ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଭୋଇ ବଂଶ

ଭୋଇ ବଂଶ

୧୫୩୮ରେ ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରେ ଓଡ଼ିଶାରେ ଗଜପତି ଶାସନ ଗତି କଲା । ପ୍ରତାପରୁଦ୍ରଙ୍କ ଉତ୍ତରାଧିକାରୀ ପୁତ୍ରମାନେ ଦୁର୍ବଳ ଥିବାରୁ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ୧୫୪୦ରେ ପ୍ରତ୍ୟକ୍ଷ ଭାବେ ଶାସନ ଭାର ଗ୍ରହଣ କଲେ । ଏଥିପାଇଁ ସେ ରାଜପୁତ୍ରମାନଙ୍କୁ ହତ୍ୟା ମଧ୍ୟ କରିଥିଲେ । ୧୫୪୦-୪୯ ମଧ୍ୟରେ ସେ ଶାସନ କଲେ ଏବଂ ଏହା ସହିତ ଓଡ଼ିଶାରେ ଭୋଇବଂଶର ପ୍ରତିଷ୍ଠା ହେଲା । ଗୋବିନ୍ଦ କ୍ଷତ୍ରିୟ ବଂଶଜ ନଥିଲେ । ସମ୍ଭବତଃ ସେ ଗଉଡ ଜାତିର ଥିଲେ । ଏଥିପାଇଁ ତାଙ୍କୁ ଓଡ଼ିଶାର ଗଜପତି ଭାବରେ ସାମନ୍ତମାନେ ଆରମ୍ଭରୁ ଗ୍ରହଣ କରୁନଥିଲେ । ଦ୍ୱିତୀୟତଃ, ସେ ଗଜପତି ଶାସକମାନଙ୍କୁ ହତ୍ୟା କରି ରାଜସିଂହାସନ ଲାଭ କରିଥିଲେ । ଏହି ବିରୋଧର ପ୍ରଶମନଲାଗି ଗୋବିନ୍ଦବିଦ୍ୟାଧର ଜଗନ୍ନାଥ ମନ୍ଦିରର ଜଗମୋହନରେ ଏକ ଶିଳାଲିପିରେ ତାଙ୍କ ଶାସନ ଜଗନ୍ନାଥସ୍ୱୀକୃତ ଏବଂ ତାକୁ ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କ ବିରୋଧକରିବା ବୋଲି ଉଲ୍ଲେଖ କରିଥିଲେ । ବିରୋଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବା କଥା ମଧ୍ୟ ଏଥିରେ କୁହାଯାଇଛି ।

ଗୋବିନ୍ଦ ବିଦ୍ୟାଧର ସିଂହାସନ ଆରୋହଣ କଲା ପରେ ଗୋଲକୁଣ୍ଡାର ସୁଲତାନ ଓଡ଼ିଶାର ଦକ୍ଷିଣ କ୍ଷେତ୍ର ଉପରେ ଆକ୍ରମଣ କଲେ । ପ୍ରତିରକ୍ଷାପାଇଁ ଗୋବିନ୍ଦ ପ୍ରାୟ ଆଠ ମାସ କାଳ ଦକ୍ଷିଣରେ ଅବସ୍ଥାନ କଲେ । ରାଜଧାନୀରେ ତାଙ୍କ ଅନୁପସ୍ଥିତିର ଫାଇଦା ନେଇ ରଘୁଭଞ୍ଜ ଛୋଟରାୟ ବିଦ୍ରୋହ କଲେ । ବିଦ୍ରୋହ ଖବର ପାଇ ଗୋବିନ୍ଦ ଗୋଲକୁଣ୍ଡା ସହିତ ସନ୍ଧି ସ୍ଥାପନ କରି କଟକ ଫେରି ଆସିଲେ ଏବଂ ବିଦ୍ରୋହ ଦମନ କଲେ । ରଘୁଭଞ୍ଜ ଥିଲେ ପ୍ରତାପରୁଦ୍ରଙ୍କ ଭଣଜା ଏବଂ ପ୍ରତାପରୁଦ୍ରଙ୍କ ପୁତ୍ରମାନେ ନିହତ ହେବା ପରେ ଗଜପତି ପଦବୀ ଉପରେ ତାଙ୍କର ଦାବି ନ୍ୟାଯ୍ୟ ବୋଲି ସେ ମନେ କରୁଥିଲେ । ସେ କ୍ଷତ୍ରିୟ ଥିବାରୁ ତାଙ୍କୁ ଯଥେଷ୍ଟ ସମର୍ଥନ ମଧ୍ୟ ମିଳିଥିଲା । ମାତ୍ର ଏହି ବିଦ୍ରୋହ ବିଫଳ ହେବାଯୋଗୁଁ ଗଜପତି ଶାସନ ପୁନର୍ପ୍ରତିଷ୍ଠାର

ସମସ୍ତ ସମ୍ଭାବନା ଲୋପ ପାଇଲା ।

ଗୋବିନ୍ଦ ବିଦ୍ୟାଧରଙ୍କ ପରେ ତାଙ୍କ ପୁତ୍ର ଚକ୍ରପ୍ରତାପଦେବ ୧୫୪୯ରୁ ୧୫୫୭ ପର୍ଯ୍ୟନ୍ତ ଶାସନ କଲେ। ତାଙ୍କ ସମୟରେ ପ୍ରକୃତ ଶାସନର ଦାୟିତ୍ୱ ମନ୍ତ୍ରୀ ଦନାଇ ବିଦ୍ୟାଧରଙ୍କ ହାତରେ ରହିଥିଲା। ବ୍ରାହ୍ମଣମାନଙ୍କୁ ସେ ଯଥୋଚିତ ପୃଷ୍ଠପୋଷକତା ପ୍ରଦାନ କରି ନ ଥିଲେ। ଏଥିପାଇଁ ତାଙ୍କୁ ବ୍ରାହ୍ମଣମାନଙ୍କର ସମର୍ଥନ ମିଳି ନ ଥିଲା। 'ଆକବରାମା' ଅନୁଯାୟୀ ତାଙ୍କ ପୁତ୍ର ନରସିଂହ ଜେନା ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ।

ନରସିଂହ ଜେନା ମାତ୍ର ବର୍ଷକପାଇଁ (୧୫୫୭-୧୫୫୮) ଶାସନ କରିଥିଲେ। ମୁକୁନ୍ଦ ହରିଚନ୍ଦନ ତାଙ୍କୁ ହତ୍ୟା କରିବାରୁ ରଘୁରାମ ଛୋଟରାୟ (ଚକ୍ର ପ୍ରତାପଙ୍କ ଅନ୍ୟ ଏକ ପୁତ୍ର) ସିଂହାସନ ଆରୋହଣ କଲେ। ସେ ଦୁଇବର୍ଷ (୧୫୫୮-୧୫୬୦) ଶାସନ କଲା ପରେ ମୁକୁନ୍ଦ ହରିଚନ୍ଦନଙ୍କ ହାତରେ ନିହତ ହେଲେ। ଏହା ପରେ ୧୫୬୦ରୁ ୧୫୬୮ ପର୍ଯ୍ୟନ୍ତ ମୁକୁନ୍ଦଦେବ ଓଡ଼ିଶାର ଗଜପତି ହେଲେ। ୧୫୬୮ରେ ସେ ବଙ୍ଗନବାବ ସୁଲେମାନ କର୍‍ରାନୀଙ୍କ ହାତରେ ପରାଜିତ ହେବା ପରେ ଓଡ଼ିଶା ମୁସଲମାନ ଶାସକଙ୍କ ପ୍ରତ୍ୟକ୍ଷ ଶାସନକୁ ଆସିଲା। ମୁସଲମାନ ଶାସକମାନଙ୍କ ଓଡ଼ିଶା ବିଜୟ ସମୟରେ ନବାବଙ୍କ ସେନାପତି ସିକନ୍ଦର ଉଜବେଗ ଓ କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଅନେକ ମନ୍ଦିର ଲୁଣ୍ଠନ କରିଥିଲେ।

ବଙ୍ଗ ନବାବଙ୍କ ପକ୍ଷରୁ ଓଡ଼ିଶା ଅଭିଯାନର ନେତୃତ୍ୱ ସୁଲେମାନଙ୍କ ପୁତ୍ର ବୟାଜିଦଙ୍କ ହାତରେ ରହିଥିଲା। ସିକନ୍ଦର ଓ କଳାପାହାଡ଼ ଥିଲେ ବୟାଜିଦଙ୍କ ଦୁଇ ଜଣ ପ୍ରମୁଖ ସେନା ଅଧିକାରୀ। ଯେଉଁ ସମୟରେ ମୁକୁନ୍ଦଦେବଙ୍କୁ ବଙ୍ଗନବାବଙ୍କ ସେନାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେତେବେଳେ କଟକ ଓ ଆଖପାଖ ଅଞ୍ଚଳରେ କଳାପାହାଡ଼ର ଆକ୍ରମଣ ଜାରି ରହିଥିଲା। ଏହା ସହିତ ଓଡ଼ିଶାର କେତେକ ଜମିଦାର ଓ ସାମନ୍ତ ରାଜା ମଧ୍ୟ ମୁକୁନ୍ଦଦେବଙ୍କର ତୀବ୍ର ବିରୋଧ କରୁଥିଲେ। ଏ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଏକ କିମ୍ବଦନ୍ତୀ ଅନୁଯାୟୀ, ବାରଙ୍ଗ ନିକଟସ୍ଥ ସାରଙ୍ଗଗଡ଼ର ଜମିଦାର ରାମଚନ୍ଦ୍ର ଭଞ୍ଜଙ୍କ ବିଦ୍ରୋହ ଏହି ସମୟରେ ଆରମ୍ଭ ହେଲା ଏବଂ ତାକୁ ଦମନ କରିବାକୁ ଯାଇ ମୁକୁନ୍ଦଦେବ ରାମଚନ୍ଦ୍ରଙ୍କୁ ମଧ୍ୟ ହତ୍ୟା କଲେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଯାଜପୁର ନିକଟସ୍ଥ ଗୋହିରିଟିକିରାଠାରେ ବଙ୍ଗନବାବ ସେନାଙ୍କ ସହ ସମ୍ମୁଖ ସମରରେ ୧୫୬୮ରେ ମୁକୁନ୍ଦ ଦେବ ନିହତ ହେଲେ। ତାଙ୍କର ଦୁଇଜଣ ସେନାନାୟକ ଶିଖି ଓ ମନାଇ ଆକ୍ରମଣକାରୀ କଳାପାହାଡ଼କୁ ସହଯୋଗ କରିଥିଲେ, ଯାହା ଫଳରେ କଳାପାହାଡ଼ର ଆକ୍ରମଣ ଅଧିକ ପ୍ରାଣାନ୍ତକ ପ୍ରମାଣିତ ହେଲା।

ମୁକୁନ୍ଦଦେବଙ୍କୁୂ 'ତେଲେଙ୍ଗା' ବୋଲି କୁହାଯାଏ। ରାଜପଦ ପ୍ରାପ୍ତି ପରେ ସେ ନିଜକୁ ଚାଲୁକ୍ୟ ବଂଶର ବୋଲି ଦାବି କରୁଥିଲେ। ସମ୍ଭବତଃ ସେ କ୍ଷତ୍ରିୟ ନଥିଲେ ଏବଂ ଉଚ୍ଚବଂଶର ବୋଲି ଦାବି କରି ସାମାଜିକ ପ୍ରତିଷ୍ଠା ଅର୍ଜନ କରିବାକୁ ପ୍ରୟାସ କରିଥିଲେ। ଗୋଦାବରୀ ଜିଲ୍ଲା ଦ୍ରାକ୍ଷାଶ୍ରମରେ ଥିବା ଭୀମେଶ୍ୱର ମନ୍ଦିରରୁ ମିଳିଥିବା ଏକ ଶିଳାଲେଖ ଅନୁଯାୟୀ ସେ ବିଶାଖାପାଟଣା ଜିଲ୍ଲାରୁ ଆସିଥିଲେ ଏବଂ ତାଙ୍କ ପିତାଙ୍କ ନାମ ଥିଲା ସରଭ ରାଜୁ ଏବଂ ଜେଜେଙ୍କ ନାମ ଥିଲା ସିଙ୍ଗ ରାଜୁ। ଗଜପତିଙ୍କ ସାମନ୍ତ ଭାବରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ଗୋବିନ୍ଦ ବିଦ୍ୟାଧରଙ୍କ ସମୟରେ

କଟକକୁ ବିଦ୍ରୋହୀ କବଳରୁ ରକ୍ଷା କରି ସେ ପ୍ରସିଦ୍ଧି ଅର୍ଜନ କରିଥିଲେ । ପରେ ଭୋଇ ରାଜାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେ ନିଜେ ସିଂହାସନ ଆରୋହଣ କରିଥିଲେ । ମୁକୁନ୍ଦଦେବ ଦୁର୍ବଳ ନଥିଲେ । ସିଂହାସନ ଆରୋହଣ କଲା ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରୁ ଓଡ଼ିଶାକୁ ଫେରାଇ ଆଣିବାକୁ ମଧ୍ୟ ସେ ଯଥୋଚିତ ଉଦ୍ୟମ କରିଥିଲେ । ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ହୁଗୁଳି ଜିଲ୍ଲାର ତ୍ରିବେଣୀଠାରେ ଗଙ୍ଗାନଦୀରେ ପାହାଚ ନିର୍ମାଣ କରିଥିଲେ, ଯାହା ମୁକୁନ୍ଦଘାଟ ନାମରେ ପରିଚିତ । ଗୌଡ଼ ରାଜାଙ୍କୁ ପରାଜିତ କରିବାଯୋଗୁଁ ସେ ଅନେକ ଧନରତ୍ନ ପ୍ରାପ୍ତ ହୋଇଥିଲେ । ଏହାର ନିଦର୍ଶନ ସ୍ୱରୂପ ସେ ବିବାହ ଉପରେ କରଛାଡ଼ ଘୋଷଣା କରିଥିଲେ । ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠାପାଇଁ ମଧ୍ୟ ସେ ଅନେକ ପଦକ୍ଷେପ ନେଇଥିଲେ । ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କେତେକ ବ୍ରାହ୍ମଣ ଶାସନ (ଯଥା: ଦାଣ୍ତମୁକୁନ୍ଦପୁର) ମଧ୍ୟ ପ୍ରତିଷ୍ଠା କରିଥିଲେ ।

ମୁକୁନ୍ଦଦେବଙ୍କପାଇଁ ବଡ଼ ସମସ୍ୟା ହେଲା ତତ୍‍କାଳୀନ ଭାରତର ରାଜନୀତି । ମୋଗଲ ସମ୍ରାଟ ଭାବରେ ଆକବର ନିଜର ସ୍ଥିତିକୁ ସୁଦୃଢ଼ କରିବା ପରେ ରାଜ୍ୟ ବିସ୍ତାରପାଇଁ ସେତେବେଳକୁ ପ୍ରସ୍ତୁତ ହେଉଥିଲେ । ହିମୁଙ୍କ ନେତୃତ୍ୱାଧୀନ ଆଫଗାନ ଶକ୍ତି ଦ୍ୱିତୀୟ ପାନିପଥ ଯୁଦ୍ଧରେ (୧୫୫୬) ମୋଗଲ ସେନା ହାତରେ ପରାଜିତ ହେବା ପରେ ଦେଶର କେତେକ ରାଜ୍ୟକୁ ବିସ୍ତାରିତ ହୋଇଯାଇଥିଲା । ଯଦିଓ ମୋଗଲ ଶକ୍ତିକୁ ପୁଣି ଥରେ ପରାସ୍ତ କରି ଆଫଗାନମାନେ ଦିଲ୍ଲୀ ପୁନରଧିକାର କରିବାକୁ ଅଭିଳାଷ ରଖିଥିଲେ, ସ୍ଥାନୀୟ ରାଜ୍ୟଗୁଡ଼ିକୁ କର୍ତ୍ତୃତ୍ୱରେ ରଖି ରାଜ୍ୟ ବିସ୍ତାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ସେହିଭଳି ଜଣେ ମହତ୍ତ୍ୱାକାଂକ୍ଷୀ ଆଫଗାନ ଶାସକ ଥିଲେ ବଙ୍ଗର ସୁଲେମାନ କର୍‍ରାନୀ । ଆକବର ଓ ସୁଲେମାନଙ୍କ ମଧ୍ୟରେ ରାଜ୍ୟବିସ୍ତାରଲାଗି ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା, ତା'ର ଶିକାର ହେଲା ଓଡ଼ିଶା । ସୁଲେମାନ ଓଡ଼ିଶା ଆକ୍ରମଣ କଲେ । ତାଙ୍କ ସେନାନାୟକ କଳାପାହାଡ଼ ମନ୍ଦିର ଲୁଣ୍ଠନ କରି ଓଡ଼ିଶାପାଇଁ ଖଳନାୟକ ସାଜିଥଲେ ମଧ୍ୟ ମୁସଲମାନଙ୍କପାଇଁ ଏକ ପ୍ରକାରର ଆଦର୍ଶ ପ୍ରତିଷ୍ଠା କରୁଥିଲେ । କାରଣ ମୂର୍ତ୍ତିପୂଜାର ବିଲୋପ କରିବା ତାଙ୍କପାଇଁ ଏକ ଧାର୍ମିକ କାର୍ଯ୍ୟ ଥିଲା । ଶେଷରେ ବଙ୍ଗର ଆଫଗାନ ଶକ୍ତି ସୁଲେମାନଙ୍କ ନେତୃତ୍ୱରେ ଓଡ଼ିଶାକୁ ପରାସ୍ତ କଲେ । ହେଲେ, ଉପସଂହାରରେ ମୋଗଲମାନଙ୍କ ଅଧୀନକୁ ଓଡ଼ିଶା ଆସିଲା । ଆଭ୍ୟନ୍ତରୀଣ ବିଦ୍ରୋହଯୋଗୁଁ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶକ୍ତି ଏବଂ ପରେ ମୋଗଲମାନଙ୍କର ପ୍ରତିରୋଧ କରି ପାରିଲେ ନାହିଁ । ତାଙ୍କ ପରାଜୟପାଇଁ ବହିରାକ୍ରମଣ ଯେତିକି ମାତ୍ରାରେ ଦାୟୀ ଥିଲା, ତତୋଽଧିକ ଦାୟୀ ଥିଲା ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ର, ବିଶ୍ୱାସଘାତକତା ଓ ହତ୍ୟା । ନିଜେ ମୁକୁନ୍ଦଦେବ ମଧ୍ୟ ଏହି ସବୁ ଉପାୟ ଅବଲମ୍ବନ କରି ରାଜପଦ ପ୍ରାପ୍ତ ହୋଇଥିଲେ । ଏହା ଥିଲା ତାଙ୍କ ସମୟର ରାଜନୈତିକ ପରମ୍ପରା । ରାଜାମାନେ ରାଜ୍ୟ ବିସ୍ତାରପାଇଁ ଦିଗ୍‍ବିଜୟକୁ ଏକ ପ୍ରଧାନ ମାଧ୍ୟମ ବୋଲି ମନେ କରୁଥିଲେ । ଠିକ୍‍ ସେହିଭଳି ଉଚ୍ଚ ରାଜାଧିକାରୀମାନେ ଏବଂ ରାଜ୍ୟପଦ ପାଇନଥିବା ଅସନ୍ତୁଷ୍ଟ ଅଧିକାରୀ ଓ ରାଜବଂଶଜମାନେ ହତ୍ୟା, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତାକୁ ମାଧ୍ୟମ କରି ରାଜପଦ ଲାଭ କରିବାକୁ ପ୍ରୟାସ କରୁଥିଲେ । ଏହାକୁ ଭୁଲ ବା ଠିକ୍‍ ବୋଲି ରାୟ ଦେବା ପରିବର୍ତ୍ତେ ଯୁକ୍ତିନିଷ୍ଠ ଭାବେ ବିଶ୍ଳେଷଣ କରିବା ଉଚିତ ହେବ । ୧୫୬୮ରେ କଳାପାହାଡର ଓଡ଼ିଶା ଆକ୍ରମଣ ସମ୍ବନ୍ଧରେ ଅନେକ କିମ୍ବଦନ୍ତୀ ରହିଛି । ମାଦଳାପାଞ୍ଜି ଅନୁସାରେ, କଳାପାହାଡ଼ ରାଜଧାନୀ କଟକ ଅଧିକାର କରିନେବା ଖବର ପାଇ ଜଗନ୍ନାଥ ମନ୍ଦିରର ସେବାୟତମାନେ ଦିଅଁଙ୍କ ପ୍ରତିମାକୁ ଚିଲିକାରେ ଲୁଚାଇ ରଖିଥିଲେ । ଏହା ଜାଣିପାରି କଳାପାହାଡ଼ ସେଠାରୁ ପ୍ରତିମାଙ୍କୁ ଆଣି ଗଙ୍ଗାନଦୀ କୂଳରେ ବଙ୍ଗରେ ଦାହ କଲା । ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଉକ୍ତ ପୋଡି ଯାଇଥିବା ସେହି ଦାରୁ ପ୍ରତିମାଙ୍କର ବ୍ରହ୍ମଙ୍କୁ ଏକ ମୃଦଙ୍ଗ ଭିତରେ ଆଣି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । କେତେକ ବିବରଣୀରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ କରିଥିବା କଥା ମଧ୍ୟ ଉଲ୍ଲେଖ ଅଛି । ମାତ୍ର ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅନୁସାରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ନିର୍ମିତ ଜଗନ୍ନାଥ ମନ୍ଦିର ଉପରେ ନୂତନ କରି ପୁଣି ଥରେ ମନ୍ଦିର ନିର୍ମାଣ ହୋଇଥିବାର କୌଣସି ପ୍ରମାଣ ନାହିଁ । କିମ୍ବଦନ୍ତୀ ଅନୁସାରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ ନ କରି କେବଳ ତହିଁରୁ ପ୍ରତିମାଙ୍କୁ ନେଇ ଯାଇଥିଲା । ସେହି ବିଗ୍ରହଙ୍କ ଦଗ୍ଧାବଶେଷ ଉଦ୍ଧାର କରାଯାଇ ପରବର୍ତ୍ତୀ କାଳରେ ନୂତନ ଭାବେ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ନିଜେ କଳାପାହାଡ଼ ଓଡ଼ିଶାର ଚାରିଆଡେ଼ ଯାଇ ମନ୍ଦିର ଧ୍ୱଂସ କରିଥିବା କଥାକୁ ମଧ୍ୟ ଏକ ଐତିହାସିକ ସତ୍ୟ ଭାବରେ ଗବେଷକମାନେ ସ୍ୱୀକାର କରି ପାରନ୍ତି ନାହିଁ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, କଳାପାହାଡ଼ ପ୍ରଥମେ ଜଣେ ହିନ୍ଦୁ ଥିଲା ଏବଂ ବଙ୍ଗ ସୁଲତାନଙ୍କ କନ୍ୟାକୁ ବିବାହ କରି ମୁସଲମାନ ହୋଇଥିଲା । ପୁରୀକୁ ଆସି ସେ ପୁଣି ହିନ୍ଦୁ ଧର୍ମରେ ଦୀକ୍ଷିତ ହେବାକୁ ଚାହିଁଥିଲା । ମାତ୍ର ଜଗନ୍ନାଥ ମନ୍ଦିରର ପୂଜକମାନେ ଏହାକୁ ବିରୋଧ କଲେ । ଏଥିରେ ପ୍ରତିହିଂସାପରାୟଣ ହୋଇ ସେ ମନ୍ଦିର ଧ୍ୱଂସ କରିବା ଆରମ୍ଭ କଲା । ମାତ୍ର ମୁସଲିମ ବିବରଣୀ ଅନୁଯାୟୀ, କଳାପାହାଡ଼ ଜଣେ ଆଫଗାନ ଥିଲା । ବଙ୍ଗର ଆଫଗାନ ସୁଲତାନ ସୁଲେମାନ କର୍‍ରାନୀଙ୍କ ଜଣେ ଅନୁଗତ ସେନାନାୟକ ଭାବରେ ସେ କେବଳ ତା' କର୍ତ୍ତବ୍ୟ ପାଳନ କରୁଥିଲା । ରାଜ୍ୟ ବିସ୍ତାର ଓ ଆଫଗାନ ଶକ୍ତିର ପୁନର୍ପ୍ରତିଷ୍ଠା ଯଦିଓ ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସୈନିକମାନଙ୍କ ମନରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରି ଏହି ଉଦ୍ଦେଶ୍ୟ ସାଧନ କରିବାକୁ ସୁଲତାନ ପ୍ରୟାସ କରୁଥିଲେ । ଏହି କାରଣରୁ ସେତେବେଳେ ମନ୍ଦିର ଧ୍ୱଂସ କରିବା ଏକ ଆବଶ୍ୟକତା ହୋଇ ପଡିଥିଲା । ଦ୍ୱିତୀୟତଃ, ମଧ୍ୟଯୁଗରେ ଶତ୍ରୁ ରାଜ୍ୟ ଉପରେ କର୍ତ୍ତୃତ୍ୱ ଜାହିର କରିବାନିମିତ୍ତ ଆକ୍ରମଣକାରୀମାନେ ରାଜପ୍ରାସାଦ ଓ ରାଜାନୁଦାନରେ ନିର୍ମିତ ମନ୍ଦିର ଲୁଣ୍ଠନ କରିବା ଉପରେ ଗୁରୁତ୍ୱ ଦେଉଥିଲେ । ଯେ କୌଣସି ରାଜ୍ୟରେ ରାଜପ୍ରସାଦ ତୁଳନାରେ ଯେହେତୁ ମନ୍ଦିରଗୁଡିକର ସଂଖ୍ୟା ଅଧିକ ଏବଂ ସେଗୁଡିକ କମ୍‍ ସୁରକ୍ଷିତ, ଆକ୍ରମଣ ମନ୍ଦିର ଉପରେ ହେବା ସ୍ୱାଭାବିକ । ରାଜ୍ୟବାସୀଙ୍କ ଦୃଷ୍ଟିରେ ପରାଜିତ ରାଜାଙ୍କ ପରାକ୍ରମକୁ କ୍ଷୁଣ୍ଣ କରିବାରେ ମଧ୍ୟ ଏହା ସହାୟକ ହେଉଥିଲା । ଗଜପତିଙ୍କ ସମୟର ପ୍ରାଶାସନିକ ବ୍ୟବସ୍ଥା

ଗଜପତି ବା ସୂର୍ଯ୍ୟବଂଶୀ ପ୍ରାଶାସନିକ ବ୍ୟବସ୍ଥାରେ କାର୍ଯ୍ୟତଃ ରାଜା ବା ଗଜପତି ରାଜ୍ୟର ସର୍ବେସର୍ବା ଥିଲେ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ତାଙ୍କୁ ମନେ କରାଯାଉଥିଲା । ବିଶ୍ୱାସ ଥିଲା ଯେ ତାଙ୍କର (ରାଜାଙ୍କର) ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କର ବିରୋଧୀ ହେବା ! ଅନେକ ଥର ପରମ୍ପରା ଓ ରୀତି ବହିର୍ଭୂତ ଆଚରଣ କରି ସୁଦ୍ଧା ରାଜା ଜନବିରୋଧକୁ ଏଡାଇ ଯାଉଥିଲେ,କାରଣ ଜଗନ୍ନାଥଙ୍କ ଆଦେଶରେ ପଦକ୍ଷେପଟି ନିଆଗଲା ବୋଲି ପ୍ରଚାର କରାଯାଉଥିଲା । ବ୍ରାହ୍ମଣମାନେ ଜଗନ୍ନାଥଙ୍କ ତଥାକଥିତ ବାଣୀକୁ ଆବଶ୍ୟକମତେ ବ୍ୟାଖ୍ୟା କରୁଥିଲେ । ତେଣୁ ବ୍ରାହ୍ମଣମାନଙ୍କ ସମର୍ଥନ ଲାଭ କରିବା ସକାଶେ ଗଜପତି ତଥା ଅନ୍ୟ ରାଜାମାନେ ବ୍ରାହ୍ମଣମାନଙ୍କୁ ଆଶାନୁରୂପ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ରାଜବଂଶଜ ନ ହେବା ସତ୍ତ୍ୱେ, ଗଙ୍ଗରାଜାଙ୍କୁ ବିତାଡ଼ିତ କରି କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ, ଜ୍ୟେଷ୍ଠ ପୁତ୍ର ନ ହେବା ସତ୍ତ୍ୱେ ପୁରୁଷୋତ୍ତମଦେବଙ୍କ ରାଜତ୍ୱପ୍ରାପ୍ତି ଆଦି ରୀତି ବହିର୍ଭୂତ କାର୍ଯ୍ୟ ଜଗନ୍ନାଥଙ୍କ ନାମରେ ନିଆଯାଇ ଥିବାରୁ ଗୃହୀତ ହୋଇଗଲା । ଅନ୍ୟ ଶବ୍ଦରେ କହିଲେ, ମଧ୍ୟ-ଯୁଗରେ, ରାଜା ଓ ବ୍ରାହ୍ମଣମାନଙ୍କ ମଧ୍ୟରେ ମେଣ୍ଟ ଥିଲା ରାଷ୍ଟ୍ରର ପ୍ରମୁଖ ଆଧାର ।

ଗଜପତିଙ୍କୁ ପ୍ରଶାସନରେ ସାହାଯ୍ୟ କରିବାପାଇଁ ବ୍ରାହ୍ମଣ ବା ପୁରୋହିତବର୍ଗଙ୍କ ବ୍ୟତୀତ ମନ୍ତ୍ରିପରିଷଦ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ରହିଥିଲେ । ସେମାନଙ୍କୁ 'ପାତ୍ର', 'ମହାପାତ୍ର', 'ବେହେରା-ମହାପାତ୍ର' ଓ 'ସାମନ୍ତ' କୁହାଯାଉଥିଲା । ଗଜପତି ସାମ୍ରାଜ୍ୟ 'ମହାରାଜ୍ୟ' ନାମରେ ପରିଚିତ ଥିଲା । ତାକୁ କେତେକ ଦଣ୍ତପାଟ ଓ ରାଜ୍ୟରେ ବିଭକ୍ତ କରାଯାଇଥିଲା । ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କୁ ରାଜା ବା ପରୀକ୍ଷ କୁହାଯାଉଥିଲା । ସାଧାରଣତଃ ରାଜପରିବାରର ବ୍ୟକ୍ତି ବା ରାଜକୁମାରଙ୍କୁ ରାଜ୍ୟର ପ୍ରାଶାସନିକ ଦାୟିତ୍ୱ ଦିଆଯାଉଥିଲା । ରାଜ୍ୟପାଳ ରାଜସ୍ୱର କିଛି ଅଂଶ ରଖି ବଳକା ଅଂଶକୁ ରାଜକୋଷରେ ଜମା କରୁଥିଲେ । କପିଳେନ୍ଦ୍ରଦେବଙ୍କ ସମୟରେ ମହାରାଜ୍ୟ ଖୁବ୍‍ ବିସ୍ତାର ଲାଭ କରିଥିଲା । ସାମନ୍ତ ରାଜାମାନେ ଗଜପତିଙ୍କୁ ବାର୍ଷିକ ଦେୟ ଓ ଯୁଦ୍ଧ ସମୟରେ ସୈନ୍ୟ ସହାୟତା ପ୍ରଦାନ କରୁଥିଲେ । ଆଭ୍ୟନ୍ତରୀଣ ଶାସନ ସେମାନଙ୍କ ଦାୟିତ୍ୱରେ ଚାଲିଥିଲା । ଗଜପତି ତହିଁରେ ହସ୍ତକ୍ଷେପ କରୁ ନଥିଲେ । ଅନେକ ସମୟରେ ଗଜପତିଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜକୁ ସ୍ୱାଧୀନ ଘୋଷଣା କରୁଥିଲେ ।

କେତେକ ସ୍ଥାନରେ ଗଜପତିଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ଥିବା ରାଜ୍ୟକୁ ଦଣ୍ତପାଟ ମଧ୍ୟ କୁହାଯାଇଛି । ତା'ର ପ୍ରାଶାସନିକ ମୁଖ୍ୟଙ୍କୁ ଦଣ୍ତପରୀକ୍ଷ ବା ଅଧ୍ୟକ୍ଷ ବୋଲି କୁହାଯାଉଥିଲା । ସେମାନଙ୍କୁ ଗଜପତି ନିଯୁକ୍ତି ଦେଉଥିଲେ । ଦଣ୍ତପାଟକୁ କେତୋଟି ବିଶିରେ ବିଭକ୍ତ କରାଯାଉଥିଲା ଏବଂ ତା'ର ଅଧିକାରୀଙ୍କୁ 'ବିଶୋୟୀ' କୁହାଯାଉଥିଲା । ସେହିଭଳି ଗ୍ରାମର ମୁଖ୍ୟ ଥିଲେ 'ଭୋଇ' । କାଳକ୍ରମେ ଏହି ଅଧିକାରୀମାନେ ବଂଶାନୁକ୍ରମିକ ଭାବେ ନିଜ ନିଜ ପଦବୀରେ ରହି ଉକ୍ତ ପଦବୀକୁ ବଂଶର ସାଙ୍ଗିଆ ଭାବରେ ବ୍ୟବହାର କରୁଥିଲେ । ରାଜପ୍ରଦତ୍ତ ଏହି 'ସାଙ୍ଗିଆ' ସେମାନଙ୍କୁ ସାମାଜିକ ପ୍ରତିଷ୍ଠା ଦେଲା ତଥା ଅସ୍ମିତା ପ୍ରଦାନ କରିବାରେ ସାହାଯ୍ୟ କଲା । ଗଜପତି ଶାସନର ଅବସାନ ପରେ ମଧ୍ୟ ସେମାନେ ଉକ୍ତ ସାଙ୍ଗିଆକୁ ବ୍ୟବହାର କଲେ । ସୂର୍ଯ୍ୟବଂଶକାଳୀନ କେତେକ ତଥ୍ୟରୁ ତତ୍‍କାଳୀନ ସାମରିକ ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଅନେକ ତଥ୍ୟ ଜାଣିବାକୁ ମିଳେ । ଗଙ୍ଗ ରାଜତ୍ୱରୁ ଉତ୍ତରାଧିକାରରେ ସୂର୍ଯ୍ୟବଂଶୀମାନଙ୍କୁ ଏକ ବିଶାଳ ସେନା ପ୍ରାପ୍ତ ହୋଇଥିଲା । ଏହାକୁ ସୁସଂଗଠିତ କରି ସେମାନେ ରାଜ୍ୟବିସ୍ତାର ଓ ଦିଗ୍‍ବିଜୟ ପାଇଁ ବ୍ୟବହାର କରୁଥିଲେ । ସେତେବେଳେ ରାଜ୍ୟର ପ୍ରତିଷ୍ଠା ମୁଖ୍ୟତଃ ସେନା ସଂଗଠନ ଉପରେ ନିର୍ଭର କରୁଥିଲା । ପଡ଼ୋଶୀ ରାଜ୍ୟ ଆକ୍ରମଣ କରି ସେନା ଧନରତ୍ନ ଆଣୁଥିଲେ, ଯାହାର ଲାଭ ରାଜ ଅନୁଦାନରେ ରହିଥିବା ଅନେକ ସାମାଜିକ ବର୍ଗକୁ ମିଳୁଥିଲା । ମନ୍ଦିର ନିର୍ମାଣ ଆଦି ବ୍ୟୟ ବହୁଳ କାର୍ଯ୍ୟର ପ୍ରତ୍ୟକ୍ଷ ଲାଭ କାରିଗର, ସ୍ଥପତି ଆଦି ସାମାଜିକବର୍ଗଙ୍କଠାରୁ ଆରମ୍ଭ କରି ପୁରୋହିତବର୍ଗକୁ ମଧ୍ୟ ମିଳୁଥିଲା । ସେନାର ସଫଳତା ଉପରେ ଅନେକାଂଶରେ ଏହା ନିର୍ଭର କରୁଥିଲା । ଯୁଦ୍ଧରେ ରାଜାଙ୍କ ପରାଜୟ, ରାଜବଂଶ ପତନର ମୁଖ୍ୟ କାରଣ ହେଉଥିଲା ।

ରାଜାଙ୍କର ଏକ ନିୟମିତ ସେନା ରହିଥିଲା । ମାତ୍ର ଯୁଦ୍ଧବେଳେ ସହଯୋଗପାଇଁ ସାମନ୍ତ ରାଜାମାନେ ମଧ୍ୟ ସୈନ୍ୟ ପ୍ରେରଣ କରୁଥିଲେ । ରାଜ୍ୟ ତଥା ସମାଜର ବିଭିନ୍ନ ସାମାଜିକବର୍ଗର ସମୃଦ୍ଧି ଯୁଦ୍ଧ ଜୟ ଉପରେ ନିର୍ଭର କରୁଥିବାରୁ ଲୋକଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ସବୁ ସ୍ତରରେ ପ୍ରେରଣା ଦିଆଯାଉଥିଲା । କପିଳେନ୍ଦ୍ର ଦେବଙ୍କ ସମୟରେ ଲିଖିତ ସାରଳା ଦାସଙ୍କ ମହାଭାରତରେ ରଣଭୂମିରେ ନିହତ ହେବା ଏକ ଗୌରବମୟ କାର୍ଯ୍ୟ ବୋଲି କୁହାଯାଇଛି । ଯୁଦ୍ଧରେ ଭାଗ ନେଇଥିବା ସୈନିକର ସାମାଜିକ ସମ୍ମାନ ବୃଦ୍ଧି ପାଉଥିଲା । ତେଣୁ ସାମୟିକ ଭାବେ ଯୋଗ ଦେଇଥିବା ଅନିୟମିତ ସୈନିକ ମଧ୍ୟ ଯୁଦ୍ଧ ପରେ ତାଙ୍କ ପଦବୀକୁ ନାଁର ସାଙ୍ଗିଆ ବା ସଂଜ୍ଞା ଭାବରେ ବ୍ୟବହାର କରୁଥିଲେ । ଅନେକ ଛୋଟଚାଷୀ, ରୟତ ଓ ତଥାକଥିତ 'ତଳ' ଜାତିର ଲୋକ ମଧ୍ୟ ଯୁଦ୍ଧରେ ଭାଗ ନେଉଥିଲେ ବୋଲି ସେମାନଙ୍କ ସାଙ୍ଗିଆରୁ ଜଣାପଡେ଼ । 'ସେନାପତି', 'ଚମ୍ପତି' (ଛାମୁପତି), 'ରାଉତରାୟ' (ପଦାତିକ ରାଉତ ସେନାର ଅଧିକାରୀ), 'ସାହାଣୀ' (ଗଜାରୋହୀ), 'ଦଣ୍ତପାଟ', 'ଦଣ୍ତସେନା', 'ପଶ୍ଚିମକବାଟ', 'ଉତ୍ତରକବାଟ', 'ମାନସିଂହ', 'ରାୟସିଂହ', 'ବଳୀୟାରସିଂହ', 'ପାହାଡ଼ସିଂହ', 'ସାମନ୍ତସିଂହାର', 'ବେହେରା', 'ନାୟକ', 'ଜେନା', 'ବଡ଼ଜେନା', 'ପ୍ରଧାନ', 'ଦଣ୍ତପାଣି', 'ଦଳବେହେରା', 'ଗଡ଼ନାୟକ' ଓ 'ଖୁଣ୍ଟିଆ' ଆଦି ଥିଲା ସେନାସମ୍ପର୍କିତ ପଦପଦବୀ । ଯୁଦ୍ଧରେ ଅଂଶଗ୍ରହଣ କରିଥିବାରୁ ଏହି ସଂଜ୍ଞାଧାରୀ ଲୋକ ଶାନ୍ତି ସମୟରେ ମଧ୍ୟ ନିଜ ନିଜ ସ୍ତରରେ ଏବଂ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ପ୍ରାଶାସନିକ ଦାୟିତ୍ୱ ପାଇ ପାରୁଥିଲେ । ସେନାରେ ଧନୁ, ତ୍ରୋଣ, ଶର, ଅସି, ଜଠି, ଗୁରୁଜ, ଶାବେଳି ଆଦି ପାରମ୍ପରିକ ଅସ୍ତ୍ରର ବ୍ୟବହାର ହେଉଥିଲା । ସୈନିକ ଓ ସେନାନାୟକଙ୍କୁ ବାଦଦେଲେ, ସେନାରେ ଧ୍ୱଜାଧାରୀ, ବାଦ୍ୟକାର ଆଦି ମଧ୍ୟ ରହୁଥିଲେ । ସାରଳା ଦାସଙ୍କ ମହାଭାରତରେ ଏ ସବୁର ଉଲ୍ଲେଖ ରହିଛି । ଯଦିଓ ସାରଳା ଦାସ କପିଳେନ୍ଦ୍ର ଦେବଙ୍କର କୌଣସି ଯୁଦ୍ଧ କଥା ବର୍ଣ୍ଣନା କରି ନାହାନ୍ତି, ତାଙ୍କ କୃତିରେ ମହାଭାରତ ଯୁଦ୍ଧର ବର୍ଣ୍ଣନା ରହିଛି । ସେଥିରେ ସମକାଳୀନ ସୈନିକ ଚାଳନା ଓ ସାମରିକ ବ୍ୟବସ୍ଥାର ପ୍ରତିଫଳନ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ । ଗଜପତିଙ୍କ ସେନା ବାହନୀରେ ପଦାତିକ ସୈନ୍ୟଙ୍କର ସଂଖ୍ୟା ଅଧିକ ଥିଲା ବୋଲି ପର୍ତ୍ତୁଗୀଜ ବ୍ୟାଖ୍ୟାକାର ନ୍ୟୁନିଜ ଉଲ୍ଲେଖ କରିଛନ୍ତି । କପିଳେନ୍ଦ୍ରଦେବଙ୍କ ଗଜବାହିନୀ ଶତ୍ରୁମାନଙ୍କପାଇଁ ଭୟର କାରଣ ହେଉଥିଲା ବୋଲି ଅନେକ ସମକାଳୀନ ବିବରଣୀରେ ଉଲ୍ଲେଖ ରହିଛି । ନ୍ୟୁନିଜଙ୍କ ଅନୁଯାୟୀ, କୃଷ୍ଣଦେବ ରାୟଙ୍କ ସହ ଯୁଦ୍ଧ କଲାବେଳେ ଗଜପତି ସେନାରେ ୧୩୦୦ ହସ୍ତୀ ଥିଲେ । ଜଗନ୍ନାଥଙ୍କ ନାମରେ ଗଜପତି ଯୁଦ୍ଧ କରୁଥିବାରୁ ସାମନ୍ତ ରାଜାମାନେ ଯଥୋଚିତ ସୈନ୍ୟ ସହାୟତା କରିବାରେ ହେଳା କରୁନଥିଲେ । ହସ୍ତୀବାହିନୀ ମଧ୍ୟ ବିଶେଷ କରି ସାମନ୍ତ ରାଜାମାନଙ୍କର ଦାନ ହୋଇଥିବା ବଡ଼ କଥା ନୁହେଁ । ଜଗନ୍ନାଥଙ୍କ ନାମରେ ଗଜପତି ଓଡ଼ିଶାର ସମସ୍ତ ରାଜାଙ୍କୁ ଏକଜୁଟ୍‍ କରିପାରିଥିଲେ । ଦ୍ୱିତୀୟତଃ, ଜଗନ୍ନାଥଙ୍କଯୋଗୁଁ ସେ ରାଜାମାନଙ୍କ ମଧ୍ୟରେ ସର୍ବମାନ୍ୟ ହେବାର ସାମର୍ଥ୍ୟ ରଖୁଥିଲେ । ଏହା ତାଙ୍କୁ ବିଶାଳ ସେନା ଚାଳନା କରିବାରେ ସାହାଯ୍ୟ କରୁଥିଲା । ତାହା ବ୍ୟତୀତ ଓଡ଼ିଶାର ରାଜାମାନଙ୍କ ମଧ୍ୟରେ ଅନ୍ତରୀଣ ବିବାଦର ସମାଧାନ ବେଳେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ଏହା ତାଙ୍କର ପଦମର୍ଯ୍ୟାଦାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଥିଲା । ସେ ଥିଲେ ବସ୍ତୁତଃ ପ୍ରାକୃତିକ ଓଡ଼ିଶାର ସମ୍ରାଟ ।

ଗଜପତି ପ୍ରାଶାସନିକ ଓ ସାମରିକ ବ୍ୟବସ୍ଥାରେ ଦୁର୍ଗଗୁଡ଼ିକର ଅନେକ ପ୍ରାଧାନ୍ୟ ଥିଲା । ଗଙ୍ଗରାଜତ୍ୱ ସମୟରେ ଅନେକ ଦୁର୍ଗ ନିର୍ମିତ ହୋଇଥିଲା, ଯାହାକୁ ଉତ୍ତରାଧିକାର ସୂତ୍ରରେ ଗଜପତି ଉପଯୋଗ କରୁଥିଲେ । ରାଜ୍ୟ ଜୟବେଳେ ମଧ୍ୟ ଅନେକ ନୂଆ ଦୁର୍ଗ ଗଜପତିଙ୍କ କର୍ତ୍ତୃତ୍ୱକୁ ଆସିଥିଲା । ଏହା ବ୍ୟତୀତ ଗଜପତି ଅନେକ ନୂଆ ଦୁର୍ଗ ନିର୍ମାଣ କରିଥିଲେ । ଦୁର୍ଗରେ ସୈନ୍ୟ ଛାଉଣି ପଡୁଥିଲା; ସ୍ଥାନୀୟ ପ୍ରାଶାସନିକ କେନ୍ଦ୍ର ରୂପେ ତାହା କାର୍ଯ୍ୟ କରୁଥିଲା । ରାଜାଙ୍କ କୋଠଘର ଓ ରାଜସ୍ୱ କେନ୍ଦ୍ର ଭାବରେ ମଧ୍ୟ ଦୁର୍ଗଗୁଡ଼ିକର ବ୍ୟବହାର ହେଉଥିଲା । କେତୋଟି ପ୍ରମୁଖ ଦୁର୍ଗ ମଧ୍ୟରେ ରହିଥିଲା: ମନ୍ଦାରନଦୁର୍ଗ (ହୁଗୁଳି ଜିଲ୍ଲାର ଭିତରଗଡ଼), ଦାମୋଦର ନଦୀ କୂଳସ୍ଥିତ କୋଟାସିନ ଦୁର୍ଗ, ବାଲେଶ୍ୱର ଜିଲ୍ଲାସ୍ଥିତ ଦେଉଳଗଡ଼ ଓ ରାୟବଣିଆ ଦୁର୍ଗ, ଯାଜପୁର କଟକ(ଦୁର୍ଗ), ଛତିଆ ନିକଟସ୍ଥ ଅମରାବତୀ କଟକ, ଚୌଦ୍ୱାର କଟକ, ବାରାଣସୀ କଟକ (ଆଧୁିକ କଟକ ସହର) ଏବଂ ବାରଙ୍ଗ ନିକଟସ୍ଥ ଚୂଡଙ୍ଗ କଟକ । ଏହି ସବୁ ବଡ଼ ଦୁର୍ଗ ବ୍ୟତୀତ ହୁମା, ଖିମିଡି, ଚିକିଟି, ପାଲୁର, ଖଲିକୋଟ ଓ ଆଠଗଡରେ ସାନ ସାନ ଦୁର୍ଗମାନ ରହିଥିଲା । ଦକ୍ଷିଣ ବିଜୟ ପରେ ପ୍ରାପ୍ତ ହୋଇଥିବା ଦେବରକୋଣ୍ତା ଦୁର୍ଗ (ନାଲଗୋଣ୍ତା ଜିଲ୍ଲା), ଓ୍ୱାରଂଗଲ ଦୁର୍ଗ, ନେଲୋର ଜିଲ୍ଲାସ୍ଥିତ ଉଦୟଗିରି ଦୁର୍ଗ ଓ ଗୁଣ୍ଟୁର ନିକଟସ୍ଥ କୋଣ୍ତାବିଡୁ ଦୁର୍ଗକୁ ମଧ୍ୟ ଗଜପତି ରାଜାଙ୍କ ସାମନ୍ତମାନେ ବ୍ୟବହାର କରୁଥିଲେ । ଦୁର୍ଗ ଯେହେତୁ ପ୍ରାଶାସନିକ ଓ ସାମରିକ କ୍ଷମତାର କେନ୍ଦ୍ର ଥିଲା, ତାର ଅଧିକାରପାଇଁ ଯୁଦ୍ଧ ବେଳେ ଶତ୍ରୁରାଜା ଉଦ୍ୟମ କରୁଥିଲେ । ଦୁର୍ଗ ଉପରେ ନିୟନ୍ତ୍ରଣ ଥିବା ଯାଏ ଉକ୍ତ କ୍ଷେତ୍ରରେ ରାଜଶକ୍ତି ପରାଜିତ ହୋଇନଥିବା ସୁସ୍ପଷ୍ଟ ହେଉଥିଲା । ଦିଗ୍‍ବିଜୟବେଳେ ଗଜପତି ସେନା ଶତ୍ରୁ ରାଜ୍ୟର ଦୁର୍ଗଗୁଡିକୁ ଧ୍ୱଂସ ନକରି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ଏହା ଗଜପତି ରାଜାଙ୍କ ଦୂରଦୃଷ୍ଟିକୁ ଇଙ୍ଗିତ କରେ ।

...