ବୈଦେହୀଶ ବିଳାସ/ବୁଧେ ଶୁଣିବା ହେଉ ସୁମତି
←ବସତି ସେ ବସନ୍ତର ସକଳ କାଳରେ | ବୈଦେହୀଶ ବିଳାସ ଲେଖକ/କବି: ପଞ୍ଚତ୍ରିଂଶ ଛାନ୍ଦ:ବୁଧେ ଶୁଣିବା ହେଉ ସୁମତି |
ବଦନ ପୂରିଅଛି ହାସ ହରଷେ→ |
ରାଗ - ଚିନ୍ତା ଭୈରବ
ବୁଧେ ଶୁଣିବା ହେଉ ସୁମତି ବଇଶ୍ରବଣେ ଲଙ୍କ ଦେବତୀ ।
ବିହିଲା ସନ୍ଦେଶ ହେଲାଟି ଜୀବେଶ ବାର୍ତ୍ତା ପ୍ରବେଶ ଜାନକୀ କତିରେ । ବିଂଶାକ୍ଷ । ୧ ।
ବସି ସ୍ୱପନ ଚେତି କମ୍ପନ ବାହାରିଲା ସେ ଅଶୋକ ବନ ।
ବହୁତ ଦିହୁଡ଼ି ଅନ୍ଧାର ଘଉଡ଼ି ଶୁଭେ ମଣିମା ମଣିମା ସ୍ୱନ ସେ । ବୀଥିରେ। ୨।
ବୁଲାଉଛି ଚକ୍ର ପ୍ରାୟେ ନେତ୍ର ବହି ଶୂଳଗଦା ଅସିପତ୍ର ।
ବିଂଶାର୍ଦ୍ଧ ଆନନ ଶୋଭା ଆନ-ଆନ ଆନନ ଲଙ୍ଘେ ଯା ଦେବ ଗୋତ୍ର ସେ । ବିଂଶାକ୍ଷ । ୩ ।
ବଡ଼ଭୀକି ଉଠି ଯାଉଁ ଦୁଷ୍ଟ ବଡ଼ଭୀରେ ସୀତା କଲେ ପୃଷ୍ଠ ।
ବିଷୟମାନ ଅତିଶୟ ସଂଶୟ ନଷ୍ଟ ହେବ ଭାବି ହେଲା ହୃଷ୍ଟ ସେ । ବାତଜ। ୪।
ବସେ ପାଶେ ହୋଇ ମଧୁ ବ୍ରତେ ବାଣୀ ସରସ ଶର କ ଶ୍ରୁତେ ।
ବସଇ ଭାଷଇ ଦୈତ୍ୟ ନ ବସଇ କିମ୍ପା କୃପା ମୋହଠାରେ ଚିତ୍ତେରେ । ବରାଙ୍ଗି । ୫ ।
ବଦାନ୍ୟ ଯେ ଲେକେ ହୋଇଥାଇ ବୁଝ ତନୁ ଦାନ କି ନ ଦେଇ ।
ବିଧିରେ ତୁ ନିଧିରୂପା ରସନିଧି ମୁଁ ଯେ ତୋହର ସନ୍ନିଧିସ୍ଥାୟୀରେ । ବରାଙ୍ଗି। ୬।
ବିଭାକର ବଲ୍ଲଭୀ ପଦ୍ମିନୀ ବିଳସଇ ସେ ମଧୁପ ଘେନି ।
ବିଭାକରବଂଶୀ ପ୍ରିୟା ତୁ ପଦ୍ମିନୀ ମୁଁ ମଧୁପ ହୁଅ ରସଦାନୀରେ । ବରାଙ୍ଗି । ୭ ।
ବାରି ପାଶକୁ ତୃଷାର୍ତ୍ତୀ ଯାଇ ବିଚାର ତ କରେ ସେ କି ନାହିଁ ।
ବାରିଦବାରିରେ ଆଶାୟୀ ଚାତକ ତୃଷା ନିବାରେ ତୁଷାର ପିଇରେ । ବରାଙ୍ଗି । ୮ ।
ବହୁ ନାୟିକା ବଲ୍ଲଭ ଶଙ୍କା ବହୁ ବିମୁଖ ପାଞ୍ଚି ରସିକା ।
ବିପ୍ରଲବ୍ଧା ସମ ସୁଷମ ସମସ୍ତେ ହେବେ ହେବୁ ସ୍ୱାଧୀନଭର୍ତ୍ତୃକାରେ । ବରାଙ୍ଗି । ୯ ।
ବିଂଶ ସପ୍ତାଧିକ ତାରାପତି ବିଧୁ ରୋହିଣୀ ତା ପ୍ରିୟବତୀ ।
ବିକୃତ ନୁହଁ ମୁଁ ସ୍ବୀକୃତ କରୁଛି ତୋହ କୃତ ରସେ ମୋର ପ୍ରୀତିରେ । ବରାଙ୍ଗି । ୧୦ ।
ବାଣୀ ବାଣ ମୋହର ହୋଇଲା ବ୍ୟଥା ସୀତାଙ୍କୁ ଦେଲା ଜାଣିଲା ।
ବେଦମତୀମତି ନ ପୁଣ ଯୁବତୀ ଶାପ ଦେବ ଏ ଭୟେ ଉଠିଲା ସେ । ବିଂଶାକ୍ଷ। ୧୧ ।
ବୋଇଲା ସେ ଏମାସେ ରମଣି ବଲ୍ଲଭକୁ ନ ପାରିଲେ ଆଣି ।
ବଧିବି ଅବଧି ଚନ୍ଦ୍ରହାସ ଘେନି ଚନ୍ଦ୍ରହାସଶୋଭି ଥାଅ ଜାଣିରେ । ବରାଙ୍ଗି । ୧୨ ।
ବହୁ ମୂଲ୍ୟ ରତ୍ନ ଯୋଗୀଠାବେ ବନ୍ଧା ହୋଇଥାଇ କରେ ତେବେ ।
ବଳ କରବା କରଣି ତାର କାହିଁ ପଡ଼େ ତସ୍କର କରୟର ଯେବେରେ । ବରାଙ୍ଗି । ୧୩ ।
ବାହୁଡ଼ିଲା ସେ ସକ୍ରୋଧ ହୋଇ ବାଟେ ରାକ୍ଷସୀମାନଙ୍କୁ କହି ।
ବଶ ତ ନୋହିଲା ସ୍ନେହରେ କହନ୍ତେ ଏବେ ରହରେ ଭୟ ଦେଖାଇ ସେ । ବାମାକୁ । ୧୪ |
ବୋଲୁଁ ବାହୁଡ଼ିଣ ନିଶାଚରୀ ବେଢ଼ି ଭୟଙ୍କର ରୂପ ଧରି ।
ବାଣ୍ଟି ପଳ ପଳ କରି ଏହା ପଳ ଶିରେ ଉପଳ ତାଡ଼ ପ୍ରଚାରି । ବାମାଏ। ୧୫।
ବଶ ନୋହେ ଏ ରାଜାଧିରାଜେ ବଡପଣ ଦେଖାଇଛି ଧୈର୍ଯ୍ୟୈ ।
ବାୟସୀ ହଂସ ପ୍ରେୟସୀ ଯୋଗ କାହିଁ ବର୍ଣ୍ଣ ଅସିତ ସିତ କି ଭଜୋ ଗେ । ବାମାଏ। ୧୬।
ବ୍ୟବହାର ଏହା ଶୁକ ପରି ବିଳସନ୍ତା ସୁବର୍ଣ୍ଣ ପଞ୍ଜରୀ ।
ବନ ଭବନ ଭାବନା ଏକା କରେ ଭଲ ପଢ଼ାଇଛି ଜଟାଧାରୀ ଗୋ । ବାମାଏ । ୧୭ ।
ବୋଲୁଅଛି ଏକା ରାମ ରାମ ବନ୍ଦୀ ମୋକ୍ଷଣେ ହେବ କି କ୍ଷମ ।
ବିବେକ ପ୍ରଚରୀ ପକ୍ଷୀ ବନଚାରୀ ବାଇ ପଶୁ ଚାରି ଏ ସୁଷମ ଗୋ । ବାନ୍ଧବୀ । ୧୮।
ବୋଧି ତ୍ରିଜଟା ତାହାଙ୍କ ରଖି ବୋଲେ ସୀତା ସୀତାଂଶୁସୁମୂଖୀ ।
ବରୁଣଦିଗେ କି ତରୁଣ ଅରୁଣ ଉଦେ ହୋଇଛି କେ ଅଛ ଦେଖି ଗୋ । ବାମାଏ। ୧୯।
ବିକଶିଛି କି ଶିଖରିଶିଖେ ବିନା ଜଳରେ ପଦ୍ମ ତା ସୁଖେ ।
ବନ୍ଧନ ଆଶାବନ୍ଧରେ କି କୁଞ୍ଜର ଶୁଣା ପ୍ରବନ୍ଧ କି ମୂର୍ଖ ମୁଖେ ଗୋ । ବାମାଏ। ୨୦।
ବଳିପଡ଼ିବା ବା ଏମାନ ହେବ ବଇଦେହୀ ଚିତ୍ତ ନ ଟଳିବା ।
ବିନା ଶ୍ରୀରାମରେ କୋଟିଏ କାମରେ ଏ ତ ପାମରେ କି ସମ୍ଭବିବ ଗୋ । ବାମାଏ। ୨୧।
ବୋଲି ମଉନ ଜାନକୀ ହେଲେ ବିଭାବରୀ ଶେଷ ଏହିକାଳେ ।
ବିରଞ୍ଚି ନାରଦ ତୁମ୍ବୁରୁ ଲଙ୍କାରେ ସେବା ବିରଚିବାକୁ ଆସିଲେ ସେ । ବେଗରେ। ୨୨।
ବେଦ ବୀଣା ସ୍ତୁତି ଆରମ୍ଭଣେବୋଲେ ଦ୍ବାସ୍ଥ କେଉଁ ବଡ଼ପଣେ ।
ବିଷୟ ନ ଜାଣି ହୁଅ କଳକଳ ରହ ସକଳେ ମଉନେ କ୍ଷଣେ ହେ । ବିବୁଧେ । ୨୩ ।
ବିଷେ ନ ବୋଲୁଁ ବୋଲେ ତ୍ୱରିତ ବ୍ୟାଧି ରାଜା ଅନ୍ତର୍ଗତେ ଜାତ ।
ବୈଦେହୀ ପାଚନ ରସ ରତ୍ନାକର ବିରଚନକୁ ଅର୍ଚ୍ଚିତ ଚିତ୍ତ ହେ । ବିବୁଧେ । ୨୪ ।
ବ୍ରହ୍ମା ବୋଲେ ତେବେ ସନ୍ନିପାତ ବିନାଶନେ ତେଜ ହୁଏ ସତ ।
ବିହିଲ ଭଙ୍ଗୀ ତ ନ ବୁଝି ଇଙ୍ଗୀତଜାଣ ପରା ସଙ୍ଗୀତ ସାହିତ୍ୟ ହେ । ବିଧାତା । ୨୫।
ବିଧ୍ବଂସନ ତମସ କ୍ରମଶେ ବିକର୍ତ୍ତନ ଉଦେ ହୋଇ ଆସେ।
ବିଶ୍ବଚତୁରୀ ଉକୁଟାଇ କସ୍ତୁରୀ ଘେନେ କୁଙ୍କୁମ ଚାତୁରୀବେଶେ ସେ । ବିଗ୍ରହେ । ୨୬।
ବୃଷା ବାହାର ଚଢ଼ି କୁଞ୍ଜର ବ୍ୟକତ କି ତା ଶିର-ସିନ୍ଦୂର ।
ବହେ ରଙ୍ଗାମ୍ବରେ ଛତ୍ର ଆଡମ୍ବରେ ଅମ୍ବରେ କି ଦିଗପରିଚାର ସେ । ବିରାଜେ । ୨୭
ବାହାରିଲେ ଐନ୍ଦ୍ରିୟେ ଆନନ୍ଦ ବାଜେ ଦେବାଳୟେ ଶଙ୍ଖବୃନ୍ଦ ।
ବଞ୍ଚିଲେ କ୍ରୋଡ଼େ ଲୁଚିଲେ ରାତ୍ରିଚରେ ନ ମୁଞ୍ଚିରେ କଦା ଭୟ ହୃଦ ସେ । ବାସରେ । ୨୮।
ବୀକ୍ଷଣ ଏ ସମୟକୁ କଲେ ବିଭକ୍ଷଣେ ମନ ବଳାଇଲେ ।
ବିଗତ କର୍ବୁରୀ ପୂଗ ତ ଜଗତରଞ୍ଜନୀର ପାରୁଶରୁ ହେଲେ ସେ । ବେଗରେ । ୨୯।
ବୃଦ୍ଧଗଣ୍ଡକୀ ନଦୀ ସ୍ନାନରେ ବଳାଇଲେ ଚିତ୍ତ ତତପରେ ।
ବିଳମ୍ବ ଗମନ ପ୍ରଳମ୍ବକୁନ୍ତଳା ଅବଲମ୍ବ ଏହି ମନୋହରେ ସେ । ବୈଦେହୀ । ୩୦।
ବିଶେଷିତ ଗର୍ଭାଳସୀ ହଂସୀ ବନଜିନୀଦଳେ କି ବିଳସି ।
ବାହୁ ଲମ୍ବିତ କୁଚ ଚକ୍ର ଚୁମ୍ବିତ ମୃଣାଳକୁ ଏହି ଲକ୍ଷ ଆସି ସେ । ବୈଦେହୀ । ୩୧।
ବେଣୀ ଅଳପ ଚରମେ ଚଳେ ବସ ମୟୁରପୁଚ୍ଛ କି ଚାଳେ ।
ବେନି ଡୋଳାହିଁ ନଚାହିଁଲା ଚାହିଁଲା କି ଶୋଇଲା ହୋଇ ଭୃଙ୍ଗ ଖେଳେ ସେ । ବାରିଜେ । ୩୨ ।
ବାର୍ଦ୍ଧିଜାତେ ଇନ୍ଦୁ ନିଷ୍କଳଙ୍କା ବଦନରେ ଛାଡ଼ି କି ସେ ଶଙ୍କା ।
ବେଢ଼ିଲେ ଜଡ଼ିଲେ ଘୋଡ଼ିଲେ ଭାଲାର୍ଦ୍ଧ ବେଢ଼ି ଚକୋରପନ୍ତି ଅକାଳ ସେ । ବୈଦେହୀ । ୩୩ ।
ବିଚଳିତ ନାସା ଶ୍ୱାସ ବଳେ ବସି ଉର୍ଦ୍ଧ୍ବେକି ଶୁକ ଚଞ୍ଚଳେ ।
ବିମ୍ବାଧର ଶୁଷ୍କ ଧରଣୁ ଧରଷେ ନାହିଁ ଏହି ଉପଲକ୍ଷ ମିଳେ ସେ । ବୈଦେହୀ । ୩୪ ।
ବକ୍ଷୋଜ ତଳେ ରୋମାଳି ସାଧୁ ବିଜନସ୍ଥାନ ହୃଦ ବିଶୁଦ୍ଧୁ ।
ବାହୁଡ଼େ ଶରଘା ଶରଧାରେ ଉରେ ସଞ୍ଚି ଅବା ରାମ-ପ୍ରେମ ମଧୁସେ । ବୈଦେହୀ । ୩୫ ।
ବିଲକ୍ଷି ଏମାନ ହନୁମାନ ବିଚାରି ଏ ଅନୁମାନମାନ ।
ବିଶ୍ରମୁ ଏକ ତରୁତଳେ ତରୁଣୀ ଏଥି ଉତ୍ତାରୁ ଅମୃତ ପାନ ସେ । ବିହିଲେ । ୩୬ ।
ବୋଲେ ଦାଶରଥୀ ଚାପଧାରୀ ବନ ଦଣ୍ଡକେ ପୁଣି ବିହରି ।
ବହେ ରାମ ନାମ ଶ୍ରୀରାମ ରାଘବ ରାମଚନ୍ଦ୍ର ରାମଭଦ୍ର କରି ସେ । ବିଧାତା । ୩୭ ।
ବନ୍ଧୁ ପ୍ରାଣର ପୃଥ୍ୱୀକୁମାରୀ ବିସର୍ଜନ୍ତି କି ଦିବା ଶର୍ବରୀ ।
ବିଚକ୍ଷଣ ସେ ଲକ୍ଷ୍ମଣରେ ରକ୍ଷଣ ଭ୍ରାତ ଲକ୍ଷ୍ମଣହିଁ ଅନୁସରି ହେ । ବିଧାତା । ୩୮ ।
ବଳା ଗଳାମାଳା ହୋଇଥିଲା ବିଚ୍ଛେଦିଣ କେ ତା ଚୋରି କଲା ।
ବାରତା ଶ୍ରବଣ ରାବଣ ଦ୍ରବିଣ କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ । ବିଧାତା । ୩୯ ।
ବେନି ଚେତନକୁ ପ୍ରାଣ ଜାତ ବିମଳିନେ ହୋଇଛି ମିଳିତ ।
ବୋଲନ୍ତି ତ ଜାଣୁ ରମଣୀମଣିକି ହୃଦେ ମଣି ଆଣିଲେ ଏ ସତ ହେ । ବିଶେଷ । ୪୦।
ବାଳି ମୃତପିଣ୍ଡ ହୋଇଥିଲା ବଚ ସଞ୍ଜିବନୀମନ୍ତ୍ର ହେଲା ।
ବାହିଲା ଜାଡ଼ି ଶୂଳକଣ୍ଠେ ରହିଲା ନାହିଁ କରିବାର ଆରମ୍ଭିଲା ସେ । ବୈଦେହୀ । ୪୧ ।
ବାବୁ କେ ତୁମ୍ଭେ ପାଶକୁ ଆସ ବେଗେ ପୂର୍ଣ୍ଣ କର ମୋର ଆଶ ।
ବଚନ ସଲିଳ ସେଚନ ରଚନ ତାପ ମୋଚନକୁ ହେଲା ଲେଶ ସେ । ବିଶେଷ । ୪୨ ।
ବପୁବନ୍ତ ଦୁର୍ଲଭ ମର୍କଟ ବିଲୋକିଣ ହୁଅନ୍ତେ ପ୍ରକଟ ।
ବିଚାରେ ଲମ୍ପଟ ଏ ନିଶ୍ଚେ କପଟ ବହେ ଅମୂଲ୍ୟ ପଟମୁକୁଟ ଏ । ବାନର । ୪୩ ।
ବହି ସ୍ଥକିତ ନ କହୁଁ ଗିର ବିଚାରିଲି ସେ ପାବନି ଧୀର ।
ବୋଲେ ସ୍ମରରାମାଧିକ ସୁକୁମାରଅଙ୍ଗି ବାତକୁମର ମୁଁ ସ୍ମର ଗୋ । ବୈଦେହୀ । ୪୪ ।
ବସନରେ ରଖିଥିଲା ମୁଦି ବସ୍ତ୍ର ପାଞ୍ଚି ଫେଡ଼ି ଦେଲା ମୁଦୀ ।
ବେଗରେ ଆଦରେ ଶିରେ ଥୋଇ ଦରେ ଚୋରି କଲା ହୃଦୟରେ ସମ୍ପାଦି ସେ । ବୈଦେହୀ । ୪୫ ।