ବିଦଗ୍ଧ ଚିନ୍ତାମଣି/କୃଷ୍ଣ ପଉଗଣ୍ଡକାଳ ଅନ୍ତରେ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
କୃଷ୍ଣ ପଉଗଣ୍ଡକାଳ ଅନ୍ତରେ‌

ତୃତୀୟ ଛାନ୍ଦ
କୃଷ୍ଣଙ୍କ କୈଶୋର ବର୍ଣ୍ଣନା

ରାଗ- ରସକୋଇଲା
(ଅନ୍ୟାନୁପ୍ରାସ)

 
କୃଷ୍ଣ ପଉଗଣ୍ଡ କାଳ ଅନ୍ତରେ।
ନବ କିଶୋର ବୟ ଆଗତରେ।
ଶୋଭା ବିଚେଷ୍ଟା ବାହାର ଭିତରେ।
ଦୀପ୍ତିବନ୍ତ ହେଲେ ସ୍ଥାନ ଅନ୍ତରେ ସେ ।
ଘେନ ଧୀବନ୍ତେ ଚିତ୍ତରେ ହେ।
କ୍ରମେ କ୍ରମେ ଦିନୁ ଦିନୁ ଅନୁଆନ
ରୀତି ଖ୍ୟାତି ଅତିତରେ ଯେ ।୧।
 
ଇନ୍ଦ୍ରନୀଳମଣି ଝଳି ଦର୍ପଣ ।
ଯୋଖ କରିବା ଯେବେ ପଣ ପଣ।
ତେବେ କାହାର କାନ୍ତି ବଡ଼ପଣ ।
ହାରି କାନ୍ତକି ହେବ ସମର୍ପଣ ସେ।
ତହିଁ ଲାବଣ୍ୟ ରୋପଣ ଯେ।
ଚିତ୍ରଭଙ୍ଗୀ ମାନ ଗାତ୍ର ସଙ୍ଗୀ ହେଲେ
ମୂର୍ତ୍ତିବନ୍ତରେ ଆପଣ ଯେ ।୨।
 
ସଂସାର-କାନ୍ତି ସାରକୁ ଆଣିଲା ।
ଅମୃତ ମିଶାଇ ବାଟି ଛାଣିଲା ।
ବିହି ମୂରତିକି ନିର୍ମାଣିଲା ।
ମର୍କତ –ରସାଣରେ ରସାଣିଲା ଯେ।
ଉପମା ସୃଷ୍ଟି ଜିଣିଲା ଯେ।
ମୋହନ ମନ୍ତ୍ରରେ ଜୀବନ୍ୟାସ
କରି ସାର ସଂସାରେ ଗଣିଲା ଯେ ।୩।
 
ଦେଖିବ ଯେବେ ସେ ଶୋଭା ମୂରତି ।
ଶିବଙ୍କୁ ପ୍ରଂଶସା କରିବ ରତି ।
ପତି ନିନ୍ଦା କଲେ ପରବରତା ।
ମୋ ଛାତି ହୁଅନ୍ତା ସିନା କରତି ସେ ।
ଅନାଇ ପତି ବରତୀ ଯେ।
ଆରତି ହୋଇ କେ ସୁରତି ଇଚ୍ଛାରେ
କରିବ ନାହିଁ ପୀରତ ଯେ ।୪।
 
କଳା କମଳ ମର୍କତ ଆରଶି।
ଆନନ ମନ ନିଏ ଆକରଷି
ଦେଇ ନପାରି ଉପମା ଭରସି।
ଭଙ୍ଗୀରେ ଯୋଗିମନ ଯିବ ରସି ସେ।
ସ୍ମିତ-ସୁଧାକୁ ବରଷି ଯେ।
ଭରି ଘନରସ ଉଛୁଳାଇ ଦେଲେ
ନାଗରୀ ହୃଦ- ସରସୀ ଯେ ।୫।
 
କ୍ରମେ ବଢନ୍ତେ ସୁଷମା-ତରଙ୍ଗ।
ଆଶ୍ରୟ କଲେ ଆସି ନାନାରଙ୍ଗ।
ଲକ୍ଷଣ ଚଞ୍ଚଳେ ଜିଣେ କୁରଙ୍ଗ।
ମଦ ବିଘୂର୍ଣ୍ଣିତ ଅଳପ ରଙ୍ଗ ସେ ।
ଭ୍ରୂଲତା କାମ ସାରଙ୍ଗ ଯେ।
ଇଙ୍ଗିତ ଭଙ୍ଗିମା ପ୍ରସଙ୍ଗେ ନାଚଇ
ଗଞ୍ଜିବା ପାଇଁ ସାରଙ୍ଗ ଯେ ।୬।
 
ଗତି ମତିରୁ ଚଞ୍ଚଳ ଅଧୀରେ।
ପଳାଇ ରହିଲେ ନେତ୍ର ବିଧିରେ
ବ୍ରୀଡ଼ା ବିଚାରେ ରହିଲେ ବିଧିରେ।
ସୁରସକୁ ମନ ଭଜିଲା ଧୀରେ ସେ।
ନୋହେ ରଚନା ବିଧିରେ ଯେ।
ସମସ୍ତ ଭଙ୍ଗିମା ଗୁଣ ସାର୍ଥ ହେଲେ
ରହି ଆପଣା ସିଦ୍ଧିରେ ଯେ ।୭।
 
ଯା ଶୋଭା ଭଙ୍ଗିମା ନେତ୍ର ପଥରେ।
ପଡ଼ିଗଲା ବିଶ୍ୱସୃକର ଥରେ ।
ଅନାୟତ୍ତରେ ହୃଦୟ ଥରେ ।
ଅବିଧି ବିଧି ରଚିଲା ଏ ଥରେ ସେ।
ଦ୍ରବିତ ହେଲେ ପଥରେ ଯେ।
ଗଉତମ କଲେ ଉତ୍ତମ ଏ ବାଞ୍ଛା
ଦେଲା ଅମର ନାଥରେ ଯେ ।୮।
 
ବାଳକାଳ-ରୀତି କ୍ରମେ ହଟିଲା।
ବାଳକ ସଙ୍ଗରୁ ମତି ତୁଟିଲା ।
ସମବୟା ସଖା ପ୍ରୀତି ଘଟିଲା ।
ଚାତୁରୀ କଥାମାନ ପ୍ରକଟିଲା ସେ।
କାମ ଚେଷ୍ଟା ଚହଟିଲା ଯେ।
ପତିବ୍ରତୀ –ମତି-ଧୃତି –ସମ୍ପତ୍ତିକି
ସମୂଳ କରି ଲୁଟିଲା ଯେ ।୯।
 
କୈଶୋର ଗୁରୁ ଯେ ଭଙ୍ଗିମାବାର ।
ନିତି ନିତି କଲା ଶିଖାଇବାର।
ଇଙ୍ଗିତ ରଙ୍ଗେ ନେତ୍ର ଠାରିବାର।
ମନ୍ଦହାସରେ ଭାଷା କହିବାର ସେ।
ପ୍ରୀତି ଗୀତ ଗାଇବାର ଯେ।
ମତ୍ତବୃଷଗତି ଗଜଗତିମତି ହେଲା
ସତ ମୋହିବାର ଯେ ।୧୦।
 
ସ୍ନେହ ବଳିଲା ତନୁ ଯତନରେ।
ଭୂଷା ମଣ୍ଡନ ହେଲେ ରତନରେ ।
ଚୂଡ଼ା ସଜଡ଼ା ଦିବ୍ୟ ସୁମନରେ ।
ରସିଲେ ରଙ୍ଗ ପୀତବସନରେ ସେ ।
ମନ ପାନ –ଚନ୍ଦନରେ ଯେ।
ସଙ୍ଗୀ ସଙ୍ଗରେ ସଙ୍ଗୀତ ପ୍ରସଙ୍ଗରେ
ଲୋଭ ଜାତ ସୁମନରେ ଯେ ।୧୧।
 
ନବ ଯୁବତୀ –ପ୍ରେମ ଲମ୍ପଟରେ ।
ଛାତି ଫୁଲାଇ ଚାଲନ୍ତି ବାଟରେ।
କାହା ମନକୁ ହରନ୍ତି ନାଟରେ ।
କଣ୍ଡୁର ବୋଳନ୍ତି କାହା ଲାଟରେ।
ଜଗନ୍ତି ଜଳ ଘାଟରେ ଯେ।
ସୁନ୍ଦର ପୁରନ୍ଦର ଦିନ ହରନ୍ତି
ଆକଟରୁ କପଟରେ ଯେ ।୧୨।

ଭଙ୍ଗୀ ଭଙ୍ଗୀ-
ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ।
କାହା କଟିସ୍ଥିତ ଦେଖି ମାଠିଆ।
ବୋଲନ୍ତି ବନ୍ଧୁ ମୁଁ ତୋହେ ବେଠିଆ ।
ପାଣି ଆଣିବାକୁ ମୋତେ ପଠିଆ ।
ଶୁଣି ଗୋପୀ ହୋଇ ଠିଆ ଯେ।
ହସିଲା, ଭାଷିଲା, ବଢିଲାକୁ କାହ୍ନୁ
ହେଲୁ ଏଡ଼େ ଅପାଠିଆରେ ।୧୩।
 
ଜଗି ଦଧି ବିକିଯିବା ବାଟକୁ।
ଗୋପୀଙ୍କି ମାଗନ୍ତି ଦିଅ ଘାଟକୁ।
ନେବି ମୁଁ ତନୁ ତନୁ ପୁରଟକୁ।
ଏତେ କହି ଯାଇଁ ଧରୁଁ ପଟକୁ ସେ ।
କେ ବୋଲେ ଏତେ ଲଟକୁ ସେ ।
ସଜନି କହ, ଗୋ-ରସ ଦେବା, ବାଟ
ଛାଡ଼ୁ, ଏ, ଯିବା ହାଟକୁ ଗୋ।୧୪।
 
ଭଙ୍ଗୀ ଛଳ-
କେ ତହିଁ ବୋଲେ କରି ଆକଟକୁ।
ଜାଣି ନାହିଁ କି ଏ କଂସ ରାଟକୁ।
କେ ବୋଲେ ବୁଝିବା କାଲି ନାଟକୁ।
ଶୁଖାଇବେ ମାତା ହାତେ ଛାଟକୁ ସେ।
କେ ବୋଲେ ନନ୍ଦ ଚାଟକୁ ଯେ।
ମୂର୍ଚ୍ଛିଲେ ଏ ଗୋପେ କେଉଁ ଗୋପୀ
ପୁଣି ରଖି ପାରିବ ଘଟକୁ ସେ ।୧୫।
 
ଔଦାର୍ଯ୍ୟ ଭଙ୍ଗୀ –
କେ ବୋଲେ କି କହୁଛ ଏ ବିଟକୁ ।
ମୁହିଁ ନ ଲଗାଅ କେହି ଧୁଟକୁ।
ଭଲ ବୁଝିଛ କି ଏହି ଖଣ୍ଟକୁ ।
ଜାଣି ନାହିଁ ତ ତାହା କପଟକୁ ସେ ।
ନେଳା ପୂତନା ଘଟକୁ ଯେ।
ନାରୀ ନାଶିବାକୁ ଆସିଛି ମହୀକି
ବାନ୍ଧି ସେହ୍ନା ମୁକୁଟକୁ ଯେ ।୧୬।
 
କରରେ ଦେଇ କର ପଇଠିକି।
କହୁଛନ୍ତି କାହ୍ନୁ କେଉଁ ପେଣ୍ଠୀକି।
ତୁ ମୋର ସମାନ ହୃଦ କଣ୍ଠିକି ।
ମନେ ନ ରଖିବୁ କଥା ଗଣ୍ଠିକି ସେ।
ମୋ ଜାନୁ ବଇଠିକି ଯେ ।
ଦେଲି, ବିଜେକର ମହାଦେବି,
ମୋର ନଦିଅ ଲାଜେ ପିଠିକି ଯେ ।୧୭।
 
ସ୍ନେହଭଙ୍ଗୀ-
କେଉଁ ଗୋପୀ କହେ ମୁହଁ ହଲାଇ ।
କି କହୁଛୁ କାହ୍ନୁ ଛାତି ଫୁଲାଇ।
ବଡ଼ପଣ ଦେବୁଁ ସିନା ଭୁଲାଇ।
ତନୁଦାନମାଗୁ ନେତ୍ର ବୁଲାଇ ସେ।
ମଲେ ତ ଆମ୍ଭେ ମଲାଇଁ ହେ।
ଜୀବ ଥିଲେ ଦେଖାଯିବ ଗୋପୀ ପାଦ
ମୁଦିରେ ନେବେ ମୂଲାଇ ଯେ ।୧୮।
 
ଗର୍ବଭଙ୍ଗୀ-
କେ କହଇ ହରି ତୋର ବଡ଼ାଇ।
ରାଜା ଆଗେ କହି ଦେବୁଁ ଛଡ଼ାଇ।
ନନ୍ଦର ସମ୍ପତ୍ତି ଦେବୁଁ ଉଡ଼ାଇ।
ଦେବୁଁ ଗର୍ବେଶ୍ୱର ପଣ ବୁଡ଼ାଇ ସେ।
ମନ୍ଦିର ଦେବୁଁ ତଡ଼ାଇ ଯେ।
ଏଡ଼େ ଗରବ ଗୋପୀଙ୍କି ଘାଟ
ମାଗୁ ନନ୍ଦର ଗୋରୁ ଅଡ଼ାଇ ଯେ ।୧୯।
 
ତର୍ଜନାଭଙ୍ଗୀ–
ଯେବେ ପରାଣ ଥିବ ପିଣ୍ଡରେ ।
ଆଉ ଦିନେ ନ ଯିବୁଁ ଦାଣ୍ଡରେ
କେଉଁ ପ୍ରୟୋଜନ ଏତେ ଦଣ୍ଡରେ ।
ଚାଲ ଗୋ ବାହୁଡ଼ି ଯିବା ଚାଣ୍ଡରେ ସେ।
ମାତିଛି ଫୁଲ କାଣ୍ଡରେ ଗୋ
ଚଣ୍ଡ ହୋଇ ଦେଖ ବିଖଣ୍ଡ କହୁଛି
ମଧୁର ନାହିଁ ତୁଣ୍ଡରେ ଗୋ ।୨୦।
 
ବିରକ୍ତି ଭଙ୍ଗୀ ଉକ୍ତି-
କୃଷ୍ଣ କହନ୍ତି ଯେ କରି ତର୍ଜନା।
ଏ ରୂପେ କେହି ଯେ ଆଉ ଗର୍ଜନା।
କୂଟ କପଟ ବଚନ ସର୍ଜନା।
ଆପଣା ଇଚ୍ଛାରେ ଦଣ୍ଡ ଅର୍ଜନା ସେ।
ମାନ ମହତ ବର୍ଜନା ଗୋ
ଅନ୍ୟାୟ କାହାର,ମାର ନୃପବର
ଛାମୁର ହେଉ ମାର୍ଜନା ଗୋ। ।୨୧।
 
ଶୁଣି ଗୋପୀ ବଂଶ ହେଲେ ହରଷ।
ହୃଦରେ ପୂରିଲା ପ୍ରେମ-ସୁରସ।
ବୋଇଲେ ବିକି ଆସିବୁଁ ଗୋ-ରସ ।
ଦେଖି ଯାଉଥିବୁଁ ମୁଖ ସାରସ ସେ।
ବଢାଇଲନିତ ରସ ଯେ।
ତୁମ୍ଭ ବାଞ୍ଛା ପ୍ରତିବିମ୍ବିକାକୁ ଆମ୍ଭ
ହୃଦ ହେଲା ଆଦରଶ ଯେ ।୨୨।
 
ଲାଳସା ଭଙ୍ଗୀ ଉକ୍ତି-
କୃଷ୍ଣ ଧଇଲେ ଯେ ଗୋପୀଙ୍କ କର।
ବୋଇଲେ ମୁଁ ତୁମ୍ଭ କିଣାକିଙ୍କର ।
କର-ସାରେଣୀ ପରା ମୋତେ କର।
ସମାନ ମୁହିଁ ପଦ –ଯାବକର ସେ ।
ତୁମ୍ଭ ବଚନ ଶାକର ଯେ।
ବିନା ମୋ କାମନା ଆଉ ନାହିଁ
ବନ୍ଧୁ ଛୁଉଁଛି କୁଚ-ଶଙ୍କର ଯେ ।୨୩।
 
ଦୈନ୍ୟ ଭଙ୍ଗୀ ଉକ୍ତି-
ପରସ୍ପରେ ଏହି ରୂପ କହିଲେ।
ହସି ଗୋପୀ ବକ୍ର ନେତ୍ରେ ଚାହିଁଲେ।
ଜଗତ ମୋହନ ମନ ମୋହିଲେ ।
ଗୋପୀଙ୍କ ହୃଦରେ କୃଷ୍ଣ ରହିଲେ ସେ ।
ପ୍ରୀତି ଆରମ୍ଭ ପହିଲେ ଯେ।
ଭାବ ସନ୍ଧାନ ବିଧାନ ବରଧନ
ମାନସେ ଜାଗି ରହିଲେ ଯେ ।୨୪।
 
ଦିନୁ ଦିନୁ ବଢାଇଲ ପୀରତି ।
ହଟ ନାଟ କାହିଁ କେତେ କରନ୍ତି।
ସେ ନଗ୍ରରେ ଯେତେ ପତି ବିରତୀ।
ତାହାଙ୍କର ମନ ହେଲା ଆରତି ସେ
ଧରି ନୋହିଲା ଧିରତି ଯେ।
ଲାଜ ଦୂରକଲେ ରତି ପତି ନିତି
ଛାତି ଦେବାରୁ କରତି ଯେ ।୨୫।
 
କେବେ କୃଷ୍ଣ କାହା ପୁରେ ପଶନ୍ତି।
କେବେ ଗୋପୀ କେଉଁଠାକୁ ଆସନ୍ତି।
କେ କାହାଠାକୁ ଯେ ଦୂତୀ ପେଷନ୍ତି।
କେ କାହାର ଗୁଣ ଗଣ ଘୋଷନ୍ତି ସେ।
କେ କଣ୍ଟ ଜଗି ବସନ୍ତି ଯେ ।
ଆସନ୍ତି ରସନ୍ତି ମିଶନ୍ତି ଭାଷନ୍ତି
ହସନ୍ତି ରସେ ଭାଷନ୍ତି ଯେ ।୨୬।
 
ବ୍ରହ୍ମା ଶିବ ପରିଜନ ଯାହାର।
ସେ କରନ୍ତି ନାନାରଙ୍ଗେ ବିହାର।
ସେ ପ୍ରଭୁଙ୍କୁ ମୋର କୋଟି ଜୁହାର।
ଧୀର ଜନଙ୍କ ହୃଦୟ-ହାର ସେ।
ବୋଲେ ସମାନ୍ତ ସିଂହାର ଯେ।
କୃଷ୍ଣ ଲୀଳା ଗୀତ ଶୁଣିଲେ ମନକୁ
ହରିବ ନାହିଁ କାହାର ଯେ ।୨୭।