ବିଦଗ୍ଧ ଚିନ୍ତାମଣି/ଅପ୍ରାକୃତ ପ୍ରେମମୂର୍ତ୍ତି
ବିଦଗ୍ଧ ଚିନ୍ତାମଣି ଲେଖକ/କବି: ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି |
ବିଦଗ୍ଧ ଚିନ୍ତାମଣି/ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ→ |
ପ୍ରଥମ ଛାନ୍ଦ
ରାଗ – ମଙ୍ଗଳ ଗୁଜ୍ଜରୀ
ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ । ୧ ।
ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ।
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ । ୨ ।
ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ।
ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହି ଯେ । ୩ ।
ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ।
ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ହେ । ୪ ।
ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ ।
ଉତପ୍ଳୁତ ତନ୍ତୁବାୟ ସୂତ୍ରପରକାରେ ଯେ । ୫ ।
ଉର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ ।
ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେକାଳେ ହେ । ୬ ।
ଋକ ଯଜୁ ସାମ ବହୁ ଶ୍ରୁତି ଶାସ୍ତ୍ର ଭେଦେ ।
ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ ହେ । ୭ ।
ରୁଚିର ଚରଣ ନଖ ଛଟାର ମହିମା ।
ଋକ୍ଷ ସଂଖ୍ୟା କଳ୍ପେ କଳ୍ପି ନପାଇଲେ ସୀମା ହେ । ୮ ।
ଲୁବ୍ଧକ ତାରକ, ବ୍ରହ୍ମା ହର ଗର୍ବହର ।
ଲୁଟାଇପାର କୃପାରେ ମୁକତି ଭଣ୍ଡାର ହେ । ୯ ।
ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ ।
ଲୋଳୁପ ଗୋପୀବଦନାମ୍ବୁଜପୀୟୂଷକୁ ହେ । ୧୦ ।
ଏମନ୍ତ ମହିମାବନ୍ତ ପ୍ରେମଭକ୍ତି ରସ ।
ଏକନିଷ୍ଠେ ଅଭିମନ୍ୟୁ କବି କରି ଆଶ ହେ । ୧୧ ।
ଐରାବତ ଗତି ଅଣିମାଦି ଭୋଗ ମୁକ୍ତି ।
ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନୋହିବ ଆସକ୍ତି ହେ । ୧୨ ।
ଓଷଧୀଶାନନ ହେ ମାଗୁଛି ପଦ ଧରି ।
ଓ କରିବି, ଆଲୋ ଦାସି, ଡାକିବେ କିଶୋରୀ ଯେ । ୧୩ ।
ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟାଦି ନିପୁଣ ପଦାଶ୍ରିତେ ।
ଔଷଧ ସେ ମୋର, ତୁମ୍ଭେ ବଶ ହେବ ସତେ ହେ । ୧୪ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱରୀ ଈଶ୍ୱର ।
ଅକୈତବ କରୁଣାକୁ ପରସ୍ପରେ କର ହେ । ୧୫ ।
ଅନନ୍ତ ସିଦ୍ଧି ମୋହର ତୁମ୍ଭ ପଦାର୍ଚ୍ଚିତ ।
ଅବିଘ୍ନେ ହେଉ ସର୍ବଦା ଆଜ୍ଞା କର ଦତ୍ତ ହେ । ୧୬ ।
କାମନା କଳପତରୁ ଚିନ୍ତାମଣି ନାମ ।
କଳ୍ପୁଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ । ୧୭ ।
ଖଗପତି ପୂର୍ଣ୍ଣକର ଏ ମୋର ମାନସ ।
କ୍ଷିତିପାବନ ମଙ୍ଗଳ ବର୍ଣ୍ଣିବ ତୋ ଯଶ ହେ । ୧୮ ।
ଗୁଣଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ।
ଗୀତ ହେବ ବିଦଗଧ ଚିନ୍ତାମଣି ନାମ ହେ । ୧୯ ।
ଘୃଣାରେ ଘୋଷିଲେ ନରେ ପାଇବେ ନିର୍ବାଣ ।
ଘୃତବତ ରସିକ ହୃଦକୁ ରବି ଜାଣ ହେ । ୨୦ ।
ଉଆଁସ ଅନ୍ଧାର ଅଜ୍ଞାନକୁ ଏ ଚନ୍ଦ୍ରମା ।
ଉଇଁଲା ରବି ଏ ଧୀରଚକ୍ର ସୁଖସୀମା ହେ । ୨୧ ।
ଚନ୍ଦ୍ରରୁ ଶୀତଳ ସ୍ୱାଦୁ ସୂର୍ଯ୍ୟରୁ ବିମଳ ।
ଚରିତ ଗଙ୍ଗା ନିର୍ମଳ ସିନ୍ଧୁରୁ ଅଥଳ ହେ । ୨୨ ।
ଛଦ୍ମାର୍ଥିକ ଦମ୍ଭଧର ଚୂରଣକୁ ପବି ।
ଛଇଳ ଲୋକର ନବ ଗୁଣବତୀ ଛବି ହେ । ୨୩ ।
ଯମକାଦି ଚିତ୍ରକାବ୍ୟ ପ୍ରବନ୍ଧ ପ୍ରବନ୍ଧ ।
ଯଥାଜାତ ଧନ୍ଦା ଏଟି ବୁଧ ମନବୋଧ ହେ । ୨୪ ।
ଝଳିମାର୍ଗ ପାଇବେ ପଥିକ ହେଲେ ଶ୍ରମୀ ।
ଝଗଡ଼ା ବାଟେ ପଶିଲେ ମୂର୍ଖ ହେବେ ଦମୀ ହେ । ୨୫ ।
ନ୍ୟାୟାଦି ଶାସ୍ତ୍ର ପୁରାଣ ବେଦାଗମ କାବ୍ୟ ।
ନ୍ୟାସ କଲା ଲୋକର ଏ ହୋଇବଟି ଭାବ୍ୟ ହେ । ୨୬ ।
ଟାଣ ଚଣା ଚର୍ବଣ ନା-ରଦ କଲା ପରି ।
ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ । ୨୭ ।
ଠକ ନୋହେ ଗୁରୁକୃଷ୍ଣ ବଇଷ୍ଣବ ଯେହୁ ।
ଠିକେ ଏଥି ମର୍ମ ଜାଣି ପାରିବେଟି ସେହୁ ହେ । ୨୮ ।
ଡ଼ାକି କହୁଛି ମୁଁ ରାଗମାର୍ଗ ଭକ୍ତି ଜନେ ।
ଡେରି କର୍ଣ୍ଣ ସସ୍ନେହ ତା କର ମୋ ବଚନେ ହେ । ୨୯ ।
ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ ।
ଢଗଢମାଳି ହେଲେ ହେଁ ସାକ୍ଷାତେ ଅମୃତ ହେ । ୩୦ ।
ଅମ୍ବୁ ଯେ ହେଉ ସେ ହେଉ ଶାଳଗ୍ରାମ ସ୍ନାନେ ।
ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ ହେ । ୩୧ ।
ତତ୍ତ୍ୱ ଏ ପରାୟେ ଭାବି ଏ ଗୀତେ ରସିବ ।
ତୁଚ୍ଛା ମୋ ବଦନୁ ଚ୍ୟୁତ ବୋଲି ନ କରିବ ହେ । ୩୨ ।
ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼କୃତ ପାକ ।
ଥୋକେ ପାକ ନାରିକେଳ ଖର୍ଜୁର ରୋଚକ ହେ । ୩୩ ।
ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି ।
ଦେଖ ମହାଜନ ମାର୍ଗ ପରମ୍ପରା ବିଧି ହେ । ୩୪ ।
ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଅନୁମାନ ।
ଧରି ବିଚାରିଲେ ହେବ ଏଥି ଅର୍ଥ ଜ୍ଞାନ ହେ । ୩୫ ।
ନୀରସ ଗୋରସ ପରିପାକ ପରା ହୋଇ ।
ନିଷ୍ଠା ବେଳୁ ବେଳ ବୁଦ୍ଧି ହେବ ସ୍ୱାଦୁଦାୟୀ ହେ । ୩୬ ।
ପ୍ରେମ ପରିପାକ ଧୀର ଘନ ପରାୟେ ତ ।
ପାଣିଖୀର କ୍ଷୀର ଦୁଇ କରନ୍ତି ଏକତ୍ୱ ହେ । ୩୭ ।
ଫନ୍ଦା ମୁଁ କରିଛି ଏହି ଘେନି ତୁମ୍ଭ ପଦ ।
ଫୁଲ ପରି ଶିରୋଧାର୍ଯ୍ୟ ହେବ ମୋର ପଦ ହେ । ୩୮ ।
ବିବେକ ଗ୍ରାହକ କୋଟି କବି ଆୟୁ ଘେନି ।
ବର୍ତ୍ତିଥିଲେ କବି କବିତ୍ୱ କି ହେବ ମ୍ଳାନି ହେ । ୩୯ ।
ଭାବେ ବୈଶ୍ୟ ପରାୟେ ମୁଁ ମେଲିଛି ପସରା ।
ଭାବ, ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା ହେ । ୪୦ ।
ମହୁରା କବିତ୍ୱ ଦୋଷ ପସରାରେ ଥାଇ ।
ମଜ୍ଜିବେ ନାହିଁକି ଖଳେ ତାହା ନିତି ଧ୍ୟାୟି ହେ । ୪୧ ।
ଯଥାଜାତ ବୁଦ୍ଧି ଶୁନୀପୁଚ୍ଛ ପ୍ରାୟେ ଘେନ ।
ଯଥୋଚିତ ନୋହେ ତାଙ୍କ ନିନ୍ଦନ ବନ୍ଦନ ହେ । ୪୨ ।
ରାହୁ ବଡ଼ ବୋଲିବା କି ବିଧୁନ୍ତୁଦ ହେଲେ ।
ରସ ନିନ୍ଦୁକେ ସେପରି ବୋଲନ୍ତି ଅଖିଳେ ହେ । ୪୩ ।
ଲାଭ ନ ଥିଲେ ହେଁ ସର୍ପ ପରାୟେ ଦଂଶନ୍ତି ।
ଲୀଳା କରି ରସ ଦେଲେ ବିଷ ଉଦ୍ଗାରନ୍ତି ହେ । ୪୪ ।
ବାଇ ବୋଲିବେ ତ ବହୁ ନିନ୍ଦିଲେ ତାଙ୍କୁ ।
ବଡ଼ ଚିତ୍ର ନୋହେ ପିପୀଲିକା ବିନାଶକୁ ହେ । ୪୫ ।
ସୁଜନେ ଆଦର ମିତ୍ର ପରି ଏ କବିତ୍ୱ ।
ସର୍ବ ସୁମନା ସୁରସ କରିଛି ଏକତ୍ୱ ହେ । ୪୬ ।
ସରଘା ପରାୟେ ଅଳ୍ପବୁଦ୍ଧି ଶକ୍ତିହୀନ ।
ସଂସାରେ କେବଳ ମଧୁକୋଷ କୀର୍ତ୍ତି ଘେନ ହେ । ୪୭ ।
ସ୍ୱାଦ ଆସ୍ୱାଦନ କଲେ ଚିତ୍ତ ମଗ୍ନ ହେବ ।
ସଂସାର ସାଗରବୁଡା ବାଧା ବ୍ୟାଧି ଯିବ ହେ । ୪୮ ।
ହରେକୃଷ୍ଣ ରାମ ନାମ ଯହିଁ ସେହି ତତ୍ତ୍ୱ ।
ହରଷେ ରସ ଏ ଘେନି ସାଧବ ଏ ଗୀତ ହେ । ୪୯ ।
କ୍ଷମାନିଧି କୃଷ୍ଣ ଅବିଘ୍ନରେ ପୂର୍ଣ୍ଣ କର ।
କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତ ସିଂହାର ହେ । ୫୦ ।