ଓଡ଼ିଶା ଇତିହାସ/ମଧ୍ୟଯୁଗୀୟ ଓଡ଼ିଶାରେ ସାଂସ୍କୃତିକ ବିକାଶ

ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ମଧ୍ୟଯୁଗୀୟ ଓଡ଼ିଶାରେ ସାଂସ୍କୃତିକ ବିକାଶ

ମଧ୍ୟଯୁଗୀୟ ଓଡ଼ିଶାରେ
ସାଂସ୍କୃତିକ ବିକାଶ

ମଧ୍ୟଯୁଗୀୟ ଓଡ଼ିଶାରେ ଭାଷା-ସାହିତ୍ୟ, ସ୍ଥାପତ୍ୟ, କାରିଗରି, ଧର୍ମ, ସଂସ୍କୃତି ଆଦି କ୍ଷେତ୍ରରେ ନାନା ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ପରିବର୍ତ୍ତନକୁ ଆମେ ସାଂସ୍କୃତିକ ବିକାଶ ନାମରେ ନାମିତ କରିପାରିବା । ସୋମବଂଶୀ ରାଜତ୍ୱ କାଳରେ ଏହି ସାଂସ୍କୃତିକ ବିକାଶର ଆରମ୍ଭ ହୋଇ ପ୍ରଥମେ ଗଙ୍ଗବଂଶ ଓ ପରେ ଗଜପତି ଶାସନ ସମୟରେ ତା'ର ଧାରା ବ୍ୟାପକ ହେଲା । ରାଜନୀତିକ ଦୃଷ୍ଟିରୁ ଅନେକ କ୍ଷୁଦ୍ର ରାଜ୍ୟର ସମଷ୍ଟି ହୋଇଥିବା ସତ୍ତ୍ୱେ ଓଡ଼ିଶା, କଳିଙ୍ଗ ବା ଉତ୍କଳ ନାମରେ ଏକ ବିଶାଳ ରାଜ୍ୟର ଉତ୍‍ଥାନ ଏହି ସମୟରେ ଦେଖିବାକୁ ମିଳିଥିଲା । ରାଜନୈତିକ ଏକତା ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଏକତାକୁ ଜନ୍ମଦେଲା ବୋଲି କହିବା ଯଦିଓ ଅତ୍ୟୁକ୍ତି ହେବ, ତଥାପି ପରସ୍ପର ପ୍ରତି ଉଭୟ ଅନୁପୂରକ ହେଲେ ବୋଲି କହିବା ଅସମୀଚୀନ ହେବ ନାହିଁ । ଆଧୁନିକ ଜାତୀୟତାଭାବର ଏକ ପୂର୍ବ ଅବସ୍ଥା ବୋଲି ମଧ୍ୟ ତାହାକୁ କହିହେବ ।

ଭାଷା ଓ ସାହିତ୍ୟ

ସପ୍ତମ ଶତାବ୍ଦୀରୁ ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ସଂସ୍କୃତ ଭାଷା ଓ ସାହିତ୍ୟର ଖୁବ୍‍ ପ୍ରଭାବ ରହିଥିଲା । ସାଧାରଣ ଲୋକ ଯଦିଓ ସଂସ୍କୃତକୁ ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ରୂପେ ବ୍ୟବହାର କରୁ ନଥିଲେ, ବୌଦ୍ଧିକ ବର୍ଗରେ ଏହାର ଖୁବ୍‍ ଆଦର ରହିଥିଲା । ଲୋକେ ସଂସ୍କୃତକୁ ହିଁ ଶିକ୍ଷା ବୋଲି ବୁଝୁଥିଲେ । ଭୌମ ତାମ୍ରଶାସନରେ ରହିଥିବା ପ୍ରଶସ୍ତିରେ ଉଚ୍ଚମାନର ସଂସ୍କୃତ ଶ୍ଳୋକମାନ ଦେଖିବାକୁ ମିଳେ । ତହିଁରେ ରହିଥିବା ଦ୍ୱିଅର୍ଥବୋଧକ ଶବ୍ଦଗୁଡ଼ିକର ପ୍ରୟୋଗକୁ ଦେଖିଲେ ମନେହୁଏ, ଲେଖକ ନିଶ୍ଚିତ ରୂପେ ସଂସ୍କୃତରେ ଖୁବ୍‍ ଧୁରୀଣ ଥିଲେ । ଭୌମରାଣୀ ଧର୍ମ ମହାଦେବୀ ପ୍ରଦତ୍ତ ତଲତଲି ତାମ୍ରଶାସନର ସମ୍ପାଦନା କରି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତହିଁରେ ବ୍ୟବହୃତ ଅନେକ ଶବ୍ଦର ଏକାଧିକ ଅର୍ଥ ରହିଥିବା କଥା କହିଛନ୍ତି । ଗଙ୍ଗ ଓ ଗଜପତି ଶାସନ କାଳରେ ଦିଆଯାଇଥିବା ତାମ୍ର ଶାସନରେ ମଧ୍ୟ ଉଚ୍ଚକୋଟୀର ସଂସ୍କୃତ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ । ଅନୁଶାସନ ଓ ତାମ୍ରଶାସନ ବ୍ୟତୀତ ପ୍ରାଚୀନ କାଳରୁ ଅନେକ ସାହିତ୍ୟିକ ରଚନା ମଧ୍ୟ ସଂସ୍କୃତରେ ଓଡ଼ିଶାକୁ ଭିତ୍ତି କରି ଲେଖାଯାଇଛି । ଐତିହାସିକ ଶରତଚନ୍ଦ୍ର ବେହେରାଙ୍କ ମତରେ ପଞ୍ଚମ-ଷଷ୍ଠ ଶତାବ୍ଦୀରେ ଲିଖିତ ଏବଂ ପରବର୍ତ୍ତୀ ସମୟରେ ବହୁଳ ଭାବେ ପ୍ରସାରିତ ପଞ୍ଚତନ୍ତ୍ରର ଲେଖକ ବିଷ୍ଣୁଶର୍ମାଙ୍କ ରଚନାର ପଟ୍ଟଭୂମି ଥିଲା କଳିଙ୍ଗ । ସମୁଦ୍ର ଉପକୂଳରେ ସ୍ଥାପିତ ଏହି ରାଜ୍ୟ ଉତ୍କୃଷ୍ଟ ମାନର ହସ୍ତୀପାଇଁ ପ୍ରସିଦ୍ଧ ଥିଲା, ଯାହା ପଞ୍ଚତନ୍ତ୍ରର ଅନେକ ଗଳ୍ପର ଭିତ୍ତିଭୂମି ସୃଷ୍ଟି କରେ ।

ସୋମବଂଶୀ ରାଜତ୍ୱର ଶେଷ ଭାଗରେ ଅର୍ଥାତ୍‍ ଏକାଦଶ ଶତାବ୍ଦୀରେ ସତାନନ୍ଦ ନାମରେ ଜଣେ ପଣ୍ତିତ ସଂସ୍କୃତରେ ଅନେକ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ରଚନା ସୃଷ୍ଟି କରିଥିବାର ଦୃଷ୍ଟାନ୍ତ ରହିଛି । ସେ ପୁରୁଷୋତ୍ତମ ବା ପୁରୀ ନିବାସୀ ଥିଲେ ଏବଂ 'ସ୍ମୃତି'ର ଲେଖକ ଭାବରେ ଖ୍ୟାତ । ସେହିଭଳି ମୁରାରି ମିଶ୍ର ସଂସ୍କୃତରେ 'ଅନର୍ଘ ରାଘବ ନାଟକମ୍‍' ନାମରେ ଏକ ନାଟକ ଲେଖିଥିଲେ, ଯାହା ଜଗନ୍ନାଥ ପ୍ରତିମା ସମ୍ମୁଖରେ ପର୍ବପର୍ବାଣିରେ ମଞ୍ଚସ୍ଥ ହେଉଥିଲା । ମୁରାରି ମିଶ୍ର ନବମ ଶତାବ୍ଦୀର ମଧ୍ୟ ଭାଗରେ ଏହି ନାଟକ ଲେଖିଥିଲେ ବୋଲି କୁହାଯାଏ ।

ଦ୍ୱାଦଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି ହେଲେ ଜୟଦେବ, ଯିଏ 'ଗୀତଗୋବିନ୍ଦ' ରଚନା କରିଥିଲେ । ଗୀତ ଗୋବିନ୍ଦ ଯଦିଓ ଏକ ବୃହତ୍‍ କାବ୍ୟ ନୁହେଁ, ସାଂଗୀତିକତାପାଇଁ ଏହା ଲୋକସ୍ତରକୁ ପ୍ରସାରିତ ହୋଇ ଆସିଛି । ପୁରୀ ଜଗନ୍ନାଥ ମନ୍ଦିରରେ ଏହାର ଗାୟନ ଓ ପ୍ରଦର୍ଶନ ବହୁ ଦିନରୁ ଚଳି ଆସିଛି । ସେତେବେଳେ ଯେହେତୁ ମୁଦ୍ରଣର ବ୍ୟବସ୍ଥା ନଥିଲା, ପୋଥିଗୁଡିକୁ ତାଳପତ୍ରରେ ଲିପିକାରମାନେ ସୁନ୍ଦର ହସ୍ତାକ୍ଷରରେ ନକଲ କରୁଥିଲେ । କାବ୍ୟର ଲୋକପ୍ରିୟତା ତା'ର ନକଲର କିସମରୁ ଜଣାପଡେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗୀତଗୋବିନ୍ଦର ଅନ୍ୟୂନ ଶହେଟି ନକଲ (କପି) ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିଛି, ଯାହା ତା'ର ଲୋକପ୍ରିୟତାକୁ ସୁସ୍ପଷ୍ଟ କରେ । ଗୀତଗୋବିନ୍ଦରେ ରାଧା ଓ କୃଷ୍ଣଙ୍କର ପ୍ରେମ ବନ୍ଧନକୁ ଏକ ବୈପ୍ଳବିକ ଭାବଦେଇ ଅଭିବ୍ୟକ୍ତ କରାଯାଇଛି । କବି ଜୟଦେବ ପ୍ରେମରେ ରହିଥିବା ଦୈହିକ ଆବେଗକୁ ଉନ୍ମୁକ୍ତ କରି ଭାବ ରାଜ୍ୟରେ ଏକ ବିପ୍ଳବ ଆଣିଛନ୍ତି ।

ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ଅନେକ ବିବାଦ ରହିଛି । କାରଣ କବି ନିଜ ଜନ୍ମସ୍ଥାନ କଥା ସ୍ପଷ୍ଟ ଭାବରେ କାବ୍ୟରେ କେଉଁଠି ଉଲ୍ଲେଖ କରି ନାହାନ୍ତି । ବଙ୍ଗ, ଓଡ଼ିଶା ଓ ମିଥିଳା କ୍ଷେତ୍ରର ଗବେଷକମାନେ ପ୍ରତ୍ୟେକ ତାଙ୍କୁ ନିଜର ବୋଲି ଦାବି କରିଥାନ୍ତି । ଯେଉଁମାନେ ଜୟଦେବ ବଙ୍ଗରେ ଜନ୍ମିତ ବୋଲି କହନ୍ତି, ସେମାନଙ୍କ ଅନୁସାରେ ଗୀତଗୋବିନ୍ଦରେ ଉଲ୍ଲିଖିତ 'ଉମାପତିଧର', 'ସାରଣ', 'ଗୋବର୍ଦ୍ଧନ' ଏବଂ 'ଧୋୟୀ' ବଙ୍ଗରାଜା ଲକ୍ଷ୍ମଣ ସେନ୍‍ଙ୍କ ସମକାଳୀନ ସଭା ପଣ୍ତିତ ଥିଲେ । ତେଣୁ, ଜୟଦେବ ସେହି କ୍ଷେତ୍ରର ହୋଇଥିବେ । 'ଜୟଦେବ ଚରିତ' ନାମରେ ବଙ୍ଗଳାରେ ଏକ କାବ୍ୟ ମିଳିଛି । ତାହାକୁ ଆଧାର କରି ମଧ୍ୟ ଜୟଦେବ ବଙ୍ଗଳାର ବୋଲି ଯୁକ୍ତି କରାଯାଏ । ଜୟଦେବ ତାଙ୍କ ଜନ୍ମମାଟିର ନାମ 'କେନ୍ଦୁବିଲ୍ୱ' ବୋଲି କହିଛନ୍ତି । ଏହି ଗ୍ରାମ ତେନ୍ଦୁଲି ନାମରେ ବୀରଭୂମ ଜିଲ୍ଲାରେ ରହିଥିବା କୁହାଯାଏ । ଅନେକ ଗବେଷକ ଜୟଦେବ ଓଡ଼ିଶାର ବୋଲି କହିଥାନ୍ତି । ତାଙ୍କ ଜନ୍ମ ଭୁବନେଶ୍ୱର ନିକଟସ୍ଥ 'କେନ୍ଦୁଲି' ଗ୍ରାମ ବୋଲି ଦାବି କରାଯାଏ । ସେହି ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାରକୀ ଓ ସ୍ମୃତିସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି । ମାତ୍ର କେତେକ ଐତିହାସିକ ଭୁବନେଶ୍ୱର ନିକଟସ୍ଥ ଏହି କେନ୍ଦୁଲି ଗ୍ରାମର ପ୍ରାଚୀନତାକୁ ନେଇ ସନ୍ଦେହ ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ସାହିତ୍ୟିକ ପରମ୍ପରାରେ କବିଙ୍କୁ ଓଡ଼ିଶାର ବୋଲି ଦୃଢ଼ ଭାବରେ ପ୍ରତିପାଦନ କରାଯାଏ । ସେ ଯାହାହେଉ, ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ବୌଦ୍ଧିକ ବିବାଦକୁ ଦେଖିଲେ ମନେହୁଏ ଯେ, ଏକ କାବ୍ୟ ଓ ତା'ର କାବ୍ୟକାର ସମାଜ ନିମନ୍ତେ ମନ୍ଦିର-ମସ୍‍ଜିଦ ବା ମିନାର-ବିହାର ଭଳି ସାଂସ୍କୃତିକ ବିଭବ ହେବାର ସାମର୍ଥ୍ୟ ରଖନ୍ତି । ଏହା କାବ୍ୟର ମହତ୍ତ୍ୱକୁ ହିଁ ଦର୍ଶାଏ ।

ଜୟଦେବଙ୍କ ବ୍ୟତୀତ ମଧ୍ୟଯୁଗର ଅନ୍ୟ ଯେଉଁ କେତେଜଣ ସଂସ୍କୃତ କାବ୍ୟକାରଙ୍କ ନାମ ଆଲୋଚନାକୁ ଆସେ, ତନ୍ମଧ୍ୟରେ ଅଛନ୍ତି : 'ଏକାବଳୀ'ର ଲେଖକ ବିଦ୍ୟାଧର, 'ସ୍ମୃତି'ର ଲେଖକ ଶ୍ରୀଧର ଆଚାର୍ଯ୍ୟ ତଥା ନୀଳାମ୍ବର ଆଚାର୍ଯ୍ୟ ଓ ଶଙ୍ଖଧର । ବିଦ୍ୟାଧରଙ୍କୁ ଗଙ୍ଗରାଜ ପ୍ରଥମ ନରସିଂହ ଦେବଙ୍କ ସଭାକବି ବୋଲି ଅନୁମାନ କରାଯାଏ । ଏକାବଳୀରେ ସେ ନରସିଂହଦେବଙ୍କର ଯବନ ସେନା ସହିତ ହୋଇଥିବା ଯୁଦ୍ଧର ଉଲ୍ଲେଖ କରିଛନ୍ତି । ଶ୍ରୀଧର, ନୀଳାମ୍ବର ଓ ଶଙ୍ଖଧରଙ୍କୁ ଦ୍ୱାଦଶ ଶତାବ୍ଦୀର କାବ୍ୟକାର ବୋଲି ମନେ କରାଯାଏ, ଯଦିଓ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ସେମାନେ ପରବର୍ତ୍ତୀକାଳୀନ କାବ୍ୟକାର । ଶ୍ରୀଧର ଘୁମୁସର ଭଞ୍ଜ ରାଜସଭାର ପଣ୍ତିତ ଥିଲେ । ଗଙ୍ଗ ରାଜା ଦ୍ୱିତୀୟ ନରସିଂହ ଦେବଙ୍କ ସମକାଳୀନ ଶମ୍ଭୁକାର ବାଜପେୟୀ ଥିଲେ ମଧ୍ୟକାଳର ଆଉ ଜଣେ ମହତ୍ତ୍ୱପୂର୍ଣ୍ଣ କାବ୍ୟକାର । ସେ ପୁରୀ ଜିଲ୍ଲା ଦାଣ୍ତମୁକୁନ୍ଦପୁରର ନିବାସୀ ଥିଲେ । ପ୍ରସିଦ୍ଧ 'ସାହିତ୍ୟ ଦର୍ପଣ'ର ରଚୟିତା କବି ବିଶ୍ୱନାଥ ଗଙ୍ଗରାଜା ଚତୁର୍ଥ ଭାନୁଦେବଙ୍କ ସମକାଳୀନ ଥିଲେ ବୋଲି ଅନୁମାନ କରାଯାଏ । ଅର୍ଥାତ୍‍ ସେ ପଞ୍ଚଦଶ ଶତାବ୍ଦୀର ସ୍ରଷ୍ଟା । ସଂସ୍କୃତ ବ୍ୟତୀତ ପ୍ରାକୃତ ଭାଷାରେ ସେ 'କୁବଳୟା ଚରିିତ କାବ୍ୟ' ରଚନା କରିଥିଲେ ।

ସୂର୍ଯ୍ୟବଂଶର ତିିନିଜଣ ଯାକ ଶାସକ କପିଳେନ୍ଦ୍ରଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କୁ କାବ୍ୟ-ରଚୟିତା ଭାବରେ ଦର୍ଶାଯାଇଛି । 'ପର୍ଶୁରାମ ବିଜୟ' (କପିଳେନ୍ଦ୍ରଦେବ), ଅଭିନବ ଗୀତଗୋବିନ୍ଦ , 'ଅଭିନବ ବେଣୀ ସଂହାର' ଓ ମୁକ୍ତି ଚିନ୍ତାମଣି (ପୁରୁଷୋତ୍ତମଦେବ) ଏବଂ 'ସରସ୍ୱତୀ ବିଳାସମ୍‍' (ପ୍ରତାପରୁଦ୍ରଦେବ)ଆଦି କାବ୍ୟର ରଚନା ଗଜପତିମାନେ କରିଥିଲେ ବୋଲି ଉଲ୍ଲେଖ କରାଯାଇଛି । ଏହି କାବ୍ୟଗୁଡିକୁ ନିଜେ ଗଜପତି ରଚନା କରିଥିଲେ କି ନାହିଁ, ସେ ନେଇ ଏ ଯାଏ ସନ୍ଦେହ ଦୂରୀଭୂତ ହୋଇନାହିଁ । ମାତ୍ର ଏଥିରୁ ପ୍ରମାଣିତ ହୁଏ ଯେ, ଗଜପତିମାନେ ମଧ୍ୟ କାବ୍ୟକାରର ପରିଚୟ ଖୋଜିଛନ୍ତି, ଯାହା ମଧ୍ୟକାଳୀନ ସମାଜର ସାଂସ୍କୃତିକ ବିକାଶକୁ ଇଙ୍ଗିତ କରେ ।

ମଧ୍ୟକାଳୀନ ଓଡ଼ିଶାରେ ସଂସ୍କୃତ ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ମଧ୍ୟ ବିକାଶ ଦେଖିବାକୁ ମିଳିଥାଏ । ଏକ ଲିଖିତ ଭାଷା ଭାବରେ ଓଡ଼ିଆର ଆରମ୍ଭ କେବେ ହୋଇଥିଲା, ତାହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର । ସମ୍ଭବତଃ ସଂସ୍କୃତର ଅପଭ୍ରଂଶ ପ୍ରାଚ୍ୟ-ପ୍ରାକୃତ ଓ ସଂସ୍କୃତର ପ୍ରଚଳନ ପ୍ରାଚୀନ କାଳରୁ ଓଡ଼ିଶାରେ ରହିଆସିଥିଲା । ଭଦ୍ରକରୁ ପ୍ରାପ୍ତ ତୃତୀୟ ଶତାବ୍ଦୀର ଏକ ଶିଳାଲିପିରୁ ଜଣାଯାଏ ଯେ, ସେତେବେଳେ ରାଜଭାଷା ରୂପେ ପ୍ରାକୃତର ପ୍ରଚଳନ ଥିଲା । ମାତ୍ର ତହିଁରେ କେତକ ସ୍ଥାନୀୟ ଶବ୍ଦ ମଧ୍ୟ ରହିଥଲା । ଏହି କାରଣରୁ ତତ୍‍କାଳୀନ ରାଜଭାଷାକୁ ପ୍ରାଚ୍ୟ-ପ୍ରାକୃତ ବୋଲି କୁହାଯାଏ । ସପ୍ତମ ଶତାବ୍ଦୀରୁ ଶୈଳୋଦ୍ଭବ, ଭୌମ ଏବଂ ସୋମବଂଶୀ ରାଜତ୍ୱ ସମୟରେ ପ୍ରାଚ୍ୟ-ପ୍ରାକୃତ ସ୍ଥାନରେ ରାଜଭାଷା ରୂପେ ସଂସ୍କୃତର ପ୍ରଚଳନ ଚାଲିଲା । ଏହା ସହିତ ଅନ୍ତତଃ ବୌଦ୍ଧିକ ଓ ପ୍ରାଶାସନିକ ସ୍ତରରେ ଏକ ଭାଷାଭିତ୍ତିକ କେନ୍ଦ୍ରୀକରଣ ଦେଖିବାକୁ ମିଳିଲା । ରାଜଭାଷା ସଂସ୍କୃତ ହେବାରୁ ବ୍ରାହ୍ମଣ୍ୟ ଧର୍ମର ମଧ୍ୟ ସମାଜରେ କର୍ତ୍ତୃତ୍ୱ ବୃଦ୍ଧି ପାଇଲା ।

ସପ୍ତମ ଶତାବ୍ଦୀରେ ଓଡ଼ିଶା ଭ୍ରମଣରେ ଆସିଥିବା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ତାଙ୍କ ବିବରଣୀରେ କହିଛନ୍ତି ଯେ ଓଡ୍ର ଓ କଙ୍ଗୋଦ (ଗଞ୍ଜାମ-ପୁରୀ କ୍ଷେତ୍ର) ଲୋକେ ଉତ୍ତର-ଭାରତୀୟଙ୍କ ଠାରୁ ଭିନ୍ନ ଏକ ଭାଷା କହନ୍ତି । ଯଦିଓ ହୁଏନ୍‍ସାଂ ଉତ୍ତର-ଭାରତ ଓ ଓଡ଼ିଶା ମଧ୍ୟରେ ରହିଥିବା ଉଭୟ ଭାଷାକୁ ବିଶେଷ ଅଧ୍ୟୟନ କରିନାହାନ୍ତି, ତାଙ୍କଠାରୁ ମିଳିଥିବା ତଥ୍ୟ ଭିତ୍ତିରେ କୁହାଯିବ ଯେ ସପ୍ତମ ଶତାବ୍ଦୀରେ ଓଡ଼ିଶାରେ କଥିତ ଭାଷା ତା'ର ସ୍ୱାତନ୍ତ୍ର୍ୟ ରଖିଥିଲା । ହୁଏତ ସେତେବେଳକୁ ଲିଖିତ ଓଡ଼ିଆ ଏକ ପ୍ରାରମ୍ଭିକ ସ୍ତରରେ ରହିଥିଲା । ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ପ୍ରଥମ ଯଯାତି କୋଶଳ, ଉତ୍କଳ ଓ କଙ୍ଗୋଦକୁ ଏକଶାସନାଧୀନ କଲେ । ରାଜନୀତିକ ପରିବର୍ତ୍ତନ ଓଡ଼ିଶାରେ ଏକ ସାଧାରଣ ଭାଷାର କ୍ରମବିକାଶକୁ ସହଯୋଗ କଲା । ମାତ୍ର ଓଡ଼ିଆ ଭାଷାର କ୍ରମବିକାଶର ଧାରାକୁ ଦର୍ଶାଇବା ଲାଗି ଆମ ପାଖରେ ତତ୍‍କାଳୀନ ଓଡ଼ିଆ ଲିପି ନାହିଁ । ଦ୍ୱିତୀୟତଃ, ଯଦିଓ ଓଡ଼ିଆକୁ ପ୍ରାକୃତିକ ଓଡ଼ିଶାର ଅଧିବାସୀଙ୍କ ସାଧାରଣ ଭାଷା ବୋଲି କୁହାଯାଉଛି, ତହିଁରେ ମଧ୍ୟ ଆଞ୍ଚଳିକ ସ୍ୱତନ୍ତ୍ରତାମାନ ଯଥେଷ୍ଟ ମାତ୍ରାରେ ରହିଛି । ଉଦାହରଣ ସ୍ୱରୂପ, ପଶ୍ଚିମ ଓଡ଼ିଶା ବା ତତ୍କାଳୀନ କୋଶଳ ଅଞ୍ଚଳରେ କଥିତ ଭାଷା ସହିତ ଉପକୂଳରେ କଥିତ ଓଡ଼ିଆ ଭାଷାର ଯେପରିି ସାମଞ୍ଜସ୍ୟ ଅଛି, ଉତ୍ତର-ଭାରତର ଭୋଜପୁରୀ ଓ ପ୍ରାକୃତ ଆଦି ସହ ସେହିପରିି ସାମଞ୍ଜସ୍ୟ ଅଛି । ସେହିଭଳି ଓଡ଼ିଆର ଉଭୟ ସ୍ୱରୂପ ମଧ୍ୟରେ ପାର୍ଥକ୍ୟ ମଧ୍ୟ ରହିଛି । ଏହି ଆଧାରରେ ଆଧୁନିକ ସମୟରେ ପଶ୍ଚିମ-ଓଡ଼ିଶାରେ ପ୍ରଚଳିତ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ବୋଲି କୁହାଯାଏ ।

ଗଙ୍ଗରାଜତ୍ୱ ସମୟର କେତେକ ଶିଳାଲିପି ଓ ତାମ୍ରଶାସନରେ ତାମିଲ ଓ ତେଲୁଗୁ ଲିପିରେ ଓଡ଼ିଆ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ଏଥିରୁ ମନେହୁଏ, ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ରାଜନଥିପତ୍ରରେ ସଂସ୍କୃତ ସହିତ ଆଞ୍ଚଳିକ ଭାଷାଗୁଡ଼ିକର ମଧ୍ୟ ବ୍ୟବହାର ଆରମ୍ଭ ହେଲା । ଦ୍ୱିତୀୟତଃ, ଏହି ସମୟ ପର୍ଯ୍ୟନ୍ତ ହୁଏତ ଓଡ଼ିଆ ଲିପିର ପ୍ରଚଳନ ନଥିଲା, ଅଥବା ତାକୁ ପ୍ରାଶାସନିକ ଓ ବୌଦ୍ଧିକ ସ୍ୱୀକୃତି ମିଳିନଥିଲା । କେବଳ କଥିତ ଭାଷା ଭାବରେ ତାହା ରହିଥିଲା ଏବଂ ତା'ର ସାହିତ୍ୟ ମଧ୍ୟ କଥିତ ରୂପରେ ରହିଯାଇଥିଲା ।

ପଞ୍ଚଦଶ ଶତାବ୍ଦୀର ଆରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ବିକାଶ ହେଲା । ସାରଳା ଦାସଙ୍କ ମହାଭାରତକୁ ଏହି ବିକାଶର ଆରମ୍ଭ ଭାବରେ ନିଆଯାଏ । 'ସାରଳା ମହାଭାରତ'ର 'ଆଦି ପର୍ବ'ରେ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରାଯାଇଛି ଏବଂ କପିଳେଶ୍ୱରଙ୍କୁ ତାଙ୍କର ପ୍ରଥମ ଦାସ ବୋଲି ଉଲ୍ଲେଖ କରାଯାଇଛି । ଗବେଷକମାନଙ୍କ ମତରେ କପିଳେଶ୍ୱର ତତ୍‍କାଳୀନ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ । ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରୁ ବିଭିନ୍ନ ରାଜନୈତିକ ଓ ସାମାଜିକ କାରଣରୁ ଜଗନ୍ନାଥଙ୍କୁ ଓଡ଼ିଶାର ସର୍ବମାନ୍ୟ ରାଜା ଭାବରେ ସମ୍ମାନ ଦେବାର ଯେଉଁ ପରମ୍ପରା ଆରମ୍ଭ ହୋଇଥିଲା, କବି ସାରଳା ଦାସ ତାହାକୁ ଏକ ସାହିତ୍ୟିକ ପ୍ରତିଷ୍ଠା ଦେଲେ ବୋଲି ବୁଝିବାକୁ ହେବ । ଜଗନ୍ନାଥଙ୍କ ପ୍ରତିିନିଧି ଭାବରେ ଏହା ଗଜପତି ରାଜାଙ୍କୁ ସାମାଜିକ ଓ ଲୌକିକ ପ୍ରତିଷ୍ଠା ଦେଲା । ଏହି ଆଧାରରେ କୁହାଯାଏ ଯେ, ସାରଳା ଦାସ ଓ ତାଙ୍କ ମହାଭାରତ କପିଳେନ୍ଦ୍ରଦେବଙ୍କ ସମକାଳୀନ । ଓଡ଼ିଆ ମହାକାବ୍ୟ 'ମହାଭାରତ' ରଚନା କରି ସାରଳା ଦାସ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ । ସାରଳା ଦାସ ମହାଭାରତ ବ୍ୟତୀତ 'ବିଲଙ୍କା ରାମାୟଣ' ଓ 'ଚଣ୍ତୀପୁରାଣ' ମଧ୍ୟ ରଚନା କରିଥିଲେ । ଓଡ଼ିଆ ମହାଭାରତର ମୂଳ ସଂସ୍କୃତ ମହାଭାରତ ହେଲେ ହେଁ ଏଥିରେ ବହୁ ସ୍ୱାତନ୍ତ୍ର୍ୟ ରହିଛି । ଚଣ୍ତୀପୁରାଣରେ ପୁରାଣବର୍ଣ୍ଣିିତ ଦୁର୍ଗା ଓ ମହିଷାସୁର ଯୁଦ୍ଧ ଉପାଖ୍ୟାନ ଅଛି ଏବଂ ବିଲଙ୍କା ରାମାୟଣରେ ରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧର ଅବତାରଣା ରହିଛି । ମହାଭାରତ ପରି ସାରଳା ଦାସଙ୍କ ଅନ୍ୟ ରଚନାଗୁଡ଼ିକ ମଧ୍ୟ ମହାକାବ୍ୟ ଆଧାରିତ ହେଲେ ହେଁ ତହିଁରେ ଅନେକ ଆଞ୍ଚଳିକ ପ୍ରବାଦ, ଗଳ୍ପ, ଢ଼ଗ ଓ ତତ୍ତ୍ୱ ରହିଛି । ତାହା ଫଳରେ କେବଳ ଲିପି ଦୃଷ୍ଟିରୁ ନୁହେଁ, ଭାଷା ଓ ସାହିତ୍ୟ ଦୃଷ୍ଟିରୁ ମଧ୍ୟ ତାଙ୍କ ରଚନାର ସ୍ୱତନ୍ତ୍ରତା ରହିଛି ।

ସାରଳା ଦାସଙ୍କର ଜନ୍ମତିଥି ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ହୋଇପାରିନାହିଁ । ପଞ୍ଚଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ନିର୍ଦ୍ଦିଷ୍ଟ କେଉଁ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ, ତାହା ଆଜି ଯାଏ ସ୍ପଷ୍ଟ ନୁହେଁ । କେତେକ ଗବେଷକଙ୍କ ମତରେ ସାରଳା ଦାସ ଚତୁର୍ଦ୍ଦଶ ଶତାବ୍ଦୀର ସ୍ରଷ୍ଟା । ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର ନିକଟସ୍ଥ କନକପୁର ଗ୍ରାମ ବୋଲି କୁହାଯାଏ । ଗ୍ରାମୀଣ ସମାଜରେ ଜନ୍ମିତ ଓ ପରିପାଳିତ ହୋଇଥିବାରୁ ତାଙ୍କ ରଚନାରେ ଗ୍ରାମୀଣ ସମାଜର ଅତି ନିଖୁଣ ଚିତ୍ର ରହିଛି । ସମ୍ଭବତଃ ସେ ଏକ ସାଧାରଣ ପରିବାରରେ ଜନ୍ମିଥିଲେ ଏବଂ ତତ୍‍କାଳୀନ ଶିକ୍ଷା ଓ ଅଧ୍ୟୟନର ପରିଧି ବାହାରେ ସ୍ୱାଧ୍ୟାୟ ବଳରେ ସଂସ୍କୃତ କାବ୍ୟ, ପୁରାଣ କଥା ଜାଣିଥିଲେ ଏବଂ ତାକୁ ଲୋକସ୍ତରରେ ପ୍ରସାରିତ କରିଥିଲେ । ନିଜର ମହାନ କବି ପ୍ରତିଭାକୁ ସେ ନିଜସ୍ୱ ବୋଲି କେଉଁଠି କହିନାହାନ୍ତି; ବରଂ ଦେବୀ ସାରଳାଙ୍କ ଆଶିଷରୁ ପ୍ରାପ୍ତ ବୋଲି ନମ୍ର ଭାବରେ ଉଲ୍ଲେଖ କରିଛନ୍ତି । ତତ୍‍କାଳୀନ ସାମାଜିକ ବ୍ୟବସ୍ଥାରେ ଯେତେବେଳେ ବ୍ରାହ୍ମଣ ଓ ଅନ୍ୟ ଉଚ୍ଚ ଜାତିର ପଣ୍ତିତମାନଙ୍କର ଧର୍ମ, ପୁରାଣ, ଶିକ୍ଷା, ରଚନା ଆଦି କ୍ଷେତ୍ରରେ କର୍ତ୍ତୃତ୍ୱ ଥିଲା, ସେତେବେଳେ ନିଜ ରଚନା ଓ ବିଚାରକୁ ଲୋକସ୍ୱୀକୃତ ତଥା ଲୋକମାନ୍ୟ କରିବାଲାଗି ସମ୍ଭବତଃ ସେ ଦେବୀ ସାରଳାଙ୍କ ପରି ଏକ ଅଲୌକିକ ଶକ୍ତିର ଉଦ୍ଧରଣ କରିଥିଲେ । ଅନ୍ୟଥା ତାଙ୍କ କୃତିକୁ ସାମାଜିକ ସ୍ୱୀକୃତି ମିଳିବା ହୁଏତ କଷ୍ଟକର ହୋଇଥାନ୍ତା । ସାରଳା ଦାସଙ୍କୁ ଶୂଦ୍ରମୁନି ବୋଲି କୁହାଯାଏ । ସମ୍ଭବତଃ ସେ ଶୂଦ୍ର କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ତା'ଠାରୁ ବଡ଼ କଥା ହେଲା ସଂସ୍କୃତ ଭାଷା ଓ ସାହିତ୍ୟ ତଥା ବ୍ରାହ୍ମଣ୍ୟ କର୍ତ୍ତୃତ୍ୱ ବାହାରେ ସେ ଏକ ଆଞ୍ଚଳିକ ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରା ସୃଷ୍ଟି କରିଥିଲେ । ଏହା ଓଡ଼ିଶାର ସାଂସ୍କୃତିକ ପରିବେଶରେ ଏକ ନୀରବ ବିପ୍ଳବ ସୃଷ୍ଟି କଲା । ତାହା ଫଳରେ କ୍ରମଶଃ ଆଞ୍ଚଳିକ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଭାବ ପ୍ରବଳରୁ ପ୍ରବଳତର ହେଲା । ଓଡ଼ିଶାରେ ଲିଖିତ ବତ୍ସା ଦାସଙ୍କ 'କଳସା ଚଉତିଶା' ଓ ମାର୍କଣ୍ତ ଦାସଙ୍କ 'କେଶବ କୋଇଲି'କୁ ମହାଭାରତର ପୂର୍ବକାଳୀନ ରଚନା ବୋଲି କେତେକ ଗବେଷକ କହନ୍ତି । ଏହି ଦାବି ଯଦି ସତ୍ୟ, ତେବେ ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା ବୋଲି କୁହାଯାଇ ପାରିବ । ଆକାର ଦୃଷ୍ଟିରୁ ଉଭୟ ରଚନା ମହାଭାରତ ତୁଳନାରେ ଅତ୍ୟନ୍ତ କ୍ଷୁଦ୍ର । ଅଠର ଖଣ୍ତରେ ଲିଖିତ ମହାକାବ୍ୟ ମହାଭାରତ ତୁଳନାରେ ସେଗୁଡିକର ପ୍ରସାର ଓ ପ୍ରଭାବ ମଧ୍ୟ କମ୍‍ । ସାରଳା ଦାସଙ୍କ ସମୟରେ ଯଦି ଉକ୍ତ କାବ୍ୟ ଦୁଇଟିର ବହୁଳ ପ୍ରସାର ଥାଆନ୍ତା, ତାହାର ପ୍ରଭାବ ସାରଳା ଦାସଙ୍କ ସର୍ଜନାରେ ମଧ୍ୟ ଦେଖିବାକୁ ମିଳିଥାନ୍ତା । ଏହି ଆଧାରରେ କୁହାଯାଇପାରେ ଯେ, ବତ୍ସା ଦାସ ଓ ମାର୍କଣ୍ତ ଦାସଙ୍କ କୃତି, ହୁଏତ ପ୍ରାକ୍‍-ମହାଭାରତକାଳୀନ ନୁହେଁ । ହୁଏତ 'ମହାଭାରତ' ସାଙ୍ଗରେ ଏକ ସମାନ୍ତରାଳ ଆଞ୍ଚଳିକ ସାହିତ୍ୟିକ ପରମ୍ପରା ଭାବରେ ମଧ୍ୟ ଉକ୍ତ କୃତିର ପ୍ରସାର ହୋଇଥାଇପାରେ ।

କେତେକ ଗବେଷକ ଦ୍ୱାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧ ପୂର୍ବରୁ ଓଡ଼ିଆ ସାହିତ୍ୟର ଉତ୍ପତ୍ତି ହୋଇଥିଲା ବୋଲି ଯୁକ୍ତି ବାଢ଼ନ୍ତି । ସେମାନଙ୍କ ମତରେ, କେବଳ ଓଡ଼ିଶା କାହିଁକି; ବଙ୍ଗ, ମିଥିଳା, ଆସାମ, ମଗଧ ଓ ଭୋଜପୁର ଅଞ୍ଚଳରେ ବୌଦ୍ଧଗାନ, ଦୋହା ଓ ଚର୍ଯ୍ୟାପଦ ରୂପରେ ଆଞ୍ଚଳିକ ସାହିତ୍ୟ ଏକ ସ୍ୱରୂପ ନେବା ଆରମ୍ଭ କରିଥିଲା । ମୁସଲମାନ ଆକ୍ରମଣଯୋଗୁଁ ଅନେକ ବୌଦ୍ଧବିହାର ଧ୍ୱଂସ ପାଇଲା ଏବଂ ବୌଦ୍ଧସନ୍ନ୍ୟାସୀ ନିହତ ହେଲେ । ପରିଣାମ ସ୍ୱରୂପ, ପ୍ରାରମ୍ଭିକକାଳୀନ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରା ମଧ୍ୟ ଲୋପ ପାଇଲା । ତତ୍‍କାଳୀନ କେତେକ ପୋଥି ନେପାଳ ଓ ତିବ୍ବତରେ ଉପଲବ୍ଧ ବୋଲି ଗବେଷକମାନେ କହନ୍ତି ।

ସମ୍ଭବତଃ, ଏହି ଯୁକ୍ତି ଆଞ୍ଚଳିକ ଭାଷାର ପ୍ରାଚୀନତା ଦର୍ଶାଇବାଲାଗି ଉଦ୍ଦିଷ୍ଟ ଏବଂ ବିଶେଷ ଆଧାରଯୁକ୍ତ ନୁହେଁ । କାରଣ କୌଣସି ବାହ୍ୟ ଆକ୍ରମଣ ଏକ ଲୋକ ସାହିତ୍ୟର ଧାରାକୁ କଦାଚିତ୍‍ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ନପାରେ । ଆକ୍ରମଣଯୋଗୁଁ ଏକା ସାଙ୍ଗରେ ସମସ୍ତ ପୋଥି ନଷ୍ଟ ହେବା ମଧ୍ୟ ସମ୍ଭବ ନୁହେଁ । ଦ୍ୱିତୀୟତଃ, ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତର ସୃଷ୍ଟି ପୂର୍ବରୁ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରାର ଅନ୍ୟାନ୍ୟ ରୂପରେ ଆଭାସମାନ ମିଳିବା କଥା, ଯାହା ଆଜି ପର୍ଯ୍ୟନ୍ତ ମିଳିନାହିଁ । କେବଳ ବାହ୍ୟିକ ଆକ୍ରମଣର ପରିଣାମ ସ୍ୱରୂପ ଲୋକକଥାରେ ସଂପନ୍ନ ଏକ ସୃଷ୍ଟିଶୀଳ ସାହିତ୍ୟିକ ପରମ୍ପରା, ଦୀର୍ଘ ନୀରବତା ଅବଲମ୍ବ କରି ନପାରେ । ଏହି କାରଣରୁ, ସାରଳା ଦାସଙ୍କ 'ମହାଭାରତ' ଓ ପଞ୍ଚଦଶ ଶତାବ୍ଦୀକୁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଆଦି ପର୍ବ ଭାବରେ ଗ୍ରହଣ କରାଯାଇପାରେ ।

ସାରଳା ଦାସ ଯେଉଁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ପରମ୍ପରା ଆରମ୍ଭ କଲେ, ତାହା ପରବର୍ତ୍ତୀ କାଳରେ ଅଧିକରୁ ଅଧିକ ବିକାଶ ଲାଭ କଲା । ସାରଳା ଦାସଙ୍କ ପରମ୍ପରାରୁ ଅନ୍ୟ କବିମାନେ ପ୍ରେରଣା ନେଲେ । ସାରଳା ଦାସ ତାଙ୍କ ସାହିତ୍ୟ ରଚନା ସାମାଜିକ ହିତ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଛନ୍ତି । ନିଜକୁ ଜଗନ୍ନାଥଙ୍କର 'ଦାସ' ଓ ଅଧମ, ଅଜ୍ଞାନ ବୋଲି ମଧ୍ୟ ବାରମ୍ବାର କହିଛନ୍ତି । ଯେଉଁ ସୂତ୍ରରେ ଗଜପତିରାଜାଙ୍କ ବଦଳରେ ଜଗନ୍ନାଥ ଓଡ଼ିଶାର ରାଜନୈତିକ ସତ୍ତାର ସର୍ବୋଚ୍ଚ ଅଧିକାରୀ, ସେହି ସୂତ୍ରରେ ସାରଳା ଦାସଙ୍କ କୃତି, ଜଗନ୍ନାଥଙ୍କ ପରି ଏକ ଅଲୌକିକ ଶକ୍ତିର କୃତି । ଏହି ଧାରା, ସାରଳା ଦାସଙ୍କୁ ପ୍ରେରଣାର ସ୍ରୋତ ଭାବରେ ଗ୍ରହଣ କରି ଗଢ଼ି ଉଠିଥିବା 'ପଞ୍ଚସଖା' ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ । ସାରଳା ଦାସଙ୍କ ପରେ ମଧ୍ୟ ମଧ୍ୟ-ଯୁଗୀୟ କବିମାନେ ନିଜକୁ ଜଗନ୍ନାଥଙ୍କ 'ଦାସ' ଘୋଷଣା କରି ନାମ ଶେଷରେ ତାହାକୁ (ଦାସ) ସାଙ୍ଗିଆ ଭାବରେ ଗ୍ରହଣ କଲେ । ସେମାନେ ସାହିତ୍ୟ ରଚନାକୁ ସାମାଜିକ ହିତ ସକାଶେ ବୋଲି ମନେକଲେ ଏବଂ ସାହିତ୍ୟ କୃତିପାଇଁ ଗର୍ବ, ଅହଂକାର ପରିବର୍ତ୍ତେ ନିଜକୁ ଅଜ୍ଞାନ, ଅବୋଧ ବୋଲି ଦର୍ଶାଇଲେ, ଯାହା ସେମାନଙ୍କର ନମ୍ରତାକୁ ଇଙ୍ଗିତ କଲା । ସାରଳା ଦାସଙ୍କ ପରେ 'ପଞ୍ଚସଖା' ନାମରେ ଖ୍ୟାତ ଯେଉଁ ପାଞ୍ଚଜଣ କବି ଓଡ଼ିଶାର ସାଂସ୍କୃତିକ ବିକାଶକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ । ଷୋଡଶ ଓ ଆଦ୍ୟ ସପ୍ତଦଶ ଶତାବ୍ଦୀର ସାମାଜିକ ଓ ଧର୍ମୀୟ ଆନ୍ଦୋଳନରେ ସେମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସେମାନେ ସମସ୍ତେ ସେ କାଳର ବୌଦ୍ଧିକ ଭାଷା ସଂସ୍କୃତ ବଦଳରେ ଓଡ଼ିଆରେ କାବ୍ୟ କବିତା ରଚନା କରିଥିଲେ । ଯଦିଓ 'ପଞ୍ଚସଖା' ପୌରାଣିକ ପ୍ରସଙ୍ଗ ବାହାରେ ସାମାଜିକ ବିଷୟବସ୍ତୁକୁ ସାହିତ୍ୟ ରଚନାବେଳେ ନେଇ ପାରିନଥିଲେ; ତଥାପି ଜାତିପ୍ରଥା, ବ୍ରାହ୍ମଣ୍ୟବାଦ, ଅସ୍ପୃଶ୍ୟତା, ଲିଙ୍ଗଭେଦ ଆଦି ସାମାଜିକ ସମସ୍ୟା ବିରୁଦ୍ଧରେ ନିଜର ସ୍ପଷ୍ଟ ମତ ରଖିଥିଲେ । ଏକ ସଦ୍‍ଭାବପୂର୍ଣ୍ଣ ସମାଜ ଗଠନ କରିବାର ପ୍ରୟାସରେ ସେମାନେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସମାନ ବୋଲି କହିଥିଲେ । ପୁଣି, ଈଶ୍ୱରଙ୍କୁ ହୃଦୟଙ୍ଗମ କରିବାଲାଗି ଶୁଦ୍ଧ ଭକ୍ତିକୁ ମହତ୍ତ୍ୱ ଦେଇ ସେମାନେ ଭକ୍ତ ଓ ଈଶ୍ୱରଙ୍କ ମଧ୍ୟରେ ଏକ ସିଧା ସମ୍ବନ୍ଧ ସ୍ଥାପନ କଲେ । ଏହା ଈଶ୍ୱର ଓ ଧର୍ମଗ୍ରନ୍ଥଗୁଡ଼ିକୁ ବାଖ୍ୟା କରି ନିଜବର୍ଗର ହିତ ସାଧନ କରୁଥିବା ସାମାଜିକ ଗୋଷ୍ଠୀର (ଯଥା: ପୂଜକ, ପଣ୍ତିତ ଆଦି) ପ୍ରତିଷ୍ଠାକୁ ଊଣା କଲା । ଜ୍ଞାନ ଓ କର୍ମ ପରି ଭକ୍ତିକୁ ଉପାସନାର ଏକ ପ୍ରମୁଖ ମାଧ୍ୟମ ରୂପେ ପ୍ରତିଷ୍ଠା ଦେଉଥିବାରୁ 'ପଞ୍ଚସଖା'ଙ୍କୁ ଭକ୍ତି ଆନ୍ଦୋଳନର ପ୍ରବକ୍ତା ଭାବରେ ଓଡିଶାରେ ଗ୍ରହଣ କରାଯାଏ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସେମାନଙ୍କ ରଚନାରେ ପ୍ରତିବାଦର ସ୍ୱର ରହିଥିବାରୁ, ସେମାନଙ୍କ ସମୟକୁ ଏକ ସାମାଜିକ ଆନ୍ଦୋଳନ ରୂପରେ ମଧ୍ୟ ଦେଖାଯାଏ । ସାମାଜିକ ଋଢ଼ିବାଦର କର୍ତ୍ତୃତ୍ୱ ବୃଦ୍ଧି ପାଇ ନଥିଲେ 'ପଞ୍ଚସଖା'ଙ୍କର କାବ୍ୟ କବିତା ଓ ବିଚାର ଯେ ବ୍ୟାପକ ପ୍ରସାର ଲାଭ କରିନଥାନ୍ତା- ଏହା ସହଜରେ ଅନୁମାନ କରିହୁଏ ।

ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଥିଲେ ବଳରାମ ଦାସ । ତାଙ୍କର ଜନ୍ମ ୧୪୮୪ରେ ପୁରୀରେ । ପିତା ସୋମନାଥ ମହାପାତ୍ର ଓ ମାତା ମନମାୟା । ବଳରାମଙ୍କ ପିତା ଶୂଦ୍ର ଜାତିର ହେବା ସତ୍ତ୍ୱେ ଗଜପତିଙ୍କ ମନ୍ତ୍ରିପରିଷଦର ସଦସ୍ୟ ଥିଲେ । ବଳରାମ ମଧ୍ୟ ଇଚ୍ଛା କରିଥିଲେ ଉଚ୍ଚ ରାଜପଦବୀ ପାଇ ପାରିଥାନ୍ତେ । ମାତ୍ର ବୈଷ୍ଣବ ଆନ୍ଦୋଳନର ପ୍ରଭାବରେ ସେ ସନ୍ନ୍ୟାସୀ ହେଲେ ଏବଂ ସରଳ ଓଡ଼ିଆରେ 'ଦାଣ୍ତି ରାମାୟଣ', 'ମୃଗୁଣୀ ସ୍ତୁତି', 'ବେଦାନ୍ତସାର ଗୁପ୍ତଗୀତା' ଓ 'ଭାବସମୁଦ୍ର' ଆଦି କାବ୍ୟ-କବିତା ରଚନା କଲେ । ସେ ବୈଷ୍ଣବ ହେବା ଓ ଓଡ଼ିଆରେ ଲେଖିବା ଘଟଣାରୁ ତାଙ୍କ ଭିତରେ ସାମାଜିକ ପ୍ରତିବାଦର ସ୍ୱରକୁ ଦେଖିହୁଏ । ତାଙ୍କ 'ରାମାୟଣ'କୁ ସେ 'ଜଗମୋହନ ରାମାୟଣ' ଆଖ୍ୟା ଦେଇଥିଲେ, ଯାହାର ଅର୍ଥ ହେଲା ବିଶ୍ୱହିତରେ ଜଗମୋହନ (ଜଗନ୍ନାଥ) ହେଲେ ଏହି ମହାକାବ୍ୟର ରଚୟିତା । ଲୋକମୁଖରେ ଏହାକୁ 'ଦାଣ୍ତି ରାମାୟଣ' ବୋଲି କୁହାଯାଏ । 'ଲକ୍ଷ୍ମୀପୁରାଣ' ତାଙ୍କର ଅନ୍ୟ ଏକ ରଚନା । ସେ ସଂସ୍କୃତ ଭାଷାରେ ମଧ୍ୟ ଜ୍ଞାନ ଅର୍ଜନ କରିଥିଲେ । ସଂସ୍କୃତ ସାହିତ୍ୟରେ ଜ୍ଞାନ ଥିବା ସତ୍ତ୍ୱେ ସେ ଓଡ଼ିଆରେ ଲେଖି ତଥା ରାଜଦରବାରରେ ଉଚ୍ଚପଦବୀ ପାଇବାର ଲୋଭରୁ ନିବୃତ୍ତ ହୋଇ ବୈଷ୍ଣବ ସନ୍ନ୍ୟାସୀ ଭାବରେ ଭକ୍ତି ଆନ୍ଦୋଳନକୁ ଏକ ଦୃଢ଼ ଭିତ୍ତି ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହୋଇନାହିଁ । ଜଗନ୍ନାଥ ଦାସ ଥିଲେ ପଞ୍ଚସଖାଙ୍କ ମଧ୍ୟରେ ଏକ ମାତ୍ର ବ୍ରାହ୍ମଣ । ସେ ସରଳ ସହଜ ଓଡ଼ିଆରେ, ନବାକ୍ଷରୀ ଛନ୍ଦରେ 'ଭାଗବତ' ରଚନା କରିଥିଲେ । ସଂସ୍କୃତ ପରିବର୍ତ୍ତେ ଓଡ଼ିଆରେ ଏହା ଲିଖିତ ହୋଇଥିବାରୁ ମନ୍ଦିର ଭିତରକୁ ଭାଗବତର ପ୍ରବେଶ ନଥିଲା; ମନ୍ଦିର ପରମ୍ପରାରେ ଏହାର ସ୍ୱୀକୃତି ନଥିଲା । ମାତ୍ର ଓଡ଼ିଶାର ପୁରପଲ୍ଲୀରେ ଏହାର ପ୍ରସାର ଏତେ ବ୍ୟାପକ ଯେ, ମନ୍ଦିର ବାହାରେ ତା'ର ପଠନପାଇଁ ଗ୍ରାମଗୁଡ଼ିକରେ ଭାଗବତ ଘର ବା ଟୁଙ୍ଗୀ ସ୍ଥାପନା ହେଲା । ଭାଗବତର ଲୋକପ୍ରିୟତାର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା, ଏହାର ଅନେକ ପଦ ଲୋକ ମୁଖରେ ନୀତିବାଣୀ ରୂପେ ଉଚ୍ଚାରିତ ହୁଏ । ସଂସ୍କୃତରେ ଲିଖିତ 'ଶ୍ରୀମଦ୍‍ଭାଗବତ'ର ଆଧାରରେ ଏହା ଲିଖିତ ହେଲେ ସୁଦ୍ଧା ଓଡ଼ିଆ ଭାଷା ଓ ଭାବକୁ ଅଭିବ୍ୟକ୍ତ କରିବାରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ପୁସ୍ତକ ଏହା ସହିତ ତୁଳନୀୟ ହୋଇ ନପାରନ୍ତି । ଏଥିରେ କୃଷ୍ଣଚରିତର ବର୍ଣ୍ଣନା ରହିଛି ସତ; ମାତ୍ର ଅନେକ ସ୍ଥାନରେ ଜଗନ୍ନାଥଙ୍କୁ ହିଁ କବି କୃଷ୍ଣ ବୋଲି କହିଛନ୍ତି ।

'ଭାଗବତ' ବ୍ୟତୀତ ଜଗନ୍ନାଥ ଦାସଙ୍କର ଅନ୍ୟ କେତୋଟି ରଚନା ହେଲା, 'ବ୍ରହ୍ମଗୀତା', 'ଗଜନିସ୍ତାରଣ', 'ଦୂତିବୋଧ', 'ଗୁଣ୍ତିଚା ବିଜେ' ଓ 'ଅର୍ଥକୋଇଲି' ।

ଜଗନ୍ନାଥଦାସ ପୁରୀନିକଟସ୍ଥ କପିଳେଶ୍ୱର ଶାସନରେ ୧୪୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭଗବାନ ଦାସ ଜଣେ ପୁରାଣ ପଣ୍ତା ଓ ମାତା ପଦ୍ମାବତୀ ଧର୍ମପରାୟଣା ମହିଳା ଥିଲେ । ନିରକ୍ଷରା ମାତା ସଂସ୍କୃତ ଭାଗବତ ବୁଝି ପାରୁ ନଥିବାରୁ ତାଙ୍କୁ ଓଡ଼ିଆରେ ଏହାକୁ ବୁଝାଇବା ପ୍ରକ୍ରିୟାରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କୁହାଯାଏ । ଜଗନ୍ନାଥ ଦାସ ପ୍ରତାପରୁଦ୍ରଦେବ ଓ ଚୈତନ୍ୟଙ୍କର ସମସାମୟିକ ଥିଲେ । ତାଙ୍କ ଓଡ଼ିଆ ଭାଗବତ ବ୍ରାହ୍ମଣମାନଙ୍କଦ୍ୱାରା ସ୍ୱୀକୃତ ନ ହେବା ସତ୍ତ୍ୱେ, ତା'ର ଲୋକପ୍ରିୟତା ଯୋଗୁଁ ପ୍ରତାପରୁଦ୍ର ଦେବଙ୍କ ଅପ୍ରତ୍ୟକ୍ଷ ପୃଷ୍ଠପୋଷକତା ଜଗନ୍ନାଥ ଦାସଙ୍କୁ ମିଳିଥିଲା । ଚୈତନ୍ୟ ତାଙ୍କୁ 'ଅତିବଡ଼ୀ' ଉପାଧିରେ ଭୂଷିତ କରିଥିଲେ । ଅନ୍ୟ ଶବ୍ଦରେ କହିଲେ, ବ୍ରାହ୍ମଣମାନଙ୍କ ବିରୋଧ ସତ୍ତ୍ୱେ ଜଗନ୍ନାଥ ଦାସଙ୍କୁ ତାଙ୍କ ଜୀବଦ୍ଦଶାରେ ଉଭୟ ଲୋକସ୍ୱୀକୃତି ଓ ରାଜସ୍ୱୀକୃତି ପ୍ରାପ୍ତ ହୋଇଥିଲା, ଯାହା ଭକ୍ତି ଆନ୍ଦୋଳନର ପ୍ରସାର ଲାଗି ପଥ ପ୍ରଶସ୍ତ କରିଥିଲା । ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟ ଜଣେ ପ୍ରସିଦ୍ଧ କବି ଥିଲେ ଅଚ୍ୟୁତାନନ୍ଦ ଦାସ । ସେ ୧୪୯୭ରେ କଟକ ଜିଲ୍ଲାର ତିଳକଣା ଗ୍ରାମରେ ଏକ ଶୂଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନେମାଳଠାରେ ଏକ ମଠ ପ୍ରତିଷ୍ଠା କରି ନିଜର ବିଚାରକୁ ଶିଷ୍ୟମାନଙ୍କ ମାଧ୍ୟମରେ ପ୍ରସାର କରିଥିଲେ । ତାଙ୍କ ରଚନା ମଧ୍ୟରେ 'ଶୂନ୍ୟ ସଂହିତା', 'ମାଳିକା', 'କୈବର୍ତ୍ତ୍ୟ ଗୀତା', 'ଗୋପାଳଙ୍କ ଓଗାଳ', ଓ 'ହରିବଂଶ' ପ୍ରଧାନ । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କୈବର୍ତ୍ତ, କମାର ଓ ଗୋପାଳ ସଂପ୍ରଦାୟର । ପଞ୍ଚସଖାଙ୍କ ମଧ୍ୟରେ ଅଚ୍ୟୁତାନନ୍ଦଙ୍କ ରଚନାର ପରିମାଣ ସବୁଠାରୁ ଅଧିକ ।

ପଞ୍ଚସଖାଙ୍କ ମଧ୍ୟରେ ଯଶୋବନ୍ତ ଦାସ ଜଗତ୍‍ସିଂହପୁର ନିକଟସ୍ଥ ଅଢ଼ଙ୍ଗ ଗ୍ରାମରେ ୧୪୮୭ରେ ଜନ୍ମ ଗ୍ରହଣ କରିଥିଲେ । ସେ 'ପ୍ରେମଭକ୍ତି ବ୍ରହ୍ମଗୀତା', 'ଶିବସ୍ୱରୋଦୟ', 'ଆତ୍ମପରଚେ ଗୀତା' ଓ 'ଷଷ୍ଠିମେଳା' ଆଦି ଦାର୍ଶନିକ ପୁସ୍ତକମାନ ରଚନା କରିଥିଲେ । ତାଙ୍କ ରଚନାରେ ନିରାକାର, ଅଣାକାର ଓ ଓଁକାର ବ୍ରହ୍ମର ବ୍ୟାଖ୍ୟା ଦେଖିବାକୁ ମିଳେ । ତହିଁରେ ଜ୍ଞାନ ମିଶ୍ରିତ ଭକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ତାଙ୍କର ଏକ ପ୍ରମୁଖ ରଚନା 'ଗୋବିନ୍ଦଚନ୍ଦ୍ର' ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ । ଜଣେ ରାଜପୁତ୍ର ଅଳ୍ପାୟୁ ବୋଲି ପୂର୍ବାନୁମାନରୁ ଜଣାପଡିଲା । ଫଳରେ ତାକୁ ଏକ ଅସ୍ପୃଶ୍ୟ ପରିବାରରେ ପ୍ରତିପାଳନପାଇଁ ତ୍ୟାଗ କରି ଦିଆଗଲା । ଅସ୍ପୃଶ୍ୟର ଶିଷ୍ୟତ୍ୱ ରାଜପୁତ୍ରକୁ ତ୍ୟାଗୀ ଓ ଦୀର୍ଘାୟୁ କଲା ! ଏହି କାହାଣୀରେ ଯଶୋବନ୍ତ ତଥାକଥିତ ନୀଚ ଜାତିର ମହତ୍ତ୍ୱ ଦର୍ଶାଇ ଜାତିବ୍ୟବସ୍ଥାର ଦୃଢ଼ ପ୍ରତିବାଦ କରିଛନ୍ତି । ତା' ସହିତ ବିଷୟ ବାସନାର ନିରର୍ଥକତାକୁ ଦର୍ଶାଇଛନ୍ତି । ବର୍ଣ୍ଣ ଅପେକ୍ଷା କର୍ମ ଅନୁସାରେ ହିଁ ଜଣେ ମଣିଷକୁ ବଡ଼ ବା ଛୋଟ କୁହାଯିବା ଉଚିତ ବୋଲି ସେ କହିଛନ୍ତି । ଯଶୋବନ୍ତଙ୍କ ଶିଷ୍ୟ ଲିଖିତ 'ଚଉରାଶୀ ଆଜ୍ଞା'ରେ କବିଙ୍କ ଜୀବନୀ ସମ୍ବନ୍ଧରେ ଅନେକ ବର୍ଣ୍ଣନା ରହିଛି ।

ପଞ୍ଚସଖାଙ୍କ ମଧ୍ୟରେ ପଞ୍ଚମ ସଖା ଥିଲେ ଅନନ୍ତ ଦାସ । ଯଦିଓ ସେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସଙ୍କଠାରୁ ବୟସରେ ବଡ଼, ତାଙ୍କୁ ଶିଶୁ ଅନନ୍ତ ଦାସ ବୋଲି କୁହାଯାଏ । ୧୪୮୬ରେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ଗ୍ରାମରେ ତାଙ୍କର ଜନ୍ମ; ପିତା କପିଳ ମହାନ୍ତି ଓ ମାତା ଗୌରୀଦେବୀ । ଅନନ୍ତଙ୍କର ଅନ୍ୟ ଏକ ପରିଚୟ ହେଲା, ସେ ଥିଲେ ଚୈତନ୍ୟଙ୍କର ଜଣେ ଘନିଷ୍ଠ ସହଯୋଗୀ । ତାଙ୍କ ରଚନାଗୁଡ଼ିକ ମଧ୍ୟରେ 'ଆଗତ ଭବିଷ୍ୟ ମାଳିକା', 'ଅର୍ଥ ତାରେଣୀ', 'ପିଣ୍ତ ବ୍ରହ୍ମାଣ୍ତ ଗୀତା' ଓ 'ହେତୁ ଉଦୟ ଭାଗବତ' ଅନ୍ୟତମ । ତାଙ୍କ ରଚନା ଗୁଡ଼ିକରେ ଭକ୍ତି ଓ ଯୋଗର ମାହାତ୍ମ୍ୟ ଦର୍ଶାଯାଇଛି । ଭଗବାନଙ୍କୁ ସେ 'ଅବର୍ଣ୍ଣ' ବୋଲି ବର୍ଣ୍ଣନା କରିଛନ୍ତି । ଈଶ୍ୱରଙ୍କ ସାନ୍ନିଧ୍ୟପାଇଁ ସମର୍ପଣ ଭାବ ଉପରେ ମହତ୍ତ୍ୱ ଦେଇଛନ୍ତି । ତାଙ୍କ ରଚନା ଦର୍ଶନ ଆଧାରିତ ହେଲେ ସୁଦ୍ଧା ଭାଷାର ସରଳତାଯୋଗୁଁ ସାଧାରଣ ସ୍ତରରେ ଆଦୃତ । ଅନନ୍ତ ଦାସଙ୍କ ଶିଷ୍ୟମାନେ ମଧ୍ୟ ନିଜ ନାମରେ 'ଶିଶୁ' ଶବ୍ଦଟିକୁ ଯୋଡ଼ନ୍ତି, ଯଥା- ଶିଶୁ ବନମାଳୀ ଦାସ, ଶିଶୁ ଶଙ୍କର ଦାସ, ଶିଶୁ ଦୟାନିଧି ଦାସ ଆଦି । 'ଶିଶୁ'କୁ ସେମାନେ ଅବୋଧ ଅର୍ଥରେ ବ୍ୟବହାର କରି ନମ୍ରତାର ପରିଚୟ ଦେଇଛନ୍ତି । ମଧ୍ୟଯୁଗୀୟ ଓଡ଼ିଶା ଇତିହାସରେ ଭକ୍ତି ଆନ୍ଦୋଳନ ଏକ ଅନନ୍ୟ ଘଟଣା । ଜଗନ୍ନାଥ ଦାସଙ୍କ ବ୍ୟତୀତ ଅନ୍ୟ ପଞ୍ଚସଖାମାନେ ଶୂଦ୍ର ଥିଲେ । ସେମାନେ ଈଶ୍ୱରଙ୍କର ନୂଆ ସଂଜ୍ଞା ଦେଲେ । ପୁରୁଷ-ସ୍ତ୍ରୀ, ଜାତି-ଅଜାତି ସମସ୍ତେ ଈଶ୍ୱରଙ୍କ ସ୍ୱରୂପ ଏବଂ ଭକ୍ତିମାର୍ଗରେ ସମସ୍ତେ ଈଶ୍ୱରଙ୍କଠାରେ ସମାହିତ ହୋଇପାରିବେ ବୋଲି ସେମାନେ ପ୍ରଚାର କଲେ । ପଞ୍ଚସଖାମାନେ ସନ୍ଥଭାବରେ ବହୁସଂଖ୍ୟାରେ ଅନୁଗାମୀମାନଙ୍କୁ ଆକୃଷ୍ଟ କରିଥିଲେ । ଏହି ଅନୁଗାମୀମାନେ ଭକ୍ତିଧର୍ମର ବ୍ୟାପକ ପ୍ରଚାର କଲେ । ତେଣୁ ସାରଳା ଦାସ ଓ ପଞ୍ଚସଖାଙ୍କୁ ଭକ୍ତି ଆନ୍ଦୋଳନର ପ୍ରମୁଖ ଅଙ୍ଗ ରୂପେ ଗ୍ରହଣ କରାଯାଏ । ସେମାନଙ୍କ ବ୍ୟତୀତ ଏହି ସମୟରେ ଆହୁରି ଅନେକ କବି ଆନ୍ଦୋଳନକୁ ସରଳ ଓଡ଼ିଆରେ କାବ୍ୟ-କବିତା ରଚନା କରି ଋଦ୍ଧିମନ୍ତ କରିଥିଲେ । 'ରାମ ବିଭା'ର କବି ଅର୍ଜୁନଦାସ ସେହିପରି ଜଣେ କବି ।

ମଧ୍ୟଯୁଗରେ, ବିଶେଷକରି ଷୋଡଶ ଶତାବ୍ଦୀରେ ଭକ୍ତି ଆନ୍ଦୋଳନର ଯେଉଁ ପ୍ରବାହ ଓଡ଼ିଶାରେ ଦେଖାଦେଲା, ତାହାର ଏକ ପ୍ରମୁଖ ସୂତ୍ରଧର ଥିଲେ ଚୈତନ୍ୟ, ଯିଏ ଶ୍ରୀଚୈତନ୍ୟ ନାମରେ ଖ୍ୟାତ । ସେ କୌଣସି ନୂଆ ଧର୍ମ ପ୍ରତିଷ୍ଠା କରି ନଥିଲେ, ବରଂ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାରରେ ସମସ୍ତ ସମୟ ଅତିବାହିତ କରିଥିଲେ । ଚୈତନ୍ୟ କୃଷ୍ଣଙ୍କୁ ନିଜ ଆରାଧ୍ୟ ଦେବତା ରୂପେ ଗ୍ରହଣ କରିଥିଲେ । ବିଷ୍ଣୁ ଓ ଜଗନ୍ନାଥଙ୍କ ମଧ୍ୟରେ ବି ସେ କୃଷ୍ଣଙ୍କୁ ଖୋଜି ପାଉଥିଲେ । ଫଳରେ ତାଙ୍କ ଆନ୍ଦୋଳନରେ ଧାର୍ମିକ ସମନ୍ୱୟକୁ ମହତ୍ତ୍ୱ ମିଳିଥିଲା । ଆରାଧ୍ୟ ଦେବତା କୃଷ୍ଣଙ୍କର ବାଲ୍ୟଲୀଳା, ରାଧାକୃଷ୍ଣ ପ୍ରେମକୁ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରି ବିଭୋର ହେବା ହେଲା ତାଙ୍କ ଭକ୍ତି ଆନ୍ଦୋଳନର ବିଶେଷତ୍ୱ । ଚୈତନ୍ୟ କୃଷ୍ଣପ୍ରେମ ଆଧାରିତ ନୃତ୍ୟ-ଗୀତର ଯେଉଁ ଅପୂର୍ବ ପରମ୍ପରା ଷୋଡ଼ଶ ଶତାବ୍ଦୀରେ ଆରମ୍ଭ କଲେ, ତାକୁ କୀର୍ତ୍ତନ କୁହାଯାଏ । ତାହାର ସାମାଜିକ ମହତ୍ତ୍ୱ ଆଜି ମଧ୍ୟ ଊଣା ହୋଇନାହିଁ ।

ଚୈତନ୍ୟ ବଙ୍ଗ ପ୍ରଦେଶର ନଦିଆଠାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ନଦିଆ ହେତୁବାଦୀ ବୈଦିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଏହାର ବିଶେଷ ପ୍ରଭାବ ଚୈତନ୍ୟଙ୍କ ଉପରେ ପଡିଥିଲା । ୨୨ବର୍ଷ ବୟସରେ ସେ ଯେତେବେଳେ ଗୟା ଦର୍ଶନରେ ଯାଇଥିଲେ, ସେଠାରେ ତାଙ୍କର ବୈଷ୍ଣବ ଧର୍ମ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ଏହା ପରେ ଆରାଧ୍ୟ ଦେବତା କୃଷ୍ଣଙ୍କର ନାମ ଅବିରତ ଉଚ୍ଚାରଣ କରି ସେ ନିଜର ଭକ୍ତିଭାବକୁ ପରିପୁଷ୍ଟ କଲେ । ତୀର୍ଥଯାତ୍ରାରେ ଗୟା ଆସିବା ପୂର୍ବରୁ ସେ ପ୍ରଥମା ପତ୍ନୀଙ୍କର ଦେହାନ୍ତ ପରେ ଅନିଚ୍ଛା ସତ୍ତ୍ୱେ ମାଆଙ୍କ କଥା ରକ୍ଷାକରି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ । ମାତ୍ର ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ସେ ସଂସାରତ୍ୟାଗୀ ହେଲେ ଏବଂ କୃଷ୍ଣ ନାମ ଗାଇ ଗାଇ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ ।

୧୫୧୦-୧୧ରେ ଚୈତନ୍ୟ ପୁରୀ ଆସିଥିଲେ । କିଛିକାଳ ପୁରୀରେ ଅବସ୍ଥାନ କଲା ପରେ ତୀର୍ଥାଟନରେ ପ୍ରଥମେ ଦକ୍ଷିଣ ଭାରତ ଏବଂ ପରେ ବୃନ୍ଦାବନ ଗଲେ । ସେଠାରୁ ପୁଣି ଓଡ଼ିଶା ଫେରି ଆସି ଦୀର୍ଘ ୧୭ ବର୍ଷ କାଳ ପୁରୀରେ ଅତିବାହିତ କଲେ ଏବଂ ୧୫୩୩ରେ ପୁରୀଠାରେ ଦେହତ୍ୟାଗ କଲେ । ଚୈତନ୍ୟ ଧାର୍ମିକ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ଥିଲେ । ଅଧିକାଂଶ ଶୂଦ୍ର ଜାତିର ଲୋକ ଓ କେତେକ ମୁସଲିମ ସଂପ୍ରଦାୟର ଲୋକ ମଧ୍ୟ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଗଜପତି ପ୍ରତାପରୁଦ୍ର ଦେବ ଏବଂ ତାଙ୍କର କେତେକ ଉଚ୍ଚପଦାଧିକାରୀ ମଧ୍ୟ ଚୈତନ୍ୟଙ୍କର ଶିଷ୍ୟ ହୋଇଥିଲେ । ଚୈତନ୍ୟଙ୍କର ସମକାଳୀନ ଥିଲେ ପଞ୍ଚସଖା କବିଗଣ । ସେମାନଙ୍କ ରଚନାରେ ଚୈତନ୍ୟଙ୍କର ପ୍ରଶଂସାରୁ ମନେହୁଏ, ସେମାନେ ମଧ୍ୟ ଚୈତନ୍ୟଙ୍କର ସହଯୋଗୀ ଥିଲେ । ଚୈତନ୍ୟଙ୍କ ପରେ ତାଙ୍କ ଶିଷ୍ୟମାନେ ଭାଷା ଆଧାରରେ ଦୁଇ ଗୋଷ୍ଠୀରେ (ବଙ୍ଗାଳୀ ଓ ଓଡ଼ିଆ) ବିଭକ୍ତ ହୋଇଯାଇଥିଲେ । ଯେଉଁ ସାମାଜିକ ଓ ଧାର୍ମିକ ସଦ୍‍ଭାବ ରକ୍ଷାପାଇଁ ଚୈତନ୍ୟ ବୈଷ୍ଣବ ଧର୍ମର ପ୍ରଚାର-ପ୍ରସାର କରିଥିଲେ, ସେହି ସଦ୍‍ଭାବ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ସୁଦ୍ଧା ରହିପାରିଲା ନାହିଁ । ଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମର ପତନର ଏହା କାରଣ ହେଲା ।

ଚୈତନ୍ୟଙ୍କ ପୁରୀ ଅବସ୍ଥାନ ପୂର୍ବରୁ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରସାର ଆରମ୍ଭ ହୋଇ ସାରିଥିଲା । ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା ରୂପେ ପ୍ରତିଷ୍ଠା ପାଇଥିଲେ । ଜାତି, ବର୍ଣ୍ଣ ନିର୍ବିଶେଷରେ ଲୋକେ ଜଗନ୍ନାଥଙ୍କର ଆରାଧନା କରୁଥିଲେ । ଜଗନ୍ନାଥଙ୍କ ନାମରେ ପ୍ରଥମେ ଗଙ୍ଗ ରାଜା ଏବଂ ତାଙ୍କ ପରେ ଗଜପତିମାନେ ଶାସନ କରୁଥିଲେ । ସାରଳା ଦାସ ଓ ପଞ୍ଚସଖାମାନେ ଜଗନ୍ନାଥଙ୍କୁ ନିଜ ନିଜ କୃତିର ରଚୟିତା ମନେକରି କାବ୍ୟ ସୃଷ୍ଟି କରୁଥିଲେ । ପ୍ରାରମ୍ଭିକ କାଳରେ ଜଗନ୍ନାଥ ଓ ଜଗନ୍ନାଥ ମନ୍ଦିର ଉପରେ ବ୍ରାହ୍ମଣ ବା ଅନ୍ୟ ଉଚ୍ଚ ଜାତିର କର୍ତ୍ତୃତ୍ୱ ନଥିଲା । ଆଦିବାସୀଙ୍କ ସମେତ ବିଭିନ୍ନ ଜାତିର ଲୋକେ ଜଗନ୍ନାଥଙ୍କ ସେବକର ଦାୟିତ୍ୱ ପାଇଥିଲେ । ସେହି ଦୃଷ୍ଟିରୁ ଜଗନ୍ନାଥଙ୍କୁ ନେଇ ଗଢ଼ି ଉଠିଥିବା ରୀତିନୀତି ଏକ ଅନନ୍ୟ ଧର୍ମ ରୂପରେ ମଧ୍ୟଯୁଗୀୟ ଓଡ଼ିଶାରେ ସ୍ୱୀକୃତି ପାଇଥିଲା । ମାତ୍ର କାଳକ୍ରମେ, ଭାରତର ଅନ୍ୟ ଧର୍ମଗୁଡ଼ିକ ପରି, ଏହା ଜାତି ବ୍ୟବସ୍ଥାର ଶିକାର ହେଲା ଏବଂ ଏଠାରେ ଉଚ୍ଚ ଜାତିର କର୍ତ୍ତୃତ୍ୱ ବୃଦ୍ଧି ପାଇଲା । ପଞ୍ଚସଖା ଓ ଭକ୍ତି ଆନ୍ଦୋଳନକୁ ସେହି ବର୍ଦ୍ଧିଷ୍ଣୁ କର୍ତ୍ତୃତ୍ୱ ବିରୁଦ୍ଧରେ ଏକ ସାମାଜିକ ବିପ୍ଳବ ରୂପେ ଦେଖିହେବ । ମାତ୍ର ସମୟକ୍ରମେ ଏବଂ ବିଶେଷକରି ଚୈତନ୍ୟଙ୍କ ଆଗମନ ପରେ ଜଗନ୍ନାଥ ଧର୍ମରେ କୃଷ୍ଣପ୍ରେମ ମଧ୍ୟ ଦୃଢ଼ଭାବେ ସମାହିତ ହେଲା । ଜଗନ୍ନାଥଙ୍କୁ କୃଷ୍ଣଙ୍କର ଏକ ସ୍ୱରୂପ ଭାବରେ ଗ୍ରହଣ କରାଗଲା । ଏହା ଜଗନ୍ନାଥ ଧର୍ମ ଓ ସଂସ୍କୃତିକୁ ବ୍ରାହ୍ମଣ୍ୟ ଧର୍ମରେ ସଂଲଗ୍ନ କରିଦେଲା । ପରିଣାମ ସ୍ୱରୂପ ବ୍ରାହ୍ମଣ୍ୟ ଧର୍ମର ଦୁଷ୍ପ୍ରଭାବରୁ ଜଗନ୍ନାଥ ସଂସ୍କୃତି ଊର୍ଦ୍ଧ୍ୱକୁ ଉଠିପାରିଲା ନାହିଁ ।


...