ବୈଦେହୀଶ ବିଳାସ/ବିଦୁଷ ହେ ଶୁଣ ରଞ୍ଜନ ରସ

ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ତୃତୀୟ ଛାନ୍ଦ: ବିଦୁଷ ହେ ଶୁଣ ରଞ୍ଜନ ରସ

ତୃତୀୟ ଛାନ୍ଦ: ବିଦୁଷ ହେ ଶୁଣ ରଞ୍ଜନ ରସ


(ରାଗ-ରାମକେରୀ)
[ଆଦ୍ୟଯମକ]
ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।
ବିଦୁଷଣ ରାଜସମାନେ ଧର୍ମସ୍ୱରୂପୀ ସେହି ।୧ ।
ବିଦିତ ମିଥିଳା ନୃପତି ନାମ ଜନକ ତାର ।
ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ।୨ ।
ବିଦଗଧ ଯଜ୍ଞକର୍ମରେ ସର୍ବଦାରେ ସେ ଅତି ।
ବିଦଗଧଚିତ୍ତ ପ୍ରାପତ ନୋହିବାରେ ଦୂହିତୀ ।୩ ।
ବୃଷାଳ ମଖଶାଳ କୃତେ ଦିନେ ଚକ୍ଷୁଁ ଅବନୀ ।
ବୃଷାଶାପୁଁ ମୁକ୍ତି ପାଇଣ ମେନା ନାମେ କାମିନୀ ।୪ ।
ବସି ବିମାନରେ ଗଗନେ କରୁଅଛି ଗମନ ।
ବଶୀଭୂତ ଶୋଭାପ୍ରଭାରେ ହରେ ଜନନୟନ ।୫ ।
ବୁଧଜନକ କି କଳଙ୍କହୀନେ ପୁର୍ଣ୍ଣ ସମ୍ପଦେ ।
ବୁଧଜନ କରେ ପରତେ ନଭେ ଦିବସେ ଉଦେ ।୬ ।
ବୃଷଭାସ୍ୟା ସେ ମଣ୍ଡିବାରେ ଚିତ୍ତ ଅତି ଉଦବେଗ ।
ବୃଷଭାଷା ଏହି ତରଙ୍ଗେ ଢାଳିବାରେ ଅପାଙ୍ଗ ।୭ ।
ବିହରିତ ପୁନଃପୁନ କି ସୁଧା ପିଇ ଚକୋର ।
ବିହରିତରେ ସେ ବହିଛି ନିଶ୍ଚେ ଏ ମନୋହର ।୮ ।
ବଳାରାତିପୁରମଣ୍ଡନା ଶୋଭା ଜନକ ଚାହିଁ ।
ବଳାଇଲେ ଚିତ୍ତ ମୋ ସୂତା ପୁଣ ହୁଅନ୍ତା ଏହି ।୯ ।
ବାଳରୁଣାଧରୀ କହିଲା ଜାଣି ତାହାଙ୍କ ଚିତ୍ତ ।
ବଳାଏ ଏକ୍ଷଣି ଅଦ୍ଭୁତେ ହୋଇ ସିନା ପ୍ରାପତ ।୧୦ ।
ବଳାହକୁଁ ଜନ୍ମ ହୋଇଲା ପରା ଇଶ୍ୱରଭୀରୁ ।
ବଳାହକେ ବିଦ୍ୟୁତ୍ ପ୍ରକାଶ ପ୍ରାୟେ ଗନ୍ଧବତୀରୁ ।୧୧ ।
ବାଣୀ ଯେ ଏପରି ଲଙ୍ଗଳ ଅଗ୍ରେ ଜାତ ମଞ୍ଜୁଷେ ।
ବାଣିଜ୍ୟେ ରତ୍ନସଂପୁଟକ ଲଭ୍ୟ ପରା ମଞ୍ଜୁ ସେ ।୧୨ ।
ବିଶ୍ୱମୋହିନୀଏ ତା ମଧ୍ୟେ ଦେଖି ମହା ହରଷ ।
ବିଶ୍ୱକର୍ମା କୃତ କୃତ୍ରିମପୂତ୍ରି କି କଳବଶ ।୧୩ ।
ବସୁନ୍ଧରାଭବା ଜନକ କୋଳ କରି ସ୍ୱଭାବ ।
ବସୁ ଧରାଇଲା କୃପଣେ କି କୃପାଳୁ ଦଇବ?୧୪ ।
ବିଶ୍ୱସୃତ ଏକ କରିଛି ଧରି ଶୋଭାଚୟକୁ ।
ବିଶ୍ୱକେତୁ କେତୁ ବାନ୍ଧିଲା ଜାଣି ଜଗଜ୍ଜୟକୁ ।୧୫ ।
ବହୁ ଋଷି ତାଙ୍କ ସଙ୍ଗତେ ମେଳ ହୋଇ ଯେ ଥିଲେ ।
ବହୁ ସୀତାନାମ ଏ ସୀତା ଯୋଗେ ଜାତ ବୋଇଲେ ।୧୬ ।
ବିଧି ସନମତ ପୃଥିବୀଭବା ପାର୍ଥିବୀ ଏହି ।
ବିଧିରେ ମିଥିଳା ଉତ୍ସବକାରୀ ମୈଥିଳୀ କହି ।୧୭ ।
ବିଦେହଜାୟା କୋଟିଏକ ହେଲେ ସମ କି ଆଉ?
ବିଦେହିଦେଶରେ ଉଦ୍ଭବି ବଇଦେହୀ ବୋଲାଉ ।୧୮ ।
ବିଦୁଷ ଜନକ ପାଳନେ ବୋଲାଇବ ଜାନକୀ ।
ବିଦୁଷଣ ଶୋଭା ଜେମାର ଆଉ ସମ ଆନ କି ।
ବାସରେ ଉତ୍ପଳ କି ଲକ୍ଷ ପାରିଜାତକ ତୁଚ୍ଛ ।
ବାସରେ ଚହଟେ ଯୋଜନଗନ୍ଧା ନାମହିଁ ସ୍ୱଚ୍ଛ ।୨୦ ।
ବଡଭି ଉପରେ ଦୋଳିର ରଖି ଧାତ୍ରୀ ପାଳିତ ।
ବଡ଼-ଭୀ ଉପମାମାନଙ୍କ ଅସମାନରୁ ଜାତ ।୨୧ ।
ବିନିଦ୍ର କି ହେମ ଶୟନେ ଦୁର୍ଗା ରୂପା-ପଲଙ୍କେ ।
ବିନିର୍ଗତ ଆନ ଉପମା ସେହି କାଳେ ପଲକେ ।୨୨ ।
ବାଳକୀ ଲୀଳା କଉତୁକେ ଅନ୍ତଃପୁରସ୍ଥା ମୋହି ।
ବାଲ କି ଶୈବାଳ କମଳକୋଷ ଉପରେ ଶୋହି ।୨୩ ।
ବାଡ଼ବର ଚିତ୍ରପ୍ରତିମା ପରି ଧରି ତା ଉଭା ।
ବାଡ଼ବର ମଧ୍ୟେ ପକାଅ ଆନ ସମାନ ଶୋଭା ।୨୪ ।
ବିଡ଼ମ୍ବ ନୂତନ ମଞ୍ଜରୀ ଢଳିତ କି ପବନେ ।
ବିଡ଼ମ୍ବଣ ଅନ୍ୟ ଦୃଷ୍ଟି ସେ ଟଳଟଳ ଗମନେ ।୨୫ ।
ବଚକୁ ବାଚକେ ନ କହୁଁ ପୁଣି ଶୁଣି ଉତ୍ସାହୀ ।
ବଚକୁ ପିଇଲା ପଢିଲା ଶୁକ ମୁକରେ ରହି ।୨୬ ।
ବାଳୀ ସେ ଖେଳିଲା ଶିଶୁଙ୍କ ସଙ୍ଗେ କ୍ରମ କ୍ରମରେ ।
ବାଳିଶେ ଲଷିବେ ସେ କାଳେ ରମ୍ଭା ରମା ସମରେ ।୨୭ ।
ବେଣୀ ଚାରୁ ଶିରେ ଶୁକଳ ରଙ୍ଗଫୁଲ ଯତନ ।
ବେଣୀ ତ୍ରିପୂର୍ବ କି ନଭରୁ ହେଉଛନ୍ତି ପତନ ।୨୮ ।
ବିଳମ୍ବିତ କର୍ଣ୍ଣେ କୁଣ୍ଡଳ କି ସେ ଶାଙ୍କୁଳୀ ବଳା?
ବିଳମ୍ବିତ ଦମ୍ଭ ଚିତ୍ତରେ ଦେବ ଚାହୁଁ ନୋହିଲା ।୨୯ ।
ବୟ କଲା କାହିଁ ଏ ରୀତିମାନ ସୁନ୍ଦରୀମଣି ।
ବୟସଙ୍ଗତି କି ପ୍ରକାଶି ଆନ ପ୍ରକାରେ ଆଣି ।୩୦ ।
ବିଭାକାଳେ ନାରୀ ଯେମନ୍ତେ କନ୍ୟାଳଙ୍କାର ମୁଞ୍ଚି ।
ବିଭାବନା ହେଲା ତହିଁରେ ନବ ବିଳାସ ରଞ୍ଚି ।୩୧ ।
ବସନ୍ତଦୂତ ଧ୍ୱନି କଲାବେଳେ କେତେ ଇଙ୍ଗିତ ।
ବସନ୍ତ ରାଗରେ ଆଳାପ ତହିଁ କରଇ ଗୀତ ।୩୨ ।
ବସନ୍ତ ବସନେ ଗଣ୍ଠିକି ଦେଇ କନ୍ଧେ ପକାଇ ।
ବସନ୍ତ ବସନ ମୋହିବି ଏହି ଗୁମାନ ବହି ।୩୩ ।
ବନ୍ଧନ କରେ ନାନା ଛନ୍ଦେ ନୀବୀ ସେ ପୁନଃ ପୁନଃ ।
ବନ୍ଧଚିତ୍ରପଟ ଏକାନ୍ତେ ଚାହିଁବାରେ ସୁମନ ।୩୪ ।
ବନ୍ଦି ଯାହାକୁ ବଡ଼ ବୋଲି ସଉନ୍ଦର୍ଯ୍ୟେ ଧରାରେ ।
ବନ୍ଦୀପରି ହୋଇ ରହିଲା ଅବରୋଧେ ଧରାରେ ।୩୫ ।
ବତ୍ସର ନବିରୁ ଦିନକୁଦିନ ପ୍ରଭା ବଢାଇ ।
ବତ୍ସରେ କୁତ ଅଙ୍କୁରିତ, ଏହି ଉତ୍‌ପ୍ରେକ୍ଷା ହୋଇ ।୩୬ ।
ବର୍ଣ୍ଣମାଳୀପରା ରୋମାଳି କି ସେ ସରଘାପନ୍ତି ।
ବର୍ଣ୍ଣନୀୟ ଏହି, କରନ୍ତି କି ସେ ଉର୍ଦ୍ଧ୍ୱକୁ ଗତି?୩୭ ।
ବିକଳନା କରି ସଞ୍ଚନ୍ତି ମଧୁ କଳ୍ପଦୃମରେ ।
ବିକଳପ, ଫଳ ଅଙ୍କରୁ ଭଜେ ବୁଦ୍ଧିକ୍ରମରେ ।୩୮ ।
ବିଜୟ ହୋଇଲା ତ୍ରମୁକଠାରୁ ତାଳସରିକି ।
ବିଜୟ ହୃଦରେ ସ୍ୱୟମ୍ଭୁ ରୂପେ କଲେ ଶମ୍ଭୁ କି ।୩୯ ।
ବଳିଶ୍ରେଷ୍ଠ କାମ ତାହାଙ୍କ ବାମ କଲା ପ୍ରହାର ।
ବଳି ବାଟୁଳିକି ସ୍ତନାଗ୍ରରୂପେ ସେ ମନୋହର ।୪୦ ।
ବାସରେ ଯତନେ ଘୋଡ଼ାଇ ଚୋକ କବଚ ଦେଇ ।
ବାସଅଙ୍ଗୀ ସ୍ନର ଭୟରୁ ରତି ସେବନେ ସ୍ନେହୀ ।୪୧ ।
ବନଧବକୁ ଯେ ଜିଣିଲା କଟୀ କୃଶତା ହୋଇ ।
ବନଧରକେଶୀ କିଙ୍କିଣୀ ଜୟବାଦ୍ୟ ବଜାଇ ।୪୨ ।
ବଳାହଂସକ ନାଦେ ଗତି ବଡ଼ାଇକି ଶୁଣାଇ ।
ବଳାତ୍କାରେ ମନ୍ଦ ସରଣେ ଗଜ ହଂସ ଜିଣାଇ ।୪୩ ।
ବ ରଣବୃଷା ଗର୍ବ ଖର୍ବ କରି ଊରୁ ଦୀପିତ ।
ବାରଣଦନ୍ତ କୁନ୍ଦା ସ୍ତମ୍ବ କି କୁଙ୍କୁମ ଲେପିତ ।୪୪ ।
ବାହୁ ଶୋଭା ଚାହିଁ ମୃଣାଳ କଣ୍ଟକକୁ ବହିଲା ।
ବାହୁଟି ତାଡରେ ଜଣିଲି ସେ ପୂଜାକୁ ପାଇଲା ।୪୫ ।
ବ୍ରହ୍ମାଣ୍ଡରେ ନାହିଁ ସେ ହସ୍ତତୁଳ କହିବା ତର୍କେ ।
ବ୍ରହ୍ମା ତେଣୁ ଦେଲା ଅତୁଳ କରି ନାମ କଟକେ ।୪୬ ।
ବିଭୁଷଣ ଭୁଷାନିଚୟ ସର୍ବ ସୁନ୍ଦରୀଙ୍କରେ ।
ବିଭୁ ସେ ଜାନକୀ ଅତୁଲ ତାଙ୍କୁ ଆମ୍ଭେ ଏଠାରେ ।୪୭ ।
ବନ୍ଦିଆମଣ୍ଡନେ ଶ୍ରବଣେ ତାଳପତ୍ର ଘଉଡ଼ି ।
ବନ୍ଦିଆ ନୋହି କି ସେ ଯିବ, ଯେଉଁ ନୟନ ପଡ଼ି ।୪୮ ।
ବାଳୀ ଝଲକାଦି ସୁଫୁଲ ମଲ୍ଲୀକଢ଼ୀ ବିଶେଷେ ।
ବାଳୀ ଝଲକାଇ ଯେମନ୍ତ ନୋହିବ ଶେଷେ ।୪୯ ।
ବନ୍ଧା ସୁମନରେ ଜୁଡ଼ା ସେ ଧୈର୍ଯ୍ୟ ଉଜୁଡା ସେହି ।
ବନ୍ଧା ସୁମନକୁ ପକଇ ନେବ କେ ମୁକୁଳାଇ?୫୦ ।
ବିଶେଷେ ଚଞ୍ଚକ ଇକ୍ଷଣ ବାଣ ସେ ଗତାଗତ ।
ବିଶେ ସେ ଯୁକ୍ତ କି ଅଞ୍ଜନେ ଯେଣୁ ଅତି ଜ୍ୱଳିତ ।୫୧ ।
ବାଜିବାର ଭୟେ କୁରଙ୍ଗ ମୀନ ବନେ ପଳାଇ ।
ବାଜୀବାର ଗତାଗତ ସେ ଗତି ଶିଖିବା ପାଇଁ ।୫୨ ।
ବର୍ତ୍ତୁଳା ମୁକୁତା ଚଳିତ ନାସା ପୁଡ଼ା ଯେ ଫୁଲେ ।
ବର୍ତ୍ତୁକେ ତା ଚାହିଁ ଆଜନ୍ମ ବ୍ରହ୍ମଚାରୀ ହୋଇଲେ ।୫୩ ।
ବିନ୍ଧୁ କରିବାର ଇଚ୍ଛିଲା ଯେଣୁ ଅଧର ତୁଲେ ।
ବନ୍ଧୁକ ନାମହିଁ ରହିଲା ତେଣୁ ରକ୍ତକ ଫୁଲେ ।୫୪ ।
ବଧୁଲୀ ଅଧର ବୋଳିବା ଯୁକ୍ତ ଅର୍ଥରେ ଆନ ।
ବଧୂ କରେ ତହିଁ ଉପରେ ହାସ ପ୍ରକାଶମାନ ।୫୫ ।
ବଭର୍ତ୍ତି ମୋତିପନ୍ତି ଦନ୍ତ ଓଷ୍ଠ ମାଣିକ୍ୟପାତ୍ରେ ।
ବିଭବ ଶୋଭାର କେ କହୁ ଯେ ବିଚିତ୍ର ବିଚିତ୍ରେ ।୫୬ ।
ବିଭୁଷଣ ନାନାପ୍ରକାରେ ଯେତେ କରନ୍ତି ନିତି ।
ବିଭୁଷଣ ପରା ତହିଁକି ଦିଶେ ସୁନ୍ଦରୀ ଜ୍ୟୋତି ।୫୭ ।
ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିଉଞ୍ଛାଇବା ।
ବଦନରେ ଏହି ଉକ୍ତିକି ଆନ କି ଲକ୍ଷ ଦେବା?୫୮ ।
ବରବର୍ଣ୍ଣିନୀ ରସଲତା ନବ ପୁଷ୍ପବତୀ ସେ ।
ବରଣ କରିବା ଜନକ କହେ ଯତିଙ୍କ ପାଶେ ।୫୯ ।
ବାଚିଲେ ବଲ୍ମୀକି ଟେକିବ ଯେହୁ ଶିବଚାପକୁ ।
ବାରିଜଗନ୍ଧାକୁ ପ୍ରଦାନ ନିଶ୍ଚେଁ କରିବା ତାକୁ ।୬୦ ।
ବୋଧ ଜନକ ହରଧନୁ ସ୍ୱୟମ୍ବର ରଚିତ ।
ବୋଧକର ମୁଖେ ବିଖ୍ୟାତ, ନୃପଗଣେ ଆଗତ ।୬୧ ।
ବାସ କରନ୍ତୁ ସେହି ସୀତାଲୀଳା ସଦା ମୋ ହୃଦ ।
ବାଷଠିପଦେ ଉପଇନ୍ଦ୍ର ଭଞ୍ଜ କହେ ଏ ଛାନ୍ଦ ।୬୨ ।