ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ସୋମ‌ବଂଶ

ସୋମବଂଶ

ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଯେତେବେଳେ ଭୌମକର ରାଜବଂଶ ତୋଷାଳୀରେ ରାଜତ୍ୱ କଲେ, ତା'ର କିଛି କାଳ ଆଗରୁ ସପ୍ତମ ଶତାବ୍ଦୀର ଶେଷ ଆଡ଼କୁ ଦକ୍ଷିଣ କୋଶଳରେ ସୋମବଂଶର ଅଭ୍ୟୁତ୍‌ଥାନ ହେଲା। ଆଧୁନିକ ଛତିଶଗଡ଼ର ରାୟପୁର, ବିଳାସପୁର ଓ ରାୟଗଡ଼ର କିଛି ଅଂଶକୁ ନେଇ ସେତେବେଳେ ଦକ୍ଷିଣ କୋଶଳ ରାଜ୍ୟ ଗଠିତ ହୋଇଥିଲା। କାଳକ୍ରମେ ଏହି ବଂଶ ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିସ୍ତାର କଲେ ଏବଂ ଓଡ଼ିଶାରେ ଥିବା କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଅଧିକାରଭୁକ୍ତ କଲେ। ଭୌମମାନଙ୍କର ରାଜ୍ୟ ଧୀରେ ଧୀରେ ସୋମବଂଶୀମାନଙ୍କ କର୍ତ୍ତୃତ୍ୱକୁ ଗଲା। ଭୌମ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ସୋମବଂଶୀମାନେ ଅଧିକାର କରିନେଇ ପ୍ରାକୃତିକ ଓଡ଼ିଶାର ବହୁ ଅଂଶକୁ ଏକଶାସନାଧୀନ କଲେ। ଦୀର୍ଘ ତିନି ଶତାବ୍ଦୀ ଧରି ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କଲେ ଏବଂ ସେଠାରେ ପ୍ରାୟ ଏକ ପ୍ରକାରର ରାଜନୀତି, ଶାସନ ଓ ସଂସ୍କୃତି ନିର୍ମାଣ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ସାମ୍ରାଜ୍ୟ ହୁଏତ ପ୍ରାଚୀନ କାଳର ଏକ ବିଶାଳ ରାଜ୍ୟ ଥିଲା। ମାତ୍ର ତା'ପରେ ସୋମବଂଶୀମାନେ ହିଁ ସମଗ୍ର ଓଡ଼ିଶାକୁ ଏକଶାସନାଧୀନ କଲେ ଓ ସେଠାରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କଲେ। ସେତିକି ବିଶାଳ ରାଜ୍ୟ ଅତୀତରେ ଓଡ଼ିଶାରେ ଆଉ କେବେ ଗଠିତ ହୋଇ ନଥିଲା। ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟକାଳର ଆରମ୍ଭରେ ଯେଉଁ ଭିତ୍ତି ପଡିିଲା, ତାହାର ମୁଖ୍ୟ ଶ୍ରେୟ ଯିବ ସୋମବଂଶୀମାନଙ୍କୁ।

ପ୍ରଥମେ, ସୋମବଂଶୀମାନେ ଦକ୍ଷିଣ କୋଶଳରେ ସୀମାବଦ୍ଧ ଥିଲେ। ଆଧୁନିକ ଛତିଶଗଡ଼ର ଶିରପୁର ଥିଲା ସେମାନଙ୍କର ରାଜଧାନୀ। ଦକ୍ଷିଣ କୋଶଳରେ ରାଜୁତି କରିବା ପୂର୍ବରୁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ। ଶରଭପୁରୀୟଙ୍କ ଅଧୀନରେ ପ୍ରାଶାସନିକ ଅଧିକାରୀ ରୂପେ ରାଜନୀତି ଆରମ୍ଭ କରି କାଳକ୍ରମେ ସେମାନେ ରାଜପରିବାର ସହ ବିବାହ ସମ୍ବନ୍ଧ ସ୍ଥାପନ କଲେ। ଏବଂ ସାମାଜିକ ଦୃଷ୍ଟିରୁ ଶରଭପୁରୀୟ ରାଜ ପରିବାର ସ୍ତରକୁ ଉନ୍ନୀତ ହେଲେ। କୁହାଯାଏ, ଶରଭପୁରୀୟ ବଂଶରେ ପୁତ୍ର ସନ୍ତାନ ନହେବାରୁ ପାଣ୍ଡୁବଂଶୀ ତିବରଦେବଙ୍କୁ ଶରଭପୁରୀୟ ରାଜସିଂହାସନ ପ୍ରାପ୍ତ ହେଲା ଏବଂ ଏହି ପ୍ରକ୍ରିୟାରେ ସୋମବଂଶୀମାନେ ରାଜବଂଶର ମର୍ଯ୍ୟାଦା ଲାଭ କଲେ। କାଳାଚୁରୀ ରାଜାମାନଙ୍କ ବାରମ୍ବାର ଆକ୍ରମଣଯୋଗୁଁ ଏହି ସମୟରେ ପାଣ୍ଡୁବଂଶୀ ନାମରେ ପରିଚିତ ସୋମବଂଶୀମାନେ ଉତ୍କଳ ଆଡ଼କୁ ଅଗ୍ରସର ହେଲେ ଏବଂ କାଳକ୍ରମେ ଓଡ଼ିଶାରେ ସ୍ଥାୟୀ ଭାବେ ରାଜ୍ୟ ପ୍ରତିଷ୍ଠା କଲେ।

ସୋମବଂଶୀମାନେ ଆରମ୍ଭରେ ଯେତେବେଳେ ପାଣ୍ଡୁବଂଶୀ ଭାବରେ ପରିଚିତ ଥିଲେ, ସେତେବେଳେ ସେମାନଙ୍କ ମୋଟ ଶାସନ କାଳ ୭୦୦ରୁ ୮୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ। ଦକ୍ଷିଣ କୋଶଳରେ ରାଜତ୍ୱ କରି ସେମାନେ ନିରନ୍ତର ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିିସ୍ତାରପାଇଁ ଉଦ୍ୟମ କରୁଥିଲେ। ମାତ୍ର ଏଥିରେ ସେମାନଙ୍କୁ ବିଶେଷ ସଫଳତା ମିଳିନଥିଲା। ତିବରଦେବଙ୍କୁ ପ୍ରମେ ରାଜ୍ୟ ଭାର ମିଳିିଲା ଏବଂ ୭୦୦ରୁ ୭୨୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ଶାସନ କରିବା ପରେ ତାଙ୍କର ଯେଉଁ ଉତ୍ତରାଧିକାରୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କଲେ ସେମାନେ ହେଲେ କ୍ରମାନ୍ୱୟରେ ଚନ୍ଦ୍ରଗୁପ୍ତ, ହର୍ଷଗୁପ୍ତ ଓ ବାଳାର୍ଜୁନ। ପିତା ହର୍ଷଗୁପ୍ତଙ୍କ ମୃତ୍ୟୁ ବେଳକୁ ବାଳାର୍ଜୁନ ନାବାଳକ ଥିବାରୁ ରାଜମାତା ବାସଟା ଦେବୀ କିଛି କାଳ ରାଜକାର୍ଯ୍ୟ ତୁଲାଇଥିଲେ। ରାଜଧାନୀ ଶିରପୁର ପ୍ରସ୍ତର ଅଭିଲେଖରେ ବାସଟା ଦେବୀଙ୍କ ସମୟରେ କୋଶଳରେ କେତେକ ବିଷ୍ଣୁ ମନ୍ଦିର ନିର୍ମିତ ହୋଇଥିବାର ଉଲ୍ଲେଖ ରହିଛି। ବାଳାର୍ଜୁନଙ୍କ ରାଜତ୍ୱ ସମୟରେ ଦକ୍ଷିଣ କୋଶଳ ରାଷ୍ଟ୍ରକୂଟମାନଙ୍କ ହାତରେ ପରାଜିତ ହୋଇ ସାମନ୍ତ ରାଜ୍ୟ ହେବାକୁ ବାଧ୍ୟ ହେଲା। ମାତ୍ର ରାଷ୍ଟ୍ରକୂଟ ରାଜା ତୃତୀୟ ଗୋବିନ୍ଦଙ୍କ ମୃତ୍ୟୁ ପରେ ବାଳାର୍ଜୁନ ପୁଣି ସ୍ୱାଧୀନ ହେଲେ। ବାଳାର୍ଜୁନ ଦୀର୍ଘ ୫୭ ବର୍ଷ ଧରି ରାଜ୍ୟ ଶାସନ କରି ଥିଲେ ଏବଂ ନିଜ ରାଜତ୍ୱ କାଳରେ ଅନେକ ଗୁଡ଼ିଏ ତାମ୍ରଶାସନ ପ୍ରଦାନ କରିଥିଲେ। ପାଣ୍ଡୁବଂଶୀ ସମୟର ଇତିହାସ ରଚନାରେ ଏହି ତାମ୍ରଶାସନ ମୁଖ୍ୟ ଆଧାର ରୂପେ ପରିଗଣିତ ହୁଏ। ବାଳାର୍ଜୁନ ଶୈବଧର୍ମର ଉପାସକ ଥିଲେ ଏବଂ ତା' ସହିତ ବୌଦ୍ଧଧର୍ମର ପୃଷ୍ଠପୋଷକତା କରୁଥିଲେ ବୋଲି ତାମ୍ରଶାସନରୁ ଜଣାଯାଏ। ତାଙ୍କ ସମୟରେ ଶିରପୁରଠାରେ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା।

ବାଳାର୍ଜୁନଙ୍କ ପରବର୍ତ୍ତୀ ପାଣ୍ଡୁବଂଶୀ ରାଜାମାନେ ନିଜକୁ ସୋମବଂଶୀ ବୋଲି ଅଭିହିତ କରିଥିଲେ। ନବମ ଶତାବ୍ଦୀର ମଧ୍ୟ ଭାଗରୁ (୮୫୦ ଖ୍ରୀଷ୍ଟାବ୍ଦରୁ) ଦ୍ୱାଦଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୧୧୦୦-୧୧୧୦ ଖ୍ରୀଷ୍ଟାବ୍ଦ) ସେମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ। ନିଜ ନାମ ସହିତ ଅଭିଷେକ ନାମ 'ମହାଶିବଗୁପ୍ତ' ଓ 'ମହାଭବଗୁପ୍ତ' ପଦବୀ ଗ୍ରହଣ କରି ସେମାନେ ନିଜ ଗୌରବ ଓ ପରାକ୍ରମର ପରିଚୟ ଦେଇଥିଲେ। ସେମାନେ କାହାରି ସାମନ୍ତରାଜା ନ ଥିଲେ। ସ୍ୱାଧୀନ ଭାବରେ ରାଜତ୍ୱ କରି କ୍ରମାଗତ ରାଜ୍ୟର ପରିସୀମା ବିସ୍ତାର କରିବାରେ ସଫଳ ହୋଇଥିଲେ। ଯାହା ପୂର୍ବରୁ ଉଲ୍ଲିଖିତ, ଅନେକ ମଣ୍ଡଳ ରାଜ୍ୟ ସେମାନଙ୍କ ସମୟରେ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିଲା। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରସ୍ତୁତ ସୋମବଂଶୀ ରାଜବଂଶାବଳୀ ନିମ୍ନରେ ଦିଆଗଲା।

ପ୍ରଥମ ଜନ୍ମେଜୟ

ପ୍ରଥମ ଜନ୍ମେଜୟ ସୋମବଂଶର ପ୍ରଥମ ରାଜା। କାଳାଚୁରୀମାନଙ୍କ ଆକ୍ରମଣଯୋଗୁଁ ସେ ଆଧୁିନିକ ଛତିଶଗଡ଼ର ରାୟପୁର-ବିଳାସପୁରସ୍ଥିତ ତାଙ୍କ ରାଜ୍ୟରୁ ସୋମରାଜ୍ୟକୁ ଓଡ଼ିଶା ଆଡକୁ ବିସ୍ତାରିତ କଲେ। ପ୍ରଥମେ ପଶ୍ଚିମ ଓଡ଼ିଶାର ସ୍ଥାନୀୟ ରାଜାମାନଙ୍କୁ ପରାଜିତ କରି ସେ କୋଶଳ ରାଜ୍ୟ ସ୍ଥାପନ କଲେ, ଯାହାକୁ ବର୍ତ୍ତମାନର ସମ୍ବଲପୁର-ବଲାଙ୍ଗୀର ଅଞ୍ଚଳ ସହ ଚିହ୍ନିତ କରାଯାଏ। ଏହା ପରେ ରାଜା ରଣ ଭଞ୍ଜଙ୍କୁ ଯୁଦ୍ଧରେ ପରାସ୍ତ ଓ ନିହତ କରି ଆଧୁନିକ ବୌଦ-ସୋନପୁର ସହ ଚିହ୍ନିତ ଖିଞ୍ଜଳି ମଣ୍ତଳ ରାଜ୍ୟ ଅଧିକାର କଲେ। ଖିଞ୍ଜଳି ମଣ୍ତଳ ଭୌମମାନଙ୍କର ସାମନ୍ତ ରାଜ୍ୟ ଥିବା ସତ୍ତ୍ୱେ ରଣ ଭଞ୍ଜଙ୍କୁ ଯୁଦ୍ଧ ବେଳେ ଭୌମକରମାନଙ୍କର ସୈନ୍ୟ ସହାୟତା ମିଳିଥିଲା। ହୁଏତ ଏତେବେଳକୁ ଭୌମମାନେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଜ ସାମନ୍ତ ରାଜ୍ୟକୁ ପ୍ରତିରକ୍ଷା ପ୍ରଦାନ କରିବାକୁ ଅସମର୍ଥ ଥିଲେ।

ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୋମବଂଶୀମାନେ ଭୌମକର ବଂଶ ସହ ବୈବାହିକ ସମ୍ବନ୍ଧ ସ୍ଥାପନ କଲେ। ପ୍ରଥମ ଜନ୍ମେଜୟ ନିଜ କନ୍ୟା ପୃଥ୍ୱୀ ମହାଦେବୀଙ୍କୁ ଭୌମରାଜା ଚତୁର୍ଥ ଶୁଭକର ଦେବଙ୍କ ସହିତ ବିବାହ ଦେଲେ। ଏହି ପ୍ରକ୍ରିୟାରେ ଜନ୍ମେଜୟ ଭୌମ ଶାସନରେ ହସ୍ତକ୍ଷେପ କଲେ। ଚତୁର୍ଥ ଶୁଭକରଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ଭାଇ ତୃତୀୟ ଶିବକର ଦେବ ସିଂହାସନ ଆରୋହଣ କଲେ, ପୃଥ୍ୱୀ ମହାଦେବୀ ତା'ର ବିରୋଧ କରିଥିଲେ। ଫଳରେ ଶିବକର ଦେବଙ୍କ ମୃତ୍ୟୁ ପରେ ସେ ଭୌମ ରାଜ୍ୟର ଶାସିକା ହେଲେ। ସମ୍ଭବତଃ ପିତା ପ୍ରଥମ ଜନ୍ମେଜୟଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସେ ଭୌମ ରାଜପଦ ଦାବି କରିଥିଲେ। ତେଣୁ ତାଙ୍କ ଦ୍ୱାରା ପ୍ରଦତ୍ତ ବୌଦ ତାମ୍ରଶାସନରେ ସେ ନିଜକୁ କୋଶଳର ସୋମବଂଶୀ ରାଜାଙ୍କ କନ୍ୟା ବୋଲି ସୁସ୍ପଷ୍ଟ କରିଥିଲେ। ଭୌମରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ପ୍ରଥମ ଜନ୍ମେଜୟଙ୍କ ହସ୍ତକ୍ଷେପ ରହିଥିବା କଥା ନିମ୍ନୋକ୍ତ କେତୋଟି ଘଟଣାରୁ ସାବ୍ୟସ୍ତ ହୁଏ।

ଜନ୍ମେଜୟଙ୍କ ପୁତ୍ର ପ୍ରଥମ ଯଯାତି ଭୌମଶାସିତ ତୋଷାଳୀ ରାଜ୍ୟରେ ରାଜତ୍ୱର ନବମ ବର୍ଷରେ ଏକ ଗ୍ରାମ ଦାନ କରିଥିଲେ। ସୋମବଂଶୀ ରାଜା ଯେତେବେଳେ କାଳାଚୁରୀ ରାଜା ଶଙ୍କରପଣଙ୍କ ସହ ଯୁଦ୍ଧରେ ବ୍ୟସ୍ତ ରହିଲେ, ତାହାର ସୁବିଧା ନେଇ ପୃଥ୍ୱୀମହାଦେବୀଙ୍କୁ ଭୌମ ଅଧିକାରୀମାନେ ରାଜପଦରୁ ଗାଦିଚ୍ୟୁତ କଲେ ଏବଂ ତାଙ୍କ ସ୍ଥାନରେ ତୃତୀୟ ଶିବକରଙ୍କ ବିଧବା ପତ୍ନୀ ତ୍ରିଭୁବନ ମହାଦେବୀଙ୍କୁ ସିଂହାସନରେ ବସାଇଲେ। କାଳାଚୁରୀଙ୍କ ସହିତ ଯୁଦ୍ଧ ସାରି ଯେତେବେଳେ ଯଯାତି ପୁଣି ଥରେ ନିଜ ଭଉଣୀ ପୃଥ୍ୱୀ ମହାଦେବୀଙ୍କୁ ଭୌମ ରାଜଗାଦି ଦେବାକୁ ପ୍ରୟାସ କଲେ, ତାହା ଭୌମ ଅଧିକାରୀଙ୍କ ବିରୋଧଯୋଗୁଁ ସମ୍ଭବ ହେଲା ନାହିଁ। ଏଥିରୁ ମନେହୁଏ ଭୌମ ପ୍ରଶାସନରେ ସୋମବଂଶୀମାନଙ୍କର ହସ୍ତକ୍ଷେପ ରହିଥିଲା ଏବଂ ତାକୁ ଭୌମ ରାଜଅଧିକାରୀ ବର୍ଗ ତୀବ୍ର ବିରୋଧ କରୁଥିଲେ। ସମ୍ଭବତଃ ଓଡ଼ିଶା ବାହାରୁ ଆସି କୋଶଳରେ ରାଜତ୍ୱ କରୁଥିବା ଏବଂ କୋଶଳକୁ କେନ୍ଦ୍ର କରି ବାକି ଓଡ଼ିଶାକୁ ରାଜ୍ୟବିସ୍ତାର କରୁଥିବା ସୋମବଂଶୀମାନଙ୍କୁ ଆରମ୍ଭରେ ସ୍ଥାନୀୟ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରଥମ ଜନ୍ମେଜୟ ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୁବର୍ଣ୍ଣପୁରକୁ (ଆଧୁନିକ ସୋନପୁର) ରାଜଧାନୀ ପରିବର୍ତ୍ତନ କଲେ। ପ୍ରଥମ ଯଯାତି ସୁବର୍ଣ୍ଣପୁରରୁ ପ୍ରଥମେ ବିନୀତପୁର (ବିନିକା) ଓ ରାଜତ୍ୱର ପନ୍ଦର ବର୍ଷରେ ଯଯାତି ନଗରକୁ (ଯାଜପୁର) ରାଜଧାନୀ ସ୍ଥାନାନ୍ତର କରିଥିଲେ। ଏଥିରୁ ଜଣାଯାଏ ଯେ ସେମାନେ କ୍ରମଶଃ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ନିଜ କର୍ତ୍ତୃତ୍ୱକୁ ଆଣି ପାରିଥିଲେ। ସୋମବଂଶୀ ରାଜା ମହାଶିବଗୁପ୍ତ ଧର୍ମର ଖଣ୍ଡପଡ଼ାରେ ତାମ୍ରଶାସନ ଜାରି କରିଥିଲେ। ଅନ୍ୟ ଜଣେ ରାଜା ଉଦ୍ୟୋତ କେଶରୀ ନରସିଂହପୁରରେ ଏବଂ ଇନ୍ଦ୍ର ରଥ ବାଣପୁରରେ ତାମ୍ରଶାସନ ଜାରି କରିିଥିଲେ। ପୁଣି, ବାଣପୁର ତାମ୍ରଶାସନରୁ ଜଣାଯାଏ ଯେ, ଧର୍ମରଥ କଳିଙ୍ଗ ଓ କଙ୍ଗୋଦ ରାଜ୍ୟ ଅଧିକାର କରି ସେଠାରେ ଭ୍ରାତା ଇନ୍ଦ୍ରରଥଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥିଲେ। ଇନ୍ଦ୍ରରଥ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ଓ ଟିଟିଲାଗଡ଼ ନିକଟସ୍ଥ ରାଣୀପୁର-ଝରିଆଲରେ ଇନ୍ଦ୍ରଲାଠ ମନ୍ଦିର ନିର୍ମାଣ କରିଥିଲେ- ଯାହା ତାଙ୍କ ରାଜ୍ୟର ବ୍ୟାପକତାକୁ ଦର୍ଶାଏ। ଚତୁର୍ଥ ମହାଭବଗୁପ୍ତ ଉଦ୍ୟୋତ କେଶରୀଙ୍କ ରାଜତ୍ୱ ବେଳକୁ ସୋମବଂଶର ରାଜତ୍ୱ କୋଶଳ, ଉତ୍କଳ ଓ ଓଡ୍ର ଦେଶକୁ ବ୍ୟାପି ସାରିଥିଲା।

ସୋମବଂଶୀ ରାଜାମାନେ ଯଦିଓ ଓଡ଼ିଶା ଭିତରେ ଖୁବ୍‍ ପରାକ୍ରମଶାଳୀ ଥିଲେ ଏବଂ ଓଡ୍ର, କୋଶଳ, କଙ୍ଗୋଦ ଓ ଉତ୍କଳ ଆଦି ରାଜ୍ୟ ଜୟ କରିବାକୁ ସମର୍ଥ ହୋଇଥିଲେ, ସେମାନଙ୍କୁ ଅନେକ ବାହାର ରାଜାଙ୍କ ହାତରେ ପରାଜୟ ମଧ୍ୟ ବରଣ କରିବାକୁ ପଡିଥିଲା। କାଳାଚୁରୀମାନେ ଥିଲେ ସୋମବଂଶୀ ରାଜାଙ୍କ ପରମ ଶତ୍ରୁ। ଇନ୍ଦ୍ରରଥଙ୍କ ସମୟରେ କାଳାଚୁରୀମାନେ ସୋମବଂଶୀ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଜିଣି ନେଇଥିଲେ। ଦ୍ୱିତୀୟ ଯଯାତି ମଧ୍ୟ କାଳାଚୁରୀମାନଙ୍କ ହାତରେ ପରାସ୍ତ ହୋଇଥିଲେ। ସେହିପରି ଚୋଳମାନେ ସୁବର୍ଣ୍ଣପୁରକୁ ଏବଂ ଉତ୍ତର ଗଙ୍ଗବଂଶୀ ରାଜା ତୃତୀୟ ବଜ୍ରହସ୍ତ ଦେବ ସୋମବଂଶୀମାନଙ୍କ ହାତରୁ କଳିଙ୍ଗ ଓ କଙ୍ଗୋଦକୁ ଜିଣି ନେବାରେ ସକ୍ଷମ ହୋଇଥିଲେ।

ଦ୍ୱିତୀୟ ଯଯାତି କେଶରୀ ଓ ତାଙ୍କ ପୁତ୍ର ଉଦ୍ୟୋତ କେଶରୀଙ୍କୁ ସୋମବଂଶୀ ରାଜାମାନଙ୍କ ମଧ୍ୟରେ ପ୍ରମୁଖତା ଦିଆଯାଏ। ମାଦଳାପାଞ୍ଜିରୁ ଜଣାଯାଏ ଯେ, ଦ୍ୱିତୀୟ ଯଯାତି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ଯାଜପୁରରେ କାନ୍ୟକୁବ୍‍ଜରୁ ଦଶହଜାର ବ୍ରାହ୍ମଣଙ୍କୁ ଅଣାଇ ସେ ଦଶାଶ୍ୱମେଧ ଯଜ୍ଞ ମଧ୍ୟ କରିଥିଲେ। ସମ୍ଭବତଃ ଏହି ବ୍ରାହ୍ମଣମାନେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ସ୍ଥାୟୀ ଭାବରେ ବସବାସ କରିଥିଲେ। ବ୍ରାହ୍ମଣମାନଙ୍କ ଆଗମନ ପରେ ଓଡ଼ିଶାରେ ବ୍ରାହ୍ମଣ୍ୟ ସଂସ୍କୃତିର ପ୍ରସାର ହେଲା। ପିତାଙ୍କ ପଥ ଅନୁସରଣ କରି ଉଦ୍ୟୋତ କେଶରୀ ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିଥିଲେ। ଏହା ଓଡ଼ିଶାରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କୁ ତୀବ୍ରତର କଲା। ସୋମବଂଶୀମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ବ୍ରହ୍ମେଶ୍ୱରୀ ମନ୍ଦିର ଅଭିଲେଖରେ ଉଦ୍ୟୋତ କେଶରୀ ପ୍ରଥମେ ରାଜକୁମାର ଭାବରେ ଏବଂ ପରେ ରାଜା ଭାବରେ କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କୁ ପ୍ରତିହତ କରିଥିବା କଥା ଉଲ୍ଲେଖ ଅଛି। ତାଙ୍କ ସମୟରେ ବାମଣ୍ଡା ମଣ୍ଡଳ ରାଜ୍ୟ ସ୍ଥାପିତ ହୋଇଥିଲା, ଯାହାର ପ୍ରାଶାସନିକ ଦାୟିତ୍ୱ ଜଣେ ରାଜକୁମାରଙ୍କ ହାତରେ ନ୍ୟସ୍ତ ଥିଲା। ଶିବ ଉପାସକ ଭାବରେ ସେ ଲିଙ୍ଗରାଜ ମନ୍ଦିରର ଜଗମୋହନ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣନା କରାଯାଇଛି। ଏକାଦଶ ଶତାବ୍ଦୀର ଶେଷ ବେଳକୁ ସୋମବଂଶୀ ରାଜ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲା। କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବଡ଼ ଶତ୍ରୁ ଭାବରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶ ରାଜ୍ୟ ସମ୍ମୁଖକୁ ଆସିଲା। ବାହାରର ଅନ୍ୟ ରାଜ୍ୟଗୁଡ଼ିକ ପରି ଗଙ୍ଗମାନେ କେବଳ ଆକ୍ରମଣ କରି ଓ ଧନସମ୍ପତ୍ତି ଲୁଟି ନେଇ ସନ୍ତୁଷ୍ଟ ହୋଇନଥିଲେ। ଅତୀତରେ ଭୌମମାନଙ୍କ ରାଜ୍ୟରେ ସୋମବଂଶୀମାନେ ରାଜ୍ୟ ବିସ୍ତାର କଲା ପରି, ସେମାନେ (ଉତ୍ତର ଗଙ୍ଗମାନେ) ଓଡ଼ିଶାର ଗୋଟାକ ପରେ ଗୋଟାଏ ରାଜ୍ୟ ଅଧିକାର କରିନେଲେ ଏବଂ ନିଜ ରାଜ୍ୟର ବିସ୍ତାର କଲେ। ଦିରଘାସି ଶିଳାଲେଖରୁ ଜଣାଯାଏ ଯେ ଗଙ୍ଗରାଜା ପ୍ରଥମ ରାଜରାଜ ଦେବେନ୍ଦ୍ର ବର୍ମାଙ୍କର ସେନାପତି ଖିମିଡ଼ି, ଓଡ୍ର ଓ କୋଶଳ ଆଦି ରାଜ୍ୟର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ସୋମବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ। ରାଜତ୍ୱର ଷଷ୍ଠ ବର୍ଷରେ ସେ ରତ୍ନଗିରି ତାମ୍ର ଶାସନ ରାଜଧାନୀ ଯଯାତିନଗରଠାରୁ ପ୍ରଦାନ କରିଥିଲେ। ସେ ସିଂହାସନ ଆରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଆସିିଥିଲା। ତାଙ୍କ ସମୟରେ ପାଳବଂଶର ରାଜା ରାମପାଳ ଉତ୍ତର ଦିଗରୁ ଏବଂ ଗଙ୍ଗରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଦକ୍ଷିଣ ଦିଗରୁ ସୋମବଂଶୀ ରାଜ୍ୟ ଉପରେ ଆକ୍ରମଣ କଲେ। ସମ୍ଭବତଃ ପାଳମାନେ କର୍ଣ୍ଣଦେବଙ୍କୁୁ ପରାସ୍ତ କରିଥିଲେ, କିନ୍ତୁ ଚୋଡ଼ଗଙ୍ଗଦେବ ତାଙ୍କୁ ସୁରକ୍ଷା ପ୍ରଦାନ କରି ପୁଣି ଥରେ ସିଂହାସନରେ ବସାଇଥିଲେ। ମାତ୍ର ଚୋଡ଼ଗଙ୍ଗଦେବଙ୍କ ଅନୁକମ୍ପା ଲାଭ କରି କର୍ଣ୍ଣଦେବ ଗଙ୍ଗକର୍ତ୍ତୃତ୍ୱାଧୀନ ହୋଇ ପଡ଼ିଲେ। ଶେଷରେ ୧୧୧୨ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସୋମବଂଶୀ ରାଜ୍ୟକୁ ଅଧିକାର କରିନେଲେ। ଏହିଭଳି ଭାବେ ସୋମବଂଶୀ ଶାସନର ଅନ୍ତ ହେଲା। ରାଜନୈତିକ ଦୃଷ୍ଟିରୁ ଦେଖିଲେ, ଭୈାମମାନଙ୍କ ସମୟରେ ପ୍ରାକୃତିକ ଓଡ଼ିଶା କ୍ଷେତ୍ରକୁ ଯେଉଁ ଏକ ଶାସନ ଏବଂ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା, ତାହା ସୋମବଂଶୀମାନଙ୍କ ରାଜତ୍ୱରେ ତ୍ୱରାନ୍ୱିତ ହେଲା। ଉତ୍ତର ଭାରତରୁ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଓଡ଼ିଶାରେ ବସତି ସ୍ଥାପନ କରିବାକୁ ସୁବିଧା ସୁଯୋଗ ଦେଇ ସେମାନେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା ବୃଦ୍ଧି କଲେ। ସାମାଜିକ ବର୍ଗୀକରଣ, ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଓ ସାମ୍ରାଜ୍ୟ ବିସ୍ତାରର ପ୍ରକ୍ରିୟା ମଧ୍ୟରେ ଅନୁପୂରକତା ଦେଖିବାକୁ ମିଳିଲା। ଭୌମମାନଙ୍କ ସମୟରେ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ମଣ୍ଡଳ ରାଜ୍ୟଗୁଡ଼ିକରେ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ମିଳିଥିଲା। ସୋମବଂଶୀମାନଙ୍କ ସମୟରେ ବାହାରୁ ସେମାନଙ୍କୁ ଅଣାଗଲା। ଉଭୟ ବିଷୟକୁ ଯୋଡ଼ି ଦେଖିଲେ ଜଣାଯାଏ ଯେ, ଓଡ଼ିଶା ଆନ୍ତରିକ ଭାବରେ ତ‌ଥା ବାହାର କ୍ଷେତ୍ର ସହିତ ଏହି ସମୟରେ ବ୍ରାହ୍ମଣ୍ୟ ଧର୍ମ ମାଧ୍ୟମରେ ସଂଯୋଜିତ ହେବା ଲାଗି ଅଧିକ ମାତ୍ରାରେ ରାଜ ପ୍ରୋତ୍ସାହନ ଲାଭ କଲା। ସେହି ଦୃଷ୍ଟିରୁ ଦେଖିଲେ ସୋମବଂଶୀ ରାଜତ୍ୱ ଯେ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ- ଏଥିରେ କୌଣସି ଦ୍ୱିମତ ନାହିଁ।

...