ବୈଦେହୀଶ ବିଳାସ/ବିଦୂଷଣ ଗୀତ ସୁଜନେ ଶୁଣ

ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏକବିଂଶ ଛାନ୍ଦ: ବିଦୂଷଣ ଗୀତ ସୁଜନେ ଶୁଣ

ରାଗ –ଦେଶାକ୍ଷ

ବିଦୁଷଣ ଗୀତ ସୁଜନେ ଶୁଣ । ବିଜ୍ଞାନୀ ଚିତ୍ରକୂଟ ଋଷିଗଣ ।
ବିଷ୍ଣ କରି ଶ୍ରୀରାମଙ୍କୁ ନ ଚିହ୍ନି । ବିଚାରି ଏ ଭୟ ରାକ୍ଷସ ଘେନି ।
ବିନାଶେ ଆମ୍ଭ ଧନ୍ବୀ ପୋଷିତ । ବୋଲାବୋଲି ହୋଇ ଛାଡ଼ୁଁ ପର୍ବତ ।୧।
ବିବେକୀବର ଶୁଣି ଥାଅ ଭାଷି । ବାଳୀ ଭ୍ରାତ ଘେନି ଦଣ୍ଡକେ ପଶି ।
ବରଷାରେ ରସା ତେଜି ମାନସ । ବରଟା ସଖା ସଙ୍ଗେ ଘେନି ହଂସ ।
ବନଜନାଳ ସମ୍ବଳ କରି । ବାଣ ଶରାସନ ତେସନ ପରି ।୨।
ବୀରାଧିବୀର କେତେ ଦୂର ଚଳେ । ବିରାଧ ଆସୁଛି ଧରିଣ ଶୂଳେ ।
ବରାହ ହରିଣ ଗୁନ୍ଥିଛି ତହିଁ । ବହିବା ରକତ ଦେଉଛି ଲେହି ।
ବିସ୍ତାରୁଁ ତୁଣ୍ଡ ଏମନ୍ତ ଦିଶି । ବିଳେ କି ଭାନୁ କର ଯାଏ ପଶି ।୩।
ବିଧିରେ ପଲାଶ ରୁଧିର ସଞ୍ଚା । ବିକଶିଲା ପୁଷ୍ପ ପରାୟେ ପଞ୍ଚା ।
ବାହୁ ଶଖାରେ ହୋଇଛି ଦୀପିତ । ବିଗଳିତ ଝାଳ ମଧୁ ସଂଜାତ ।
ବୁଲାଇ ଡ଼ୋଳା ଦେଉଛି ଚାହିଁ । ବିଶେଷ ଭୃଙ୍ଗ ଚକ୍ରଗତି ବିହି ।୪।
ବିଲୋକିଲା ସେହି ତିନିଜଣଙ୍କୁ । ବିଚାରମାନ ଆଣିଲା ମନକୁ ।
ବେନିତୀରେ ଚମ୍ପା ତମାଳ ତରୁ । ବିକଚପୁଷ୍ପେ କେ ପତ୍ରେ କେ ଚାରୁ ।
ବହୁଛି ମଧ୍ୟେ ଲାବଣ୍ୟ ସର । ବାରିଜ କୁମୁଦ କହ୍ଲାରେ ସାର ।୫।
ବ’ତେ ଚଳୁଅଛି ନୀଳଉତ୍ପଳ । ବୀଚି ଭୃଙ୍ଗାଳିରେ କି ମହୋଜ୍ଜ୍ବଳ ।
ବିହାର କରୁଛି ମତ୍ତମରାଳୀ । ବୃତ ଶଇବାଳେ କମଳକଳି ।
ବିଲୋଳ ଘନରସ ପୂରିତ । ବିତର୍କ ସର୍ବ ଶ୍ଳେଷ ଏତେ ମାତ୍ର ।୬।
ବିକ୍ରମି କରୁଁ ନିକଟକୁ ଗତି । ବିଗ୍ରହବନ୍ତ ଦରଶନେ ଚିନ୍ତି ।
ବରାକ ନେତ୍ରେ କାମ ଜଳିଗଲା । ବୃଷ୍ଟି ସୁଧା ଇନ୍ଦ୍ର ଅସ୍ଥିରେ କଲା।
ବସନ୍ତ ସଙ୍ଗୀ ବହି ସ୍ବରୂପ । ବଂଶ ଲୋହ ପୁଷ୍ପ କମାଣ ରୋପ ।୭।
ବ୍ରହ୍ମାଣ୍ଡେ ଏକ ସୁନ୍ଦରୀ ଏ ରତି । ବିନା ଏଡ଼େ ଶୋଭା କେଉଁ ଯୁବତୀ।
ବଳେ ନେଇଥିଲା ଶମ୍ବରପୁରୀ । ବିବାଦେ ଜିଣି କି କରିଛି ଚୋରୀ ।
ବିବେକ ଏହି ଚୋରୀ ପ୍ରମାଣ । ବନେ ପଶେ ଘେନି ଜଟାଧାରଣ ।୮।
ବେନି ପୁରୁଷ ଅସ୍ଥି ସହ କରି । ବଧି ଭକ୍ଷିବି ଅଗସ୍ତି ସୁମରି ।
ବିଜିର୍ଣ୍ଣ ହେଲେ ଜୀର୍ଣ୍ଣ କରିଦେବି । ବୃଷ୍ଟି ସୁଧା ପିଇ ଅମର ହେବି ।
ବନିତାମଣି ସ୍ଥିର ଯୌବନୀ । ବିପିନେ ବିହିରିବି ଏହା ଘେନି ।୯।
ବାସାଙ୍ଗେ ଜିଣେ ପାରିଜାତକକୁ । ବୋଲିବି ଯୋଜନଗନ୍ଧା ଏହାକୁ ।
ବିଲୋପ କରି ଦେବି ରତିନାମ । ବାଦେ ଜିଣିମାକୁ କେ ମୋତେ କ୍ଷମ ।
ବିଚାରି ରାମ ଲକ୍ଷ୍ମଣ ଧରି । ବହି ବେନିସ୍କନ୍ଧେ ଗମନ କରି ।୧୦।
ବତାସ ବୃକ୍ଷ ଉତ୍ପଟି ଉଡ଼ାଇ । ବଲ୍ଲରୀକି ଯଥା ପ୍ରକମ୍ପ ଦେଇ ।
ବର୍ଦ୍ଧମନ ଏହି ଲକ୍ଷ ସେଠାରେ । ବାରି ପୁଣ ସୀତା ନୟନୁ ଝରେ ।
ବମନ ମୋତିପନ୍ତି କି କରେ । ବିନିମିଷୁଁ ଝସ ଉପମା ଧରେ ।୧୧।
ବିଚିତ୍ର ହେଲା ବିଚିତ୍ର ହେବାରୁ । ବହିଲା ତୃଣାଙ୍କୁର ଯେଣୁ ମେରୁ ।
ବାର ପଛେ ଯଥା ହଂସୀ ଗୋଡ଼ାଇ । ବିଧିରେ ଯଥା ମାଗଧ ବିନ୍ଧଇ ।
ବିକଳ ଶୁଣି ସୋଦର ଦୁଇ । ବାଳ ଧରି ଡ଼େଇଁ ଲୋଟାଇ ମହୀ ।୧୨।
ବିଲୋମ ଲୋମ ଗତାଗତ ବଶେ । ବିରାଧ ବଧ ଖ୍ୟତ ଖାତତ୍ରୋଶେ ।
ବିମନେ ସ୍ବର୍ଗ ସ୍ତୁତି ଦିବ୍ୟରୁପେ । ବନ୍ଦନା କଲେ ବିବୁଧକଳାପେ ।
ବୈଦେହୀ ମହାସନ୍ତୋଷ ହେଲେ । ବୃକ୍ଷକ ମୂଳେ ସେ ଦିନ ରହିଲେ ।୧୩।
ବିଧିରେ ପୂର୍ବରୁ ହରି ହରିଣୀ । ବିଭୀତେ ସେହି ଲକ୍ଷ୍ମଣାକୁଆଣି ।
ବନେ ସବୁଦିନେ ସିନା ଶୟନ । ବନେ ହରିଲେ ଦିନ ନୋହି ଦୀନ ।
ବିଶ୍ବରେ ଖ୍ୟାତ ସୁବର୍ଣ୍ଣରୁପେ । ବନ୍ଦେ ଗତିବଶେ ଦ୍ବିଜେ ତ ପୁଷ୍ପେ ।୧୪।
ବିଭାତ ସହଜେ ଅତି ରଞ୍ଜନ । ବାୟୁସଖାରେ ହୁଅଇ ପୂଜନ ।
ବାଜଇ ସୀତାର ନୂପୁର ଘଣ୍ଟି । ବଶେ ମୃଗବର୍ଗ ପାଶେ ପ୍ରକଟି ।
ବିଗତ ଭୟ ଦେଖି ସ୍ଥକିତ । ବର୍ଦ୍ଧକୀ ବନ୍ଧନେ ଗଢିଲା ବତ ।୧୫।
ବକୁଳ ଅଶୋକ କଦମ୍ବ ଝିଣ୍ଟି । ବିକଶି କୁସୁମ ଗନ୍ଧ ଚହଟି ।
ବାମା ବାମପାଦ ଲାଗି ଗମନେ । ବିଟିକାଶେଷ ପାନର ରତନେ ।
ବିଷୋଉଁ ପଥେ କୋଳ ରଚନେ । ବହୁ ସଖୀ ନାମ ସ୍ନେହ ଚୁମ୍ବନେ ।୧୬।
ବିଳସେ ଅଳିଆବ କାଳିନନେ । ବୋଧ ତ୍ରିକାଳଫୁଲ ମଧୁପାନେ ।
ବାଞ୍ଛାକଳ୍ପତରୁ ବାନ୍ଧବୀ ନିଶ୍ଚେ । ବିବିଧ ଫଳଗର୍ଭ ଦାନ ସଞ୍ଚେ ।
ବେଭାରେ ମଧୁସୂଦନ ସେହି । ବଞ୍ଚନ୍ତି କାଳକୁ ବିନୋଦ ବିହି ।୧୭।
ବିଖ୍ୟାତ ଅନନ୍ତ କୀରତିମାନ । ବିନାଶନରେ ଅନୁଜ ସୁମନ ।
ବିନିଦ୍ରବିଯୋଗୀ ଦୀକ୍ଷାରୁ କରି । ବାସର ନିଶା ନିତି ନିତି ହରି ।
ବସୁଧା ନ କଲେ ପିଶାଚୀହୀନ । ବୋଲନ୍ତି ଯେଣୁ ପତିତ ପାବନ ।୧୮।
ବାସତୀର୍ଥରାଜ ତୀରରେ ଯେଣୁ । ବୁଲିଲେ ତୀର୍ଥମାନଙ୍କରେ ତେଣୁ ।
ବାଳା ସ୍ନେହ ସରସ୍ବତୀକି ପାଳି । ବହନ ସରସ୍ବତୀରେ ସେ ମିଳି ।
ବାଶିଷ୍ଠୀ ବାସୀସୁବାସୀ ସଙ୍ଗେ । ବିଧୌତକବରୀ କାବେରୀ ଭଙ୍ଗେ ।୧୯।
ବିହରି ନର୍ମଦା ଘେନି ନର୍ମଦା । ବାହୁଦା ପ୍ଲବନେ କାନ୍ତ ବାହୁଦା ।
ବୁଡ଼ି ହଂସପରି ହଂସଜାନୀରେ । ବାରେ ଗମନ ପ୍ରଚାରି ରେବାରେ ।
ବିକାଶୀ କଶୀ ସରିତେ ସ୍ନାୟୀ । ବିନ୍ଧ୍ୟକନ୍ୟାରେ କନ୍ୟା ଘେନିଯାଇ ।୨୦।
ବେତ୍ରବତୀ ଗତି ଯୁବତୀ ତୋଷି । ବ୍ରାହ୍ମୀ କଲୋଳ-କଲ୍ଲୋଳରେ ପଶି ।
ବେଣୀଶୋଭୀ ନେଇ କୃଷ୍ଣ ବେଣୀକି । ନିକ୍ଷେପି ପାଣିରେ ଶିରେ ପାଣିକି ।
ବେଗରେ ଗୟା ପ୍ରୟାଣ କରି । ବିକଶିତା ପୁଷ୍ପେ ସୀତା ମଞ୍ଜରୀ ।୨୧।
ବସିଣ ଫଲ୍‌ଗୁରେ ଫଲ୍‌ଗୁକାମରେ । ବାଲିଗୋତ୍ର ପିଣ୍ଡେ ଗୋତ୍ର ଉଚ୍ଚାରେ ।
ବିସ୍ତାରି କର ଦଶରଥ ତରି । ବିଦାରି ଶାପରେ ବାରି ତା ବ’ରି ।
ବାହାର ହାରଶୋଭିନୀ ଘେନି । ବିପ୍ରେ କରନ୍ତି ବିପ୍ରଳାପ ଧ୍ବନି ।୨୨।
ବର ବେନି ଏକ ବରବରନୀ । ବିଟ ଏ ବିଟପୀ ପଳାନ୍ତି ଘେନି ।
ବଜ୍ର ପଡ଼ି ଯାଉ ମସ୍ତକ ଫାଟି । ବଜ୍ର ଆଦି ରତ୍ନ କରିବା ଲୁଟି ।
ବାମାକ୍ଷୀ ବାମା ବସନାଞ୍ଚଳ । ବଳେ ଧରୁଁ ଧରିତ୍ରୀଜା ଆକୁଳ ।୨୩।
ବୋଲନ୍ତି କହି ଦଣ୍ଡଧର ପାଶେ । ବିହାଇ ଦଣ୍ଡ ବନ୍ଧାଇବା ପାଶେ ।
ବିଛେଦି ରାମା ବସ୍ତ୍ର ଖଡ଼୍‌ଗେ । ବେଗେ ବେଗେ ଯାଉ ଗୋଡ଼ାଇ ସଙ୍ଗେ ।
ବସଉଁ ଚାପେ ତିକ୍ଷ୍‌ ଣମାର୍ଗଣେ । ବୀର ଲକ୍ଷ୍ମଣ ପଳାନ୍ତି ମାର୍ଗଣେ ।୨୪।
ବ୍ୟାକୁଳ ବିନ ଶେ ନବୀନାମଣି । ବିଭା ଜ ଚନ୍ଦ୍ରଭାଗାଳିକା ପୁଣି ।
ବିପଥେ ଚନ୍ଦ୍ରଭାଗରେ ସଞ୍ଚରି । ବାଲୁକାରେ ଶିବ ଶିବଦ କରି ।
ବିହୀନ ଋଷିଜା ରୁଷିବାରେ । ବିନୋଦ ଋଷିବାରକୁଲ୍ୟାତୀରେ ।୨୫।
ବିହି ଇଶ୍ବରପଦ ଇକ୍ଷ୍ବାକୁରେ । ବିଭୁ ଅଟନ୍ତି ସଦା ଇକ୍ଷ୍ବାକୁରେ ।
ବହନ୍ତେ ପଥ ଅତ୍ରିମଠେ ମିଳେ । ବିଧ୍‌ ହେଲା ଯାହା ଲୋଚନମିଳେ ।
 ବଞ୍ଛିଲେ ସୁକଲ୍ୟାଣ ସୁଦୟା । ବନ୍ଦିଲେ ସୀତା ଦେଖି ଅନସୂୟା ।୨୬।
ବିଳୋହି ଅମ୍ଳାନଶାଢ଼ୀ କି ଶୋଭା । ବିଦ୍ୟୁତପ୍ରଭା ଦୂର କରେ ପ୍ରଭା ।
ବୋଇଲେ ବନେ ତ ରଜକ ନାହିଁ । ବହ୍ନିରେ ଧୌତ ଯେବେ ମ୍ଳାନ ହୋଇ ।
ବୈଦେହୀ ଚିତ୍ତ ହରଷେ ସାନ୍ଦ୍ର । ବଡ଼ ଆନନ୍ଦ ଶୁଣି ରାମଚନ୍ଦ୍ର ।୨୭।
ବିହରୁ ବିହରୁ ଦଣ୍ଡକାରଣ୍ୟେ । ବୃନ୍ଦ ବୃନ୍ଦ ଋଷି ଦେଖି ସୁପୁଣ୍ୟେ ।
ବିଦେହ କୋଟି ଏକଦେହ ବହି । ବୋଲନ୍ତାଇ ଏ ଲକ୍ଷ କିଛି ନୋହି ।
ବନଦ ଶ୍ୟାମ କ ହିଁ ଏ ଥିଲା । ବରିଲା ଏ ରାମା କି ତପ କଲା ।୨୮।
ବିଧାତା ଆମ୍ଭଙ୍କୁ କରନ୍ତା ନାରୀ । ବର ହୁଅନ୍ତେ ଏ କୋଦଣ୍ଡଧାରୀ ।
ବ୍ରହ୍ମପଦବୀ ପାଇ ହେବ କିସ । ବହିବା କି କରି କାମିନୀବେଶ  ?
ବିଚାରୁ ପୁଲକିତ ଶରୀରେ । ବେପଥୁ ଜନ୍ମି ଆଉଜି ବୃକ୍ଷରେ ।୨୯।
ବିଭ୍ରମ ଉପୁଜିଗଲା ମାନସ । ବୋଇଲେ ସଖାଙ୍କୁ ସଖି ଗୋ ଆସ ।
ବହିବା ତୁମ୍ବୀକି ଉରରେ ରଖି । ବକ୍ଷୋରୁହ ହେଲା ଭାବରେ ସୁଖୀ ।
ବେଣୀ ଏ ଭାବି ଜଟା ଲମ୍ବାଇ । ବିବିଧ କୁସୁମ ମଣ୍ଡିଲେ ନେଇ ।୩୦।
ବିହୁଥିଲେ ଯେ ଆହୁତି ଅଗ୍ନିରେ । ବିସୋରିଲେ ସ୍ବାହା ଆଦ୍ୟ ଅକ୍ଷର ।
ବକ୍ରେ ଚାହିଁ ତା ପୁନଃ ପୁନଃ କହି । ବିଚେଷ୍ଟା ତାଙ୍କର ରାଘବ ଚାହିଁ ।
ବୈଦେହୀ ଲକ୍ଷ୍ମଣରୁ ଅନ୍ତର । ବାଞ୍ଛା ବରଦାନେ ରଚନ ଗିର ।୩୧।
ବଲ୍ଲବୀ ତୁମ୍ଭେ ହୋଇବ ଦ୍ବାପରେ । ବ୍ରଜେ ରହିବୁଁ ଆମ୍ଭେ କଂସ ଡରେ ।
ବୃନ୍ଦାବନରେ ହେବ ରାସକେଳି । ବଲ୍ଲଭୀ ଏକା ଏ ଦେହେଁ ମୈଥିଳୀ ।
ବହିବୁଁ ଗୋପୀନାଥ ନାମକୁ । ବୋଲେ ଉପେନ୍ଦ୍ର ବୋଧିଗଲେ ତାଙ୍କୁ ।୩୨।