ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର

ଧୀରେ ଘେନ କାନନରେ

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ।
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳାମାଣିକରେ ।୧।

ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା ।
ଅନ୍ଧଲଉଡ଼ି ବାବୁ (ରେ) ହୃଦରତ୍ନହାରା । କଳାମାଣିକରେ ।୨।

ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା ।
ତୋତେ କି ପାସୋରି ହେବ (ରେ) ମୋର ସୁଖସୀମା । କଳାମାଣିକରେ ।୩।

ଡରୁଥାଇ ଅନ୍ଧାରକୁ (ରେ) ରଖିଯାଉ ଗୋରୁ ।
ଜନକ ଜନନୀ ସୁଖ (ରେ) କାହିଁପାଇଁ ସାରୁ । କଳାମାଣିକରେ ।୪।

ବୃଦ୍ଧକାଳେ ତୁ ମୋହର (ରେ) ଏକଇ ନନ୍ଦନ ।
ହୃଦ-ତାପ ବିନାଶନେ (ରେ) ତୁ ହରିଚନ୍ଦନ। କଳାମାଣିକରେ ।୫।

ଗୋଟିକା ଅଧାମ ସର (ରେ) ନ ରୁଚଇ ତୋତେ ।
ନାଚି ଲାଞ୍ଚ ମାଗୁଥାଉ (ରେ) ଲବଣୀ କେମନ୍ତେ। କଳାମାଣିକରେ ।୬।

ତୋଳି ମୁଁ ଧଇଲେ ଗୋଳି (ରେ) ହୋଇଯଉ ତୁହି ।
ତୋ ଦୁର୍ବଳ ଦେଖୁ କାହିଁ (ରେ) ପଶିବଇଁ ମୁହଁ। କଳାମାଣିକରେ ।୭।

ଡାକିନୀ ଲୋଭାନ୍ତି ବୋଲି (ରେ) ଡରୁଥାଇ ମନେ।
ବାର ବାର ବାରୁଥାଇ (ରେ) ଯିବା ପାଇଁ ବନେ। କଳାମାଣିକରେ ।୮।

ନିଶାଚର ମାତିବାର (ରେ) ଶୁଭୁଛି ଶ୍ରୁତିକି ।
ମୁଁ ଡଙ୍କୁଣୀ ଛାଡ଼ିଦେଲି (ରେ) ବନକୁ କାହିଁକି। କଳାମାଣିକରେ ।୯।

ଝାଳ ବହୁଥିବ ଅଙ୍ଗୁ (ରେ) ଲାଗି ଝାଞ୍ଜି ଖରା।
ଶ୍ରମ ପାଇ ତରୁତଳେ (ରେ) ବସୁଥିବୁ ପରା। କଳାମାଣିକରେ ।୧୦।

ନେଲୁ ନାହିଁ କାହିଁପାଇଁ (ରେ) ତୋ କଠାଉ ଛତା।
ବନେ କଣ୍ଟା ଲାଗି ହୋଏ (ରେ) ମୃଦୁ ପାଦ ଚିନ୍ତା। କଳାମାଣିକରେ ।୧୧।

କାନ ଡେରିଥାଇ ଏକା (ରେ) ତୋ ବେଣୁ ଗୀତକୁ।
ଆଜି କିମ୍ପା ଶୁଭୁନାହିଁ (ରେ) ଭାବୁଛି ମନକୁ। କଳାମାଣିକରେ ।୧୨।

ତୋ ଠାରୁ ଅଧିକ ବାଇ (ରେ) ତୋର ବଡ଼ଭାଇ।
ବୋଧକରି ଗଲା ନାହିଁ (ରେ) କାହିଁକି ରଖାଇ। କଳାମାଣିକରେ ।୧୩।

ତୋ ମାଧୁରୀ ସୁଚାତୁରୀ (ରେ) ଦେଖି ସୁଖୀ ଆକ୍ଷି।
ଅନ୍ଧ କରିଗଲୁ ବଳା (ରେ) କି ମମତା ରଖି। କଳାମାଣିକରେ ।୧୪।

ଛାଇକି ଅନାଇ ଛାତି (ରେ) ଫୁଲାଇ ତ୍ରି ଭଙ୍ଗେ।
ମୁରଲୀ ବଜାଉ ଥାଉ (ରେ) କି ଚାତୁରୀ ରଙ୍ଗେ। କଳାମାଣିକରେ ।୧୫।

କୋଳି ପାଇଁ ଅଳି କରି (ରେ) ଗଡୁ ତ ଧୂଳିରେ।
ବେଶ ହୋଇଥାଉ ରସି (ରେ) କୁସୁମମାଳିରେ। କଳାମାଣିକରେ ।୧୬।

ନଟବର ପରିପାଟୀ (ରେ) ବେଶ ମନୋହର।
ରଙ୍ଗିମା ଅଧରେ ହାସ (ରେ) କି ଜାତି ସୁନ୍ଦର। କଳାମାଣିକରେ।୧୭।

ନୟନ ହୁନ୍ଦର ମାନେ (ରେ) ଭ୍ରୂଲତା ନାଟକୁ।
ଅଳତା ଆବୃତ ଶୋଭା (ରେ) ଲଲାଟ ପଟକୁ। କଳାମାଣିକରେ ।୧୮।

ନାକେ କାବ୍ୟ ତାର ମୋତି (ରେ) ବସୁଣୀ କି ଶୋଭା ।
ମୋ ଆଖି ଦେଖିବା ପାଇଁ (ରେ) ନିରବଧି ଲୋଭା। କଳାମାଣିକରେ ।୧୯।

ମକର କୁଣ୍ଡଳ ଯୁଗ (ରେ) ଆନ୍ଦୋଳେ ଗଣ୍ଡରେ।
ଦେଖି ଆନନ୍ଦରେ ଭାଷା (ରେ) ନ ଆସେ ତୁଣ୍ଡରେ। କଳାମାଣିକରେ ।୨୦।

ଗୁଞ୍ଜବେଡ଼ା ବାଙ୍କଚୂଡ଼ା (ରେ) ଖୋଷା ଜାମୁଡ଼ାଳି।
କି ସୁନ୍ଦର ଦିଶୁଥାଉ (ରେ) ଆସୁ ଢଳି ଢଳି। କଳାମାଣିକରେ ।୨୧।

କେଡ଼େ ସ୍ବଚ୍ଛ କେକୀପୁଚ୍ଛ (ରେ) ସୁଗୁଞ୍ଜରା ପାଟି।
ଆସିବ କାହା ପାଟିକି (ରେ) ତେତେ ପରିପାଟୀ। କଳାମାଣିକରେ ।୨୨ |

କସ୍ତୁରୀ ତିଳକ ନାସେ (ରେ) ଭାଲେ ଗୋରଚନା।
ଭାଲରେ ଚନ୍ଦନ ପାର୍ଟି (ରେ) ମନ ବଶ ସିନା। କଳାମାଣିକରେ ।୨୩।

ରଙ୍ଗମାଟି କି ରଙ୍ଗରେ (ରେ) ହୃଦରେ ଚିତ୍ରିତ।
କଉସ୍ତୁଭ ବନମାଳ (ରେ) ସୁଷମା ବିଚିତ୍ର। କଳାମାଣିକରେ ।୨୪।

କାଇଁ କଙ୍କଣ କରେ (ରେ) କଟିରେ କିଙ୍କିଣୀ।
ନୂପୁର ଶବଦ ମୋର (ରେ) ମନ ନିଏ କିଣି। କଳାମାଣିକରେ ।୨୫।

ସୁନ୍ଦର ହୃଦର ଭଙ୍ଗି (ରେ) ନ ଦେଖି ତୋହର।
ବାଇବୁଦ୍ଧି ହୋଇଲାନି (ରେ) ଆସି ତ ମୋହର। କଳାମାଣିକରେ ।୨୬।

କଣ୍ଟ କରିଥିଲୁ ପରା (ରେ) କାହିଁକି ନଇଲୁ।
କାହା ସଙ୍ଗତରେ ଅବା (ରେ) ପୁଣି କଳି କଲୁ। କଳାମାଣିକରେ ।୨୭।

କି ଦୂର ବନକୁ ଗଲୁ (ରେ) ତଥ୍ୟ ନ ଜାଣିଲି।
ମୁଁ ପାପିଷ୍ଠା କାହିଁ ପାଇଁ (ରେ) ତୋ ସଙ୍ଗେ ନ ଗଲି। କଳାମାଣିକରେ ।୨୮।

ରବିକର ଚାହୁଁଅଛି (ରେ) କ୍ଷତମୃଗୀ ପରି।
ଦିନ ସରୁନାହିଁ ଲବ (ରେ) ହେଲା ଯୁଗ ସରି। କଳାମାଣିକରେ ।୨୯।

କେ ଯାଇଁ କହନ୍ତା ତୋତେ (ରେ) ମୋହର ବେଦନା।
ଅବଶ୍ୟ ହୁଅନ୍ତୁ ତୁହି (ରେ) ମାତା ସ୍ନେହଘେନା । କଳାମାଣିକରେ ।୩୦।

ଦଉଡ଼ି ଯିବି କି ବନେ (ରେ) ହେଉଛି ଆତୁର |
ପୟୋଧରୁ କ୍ଷୀର ସ୍ରାବି (ରେ) ପଡ଼େ ଧାର ଧାର | କଳାମାଣିକରେ ।୩୧ ।

ମନ ଛନନ୍ଦନ ବନ (ରେ) ନେତ୍ରୁଁ ନ ରହିଲା।
ତୋ ଅଇଲା ପରା ଛାଇ (ରେ) ମୋତେ ପ୍ରତେ ହେଲା। କଳାମାଣିକରେ ।୩୨।

ଖତମାଳ ସୁତମାଳେ (ରେ) ରହିଲା ନୟନ।
କୃପୂର୍ବ ଭାଷାରେ ମୋର (ରେ) ବନ୍ଦୀ ହେଲା ମନ। କଳାମାଣିକରେ ।୩୩।

ଅନେକ ଆପଦୁଁ ତୋତେ (ରେ) ରଖିଲେ ଅମ୍ବିକା।
ନାମ ଦେଇଅଛି କାହ୍ନୁ (ରେ) କହ୍ନା କିଣାବିକା। କଳାମାଣିକରେ ।୩୪ ।

ଅପତିଅଣିଆ ବୋଲି (ରେ) ବିନ୍ଧି ନାକ କାନ।
ଖଞ୍ଜିଲି ବସୁଣୀ ବାଳି (ରେ) ଲୋକନେ ଶୋଭନ। କଳାମାଣିକରେ ।୩୫ ।

ମଦଦୃଷ୍ଟି ନବାଧିବ (ରେ) ବିଚାର ମୋହର ।
କଳାବିନ୍ଦୁ ଦେଇଥାଇ (ରେ) କପାଳରେ ତୋର। କଳାମାଣିକରେ ।୩୬ ।

ଗୋରଜ ଲେପଇ ଅଙ୍ଗେ (ରେ) ଆପଦ ହରଣେ।
ପଦରଜ ଦେଉଥାନ୍ତି (ରେ) ବୃଦ୍ଧ ଗୋପୀମାନେ। କଳାମାଣିକରେ ।୩୭ ।

ରଙ୍ଗ କାନ୍ଥ ନ ଦିଅଇ (ରେ) ଡାକିନୀଙ୍କି ଡରି।
ତୁଚ୍ଛ ବେଶ କରିଥାଇ (ରେ) ଲୋଭକୁ ନ ପାରି। କଳାମାଣିକରେ ।୩୮ ।

କୋଳେ ଶୋଇଥାଉ ନିଦ (ରେ) ଭାଙ୍ଗିଗଲେ ତୋର।
ଚମକି ମୋ ଗଳା ଛନ୍ଦି (ରେ) ଡାକୁ ମାତା ଗିର। କଳାମାଣିକରେ ।୩୯ ।

ଏମନ୍ତ ନନ୍ଦନ ପୁଣି (ରେ) ବନବାସୀ ହେବ।
ଜନନୀ ଜୀବନ ଧରି (ରେ) କି କରି ରହିବ। କଳାମାଣିକରେ ।୪୦|

କାହାକୁ କି ସୁତ ଦେଇ (ରେ) ନାହିଁରେ ଦଇବ ।
ତୋ ପରି ଅବୁଝ ପୁଣି (ରେ) କେ କାହିଁକି ହେବ। କଳାମାଣିକରେ । ୪୧ ।

ବିଭ୍ରମରେ ସନ୍ନିକଟ (ରେ) ଦୂର ନ ଜାଣିଲେ ।
ଆସ ବାପ ଭାଇ ଧନ (ରେ) ଛାଇକି ବୋଇଲେ । କଳାମାଣିକରେ ।୪୨।

ଅୟନେ ନୟନ ଦେଲେ (ରେ) ଦଉଡ଼ି ଦାଣ୍ଡକୁ ।
ହୃଦେ କର ମାରି ଯତ୍ନ (ରେ) ନ କଲେ ପିଣ୍ଡକୁ। କଳାମାଣିକରେ ।୪୩ ।

ରୋହିଣୀ ବାରିଲେ ଆସି (ରେ) କହି ବୋଧକରି ।
ଧୀରେ ଘେନ ଏ ବାତ୍ସଲ୍ୟ (ହେ) ବଚନ ମାଧୁରୀ। କଳାମାଣିକରେ ।୪୪।

ସାମନ୍ତ ସିଂହାର ଦୀନ (ହେ) କରିଛି କାମନା ।
କୃଷ୍ଣ ପ୍ରେମରସ ବିନା (ହେ) ନୋହିବ ଭାବନା। କଳାମାଣିକରେ ୪୫ |