ମଣିମା ହେ ଏତିକି ମାଗୁଣି ମୋର
←ଦୀନବନ୍ଧୁ ଦଇତାରୀ | ଲେଖକ/କବି: ମଣିମା ହେ ଏତିକି ମାଗୁଣି ମୋର |
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ→ |
ମଣିମା ହେ ଏତିକି ମାଗୁଣି ମୋର ।
ମରଣ କାଳରେ ଦରଶନ ଦେବ କଳାମୁଖ କଳାକାର ।।
ମଥାରେ ଥିବ ମୋ ତୁମ୍ଭ ଛଡାମାଳ, ମୁଖରେ ଥିବ ତୁଳସି ।
ମନେ ମନେ ଭାଳି ସୁଖି ହେଉଥିବି ନିଳାଦ୍ରୀଶିଖର ବାସୀ ।।
ମହାବାହୁ ଟେକା ଶ୍ୱେତ ପଦ୍ମ ଚକା ନୟନକୁ ନିତି ଚାହିଁ ।
ମଜ୍ଜାରେ ପୁଲକ ପୂରୁଥାଉ ରଙ୍କନିଧି ଦୁଃଖିଜନ ସାଇଁ ।।
ମଙ୍ଗଳ ଆଳତି ଅବକାଶ କାଳେ ଗରୁଡ ପଛରେ ଥାଇ ।
ମୋହି ହେଉଥିବି ପ୍ରତି ନିଶାନ୍ତରେ ତୁମ୍ଭ ଗୁଣ ଗାଥା ଗାଇ ।।
ମଞ୍ଜୁଳ ବଡସିଂହାର ବେଶ ଦେଖି ମାରୁଥିବି କକ୍ଷତାଳି ।
ମରୁଆ ଦୟଣା ମାଳିଆଙ୍କୁ ଏତେ ଅଳି କରେ ବନମାଳୀ ।।