ଦୂତୀକର ଧରି ହରି ବୋଇଲେ କିଶୋରୀ
ଦୂତୀକର ଧରି ହରି ବୋଇଲେ କିଶୋରୀ
ଦୂତୀ କର ଧରି ହରି ବୋଇଲେ କିଶୋରୀ
ମିତ୍ର ପୂଜି ଆସିଥିଲା ଗଲା ତ ପାଶୋରି
ଦୂତୀ ଗୋ, କହିବୁ ବନ୍ଧୁକୁ
କି ଦୋଷରେ ଫିଙ୍ଗିଦେଲା ମଦନ ସିନ୍ଧୁକୁ ।୧।
କିଣି ପୁଣି ଗୁଣମଣି କଲାତ ନିରାଶ
ଏ ଭାବନା ହୃଦେ ସିନା ଦେଇଛି ପରାଶ
ଦୂତୀ ଗୋ, କହିବୁ ଧନୀକି
ପରିଜନ ଦୀନକୁ ହେଲେ କାହା ହାନି କି ।୨।
ରସାଳସା ଆଶା ଧରି ରହିଛି ମୋ ଜୀବ
ଚମ୍ପାଗୋରୀ ଅନୁକମ୍ପା ନ ପାଇଲେ ଯିବ
ଦୂତୀ ଗୋ, କହିବୁ ଗୋରିକି
ଦୋଷାଦୋଷ ହେଲେ ଏତେ ସରିକି କରିକି ।୩।
ବାଳକ କାଳରୁ ହେଲା ଅନୁସରି
ଭଗାରୀ ହାତରେ ଆସି ଯାଉଅଛି ସରି
ଦୂତୀ ଗୋ, କହିବୁ ଯୋଷାକୁ
କାହିଁ ପାଇଁ ହରାଇଲା ଭଗାରୀ ହସାକୁ ।୪।
ସାନ ଦିନେ ଦିନେ ବନେ ଧୂଳି ଖେଳିବାରେ
ଏ ମୋ ଭାଗ୍ୟ ବୋଲି ରାଗଲତା ଏବେ ବାରେ
ଦୂତୀ ଗୋ, କହିବୁ ଧୀରାକୁ
ମହତ ଉତ୍ତର ବଳେ ପାଷାଣ ଗିରାକୁ ।୫।
କୁମାର କୁମାରୀ ମେଳେ ଖେଳିବା ବିଧିରେ
ବର ମୁହିଁ କନ୍ୟା ସେହି ହୋଇଛି ବିଧିରେ
ଦୂତୀ ଗୋ, କହିବୁ ସହିକି
ସେଦିନର ସନମାନ ମନରେ ନାହିଁ କି। ୬।