ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ

ଲେଖକ/କବି: ବନମାଳୀ ଦାସ
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ

ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ

ରାଗ ଭୈରବୀ, ତାଳ ଖେମଟା
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
ବେଳକୁ ବେଳ ତ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ । ଘୋଷା ।

ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀସାଇଁ
ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ । ୧ ।

ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ
ଯେଣୁ କରି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ । ୨ ।

ଏଡ଼େ ନିଷ୍ଠୁରତା ହେଲା ମୋହ ଭଳି ଦୁଃଖୀଜନ ହୀନଠାରେ
ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ । ୩ ।

ପୋଡ଼ୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ ଏଡ଼େ ବଡ଼ ପ୍ରଭୁ ଥାଉଁ
ବନମାଳୀ ବୋଲେ ଚଞ୍ଚଳ ମନ ମୋ ପଦ୍ମପାଦେ ତୁମ୍ଭ ରହୁ । ୪ ।