ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା

ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା
ବିଷୟ
ରାଗ

ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା । ଏକବିଂଶ ଦିବସ ପ୍ରବେଶ ହୋଇଲା ।
ବଶିଷ୍ଠ ଆଦି ସକଳ ବ୍ରାହ୍ମଣ‌ଗଣ । ଦଶରଥ କରାଇଲେ ନାମ କରଣ ।
ରାମନାମ ଜ୍ୟେଷ୍ଠର ଭରତ କନିଷ୍ଠ । ବିଚାରିଣ ନାମ ଦେଲେ ମୁନି ବଶିଷ୍ଠ ।
ସୁଲକ୍ଷଣ ଦେଖି ଲକ୍ଷ୍ମଣ ନାମ ଦେଲେ । ଶତ୍ରୁଘନ ତାଙ୍କ ସାନୁଜକୁ ବୋଇଲେ ।
ଦିନୁ ଦିନୁ ବଢ଼ିଲେ ସେ ଚାରିନନ୍ଦନ । ଦେଖି ଦଶରଥ ରାଜା ଆନନ୍ଦ ମନ ।
ପାଳନ୍ତି ଦୋଳୀରେ ସୁତ ଗାଇଣ ଗୀତ । ବଜାନ୍ତି ଯୁବତୀ ବୀଣା ବାଦ୍ୟ ନିରତ ।
ଗୁଲୁଗୁଚାରେ ଅଧରୁ ବ‌ହଇ ନାଳ । ଝାଳବିନ୍ଦୁ ଗଳିତ ଶ୍ରୀମୁଖମଣ୍ତଳ ।
କମଳଦଳ ଲୋଚନୁ ବ‌ହେ କଲ୍ଲଳ । ଝୁଲିବାରେ ଧ୍ୱନି କରେ ମେଖଳାମାଳ ।
କୁଟିଳ କୁନ୍ତଳମାଳ ମୁକୁତା ଫଳ । ବାଜିଣୀ ନୂପୁର ବାଜେ ଚରଣ ତଳ ।
କଚଟୀ ବାହୁଟୀ ହେମସୂତ୍ରେ ଛନ୍ଦଣୀ । କଟିତଟେ ପୀତାମ୍ବର ସୁମଣିଶ୍ରେଣୀ ।
ଆଣ୍ଠୁଆଇ ଭରା ଦେଇ ପୁଣ ଉଠନ୍ତି । କେତେବେଳେ କାନ୍ଦି ଧରଣୀରେ ପଡ଼ନ୍ତି ।
ଯୁବତୀ ବେଢ଼ି ନ‌ଚାନ୍ତି ବଜାଇ ତାଳି । କରି ଶାବକ ମଣ୍ତି କି କରନ୍ତି କେଳି ।
ଚାରିକୁମରେ ଯେ ଧୂଳି ଖେଳେ ତ‌ତ୍ପର । ଲୀଳାଭାବେ ଆବୋରନ୍ତି ବାଲି ନଅର ।
ପାଞ୍ଚବରଷ ପୂରନ୍ତେ ହୁଏ କୁମର । ଆରୋହଣ କଲେ ଅଶ୍ୱ ଗଜ ନିକର ।
ସୁବେଶେ ବଳିଲା ଚିତ୍ତ ହୋଇଲା ଧୀର । ସମସ୍ତଗୁଣେ ନିପୁଣ ବିରଙ୍କବର ।
ଶୁକ୍ଳପକ୍ଷ ଚନ୍ଦ୍ର ପ୍ରାୟ ବଢ଼ନ୍ତି ରାମ । ଚୂଡ଼ାଦି ବେନି ପାଞ୍ଚ କଲେ ବ୍ରତକର୍ମ ।
ପଢ଼ିଲେ ବେଦ ପୁରାଣ ଶାସ୍ତ୍ରାଆଗମ । ଦଣ୍ତା ଖଣ୍ତା ଧନୁର୍ବିଦ୍ୟା କ୍ଷତ୍ରିୟ ଧର୍ମ ।
ବଶିଷ୍ଠଙ୍କଠାରୁ ଶିକ୍ଷା କଲେ ସକଳ । ତପ୍ତ‌ଋତୁ ରବି ପ୍ରାୟ ତେଜ ପ୍ରବଳ ।
ମୃଗୟା କରିଣ ମୃଗମାନ ମାରନ୍ତି । ଶରଧା କରିଣ ମୃଗପତ୍ନୀ ଧରନ୍ତି ।
ହରନ୍ତି କରିଯୂଥରୁ କରିଶାବକ । ମାରନ୍ତି ଶାର୍ଦ୍ଦୂଳ ଗଣ୍ତା ଜୀବ ଅନେକ ।
ଛୁଆସିଂହ ପ୍ରାୟେ ଗତି ଦିଶେ ଲାବଣ୍ୟ । ସପ୍ତମ ବରଷ ଆସି ହୁଏ ସମ୍ପୂର୍ଣ୍ଣ ।
ନବତନ କିଶୋର ବୟସ ଶ୍ରୀରାମ । ଛବି ଦେଖି ମୂରୁଛିତ ହୁଅଇ କାମ ।
କାମଶାସ୍ତ୍ର ପଠନରେ ବଳିଲା ମନ । ସୁବେଶ ଯୁଗତୀରେ ନିଶ୍ଚଳ ନୟନ ।
ସଙ୍ଗୀତେ ଶରଧାଚିତ୍ତ ଶୁଣନ୍ତି ଗୀତ । ବୋଲେ ବିଶି ମନସିଜ ମନରୁ ଜାତ ।