କୀଚକ ବଧ ଲେଖକ/କବି: ଗଙ୍ଗାଧର ମେହେର
ଦ୍ଵିତୀୟ ସର୍ଗ


ଦ୍ଵିତୀୟ ସର୍ଗ


ବସନ୍ତ-ବିଜୟ-ବାରତା ପ୍ରଚରିଲା ଭୁବନେ,
ପାଦପ-ଆନୀତ ପତର ପରଭୃତ ପଠନେ ।
ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ-ସମ୍ରାଟ-ଭାଷା,
ଗମିଲେ ସରଳ ପଥରେ ତେଜି ଦକ୍ଷିଣା ଆଶା ।
ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ,
ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ ।
ଗ୍ରହ ରାଜ୍ୟ ହେଲା ପ୍ରସନ୍ନ ତହିଁ ଗ୍ରହ ସରବେ
ବିଳସିଲେ ମଣ୍ଡି ବିଗ୍ରହ ରମ୍ୟ ପ୍ରଭା-ବିଭବେ ।
ପତି-ନୀଚଗତି-ଦୁଃଖରେ କ୍ଷୀଣ ଥିଲା ବାସର,
ଫୁଲାଇଲା ମୁଦେ ଶରୀର ମୁଖ କରି ସୁନ୍ଦର ।
ହରଷିତ ଦିନ ବର୍ଦ୍ଧନ ଦେଖି କୋକ ଦମ୍ପତ୍ତି,
ଆନନ୍ଦ ନ ହୁଏ କାହାର ଚାହିଁ ପ୍ରିୟ ସମ୍ପତ୍ତି ।
ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ,
ବିଷ୍ଣୁପଦ-ସ୍ରୁତ ଜଳରେ ଝାସିଥିଲା ଝଟତି ।
ତପ ଫଳେ ଏବେ ସୁନ୍ଦରୀ ନବ ଜନମ ଲଭି,
ଧ୍ରୁବ-ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।
ବସନ୍ତ ଅତିଥି ପୀରତି ପାଇ ଅବନୀ-ରାଣୀ,
ଯୋଗାଡ଼ି ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି ।
ତରଭୁଜ ଆମ୍ର ପନସ ନାନା ଖାଦ୍ୟସମ୍ଭାର,
ଉପହାର ପାଇଁ ଇଜ୍ଜ୍ଵଳ ଫୁଲ ମାଣିକ୍ୟ-ହାର ।
ପ୍ରମୋଦ ନିମନ୍ତେ କାନନ ମଣ୍ଡାଗଲା ଯତନେ,
ମଧୁକ-ମୁକୁତା-ପୁଞ୍ଜରେ ଚାର-ନୀଳ ରତନେ ।
ରତ୍ନମୟ-ସିନ୍ଧୁ-ତରଙ୍ଗ-ଦୋଳା ବରଜି ରଙ୍ଗେ,
ବିଜେ କଲେ ଧୀର ସମୀର ଚାରୁ ବସନ୍ତ ସଙ୍ଗେ ।
ପୁଷ୍ପଚ୍ଛାୟା ସ୍ନିଗ୍‌ଧ-ସୁରମ୍ୟ ପୁଷ୍ପମୟ ମାର୍ଗରେ,
ଆସି ବିହରିଲେ କୁସୁମ-କୁଞ୍ଜେ ଅନୁରାଗରେ
ବିକଶିତ ନବମାଳିକା ଅର୍ଘ୍ୟ ଧରି ସମ୍ମୁଖେ,
ଚନ୍ଦ୍ରିକା ସୁନ୍ଦରୀ ସ୍ଵାଗତ କଲା ଚକୋର ମୁଖେ ।
ଉଜ୍ଜ୍ବଳ ବସନ ଭୂଷଣ ମନୋହର ବେଶରେ,
ସୁକାନ୍ତି ସୁମୁଖୀ ସତ୍ଵର ମିଳିଗଲା ପାଶରେ ।
ସୁକୁମାର ବିଶ୍ୱବିଜୟୀ ଅନୁପମ ସୁନ୍ଦର,
ପୁଷ୍ପମୟ ବେଶେ ମିଳିଲେ ତହିଁ କୁସୁମ-ଶର ।
ପାଞ୍ଚ ଜଣ ମିଶି ଆମୋଦ ବିରଚିଲେ ତାଣ୍ଡବ,
ତାଣ୍ଡବ ନୁହେଁ ତା’ ସରସ-ଫଳ-ପୂର୍ଣ୍ଣ ଖାଣ୍ଡବ।
ସେ ଖାଣ୍ଡବ ଫଳ ଭୋଜନେ ହେଲା ଜଗତ ଲୁବ୍‌ଧ,
କେ ପାଇ ଆନନ୍ଦେ ନାଚିଲା କେ ବା ନପାଇ କ୍ଷୁବ୍ଧ ।
ସନ୍ତାପିତ ହେଲା ମଧ୍ୟାହ୍ନ ପିତୃପ୍ରସୂ ସୁନ୍ଦର,
ପଲ୍ଲବିତ ହେଲେ ପାଦପେ, ଶୁଷ୍କ ନଦୀ-ଉଦର ।
କିଂଶୁକ-ରକତ-ବିଗ୍ରହ-ବନକାନ୍ତି ବଢ଼ିଲା,
ଚନ୍ଦ୍ରିକାର ନବ-ପ୍ରସୂତି ବିଭାବରୀ ସଢିଲା ।
ପ୍ରୀତି-ପାରାବାରେ ଛାଡ଼ିଲେ ପ୍ରାଣପୋତ ଯୋଗିଏ
ମଦନ-ଅନଳ-ତାପରେ ବିଚଳିତ ଯୋଗୀଏ ।
ଏ ସମୟେ ମଧୁଶେଷରେ ହେଲା ମଙ୍ଗଳବାର,
ସମୟ ବିରାଟ ନାରୀଙ୍କ ବନଦୁର୍ଗା-ପୂଜାର ।
ସହକାର-ବନ-ବେଷ୍ଟିତ ସର ଉପକୂଳରେ,
ଶୋଭେ ବନଦୁର୍ଗା ଦେଉଳ ସ୍ଵର୍ଣ୍ଣକୁମ୍ଭ ଚୂଳରେ ।
ପ୍ରସାଦ-ଦୃଷ୍ଟିରେ କାନନ ସର ପବିତ୍ର କରି,
ଅଧିଷ୍ଠାନ ତହିଁ କରନ୍ତି ବନଦୁର୍ଗା ଈଶ୍ୱରୀ ।
ବାଦିତ୍ର ଶବଦେ କମ୍ପିଲା ସହକାର କାନନ
କମ୍ପିଲା ଭ୍ରମର-ଚିକୁର ପଦ୍ମବନ ଆନନ ।
ଜନସ୍ରୋତ ବନ ପୂରାଇ ପୁଣି ବହେ ଉଜାଣି,
କୋଳାହଳ-ବୀଚି ଉଠିଲା ସିନ୍ଧୁ ଶବଦ ଜାଣି ।
ବସନ ଭୂଷଣ ପିନ୍ଧିଣ ଯାହା ଥିଲା ଯାହାର,
ଦେବୀପୂଜା ପାଇଁ ନାରୀଏ ପୂରୁଁ ହେଲେ ବାହାର ।
କେ ଚମ୍ପାଗଉରୀ ପିନ୍ଧିଲା ରମ୍ୟ ରଙ୍ଗ-ଦୁକୂଳ,
ଗୋଧୂଳି-ମସ୍ତକ-ମଣ୍ଡନ ଚାରୁ ତାରକା ତୁଲ୍ୟ ।
ମଣ୍ଡିତ ହୋଇ କେ ସୁନ୍ଦରୀମଣି ହରିତ ବାସେ,
ଦୂର୍ବାବୃତ ଧରା ଉରସେ ଗଙ୍ଗାଶୋଭା ପ୍ରକାଶେ ।
ଅନୁକରି ଅମା ତାରକାମୟ ନୀଳ ଅମ୍ବର,
କେ ପିନ୍ଧିଲା ସ୍ଵର୍ଣ୍ଣ-ପୁଷ୍ପିତ ନବ ନୀଳ ଅମ୍ବର ।
ବାଳଭାନୁ-ପ୍ରଭା-ଗୁମ୍ପିତ ଶୃଙ୍ଗଧର ସଦୃଶୀ
ହେଲା ପୀତବାସେ କେ ପୀନପୟୋଧରୀ ସୁଦୃଶୀ ।
ଶତଭିଷା ଦଳେ ଶୋଭିତ ପୂର୍ବଭାଦ୍ରବାକାରେ,
ଉରଜଯୁଗଳ ଶୋଭିଲା କାହା ମୁକୁତାହାରେ ।
କେ ନକ୍ଷତ୍ରମାଳା ଉରସୀ ଚାରୁ ମୁଖ ଲୋକନେ,
ରେବତୀ-ଭବନ-ଅତିଥି ଗୁରୁ ପଡ଼ନ୍ତି ମନେ ।
କାହା ହେମ-ଦଣ୍ଡି ନିକଟେ ମଣି-ନଥ ସୁଷମ
ଆଣଇ ଚତୁର୍ଥୀ ଚନ୍ଦ୍ରମା ପାଶ ବିଶାଖା ଭ୍ରମ ।
ପୂଜାଥାଳି କରେ ଶୋଭିତା ହେଲେ ସର୍ବ ଯୋଷିତ,
ସୂର୍ଯ୍ୟମୁଖୀ ଉପବନ କି ହେଲା ନବ-ପୁଷ୍ପିତ ।
ଅମୂଲ୍ୟ ବସନ ଭୂଷଣେ ହୋଇ ଲୋକ ଉତ୍ତରା,
ବାହାରିଲେ ରାଣୀ ସୁଦେଷ୍ଣା ରୂପନିଧି ଉତ୍ତରା ।
ରୂପବତୀ-କୁଳ-କମଳା ମହୀରତନହାର,
ଦ୍ରୌପଦୀ ସୁନ୍ଦରୀ ତାହାଙ୍କ ସଙ୍ଗେ ହେଲେ ବାହାର ।
ପୂଜା ଉପଚାର ରାଣୀଙ୍କ ରାଜ-ସୁତାଙ୍କ ପାଇଁ,
ଧଇଲେ ଦାସୀଏ ଯତନେ ସ୍ଵର୍ଣ୍ଣଥାଳ ପୂରାଇ ।
ରାଜ-ଅବରୋଧବାସିନୀ ଅନ୍ୟ ଲଳନା-ବ୍ରଜ,
ହେଲେ ରାଣୀ ଅନୁଗାମିନୀ ହୋଇ ବିବିଧ ସଜ ।
ଭବନୁ ବାହାରି ଭାବିନୀବୃନ୍ଦ ମଣ୍ଡିଲେ ଦାଣ୍ଡ,
ତୂଣୀରୁ କି କଲା ବାହାର ମାର ଅମିତ କାଣ୍ଡ ।
ଜମ୍ବୁନଦ-ହାର ମଧ୍ୟରେ ହୀରା-ପଦକ ପରି,
ଦିଶୁଥୁଲେ ନାରୀଗହଣେ ସଇରିନ୍ଧ୍ରୀ ସୁନ୍ଦରୀ ।
ସୁନ୍ଦରୀସମାଜ-ଦର୍ଶନେ ହୃଦ ଏ ଭାବ ପୋଷେ,
ପଶିଲା କି ବୃଷ୍ଟି ପୟୋଧିପତି ରତନ କୋଷେ ।
କି ଅବା ନୟନ-ରଞ୍ଜନ ଅପସରା ଭୁବନେ,
ଆତ୍ମା କରିଅଛି ପ୍ରବେଶ ଭ୍ରମୁ ଭ୍ରମୁ ସ୍ଵପନେ ।
ନୁହେଁ ରତ୍ନକୋଷ, ନୁହଁନ୍ତି ସ୍ବପ୍ନ ଅପ୍‌ସରାବ୍ରାତ,
କୀଚକ ମରଣସୂଚକ ଘୋର ଉଲକାପାତ ।
ଋଜୁ ଶକ୍ରଚାପ ଶୋଭାରେ ମଣ୍ଡି ଅବନୀତଳ,
ଚାଲିଲେ ରତନ-ଉଜ୍ଜ୍ଵଳା ବାମଲୋଚନାଦଳ
ସେ ମାଧୁରୀ ତୀର୍ଥ ଜଳରେ ନିମଜ୍ଜାଇ ନୟନ,
ନେତ୍ରପାପ କଲେ ମୋଚନ ତହିଁ ଦର୍ଶକଗଣ ।
ଦ୍ବିତଳ ତୋରଣେ କୀଚକ ବୀର ବସି ଆରାମେ,
ମୁଖ-କୁସୁମର କଳନା କଲା ଲଳନାରାମେ ।
ଭ୍ରମୁଁ ଭ୍ରମୁଁ ରସଲୋଲୁପ ତାର ନେତ୍ର-ଷଟ୍ପଦ,
ପାଇଲା ପାଞ୍ଚାଳୀ ବଦନ ନବ ପୁଷ୍ପ ସମ୍ପଦ ।
ଚାହିଁ ଚମତ୍କାରେ ରହିଲା କ୍ଷଣେ ହୋଇ ସ୍ତମ୍ଭିତ,
ରୂପ-ମକରନ୍ଦପାନରେ କ୍ରମେ ହେଲା ମଜ୍ଜିତ ।
ଭାବିଲା ଚୁମ୍ବିଛି କମଳ, ଚମ୍ପା, ମାଧବୀ, ମଲ୍ଲୀ,
ନାହିଁ ତ କାହାରି ମାଧୁରୀ ଏହି କୁସୁମ ଭଳି ।
ବସିଛି ମାଳତୀ ଯୂଥିକା ନବମାଳିକା ଫୁଲେ,
ମନ ବଳୁନାହିଁ ତୁଳିବା ପାଇଁ ଏ ପୁଷ୍ପ ତୁଲେ ।
ଗୋଲାପ, ସେବତୀ, କଞ୍ଚନ ଫୁଲେ ଅଛି ଗମନ,
ତହିଁରେ ସମତା ରଖିବା ତିଳେ ନୋହୁଛି ମନ
ଭ୍ରମିଅଛି କାଷ୍ଠ-ଚମ୍ପକ ନବ ବକୁଳବନେ,
ତାଙ୍କୁ ଅବା ଆଣି ତୁଳିବି ଏହା ସଙ୍ଗେ କେସନେ ?
ବିଶ୍ୱରାଜ-ପ୍ରିୟା କ୍ରୀଡ଼ିତ ନଭଃ ପ୍ରମଦ-ବନ,
ତାରା-ପୁଷ୍ପଚୟ କରନ୍ତି ଯହିଁ ଚିତ୍ତରଞ୍ଜନ,
କୁହୁରାତ୍ରି-ପୁଷ୍ପକାଳର ତହିଁ ବିହାର ଦେଖି,
ସେ କୁସୁମ ଯେତେ ଫୁଟନ୍ତି ତାହା ନ ହେବ ଲେଖି ।
ସେ ବନେ ଥିଲା ଯେ ପୀରତି ତାହା ହେଲାଣି ନ୍ୟୂନ,
ଦେଖିଲାବେଳୁ ଏ ମଘବା-ଶିରଭ୍ରଷ୍ଟ ପ୍ରସୂନ ।
ରାକା ମାଳିନୀର କୌମୁଦୀ-କୁସୁମିତ ଉଦ୍ୟାନ,
କରୁଥିଲି ତହୁଁ ମଧୁର ମୃଦୁ ପ୍ରୀତି ଆଦାନ ।
ଆଜହୁଁ ତହିଁରେ ମୋହର ଭାଙ୍ଗିଦେଲା ଶରଧା,
ଏ ମଦନ-କଳ୍ପପାଦପପୁଷ୍ପ ଇଷ୍ଟ–ବରଦା ।
କାନ୍ତି ଚାହିଁ ପୁଣି କରଇ ମନେ ଏ ଆଲୋଚନା,
ରବିରଶ୍ମି ଉପାଦାନେ କି ଗଢ଼ା ବାମଲୋଚନା ।
ଶନି ବୃହସ୍ପତି ମଙ୍ଗଳ ଯେଉଁ କରେ ଦୀପିତ,
ସେହି ପ୍ରଭାରାଶି ଏଥିରେ ହୋଇଅଛି ଗ୍ରଥିତ ।
କୃଷ୍ଣବର୍ଣ୍ଣ ଚାରୁ କୁନ୍ତଳେ ପୀତବର୍ଣ୍ଣ ବିଗ୍ରହେ,
ରକ୍ତବର୍ଣ୍ଣ ପ୍ରତିଫଳିତ ପାଣିଚରଣ ଦ୍ଵୟେ।
ଅଳଙ୍କୃତ ନବ ଅରୁଣ ରାମା ଓଷ୍ଠ ଅଧରେ,
ବିକଶିତ ମୁଖ-କମଳ ସ୍ବଚ୍ଛ ପ୍ରେମ-ରସରେ ।
ପୁଲକ ପାଳକ-ମାନସ ମତ୍ସ୍ୟ-ରଙ୍କ ଅଧୀରେ,
ମଜ୍ଜିଲା ସେ ମୀନ-ନୟନା-ରୂପ-ଲାବଣ୍ୟ-ନୀରେ ।
ନୟନ ମନର ଏ ଭାବେ ଆନ ଇନ୍ଦ୍ରିୟଗଣ,
ସୁଖଲାଭ ଲୋଭେ ସ୍ବଭାବ-ବଶେ ନେଲେ ଶରଣ।
ଦେଖୁଁ ଦେଖୁଁ କରି ଅନ୍ଧାର କୀଚକର ନୟନ,
ଗଲା ରୋଶନାଇ ମଣ୍ଡନ ସେହି କୁସୁମବନ ।
ବସୁମତୀ କରି କ୍ଵଣିତ ମଞ୍ଜୁ ମଞ୍ଜୀର ନାଦେ,
ମଦନ ପତାକା ଗରବ ଗଞ୍ଜି ଅଞ୍ଚଳ ବାଦେ ।
ଗତିପଥ କରି ଉଜ୍ଜ୍ଵଳ ରମ୍ୟ ରତ୍ନ-ମୟୂଖେ,
ସେ ସୌନ୍ଦର୍ଯ୍ୟ-ସ୍ରୋତ ଚାଲିଲା ଦେବୀ ଦେଉଳମୁଖେ ।
ସୁର-ତରଙ୍ଗିଣୀ ଆଗରେ ଭଗୀରଥଙ୍କ ପରି
ଆଗେ ଆଗେ ଚାଲି ପ୍ରହରୀ କାଟେ ଲୋକ-ଲହରୀ ।
ଅପରାହ୍ଣ ରବିକିରଣ ସ୍ଵର୍ଣ୍ଣ ଜଳସଙ୍କାଶ
ନାରୀଦଳ ଅଙ୍ଗେ, ଗିଲିଟୀ-କାନ୍ତି କଲା ପ୍ରକାଶ ।
ଝକିଲା କପାଳ କପୋଳ ଦୀପ୍ତ ହେଲା ବଦନ,
ଚକଚକାୟିତ ଚିକ୍କଣ କେଶ ରତ୍ନ-ଭୂଷଣ ।
ବିକିରିଲେ ଅଙ୍ଗ ଭୂଷଣଚୟ ଅଧିକ ପ୍ରଭା
ସେହି ଦୀକ୍ଷା ନେଲା ବସନଜରି, ସ୍ଵର୍ଣ୍ଣଗରଭା ।
ଲୋକଲୋଚନରେ ଦୀପିତ ଦାନଶୌଣ୍ଡ-ଶେଖର
ଦେଉଳ ସୁବର୍ଣ୍ଣ କଳସ ଦୀପ୍ତି କଲା ପ୍ରଖର ।
ଦେଖି ଦୂରୁ ସମଧର୍ମିଣୀ ଲୋକେ ଦୀପ୍ତିଦାନରେ,
ଡାକିଲା ଜି ନାରୀଶ୍ରେଣୀକି ଊର୍ଦ୍ଧ୍ଵ ତ୍ରିଶୂଳ-କରେ ।
ରବିକରବର୍ଣ୍ଣେ ଭୂଷିତ ରତ୍ନାକର ଲହରୀ
ସିକତାରୋହଣ କ୍ରୀଡ଼ାର ଗେଲ ଗରବ ହରି ।
ସୁଧା-ଧବଳିତ ସୋପାନେ ନାନା ରତ୍ନ ଭୂଷିତ,
ରମଣୀ-ପ୍ରବାହ ବଢ଼ିଲା ହୋଇ ତରଙ୍ଗାୟିତ ।
ପ୍ରେମ ଭକତିରେ ଅବଳା-ଦଳ ପୂରାଇ ହିଆ,
ହେଲେ ଯାଇ ଦେବୀ ସମ୍ମୁଖେ ଅର୍ଦ୍ଧମଣ୍ଡଳେ ଠିଆ ।
ସୌନ୍ଦର୍ଯ୍ୟ-ସୌରଭ-ପୂରିତ ନାନା ପୁଷ୍ପ-କଳିତ
ମାଳା କି ଦେବୀଙ୍କ ଦେଉଳ ହୃଦୟରେ ଲଳିତ ।
ଦେଇ ଅଙ୍ଗରାଗ କୁସୁମ କାଳି କନକ-ଦୀପ,
ନୀରାଜନା କଲେ ସୁଦେଷ୍ଣା ଯାଇ ଦେବୀ ସମୀପ ।
ତରତରେ ଆନ ବାମାଏ ହୋଇ ଦୀପଧାରିଣୀ,
ହେଲେ ସମୁଲ୍ଲାସେ ରାଣୀଙ୍କ ପୂଜା ଅନୁକାରିଣୀ ।
ପଳାଶମଣ୍ଡିତା ଦେବୀଙ୍କ ଆଗେ ରମଣୀକୁଳ,
ଦୀପହସ୍ତେ ଉଭା ହେବାର ଶୋଭା ହେଲା ଅତୁଳ ।
ଭାନୁ-ସହଚରୀ ପ୍ରଭାର ଦେଖି ଶୁଭାଗମନ,
ସ୍ଵର୍ଣ୍ଣ-ବରାଟକ ଭେଟିଲା କି ସେ ନଳିନୀବନ ?
କିମ୍ଵା ସିନ୍ଦୂରିତ ସନ୍ଧ୍ୟାର ବକ୍ଷେ ରଜନୀବାଳା,
ବିଭୂଷିତ କଲା ତାରକାରୂପୀ ହୀରକମାଳା ।
ପ୍ରଦୋଷ ବାରୁଣୀ ଆଗରେ ଅବା ଶଇଳଶ୍ରେଣୀ,
ଶୋଭିତ ନିଦାଘସୁଲଭ ବହ୍ନି-କଳସ ଘେନି ।
ଦୀପ ଆଲୋକରେ ଝଳିଲା ନାରୀ ଅଙ୍ଗଭୂଷଣ,
ତପନ କିରଣ ସ୍ପରଶେ ଯଥା କୀଲାଲକଣ ।
ଧୂପେ ଆମୋଦିତ ଦେଉଳ କରି ରମଣୀମାନେ,
ଫୁଟାଇ କାମନା-କୁସୁମ-ମାନ ହୃଦ-ଉଦ୍ୟାନେ ।
ଘେନି ସୁପ୍ରସାଦ ଦେବୀଙ୍କ ତେଜି ଦେବୀ-ପ୍ରସାଦ,
ନିଜ ନିଜ ପୁରମୁଖରେ ଧୀରେ ଚାଳିଲେ ପାଦ ।
ଗୃହରେ ବାଳକମାନଙ୍କୁ ଫୁଲ ପ୍ରସାଦ ଦେଇ,
ଆନନ୍ଦେ ବୋଇଲେ, ଏହାଙ୍କୁ ସୁଖେ ରଖନ୍ତୁ ଦେଈ ।