ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଗୋପନୀୟ ସତ୍ୟ

ଗୋପନୀୟ ସତ୍ୟ

ମୋର ଯେତେ ଗୋପନୀୟ ସତ୍ୟ ସବୁ
ଚାଲିଗଲେ ମୋ ପାଖରୁ
ସକାଳର କୁହୁଡ଼ିରେ ମିଶିଯିବା ପାଇଁ
ମୋର ପ୍ରିୟ ବତୀଘର ଶେଷ ପାହାଚରୁ
ଶୂନ୍ୟତାର ସିଡ଼ିରେ ଓହ୍ଲାଇ
ସେମାନେ ସମସ୍ତେ ଯାଇ
ସମୁଦ୍ରରେ ଝାସ ଦେଲେ ମତେ ଛାଡ଼ି ଦେଇ

ସେମାନେ ଅନେକ ନାଁ
ସେମାନେ ଅନେକ ମୁହଁ ଅନେକ ସମୟ
ଛୋଟ ଛୋଟ କେତେ କଥା
କେତେ ସ୍ପର୍ଶ ହାତ ଓ ଓଠର
କେତେ ପୁଣି ହସ
କେତେକ ହଠାତ ଦେଖା
କେତେ ରାତି କେତୋଟି ସକାଳ
ପୁଣି ଦୀର୍ଘଶ୍ୱାସ

ସେମାନେ ସମସ୍ତେ ମୋର
ଅନିଶ୍ଚିତ ମନ ଥିଲେ
ଅସ୍ତବ୍ୟସ୍ତ ଜୀବନର ମୁହୂର୍ତ୍ତ ସକଳ
ଅଜଣା ଛକରେ ବସି
କାପାଳିକ ପ୍ରଶ୍ନ କରୁଥଲା

କାହିଁ ପଥ କାହିଁ ଲକ୍ଷ୍ୟ ସ୍ଥଳ
ତା ଲାଗି ଉତ୍ତର ଥିଲା
ମୋ ପାଖରେ ହତବାକ ବିସ୍ମୟ କେବଳ

ଆଜି ଆଉ ମୋ ମନରେ ସନ୍ଦିହାନ ନାହିଁ
ଅଙ୍କ ସବୁ କଷା ହୋଇଗଲା
ସମାଧାନ ମିଳିଗଲା ସମସ୍ତ ପ୍ରଶ୍ନର
ଜ୍ୟାମିତିକ ଗାର କଟା ରାସ୍ତା ସବୁ
ନିଶ୍ଚିତ ଓ ନିଃସଂଶୟ
ସେ ରାସ୍ତାରେ ଛକ ନାହିଁ
କାପାଳିକ ଅନ୍ତର୍ଦ୍ଧାନ ହୋଇଗଲା
ମୁହାଁମୁହିଁ କେହି ନାହିଁ ମୋର
ଏବେ ମୋର ଏକମାତ୍ର ଲକ୍ଷ୍ୟସ୍ଥଳ
ନିଦ୍ଦିଷ୍ଟ ବୃତ୍ତର ବିନ୍ଦୁ ଶରସନ୍ଧାନୀର

ଅନେକେ ଆସନ୍ତି ଆଜି ମୋ ପାଖକୁ
ମୋ ଓଠରେ ଓଠ ମିଶେ
ମୋ ଦେହରେ ଦେହ
ଅନେକ କଥା ଓ ହସ ସକାଳ ସନ୍ଧ୍ୟାରେ
ଅନେକ ପୁନରାବୃରି ଅନ୍ୟ ଅତୀତର
ଆଳି ଯଦି ମୋ କାନରେ ଓଠ ଦେଇ
ଚୁପ ଚୁପ କଥା କିଏ କହେ
ସେ ଖାଲି କେତୋଟି ଶବ୍ଦ
ଗୋପନୀୟ କିଛି ନାହିଁ
ମୋ ମନରେ ପ୍ରତିଧ୍ୱନି ନାହିଁ ସେ କଥାର

ସେ ଓଠ କେବଳ ଓଠ
ସେ କେବଳ ଦେହ
ଗୋପନୀୟ ସତ୍ୟ ନୁହେଁ
ସେ ନୁହେଁ ମୋ ଏକାନ୍ତ ଆତ୍ମୀୟ

ସେ ମୁହଁ କେବଳ ମୁହଁ : ମୁଖା
ସେମାନଙ୍କ ନାଁ ଖାଲି ନାଁ : ଛଦ୍ମନାମ
ସେମାନଙ୍କ କଥା ଖାଲି କଥା : ଅଭିନୟ
ସେମାନେ କେବଳ
ଓଠ ଦେହ ବରଫ ପଥର

ମୁଁ ଦେଖୁଛି ମୋର ଯେତେ
ଗୋପନୀୟ ସତ୍ୟ ସବୁ ବୟସ୍କ ହୁଅନ୍ତି
ଏବଂ ମତେ ଛାଡ଼ି ଦେଇ
ଆଶ୍ରୟ ନିଅନ୍ତି ଏକ ଅନ୍ୟ ସମୁଦ୍ରର
ସେମାନେ ହୁଏତ ଖୋଜି ବୁଲୁଛନ୍ତି
କେଉଁ ଏକ ନୂଆ ବତୀଘର