ଧନୁ ଧରି ରାମ ହୋଇଲେ ଉଭା

ଧନୁ ଧରି ରାମ ହୋଇଲେ ଉଭା
ବିଷୟ
ରାଗ ଆନନ୍ଦଭୈରବ

ଧନୁ ଧରି ରାମ ହୋଇଲେ ଉଭା । ଲକ୍ଷେ ନୃପତିରେ ଦିଶନ୍ତି ଶୋଭା ।
ବାମଦେବ କୋଦଣ୍ତ । ହୋଇଲା ବେନିଖଣ୍ତ ।
ଧ୍ୱନି କଲା ପ୍ରଚଣ୍ତ । ମୋହେ ସକଳ ପିଣ୍ତ ।
ଲକ୍ଷ୍ମଣ କରେ ଦେଇ ଧନୁଶର । ରାଜସଭାକୁ ବୋଲନ୍ତି ଉତ୍ତର ।
ପାରିଲେ ସକଳେ ଧନୁକୁ ଧର । ଧନୁ ଭାଙ୍ଗ ଯଶ ରଖ ମହୀର ।
ଶୁଣି ରାଜାମାନେ ରାମ ଉତ୍ତର । ଭୂମିକି ଚାହିଁ ନମ୍ର କଲେ ଶିର ।
ବାମକରେ ଧନୁ ଧରିଣ ରାମ । ଚଢ଼ାଇ ଟଙ୍କାରିଲେ ଗୁଣଦାମ ।
ଯେତେ ଲଉଁଥାଇ ଶର ଆସନ । ତେତେ ଲଉଁଥାଇ ମୁକୁଟମାନ ।
ଯେତେବେଳେ ରାମ ଟାଣିଲେ ଗୁଣ । ଟାଣିଲେ କି ନୃପତି ପ୍ରାଣ ।
କର୍ଣ୍ଣସରିକି ଆଣିଲେ ଓଟାରି । ହସ୍ତିକି ଯେହ୍ନେ ଧଇଲା କେଶରୀ ।
ଯେତେବେଳେ ଭଗ୍ନ କଲେ କୋଦଣ୍ତ । ହସ୍ତୀ ଭାଙ୍ଗିଲାକି ଏ ଇକ୍ଷୁଦଣ୍ତ ।
ନୃପତିଙ୍କର ଯେତେ ଆଶା ଥିଲା । ଧନୁ ସଙ୍ଗତେ ସେ ଭଗ୍ନ ହୋଇଲା ।
ଧନୁ ଭାଙ୍ଗି ରାମ ବିଜେ ଆସ୍ଥାନେ । ଦେଖିଣ ବିରଷ ନୃପତିମାନେ ।
କନ୍ୟାକୁ ଆଣି ମୁଦୁସୁଲୀ ଗଲେ । ବୋଲେ ବିଶି ଜନ‌କ ଆଜ୍ଞା ଦେଲେ ।