ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ପଞ୍ଚମ ସ୍କନ୍ଧ

କରାଇ କାମନା କର୍ମ ବିଚିତ୍ର ।

କରଚାଳିଦେଇ ଯନ୍ତ୍ରରେ ସୂତ୍ର ।

କାନ୍ଦି କାକୁସ୍ତରେ ବଞ୍ଚିବି କାହିଁ ।

କରଯୋଡ଼ି ଶ୍ରୀଛାମୁରେ ଜଣାଇ ସେ,

କରିଅଛି ଅପରାଧ ଯେ;

କରତା ଜ୍ଞାନ ଖଡ଼ଗରେ ଛେଦିବେ କାଳ କୁଟ ପରମାଦ ଯେ । ୧ ।

ଖଳ ବୁଦ୍ଧି ମୋର ସ୍ୱଭାବେ ମନ୍ଦ ।

ଖଣ୍ଟ ଦୁରୁଜନ ପରାୟ ଛନ୍ଦ ।

ଖିଳ ବୁଦ୍ଧି ମୋର ହୃଦରେ ପଶି ।

ଖଣ୍ଡୁଅଛି ଆତ୍ମାଜ୍ଞାନକୁ ନାଶି ସେ ।

କ୍ଷମାସାଗର ଗୋସାଇଁ ଯେ ।

ଖାଲେ ପଡ଼ିଛି ଖଣ୍ଡିକି ଝିଙ୍କି ନେବ ଅନ୍ତର୍ଯ୍ୟାମୀ ଦୟାବହି ଯେ । ୨ ।

 

ଗରବିତା ପଣେ ଗାରିମା ବହି ।

ଗତ ଆଗତକୁ ବିଚାର ନାହିଁ ।

ଗରବ ଗଞ୍ଜନ ବାନା ତୁମ୍ଭର ଜ୍ଞାନ ଗତି ମୁକ୍ତି ରଖି ଭଣ୍ଡାର ସେ,

ଗଡ଼ି ଯାଉଅଛି ମୁହିଁ ଯେ ।

ଗୁରୁଦେବ ସ୍ୱାମୀ ଉଦ୍ଧାର କରିବେ ଜ୍ଞାନ ଚିତ୍ତେ ଦୟା ବହି ଯେ । ୩ ।

ଘନ ପ୍ରାୟ ମନ ଚଞ୍ଚଳ ଚିତ୍ତ ।

ଘାଣ୍ଟି ହୋଇ ମୋହ ମାୟାରେ ରତା ଘୋର ଅନ୍ଧାର ରଜନୀ ପାହାନ୍ତି ।

ଘାଣ୍ଟୁଅଛି କାମ କଲା ପ୍ରକୃତି ସେ;

ଘାଟରେ ବସିଛି ନିତି ସେ,

ଘାଟ ଭବସିନ୍ଧୁ ଉଦ୍ଧାର କରିବେ ଘଟଯୁଗ ପ୍ରାଣପତି ଯେ । ୪ ।

 

ଅନୁକ୍ଷଣେ ଆଶା ବଢ଼ାଇ ହିତ।

ଆନନ୍ଦ ମନେ ଗଦଗଦ ଚିତ୍ତ ।

ଅନନ୍ତପୁରୁଷ କରୁଣା ସାଇଁ ।

ଅଙ୍ଗୀକାର କରି ନେବ ବଞ୍ଚାଇ ସେ,

ଅନାଥା ନ କର ହରି ଯେ ।

ଆଶ୍ରିତ କରିଛି ପଦ୍ମ ପାଦତଳେ ନଦେବ ମୋତେ ପାଶୋରି ଯେ । ୫ ।

 

ଚର୍ମ ଦେହ ରୁଧିର ଯେ ମାଂସ ।

ଚକ୍ରପ୍ରାୟେ ଭ୍ରମୁଅଛି ଆକାଶ ।

ଗୁରୁ ଚରଣରେ ନଦେଇ ଚିତ୍ତ ।

ଚର୍ମକୁ ଅଛି ଆତ୍ମା ପଞ୍ଚଭୂତ ସେ,

ଚାହିଁଥିବ ନିରନ୍ତରେ ଯେ ।

ଚାଲିଆସି ମୋତେ ରକ୍ଷା କରି ନେବ,

ଅଭୟ ବାନା ପଞ୍ଜରେ ଯେ । ୬ ।

 

ଛନ୍ଦିଛି ସଂସାର ମାୟା କଳାପ ।

ଛଡ଼ରସେ ଭୁଞ୍ଜି ଅମୃତ ପାକ,

ଛାତିଡ଼େରି ବିଜେ କରିଛ ମଞ୍ଚେ ।

ଛାମୁ ଆଜ୍ଞା ଡାକ ପଡ଼ୁଛି ଉଚ୍ଚେ ସେ,

ଛଡ଼ବେଦ ପରେ ବାସ ଯେ;

ଛତ୍ର ଟେକି ମୋତେ ଛାଇଖଣ୍ଡେ ଦେବ କ୍ଷମାକରି ସର୍ବ ଦୋଷ ଯେ । ୭ ।

 

ଜଡ଼ାଇଛ ଯୁକ୍ତେ ଜନନୀ ଜଠେ,

ଜାଣି ପକାଇଛ ଜଗତ୍ର ନଟେ ।

ଜଣାନାହିଁ ମୋତେ ଜଗତ ରୀତି ।

ଯୁଗ କଳିକାଳ ବଡ଼ ଉତ୍ପତ୍ତି ସେ,

ଜନ୍ମାନ୍ତରୁ ମହାପାପୀ ଯେ ।

ଜଞ୍ଜାଳ ଜାଲରେ ପାରି କରି ନେବ,

ଠୁଳଶୂନ୍ୟ ବ୍ରହ୍ମରୂପୀ ଯେ । ୮ ।

 

ଝଞ୍ଜକା ଝଗଡ଼େ ପଡ଼ିଛି ମୁହିଁ ।

ଝାଡ଼ ଭିତରେ ପଥ ବଣା ହୋଇ ।

ଝଟକ ବିଜୁଳି କୁହୁଡ଼ି ମାୟା ।

ଝାଁକି ପକାଉଛି ବେଢ଼ାଇ କାୟା ସେ,

ଝଡ଼ିପଡ଼ୁଛି ମେଦିନୀ ଯେ ।

ଝିମଟକେ ମୋତେ ସାହା ହୋଇଥିବ,

ଝାଳି ନାମ ଶବ୍ଦ ଧ୍ୱନି ଯେ । ୯ ।

 

ନିଶି ଦିବସରେ ନିଷ୍କାମ ଦ୍ୱାର ।

ନାମବ୍ରହ୍ମେ ଚିତ୍ତ ନାହିଁନା ମୋର ।

ନାଶ କପଟ କୁଟିଳ ହୃଦୟ ।

ନାହିଁ ମୋର ଆଗପଛକୁ ଭୟ ସେ,

ନିରାଶ ନକର ସ୍ୱାମୀ ଯେ ।

ନିରନ୍ତରେ ମୋତେ ସାହା ହେଉଥିବ,

ନାରାୟଣ ଅନ୍ତର୍ଯ୍ୟାମୀ ଯେ । ୧୦ ।

 

 

ଟାକି ନ ପାରୁଛି ଟିଆ ପର୍ଯ୍ୟନ୍ତେ ।

ଟଳମଳ ହେଉଛି ଅବିରତେ ।

ଟିକେ ହୋଇ ଟାଣ ନାହିଁନା ମୋର ।

ଟେଳାପ୍ରାୟ ପଡ଼ି ବିଲ ଭିତର ସେ,

ଟାଳି ମୋତେ ନ ଫିଙ୍ଗିବ ଯେ ।

ଟାଣେ ଡାକୁଅଛି ଗୁରୁଦେବ ସ୍ୱାମୀ,

ଟିକେ ମାତ୍ର ଦୟାଥିବ ଯେ । ୧୧ ।

 

ଠିକଣା ନାହିଁ ମୁଁ ଠକ ପୁରୁଷ।

ଠିଆହେଲେ ହାଇ ମାଡ଼େ ଅଳସ ।

ଠାରି କହୁଅଛି ସେ ଭୀମଭୋଇ ।

ଠସ ବଚନ ବହୁତ ଜାଣଇ ସେ,

ଠାକୁର ମୋହର ସତ ଯେ ।

ଠାବ କରିଛନ୍ତି ଅବନା ମନ୍ଦିରେ,

ଅଣାକାର ଅବଧୂତ ଯେ । ୧୨ ।

 

ଡାଳ ଧରିଅଛି ମୂଳକୁ ଛାଡ଼ି ।

ଡୋଳା ଗୋଚରେ ବିଷୟାରେ ପଡ଼ି ।

ଡକାଇତ ହୀନ ବୁଦ୍ଧି ମୋହର ।

ଡାକରା ବିଷ କରୁଛି ଆହାର ସେ,

ଡାକୁଅଛି ବିକଳରେ ଯେ ।

ଡେରି ବୀରବାନା ସମ୍ଭାଳି ଭୃତ୍ୟଙ୍କୁ

ନେଇ ବସାଇବ କୋଳେ ଯେ । ୧୩ ।

 

ଢଗଢ଼ମାଳିଆ ପରାୟ ହୋଇ ।

ଢାଉରଙ୍ଗ ଦେଖି ହେଉଛି ବାଇ ।

ଢୋକୁଅଛି ନାଗ ଗରଳ ବିଷ,

ଢାଳେହେଁ କାହାକୁ ଦେବଇଁ ଦୋଷ ସେ,

ଢଳିପଡ଼ୁଅଛି ପଥେ ଯେ ।

ଢାଙ୍କୁଣି ଭିତରୁ ବାଛି ଘେନିଯିବ ।୧୪।

 

ମୁରୁଛି ନ ଦେଇ ମୋତେ ଯେ ।

ଅନୁକ୍ଷଣେ ମୋହ ମାୟାରେ ବନ୍ଦୀ ।

ଅଣାୟତେ ଦିବା ନିଶିରେ ଛନ୍ଦୀ ।

ଅନନ୍ତ ପୁରୁଷ ମହିମା ଯେହୁ ।

ଅନ୍ତର୍ଗତେ ଭାବି ନୁହଇ ସେହୁ ସେ,

ଅଣାକାର ବ୍ରହ୍ମରାଶି ଯେ ।

ଅଣହେଳା ଦେଖି ଅନନ୍ତ ପୁରୁଷ

ଫିଟାଇବେ ମୋତେ ଆସି ଯେ । ୧୫ ।

 

ତରିବା ପଥକୁ ଶ୍ରୋତା ନ କରି ।

ତରସ୍ତ ହେଉଅଛି ଭବବାରି ।

ତ୍ରିଗୁଣର ମାୟା ନୁହଇ କାଟି ।

ତିନି ତିନିପୁର ପଡ଼ିଛି ଗଣ୍ଠି ସେ,

ତ୍ରୈଲୋକ୍ୟର ଚିନ୍ତାମଣି ଯେ ।

ତପତକୁଣ୍ଡରୁ ତାରିନେବ ଗୁରୁ ଛପନକୋଟି ଜୀବେ

ଗଣି ଯେ ଥୟ ହୋଇ ରହୁ ନାହିଁ ମୋ ମନ, ।୧୬।

 

ଥୟ ହେଉ ନାହିଁ ଏ ପଞ୍ଚ ପ୍ରାଣ ।

ଥଳରେ ପଡ଼ି ଭାସୁଅଛି ମୁହିଁ ।

ଥାନ ଦେଖାଇ କହିବ ଚିହ୍ନାଇ ସେ ।

ଧରୁଅଛି ପିଣ୍ଡ ପ୍ରାଣ ଯେ ।

ଥିବେ ଯେବେ ମୋର ବ୍ରହ୍ମାଣ୍ଡ କରତା

ନେବେ କରି ପରିତ୍ରାଣ ଯେ।୧୭ ।

 

ଦୂର ହେଉଅଛି ସେବା ଭକତି ।

ଦର୍ଶନେ ପ୍ରସନ୍ନ ନୋହୁଛି ମତି ।

ଦଉଡ଼ି ପରାୟେ କୁହୁଡ଼ି ମାୟା ।

ଦଗାଦାର କରି ବେତାଇ କାୟା ସେ,

ଦଇବ କରତା ପ୍ରଭୁ ଯେ,

ଦୂରୁ ଦଶ ଦଣ୍ଡ କରି ଖଣ୍ଡ ଖଣ୍ଡ,

ନିବାର କରିବ ସବୁ ଯେ । ୧୮ ।

 

ଧରି ନ ପାରୁଛି ଧଉର୍ଯ୍ୟପଣେ,

ଧାଇଁ ନାଶ ଯାଉଛି ଏଣେ ତେଣେ,

ଧରାଧରି ହୋଇ ପାଉଛି ଲଘୁ ଧାରଣା ଧିଆନ ବୁଡ଼ାଇ ସବୁ ସେ,

ଧନ୍ୟ ଯେବେ ବ୍ରହ୍ମରୂପ ଯେ;

ଧରି ମାରି ମୋତେ ଧର୍ମପଥ ଦେବ,

ଛିଡ଼ାଇ ସକଳ ପାପ ସେ । ୧୯।

 

ନୟନେ ବିଷୟା ରହିଛି ଛନ୍ଦି,

ନିଶିଦିବସେ ଅନୁଷଣେ ବନ୍ଦୀ,

ନବୀନ ବୟସ ନିହାଇ ଯାଇ,

ନିଶମୋଡ଼ି କଥା ନୁହଇ କହି ସେ ନିସଖା ଜୀବନ ମୋର ଯେ ନାଶିଲା ଜନଙ୍କୁ

ନାବରେ ବସାଇ ନେବ ନ କରି ଅନ୍ତର ଯେ । ୨୦ ।

 

ପାପପିଣ୍ଡ ପ୍ରାଣ ବହିଛି ମୁହିଁ,

ପର ପ୍ରୀତିରେ ଅନୁଷଣେ ଥାଇଁ,

ପାମର ଅଜ୍ଞାନ ଦୁର୍ବୁଦ୍ଧ ମନ,

ପ୍ରକାଶୁଛି ମେଘେ ଯେସନେ ଘନ ସେ;

ପରମ ପୁରୁଷ ଗୁରୁ ଯେ,

ପରଚେ କରାଇ ପରିତ୍ରାଣ ପଥେ,

ପାରିକରିବ ସଂସାରୁ ଯେ । ୨୧ ।

 

ଫୁଲ ଦେଖି ଫଳ ଶ୍ରୁତିରେ ମାତି,

ଫାନ୍ଦଫାଶେ ପଡ଼ି ରହିଛି ନିତି,

ଫୁଲାଫଣେ କହି ନୁହଇ କଥା,

ଫୁଟୁଅଛି ଦେହେଁ ନ ରହେ ଚେତା ସେ,

ଫରୁଆ ଭିତରେ ପଡ଼ିଯେ ।

ଫୁଲଫେଇ ମୁଦଫେଡ଼ି ମୋତେ ନେବ କଞ୍ଚି କୋଲପରେ ମୋଡ଼ି ଯେ । ୨୨ ।

 

ବାତୁଳ ପରାୟ ହେଉଛି ମନ,

ବୁଦ୍ଧି ବିବେକ ମୋ ଅଟଇ ସାନ,

ବିରାଜ କରିଅଛ ପରା ମଞ୍ଚେ ।

ବଣା ହୋଇ କରି ବୁଲିଛି ମିଛେ ସେ,

ବାରଣ କରିବ ନାହିଁ ଯେ ।

ବସାଘରୁ ମୋତେ ଗୁରୁଦେବ ସ୍ୱାମୀ,

ବାରେକ ନେବ ବଞ୍ଚଇ ଯେ । ୨୩ ।

 

ଭାବେ ଗଦଗଦ ସେ ଭୀମ ଭୋଇ,

ଭବ ସାଗରେ ଭାସୁଅଛି ମୁହିଁ,

ଭାରା ଉଶ୍ୱାସିବେ ଶ୍ରୀଗୁରୁଦେବ ଭାସିଲା ଜନକୁ ବସାଇ ନାବ ସେ,

ଭରସା କରିଛି ଭାରି ଯେ,

ଭାରତ ମଣ୍ଡଳୁ ବଞ୍ଚାଇ ରଖିବେ ଭାବଗ୍ରାହୀ,

ଦୟାକରି ଯେ ।୨୪ ।

 

ମନ ଛନ ଛନ ଚଞ୍ଚଳ ଚିତ୍ତ,

ମୋହନୀ ମାୟା ମଦରେ ମୋହିତ,

ମାତ୍ରକ ସମ୍ଭାଳି ନୁହଇ କଥା ।

ମତ ପ୍ରେମଭୋଳେ ବୁଡ଼ାଇ ଚେତା ସେ,

ମହିମା ମୋର ସାମଥ ଯେ,

ମୂର୍ଚ୍ଛିତ କରାଇ ମିଛ ପସରାରୁ ରଖିବେ,

ପ୍ରାଣ ମହତ ଯେ । ୨୫ ।

 

ଜାଣି ଜଗି ନ ପାରୁଛି ଆଗକୁ,

ଜାତ କରିଅଛ କଳିଯୁଗକୁ,

ଯୋନିରେ ଜନମ ହୋଇଛି ପିଣ୍ଡ,

ଯାଣୁଛ ଯମ ନିଶ୍ଚେ ଦେବ ଦଣ୍ଡ ସେ,

ଜଗତ ଜୀବନ ଧନ୍ୟ ଯେ,

ଜାଣି ବୁଝି ମୋତେ ରକ୍ଷାକରି ଯିବ,

ଉଦେ କରି ଧର୍ମପୁଣ୍ୟ ଯେ । ୨୬ ।

 

ରସରେ ବିଷୟା ମନେ ବାଞ୍ଛିତ,

ନାମବ୍ରହ୍ମେ ମୋର ନ ଥାଇ ଚିତ୍ତ,

ରାଗ ଅହଂକାର ହୃଦରେ ଘେନି,

ରହି ନ ପାରୁଛି ଆଜ୍ଞାକୁ ମାନି ସେ,

ରସାନ୍ତଳେ ଅଛି ପଡ଼ି ଯେ ।

ରଉରବ ନର୍କରୁ ତାରି ନେବ ଗୁରୁ ନାହିଁ ଯିବ ମୋତେ ଛାଡ଼ି ଯେ ।୨୭।

 

ଲୋଭ ମୋହରେ ନିରନ୍ତରେ ପଡ଼ି,

ଲାଳସେ ବିଷୟା ନ ପାରେ ଛାଡ଼ି,

ଲୋଭ ନିମନ୍ତରେ ଉଠୁଛି ନିନ୍ଦା,

ଲଙ୍ଘୁ ଭିତରେ କରିଅଛି ଫନ୍ଦା ସେ,

ଲାଗି ରହିଅଛି ମାୟା ଯେ ।

ଲକ୍ଷଣବନ୍ତ ପୁରୁଷ ପରଂବ୍ରହ୍ମ ସ୍ୱାମୀ,

କରିଥିବ ଦୟା ଯେ । ୨୮ ।

 

ବଣା କରୁଅଛି ବାରାଧି ନଦୀ ।

ବିଷୟାଦ୍ୱନ୍ଦେ ଅହର୍ନିଶି ବନ୍ଦୀ ।

ବ୍ରହ୍ମାଣ୍ଡ କରତା ବିଜେ ଆପଣ ।

ବିର ବିଧୁବାନା ଉଡ଼ୁଛି ଶୂନ୍ୟ ସେ,

ବୈଷ୍ଣବ ମୂରତି ରୂପ ଯେ ।

ବିଧିମତେ ନେଇ ବାହୁତଳେ ଥୋଇ;

ନ କରିବ ଗାଳି କୋପ ଯେ । ୨୯ ।

 

ଶ୍ରୋତା ନାହିଁ ପ୍ରଭୁ ପାଦ ତଳରେ ।

ଶ୍ରମ କରୁଅଛି ଶ୍ରୁତି ଫଳରେ ।

ସାରବ୍ରହ୍ମ ପାଦ ଗୋଚର ନାହିଁ ।

ଶିରକୁ ଲୁଚାଇ ବଞ୍ଚିବି କାହିଁ ସେ ।

ଶକତି ନାହିଁନା ଦେଖ ଯେ ।

ସଂସାର ସାଗରୁ ତାରି ନେବ ଗୁରୁ ।

ଶାନ୍ତିରେ କରି ବିବେକ ଯେ । ୩୦ ।

 

ସତ ଶାନ୍ତି ଦୟା କ୍ଷମା ନ ପାଳି ।

ସଂସାର ଭିତରେ ମରୁଛି ଭାଳି ।

ସବୁ ପାତକ କରିଅଛି ମୁହିଁ ।

ସଧୀରେ ସୁନ୍ଦର ରୂପକୁ ଚାହିଁ ସେ,

ସରିଲାଣି ସର୍ବ ଆସି ଯେ ।

ସର୍ବ କଥା ମୋର କରତା ବୁଝିବେ,

ସ୍ୱର୍ଗ ବଇକୁଣ୍ଠବାସୀ ଯେ । ୩୧ ।

 

ସଙ୍ଗ ସାଥିଜନ ମେଳରେ ପଡ଼ି।

ସିଦ୍ଧାନ୍ତ ବଚନ ଦେଉଛି ଛାଡ଼ି ।

ସକଳ ବିଷୟା ଲାଗିଛି ମୋତେ ।

ଶୂନ୍ୟବାସୀ ପ୍ରଭୁ ଜାଣନ୍ତି କେତେ ସେ,

ସମସ୍ତଙ୍କୁ ଜଣା ନାହିଁ ଯେ ।

ସତ୍ୟ ସତ୍ୟ ବାଣୀ କର୍ଣ୍ଣେ ଥାଅ ଶୁଣି;

ପାପ ପଙ୍କେ ଅଛି ମୁହିଁ ଯେ । ୩୨ ।

 

ହେଉଅଛି ହାନି ଲାଭରେ ବାଇ।

ହେତୁ ହିତଜ୍ଞାନ ଚେତା ବୁଡ଼ାଇ ।

ହତ୍ୟାରେ ମରୁଛି ହସ୍ତ ଲଗାଇ ।

ହେଉଅଛି ପାପ କେ ପାରେ କହି ସେ,

ହର ହର ପାପରାଶି ଯେ ।

ହରେକ କଥାରୁ ତାରି ନେବ ଗୁରୁ ଫିଟାଇଣ କାଳଫାଶୀ ଯେ । ୩୩ ।

 

କ୍ଷତିମଣ୍ଡଳରେ ରଖିଛ କଥା ।

ଖଣ୍ଡୁଅଛ ଭକ୍ତଙ୍କ ମନବ୍ୟଥା ।

ଖେଳ ହେବାଯାଏ ନୋହୁ ମରଣ ।

କ୍ଷମା ସାଗରଙ୍କ ପାଦେ ଶରଣ ସେ;

ଭଣେ ଭୀମ ଅରକ୍ଷିତ ଯେ।

କ୍ଷମା ନୋହିବାରୁ ପୋଡ଼ୁଅଛି ମୋର,

ଜୀବଆତ୍ମା ପଞ୍ଚଭୂତ ଯେ । ୩୪ ।