟାଣ ନିମନ୍ତେ ।। ୨୨
ଯହିଁ ବସନ୍ତି ହେ ରାଜନ । ତହିଁ ଅନ୍ତକ ଭଗବାନ ।। ୨୩
ଅନ୍ତେ ଜୀବକୁ ସେ ନିଅନ୍ତି । ଯମପୁରୁଷେ ଦଣ୍ତ ଦ୍ୟନ୍ତି ।। ୨୪
ଦୋଷ ଯେ କର୍ମ ଅନୁସରି । ଯେ ପ୍ରାଣୀ ଯାହା ଥାଇ କରି ।। ୨୫
ଭଗବତ-ଆଜ୍ଞା ଲଂଘିଣ । ବିପଥେ ଯେ କରେ ଗମନ ।। ୨୬
ତାହାଙ୍କୁ ନେଇ ଦଣ୍ତଧର । ଦଣ୍ତ ଯେ ଦିଅନ୍ତି ଅପାର ।। ୨୭
ଏକବିଂଶତି ପରକାରେ । ନରକେ ଅଛନ୍ତି ଯହିଁରେ ।। ୨୮
ଯେ ରୂପ ଯେ ନାମ ଲକ୍ଷଣ । କହିବା ଶୁଣ ହେ ରାଜନ ।। ୨୯
ଅନ୍ଧକୂପ ଯେ ଅସିପତ୍ର । ଶୂକରମୁଖ କାଳସୂତ୍ର ।। ୩୦
ଗୌରବ ମହା ଯେ ନରକ । ଅନ୍ଧତାମିସ୍ର କୁମ୍ଭୀପାକ ।। ୩୧
ତାମିସ୍ର ଯେ କୃମିଭୋଜନ । ସନ୍ଦଂଶ ତପ୍ତସୂର୍ମି ନାମ ।। ୩୨
ବଜ୍ରକଣ୍ଟକ ଶାଳମଳ । ବଇତରଣୀ ମହୀପାଳ ।। ୩୩
ପ୍ରାଣରୋଧ ଯେ ବିଶସନ । ପୂୟୋଦ ସାରମେୟାଦନ ।। ୩୪
ଅପରେ ଅବୀଚି ରାଜନ । ଲାଳାଭକ୍ଷ ଯେ ଅୟଃପାନ ।। ୩୫
ଶୂଳପ୍ରୋତ କ୍ଷାର କର୍ଦ୍ଦମ । ଯେବା ରକ୍ଷୋଗଣ ଭୋଜନ ।। ୩୬
ଅବଟନିରୋଧନ ଆର । ଦନ୍ଦଶୂକ ନାମେ ଅପର ।। ୩୭
ସୂଚୀମୁଖ ପର୍ଯ୍ୟାବର୍ତ୍ତନ । ଅଷ୍ଟବିଂଶତି ଏହୁ ନାମ ।। ୩୮
ଏ ଯେ ନରକ ମହୀପାଳ । ବିବିଧ ଯାତନାର ସ୍ଥଳ ।। ୩୯
ପରସ୍ତିରୀ ଅପତ୍ୟ ଧନ । ଯେ ପ୍ରାଣୀ କରଇ ହରଣ ।। ୪୦
ସେ କାଳପାଶେ ବନ୍ଦୀ ହୋଇ । ଯମର ପୁରେ ଦୁଃଖ ପାଇ ।। ୪୧
ତାମିସ୍ରନରକେ ପଡ଼ଇ । ନାନା ଯାତନା ସେ ଭୁଞ୍ଜଇ ।। ୪୨
କ୍ଷୁଧା-ପିପାସାରେ ପୀଡ଼ିତ । ହୋଇ ସେ ଦଣ୍ତରେ ତାଡ଼ିତ ।। ୪୩
ନାନା ତର୍ଜନା ଯେ ପ୍ରହାର । ଯେତେ ଯାତନା ଭୟଙ୍କର ।। ୪୪
ପରମକଷ୍ଟ ପାଇ ତହିଁ । କ୍ଷଣକ୍ଷଣକେ ମୋହ ଯାଇ ।। ୪୫
ଅନ୍ଧତାମିସ୍ରେ ଏ ପ୍ରକାରେ । ଯାତନା ପ୍ରାଣୀ ଭୋଗକରେ ।। ୪୬
କପଟେ ପରଦାରା ହରି । ଯେବେ ତାମିସ୍ରୁ ନ ଉବୁରି ।। ୪୭
ତେବେ ପଡ଼ଇ ସେ ଯେ ତହିଁ । ଯାତନା-ସିନ୍ଧୁରେ ବୁଡ଼ଇ ।। ୪୮
ନଷ୍ଟ ହୁଅଇ ମତି ତାର । ଦୃଷ୍ଟି ନାଶଇ ନୃପବର ।। ୪୯
ମୁହିଁ ମୋହର ଭାବ ବହି । ପ୍ରାଣୀଦ୍ରୋହକୁ ଯେ ଚିନ୍ତଇ ।। ୫୦
କୁଟୁମ୍ବ ପାଇଁ ହିଂସା ବହି । ସେ ପ୍ରାଣୀ ରୌରବେ ପଡଇ ।। ୫୧
ସେ ଜୀବ ହିଂସନ୍ତି ସଂସାରେ । ତାହାଙ୍କୁ ପର ଯେ ଲୋକରେ ।। ୫୨
ରୌରବ ମୂର୍ତ୍ତି ଜୀବ ହୋଇ । ସେଠାରେ ତାହାଙ୍କୁ ହିଂସଇ ।। ୫୩
ମହାରୌରବ ଏହି ମତ । ଯହିଁ କ୍ରୂରଜୀବ ବିଦିତ ।। ୫୪
ତହିଁରେ ଯେ ପ୍ରାଣୀ ପଡ଼ଇ । ରୌରବ-କ୍ରବ୍ୟାଦ ତା ଖାଇ ।। ୫୫
ଯେ ନର ପଶୁପକ୍ଷୀମାନ । ପ୍ରାଣ ଥାଉଁ କରେ ରନ୍ଧନ ।। ୫୬
ରାକ୍ଷସୁଁ ବଳି ସେହି ହୋଇ । କୁମ୍ଭୀପାକରେ ସେ ପଡଇ ।। ୫୭
ତପତ-ତଇଳେ ତାହାର । ରନ୍ଧନ ହୁଅଇ ଶରୀର ।। ୫୮
କାଳସୂତ୍ର ନରକ ନାମ । ବିସ୍ତାର ଅୟୁତ ଯୋଜନ ।। ୫୯
ତାମ୍ରମୟ ଯେ ଭୂମିତାର । ଉପରେ ଥାଇ ଯେ ଭାସ୍କର ।। ୬୦
ଅଧୋଭାଗରେ ଅଗ୍ନିଥାଇ । ଏମନ୍ତ ନରକ ଅଟଇ ।। ୬୧
ଯେ ନର ବ୍ରହ୍ମହତ୍ୟା କରେ । ସେ ତହିଁ ପଡଇ ନିର୍ଭରେ ।। ୬୨
ତପତ-ସୁବର୍ଣ୍ଣ ଫୁଟଇ । ତହିଁ ସେ ଦଗଧ ହୁଅଇ ।। ୬୩
କ୍ଷଣକେ ଉଠଇ ଲୋଟଇ । ବସଇ ବ୍ୟାକୁଳେ ଧାମଇଁ ।। ୬୪
କ୍ଷୁଧା ପିପାସା ପୀଡାମାନ । କ୍ଷଣକେ ହୁଏ ଅଚେତନ ।। ୬୫
ପଶୁର ଦେହେ ରୋମଯେତେ । ବର୍ଷ ତାବତ ସେହିମତେ ।। ୬୬
ଅତ୍ୟନ୍ତ ଯାତନା ଭୁଞ୍ଜଇ । ସେ ପ୍ରାଣୀ ତହିଁ କଡିଥାଇ ।। ୬୭
ଯେ ନିଜ ଧର୍ମପଥ ଛାଡି । ବେଦବଚନ ନିନ୍ଦେ ହୁଡି ।। ୬୮
ପାଷଣ୍ତ ବୋଲି ତାକୁ କହି । ଅସିପତ୍ରରେ ସେ ପଡଇ ।। ୬୯
ଲୌହମୁନ୍ଦ୍‌ଗର ତା ଉପରେ । ପ୍ରହାର କରନ୍ତି ନିର୍ଭରେ ।। ୭୦
ଅଦୋଷେ ଦଣ୍ତନ୍ତି ଯେ ନରେ । ପାପା ଭୁଞ୍ଜନ୍ତି ତମଘୋରେ ।। ୭୧
ଅତ୍ୟନ୍ତ ପାପାରାଶି ବହି । ଶୂକରମୁଖେ ସେ ପଡ଼ଇ ।। ୭୨
ତହିଁରେ ପୁରୋଇ ନିର୍ଭରେ । ନାନାଆୟୁଧର ପ୍ରହାରେ ।। ୭୩
ଇକ୍ଷୁଦଣ୍ତର ପ୍ରାୟ କରି । ତାକୁ ପେଷନ୍ତି ଦଣ୍ତଧାରୀ ।। ୭୪
ଅତ୍ୟନ୍ତ କଷ୍ଟକୁ ସେ ପାଇ । କ୍ଷଣ କ୍ଷଣକେ ମୋହ ଯାଇ ।। ୭୫
ଏ ଯେ ସଂସାରେ ନରଦେହୀ । କ୍ଷୁଦ୍ରପ୍ରାଣୀଙ୍କୁ ପୀଡା ଦେଇ ।। ୭୬
ହିଂସଇ ଜ୍ଞାନହୀନ ମତେ । ସନ୍ତାପ ଲଭଇ ତେମନ୍ତେ ।। ୭୭
ସେ ପ୍ରାଣୀ ପରଲୋକେ ଯାଇ । ଅନ୍ଧକୂପରେ ପଡିଥାଇ ।। ୭୮
ଯେ ଗ୍ରାସ ନ ବାଣ୍ଟି ଭୁଞ୍ଜଇ । ବାୟସ ତୁଲ୍ୟ ତାକୁ କହି ।। ୭୯
ନରକ ଯେ କୃମି ଭୋଜନ । ନରକମାନଙ୍କେ ଅଧମ ।। ୮୦
ଶତ ସହସ୍ର ଯେ ଯୋଜନ । ଯେ କୃମିକୁଣ୍ତ ପରିମାଣ ।। ୮୧
ତହୁଁ ପଡ଼ଇ ସେହୁ ନର । ଉଗ୍ର-ଯାତନାର ଯେ ଘର ।। ୮୨
କୃମିକୁ ଭକ୍ଷଇ ସେ ଜନ । ତାକୁ ଭକ୍ଷନ୍ତି କୃମିମାନ ।। ୮୩
ଯାବତ କର୍ମ କ୍ଷୟ ନୋହେ । ତାବତ ତହିଁ ସେହୁ ରହେ ।। ୮୪
ବିପ୍ରର ଦ୍ରବ୍ୟ ଯେ ହରଇ । ସନ୍ଦଂଶେ ପୀଡା ସେ ଲଭଇ ।। ୮୫
ଅଗମ୍ୟା ସ୍ତିରୀ ଯେ ରମଇ । ତପ୍ତସୂର୍ମିରେ ସେ ପଡ଼ଇ ।। ୮୬
ନାରୀ ବା ଅଗମ୍ୟ ପୁରୁଷେ । ଚିତ୍ତ ବଳାଇ ରତି ଆଶେ ।। ୮୭
ତପତ ଲୌହମୂର୍ତ୍ତିମାନ । ତାକୁ କରାନ୍ତି ଆଲିଙ୍ଗନ ।। ୮୮
ପୁରୁଷ ରୂପ ସ୍ତିରୀ ଗମନ । ସ୍ତିରୀଏ ପୁରୁଷ ବେଭାରେ ।। ୮୯
ଅଗମ୍ୟ ପଶ୍ୱାଦି ଗମନ । କରଇ ପାଷଣ୍ତ ଜନ ।। ୯୦
ବଜ୍ରକଣ୍ଟକଶାଳଳୀରେ । ଆରୋହ କରାନ୍ତି ତାହାରେ ।। ୯୧
ଯେ ରାଜପୁରୁଷ ଅପର । କରନ୍ତି ଧର୍ମସେତୁ ଦୂର ।। ୯୨
ଧର୍ମ ଆଚରେ ଯେହୁ ନର । ତାଙ୍କୁ ହିଂସନ୍ତି ଯେ ପାମର ।। ୯୩
ସେ ଅନ୍ତେ ବଇତରଣୀରେ । ପାପିଷ୍ଠେ ପଡ଼ନ୍ତି ନିର୍ଭରେ ।। ୯୪
ନିରୟ ପରିଖା ଯାହାର । ଏମନ୍ତ ଯେଉଁ ନଦୀବର ।। ୯୫
ତହିଁର ଜଳଜନ୍ତୁମାନ । ପାପୀଙ୍କୁ କରନ୍ତି ଭକ୍ଷଣ ।। ୯୬
ମୂତ୍ର ପୁରୀଷ ଯେ ଶୋଣିତ । ନଖ ମେଦ ଅସ୍ଥି ବହୁତ ।। ୯୭
ଏଥି ପଡ଼ିଣ ତାପ ପାଇ । ବାସନା କର୍ମ ସୁମରଇ ।। ୯୮
ବୃଷଳୀଗମନ ଯେ କରେ । ଶୌଚ ଆଚାର ପରିହରେ ।। ୯୯
ନିର୍ଲ୍ଲଜ୍ଜଭାବକୁ ବହଇ । ନିତ୍ୟେ ନିୟମକୁ ଛାଡଇ ।। ୧୦୦
ଅନ୍ତେ ସେ ପୂୟୋଦେ ପଡ଼ଇ । ଶ୍ଲେଷ୍ମା ଯେ ମଳମୂତ୍ର ଯହିଁ ।। ୧୦୧
ଅତି ବୀଭତ୍ସ ଯେ ଭୋଜନ । ତାହାକୁ ଭୁଞ୍ଜଇ ସେ ଜନ ।। ୧୦୨
ମୃଗୟାବିହାରେ ଯେ ନର । ପ୍ରବୃତ୍ତ ହୋଇ ବାରମ୍ବାର ।। ୧୦୩
ମୃଗାଦି ବାଳପଶୁମାନ । ବହୁତ ମାରନ୍ତି ରାଜନ ।। ୧୦୪
ବିବିଧବାଣେ ଯମଦୂତ । ତାକୁ ପ୍ରହାରନ୍ତି ବହୁତ ।। ୧୦୫
କପଟଯଜ୍ଞେ ଯେହୁ ନରେ । ଦମ୍ଭ ଆଚରି ପଶୁ ମାରେ ।। ୧୦୬
ସେ ଲୋକ ବିଶସନ ନାମେ । ନରକେ ପଡ଼ନ୍ତି ସମାନେ ।। ୧୦୭
ପତ୍ନୀକି ରେତକୁ ପିଆଇ । ଯେ ଜନ କାମବଶ ହୋଇ ।। ୧୦୮
ଅମୂତ୍ର ରେତ ଯେ କୁଲ୍ୟାରେ । ରେତକୁ ପିଆନ୍ତି ତାହାରେ ।। ୧୦୯
ଯେ ନର ଗୃହେ ଅଗ୍ନି ଦେଇ । କପଟେ ଗରଳ ଭୁଞ୍ଜାଇ ।। ୧୧୦
ସେ ପରଲୋକ ଯେବେ ଯାଇ । ବିବିଧଯାତନା ଭୁଞ୍ଜଇ ।। ୧୧୧
ଉଗ୍ରଦଶନ ଶ୍ୱାନ ଶତ । ତାକୁ ଭୂଞ୍ଜନ୍ତି ଅବିରତ ।। ୧୧୨
ସାକ୍ଷ୍ୟରେ ମିଥ୍ୟା ଯେ କହଇ । ଅବୀଚି-ନରକେ ପଡ଼ଇ ।। ୧୧୩
ଅଧକୁ ହୁଅଇ ତା ଶିର । ନରକ ଭୁଞ୍ଜଇ ପାମର ।। ୧୧୪
ଯାହାର ଶ୍ରେଷ୍ଠ ଯେଉଁ ଜନ । ସେ ତାଙ୍କ ନ କରେ ବନ୍ଦନ ।। ୧୧୫
କ୍ଷାରକର୍ଦ୍ଦମେ ସେ ପଡ଼ଇ । ବହୁତ ଯାତନା ଭୁଞ୍ଜଇ ।। ୧୧୬
ଯେ ପ୍ରାଣୀ ନରମେଧ କରେ । ଦେବତା-ସନ୍ତୋଷ-ପ୍ରକାରେ ।। ୧୧୭
ସ୍ତିରୀ ବାଳକ ପଶୁ ମାରେ । ଡ଼ାକିନୀରୂପେ ସେ ସଞ୍ଚରେ ।। ୧୧୮
ସେହି ବାଳକ-ପଶୁମାନେ । ପ୍ରବେଶି ଯମର ସଦନେ ।। ୧୧୯
ରାକ୍ଷସରୂପକୁ ଆଚରି । ଶୋଣିତ ପିବନ୍ତି ତାହାରି ।। ୧୨୦
ସେ ସ୍ତିରୀ ପୁରୁଷ ରକତ । ଖାଇ ହୁଅନ୍ତି ମଦେ ମତ୍ତ ।। ୧୨୧
ନାଚନ୍ତି ଗାୟନ୍ତି ହରଷେ । ଯେମନ୍ତ ରାକ୍ଷସ-ପୁରୁଷେ ।। ୧୨୨
ବିବିଧ ରଜ୍ଜୁର ପ୍ରକାରେ । ଯେ ନର ଗ୍ରାମ୍ୟଅରଣ୍ୟରେ ।। ୧୨୩
ବିଶ୍ୱାସୀ-ପଶୁଙ୍କୁ ମାରଇ । ସେ ନର ନରକେ ପଡ଼ଇ ।। ୧୨୪
ପାଶେ ବନ୍ଧନ ହୋଇ ସେହି । କ୍ଷୁଧା-ତୃଷାରେ ପୀଡା ପାଇ ।। ୧୨୫
ବୃକ କୁକୁର ଗୃଧ୍ରଗଣ । ତୁଣ୍ତରେ କରନ୍ତି ତାଡନ ।। ୧୨୬
ବିବିଧ-କ୍ଳେଶକୁ ଲଭଇ । ଆପଣା କର୍ମ ସୁମରଇ ।। ୧୨୭
ଉଗ୍ରସ୍ୱଭାବ ଯେଉଁ ନରେ । ପ୍ରାଣୀଙ୍କୁ ଉଦବେଗ କରେ ।। ୧୨୮
ନନ୍ଦଶୂକ ଘୋର ନରକେ । ପଡ଼ନ୍ତି ଯାଇ ପରଲୋକେ ।। ୧୨୯
ପଞ୍ଚ ବା ସପ୍ତମୁଖ ଯାର । ଏମନ୍ତ ଦନ୍ଦଶୂକବର ।। ୧୩୦
ଅନେକ ଅଛନ୍ତି ତହିଁରେ । ଭକ୍ଷନ୍ତି ସେ ପାପୀ ଶରୀରେ ।। ୧୩୧
ଯେ ଗର୍ତ୍ତଆଦି କଷ୍ଟସ୍ଥଳେ । ପ୍ରାଣୀଙ୍କି ଥୋଇ ଅବହେଳେ ।। ୧୩୨
ଦ୍ୱାର ରୁନ୍ଧଇ ମୁଦ ଦେଇ । ସେ ନର ନରକେ ପଡ଼ଇ ।। ୧୩୩
ଗର୍ତ୍ତେ ପାମରକୁ ଥୁଅନ୍ତି । ମଧୂମଅଗ୍ନି ଦ୍ୱାରେ ଦ୍ୟନ୍ତି ।। ୧୩୪
ପୂର୍ବେ ଯେ ଆସି ଯାଇ ନାହିଁ । ଅତିଥି ଭାବରେ ଆସଇ ।। ୧୩୫
ଗୃହେ ନ ରଖି ତାକୁ ଯେବେ । ଅବଲୋକଇ କ୍ରୋଧଭାବେ ।। ୧୩୬
କର୍କଶବାକ୍ୟ ତାକୁ କହି । ଅନ୍ତେ ସେ ନରକେ ପଡଇ ।। ୧୩୭
ବକ୍ରତୁଣ୍ତ ଯେ ଗୃଧ୍ର କଙ୍କ । କାକ ସହିତେ ଯେବା ବକ ।। ୧୩୮
ଦୀର୍ଘଚଞ୍ଚୁରେ ଚିରି ତାର । ଚକ୍ଷୁ ଖୋଳନ୍ତି ନୃପବର ।। ୧୩୯
ଯେ ଅହଙ୍କାରେ ଛନ୍ନ ହୋଇ । ପ୍ରାଣୀଙ୍କି କଟାକ୍ଷେ ଚାହଁଇ ।। ୧୪୦
କୁଟିଳହୃଦୟ ଭାବରେ । ଜୀବର ମନ୍ଦକୁ ଆଚରେ ।। ୧୪୧
ଅନ୍ତେ ସେ ଯାଇ ପରଲୋକେ । ପଡେ ନରକ ସୂଚୀମୁଖେ ।। ୧୪୨
ତହିଁରେ ପାପୀର ଶରୀର । ପୀଡନ୍ତି ଯମର କିଙ୍କର ।। ୧୪୩
ଏମନ୍ତ ପ୍ରକାରେ ରାଜନ । ଶତଶତ-ନରକମାନ ।। ୧୪୪
ଅଛନ୍ତି ଯମର ସଦନ । ତହିଁ ପାପୀଙ୍କ ନିଜସ୍ଥାନ ।। ୧୪୫
ଯେ ଯେତେ କର୍ମ ଆଚରଇ । ସେ ରୂପେ ଫଳ ସେ ଭୁଞ୍ଜଇ ।। ୧୪୬
ନିବୃତ୍ତି ମାର୍ଗର ଲକ୍ଷଣ । ଆଗେ ତ କହିଛୁଁ ରାଜନ ।। ୧୪୭
ଏ ଚତୁର୍ଦ୍ଦଶଭାଗ ହୋଇ । ବ୍ରହ୍ମାଣ୍ତକୋଷ ଏ ବୋଲାଇ ।। ୧୪୮
ପୁରାଣ ଅନୁମାନ କରି । ତୁମ୍ଭରେ କହିଲୁଁ ବିସ୍ତାରି ।। ୧୪୯
ଯେ ଭାଗବତ ନାରାୟଣ । ମହାପୁରୁଷ ଭଗବାନ ।। ୧୫୦
ଗରିଷ୍ଠରୂପ ତାହାଙ୍କର । ମାୟାଗୁଣରେ ନୃପବର ।। ୧୫୧
ଯେତେକ ବର୍ଣ୍ଣିଲଇଁ ମୁହିଁ । ସକଳରୂପ ସେ ଅଟଇ ।। ୧୫୨
ଯେ ନର ଶ୍ରଦ୍ଧାବନ୍ତ ହୋଇ । ପଢଇ ଶୁଣଇ ଶୁଣାଇ ।। ୧୫୩
ସେ ସାଧୁଭକ୍ତ ଶୁଦ୍ଧନର । ପରମଆତ୍ମା ଯେ ଈଶ୍ୱର ।। ୧୫୪
ଅଚିନ୍ତ୍ୟରୂପଟି ଯାହାର । ପରମସୂକ୍ଷ୍ମରୁ ଯେ ପର ।। ୧୫୫
ଅତିସୂକ୍ଷ୍ମରୁ ସୂକ୍ଷ୍ମତର । ଦେବଙ୍କୁ ଯାହା ଅଗୋଚର ।। ୧୫୬
ସୁଗତି ଲଭଇ ସେ ଜନ । ପରମଶ୍ରେଷ୍ଠ ତା ଜୀବନ ।। ୧୫୭
ଦ୍ୱୀପ ବରଷ ନଦୀ ଗିରି । ସର୍ବ ସମୁଦ୍ର ଦଣ୍ତଧାରୀ ।। ୧୫୮
ପାତାଳ ଦିଗ ଯେ ନରକ । ଭାଗ ଲକ୍ଷଣ ଯେତେ ଲୋକ ।। ୧୫୯
ଈଶ୍ୱର ସ୍ଥୂଳ ଯେ ଶରୀର । ଆଶ୍ରୟ ସକଳଜୀବର ।। ୧୬୦
ଏ ସର୍ବ ବିଭାଗ ପ୍ରକାରେ । ଭୋ ନୃପ କହିଲୁ ତୁମ୍ଭରେ ।। ୧୬୧
କହଇ ଜଗନ୍ନାଥ ଦାସ । ପଞ୍ଚମସ୍କନ୍ଧେ ସୁଧାରସ ।। ୧୬୨
ସାଦରେ ପିଅ ସାଧୁପ୍ରାଣୀ । ତରିବ ଭବତରଙ୍ଗିଣୀ ।। ୧୬୩
ଏ ଯେ ସଂସାର-ସିନ୍ଧୁ-ଘୋର । ଦୁଷ୍ଟଜନରେ ଭୟଙ୍କର ।। ୧୬୪
ପାଦପଲ୍ଲବଯୁଗ ଧରି । ସୁଖେ ତରିବ ଭବବାରି ।। ୧୬୫
ତା ବିନୁ ଅନ୍ୟଗତି ନାହିଁ । ତ୍ରାହି କରିବେ ଭାବଗ୍ରାହୀ ।। ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ନରକାନୁବର୍ଣ୍ଣ‌ନଂ ନାମ
ଷଡ୍‌ବିଂଶୋଽଧ୍ୟାୟଃ ।।