ପ୍ରଥମ ପୁରୁଷ/ବିଜେତା
←କୋଠରୀ | ପ୍ରଥମ ପୁରୁଷ ଲେଖକ/କବି: ବିଜେତା |
ଗୋପନୀୟ ସତ୍ୟ→ |
ବିଜେତା
ଯେଉଁମାନେ ଆସିଥିଲେ ମୋ ଘରକୁ
କେହି କେହି ଏଭଳି ମଧ୍ୟାହ୍ନ ଦେଖି
ଚମକି ପଡ଼ିଲେ
ହଠାତ ପବନ ଲାଗି ଗୁଡ଼ିର ସୂତା ଓ
ସେମାନଙ୍କ ଭାବନାର ଖିଅ ଛିଣ୍ତିଗଲା
ଛାଇ ଭଳି ଛୋଟ ହୋଇ
ଦି'ପହର ହୋଇଗଲା
କେବଳ ମୁଠାଏ ଧୂସର ଶୂନ୍ୟତା
ସ୍ମୃତି ସବୁ ପକ୍ଷୀ ହୋଇ ଉଡ଼ିଗଲେ
ପ୍ରତିଧ୍ୱନିହୀନ ଅନ୍ତରୀକ୍ଷ ସନ୍ଧାନରେ
ଝାଉଁଗଛ ଚୁପ୍ ହେଲେ
ମଲା ଲୋକ ସେମାନଙ୍କ କାନ୍ଦ ବନ୍ଦ କଲେ
ପୁନର୍ଜନ୍ମ ନେବାର ଆଶାରେ
ଆକାଶର ଅପନ୍ତରା ଅସମ୍ଭବ ଫିକା ଦେଖାଗଲା
ଏସବୁ ଅଶୁଭ ଦେଖି
ଅନେକେ ଆଶ୍ଚର୍ଯ୍ୟ ହେଲେ ପୁଣି ଭୟଭୀତ
ଏବଂ ଏଇ ଅହେତୁକ ମୁହୂର୍ତ୍ତରେ ମତେ
ଏକା ଏକା ଛାଡ଼ିଦେଇ
ଚାଲିଗଲେ ସେମାନେ ସମସ୍ତେ
ଏଇଭଳି ଅସ୍ତବ୍ୟସ୍ତ ଖରାବେଳେ
ମୁଁ ବସେ ଖେଳିବା ପାଇଁ
ନିଜ ସହ ଛକ ଶୂନ ଖେଳ
ନିଜେ ନିଜ ପ୍ରତିଦ୍ୱନ୍ଦ୍ୱୀ ହୋଇ
ମୁଁ ସ୍ୱୟଂସଂପୂର୍ଣ୍ଣ ହୋଇ
ଯେଉଁପରି ଥରେ ଥରେ ମୋ ନିଜ ଦେହକୁ
ବ୍ୟତିବ୍ୟସ୍ତ କରିଥାଏ ଆତ୍ମରତି ପାଇଁ
ସମୟକୁ ଗାର କାଟି ଭାଗ କରି ଅନେକ ପ୍ରକାରେ
କେଉଁଠାରେ ଛକ ଦିଏ ପୌରୁଷର ପୁନରାବୃତ୍ତିରେ
ଏବଂ ପୁଣି କେଉଁଠାରେ ଶୂନ ଦେଇଯାଏ
ଅତୀତର ଅଗଣିତ ନିର୍ବୀର୍ଯ୍ୟ ପ୍ରେମର
କାତର ଓ ଭୀରୁ ସ୍ମରଣରେ
ଖରାବେଳ ବେଶି ବେଶି ନିଛାଟିଆ ହୋଇଗଲେ
ମୋ ହାତରେ କାଟିଥିବା ଅସଂଖ୍ୟ ଚିହ୍ନଟମାନେ
କ୍ରମେ କ୍ରମେ ଏକାଠି ହୁଅନ୍ତି
ସେମାନେ ସମସ୍ତେ ପୁଣି ମିଶିଯାନ୍ତି ଅନ୍ତରଙ୍ଗ ହୋଇ
ଖେଳ ଯଦି ଏଇପରି ସରିଯାଏ
ଅସ୍ପଷ୍ଟ ଭାବରେ ବିନା ନିଷ୍ପରିରେ
ଜଣେ କିଏ ହାରିବା ଆଗରୁ
ମୁଁ ସବୁ ଲିଭାଇ ଦିଏ
ସବୁ ଚିହ୍ନ ସବୁ ସଂକେତକୁ
ଆଉ ଥରେ ଗାର କାଟି ଦାଗ ଦିଏ
ମୁଁ ନୂଆ ହରଫ ଲେଖେ ଅତି ସ୍ପଷ୍ଟ ଭାବେ
ନିଃସଂଶୟ ନିଃଶଙ୍କ ହାତରେ
ଆଉ ତାର ଯୋଗଫଳ ଦେଖେ
ହିସାବରେ ମତେ ଯଦି
ଶୂନ ସବୁ ବେଶୀ ଜଣାଯାନ୍ତି
ବିଶେଷତଃ ଶେଷ ସମୟକୁ
ନିଃସନ୍ଦେହ ହାରିବାର ଭୟ
ଏବଂ କିଛି ଆତ୍ମରକ୍ଷାର ଚେଷ୍ଟାରେ
ମୁଁ ନିଜକୁ ପ୍ରତାରଣା କରେ
କିଛି ଛକ କିଛି ଶୂନ ଅଦଳବଦଳ କରି
କିଛି ଚିହ୍ନ ଲିଭାଇ ଓ ଆଉ କିଛି ଚିହ୍ନ ଲେଖି
ଗଣିବାରେ ଜାଣି ଜାଣି ଭୁଲ କରି
ମୁଁ ନିଜକୁ ପରାଜିତ କରେ
ସଂପୂର୍ଣ୍ଣ ଓ ଚୂଡ଼ାନ୍ତ ଭାବରେ
ଆଉ ଶୂନଶାନ ମଧ୍ୟାହ୍ନକୁ କହେ
ସମସ୍ତଙ୍କୁ କହିଦିଅ
ଚନ୍ଦ୍ର ସୂର୍ଯ୍ୟ ତାରା ମେଘ ଆକାଶଙ୍କୁ
ଆଜିର ଖେଳରେ
ମୁଁ ଜିତିଛି ନିଶ୍ଚିତ ଭାବରେ