କଥାଲହରୀ/ଡ଼ାଳିମ୍ୱକୁମର କଥା
←ମଣ୍ତାଗଛ ବା ଗଉଡ଼ପୁଅ କଥା | କଥାଲହରୀ (୧୯୨୩) ଲେଖକ/କବି: ଡ଼ାଳିମ୍ୱକୁମର କଥା |
କଲୁରୀବେଣ୍ଟ କଥା→ |
ଗୋଟିଏ ରାଜାଟିଏ ତାର ଦୁଇ ଭାରିଯା । କହାର କିଛି ସନ୍ତାନ ହେଲା ନାହ । ରଜା ଭାରି ଚିନ୍ତା କରିଥାନ୍ତି, ଖୁବ୍ ଦାନ ଧ୍ୟାନ କରୁ ଥାନ୍ତି କେମନ୍ତ ଗୋଟିଏ ପୁଅ ହେବ । ଦିନକର ଜଣେ ସିଦ୍ଧ ପୁରୁଷ ଆସିଲେ, ସେ ପଚାରିଲେ ରଜାଙ୍କର ଏତେ ଦାନ ଧ୍ୟାନ କାହିଁକି ହେଉଚି ? ମନ୍ତ୍ରୀ କହିଲେ ରଜାଙ୍କର କିଛି ପୁଅ ଝିଅ ହେଉନାହିଁ ବୋଲି ଧର୍ମ କରୁଚନ୍ତି । ଏ ବିଧାତା ପୁରୁଷ ଛଦ୍ମବେଶରେ ଆସ ଥାନ୍ତି । ସେ ରାଜାଙ୍କୁ ଡକାଇଲେ, ତାଙ୍କୁ ଗୋଟିଏଡ଼ାଳିମ୍ବଟିଏ ଦେଇ କହିଲେ, ଏ ଫଳଟି ନିଅ ତମ ରାଣୀଙ୍କ ଭିତରୁ ଯେ ଆଗେ ଋତୁମତୀ ହେବ, ଋତୁସ୍ନାନଦିନ ତାକୁ ଖାଇବାକୁ ଦେବ ୟେ ସେ ଖାଇ ଗର୍ଭବତୀ ହେବ । କିଛି ଦିନ ଗଲା; ସାନ ରାଣୀର ଆଗେ ଋତୁ ହେଲା । ରଜା ତାକୁ ସେ ଡାଳିମ୍ବ ଫଳଟି ଦେଲେ, ସେ ଖାଇ ଗର୍ଭବତୀ ହେଲା । ବଡ ରାଣୀ ସାନ ରାଣୀକୁ ଜମା ଦେଖିପାରେ ନାହିଁ ତହିଁରେ ଫେର୍ ଏ ଗର୍ଭ ହେବାର ଦେଖି, ଏହାର ହିଂସା ଦିଗୁଶ ବଢ଼ିଲା । ଏ ଭାରୀ ଦୁଃଖିତରେ ଥାଏ କିପରି ସାନ ରାଣୀର ପିଲାକୁ ନଷ୍ଟ କରିବ । ଦିନେ ବଡ଼ରାଣୀ ଧାଈ ହାତରେ ଗୁରାଏ ଜହରବଡ଼ି ଦେଇ ପଠାଇଲା । ଧାଈ ଯାଇ ସାନ ରାଣୀଙ୍କୁ କହିଲା ବଡ ରାଣୀ ୟାକୁ ଦେଇଛନ୍ତି ତମେ ଖାଇବ । ଏ ସେହି ସାଧୁଙ୍କ ନାମରେ ତାକୁ ଖାଇଦେଲା; ତାର କିଛି ହେଲା ନାହିଁ । ଦଶମାସ ଦଶଦିନ ପୂରିଲାରୁ ସାନ ରାଣୀର ଗୋଟିଏ ପୁଅ ହେଲା । ରଜା ବଡ଼ ଖୁସି ହେଲେ ରାଜ୍ୟରେ ଡେଙ୍ଗୁରା ଦିଆଗଲା, ସମସ୍ତେ ଆନନ୍ଦ ଉତ୍ସବ କଲେ । ଷଠୀ ପଞ୍ଚୁଆତି ବାରଯାତ୍ରା ଏମାନ ଗଲା, ଏକୋଇଶା ଦିନ ସେ ସିଦ୍ଧପୁରୁଷ ଫେର୍ ଆସିଲେ, ଏ ପୁଅର ନାମ ଡାଳିମ୍ବକୁମର ଦେଇଗଲେ । ସାନରାଣୀକି ଗୋପନରେ କହି ଗଲେ ତୋର ପୁଅ ସହଜରେ ମରିବ ନାହିଁ । ତମର ଯେଉଁ ଦାଣ୍ଡ ପୋଖରୀ ଅଛି, ତହିଁରେ ଗୋଟିଏ ରାଘବମାଛ ଅଛି, ତାର ପେଟଭିତରେ ଗୋଟିଏ ଫରୁଆଅଛି, ତହିଁରେ ଯେଉଁ ଡାଳିମ୍ବହାର ଅଛି, ଏହାର ଜୀବନ ସେଥିରେ ଅଛି । ସେ ହାରକୁ ଫରୁଆ ଭିତରୁ ବାହାର କର ଯଦି କେହି ଲଗାଇବ [୧],ତେବେ ଏ ପୁଅ ମରିବ । ଏହା କହି ସେ ସିଦ୍ଧ ପୁରୁଷ ଗଲେ ବାହାରି । ଡାଳିମ୍ବ କୁମରକୁ ଛ ସାତ ବର୍ଷ ହୋଇଗଲା ପାଠ ହେରିକା ଖୁବ ପଢ଼ିଲା । ତାର ପାରାରେ ବଡ଼ ଶରଧା, ବହୁତ ପାରା ପୋଷିଥାଏ । ପାରାଙ୍କୁ ଚରିବାକୁ ଛାଡ଼ିଦେଲାବେଲେ, ଦିଇଟା ଗୋଟାଏ ବଡ଼ରାଣୀ ଦୁଆରକୁ ଯାନ୍ତି ବାହାରି ଚରିବାକୁ । ବଡ଼ରାଣୀ ତାଙ୍କୁ ସବୁ ଧରି ରଖେ, ଏ ମାଗିଲେ ୟାକୁ କହେ ଯ ତୋ ବୋଉକୁ ପଚାରିବି ତୋ ଜୀବନ କେଉଁଠି ଅଛି, ବୁଝି ଆସି ଯେବେ କହିବୁ ତେବେ ତୋ ପାରା ଦେବି । ଡାଳିମ୍ବକୁମର ଯାଇ ମାକୁ ପଚାରେ, ତା ଜୀବନ କୋଉଠି ଅଛି, ମା କହେ ତୁ ସେଥିରୁ କଣ ପାଇବୁ ? ଏହିପରି କହି ଭୁଲାଇଦିଏ । ବଡ଼ ରାଣୀ ବି ପାରା ଦିଏ ନାହିଁ । ଏହିପରି ଗୋଟିଏ ଦୋଟି ରଖୁ୨ ବଡରାଣୀ ସବୁ ପାରାଯାକ ରଖିଲା । ଏ ମାଗିଲାକୁ କହିଲା ତୋ ଜୀବନ କୋଉଠି ଅଛି ନ କହିଲେ ମୁଁ କେଭେଁ ପାରା ଦେବି ନାହିଁ । ତୋ ବୋଉ ଯଦି ନ କହୁଚି, ତେବେ ତୁ ରୁଷିଲେ ସେ କହିବ । ଏ ଗଲାସେଦିନ, ଖାଲି ତଳେ ଗଡିଲା ମା ସଙ୍ଗେ ଏକଯିଦ୍ କଲା କହ ମୋ ଜୀବନ କୋଉଠି ଅଛି ? ମା କହିଲା ଏ କଥା ତୋତେ କିଏ ଶିଖେଇଚି ? ଏ କହିଲା ମତେ କେହି ଶିଖେଇ ନାହିଁ, ମୁଁ ନିଜେ ଜାଣିବି ମତେ କହ । ଏହିପରି ଲଗାଇ୨ ମାଠାରୁ ସବୁ ଜାଣିଲା ୟା ଜୀବନ କୋଉଠି ଅଛି ଆସି ବଡରାଣୀ ଆଗରେ ସବୁ କହିଦେଲା । ବଡରାଣୀ ଶୁଣିଲା ଯେଉଁଠୁ ସବୁ ପାରା ଛାଡିଦେଲା । ତହିଁ ଆର ଦିନ ବଡରାଣୀ କଣ କଲା ଧାଈ ହାତରେ ରଜାଙ୍କ ପାଖକୁ ଖବର ଦେଲା, କହିଲା ରଜାଙ୍କୁ କହିବୁ, ବଡରାଣୀଙ୍କ ଦେହ ଦୁଃଖ ହୋଇଚି, ଦାଣ୍ଡ ଗାଡିୟା ମାଛ ମରିବେ, ସେଥିରେ ଯେଉଁ ରାଘବମାଛ ଅଛି ତାକୁ ଖାଇଲେ ତାଙ୍କ ଦେହ ଭଲ ହେବ । ରଜା ତ ଆଉ ଏତେ କଥା ଜାଣନ୍ତି ନାହିଁ । କହିଲେ ହଉ ଜାଲ ପକାଅ । ବଡ ଜାଲ ଥରେ ବୁଲାଇ ଆଣି ଆଉ ଥରେ ବୁଲାଇ ଆଣିଲା ବେଳକୁ ସେହି ରାଘବମାଛ ପଡିଲା । ତାକୁ ବଡ ରାଣୀଙ୍କ ଉଆସକୁ ନେଇଗଲେ । ବଡରାଣୀ ନିଜେ ସେ ମାଛକୁ କେଳେଇ ବସିଲା । ତାକୁ ଦିଗର[୨] କରି କାଟି ଦେଲା, ପେଟକୁ ଚିରି ଦେଇ ହାର ଫରୁଆକୁ କାଢି ରଖିଲା, କହିଲା ନିଅ ୟାକୁ କାଟିକୁଟି ତରକାରି କର । ଏ ଫରୁଆରୁ ହାରଟିକି କାଢି ବେକରେ ପକାଇଲା ଯୋଉଠୁ ତେଣେ ଡାଳିମ୍ବକୁମରଟି ମରିଗଲା । ସାନରାଣୀ କାନ୍ଦି ଉଠିଲା, ଆଉ ସମସ୍ତେ ଯାଇ ଦେଖନ୍ତି ଯେ ଡ଼ାଳିମ୍ବକୁମର ମରି ପଡ଼ିଚି । ରଜା ବଡ ବ୍ୟସ୍ତ ହେଲେ, କହିଲେ ନିଅ ତାକୁ ଦାହାକରି ଦିଅ[୩] ଗୁଆଘିଅ ଚନ୍ଦନ କାଠରେ । ସାନ ରାଣୀ କହିଲା ମୋ ପୁଅ ପୋଡା ହେବ ନାହିଁ କି ପୋତା ହେବ ନାହିଁ, ବନସ୍ତ ଭିତରେ ଗୋଟିଏ ଘର ତୋଳା ହେବ, ସେ ଘରଭିତରେ ସବୁ ଖାଇବା ପଦାର୍ଥ ରହିବ, ସେଠାରେ ନୂଆ ପୋଖରୀ ଖୋଳା ହେବ, ଚାରିପାଖଯାକ ପାଚେରୀ ବୁଲିବ, ଫୁଲ ବଗିଚା ହେବ ମୋ ପୁଅ ସେଇଥିଭିତରେ ରହିବ । ସବୁ ସେହିପରି ହେଲା । ଡାଳିମ୍ବକୁମରକୁ ନେଲେ ସେମନ୍ତି ଖଟସୁଦ୍ଧା[୪] ସେହି ଘରେ ଥୋଇଦେଇ ଆସିଲେ । ଏଆଡ଼େ ବଡ଼ ରାଣୀ କଣ କରେ, ସେ ହାରକୁ ଦିନଯାକ ଲଗାଏ ରାତି ହେଲାକ୍ଷଣି ଥୋଇଦିଏ, ରାଜା ଦେଖିବେ ବୋଲି । ଡ଼ାଳିମ୍ବକୁମର ଦିନଯାକ ମରେ, ରାତି ହେଲାରୁ ଜୀଇଁ ଉଠେ । ହାର ଥୋଇଦେଲାକ୍ଷଣି ଉଠି ଖାଏ ପିଏ, ଫୁଲ ବଗିଚାକୁ ଯାଏ ବୁଲେ, ଏହିପରି ରାତିଯାକ କରେ, ସକାଳ ହେଲାରୁ ମରି ଶୁଏ । ଆରଦେଶ ରାଜା ଝିଅକୁ ବରଘର ଲାଗିଲା, ଯୋଉଠି ଯେତେ ଖୋଜିଲେ କୋଉଠି ବର ଘଟଣା ହେଲାନାହିଁ । ରାଜା ବଡ଼ ବ୍ୟସ୍ତ ହୋଇ ପଣ୍ଡିତ ମାନଙ୍କୁ ଡ଼କାଇଲେ, ପଚାରିଲେ ୟାକୁ କାହିଁକି ବର ମିଳୁ ନାହିଁ । ଏମାନେ ଗଣନା କରି କହିଲେ, ଯେ ଦିନରେ ମରୁଥିବ ରାତିରେ ଜୀଇଥିବ ୟାକୁ ସେ ବିବାହ ହେବ । ରାଜା କହିଲେ ଏ ଅଲକ୍ଷଣୀଟାର ମୁହଁ ଚାହଁ ନା ଗୋଟାଏ ମଲା ମଣିଷ ବାହା ହେବ, ଏମନ୍ତି ଗୋଟାଏ ବର ଫେର୍ କୋଉଠି ମିଳିବ । ୟାକୁ ବାହାର କରିଦିଅ । ସେ ଝିଅକୁ ବାହାର କରି ଦେଲେ । ଝିଅ ବୁଲି ବୁଲି ଆସି ଯେଉଁ ବନସ୍ତରେ ଡ଼ାଳିମ୍ବକୁମର ଅଛି, ସେଇଠି ପହୁଞ୍ଚିଲା ଦେଖିଲା ସେ ବନସ୍ତଭିତରେ ଗୋଟିଏ ଘର ଦିଶୁଚି, ଯାଇଁ ସେ ଫୁଲବଗିଚାରେ ରହିଲା । ଆପଣା ଦୁଃଖରେ କାନ୍ଦୁଥାଏ । ରାତି ହେଲାରୁ ରଜାପୁଅ ଜାଇ ଉଠିଲା ଗାଧୋଇ ଆସି ରାନ୍ଧିଲାବାଢ଼ିଲା, ଖାଇଲାପିଇଲା, ଫୁଲବାରିକି ଗଲାବେଳକୁ, ଏ ବସି କାନ୍ଦୁଛି । ଡାଳିମ୍ବକୁମର ୟାକୁ ସବୁ ପଚାରିଲା । ଏ କହିଲା ମୁଁ ସେ ଦେଶର ରଜାଝିଅ, ମୋ ପାଇଁ ବରଘର ଲାଗୁଥିଲା; ପଣ୍ଡିତମାନେ ଏପରି ୨ କହିବାରୁ ବାପା ମତେ ବାହାର କରି ଦେଇଛନ୍ତି । ଡାଳିମ୍ବକୁମାର କହିଲା, ତମରବର ମୁଁ, ବିଧାତା ଘଟଣା କରିଚି, ମୁଁ ଦିନରେ ମରେଁ, ରାତିକି ବଞ୍ଚେ । ଏହା କହିଲା, ରଜାଝିଅକୁ ଘର ଭିତରକୁ ନେଇଗଲା । ଦିହେଁ ଆନନ୍ଦରେ ରହିଲେ ଖାଇଲେ ପିଇଲେ, ବସିଲେ ଉଠିଲେ । ଦିନକର ରଜାଝିଅ ପଚାରିଲା ଡାଳିମ୍ବକୁମାରକୁ ତମେ କାହିଁକି ଏପରି ହୁଏ, ଦିନରେ ମର ରାତିରେ ଜୀଅ । ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରାଜାଝିଅ ଶୁଣି ମନ କଥା ମନେ ରଖିଥାଏ । କେତେଦିନ ଗଲା ଏହାର ଗର୍ଭ ହେଲା ଗୋଟିଏ ପୁଅ ଜନ୍ମ ହେଲା । ପୁଅକୁ ଦି ଚାରି ବର୍ଷ ହୋଇଗଲା, ଦିନକର ଏ କ'ଣ କଲା ପୁଅକୁ ବାପ ପାଖରେ ଛାଡ଼ିଦେଲା, ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା ପଚାରି ପଚାରିକା ଗଲା, ରଜାଘରକୁ । ଆଗେ ସାନରାଣୀ ପାଖକୁ ଗଲା, ତାଙ୍କୁ ଦଣ୍ଡବତ କଲା, ପଚାରିଲା ବଡ଼ରାଣୀ କୋଉଠି ଅଛନ୍ତି । ସାନରାଣୀର ପୁଅ ମଲାଦିନୁ ମନରେ ଜମା ସୁଖ ନାହିଁ, କହିଲା ସେ ଘରେ କୋଉଠି ଅଛନ୍ତି ଦେଖ ଏ ଖୋଜି୨କା ବଡ଼ରାଣୀଙ୍କ ପାଖକୁ ଗଲା ତାଙ୍କୁ କହିଲା କେତେଦିନ ହେଲା ନଖ ତୋଳା ହୋଇ ନାହିଁ ଆସ ତୋଳି ଦେଇ ବଡ଼ରାଣୀ ପଚାରିଲେ ତୁ କିଏ? ତୋର ଘର କୋଉଠି? ଏ କହିଲା ମୋ ଘର ଏ ଦେଶରେ ନୁହେଁ, ମୁଁ ତମ ଭଣ୍ଡାରୁଣୀର ମଉଳାଝିଅ ଭଉଣୀ, ଆସ ଜଲଦି ତେଣେ ମୋ ପୁଅ କାନ୍ଦୁଥିବ, ଆସ ଖାଲି ନଖ ତୋଳି ଦେଇ ଯାଇଥିବି, କାଲି ପୁଅକୁ ଘେନିକରି ଆସିବି ଯେ ଅଳତା ଲଗାଇ ଦେଇଯିବି । ତର୨ ହୋଇ ନଖ ତୋଳି ଦେଇ ସେ ଦିନ ଗଲା ବାହାରି । ତହିଁ ଆରଦିନ ପୁଅକୁ ଘେନି କରି ଆସିଲା । ପୁଅକୁ ଶିଖେଇଥାଏ, ବଡ଼ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ ସେ ମତେ କାଢ଼ିକରି ଦେଖିବାକୁ ଦେବ ଯେତେବେଳେ, ତେତେବେଳେ ତୁ କଣ କରିବୁ ହାରକୁ ଛଡ଼େଇ ନେଇଯିବୁ ମୋ ହାତରୁ ଧରିବୁ, ମୁଁ ତୋହ ହାତରୁ ଆଣିଲାବେଳକୁ କାନ୍ଦିବୁ ଯେ ମୁଁ କହିବି ଥାଉ ପିଲା କାନ୍ଦୁଚି ଆଜି ନେଇ ଯାଇଥାଉ; କାଲି ବୁଝିଗଲେ ମୁଁ ଦେଇ ଯିବି । ବଡ଼ରାଣୀଙ୍କ ନଖ ତୋଳି ବସିଚି, ବେକକୁ ଅନାଇ ଦେଲା କହିଲା ସାନ୍ତାଣି ଏ ହାର କୋଉଠୁ ଆଣିଥିଲ, ୟାକୁ କୋଉ ଦେଶବଣିଆ ଗଢିଛି ? ଏତ ଆମ ଦେଶ ଗଢ଼ାପରି ଦିଶୁ ନାହିଁ । ବଡ଼ରାଣୀ କହିଲା ୟାକୁ ଆମ ବାପ ଘରଆଡ଼ ବଣିଆ ଗଢ଼ିଛି । ଏ କହିଲା ଦେଖି ସାନ୍ତାଣି ଏ କେମନ୍ତି ? ବଡରାଣୀ ବେକରୁ ବାହାର କରି ଦେଲା । ଏ ଦେଖୁ୨ ପୁଅ ଛଡାଇ ନେଇ ଧରିଲା । ଧରିଥାଏ,ଏ ନଖ ତୋଳିସାରିଲା , ଅଳତା ଲଗାଇ ଦେଇ ସାରିଲା ପୁଅକୁ କହିଲା ତାଙ୍କ ହାର ଦେ ଆମର ଘରକୁ ଯିବା । ପୁଅ ଆଉ ଛାଡ଼ିଲା ନାହିଁ, କାନ୍ଦିକରି ଗଡ଼ିଲା । ଏ କହିଲା ଦେଉତ ନାହିଁ , ମୁଁ ଘରକୁ ନେଇ ଯାଉଚି କାଲି ସକାଳୁଁ ହାର ଦେଇଯିବି ବୁଝିଗଲେ । ରାଣୀ କହିଲେ ହଉ ନେ । ଏ ହାର ନେଇ ଆସିଲା ବାହାରି, ଆଉ ଫେରାଇ ଦେଲା ନାହିଁ । ସେହି ଦିନଠାରୁ ଡାଳିମ୍ବକୁମର ସର୍ବଦା ଜୀଇଲା ଆଉ ମଲା ନାହିଁ । ରାଜାଙ୍କର ମାଳୀ ଯାଏ ସେଠାକୁ ଫୁଲପାଇଁ ସବୁ ଦିନେ, ଯାହା ନିଃଶବ୍ଦ ହୋଇଥିଲା ସେଠାର, ଏବେ ସର୍ବଦା ଗହଳଚହଳ ଲାଗିବାର ଶୁଣିଲା ଆସି ରାଜାଙ୍କୁ କହିଲା ମଣିମା ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଚି, ରାଜା କହିଲେ କ'ଣ କହ । ମାଳୀ କହିଲା ମଣିମା ବନସ୍ତ ଭିତରେ ଯୋଉ ନଅରରେ ଛାମୁଙ୍କର ଡାଳିମ୍ବକୁମରକୁ ରଖି ଦେଇ ଆସିଥିଲେ ସେଠାକୁ ମୁଁ ଆଗେ ଫୁଲତୋଳି ଯାଇଥିଲି ଯେ ସର୍ବଦା ନିଃଶବ୍ଦ ଜଣା ଯାଉଥିଲା, ଏବେ କେତେଦିନ ହେଲା ସେଠାରେ ବଡ଼ ଗହଳଚହଳ ଲାଗିଚି । ରଜା କହିଲେ କାଲି ସେ ଆଡ଼କୁ ବୁଲିଯିବା ଦେଖି ଆସିବା । ସେ ଦିନ ଗଲା ତହିଁ ଆରଦିନ ରଜା ଗଲେ ସେ ଆଡ଼କୁ ବୁଲି । ଡାଳିମ୍ବକୁମର ଘର କବାଟ ଫିଟାଇ ଦେଖିଲାବେଳକୁ ପୁଅ ଡାଳିମ୍ବକୁମର ଖଟ ଉପରେ ବସିଚି । ତା ଭାରିଯା ତଳେ ବସିଚି, ପୁଅ ଡାଳିମ୍ବ କୁମର ପାଖେ ବସିଚି । ରଜା ଦେଖି କାବା ହୋଇଗଲେ, ଡାଳିମ୍ବକୁମରକୁ ସବୁ କଥା ପଚାରିଲେ । ଡାଳିମ୍ବକୁମର ସବୁ କହିଗଲା, ବଡ଼ ରାଣୀ ଯାହା କରିଥିଲା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ରଜାଙ୍କୁ ସବୁ କହିଲା । ସେ ରଜାଝିଅ ଆଉ ପୁଅକୁ ଦେଖି ରଜା ପଚାରିଲେ ଏ ସବୁ କିଏ ? ରଜାଝିଅ କହିଲା ମୁଁ ଆପଣଙ୍କର ବୋହୂ, ଆଉ ଯେତେ ୨ କଥା ତା ସମ୍ବନ୍ଧରେ ଘଟି ଥିଲା ସବୁ କହିଗଲା, ଭଣ୍ଡାରୁଣୀ ବେଶ ହୋଇ ଯେମନ୍ତ ବଡ଼ ରାଣୀଙ୍କଠାରୁ ହାର ଆଣିଥିଲା ସବୁ କହି ଗଲା । ରଜା ପୁଅ ବୋହୂ ନାତି ଦେଖି ବଡ଼ ଖୁସି ହେଲେ, ସେମାନଙ୍କୁ ଘରକୁ ନେଇଗଲେ, ଗୋଟାଏ ଦୀଘୀ ଖୋଳାଇ ବଡ଼ ରାଣୀକି ତହିଁରେ ପକାଇଦେଇ ତଳକଣ୍ଟା ଉପରକଣ୍ଟା ଛାଟି ଦେଲେ । ସାନ ରାଣୀ ପୁଅ ବୋହୂ ନାତି ନେଇ ଘର ଦ୍ୱାର କଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା, ଇତ୍ୟାଦି ।