ମୁଖ୍ୟ ସୂଚୀ ଦେଖିବେ

ବୈଦେହୀଶ ବିଳାସ/ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

< ବୈଦେହୀଶ ବିଳାସ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଦଶମ ଛାନ୍ଦ: ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ଦଶମ ଛାନ୍ଦ: ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

(ରାଗ-ଋଷିକୁଲ୍ୟା)
ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ।
ବାରଣଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ।
ବୋଲିଦେଲେ କଉଶିକ ଯେ।
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ।୧।
ବିଧାନ ହୋଇଛି ଯା ନାମ ସୀତା, ବର୍ଣ୍ଣନେ ଶୋଭା ଅତି ମଧୁରତା।
ବୁଡି ନେତ୍ର ଆଜ ହେବ ପବିତ୍ର, ବିଶେଷେ କର୍ଷି ଦେଇ ହୃଦ କ୍ଷେତ୍ର।
ବୁଣିଲାଣି ସ୍ନେହ-ବୀଜ ଯେ।
ବିଚାରୁ ଏମନ୍ତ ଜନକ ସମ୍ମତ ଶୁଣିଲେ ସଖୀ ସମାଜ ଯେ।୨।
ବେଶକାରୀ ଡାକି ପୀଠେ ବସାଇ, ବେଶ ବିରଚିଲେ ଚିତ୍ତ ରସାଇ।
ବିମ୍ବ ଦେଖାଇଲେ ଛାମୁରେ କେହି, ବିମ୍ବାଧରୀ ଆଡମ୍ବରକୁ ବହି ସେ।
ବିବନ୍ଧ କଲେ କୁନ୍ତଳ ଯେ।
ବିଚିତ୍ର ମଣି ନୀଳମଣି ପ୍ରତିଭା ଉର୍ଦ୍ଧ୍ଵ ପ୍ରକାଶିତ ତଳ ଯେ।୩।
ବିଲେପି ଅଳ୍ପ ତଇଳ ଶାମଳି, ବାରଣଦନ୍ତ ପ୍ରସାଧନୀ ଚାଳି।
ବିଭାବସୁଜା କଲ୍ଲୋଳରେ ଭାସେ, ବିକଶି ଆସିଲା କୁମୁଦ କିସେ ସେ।
ବାନ୍ଧିଲେ ଚୂଡା ଯତନେ ଯେ।
ବନ୍ଦୀ ହୋଇଗଲା ମର୍କତ କୁବେଣୀରେ ବନ୍ଦୀ ହେବେ ମନ-ମୀନେ ଯେ।୪।
ବିତୁଳ ମଥାମଣି ମାଣିକ୍ୟର, ବିଭାଗ ସୀମନ୍ତ ସିନ୍ଦୂରଗାର।
ବନ୍ଦବସ୍ତେ ଭିଡି ପାଟ ସୂତ୍ରରେ, ବିଧୁନ୍ତୁକ ଗଳ ମିତ୍ର ହସ୍ତରେ ସେ।
ବିଧିବଶେ କିବା ପଡି ଯେ।
ବକୁଳ ଗର୍ଭକ ସୁଧା ଉଦ୍ଗାରୁଛି ଭୟରୁ ନ ଦେଇ ଛାଡି ଯେ।୫।
ବିଭୂଷି କିଆପତ୍ରୀ ମୋତିଜାଲୀ, ବିପିନେ ତମାଳର କିବା ଝଳି।
ବନ୍ଧନ କୃତ ପାଶ ଜାଲ ଦୁଇ, ବିଶିଖ ଝରାକାଠିକି ଦେଖାଇ ସେ।
ବକ୍ର ଚଉଁରା ହିଁ ଧନୁ ଯେ।
ବଧିବ ଧୈର୍ଯ୍ୟ-ମୃଗକୁ ବିନ୍ଧିବାକୁ ଏଠାରେ କରେ ଅତନୁ ଯେ।୬।
ବିବିଧ କୁସୁମମାଳା ଖଞ୍ଜନ, ବ୍ୟୋମେ ଇନ୍ଦ୍ରଧନୁ ପ୍ରଭା ଗଞ୍ଜନ।
ବିହୁଁ ଚନ୍ଦ୍ରଝୁମ୍ପି ଝିଲିମିଲିକା, ବିଭାବରୀ-ପ୍ରାନ୍ତ ସ୍ଵତ ଅଳକା ସେ।
ବେନି ସପ୍ତଋଷି ଶଶୀ ଯେ।
ବିମୋହିତ କରେ ମନ ଏକାବେଳେ ପଡିଲା ପରାୟେ ଖସି ଯେ।୭।
ବେଣ୍ଟଲା ଶ୍ରବଣେ ସଖୀ ଖଞ୍ଜିଲେ, ବଜ୍ରେ ବ୍ୟାକୁଳ ଅଗ୍ନି ଜାତ କଲେ।
ବିହିତ ଫୁଲ ତହିଁ ସ୍ଫୁଟ କରି, ବାଳୀକି ଭଜ ବୋଲି ବାଳୀ ଠାରି ସେ।
ବନ୍ଦିଆ ଚକ୍ର ଭଙ୍ଗୁର ଯେ।
ବିଚ୍ଛେଦି ବୁଡାଇଦେବ ଯୋଗୀ ଯୋଗ ଯନ୍ତ୍ରିତ ଦୁଇ ପ୍ରକାର ଯେ।୮।
ବିଧାୟକ ଚିତ୍ର ଭାଲପଟରେ, ବର୍ଣ୍ଣକ ଛଳେ କସ୍ତୁରୀ ସିନ୍ଦୂରେ|
ବିଶ୍ଵକୁ ତିଳକେ କରିବ ବଶ, ବିଧୃତ ଏ ଘେନି ତିଳକ ଭାଷ ସେ।
ବେନି ହୀରା ଅବତଂସ ଯେ।
ବର୍ଣ୍ଣି ଆସୁଁ ମୂକ କିବା ଗୁରୁ କବି ସେହି ଚିତ୍ରକର ଯଶ ଯେ।୯।
ବୟସୀ ମାଣିକ୍ୟ ଗୁଣା ମୁକୁତା, ବେନିପୁଟେ ଦେଉଁ ନାସା ଶୋଭିତା।
ବଦନକୁ ଚାହିଁ ଚନ୍ଦ୍ରକୁ ଚାହିଁ, ବିମଳ ଏହି ତ ସମଳ ସେହି ଯେ।
ବ୍ୟଭିଚାରୀ ହେଲେ ପରା ସେ।
ବିଧିରେ ଆରଦ୍ରା-ଚିତ୍ତରେ ଆରଦ୍ରା ରୋହିଣୀ ଏ ବେନି ତାରା ଯେ।୧୦।
ବଲ୍ଲଭ ରଥେ ଯା କେତୁ ମକର, ବଲ୍ଲଭୀ ରଥେ ତା ମକରୀକର।
ବିବେକୀ ସଜନୀ ସୌନ୍ଦର୍ଯ୍ୟ ଗୋଳେ, ବଳେ ଛଡାଇ ଦେଖାଇ କପୋଳେ ସେ।
ବିନ୍ଦ ଏ ମୃଗମଦରେ ଯେ।
ବିହେ କେ ଚିବୁକେ ମଧୁମକ୍ଷିକାଏ ସ୍ଥକିତ ସଙ୍ଗ ଭଙ୍ଗରେ ଯେ।୧୧।
ବିଡିଶ ସାରଣୀ ଲକ୍ଷ ସେ ନେତ୍ର, ବିଲମ୍ବିତ କଲେ ଅଞ୍ଜନସୂତ୍ର।
ବାହାରି ପକ୍ଷ୍ମପେଡାରୁ ପଳାଇ, ବିଳ-ଶ୍ରୋତ୍ରେ କି ଦମ୍ଭଦଂଶ ଅହି ସେ।
ବିଷେ କି ନ ଜାଣି ତତ୍ତ୍ଵ ଯେ|
ବିକାଶ ମୀନରାଶି ବେନି ପାରୁଶେ ହେଲା ବେନି ଧୂମକେତୁ ଯେ।୧୨।
ବିତରଣରେ ମୋତି ଚାପସରି, ବିତକ ତହିଁରେ ବେଗେ ପ୍ରସରି।
ବିଞ୍ଚି ତଣ୍ଡୁଳବତ ପାରାବତ, ବନ୍ଦୀ ହେଲା ପରା ପାଶରେ ସତ ସେ।
ବହୁଳ ମାଳିକି ରଞ୍ଜି ଯେ।
ବର୍ଣ୍ଣନା ଅଛି ଶଙ୍ଖ ବୋଲି ଯାହାକୁ କେ ତାହା ପାରିବ ଭାଞ୍ଜି ଯେ।୧୩।
ବ୍ୟବସ୍ଥା କଲେ ବାହୁଦଣ୍ଡ ବିଧି, ବିନତ ସ୍କନ୍ଧ ଛତି ପ୍ରତିନିଧି।
ବଳୟ ତାଡସାରକୁ ନିଯୋଗି, ବକ୍ଷୋଜ ତୁମ୍ବିକା ଥିବାରୁ ଲାଗି ସେ।
ବିମୁଳ ବାହୁଯୁଗଳ ଯେ।
ବାହୁବନ୍ଧ ଦେଇ ମୁଦି ଦେଲେ ତାକୁ ନୋହିଲା ଲକ୍ଷ ସକଳ ଯେ।୧୪।
ବଲ୍ଲୀପରି ଗିରି ଲକ୍ଷରୁ ମାତ୍ର, ବିଦୃଷ୍ଟ ସ୍ଥାନରେ କି ସୃଷ୍ଟି ଚିତ୍ର।
ବିଭୂଷି ସ୍ଵର୍ଣ୍ଣଜରୀ ନୀଳଚୋଳୀ, ବିଳସାଇ ହାର ବିଚିତ୍ର ଝଳି ସେ।
ବିନ୍ଧ୍ୟ ମନ୍ଦର ଘୋଡାଇ ଯେ।
ବିଦ୍ୟୁଧାରକେ ଘନଧାରେ ବଳାକାପନ୍ତିଏ ମିଳି କି ତହିଁ ଯେ।୧୫।
ବଳା ତୁଳାକୋଟି ଖଞ୍ଜିଲେ ପାଦେ, ବୋଲିବ ତୁଳାକୋଟି ତୁଚ୍ଛନାଦେ।
ବିଗୂଢ ହଂସକ ହରେ ଗମନ, ବିଗୂଢ-ସ୍ଵନ ହଂସକ ମଣ୍ଡଳ ସେ।
ବନ୍ଧୁର ମାର୍ଗ ଜଣାଉଁ ଯେ।
ବର୍ଣ୍ଣଭେଦ ସିନା ଝୁଣ୍ଟିଆ ଖୁଣ୍ଟିଆ ପ୍ରପଦେ ରଖିଲେ ତହୁଁ ଯେ।୧୬।
ବେଢରେ ପାଦରେ ଲେଖିଲେ ଲାକ୍ଷା, ବାରି ହେଲା ବେନିରଙ୍ଗ କି ଦକ୍ଷା।
ବିକଶିତ କୋକନଦ ମଧ୍ୟର, ବେଢି ଭ୍ରମେ କି ସରସ୍ଵତୀ ନୀରେ ସେ।
ବଂଶନଳିରେ ଥିବାର ଯେ।
ବାଛି ପିନ୍ଧି ଦୁର୍ବାଦଳ-ନୀଳ ଚେଳ କୋଳ ଇଚ୍ଛି ଶ୍ରୀରାମର ଯେ।୧୭।
ବସନାଞ୍ଚଳ ଯେ ଚଳିଲେ ବେଗେ, ବସ ନାଠାରେ ସେ ଯୋଗିଙ୍କି ଯୋଗେ।
ବିଭଙ୍ଗେ ତାହା ଆଗେ କୁଞ୍ଚା ରଞ୍ଚି, ବ୍ୟକ୍ତ ନୋହି ଉରୁ ଫୁଟି ଏ ପାଞ୍ଚି ସେ।
ବାନ୍ଧି କଟିରେ କିଙ୍କିଣୀ ଯେ।
ବାଜି କିଣିକିଣି ଚିତ୍ତ ନେବ କିଣି ଚାହିଁଲେ ନୟନ ଏଣୀ ଯେ।୧୮।
ବେଳା ଜାଣିବାକୁ ସଖୀ ବସାଇ, ବୀଟିକା ନାଗବଲ୍ଲୀର ଭୁଞ୍ଜାଇ।
ବିଡମ୍ବ ନୋହିଲା ଅତିଶୟରେ, ବାଳ ରବି ଦ୍ୟୋତଜବା କି ଧରେ ସେ।
ବତିଶଲକ୍ଷଣା ପୁରୀ ଯେ।
ବିଧାନୀ ଉପମା ଗୀତ ଚାତୁରୀକି ଲକ୍ଷ ଲକ୍ଷ ଦଉ କରି ଯେ।୧୯।
ବିଭୂଷା ହେମରତ୍ନ ଯେତେ କହି, ବାଳାମଣି ଶାଣ ରସାଣ ତହିଁ।
ବିଦଳି ଅଞ୍ଜନ କସ୍ତୁରୀ ନିଶି, ବିଧୂ ବିଧିବଶୁଁ ଉଜ୍ଜ୍ଵଳ ଦିଶି ସେ।
ବିଦେହଜା ପଦ ଗୁଣି ଯେ।
ବିଂଶତି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭଞ୍ଜ ବୀରବର ଭଣି ଯେ।୨୦।