ଜାତି ଇତିହାସ
ଲେଖକ/କବି: ମଧୁସୂଦନ ଦାସ


ଜାତି ଇତିହାସ ଜାତିର ନିର୍ଝର
     ତହୁଁ ବହେ ସଦା ଜାତି ପ୍ରାଣଧାର,
ସେ ଧାରାରୁ ନୀର ପିଉଛି ଯେ ନର
     ନିଶ୍ଚୟ ହେବ ସେ ଜାତି କର୍ମବୀର ।
କଳକଳ ରବେ ଛୁଟିଛି ସେ ଧାର
     ଅତୀତ କୀରତି ଗାଇ ନିରନ୍ତର,
ଭାବୀ କୀରତିର ଉଦୟେ ନାଚୁଛି
     ଯଥା ଚନ୍ଦ୍ରୋଦୟେ ନାଚେ ରତ୍ନାକର ।
ଧାର ମଧ୍ୟେ ବିଜେ ମୋହିନୀ ପ୍ରତିମା
     ଦେଖ ଦେଖ ସେହି ଜନନୀ ତୋହର,
କାନ ଡେରି ଶୁଣ ମାତା କହୁଛନ୍ତି
     ଆସ ଆସ ବତ୍ସ, ନୀର ପାନ କର ।
ଏହି ନୀର ସେବି ବୀର ମୋ ସନ୍ତାନେ
     ବୀରପ୍ରସବିନୀ କ୍ଷୀର ଏହି ନୀର,
ଛାଡରେ ଆଳସ୍ୟ ବଢାଅ ସାହସ
     ଜାତି-ନନ୍ଦିଘୋଷ କର ଅଗ୍ରସର ।