ଓଡ଼ିଶା ଇତିହାସ/ମଣ୍ଡଳ ରାଜ୍ୟ ଓ ଶାସନ

ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ମଣ୍ଡଳ ରାଜ୍ୟ ଓ ଶାସନ

ମଣ୍ତଳ ରାଜ୍ୟ ଓ ଶାସନ

ଖ୍ରୀଷ୍ଟୀୟ ଅଷ୍ଟମ ଓ ନବମ ଶତାବ୍ଦୀରେ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜବଂଶ ରାଜତ୍ୱ କରୁଥିବାର ଦେଖାଯାଇଛି। ଏହି ଛୋଟ ଛୋଟ ରାଜ୍ୟ ତୋଷାଳୀ ନାମରେ ପରିଚିତ ଉପକୂଳ ଓଡ଼ିଶା କ୍ଷେତ୍ର ଓ ଦକ୍ଷିଣ କୋଶଳ ନାମରେ ପରିଚିତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ କ୍ଷେତ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲେ। ସେତେବେଳେ ଭୌମକରମାନେ ତୋଷାଳୀ ଓ ସୋମବଂଶୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିଲେ। ଉକ୍ତ କ୍ଷୁଦ୍ର ରାଜ୍ୟଗୁଡ଼ିକ ଭୌମକରମାନଙ୍କ ବଶ୍ୟତା ସ୍ୱୀକାର କରି ସାମନ୍ତ ରାଜ୍ୟର ମର୍ଯ୍ୟାଦା ଲାଭ କରିଥିଲେ। ମାତ୍ର ଯୋଗାଯୋଗ ଓ ଗମନାଗମନର ଅସୁବିଧାଯୋଗୁଁ ସେମାନଙ୍କ ଉପରେ ଭୌମକରମାନେ ପୂର୍ଣ୍ଣ କର୍ତ୍ତୃତ୍ୱ ହାସଲ କରିପାରିନଥିଲେ। ଫଳରେ ବସ୍ତୁତଃ ଏହି କ୍ଷୁଦ୍ର ରାଜ୍ୟମାନେ ସ୍ୱତନ୍ତ୍ର ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କର ନିଜସ୍ୱ ସେନା ଥିଲେ; କର୍ମଚାରୀ ନିଯୁକ୍ତ ହୋଇ ରହିଥିଲେ; ଏପରିକି ତାମ୍ରଶାସନ ବା ଅନ୍ୟ ଆଦେଶ ଜାରି କଲା ବେଳେ ଉପରିସ୍ଥ ରାଜା ଭୌମକରଙ୍କର ନାମୋଲ୍ଲେଖ କରିବାପାଇଁ ସେମାନେ ବାଧ୍ୟ ନଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସୋମବଂଶୀ ଆକ୍ରମଣର ଶିକାର ମଧ୍ୟ ହେବାକୁ ପଡ଼ିଥିଲା।

ଓଡ଼ିଶା ଇତିହାସରେ ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକ 'ମଣ୍ତଳ' ଭାବରେ ପରିଚିତ, କାରଣ ରାଜ୍ୟଗୁଡ଼ିକର ନାମ ସହିତ 'ମଣ୍ତଳ' ସଂଜ୍ଞା ଯୋଡ଼ି ହୋଇଥିବାର ଲକ୍ଷ୍ୟ କରାଯାଏ। ଉକ୍ତ ମଣ୍ତଳ ରାଜ୍ୟ ସମୂହ ହେଲେ: ୧- ଭଞ୍ଜଶାସିତ ଖିଞ୍ଜଳି ମଣ୍ତଳ, ୨-ଭଞ୍ଜଶାସିତ ଖିଜ୍ଜିଙ୍ଗ୍‍ ମଣ୍ତଳ,୩- ଶୁଳ୍କିବଂଶ ଶାସିତ କୋଦାଳକ ମଣ୍ତଳ, ୪- ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ତଳ, ୫-ନନ୍ଦୋଦ୍ଭବ ଶାସିତ ଐରାବତ ମଣ୍ତଳ, ୬- ମୟୂରବଂଶଶାସିତ ବଣାଇ ମଣ୍ତଳ ଏବଂ ୭-ଗଙ୍ଗଶାସିତ ଶ୍ୱେତକ ମଣ୍ତଳ। ଓଡ଼ିଶା ଇତିହାସକୁ ଜାଣିବାକୁ ହେଲେ ମଣ୍ତଳ ରାଜ୍ୟ ଓ ତହିଁରେ ଚାଲିଥିବା ଶାସନ ଉପରେ ଏକ ଐତିହାସିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଐତିହାସିକମାନେ ଦୃଢ଼ ଭାବେ ଅନୁଭବ କରନ୍ତି। ଭଞ୍ଜବଂଶଶାସିତ ଖିଞ୍ଜଳି ମଣ୍ତଳ

ଖିଞ୍ଜଳି ମଣ୍ତଳକୁ ଆଧୁିନିକ ବୌଦ୍ଧ, ସୋନପୁର ଏବଂ ଫୁଲବାଣୀ ଅଞ୍ଚଳ ସହିତ ସାଧାରଣତଃ ଚିହ୍ନିତ କରାଯାଏ। ଧୃତିପୁର (ଆଧୁନିକ ବୌଦ୍ଧ ସହର) ଥିଲା ଏହି ମଣ୍ତଳର ରାଜଧାନୀ।

ଭଞ୍ଜ ତାମ୍ରଶାସନରୁ ଜଣାଯାଏ ଯେ ଶୀଳଭଞ୍ଜଙ୍କୁ ପ୍ରଥମ ଭଞ୍ଜ ରାଜା ବୋଲି ଗଣାଗଲେ ମଧ୍ୟ ତାଙ୍କ ପୂର୍ବରୁ ସେହି ମଣ୍ତଳରେ ଅନେକ ଭଞ୍ଜ ରାଜା ଶାସନ କରି ସାରିଥିଲେ। ସମ୍ଭବତଃ ବଂଶର ପ୍ରାଚୀନତା ସାବ୍ୟସ୍ତ କରିବାପାଇଁ ଏପରି ଦାବି କରାଯାଇଛି। ପୁଣି ଏକ କିମ୍ବଦନ୍ତୀରେ ଭଞ୍ଜମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କୁହାଯାଇଛି। ଏଥିରୁ ଅନୁମିତ ହୁଏ ଯେ ଖିଞ୍ଜଳିର ଭଞ୍ଜମାନେ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ତାଙ୍କ ରାଜତ୍ୱକୁ ସର୍ବମାନ୍ୟ କରିବାଲାଗି ବଂଶର ପ୍ରାଚୀନତା ଉପରେ ଜୋର ଦେଉଥିଲେ। ଭଞ୍ଜମାନେ ବିଷ୍ଣୁ ଓ ଶିବ ଉପାସକ ଥିଲେ। ସେମାନେ ଉପକୂଳ ଅଞ୍ଚଳରୁ ବ୍ରାହ୍ମଣମାନଙ୍କୁ ଅଣାଇ ନିଜ ରାଜ୍ୟରେ ରଖାଇ ଥିଲେ। ଏଥିପାଇଁ ବ୍ରାହ୍ମଣମାନଙ୍କୁ ଭୂମିଦାନ ମଧ୍ୟ କରିଥିଲେ। ଏହା ଫଳରେ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟ ଅଞ୍ଚଳରେ ବ୍ରାହ୍ମଣ୍ୟ ଧର୍ମର ଆଶୁ ପ୍ରସାର ହେଲା। ଯଦିଓ ଖିଞ୍ଜଳିର ଭଞ୍ଜମାନେ ଭୌମକରଙ୍କ ସାମନ୍ତ ରାଜା ଥିଲେ, ସୋମବଂଶୀ ରାଜା ଜନ୍ମେଜୟଙ୍କ ଖିଞ୍ଜଳି ଆକ୍ରମଣ ସମୟରେ ସେମାନେ ଭୌମ ସାହାଯ୍ୟ ପାଇନଥିଲେ। ସୋମବଂଶୀମାନେ ଯୁଦ୍ଧରେ ବିଜୟ ହାସଲ କଲେ, ଭଞ୍ଜରାଜା ରଣ ଭଞ୍ଜଙ୍କୁ ହତ୍ୟା କଲେ ଏବଂ ଖିଞ୍ଜଳି ଅଧିକାର କରିନେଲେ। ଏହା ପରେ ଭଞ୍ଜମାନେ ଗଞ୍ଜାମର ଘୁମୁସର ଅଞ୍ଚଳକୁ ଚାଲିଯାଇ ସେଠାରେ ଏକ ନୂତନ ରାଜ୍ୟ ପ୍ରତିଷ୍ଠା କଲେ। ଶୀଳ ଭଞ୍ଜଙ୍କ ପରେ କ୍ରମାନ୍ୱୟରେ ଖିଞ୍ଜଳି ମଣ୍ତଳରେ ରାଜତ୍ୱ କରିଥିବା ଅନ୍ୟ ଭଞ୍ଜମାନେ ହେଲେ: ଶତ୍ରୁ ଭଞ୍ଜ, ରଣ ଭଞ୍ଜ, ନେତ୍ତ ଭଞ୍ଜ, ପ୍ରଥମ ଦିଗ ଭଞ୍ଜ, ଦ୍ୱିତୀୟ ଶୀଳ ଭଞ୍ଜ, ବିଦ୍ୟାଧର ଭଞ୍ଜ ଓ ଶେଷ ଭଞ୍ଜ ରାଜା ଦ୍ୱିତୀୟ ନେତ୍ତ ଭଞ୍ଜ। ଦଶମ ଶତାବ୍ଦୀର ଆଦ୍ୟ ଭାଗ (ଖ୍ରୀଷ୍ଟାବ୍ଦ ୯୩୪) ପର୍ଯ୍ୟନ୍ତ ଭଞ୍ଜରାଜବଂଶ ରହିଥିଲା ବୋଲି ଅନୁମାନ କରାଯାଏ।

ଭଞ୍ଜବଂଶଶାସିତ ଖିଜ୍ଜିଙ୍ଗ୍ ମଣ୍ତଳ

ଦଶମ ଓ ଏକାଦଶ ଶତାବ୍ଦୀରେ ଭଞ୍ଜବଂଶର ଅନ୍ୟ ଏକ ଶାଖା ଉତ୍ତର ଓଡ଼ିଶାର ଖିଜ୍ଜିଙ୍ଗ୍ ମଣ୍ତଳରେ ଶାସନ କରୁଥିଲେ। ଖିଜ୍ଜିଙ୍ଗ୍ ମଣ୍ତଳ ରାଜ୍ୟ ଆଧୁନିକ ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଖିଜ୍ଜିଙ୍ଗ୍‌କୋଟ ଯାହାକୁ ଆଧୁନିକ ଖିଚିଙ୍ଗ୍ ବୋଲି ଚିହ୍ନିତ କରାଯାଇଛି। ଖିଞ୍ଜଳି ମଣ୍ତଳର ଭଞ୍ଜବଂଶ ପରି ଖିଜ୍ଜିଙ୍ଗ ମଣ୍ତଳର ଭଞ୍ଜରାଜାମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କିମ୍ବଦନ୍ତୀ ସୃଷ୍ଟି ହୋଇଛି। ଏଥିରୁ ଅନୁମିତ ହୁଏ ଯେ, ଉଭୟ ଭଞ୍ଜବଂଶ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ଅତୀତରେ ସେମାନେ ଗୋଟିଏ ବଂଶ ଥିଲେ। କିମ୍ବଦନ୍ତୀ ଅନୁଯାୟୀ ଖିଞ୍ଜିଙ୍ଗ୍‍ମଣ୍ତଳର ପ୍ରତିଷ୍ଠାତା ବୀରଭଦ୍ର ଭଞ୍ଜ ମୟୂରୀ ଅଣ୍ତାରୁ ଉତ୍ପତ୍ତି ଲାଭ କରିବା ପରେ ବଶିଷ୍ଠ ଋଷିଙ୍କଦ୍ୱାରା ପାଳିତ ହୋଇଥିଲେ । ଏହା ଖିଜ୍ଜିିଙ୍ଗ୍‍ ଭଞ୍ଜବଂଶକୁ ଆର୍ଯ୍ୟ ବା ବ୍ରାହ୍ମଣ୍ୟ ଧର୍ମ ଓ ସଂସ୍କୃତି ସହିତ ସଂଯୋଜିତ କରେ । ଖିଜ୍ଜିଙ୍ଗ୍‍ ମଣ୍ତଳର ତାମ୍ରଶାସନମାନଙ୍କରୁ ଯେଉଁ ଭଞ୍ଜବଂଶାବଳୀ ଐତିହାସିକମାନେ ସ୍ଥାନିତ କରନ୍ତି, ତହିଁରେ କୋଟ୍ଟ ଭଞ୍ଜ ପ୍ରଥମ ଐତିହାସିକ ଚରିତ୍ର । ତାଙ୍କୁ ସୋନପୁର-ବୌଦ୍ଧ ଅଞ୍ଚଳରେ ସ୍ଥାପିତ ଖିଞ୍ଜଳି ଭଞ୍ଜବଂଶ ଓ ମୟୂରଭଞ୍ଜ-କେନ୍ଦୁଝର ଅଞ୍ଚଳରେ ସ୍ଥାପିତ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ମଧ୍ୟରେ ଯୋଗସୂତ୍ର ଭାବରେ ଦେଖାଯାଏ । ସମ୍ଭବତଃ ନବମ ଶତାବ୍ଦୀର ଶେଷ ଭାଗରେ ସେ ଖିଞ୍ଜଳି ମଣ୍ତଳରୁ ଯାଇ ଖିଜ୍ଜିଙ୍ଗ୍‍ ମଣ୍ତଳ ସ୍ଥାପନ କରିଥିଲେ ।

ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ଶିବଭକ୍ତ ଥିଲେ । ସେମାନେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ଭୂମିଦାନ କରି ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଥିଲେ । ଫଳରେ, ସେମାନଙ୍କ ରାଜତ୍ୱ କାଳରେ ଖିଜ୍ଜିଙ୍ଗ୍‍ ମଣ୍ତଳରେ ଆର୍ଯ୍ୟ ଓ ବ୍ରାହ୍ମଣ ସଂସ୍କୃତିର ଦ୍ରୁତ ପ୍ରସାର ଘଟିଥିଲା । ରାଜ୍ୟରେ ବୌଦ୍ଧ ଓ ଜୈନ ଉପାସନାକୁ ମଧ୍ୟ ସେମାନେ ପ୍ରୋତ୍ସାହନ ଦେଇଥିବାର ଅନେକ ପ୍ରମାଣ ରହିଛି । ରାଜଧାନୀ ଖିଚିଙ୍ଗ୍‍ର ମୁଖ୍ୟ ମନ୍ଦିରର ଅନତି ଦୂରରେ ୧୯୩୮ରେ ଆବିଷ୍କୃତ ହୋଇଥିବା ବୌଦ୍ଧସ୍ତୂପ ସେମାନଙ୍କ ସମୟର ବୋଲି ଜଣାଯାଏ । ଏହାଛଡ଼ା ଖିଚିଙ୍ଗ୍‍ ସଂଗ୍ରହାଳୟରେ ରହିଥିବା ଜୈନ ତୀର୍ଥଙ୍କର ମୂର୍ତ୍ତିି ମଧ୍ୟ ସେହି ସମୟର ବୋଲି ମନେହୁଏ ।

ଖିଜ୍ଜିଙ୍ଗ୍‍ ମଣ୍ତଳରେ ପ୍ରଦତ୍ତ ତାମ୍ର ଶାସନରେ ଭୌମ ଅବ୍ଦର ବ୍ୟବହାର ରହିଛି । ଏଥିରୁ ମନେ ହୁଏ ଯେ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ତତ୍‍କାଳୀନ ଶକ୍ତିଶାଳୀ ଭୌମ ରାଜ୍ୟର ସାମନ୍ତ ଥିଲେ, ଯଦିଓ ମଣ୍ତଳର ଆଭ୍ୟନ୍ତରୀଣ ପ୍ରଶାସନ ଉପରେ ଭୌମମାନଙ୍କର କୌଣସି ନିୟନ୍ତ୍ରଣ ନଥିଲା । ଭୌମରାଣୀ ବକୁଳ ମହାଦେବୀ ଖିଜ୍ଜିଙ୍ଗ ମଣ୍ତଳର ରାଜା ପ୍ରଥମ ରଣ ଭଞ୍ଜଙ୍କ ଭଉଣୀ ଥିବାର ଅନୁମାନ କରାଯାଏ । ପ୍ରଥମ ରଣ ଭଞ୍ଜଙ୍କ ଉତ୍ତରାଧିକାରୀ ପୃଥ୍ୱୀ ଭଞ୍ଜ 'ମହାମଣ୍ତଳାଧିପତି' ଓ 'ମହାରାଜାଧିରାଜ' ଉପାଧି ଗ୍ରହଣ କରିଥିଲେ । ଏଥିରୁ ବୁଝାଯାଏ ଯେ, ତାଙ୍କ ସମୟରେ ଖିଜ୍ଜିଙ୍ଗ ଭଞ୍ଜମାନଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ସେ ୨୦୦ ଭୌମାବ୍ଦ ବା ୯୩୬ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ୧୯୪୯ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସମ୍ମିଶ୍ରଣ ହେବା ପର୍ଯ୍ୟନ୍ତ ଯେଉଁ ଭଞ୍ଜବଂଶ ସେଠାରେ ରାଜତ୍ୱ କରିଥିଲେ ସେମାନେ ଖିଜ୍ଜିଙ୍ଗ୍‍ ଭଞ୍ଜଙ୍କର ଉତ୍ତରପୁରୁଷ ଥିଲେ ବୋଲି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ଐତିହାସିକ ଆର.ସି. ମଜୁମଦାର ଦୀର୍ଘ ଗବେଷଣା ପରେ ଖିଜ୍ଜିଙ୍ଗ ଭଞ୍ଜବଂଶର ଯେଉଁ ବଂଶାବଳୀ ପ୍ରସ୍ତୁତ କରିଛନ୍ତି, ତାହା ନିମ୍ନରେ ଦିଆଗଲା ।


ଶୁଳ୍କିି (ଶୁଳ୍‍କି) ବଂଶଶାସିତ କୋଦାଳକ ମଣ୍ଡଳ

ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳକୁ ନେଇ କୋଦାଳକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପିତ ହୋଇଥିଲା। ସେଠାରେ ଶୁଳ୍କି ବଂଶର ରାଜାମାନେ ରାଜତ୍ୱ କରୁଥିଲେ। କାଞ୍ଚନସ୍ତମ୍ଭ ଥିଲେ ଶୁଳ୍କିବଂଶର ପ୍ରଥମ ରାଜା। କାଞ୍ଚନ ସ୍ତମ୍ଭଙ୍କର ପୌତ୍ର ରଣସ୍ତମ୍ଭ ଭୌମ ସମ୍ବତ ୧୦୩ (ଖ୍ରୀଷ୍ଟାବ୍ଦ ୮୩୯)ରେ ପ୍ରଦାନ କରିଥିବା ତାମ୍ର ଶାସନରୁ ଶୁଳ୍କିମାନଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ। ଶୁଳ୍କିମାନଙ୍କ ପ୍ରାଚୀନତା,ଶାସନ ଓ ବଂଶାବଳୀକୁ ନେଇ ଐତିହାସିକମାନଙ୍କ ମଧ୍ୟରେ ଏକମତ ନାହିଁ। ସମ୍ଭବତଃ ସେମାନେ ମଧ୍ୟ-ଏସିଆରୁ ଶକ ଓ କୁଶାଣମାନଙ୍କ ଏକ ଯବନ ଜନଜାତି ଭାବରେ ଭାରତକୁ ଆସିଥିଲେ। ଏକ କିମ୍ବଦନ୍ତୀ ଅନୁଯାୟୀ ସ୍ଥାନୀୟ ଶବର ମୁଖ୍ୟ ଢେକଟାକୁ ପରାସ୍ତ କରି ସେମାନେ ଢେଙ୍କାନାଳ ଅଞ୍ଚଳରେ ମଣ୍ଡଳ ରାଜ୍ୟ ପ୍ରତିଷ୍ଠା କରିଥିଲେ। କୋଦାଳକ ସେମାନଙ୍କ ରାଜଧାନୀ ଥିଲା, ଯାହାକୁ ତାଳଚେର ନିକଟସ୍ଥ କୁଆଳୋ ଗ୍ରାମ ସହିତ ଚିହ୍ନିତ କରାଯାଏ। କୁଆଳୋଠାରେ ବହୁ ମନ୍ଦିର ଓ ପ୍ରାଚୀନ ସ୍ଥାପତ୍ୟର ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳିଥାଏ କୋଦାଳକ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲା, ଯଦିଓ ମଣ୍ଡଳର ଆଭ୍ୟନ୍ତରୀଣ ପ୍ରଶାସନରେ ଶୁଳ୍କି ରାଜାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିଥିଲା। ଶୁଳ୍କିମାନେ ଭୌମାବ୍ଦର ବ୍ୟବହାର କରୁିଲେ ଏବଂ ନିଜକୁ 'ମହାସାମନ୍ତାଧିପତି',;ପଞ୍ଚମହାଶବ୍ଦ' ଓ;ପରମଭଟ୍ଟାରକ' ଆଦି ଉପାଧିରେ ଭୂଷିତ କରିଥିଲେ। ସେମାନଙ୍କ ସମୟରେ ଅରଣ୍ୟ ପରିପୂର୍ଣ୍ଣ ଢେଙ୍କାନାଳ ଅଞ୍ଚଳରେ କୃଷିକାର୍ଯ୍ୟ, ଜନବସତି ଓ ଗମନାଗମନର ପ୍ରସାର ନିମିତ୍ତ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା। ଐତିହାସିକ ଦୀନେଶ ଚନ୍ଦ୍ର ମଜୁମଦାରଙ୍କ ମତରେ ଶୁଳ୍କିମାନେ ଶୁକ୍ଲାମ୍ବର ଜୈନ ସମ୍ପ୍ରଦାୟର ଥିଲେ। ମାତ୍ର ନବମ ଶତାବ୍ଦୀରେ କୋଦାଳକ ମଣ୍ଡଳ ନାମରେ ଆଞ୍ଚଳିକ ରାଜ୍ୟ ସ୍ଥାପନ କରିବା ପରେ ସେମାନେ ଶାକ୍ତ ଉପାସକ ଥିବାର ଏବଂ 'ଭଗବତୀ ସ୍ତମ୍ଭେଶ୍ୱରୀ ଭଟ୍ଟାରିକା' ନାମରେ ସ୍ଥାନୀୟ ଦେବତୀ ପ୍ରତିଷ୍ଠା କରିିଥିବାର ଜଣାଯାଏ। ରଣସ୍ତମ୍ଭ ଶୁଳ୍କିବଂଶର ଜଣେ ପରାକ୍ରମୀ ରାଜା ଥିଲେ।

ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଥିବା ଶୁଳ୍କି ରାଜବଂଶାବଳୀ ନିମ୍ନରେ ଦିଆଗଲା।

ଶୁଳ୍କି ରାଜବଂଶାବଳୀ

କାଞ୍ଚନସ୍ତମ୍ଭ

କଳହସ୍ତମ୍ଭ

ରଣସ୍ତମ୍ଭ

ଜୟସ୍ତମ୍ଭ

କୁଳସ୍ତମ୍ଭ

ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ଡଳ

ନବମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଆଧୁନିକ ଅନୁଗୁଳ ଜିଲ୍ଲାର ଉତ୍ତରାଂଶରେ ଯମଗର୍ତ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ରହିଥିଲା। ତୁଙ୍ଗବଂଶୀ ରାଜାମାନେ ସେଠାରେ ରାଜତ୍ୱ କରୁଥିଲେ। ମଣ୍ଡଳର ରାଜଧାନୀ ଥିଲା ଯମଗର୍ତ, ଯାହାକୁ ପାଲଲହଡ଼ା ନିକଟସ୍ଥ ଯାମରା ସହିତ ଚିହ୍ନିତ କରାଯାଏ। ମିଳିଥିବା ତାମ୍ରଶାସନରୁ ଜଣାଯାଏ ଯେ ତୁଙ୍ଗମାନେ ବିହାରର ରୋହିତଗିରିରୁ (ରୋହତାସଗଡ଼) ଆସିଥିଲେ ଏବଂ ଭୌମମାନଙ୍କର ସାମନ୍ତ ରାଜା ରୂପେ ଯମଗର୍ତ ମଣ୍ଡଳରେ ଶାସନ କରିଥିଲେ। ଏହାର ବଂଶାବଳୀ ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଛନ୍ତି, ଯାହା ନିମ୍ନରେ ଦିଆଗଲା।

ତୁଙ୍ଗବଂଶାବଳୀ

ଖଡ୍ଗତୁଙ୍ଗ

ବିନିତତୁଙ୍ଗ

ଜଗତୁଙ୍ଗ

ଶାଳଣତୁଙ୍ଗ

ଗାୟତତୁଙ୍ଗ


ଯମଗର୍ତ ମଣ୍ଡଳ ଏକ ଆଦିବାସୀ ବହୁଳ ରାଜ୍ୟ ଥିଲା। ମାତ୍ର କେତେକ ତୁଙ୍ଗ ରାଜା ଶୈବ ଥିଲେ। ବ୍ରାହ୍ମଣମାନଙ୍କୁ ନିଜ ରାଜ୍ୟରେ ବସବାସ କରିବାକୁ ସେମାନେ ନିଷ୍କର ଭୂମି ଦାନ କରୁଥିଲେ।

ନନ୍ଦବଂଶଶାସିତ ଐରାବତ ମଣ୍ଡଳ

ଭୌମକର ରାଜ୍ୟର ଅନ୍ୟ ଏକ ସାମନ୍ତ ରାଜ୍ୟ ଥିଲା ଐରାବତ ମଣ୍ଡଳ। ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସେଠାରେ ନନ୍ଦବଂଶର ରାଜାମାନେ ରାଜତ୍ୱ କରୁଥିଲେ। ଐରାବତ ମଣ୍ଡଳ ଆଧୁନିକ ନୟାଗଡ଼, ଢେ଼ଙ୍କାନାଳ ଓ କଟକ ଜିଲ୍ଲାର କିଛି କିଛି ଅଂଶକୁ ନେଇ ଗଠିତ ହୋଇିଲା। ଆଧୁନିକ ଜୟପୁର ଗ୍ରାମ (ଢେଙ୍କାନାଳ ଜିଲ୍ଲା) ଥିଲା ଏହାର ରାଜଧାନୀ। ନନ୍ଦ ରାଜବଂଶପ୍ରଦତ୍ତ ତାମ୍ର ଶାସନରୁ ଏହି ବଂଶର ପାଞ୍ଚଜଣ ରାଜାଙ୍କୁ ଚିହ୍ନିତ କରିହୁଏ। ସେମାନେ ହେଲେ ଜୟନନ୍ଦ, ପରମାନନ୍ଦ, ଶିବାନନ୍ଦ ଓ ଦେବାନନ୍ଦ ପ୍ରମ ଓ ଦେବାନନ୍ଦ ଦ୍ୱିତୀୟ। ସୋମବଂଶୀମାନଙ୍କର ଉତ୍‍ଥାନ ପରେ ୯୬୦ ଖ୍ରୀଷ୍ଟାବ୍ଦରେ ଉଦ୍ୟୋତ କେଶରୀ ଐରାବତ ମଣ୍ଡଳକୁ ନିଜ ଓଡ୍ର ରାଜ୍ୟରେ ସମ୍ମିଶ୍ରିତ କରି ଦେଇଥିଲେ।

ବରାହ ବଂଶଶାସିତ ବଣାଇ ମଣ୍ଡଳ

ବଣାଇ ମଣ୍ଡଳ ଆଧୁନିକ ବଣାଇ ଅଞ୍ଚଳରେ ସ୍ଥାପିତ ହୋଇିଲା। ମୟୂର ରାଜବଂଶ ଏଠାରେ ରାଜତ୍ୱ କରୁିଲେ। ତାମ୍ର ଶାସନରୁ ମିଳିିବା ରାଜାମାନଙ୍କ ନାମର ସାଙ୍ଗିଆ ରୂପେ "ବରାହ' ରହିିବାରୁ ଏହା ବରାହ ବଂଶ ନାମରେ ମଧ୍ୟ ଇତିହାସରେ ପରିଚିତ। ରାଜା ଉଦିତ ବରାହଙ୍କୁ ପ୍ରଥମ ବରାହ ବଂଶୀୟ ରାଜା ବୋଲି ମନେ କରାଯାଏ। ସେ ଚିତ୍ରକୂଟ ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ। ସମ୍ଭବତଃ ଏହି ବଂଶର ରାଜା ଧରଣୀ ବରାହ ଦଶମ ଶତାବ୍ଦୀରେ ରାଜ୍ୟ ଶାସନ କରୁଥିଲେ। ବରାହମାନେ ବୌଦ୍ଧଧର୍ମର ଉପାସକ ଥିଲେ ଏବଂ ଐତିହାସିକ ପ୍ରବୋଧ କୁମାର ମିଶ୍ରଙ୍କ ମତରେ ଭୌମ ରାଜ୍ୟର ସାମନ୍ତ ଥିଲେ।

ଗଙ୍ଗଶାସିତ ଶ୍ୱେତକ ମଣ୍ଡଳ
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ପୂର୍ବ (ପ୍ରଥମ) ଗଙ୍ଗବଂଶର ଜଣେ କେହି ମହେନ୍ଦ୍ରଗିରି ଅଞ୍ଚଳରେ ଶ୍ୱେତକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ପ୍ରତିଷ୍ଠା କରିଥିଲେ। ଆଧୁନିକ ସାନଖେମୁଣ୍ଡି, ବଡ଼ଖେମୁଣ୍ଡି ଓ ଚିକିଟି ଜମିଦାରୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଶ୍ୱେତକ ବା ବିଜୟ ଶ୍ୱେତକପୁର (ଆଧୁନିକ ଚିକିଟି)। ଶ୍ୱେତକ ରାଜାମାନେ ଭୌମାବ୍ଦ ବ୍ୟବହାର କରୁଥିବାରୁ ସେମାନେ ଭୌମମାନଙ୍କର ସାମନ୍ତ ରାଜା ଥିଲେ ବୋଲି ଜଣାଯାଏ।

ଶ୍ୱେତକ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ଜୟବର୍ମାଦେବ। ତାଙ୍କ ପ୍ରଦତ୍ତ ଚାରିଟି ତାମ୍ରଶାସନକୁ ମୁଖ୍ୟ ଆଧାର କରି ଶ୍ୱେତକ ମଣ୍ଡଳର ଇତିହାସ ରଚନା କରାଯାଏ। ଅନ୍ୟ କେତେକ ରାଜା ହେଲେ ଅନନ୍ତ ବର୍ମା, ଗଙ୍ଗକ ବିଳାସ, ଭୂପେନ୍ଦ୍ର ବର୍ମା ଓ ମହେନ୍ଦ୍ର ବର୍ମା। ଶ୍ୱେତକ ଗଙ୍ଗବଂଶର ଶେଷ ର।ଜା ସାମନ୍ତ ବର୍ମା, ଭୌମକର ର।ଣୀ ଦଣ୍ଡୀ ମହାଦେବୀଙ୍କ ସାମନ୍ତ ଥିଲେ। ଭୌମକରମାନଙ୍କର ପତନ ପରେ ଦଶମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସୋମବଂଶୀମାନେ ଶ୍ୱେତକ ମଣ୍ଡଳକୁ ଅଧିକାର କରି ନେଇଥିଲେ।

ଉପସଂହାର
ଅଷ୍ଟମ-ନବମ ଶତାବ୍ଦୀରେ ମଣ୍ଡଳ ନାମରେ ପରିଚିତ ଛୋଟ ଛୋଟ ରାଜ୍ୟଗୁଡ଼ିକର ଗଠନ ହୋଇଥିଲା। ଅଧିକାଂଶ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ଗଡ଼ଜାତ ନାମରେ ପରିଚୟ ପାଇଥିବା ଅଞ୍ଚଳରେ ରହିଥିଲେ। ମଣ୍ଡଳଗୁଡ଼ିକ ସାମନ୍ତ ରାଜ୍ୟ ହେବା ସତ୍ତ୍ୱେ ଆଭ୍ୟନ୍ତରୀଣ ପ୍ରଶାସନର କର୍ତ୍ତୃତ୍ୱ ସ୍ଥାନୀୟ ରାଜାମାନଙ୍କ ହାତରେ ଥିଲା। ଭୌମ ସମ୍ବତ ବ୍ୟବହାର କରିବା ବ୍ୟତୀତ ଅନ୍ୟ କେଉଁ ପ୍ରକାରେ ସେଠାରେ ଭୌମ ଶାସନର ପ୍ରତିଫଳନ ରହିିଲା, ତାହା ମିଳିିବା ତାମ୍ର ଶାସନଗୁଡ଼ିକରୁ ସୁସ୍ପଷ୍ଟ ହୁଏ ନାହିଁ। ମଣ୍ଡଳଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ରାଜ୍ୟ ଥିଲେ। ଅନେକ ମଣ୍ଡଳରେ ରାଜତ୍ୱ କରୁଥିବା ରାଜବଂଶ ମଧ୍ୟ ଆଦିବାସୀ ଥିଲେ ଏବଂ ରାଜତ୍ୱ ଲାଭ କରିବା ପରେ ବର୍ଣ୍ଣାଶ୍ରମର ପ୍ରସାର କରି ତହିଁରେ ନିଜକୁ କ୍ଷତ୍ରିୟ ବଂଶ ବା ତାହାର ସମତୁଲ ବୋଲି ପରିଚୟ ପ୍ରଦାନ କରିିଲେ। ଅନେକ ମଣ୍ଡଳରେ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମି ପ୍ରଦାନ କରାଯାଇଥିଲା। ଯଦିଓ କେତେକ ମଣ୍ଡଳର ରାଜବଂଶ ବୌଦ୍ଧଧର୍ମର ଉପାସକ ଥିଲେ, ସେମାନେ ମଧ୍ୟ ସ୍ୱ-ମଣ୍ଡଳରେ ବର୍ଣ୍ଣାଶ୍ରମର ପ୍ରସାର କରି ନିଜ ନିଜ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରୟାସ କରିିଥିଲେ । ସେହି ଦୃଷ୍ଟିରୁ ବିଚାର କଲେ, ମଣ୍ଡଳ ଶାସନ ସମୟରେ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କ୍ଷୀପ୍ରତର ହେଲା । ଏହା ବ୍ୟତୀତ ଏହି ସମୟରେ, ପରେ ଗଡ଼ଜାତ ଭାବେ ପରିଚୟ ପାଇଥିବା ମଣ୍ଡଳ ଅଞ୍ଚଳରେ ସ୍ଥାୟୀ କୃଷିର ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ଯତ୍‍କିଞ୍ଚିତ ଉନ୍ନତି ହୋଇିଥିବାର ମଧ୍ୟ ଅନୁମାନ କରାଯାଏ । ଭୌମବଂଶର ପତନ ପରେ ଅଧିକାଂଶ ମଣ୍ଡଳ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିବାର ଜଣାଯାଏ । ଅନ୍ୟ ଶବ୍ଦରେ କହିଲେ, ମଣ୍ଡଳଗୁଡ଼ିକ ଭୌମକର ଶାସନ ସମୟରେ ଗଠିତ ହୋଇିଥିଲେ ବୋଲି ସୋମବଂଶୀ ରାଜାମାନଙ୍କ ପାଇଁ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଏକ ସାମ୍ରାଜ୍ୟାଧୀନ କରିବା ଅନେକ ମାତ୍ରାରେ ସହଜ ହେଲା ।

...