ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଦର୍ପଣ

ଦର୍ପଣ

କେବେ ସୂର୍ଯ୍ୟ ଆସି ଛୁଏଁ ମତେ
ଅଧାଖୋଲା ଝରକାକୁ ଡେଇଁ
ମୋର ଅର୍ଦ୍ଧ ଚେତନାର ଶେଷ ପ୍ରହରରେ
ସ୍ୱପ୍ନ ସବୁ ବିବ୍ରତ ହୁଅନ୍ତି
ଆଖି ଖୋଲି ଦେଖେ
ମତେ ଜଣାନାହିଁ କାହାର ପଲଙ୍କ
ଶୋଇବି ମୁଁ କେଉଁଠି କିପରି
ମୋ ପାଖରେ ସେ ନାରୀ ଅପରିଚିତା
ସେ କୋଠରୀ ଅଜ୍ଞାତ କୋଠରୀ

ଖୋଲି ଦିଏ ମୋ ଗଳାରୁ
ଦୁଇ ନଗ୍ନ ବାହୁର ଶିକୁଳୀ
ତା ଦେହର ପୁଞ୍ଜିଭୂତ ଉତ୍ତାପର
ଘେରରୁ ମୁଁ ଚାଲିଆସେ
ମୁଁ ତାକୁ ଚିହ୍ନିବା ପାଇଁ ଚେଷ୍ଟା କରେ
ସେ କି ମୋର ଜୀବନ ସଙ୍ଗିନୀ
ଅଥବା ସେ ଅକସ୍ମାତ ବନ୍ଧୁ ମୋର
ସେ ଦିନ ସନ୍ଧ୍ୟାର
ମୁଁ ତା ଦେହର ବାର୍ତ୍ତା ପଢିବାକୁ ଖୋଜେ
ସେ କି ଖାଲି ମାଂସ ଆଉ କାମନାର
ଅବା ମୋର ରୋଗଗ୍ରସ୍ତ ମନର ବିକାର

ଦୁଆର ଖୋଲି ମୁଁ ଆସେ ବାହାରକୁ
ମୋ ଆଗରେ ଦେଖେ
ଅନେକ ଅପରିଚିତ ରାସ୍ତାର ଗୋଲାକଧନ୍ଦା
ସକାଳର ସୁର୍ଯ୍ୟସ୍ନାତ ଅଚିହ୍ନା ସହର
ପରିଚୟହୀନତାର ରାସ୍ତା ସାରା
ଅର୍ଥହୀନ କୋଳାହଳ
ବଜାରରେ ଭିଡ଼
ଅନେକ ଲୋକଙ୍କ ମେଳ
ଖୋଲିଯାଏ ଅନେକ ଝରକା
ସେମାନଙ୍କ କଥା କିନ୍ତୁ ଅତୀବ ଦୁର୍ବୋଧ୍ୟ
ସେମାନେ ଅପରିଚିତ
ସେମାନଙ୍କ ମୁହଁ ସବୁ ମୁଖା

ଏଇଭଳି ମୁଖା ମୁହଁ ନାଟକର
ମନେହୁଏ ମୁଁ ଏକା ଦର୍ଶକ
ସେ ସବୁ କି ଅଭିନୟ
ନାଟକର ଶେଷ ଅଙ୍କ ପରେ ବି ସେ କି
ଏକଜୁଟ ହେବା ସବୁ କଳାକାରଙ୍କର
ବିଦାୟ ସୂଚକ

ମୁଁ ଆସେ ମୋ କୋଠରୀର ଆଶ୍ରୟକୁ
ଦର୍ପଣରେ ନିଜକୁ ଅନାଏ
ସେ ମୁହଁ ବି ମୁଖା
ସ୍ୱସ୍ତିର ନିଶ୍ୱାସ ନେଇ
ଝରକା ବାହାରେ ଦେଖେ

ଅନେକ ଲୋକଙ୍କ ଭିଡ଼
କୋଳାହଳ ଅନେକ ଦର୍ଶକ
ପଲଙ୍କ ଓ ଶିକୁଳିର ନିରାପଦ ଆଶ୍ରୟରୁ
ଆବିଷ୍କାର କରେ ଏଥରକ
ସେମାନଙ୍କ କଥାସବୁ ମୋ କଥାର ପ୍ରତିଧ୍ୱନି
ଆମେମାନେ ସବୁ ଏକା ଲୋକ