ପ୍ରଥମ ପୁରୁଷ/ଗୋଟିଏ ଫୁଲର ନାଁ

ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଗୋଟିଏ ଫୁଲର ନାଁ

ଗୋଟିଏ ଫୁଲର ନାଁ


ମୋ ଦେହର ପାଚେରୀରେ ଫୁଲସବୁ ମରିଗଲେ
ଅସଂଖ୍ୟ କାଗଜ ଫୁଲ
ମୁଠା ମୁଠା ପତ୍ର ହୋଇ ଉଡିଗଲେ
ଦିଗନ୍ତରେ ଧାଡ଼ି ଧାଡ଼ି ନାମହୀନ ପକ୍ଷୀ
ଲୁଚିଗଲେ ପବନର ପଣତରେ ପାରିଲିନି ରଖି

ବହୁ ବନ୍ଧୁ ବାନ୍ଧବୀ ଓ ଶୁଭକାଂକ୍ଷୀ ଆସିଥିଲେ
ସେମାନେ ପ୍ରହରୀ ଥିଲେ
ବନ୍ଧୁତାର ନୁହେଁ
ଛଳନାର ହସ ହସୁଥିଲେ
ସେମାନେ ସମସ୍ତେ ମତେ ମନ୍ତ୍ର ପଢ଼ାଇଲେ
ନୀତିବାକ୍ୟମାନ ମୋର କବଚରେ ବାନ୍ଧିଦେଲେ
ମତେ ଏକ ତପସ୍ୟାର ଆସନରେ ରଖି ଚାଲିଗଲେ

ସେମାନେ ବିଦାୟ ନେଲେ
ଆକାଶର ବିଛଣାରେ ରୁଗ୍‌ଣ ଖରା ଶୋଇଗଲା
କବଚ ମୁଁ ଖୋଲି ରଖିଦେଲି
ମୋ ଦେହର ଫାସିକାଠ ଉପରୁ ମୁଁ
ତଳକୁ ଆଣିଲି ମୋର ଅର୍ଦ୍ଧମୃତ ଯୌବନକୁ
ସେମାନଙ୍କୁ ଖୋଜିନେଲି ସନ୍ଧ୍ୟାର ଶୀତରେ
ସେମାନେ ସମସ୍ତେ ମୋର ବତୀଘର
ଅଥବା ସମୁଦ୍ର ଚାରିପାଖେ ଢେଉ

ପରେ ଢେଉ ପରେ ଢେଉ
ତା ପରେ ବିଲୟ
ସେମାନେ ପୁନଶ୍ଚ ରାତ୍ରି
ଅବସନ୍ନ ଦେହର ଆଶ୍ରୟ

ଵିଷର୍ଣ୍ଣ ସନ୍ଧ୍ୟାରେ ଆଜି ମୁଁ ଭାବୁଛି
ହୁଏତ ମୁଁ ମରିଯିବି ପ୍ରତିଶ୍ରୁତି ସବୁ ମୋର
ପୂରା ହେବା ଅନେକ ଆଗରୁ
ମୁଁ ଭାବୁଛି ଗୋଟିଏ ଫୁଲର ନାଁ
ଜଣେ କେହି ଶୁଭକାଂକ୍ଷୀ
କେହି ବି ନାହାନ୍ତି
କବାଟ ବି ହଜିଗଲା
ମୁଁ ଖୋଜୁଛି ଅକସ୍ମାତ ଦେଖିଥିବା ମୁହଁ
ମୋର ଯେତେ ଅନୁଭୂତି ସବୁ ମୋ ନିଜର
ମୋର ପ୍ରିୟ ବେଶ୍ୟାମାନେ
ମୋର ଏକ ନିଜର ସାମ୍ରାଜ୍ୟ
ରାସ୍ତା ଦେହ ବିଛଣାର
ମୁଁ ଭାବୁଛି ସେମାନଙ୍କ ଦେହର ଉତ୍ତାପ ନେଇ
ଆଉ ଏକ ଜୀବନ ବଞ୍ଚିବି

ଫୁଲ ବି ଫୁଟିବ