କଥାଲହରୀ/ଟକ୍‌ମକ୍‌ପାଣି ଚଳନ୍ତିବାଜା କଥା

କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଟକ୍‌ମକ୍‌ପାଣି ଚଳନ୍ତିବାଜା କଥା

ଗୋଟିଏ ରାଜାଟିଏ, ତାର ସାତ ଭାରିଯା । ରାଜା ଦିନକର ପାରିଧିକି ଯାଉଥିଲେ, ପାତ୍ରମନ୍ତ୍ରୀ ସମସ୍ତିଙ୍କି ସାଙ୍ଗରେ ନେଇ ଯାଇଥିଲେ । ଅସୁରୁଣୀ ସାତ ଭଉଣୀ ଯେ, ସାତ ଭଉଣୀଯାକ କଳିକଜିୟା କରି ସବା ସାନ ଭଉଣୀକି ତଡ଼ି ଦେଇଥିଲେ ଯେ ସେ ଆସି ଗୋଟାଏ ଗଛରେ ଗଢ଼ି କନ୍ଦୁଥିଲା ବନସ୍ତରେ, ରାଜାଙ୍କ ଉପରେ ଲୁହ ପଡ଼ିଲା । ରାଜା କହିଲେ ଚାଖୁଆଣିଆକୁ ଚାଖିବୁତି, ଆମ ସରିସା କି ତମ ସରିସା ? ଚାଖୁଣିଆ ଚାଖିଲା, କହିଲା ଆପଣଙ୍କ ସରିସା ହେବ । ରାଜା କହିଲେ, ମନ୍ତ୍ରୀଙ୍କି ଯାଆ, ହାତ ଧରିକରି ଆଣ । ମନ୍ତ୍ରୀ ଗଲେ, ହାତଧରିକରି ଆଣିଲେ, ରାଜାଙ୍କ ପାଖରେ ଠିଆ କରିଦେଲେ । ରାଜା ଅସୁରୁଣୀ କି ପଚାରିଲେ ତୁ କିଏ ? ଏଠାକୁ କାହିଁକି ଆସିଚୁ ? ଅସୁରୁଣୀ ରାଜାଙ୍କୁ ଦେଖି ଖୁବ୍ ସୁନ୍ଦର ମୋହିନୀବେଶ ଧରିଲା ରାଜା ଯେପରି ଭୁଲିଯିବେ ମିଛରେ କହିଲା ମୁଁ ଆରଦେଶର ରାଜାର ଝିଅ, ବାତ ନ ପାଇ ଏଥାକୁ ଆସିଲିବାହାରି, ରାଜା କହିଲେ ହଉ ଚାଲ, ତେବେ ତେମେ ଆମର ପାଟରାଣୀ ହେବଁ, ରାଜା ତାକୁ ସୁଆରିରେ ବସାଇଲେ, ନେଇକରି ଗଲେ । ଗାଁଲୋକ ସବୁ କହିଲେ, ରାଜା ପାରିଧିକି ଯାଇଥିଲେ, ଗୋଟିଏ ନୂଆ ରାଣୀ ଆଣି ଚନ୍ତି, ଏହିପରି କହିଲେ, ଦେଖିକରି ଗଲେ । ରାଜା ୟାକୁ ଆଣି ଘରେ ରଖି ବିଭା ହେଲେ । ଦି ଚାରିଦିନ ଗଲା, ସମସ୍ତଙ୍କୁ ଜେତେ ଲେଖା ଭାତ ଦିଅନ୍ତି ତାକୁ ସେତିକି ଦିଅନ୍ତି । ଏତ ଅସୁରୁଣୀଟାଏ, ଏହା ପେଟ ପୁରୁଚି କୋଉଠି ? ଏ କଣ କରେ ରାତିଅଧରେ ସମସ୍ତେ ଯହୁଁ ଶୋଇପଡ଼ନ୍ତି, ଯାଏ ହାତୀଶାଳକୁ, ହାତୀ ଗୋଟାଏ ଗିଳେ; ଆସେ । କୋଉଦିନ ଘୋଡ଼ା, କୋଉଦିନ ଗାଈ; ଏହିପରି ଗୋଟାଏ ଗିଳେ । ଏମନ୍ତ କରୁ ୨ ଘୋଡ଼ା, ଗାଈ, ହାତୀ ସବୁ ଉଣା ହୋଇଗଲେ । କେହି କିଛି ବୁଝି ପାରନ୍ତି ନାହିଁ, ରାଜା ଖାଲି ଗଉଡ଼କୁ ମାରନ୍ତି, ଆମର ଗାଈ, ଗୋରୁ, ହାତୀ, ଘୋଡ଼ା କଣ କରୁଚୁ ବୋଲି । ରାଜାଙ୍କର ଆର ସାତ ଭାରିଜାଯାକ ଜାଣିଥାନ୍ତି ସାନରାଣୀ ଖାଉଚି ବୋଲି, ଧରେଇ ଦେଇ ପାରୁ ନ ଥାନ୍ତି ବୋଲି କିଛି ଆଉ କହୁ ନ ଥାନ୍ତି । ଏମାନେ ଦିନେ ଶିଖାଶିଖି ହେଲେ, କହିଲେ ଚାଲ ଆମେ ଗୁହାଳରେ ଲୁଚିଥିବା, ଏ କେମନ୍ତି ଖାଇବ ଦେଖିବା । ଏ ଯାଇ ଲୁଚିଛନ୍ତି ଗୁହାଳ କଣରେ, ଅସୁରୁଣୀ ଗଲା ଗୁହାଳକୁ, ଏଣିକିତେଣିକି ଅନାଇ ଗୋଟାଏ ଗାଈ ଫିଟାଇ ଖାଇଗଲା । ଖାଇସାରି ବାହାରିଗଲାବେଳକୁ ଅସୁରୁଣୀର ଏମାନଙ୍କ ଉପରେ ନଜର ପଡ଼ିଗଲା; ଆଗବଳପଡ଼ି ଦଉଡ଼ି ଆସି ରାଜାଙ୍କୁ କହିଲା ଦେଖିଲଣି ତେମେ ଗଉଡ଼ହେରିକକୁ କଣ ମାରୁଚ, ତମର ତ ଏହିମାନେ ଗୋରୁଗାଈ ଖାଇଯାଉଛନ୍ତି । ରାଜା ଦେଖିଲେ, କହିଲେ ସତେ, ଏହିମାନେ ତ ଖାଉଛନ୍ତି । ଏମାନେ ଯେତେ ମନା କଲେ, ରାଜା ଜମା ମାନିଲେ ନାହିଁ; କହିଲେ ଏମାନଙ୍କୁ କଣ ଦଣ୍ଡ ଦିଆହେବ ? ଅସୁରୁଣୀ କହିଲା ଖୁବ୍ ବଡ଼ ଗୋଟାଏ ଟୋପର ଖୋଳାଅ, ସେଇଥି ଭିତରେ ଏମାନଙ୍କୁ ପକାଇ ଦିଅ, ଆଉ ଏମାନଙ୍କ ଆଖି ଖୋଳି ରଖ ଯେ ସେଇଥି ଭିତରେ ପଡ଼ି କୁଆଡ଼େ ଯାଇ ନ ପାରି ମରିଯିବେ । ରାଜା କହିଲେ ହଉ, ଖୁବ୍ ବଡ଼ଟୋପରଟାଏ ଖୋଳାହେଲା, ଏମାନଙ୍କ ଆକ୍ଷି ଖୋଳି ରଖି ସେଇଥି ଭିତରେ ପକାଇଦେଲେ, ଟୋପର ଉପରେ ପଟା ପକାଇ ଦେଇଁ ମାଟି ଚଢ଼ାଇ ଦେଲେ । ଏ ସାତ ସଉତୁଣୀଯାକ ଗର୍ଭ ହୋଇ ଥାନ୍ତି, ସେ ଟୋପରରେ ପଡ଼ି କେତେଦିନ କଷ୍ଟ ସହିଲେ; ଆଗହୋଇ ବଡ଼ ସଉତୁଣୀର ପୁଅଟିଏ ହେଲା । ସାନ ସଉତୁଣୀକି ଛାଡ଼ି ଆଉ ପାଞ୍ଚ ସଉତୁଣୀ କହିଲେ ହେ ଆଣ ତୋ ପୁଅକୁ, ସମସ୍ତେ ବାଣ୍ଟି କୁଣ୍ଟି ଖାଇ ପେଟଜାଳାନିବାରଣ କରିବା, ତୋର ଆମେ ଖାଇଥିବୁ, ଆମର ହେଲେ ତୁ ଖାଇବୁ ସାନ ସଉତୁଣୀ ଆଉ କିଛି କହିଲା ନାହିଁ । ବଡ଼ ସଉତୁଣୀ କହିଲା ହଉ, ପୁଅକୁ ସାତଖଣ୍ଡ କରିଦେଲା, ନିଜେ ଖଣ୍ଡେ ଖାଇଲା, ଆଉ ଛଖଣ୍ଡ ଛ'ଜଣକୁ ବାଣ୍ଟି ଦେଲା । ଏ ପାଞ୍ଚ ସଉତୁଣୀ ଖାଇଲେ, ସାନ ସଉତୁଣୀ ଆଉ ଖାଇଲା ନାହିଁ, ରଖିଦେଇ ଥାଏ । ଏହିପରି ଛ ସଉତୁଣୀଙ୍କର ପୁଅ ହେଲା, ସମସ୍ତେ ମାରିକରି ଖାଇ ଦେଲେ ବାଣ୍ଟି କୁଣ୍ଟି କରି, ଆଉ ସାନ ସଉତୁଣୀ ରଖିଥାଏ, ଖାଇ ନ ଥାଏ । ତାର ଯେତେବେଳେ ପୁଅ ହେଲା, ଏ ସବୁ ଲଗାଇଲେ ତୋର ପୁଅକୁ ଦେ ଖାଇବୁଁ, ଏ କହିଲା ତମର ଯାହାକୁ ସବୁ ଦେଇଛ, ତାକୁନିଅ ମୁଁ ରଖିଚି, ମୋ ପୁଅକୁ କେହି ଖାଅନା । ଏହିପରି କହି ପୁଅଟିକୁ ରଖିଲା । ସମସ୍ତେ ସେ ପୁଅଟିକୁ ଶରଧା କଲେ, ଆଦର କରି ଦୁଧ ଦେଲେ [] ରଖିଲେ ଏ ପୁଅଟିକି ଯୋଉଠୁ ଦଶ ବାର ବରଷ ହୋଇଗଲା, ସେ କହିଲା ତେମେ ସବୁ ଏଠେଇଁ କାହିଁକି ପଡ଼ିଚ କହ, ଏମାନେ ସବୁ କହିଲେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ, ପୁଅ କହିଲା, ତମମାନଙ୍କ ଦୁଃଖ ପେଡ଼ିବ, ତେମେମାନେ ମେତେ ଉପରକୁ ଉଠାଇ ଦିଅ । ଏମାନେ ଅସୁରୁଣୀ ଭୟରେ ନାହିଁ କରୁଥାନ୍ତି । ପୁଅ ଏକଯିଦ୍ ଲଗାଇଲା ଯୋଉଠୁଁ ଏମାନେ କଣ କଲେ, ତାଉପରେ ତାଉପରେ ହୋଇ ଠି ହେଲେ, ପୁଅକୁ ଉପରକୁ ଉଠାଇ ଦେଲେ । ପୁଅ ଆସିଲା ଉପରକୁ, ସବୁ ଚାକରମାନଙ୍କୁ ପଚାରିଲ ରାଣୀଙ୍କ ଉଆସ କେଉଁଠି ? ସମସ୍ତେ ରାଣୀଙ୍କ ଉଆସ ଦେଖାଇ ଦେଲେ । ଏ ଯାଇ ଦଣ୍ଡବତ କଲା ଅସୁରୁଣୀକି, କହିଲା ମୋ ମା ମାନଙ୍କ ଆକ୍ଷି ଦିଅ । ଏ କହିଲା ମୁଁ ଆକ୍ଷି ଦେଖି ନାହିଁ । ଏ ସେଇଠୁ ରାଜାଙ୍କ ପାଖକୁ ଗଲା, ଦଣ୍ଡବତ କଲା । ୟାକୁ ଯାଉଁ ରାଜା ଜାଣିଲେ ଯେଉଁମାନଙ୍କୁ ଦୀଘିରେ ପକାଇଛନ୍ତି, ତାଙ୍କରିମାନଙ୍କ ପୁଅ ବୋଲି; ରାଜା କହିଲେ ହଉ ଆମ ପାଖରେ ରହ । ଏ କେତେ ଦିନ ରହିଲା । ଅସୁରୁଣୀ ଖାଲି ଫିକର ଲାଗିଥାଏ କେମନ୍ତି ୟାକୁ ମାରିବ । ଦିନେ ମିଛେରା ଜର କଲା ବୋଲି ଶୋଇଲା, ରାଜାଙ୍କୁ ଡକାଇପଠାଇ କହିଲା ଆମ ଦେଶରେ ଯେଉଁ ଚଳନ୍ତି ବାଜା, ଟକମକ ପାଣି ଅଛି ସେ ଯେବେ ଆସିବ ଓଷଧ ତିଆରି ହେବ, ମୁଁ ଖାଇଲେ ଜର ଭଲ ହେବ । ରାଜା ଭାବିଲେ କିଏ ଯିବ ଏ ସବୁ ଆଣିବ ? ଅସୁରୁଣୀ କହିଲା, ସେ କଣ ସହଜ କଥା ? ଯେବେ ସେହି ପୁଅ ଯିବ ଆଣିପାରିବ, ନଇଲେ ଆଉ କେହି ଆଣିପାରିବେ ନାହିଁ । ରାଜା କହିଲେ ହଉ, ପୁଅକୁ କହିଲେ । ପୁଅ କଅଣ କଲା, ରାଜାଙ୍କ ଘୋଡ଼ାଶାଳରୁ ଘୋଡ଼ାଟିଏ ନେଲା, ବାହାରିଲା, ଗଲାବେଳେ ଅସୁରୁଣୀକି ଦଣ୍ଡବତ କରିବାକୁ ଗଲା । ଅସୁରୁଣୀ ଖଣ୍ଡେ ଭାଷା ଲେଖିଲା ଛଭଉଣୀଙ୍କ ପାଖକୁ, କି ଏ ମୋ ସଉତୁଣୀଙ୍କ ପୁଅଯାଉଚି, ଯାକୁ ଯେପରି ମାରି ଖାଇଦେବ; ଆଉ ଯେମନ୍ତି ଏ ରାଜ୍ୟକୁ ନ ଆସିବ । ଏତ ଦୀଘିଭିତରେ ବଢ଼ିଥିଲା; ପାଠପଢ଼ି ନାହିଁ ଭାଷା କେଉଁଠୁ ପଢ଼ିବ ? ଭାଷା ଖଣ୍ଡିକ ଘେନି ଘୋଡ଼ାରେଚଢ଼ି ବାହାରିଲା । ଅଧାବାଟରେ ହେଲାଣି, ଗୋଟାଏ ଜଉତିଷ ଦେଖିଲା, ତାକୁ କହିଲା ହେ ଏ ଭାଷାକୁ ପଢ଼ିବଟି, ଏଥିରେ କଅଣ ସବୁ ଲେଖା ହେଇଚି । ଯାହା ସବୁ ଲେଖା ହୋଇଥିଲା, ଜଉତିଷ ପଢ଼ିଗଲା, ଏ ଶୁଣିଲା, କହିଲା ସେ ଭାଷାକୁ ଚିରିପକାଅ, ଆଉଖଣ୍ଡେ ଲେଖିଦିଅ ମୋ ପୁଅ ଯାଉଚି, ତାକୁ ଯେପରି କେହି ଅଣହେଳା କରିବ ନାହିଁ; ଜଉତିଷ ଏପରି ଖଣ୍ଡେ ଭାଷା ଲେଖି ଦେଲା, ଏ ନେଇକରି ଯାଇଁ ଅସୁରଦେଶରେ ପହଞ୍ଚିଲା । ଭାଷା ଦେଖି ସମସ୍ତେ କହିଲେ, ଆମ ସାନ ଭଉଣୀ ପୁଅ ଆସିଲାଣି । ଏ ସମସ୍ତିଙ୍କି ଦଣ୍ଡବତ କଲା । ୟାକୁ ସବୁ ଏମାନେ ତଳେ ପକାଇ ଦେଲେ ନାହିଁ । ଭାରି ଯତ୍ନରେ ରଖାଇଲେ, ସବୁ ଘରଦ୍ୱାର ଦେଖାଇଦେଲେ; ଏମାନଙ୍କ ଜୀବନ ଯେଉଁଥିରେ ଥିଲା ଓ ୟା ମା ମାନଙ୍କ ଆକ୍ଷି ଅସୁରୁଣୀ ବାପଘରକୁ ପଠାଇଦେଇଥିଲା ତାକୁ ସବୁ ଦେଖାଇଲେ । ଏ ପଚାରିଲା ଆକ୍ଷି କେମନ୍ତି ଲାଗିବ ? ଅସୁରୁଣୀଯାକ କହିଲେ, ଟକ୍‌ମକ୍ ପାଣି ଦେଇ ଲଗାଇ ଦେଲେ ଆକ୍ଷି ସବୁ ଲାଗିଯିବ । ଏହିପରି ବୁଝାସୁଝା କରି ସାରିଲା, ସେଠାରେ ଦି ଚାରି ଦିନ ରହିଲା; ଦିନେ ଅସୁରୁଣୀଯାକ ଚରିବାକୁ ଯାଇଚନ୍ତି, ଏ କଣ କଲା, ବଗଟିମାନଙ୍କ ବେକ ମୋଡ଼ି ଦେଲା ଯେ ଛ ଭଉଣୀଯାକ ସେ ଆଡ଼େ ମରିଗଲେ । ଯୋଉ ଅସୁରୁଣୀ ରାଜାଘରେ ଛି ତାର ଜୀବନକୁ ନେଇ ଟକ୍‌ମକ୍ ପାନି, ଚଳନ୍ତି ବାଜା, ମା ମାନଙ୍କ ଆକ୍ଷି ଘେନି ଘରକୁ ଆସିଲା । ଆସି ରାଜାଙ୍କ ପାଖକୁ ଗଲା, କହିଲା, ତମ ରାଣୀ ପରା ଅସୁରୁଣୀ ନୁହେ ? ତାକୁ ଡାକ, ଦେଖିବ କେତେଘୋଡ଼ା ହାତୀ ଗାଈ ଗୋରୁ ଖାଇଚି । ରାଜା ରାଣୀଙ୍କି ଡକାଇ ପଠାଇଲେ; ଏଣେ ପୁଅ କଣ କରୁଥାଏ, ବଗବେକକୁ ମୋଡ଼ି ଦେଉଥାଏ, ଯେ ଅସୁରୁଣୀର ବେକ ମୋଡ଼ି ହୋଇପଡ଼ୁଥାଏ । ଅସୁରୁଣୀ ଆସି ପହଞ୍ଚିଲା, ପୁଅ କହିଲା ଏ ପରା ଅସୁରୁଣୀ ନୁହେ ? ଏହିକ୍ଷଣ ସବୁ ଜଣାଯିବ । ଆଣମାନେ ଏଇଠି ବସନ୍ତୁ, ମୁଁ ଆପଣଙ୍କ ଦାତୀ ଘୋଡ଼ା ସବୁ ଏହାରିଠାରୁ ଅସୁଲ କରି ଦେଉଛି । ଏହିପରି କହି ଅସୁରୁଣୀକୁ ବଗଟିକି ଦେଖାଇଦେଲା । ଅସୁରୁଣୀ ବଗଟିକି ଦେଖି ଲଗାଉଥାଏ ମତେ ସେ ବଗଟିକି ଦେ, ମୁଁ ତମର ସବୁ ଦେବି, ପୁଅ ଲଗାଇଥାଏ ସବୁ ଦେଇ ସାର ମୁଁ ବଗ ଦେବି । ଅସୁରୁଣୀ ବାନ୍ତିକରି ପକାଇଲା ଯେ ହାତୀ ହୋଡ଼ା ସବୁ ବାହାରିପଡ଼ିଲେ । ଏ ସେଉଠୁ ବଗଟିକି ମାରିଦେଲା, ଅସୁରୁଣୀ ଛୁଟୁପୁଟୁ ହେଇ ମରିଗଲା । ଏମାନଙ୍କୁ ଦିଘୀରୁ ବାହାର କଲା, ଟକ୍‌ମକ୍ ପାଣି ଲଗାଇ ତାଙ୍କ ଆକ୍ଷିସବୁ ଯୋଡ଼ିଦେଲା । ରାଜା ଆଉ ରାଣୀମାନେ ଖୁବ ସୁଖରେ ରହିଲେ, ଏ ପୁଅକୁ ବାହାଚୋରା କଲେ । ଏ ଆନନ୍ଦରେ ରହି ଘର ଦୁଆର କଲା । ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ଇତ୍ୟାଦି ।

  1. ସ୍ତନ୍ୟପାନ କରାଇଲେ ।