ବିଦଗ୍ଧ ଚିନ୍ତାମଣି/ଅ ପୂର୍ବାନୁପ୍ରାସରେ ଛାନ୍ଦ ରସ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଅ ପୂର୍ବାନୁପ୍ରାସରେ ଛାନ୍ଦ ରସ


ପଞ୍ଚମ ଛାନ୍ଦ
ଶ୍ରୀରାଧା ନାମ ଶ୍ରବଣ

ରାଗ-ଚକ୍ରକେଳି
(ବାଚକ ବ୍ୟାବୃତ୍ତି ଲକ୍ଷଣ, ଅ-ପୂର୍ବାନୁପ୍ରାସ)


ଅ-ପୂର୍ବାନୁପ୍ରାସ ଏ ଛାନ୍ଦ ରସ।
ଅକୈତବରେ ଘେନ ହେ ବିଦୁଷ ।୧।
 
ଅଜ ଅନଘ ଅନନ୍ତ ଅଚ୍ୟୁତ ।
ଅନଙ୍ଗରେ ଚିତ୍ତ କରି ଆସକ୍ତ ।୨।
 
ଅବସରେ ବସି ବୃନ୍ଦାବନରେ।
ଅଛନ୍ତି ଯେ ଚାରିମିତ୍ର ସଙ୍ଗରେ ।୩।
 
ଅନ୍ୱେଷଣା କରନ୍ତି ମନେ ମନେ।
ଅଙ୍ଗନା କେ ଶ୍ରେଷ୍ଠ ଗୋପଭୁବନେ ।୪।
 
ଅଛି ଜଣେ ଏକା, ମଧୁ କହିଲା।
ଅଳପକେ ସୁବଳ ଲାଜକଲା ।୫।
 
ଅକ୍ଷଠାରି ସେ କି ବୋଲେ ଶ୍ରୀଦାମ।
ଅଛି ଅଛି ଜାଣିଲି ବୋଲେ ଦାମ ।୬।
 
ଅମ୍ବୁଜାକ୍ଷ କହନ୍ତି ଆହେ ମିତ।
ଅନ୍ତର୍ଗତରେ କପଟ ଅଛି ତା ।୭।
 
ଅଛ ଲୁଚାଇ ଏଡ଼େ ଶୁଭ କଥା।
ଅବା ଭଣ୍ଡୁଛ କହି ମୋତେ ମିଥ୍ୟା ।୮।
 
ଅଶନି ତ ହେଲା ତୁମ୍ଭ ବଚନ।
ଅସୁ-ଧରତ କରିବ ନାଶନ ।୯।
 
ଅଶ୍ରୁତି ସେ, ହସି କହେ ମାଧବ।
ଅତି ଭାଗ୍ୟରେ ଅବା ଶୁଣାଯିବ ।୧୦।
 
ଅଥର୍ବାଦି ବେଦରେ ଅଛି ଶୁଣି।
ଅଗମ୍ୟ ଏ ଭୂମିତ ଚିନ୍ତାମଣି ।୧୧।
 
ଅବଶ୍ୟ ଏ ତୁମ୍ଭ ଚିନ୍ତା ହରିବ।
ଅଘଟଣ ଘଟାଏ ତ ଦଇବ ।୧୨।
 
ଅମ୍ବୁଜାଙ୍ଗ ଏହା କରୁଁ ଶ୍ରବଣ ।
ଅଙ୍ଗେ ଦିଶିଲା ଏ ଶୁଭ ଲକ୍ଷଣ ।୧୩।
 
ଅକସ୍ମାତେ ଅବୟବ ଦକ୍ଷିଣ।
ଅକ୍ଷ ବାହୁ ଜାନୁ ସ୍ଫୁରେ ତତ୍‌କ୍ଷଣ ।୧୪।
 
ଅନୁକୂଳ ସମୀର ବହେ ଧୀରେ।
ଅମରାଳୟେ ଶଙ୍ଖଧ୍ୱନି ସ୍ଫୁରେ ।୧୫।
 
ଅନୁମାନରୁ ଅତନୁ ମୋହନ।
ଅବଳା କେ, ଶୁଣିମାକି ନିଦାନ ।୧୬।
 
ଅକୁଣ୍ଠିତ ଚିତ୍ତରେ ଭାଳୁଁ ବସି।
ଅଗ୍ରେ ମିଳିଲେ ପୂର୍ଣ୍ଣମାସୀ ଆସି ।୧୭।
 
ଅବତାର ସେ କୃଷ୍ଣ ଲୀଳା ହିତେ।
ଅବ୍ୟକ୍ତ ସେ ମାୟା ଶକ୍ତି ଯୁଗତେ ।୧୮।
 
ଅବନୀରେ ଗୋବିନ୍ଦ ପ୍ରେମ ବିଧି।
ଅନୁସନ୍ଧାନ କୃତକୁ ସେ ବିଧି ।୧୯।
 
ଅବାରଣ ବ୍ରଜେ ତାଙ୍କ ବଚନ।
ଅତିତରେ ସବୁରି ମାନ୍ୟଜନ ।୨୦।
 
ଅନ୍ତିକରେ ତାଙ୍କୁ ଦେଖି ଶ୍ରୀହରି।
ଅଭିବନ୍ଦନା କଲେ ଉଠିକରି ।୨୧।
 
ଅତିହୃଷ୍ଟେ ଦେବୀ କଲେ କଲ୍ୟାଣ।
ଅଛିଦ୍ରରେ ବାଞ୍ଛା ହେଉ ପୂରଣ ।୨୨।
 
ଅବନତ ମୁଖ ହେଲେ ଗୋବିନ୍ଦ।
ଅଭୀଷ୍ଟଦା ହସିବା ମନ୍ଦ ମନ୍ଦ ।୨୩।
 
ଅଞ୍ଚଳରୁ ଦିବ୍ୟ ଲଡ଼ୁ କାଢିଲେ ।
ଅଞ୍ଜଳିରେ କୃଷ୍ଣଙ୍କୁ ସମର୍ପିଲେ ।୨୪।
 
ଅନୁମୋଦେ ହସିଣ ମନ୍ଦ ମନ୍ଦ।
ଅବିଳମ୍ବେ ପଚାରିଲେ ଗୋବିନ୍ଦ ।୨୫।
 
ଅଛିକି ସ୍ୱାଦ ଜଣା ଯାଇ ନାହିଁ।
ଅତି ସୁବାସେ ମନନେଲା ମୋହି ।୨୬।
 
ଅପୂର୍ବ ଏ ଲଡ଼ୁକା ଦେବୀ ଭଣି ।
ଅମୃତର ସ୍ୱାଦକୁ ପାରେ ଜିଣି ।୨୭।
 
ଅଛି ଶ୍ରୀରାଧା କରସ୍ପର୍ଶ ବାସ ।
ଅନୁପମ ନାମ କାମ ଉଲ୍ଲାସ ।୨୮।
 
ଅଳ୍ପ ହସି ହସି କୃଷ୍ଣ ବୋଇଲେ।
ଆହୋ ଆଶ୍ଚର୍ଯ୍ୟ କୃପା ଆଜୀକଲେ ।୨୯।
 
ଅଇଲ ଏ ବଣକ ଏଣୁ କେଣୁ
ଅନ୍ୟ ଗ୍ରାମକୁ ଯିବାର ନ ଜାଣୁ ।୩୦।
 
ଅକୁଣ୍ଠିତେ କହିନ୍ତି ଭଗବତୀ ।
ଅଦଭୁତ ଉତ୍ସବ କାଲି ରାତି ।୩୧।
 
ଅବନୀଶ ବୃଷଧ୍ୱଜ-ନନ୍ଦନା।
ଅମରାଦି-ତ୍ରଇଲୋକ୍ୟ-ବନ୍ଦନା ।୩୨।
 
ଅଶ୍ରୋତବ୍ୟ ଗୁଣ ଶୋଭାସଦନ।
ଅସରଳା ସୂତା ହେଲା ବନ୍ଧନ ।୩୩।
 
ଅକ୍ଷ ସାର୍ଥ ମୁଁ କଲି ଦେଖି ପୁଣି ।
ଅଇଲଇଁ ସେହିଠାରୁ ଏକ୍ଷଣି ।୩୪।
 
ଅନୁରାଗୀ ତବ ମୁଖ ଦର୍ଶନେ।
ଅଭୟରେ ଅଇଲଇଁ ଏ ବନେ ।୩୫।
 
ଅଘମର୍ଷଣ ଶୁଣି କୃତକୃତ୍ୟ ।
ଅବଶରେ ହୋଇଲେ ପ୍ରଣପତ୍ୟ ।୩୬।
 
ଅଦ୍ୟ ଶ୍ରୀରାଧା ନାମ ଶୁଣାଇ।
ଅଗାରକୁ ଚଳିଲେ ମହାମାୟୀ ।୩୭।
 
ଅବିଚ୍ଛିନ୍ନାନନ୍ଦମୟୀ କିଶୋରୀ ।
ଅଜ ନିର୍ଗୁଣ ପ୍ରେମ-ପୂର୍ଣ୍ଣକରି ।୩୮।
 
ଅନୁଭୂତି ସାନୁଭୂତି ଉଲ୍ଲାସ
ଅତି ଅଗମ୍ୟ ନିଗୂଢ ବିଶେଷ ।୩୯।
 
ଅତଦ୍‌ବିଦ ବେଦ ଶେଷ ହୁଅନ୍ତି।
ଅମୁଦ୍ରିତ ଭଣ୍ଡାର ସେ କହନ୍ତି ।୪୦।
 
ଅନୁରାଗ ନୂତନ ସରଜନା।
ଅଭିମନ୍ୟୁ କବି କରେ କଳ୍ପନା ।୪୧।
 
ଅଧ ଊର୍ଦ୍ଧ୍ୱ ବ୍ୟାପିତ ସେହୁ ଲୀଳା।
ଅର୍କ ଘଟସ୍ଥ ପରା କାମକଳା ।୪୨।