ଦିନେ ଦିନେ ଚତୁରୀ ପ୍ରେମେ ହୋଇ ଆତୁରୀ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର

ଦିନେ ଦିନେ ଚତୁରୀ ପ୍ରେମେ ହୋଇ ଆତୁରୀ

ଦୀନେ ଦିନେ ଚତୁରୀ, ପ୍ରେମେ ହୋଇ ଆତୁରୀ
ମିତେ ଏକାନ୍ତେ କହନ୍ତି ବଂଶୀ ଚାତୁରୀ ।୧।

ଶବ୍ଦ ଶରୁଁ ସେ ଜାତ, ସରଳତା ସଞ୍ଜାତ
ପତିବ୍ରତୀକି କରାଉ ଅଛି ଲଜ୍ଜା ତ ।୨।

ମହତରେ କଳିତ, ବାଜୁଅଛି ଲଳିତ
କି କେ କୁଳବତୀ ମାନ ଦିଏ ଦଳିତ ।୩।

ମନ ଦିଏ ରସାଇ, ଧୈର୍ଯ୍ୟ ଦିଏ ଭସାଇ
ତା ଜାତିରେ ନେବ ପରା ଏବେ ମିଶାଇ ।୪।

ତନୁ ପୋଡ଼ାଇଲା ତ, ମନ ବୁଡ଼ାଇଲା ତ
ଶ୍ରବଣ ତା ମଧୁରତା ଲୋଡ଼ାଇଲା ତ ।୫।

ବାସ ପଡ଼ାଇଲା ତ, ତହିଁ ଗଡ଼ାଇଲା ତ
ବିବେକ ଛଡ଼ାଇ ବେକ ମୋଡ଼ାଇଲା ତ ।୬।