ଶିରୀ ବାଲମୀକ ମହର୍ଷି
←ତମସା ନଦୀ ତଟରେ | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଶୁଣ ହେ ସୁଜନ ଜନେ ଅପୂର୍ବ ଆଖ୍ୟାନ→ |
ଶିରୀ ବାଲମୀକ ମହର୍ଷି
ରାଗ ଗୋପକେଳି
ଶିରୀ ବାଲମୀକ ମହର୍ଷି କ୍ଷଣକ ମଧ୍ୟରେ ରାମ ଚରିତ୍ର ।
ଭବିଷ୍ୟତ କଥା ପବିତ୍ରର ପ୍ରଥା କହନ୍ତି ଅତି ପବିତ୍ର ।
ସରଯୁର ନୀର ଅତି ସେ ମଧୁର ପାତଳ ଶୀତଳକର ।
ସୁବାସ ନିର୍ମଳ ଅତ୍ୟନ୍ତ ଗମ୍ଭୀର ବେନିତଟ ମନୋହର ।
କାଦମ୍ବେ କଦମ୍ବକଦମ୍ବେ ମଣ୍ତିତ ଖଣ୍ତିତ ପାତକ ଓଘ ।
କମଳ କୁମଦ ଇନ୍ଦୀବର କୋକନଦ ଜଳପ୍ରଭା ବେଗ ।
ତହିଁର ତଟର ଅଯୋଧ୍ୟାନଗର ଦିଶଇ ଅତି ସୁନ୍ଦର ।
ଉପମା ଦେବାକୁ ତିନିପୁରେ ନାହିଁ କି ଅବା ସ୍ୱର୍ଗସୋଦର ।
ସୁମେଢ଼ ମଣ୍ତପପୁର ଦିବ୍ୟରୂପ ବିଚିତ୍ର ଅଟ୍ଟାଳୀମାନେ ।
ପ୍ରାଚୀର ପ୍ରାସାଦ ପ୍ରାକାରେ ବିସ୍ତାର କାଙ୍ଗଲାରେ ଦିବ୍ୟଯାନେ ।
କି ଧବଳମୟ ଚନ୍ଦ୍ରମା ଉଦୟ ପ୍ରାୟକ ଦିଶଇ ଶୋଭା ।
ମୁଖ ରାବ ଧ୍ୱନି ଉଛୁଳି ପଡ଼ୁଛି ସିନ୍ଧୁମନ୍ଥନ କି ଅବା ।
ତହିଁରେ ନିବାସ ଯେ ସ୍ତିରୀ ପୁରୁଷ କାମଦେବ ରତି ପ୍ରାୟ ।
ହରଷ ବଦଦ ସଦାନନ୍ଦ ମନ ଦେବ ବ୍ରାହ୍ମଣେ ବିନୟ ।
ଦ୍ୱିତୀୟ କୁବେର ପ୍ରାୟ ଧନେଶ୍ୱର ବୀରେଶ୍ୱର ବଇଷ୍ଣବ ।
ଯୁବତୀ ଯେମାନେ ନ ଭଜିଣ ଆନେ ସେବନ୍ତି ଯେ ଯାହା ଧବ ।
ଅଷ୍ଟମୁନିବର ସୁବୁଦ୍ଧିସାଗର ଜଣେ ଜଣେ ବୃହସ୍ପତି ।
ପାରନ୍ତି ସେ ଜିତି ଜାଣନ୍ତି ସେ ନୀତି ଭୁଷିତ ହୋଇଛି କ୍ଷିତି ।
ତହିଁରେ ରାଜନ ଦ୍ୱିତୀୟ ତପନ କୁଳରେ ଅଟଇ ଜାତ ।
ନୃପତିମାନଙ୍କ ଚୂଡ଼ାମଣି ଏକ ଦଶରଥ ନାମେ ଖ୍ୟାତ ।
ସକଳ ଗୁଣରେ ପୂର୍ଣ୍ଣ ସେ ନିପୁଣ ରଣେ ବୀର ଧ୍ରୁବଜୟୀ ।
ସମରେ ଶମନଭ୍ରାତାକୁ ଜିଣିଣ ତେଣୁଟି ଅତି ନିର୍ଭୟୀ ।
ଅସଂଖ୍ୟ ବଳ ମେଦିନୀ ଟଳ ଟଳ ଜିଣନ୍ତା ନାହିଁ ତାହାଙ୍କୁ ।
ଅନେକ ଅଶ୍ୱ ରଥ ଗଜ ପଦାତି ଜିଣି ସେ ନାହିଁ କାହାକୁ ।
ହରିଙ୍କି ରାଜନ କରନ୍ତି ପୂଜନ ପୁତ୍ର ପ୍ରାପତ ନିମନ୍ତେ ।
ନୃପବର ନବସହସ୍ର ବରଷ ପୂଜା କଲେ ଏହି ମତେ ।
ପୁତ୍ର ନୋହିଲା ବୋଲିଣ ଏକଦିନେ ରାଜା କଲେ ବହୁ ଶୋକ ।
ପ୍ରବୋଧ କରିଣ କହିଲେ ତାହାଙ୍କୁ ସୁମନ୍ତ୍ରମନ୍ତ୍ରୀ ଅନେକ ।
ବୋଲନ୍ତି ସୁମନ୍ତ୍ର ଶୁଣ ନୃପବର ସନତକୁମାର ବାଣୀ ।
ବିଭାଣ୍ତକସୁତଇଷ୍ଟଯଜ୍ଞ କଲେ ପୁତ୍ର ହେବ ଅଛି ଶୁଣି ।
ଅନେକ କାଳଯାଏ ଅଙ୍ଗ ଦେଶରେ ଅନାବୃଷ୍ଟି ହୋଇଥିଲା ।
ଲୋମପାଦେ ରାଜ୍ୟେ ବିଭାଣ୍ତକ ସୁତ ଆସନ୍ତେ ବୃଷ୍ଟି ହୋଇଲା ।
ତେଣୁକରି ତାଙ୍କୁ ଶାୟନ୍ତା କନ୍ୟାକୁ ବିଭା କରାଇଲେ ରାଜା ।
ବୋଲେ ବିଶି ଋଷ୍ୟଶୃଙ୍ଗ ଏବେ ତାଙ୍କ ପୁରେ ପାଉଛନ୍ତି ପୂଜା ।