ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ରାସ୍ତା

ରାସ୍ତା

ଅନେକ ବିବ୍ରତ ଦିନ ଓ ଅଧା ଅନୁଭବକୁ
ମୋର ଚେତନାର ସିନ୍ଦୁକରେ ଚାବି ବନ୍ଦ କରି
ଅନେକ ମୁହଁ ଓ ଦେହ ଚିହ୍ନା ଓ ଅଚିହ୍ନା
ଲୋକମାନଙ୍କର କଥାକୁ ନ ମାନି
କାନ୍ଥର ଲେଖାକୁ ପଢ଼ିବାକୁ ମନା କରିଦେଇ
ଆଖିମାନଙ୍କର ନିମନ୍ତ୍ରଣ ନ ରଖି
ପଂଜୁରୀରେ ବନ୍ଦ ପକ୍ଷୀଟିର ଚିତ୍କାର ନ ଶୁଣି
ମୁଁ ଏକ ସିଧା ଓ ସହଜ ରାସ୍ତା ଖୋଜିନେଲି
ଆଉ ଚକମାନଙ୍କ ସହିତ ଅଶି ମାଇଲର
ଗୀତ ଗାଇ ଗାଇ ମୁଁ ଭାବିଲି :

ମୁଁ ଦେଖିବି ହ୍ରଦରେ ଫୁଲ
ଓ ଫୁଲର ପ୍ରତିବିମ୍ବ ସବୁ ଏକ ହେବେ
ମନ୍ଦିରର ଜାଉଁଳି କାବଟ ଖୋଲିଯିବ
ପୁରୋହିତ ଯାଦୁକର ହେବ
ସଡ଼କରେ ମରି ପଡ଼ିଥିବା ସୂର୍ଯ୍ୟକୁ
ସେ ଜୀବନ୍ୟାସ ଦେବ
ନିର୍ବାକ ପ୍ରହରୀ ଗୀତ ଗାଇବେ
ଓ ଅପରାହ୍ନର ରଙ୍ଗରେ
ପତ୍ର ସବୁ ପକ୍ଷୀ ହେବେ
ରାତିରେ ସେମାନେ ପୁଣି ଅନ୍ତର୍ଦ୍ଧାନ ହେବେ
ପ୍ରତିଧ୍ୱନିମାନେ ମୋ ପାଖକୁ ଫେରି ଆସିବେ
ଓ ମୋ ଦେହର ସ୍ନାୟୁ ସବୁ ରାସ୍ତା ହୋଇଯିବେ

ସେ ରାସ୍ତାରେ
ଗୋଟିଏ ଖପୁରୀ ଓ ଦୁଇଟି ହାଡ଼ର ପ୍ରତିରୋଧ
ଘଣ୍ଟାର ମୁହଁରେ ଥାଇ
ରାକ୍ଷସ ପାଲଟି ଯାଏ ସମୟ
ମୁଁ ନିଜକୁ କ‌ହେ: ଆଗରେ ମୃତ୍ୟୁ
କିଛି ଏ କଥାକୁ ବିଶ୍ୱାସ କରେ
କିଛି ପୁଣି ଅସ୍ୱୀକାର କରେ
ନୀରବତା ଏ ପାଖରେ ମୁଁ ଟିକିଏ ହସେ
ମଲା ଲୋକମାନେ ମୋ ହସରେ
ତାଳ ଦେଇ ସଙ୍ଗୀତ ଗାଆନ୍ତି