ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ଚତୁର୍ଥ ସ୍କନ୍ଧ

କଷଣ ଦେଖ କଳେବର ମାଗୁଅଛ କିପାଇଁ,

କାମିନୀକାନ୍ତ ପାରୁଶରୁ ଭିନ୍ନାଭିନ୍ନ କରାଇ । ୧ ।

କ୍ଷୁର୍ଣ୍ଣ ହୋଇଲାଣି ଶରୀର ଖଣ୍ଡ ଖଣ୍ଡ ଜୀବନ,

ଖେଳ ହେବାଯାଏ ସମ୍ଭାଳି ନୁହେ ପିଣ୍ଡେ ପରାଣ । ୨ ।

 

ଗଞ୍ଜଣାରେ ଗର୍ଭ ପୋଡ଼ୁଛି ଚିନ୍ତା ହେଲାଣି ଗୁରୁ,

ଗିରିବର ବାନା ଉଦୟେ ବିଜେ ମହିମାମେରୁ । ୩ ।

ଘୋଟି ଆସିଲାଣି ସନ୍ତାପ ଘନ ଘନ ଜୀବନ;

ଘଡ଼ିକିଘଡ଼ି ମୁଁ ଡାକୁଛି ପ୍ରଭୁ କିମ୍ପା ନ ଶୁଣ । ୪ ।

 

ଅଟି ଯାଉଅଛି ଅବସ୍ଥା ଦୁଃଖ କହିବି କେତେ,

ଅନ୍ତର୍ଯ୍ୟାମୀ ନାଥ ବୁଝିବେ ଭଲ ଅସାର ଯେତେ । ୫ ।

ଚାଲି ନ ପାରୁଛି ଚରଣେ ଚେତା ଯାଉଛି ବୁଡ଼ି,

ଚିନ୍ତାକରି ହୃଦପଦ୍ମରେ ଦେହ ଗଲାଣି ସଢ଼ି । ୬ ।

 

ଛାତି ଦକ ଦକ ହେଉଛି ଚିତ୍ତ ଛାନିଆ ହୋଇ,

ଛଡ଼ବେଦ ପୁର କରତା ଥାଉଁ ସୁଦୟା ନାହିଁ । ୭ ।

ଯୁବା ଯୁବତୀଙ୍କ ବିକଳ ଜାଣୁଅଛ ତ ସବୁ,

ଜଗତକରତା ସ୍ୱଦେହେ ବିଜେ କରିଛ ପ୍ରଭୁ । ୮ ।

 

ଝୁରିଯାଉଅଛି ଜୀବନ ଝିମା ମାରୁଛି ଦେହ,

ଝଞ୍ଜକା ଭିତରୁ ଝିମଟେ ସ୍ୱାମୀ ସମ୍ଭାଳି ନିଅ । ୯ ।

ନାମକୁ ନିଶି ଦିବସରେ ଲୟ କରିଛୁ ଆମ୍ଭେ,

ନାରୀ ପୁରୁଷଙ୍କୁ ନିସ୍ତାରି ପାର କରୁଛ କେବେ । ୧୦ ।

 

ଟଳ ଟଳ ହୋଇ ଟିଆକୁ ଟାକି ନ ପାରେ ଜୀବ,

ଟିକେ ମାତ୍ର ଶୂନ୍ୟବାନାରେ ସ୍ୱାମୀ ଘୋଡ଼ାଇଥିବ । ୧୧ ।

ଠାକୁରଙ୍କ ପାଦେ ଶରଣ ଠିଆ ହୋଇ ଜଣାଇ,

ଠିକେ କହେ ଭୀମ ଅର୍କ୍ଷିତ ଠାବ ଖଣ୍ଡିକ ପାଇଁ । ୧୨।

 

ଡାକୁଅଛୁ ଆମ୍ଭେ ଆତଙ୍କେ ଡରୁଅଛି ଜୀବନ,

ଦାଣ୍ଡବାଟେ ହଟା ହେଲାଣି ଗୁଣି ନ ସରେ ଦିନ । ୧୩ ।

ଢାଳି ରଖ ଶୂନ୍ୟବାନାରେ ରଖ ଢାଙ୍କୁଣୀ ଦେଇ,

ଢଳି ଯାଉଅଛି ସମ୍ଭାଳ କଞ୍ଚି ତାଲା ପକାଇ । ୧୪ ।

 

ଅନୁକ୍ଷଣେ ଦଣ୍ଡ ଦେଉଛ ଦୁଃଖ ଚିନ୍ତା ଅବସ୍ଥା,

ଅନାଦି ପୁରୁଷ ସ୍ୱଦେହେ ବିଜେ ବ୍ରହ୍ମ କରତା । ୧୫ ।

ତାରଣ କିରୂପେ କରୁଛ ତିନି ତ୍ରୈଲୋକ୍ୟ ପତି,

ତ୍ରିଗୁଣ ମାୟାରୁ ଉଧରି ଦିଅ ଗତି ମୂକତି । ୧୬ ।

 

ଥରୁଅଛି ପିଣ୍ଡେ ପରାଣ ଥୟ ନ ରହେ ମନ,

ଥୟ ନାହିଁ ଦିବାନିଶିରେ ମେଘେ ଯେସନେ ଘନ । ୧୭ ।

ଦରଶନ କେତେ ଦିବସେ ଦିନ ଯାଉଛି ବହି,

ଦୁଃଖ ଭାରା ପ୍ରଭୁ ହୃଦରେ ମୁଁ ଯେ ନ ପାରେ ସହି । ୧୮ ।

 

ଧଉର୍ଯ୍ୟପଣେ ଧ୍ୟାନ କରି ଧରି ନ ପାରେ ଜୀବ,

ଧରଣୀ ମଧ୍ୟେ ପିଣ୍ଡ ପ୍ରାଣ କେତେ ଦିନ ବଞ୍ଚିବ । ୧୯ ।

ନନ୍ଦ ଅବଧୂତ ନାମକୁ ଭଜି ହୋଇଲୁଁ ବୃଥା,

ନିନ୍ଦା ନିରନ୍ତରେ ଜଗତେ ବିଜେ ବ୍ରହ୍ମ କରତା।୨୦।

 

ପୃଥ୍ୱୀ ମଧ୍ୟେ ପାପା ଭାରାକୁ ନ ଛେଦୁଛ କିମ୍ପାଇ,

ପରମ ପୁରୁଷ ଅଟ ହେ ଗୁରୁଦେବ ଗୋସାଇଁ ।୨୧।

ଫୁଟି ଯାଉଅଛି ନୟନ ଫେଡ଼ ଅଖିଳ ଦଶା,

ଫନ୍ଦା ଲୋଡ଼ି ଫଳ, ଫଳ ବିଶ୍ୱାସେ କରିଅଛି ଭରସା । ୨୨ ।

 

ବାରାନିଧି ସିନ୍ଧୁ ପରାଏ ଘୋଟି ଆସୁଛି ମାୟା,

ବଚନ ସତ୍ୟବ୍ରହ୍ମ ବାକ୍ୟ ସ୍ୱାମୀ କର ସୁଦୟା । ୨୩ ।

ଭୀମ ଅରକ୍ଷିତ ଭାଳେଣି ଚିତ୍ତେ କରୁଛି ଭୟ,

ଭାସି ଯାଉଅଛୁ ସିନ୍ଧୁରେ ଶୂନ୍ୟବାନା ଘୋଡ଼ାଅ । ୨୪ ।

 

ମହିମା ପ୍ରକାଶ ମଣ୍ଡଳେ ବିଜେ ଭକ୍ତଙ୍କ ହିତେ,

ମନଜାଣି ପ୍ରଭୁ ପ୍ରସନ୍ନ ଉଦେ ହେଲ ଜଗତେ । ୨୫ ।

ଜୀବ ଥାଉଁ ଥାଉଁ ପିଣ୍ଡରେ ଜଳେ ବୁଡ଼ାଉଅଛ,

ଜାଣି ସର୍ବକଥା କରୁଛ ବାକ୍ୟ ନୁହଇ ମିଛ । ୨୬ ।

 

ରାଗ ଅହଂକାର ହୃଦରେ ସହି ନ ପାରେ ଦଣ୍ଡେ,

ରାବଣ ପରାୟ ହେଲେଣି ପୃଥ୍ୱୀ ଭାରତ ଖଣ୍ଡେ । ୨୭ ।

ଲୋଭ ମୋହେ ବିତ୍ତ ବୁଡ଼ାଇ ଲଙ୍ଘି ଲେଣି ଧର୍ମକୁ,

ଲାଭ ବଣିଜରେ ମାତିଲେ ଛାଡ଼ି ନିଜ ଧର୍ମକୁ।୨୮ ।

 

ବାଇ ପ୍ରାୟ ହୋଇ ଭ୍ରମନ୍ତି ବିଧିମତ ନ ଜାଣି,

ବିଷ ପ୍ରାୟ ଫଙ୍ଗି ଦେଲେଣି ବେଦ ସିଦ୍ଧାନ୍ତ ବାଣୀ । ୨୯ ।

ସାରସ୍ୱତ ସୁରଗଣଙ୍କୁ ସିନା ହୁଅଇ ଲାଭ,

ସୁରାଭାଣ୍ଡ ମଦଲାଳସେ ଅସୁରଙ୍କୁ ଏ ଯୋଗ୍ୟ । ୩୦ ।

 

ସାଧି ମାରୁଅଛ କରତା ସାନ ବଡ଼ଙ୍କୁ ଏକେ,

ସୋହତି ନଦୀରେ ଭସାଇ ଶୁଷ୍କକାଷ୍ଠ ସ୍ୱରୂପେ । ୩୧ ।

ସମ୍ଭାଳ ତୁମ୍ଭର ଭକତ କୁଳ ଦାସ ଦାସୀଙ୍କି,

ସମାନରେ ଚାହିଁ ସୁଦୟା କୃପା ନେତ୍ରରେ ଦେଖି । ୩୩ ।

 

ହତ ହୋଇଗଲେ ହୋଇବ ନିନ୍ଦା ଜଗତ ମୁଖେ,

ହାନି ଲାଭ କଥା ବୁଝିବ ଉଦେ ହୋଇଛ ଆପେ । ୩୪ ।

ଖେଳର ନିମନ୍ତେ କ୍ଷିତିକି ସ୍ୱୟଂ ପ୍ରକାଶ,

କ୍ଷମାକର ଦୋଷ ଭଣିଲେ ଭୀମ ଭକତ ଦାସ । ୩୫।