ବିଦଗ୍ଧ ଚିନ୍ତାମଣି/ଉଷତରେ ଶୁଣ ହେ ସୁଧୀରେ ଧିରେ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଉଷତରେ ଶୁଣ ହେ ସୁଧୀରେ ଧିରେ


ଅଷ୍ଟମ ଛାନ୍ଦ
ଶ୍ରୀରାଧାଙ୍କ ଦଶା ବିଚେଷ୍ଟା

ରାଗ-ବିଭାସ
(ଉ-ପୂର୍ବାନୁପ୍ରାସ)


ଉଷତରେ ଶୁଣ ହେ ସୁଧୀରେ ଧୀରେ।
‘ଉ’ ପୂର୍ବହିଁ ପ୍ରାନ୍ତ ଯମକରେ କରେ ।୧।

ଉତ୍ତମା ଯେ କୃଷ୍ଣ ନାମରସେ ରସେ।
ଉଠିଯାଇ ନପାରି ଅବଶେ ବସେ ।୨।
 
ଉର୍ଦ୍ଧ୍ୱ ନିଃଶ୍ୱାସ ଛାଡ଼ଇ ଘନଘନ।
ଉପରକୁ ଚାହିଁ ହୋଏ ଛନଛନ ।୩।
 
ଉଣା ସର୍ବ ଅଭିଳାଷ ଦିନୁ ଦିନୁ।
ଉପବାସରେ ସୁତନୁ ତନୁ ତନୁ ।୪।
 
ଉନ୍ନିଦ୍ରରେ ହେଲା ପ୍ରତିଦିନ ଦୀନ।
ଉଲୁସଇ ଗାତ୍ର,ନେତ୍ର ଥନ ଥନ ।୫।
 
ଉଚ୍ଛୁଳିଲା ନୟନରୁ ବାରବାର।
ଉରଜରେ ପଡ଼ି ହେଲା ଜରଜର ।୬।
ଉଦ୍ଭାବିତ ପ୍ରେମେ ହୃଦ ଗରଗର।
ଉଦେ ସାତ୍ତ୍ୱିକ ହେବାରେ ଥରଥର ।୭।
 
ଉଚ୍ଚାରଣେ କୃଷ୍ଣ ଅବିତର ରତ।
ଉଠେ ଗାତ୍ରରେ ଚମକ ଶତଶତ ।୮।
 
ଉର ଉପରୁ କଲେ ବାହାର ହାର।
ଉଦ୍‌ବେଗରେ ବାଣୀ କହେ ତରତର ।୯।
 
ଉପାସ୍ୟ ଯେ କୃଷ୍ଣ ନାମ ମର ମର।
ଉଦାସିନୀ ନଜାଣେ ଅସାର ସାର ।୧୦।
 
ଉରୁ ଶୋଭିନୀ, ଏକାନ୍ତେ ଚିତ୍ତେ ଚିନ୍ତେ।
ଉପୁଜଇ ଚେଷ୍ଟାମାନ କେତେକେତେ ।୧୧।
 
ଉତ୍କରଷ,ଜୀବ ଯାତ୍ରା ହେଳେ ହେଲେ।
ଉଦ୍ଭାବିତ ଏ ଚେଷ୍ଟା ପ୍ରବଳେ ବଳେ ।୧୨।
 
ଉତ୍କଣ୍ଠିତ ବଳିପଡ଼େ ବାରବାର।
ଉପତାପରେ ବଢେ ହୃଦୟର ଦର ।୧୩।
 
ଉପାୟ ତ ଏଥିକି ସହୀତ ହିତ।
ଉଦ୍ଦାମରେ କହିଲେ ଲଜ୍ଜାତ ଜାତ ।୧୪।
 
ଉରୁପଣ ଯିବ ଅପ୍ରମିତ ମିତ।
ଉଚ୍ଚବାଚ ତ ହେବ ବିଷ ତ ସତ ।୧୫।
 
ଉଦକାଶୟେ ପଡ଼ିବି, ଜୀବ ଯିବ।
ଉଚିତ ଏ ହେବ କି ଦିଶିବ ଶିବ ।୧୬।
 
ଉଡ଼ିଯିବ ମୋ ନିନ୍ଦା ଏ ପୁରୀ ପୂରି।
ଉଗ୍ର ହୋଇ ପଡ଼ିବ ଆହୁରି ହୁରି। ।୧୭।
 
ଉପନିଷଦେ ହେବାପବାଦ ବାଦ।
ଉଗ୍ର ହର ମୋର ଏ ଆପଦ ପଦ ।୧୮।
 
ଉତ୍ତରକୁ ହେବ ସୀମନ୍ଥାନଥାନ।
ଉଦିଯୋଗ ଦକ୍ଷିଣ ଗମନ ମନ ।୧୯।
 
ଉଡ଼ୁକାନ୍ତ ମୁଖୀ ଚିନ୍ତା କରୁ କରୁ।
ଉଚ୍ଛନ୍ନତା ମନ ଦମ୍ଭ ଦରୁଁ ଧରୁଁ। ।୨୦।
 
ଉର୍ଣ୍ଣନାଭ-ସୂତ୍ର ମାନସରୁ ସରୁ।
ଉପରାଣକୁ ମଣେ ନଗରୁ ଗରୁ। ।୨୧।
 
ଉଦଧିରେ ଯେମନ୍ତ ତରଙ୍ଗ ରଙ୍ଗ।
ଉତପ୍ଳୁତ ଚିତ୍ତେ ସେ ପ୍ରସଙ୍ଗ ସଙ୍ଗ ।୨୨।
 
ଉର୍ତ୍ସର୍ଗ ଯେ ହୋଇଲା ଆଶତ ସତ।
ଉତ୍‌ଧତ ତ ହୃଦରୁଁ ବହୁତ ହୁତ ।୨୩।
 
ଉହାଡ଼ରେ ସେ କୃଷ୍ଣ ଲିହିତ ହିତ।
ଉପଯୋଗ ତାପକୁ ସେହିତ ହିତ ।୨୪।
 
ଉପାଧିକି ତେଜିଲା ସୁମତି ମତି।
ଉପଜୀବୀ କୃଷ୍ଣ ଗଜପତି ଗତି ।୨୫।
 
ଉହୁଁ ଇସି ବାହାର ମୁଖରେ ଖରେ ।
ଉପବନ ନ ରସେ ଅଧୀରେ ଧୀରେ ।୨୬।
 
ଉକୁଟନ୍ତେ ତାଳ ସୁସଙ୍ଗୀତ ଗୀତ।
ଉତ୍ସବକୁ ନଗଣେ ରୁଚିତ ଚିତ୍ତ ।୨୭।
 
ଉଛୁରରେ ବଢାଇଲା ନିତି ନିତି।
ଉଷ୍ମ ଶଶିକର ତ, ଅରାତି ରାତି ।୨୮।
 
ଊଦନ୍ତ ଯେ ଯେଣେ ବୋଲେ କୃପକୃପ।
ଉଦେଷଣାରୁ ବଢେ ପ୍ରତାପ ତାପ ।୨୯।
ଉଭାନୁହଇ ପୁରପଥରେ ଥରେ।
ଉଦ୍ୟମ ସେ କରେ ଆଚ୍ଛନ୍ନରେ ନରେ ।୩୦।
 
ଉତ୍ପଳାକ୍ଷୀ ଦୁଃଖ ଅସମ୍ଭାର ଭାର।
ଉଦ୍ଧତରେ ବୋଲେ ସହି ଧର ଧର ।୩୧।
 
ଉପ୍ରୋଧରୁଁ ଏ ରୀତିକି ସହି ସହୀ।
‘ଉତ୍ତମ ଏ ନୋହେ’ କହେ କେହି କେହି ।୩୨।
 
ଉତପାତ ଏକିରୀତି କହ କହ।
ଉତ୍କଟ ଏ କଥା ‘ନୁହ ରହ ରହ’ ।୩୩।
 
ଉଜ୍ଜ୍ୱଳାଙ୍ଗର କେ ନେଲା ହରି ହରି।
ଉଦାରତା ଅଛୁ ଜବା ଧରି ଧରି ।୩୪।
 
ଉରଗରୁଁ ଗରୁ ତ ନିଶ୍ୱାସ ଶ୍ୱାସ।
ଉଜ୍ଜ୍ୱଳରେ ଇଚ୍ଛା କି ନ ଭାଷ ଭାଷ ।୩୫।
 
ଉପୁରିକି ଆମ୍ଭେ ଗୋ ରମଣୀ ମଣି।
ଉତ୍ତରତ ନକହି କି ଗୁଣି ଗୁଣି। ।୩୬।
 
ଉପପତି ଇଚ୍ଛିକି ଏମନ୍ତ ମତ୍ତ ।
ଉଦ୍ଦୀପନ ହେତୁ କେ, ବଧିତ ଧୀତ ।୩୭।
 
ଉପତାପେ ବୁଡ଼ିଲୁ ଆତୁରେ ତୁରେ।
ଉଦ୍ଧରିବ କେ ହୋଇ ପ୍ରଭୁରେ ଭୂରେ ।୩୮।
 
ଉକ୍ତି ନ ଦେଲେ ଶୁଣି ସଙ୍ଗୀର ଗିର।
ଉପକ୍ରୋଶେନ ତ ସୁହାସୀର ଶିର ।୩୯।
 
ଉଭୟଥା ସନ୍ଦେହରେ ଆଳୀଆଳି।
ଉପଲକ୍ଷ କଲେ ମନେ ଭାଳି ଭାଳି ।୪୦।
 
ଉପଇନ୍ଦ୍ର ପଦ ଅଭିମନୁ ମନୁଁ ।
ଉପେକ୍ଷା ଯେ ନୋହିବ ତ ଦିନୁ ଦିନୁ ।୪୧।
 
ଉତବାସନା ମୋର ସାଗର ଗର।
ଉଦ୍ଧାରଣ କର ଏଥୁଁ ଧର ଧର ।୪୨।