ଜଳ ଆଣି ଯାଇ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଜଳ ଆଣି ଯାଇ


ଜଳ ଆଣି ଯାଇ କାଲି କଳିନ୍ଦସୁତାକୁ ।
ଫଳ ପାଇଲି ଅନାଇ ରେ । ସଙ୍ଗାତ ।
କଦମ୍ବ ମୂଳକୁ ରେ । ସଙ୍ଗାତ ।୧।

ନୀରଦଟି ନୀଳମଣି ପ୍ରତିମା ସେ କିଛି ।
ବାରିପାରିଲି ନାହିଁ ରେ । ସଙ୍ଗାତ ।
ନୟନେ ନାଚୁଛି ରେ । ସଙ୍ଗାତ ।୨।

ଘମ ଘମ ନୀଳତ୍ପଳ କସ୍ତୁରୀ ସୁବାସ ।
ଘନ ଘନ ଆସୁଥିଲା ରେ । ସଙ୍ଗାତ ।
ହୋଇଲି ଅବଶ ରେ । ସଙ୍ଗାତ ।୩।

ପଛେ ପଛେ କେକୀବୃନ୍ଦ ମତ୍ତେ ପୁଚ୍ଛ ଟେକି ।
ଡାକି ଡାକି ନାଚୁଥିଲେ ରେ । ସଙ୍ଗାତ ।
କହ ସେ କାହିଁକି ରେ । ସଙ୍ଗାତ ।୪।

ଛପି ଛପି ନିକୁଞ୍ଜ ପୁଞ୍ଜ ତଳ ତଳରେ ।
ଆସି ଆସି ପାଇଗଲେ ରେ । ସଙ୍ଗାତ।
ଆଗେ କି ବେଗରେ ରେ । ସଙ୍ଗାତ ।୫।

ଝୁମୁ ଝୁମୁ ଧ୍ୱନି ଶୁଣି ଏଣେ ତେଣେ ମୁହିଁ ।
ଅନାଉ ଅନାଉ ରହି ରେ । ସଙ୍ଗାତ ।
ବୋଇଲେ କେ ନାହିଁ ରେ । ସଙ୍ଗାତ ।୬।

ଦର ଦରଶନ କରି ଚମକି ପଡ଼ିଲି ।
ଦମ ଦମ ହେଲା ଛାତି ରେ। ସଙ୍ଗାତ ।
ମଥା ପୋତି ଦେଲି ରେ । ସଙ୍ଗାତ ।୭।

ପ୍ରଚଳାଗ୍ର ପ୍ରଚଳାକ କମନୀୟ ଚୂଳ ।
ଢଳ ହଳ ଖେଳୁଥିଲା ରେ । ସଙ୍ଗାତ ।
ଗଣ୍ଡରେ କୁଣ୍ଡଳ ରେ । ସଙ୍ଗାତ ।୮।

ଥରି ଥରି ଥରିଗଲି ବିବେକ ହଜିଲା ।
ଜର ଜର ହୋଇ ଅଙ୍ଗେ ରେ । ସଙ୍ଗାତ ।
ଝାଳ ବୁଡ଼ାଇଲା ରେ । ସଙ୍ଗାତ ।୯।

ପ୍ରତି ପ୍ରତୀକ ଯାକରେ ପୁଲକ ପୂରିଲା ।
ତର ତର କେତେ ହେଲି ରେ । ସଙ୍ଗାତ ।
ପଦ ନ ଚଳିଲା ରେ । ସଙ୍ଗାତ ।୧୦।

କରକ ରଦନା କର ପ୍ରସାରୁ ସେ ପୁଣ ।
କହୁ କହୁ କିସଟି ମୁଁ ରେ । ସଙ୍ଗାତ ।
ବାଣୀ ହେଲା ବଟି ରେ । ସଙ୍ଗାତ ।୧୧।

ଶୃଙ୍ଗାର ରସ କି ସ୍ମର ହେବେ ମୋ ମୂରତି ।
ଚାହୁଁ ଚାହୁଁ ଡାକିଦେଲା ରେ । ସଙ୍ଗାତ ।
ଜଟିଳା ଜରତୀ ରେ । ସଙ୍ଗାତ ।୧୨।

ଆସୁ ଆସୁ ପୁରକୁ ପଥରେ ପଚାରିଲି ।
ଗୋପାଳକୃଷ୍ଣ କହଇ ରେ । ସଙ୍ଗାତ ।
ବ୍ରଜବିଧୁ ବୋଲି ରେ । ସଙ୍ଗାତ ।୧୩।