କବିତା କଲ୍ଲୋଳିନୀ/କାମଦୁହା ଚଉତିଶା

କାମଦୁହା ଚଉତିଶା ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
କିଶୋରୀଙ୍କ ବର ଯଦୁପତି
କିଶୋରୀଙ୍କ ବର ଯଦୁପତି
(ରାଗ: ପୂରବୀ)

କିଶୋରୀଙ୍କ ବର ଯଦୁପତି, କରି ଚିର ପରବାସେ ସ୍ଥିତି ।
କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି ।
ଆରେ କଳଭାଷି, କୃଶୋଦରୀ କମନୀୟ ମୁଖଶଶୀ ।
କଳାକଲ୍ଲୋଳିନୀ କେଳିକଳହଂସୀ, କାମ ମଦିରା ମହତ୍ତ୍ଵ ସମୁଲ୍ଲାସୀ । ୧।

ଖଟଣି କିଙ୍କରଙ୍କର ମେଳେ, ଖଟିଥିବ ଯେ ତୋ ଖଟତଳେ ।
ଖମଣିମଣ୍ଡଳ ଜିଣି ଯିବା ଫଳ ଲୁଚିଯିବ ତା ଚରଣ ମୂଳେ।
ଆରେ ଖେଳାଲୋଳା, ଖଞ୍ଜରୀଟରୁ ବଳେ ତୋ ନେତ୍ରଲୀଳା ।
ଖୁରିଅର୍ଦ୍ଧ ନ ଥାଇ ସ୍ନେହରେ ହେଳା, ଖଣ୍ଡପରଶୁ ମନମୋହନଶୀଳା । ୨ ।

ଗତିରେ ବିବିଧ ଭଙ୍ଗୀ ଭରୁ, ଗଜେନ୍ଦ୍ର ଗରବ ହେଳେ ହରୁ ।
ଗଗନ ସଲୀଳଚାରୀ ହଂସକୁଳ ଦିନଯାଏ ଡରି ମରୁ ମରୁ।
ଆରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ ।
ଗତରସ ହେଲା କେତେ ସୁଖମାନ, ଗର ଗିଳିବାକୁ ହେଉଅଛି ମନ । ୩ ।

ଘଟପୀନସ୍ତନା ଚାରୁ ବେଣୀ, ଘେନାଘେନି କେତେ ଜାଣୁ ପୁଣି ।
ଘୋରତର ସ୍ମରପ୍ରତାପ ସାଗର ମଧ୍ୟରୁ ତୁ ମୋର ଉଦ୍ଧାରିଣୀ ।
ଆରେ ଘନକେଶା, ଘନଜଘନା ମହାମଣ୍ଡନ–ବେଶା ।
ଘୋରା ଶ୍ରୀଖଣ୍ଡବାସିନୀ ବରଯୋଷା, ଘାରି ପକାଇଛି ତୋ ବିଚ୍ଛେଦଦଶା । ୪ ।