ମୁଖ୍ୟ ସୂଚୀ ଦେଖିବେ

ବୈଦେହୀଶ ବିଳାସ/ବୁଧେ ସାବଧାନେ ଏହି ଗୀତର

< ବୈଦେହୀଶ ବିଳାସ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଷଷ୍ଠ ଛାନ୍ଦ: ବୁଧେ ସାବଧାନେ ଏହି ଗୀତର

ଷଷ୍ଠ ଛାନ୍ଦ: ବୁଧେ ସାବଧାନେ ଏହି ଗୀତର

(ରାଗ-ମାଳବ ରୋଢାବାଣୀ)
ବୁଧେ ସାବଧାନେ ଏହୁ ଗୀତର, ବାକଚାତୁରୀକି ବିଚାର କର।
ବିଶୁଦ୍ଧ ସିଦ୍ଧବନେ ମୁନିଯାଗ, ବିସିଦ୍ଧ କରଣେ ରାକ୍ଷସବର୍ଗ।୧।
ବିଦିତ ହୋଇ ସୁବାହୁ ମାରୀଚେ, ବଚନ ଶୂନ୍ୟରୁ ଶୁଭିଲା ଉଚ୍ଚେ।
ବିକୁକ୍ଷବଂଶେ ଜାତ ରାମ ଆଣ, ବୈବସ୍ଵତ ଏ ଗଣେ ତା ମାର୍ଗଣ। ୨।
ବିଶ୍ଵାମିତ୍ର ଶୁଣି ଉଠି ଗମିଲେ, ବେଗେ କୋଶଳ ଦେଶ ସେ ଦେଖିଲେ।
ବାରସ୍ଵତୀ ଛବି ଅଯୋଧ୍ୟା ପୁରୀ, ବ୍ରହ୍ମ ଆକାରବନ୍ତ ଯେଣୁ ଧରି। ୩।
ବରଣେ ଶୋଭା ଦିବ୍ୟ କନ୍ୟା ପରି, ବର ଖୋଜୁଅଛି ସମାନ କରି।
ବହିଅଛି ପୁଣି ସୁମନ ମାଳା, ବିପଞ୍ଚିବାଦିନୀ ଆଳୀରେ ମେଳା। ୪।
ବିରଳ ମୁଖର-ଡିଣ୍ଡିମ ଶୁଭେ, ବିମୋହିତ କରେ ଜଗତ ଶୁଭ୍ରେ।
ବହୁମୂଲ୍ୟ ବାସ ଅଙ୍ଗୀକାରୀ ସେ, ବିହେ ନୃପର ମୋଦକୁ ବିଶେଷେ। ୫।
ବିଷ୍ଣୁ ପରାୟେ ଲକ୍ଷ୍ମୀ ଆଲିଙ୍ଗନ, ବିହାର ଚତୁର କରେ ରଞ୍ଜନ।
ବିନାୟକରେ ସଦା ଯୁକ୍ତ ସେହି, ବହୁଳ ଭକ୍ତଭାବ ଖ୍ୟାତ ଯହିଁ। ୬।
ବାସ୍ତବ୍ୟ ଆପଣ ପରା କେ ଅଛି, ବଇଲେ ପଦାର୍ଥ ନ ତୁଟେ କିଛି।
ବଣିଜାର ହସ୍ତ ସ୍ଵର୍ଗ ପ୍ରତୀତି, ବିଶ୍ଵାବସୁ ଛନ୍ତି ସବୁ ଜାଣନ୍ତି। ୭।
ବନ୍ଧୁକୁମୁଦର କି ତନ୍ତୁବାୟ, ବିଶଦ ନୀଳ ଅମ୍ବର ଉଦୟ।
ବ୍ରଜନିକର ଜାହ୍ନବୀ ଲକ୍ଷଣେ, ବିଶୁଦ୍ଧ ପୟ ଉଦୟ କାରଣେ। ୮।
ବଣିକ ପସରା କି କଇଳାସ, ବିରାଜେ ଶିବା କପର୍ଦ୍ଦୀ ଆଶ୍ଳେଷ।
ବଳିପଦ୍ମ ପରା ନାଗରେ ଚାରୁ, ବ୍ୟୋମା କି ଚନ୍ଦ୍ର ତାରାଳି ସଙ୍ଗରୁ। ୯।
ବାରିଧିକୁମାରୀ ପରି ମାଳିନୀ, ବିସ୍ତାରି ସୁମନା-ଭଦ୍ର ଶ୍ରୀଦାନୀ।
ବେଷ୍ଟନେ ପାତ୍ରଗଣ ସାବଧାନେ, ବସେ କଂସାରି ରାଜନ ଯେସନେ। ୧୦।
ବିଲୋକି ବିଲୋକି ମୁନି ଯେ ଗଲେ, ବାରଣରିପୁଦ୍ଵାରେ ଯାଇଁ ହେଲେ।
ବେତ୍ରହସ୍ତ ପ୍ରତିହାରୀ ଜଣାଇ, ବିରାଟ ଶ୍ରେଷ୍ଠଙ୍କୁ ଭେଟାଇ ନେଇ। ୧୧।
ବ୍ରହ୍ମାଙ୍କୁ ଇନ୍ଦ୍ର ସ୍ତୁତି କଲାପରି, ବିନୟୀ ଦଶରଥ ଦଣ୍ଡଧାରୀ।
ବେଦାନ୍ତକାରୀ ସାବିତ୍ରୀ ସେବନ, ବେଶେଷ ନେତ୍ର ସୁଖଦ ବିଜନ। ୧୨।
ବନବାସୀ ବରସଭା ଲୋକିତ, ବରାହମୂର୍ତ୍ତି କି ଜ୍ୟାବାଳୀ ଯୁକ୍ତ।
ବାମଦେବ ଘେନି କୈଳାସ ସ୍ଥାନ, ବେଦ କି ସୁମନ୍ତ୍ରରେ ବିଦ୍ୟମନ। ୧୩।
ବଶିଷ୍ଠ ପୁଚ୍ଛେ କିମର୍ଥେ ଆଗତ, ବ୍ୟକତ କଲେ ଗାଧିରାଜ ସୁତ।
ବୃତ୍ତ ରାକ୍ଷସେ ହୋଇ କ୍ରତୁକୃତେ, ବିଧ୍ଵଂସି ସୁନ୍ଦ ଉପସୁନ୍ଦ ସୁତେ।୧୪।
ବିହାୟସୁଁ ରାମବାଣୀ ଶ୍ରବଣ, ବଧି ରକ୍ଷଗଣ ହେବ ରକ୍ଷଣ।
ବଦାନ୍ୟ ଏ ରାଜା ଧର୍ମେ ଉଦ୍ବେଗୀ, ବିଷେ ଏ ଆସିଛୁଁ ରାମକୁ ମାଗି।୧୫।
ବଜ୍ରୀ ହେଉଛ ମୁନି! ରାଜା କହି, ବସୁଧାଭୃତ ତ ସ୍ଵଭାବେ ମୁହିଁ।
ବଚ-ଦମ୍ଭୋଳି ମାରି ଦମ୍ଭ-ଶୃଙ୍ଗ, ବିନା ଅପରାଧେ କରୁଛ ଭଙ୍ଗ।୧୬।
ବାଟୀକ୍ରୀଡାକୁ ଛାଡି ନାହିଁ ଯେହି, ବାଣ ଧନୁ ଯେ କାଂଶିକାରେ ବହି।
ବେଶ୍ମେ ରହିବାକୁ ଏକା ଡରଇ, ବାଣ୍ଟମନେ ଦୈତ୍ୟ ନାଶିବ କେହି।୧୭।
ବୋଲ ମୁଁ ସୈନ୍ୟ ସଜ କରି ଯିବି, ବାଦ ରଚି ତୁମ୍ଭ ଯାଗ ରଖିବି।
ବୁଝିଛି ଯୋଦ୍ଧାପଣ ମୁନି ଭଣି, ବାମା କବଚ କି କରିବୁ ପୁଣି।୧୮।
ବାଳକ ନ ବୋଲ ରାମଙ୍କୁ ତୁହି, ବହ୍ନି କ୍ଷୁଦ୍ର ଭସ୍ମ ଆଚ୍ଛନ୍ନେ ଥାଇ।
ବଢାଏ ପ୍ରଭା ସେ ପାଇ ଇନ୍ଧନ, ବଧିବେ ଦୈତ୍ୟ ଶଲଭ ଯେସନ।୧୯।
ବାମନ କେଡେ ବଳୀ ଅଧୋଗତି, ବିଚାରିଛନ୍ତି ବିଚାର ତୋ ମତି।
ବିଷ୍ଣୁ ସେ ବୋଇଲେ ଅଜନନ୍ଦନ, ବୋଲେ ଋଷି ଏବେ ମନରେ ଘେନ।୨୦।
ବ୍ୟୁତ୍ପତ୍ତି କର ଯେ ଉତ୍ପତ୍ତି ହୋଇ, ବନପତି ଶିଶୁ ଗଜ ମାରଇ।
ବାରବରଷର କ୍ଷତ୍ରିୟ ସୁତ, ବ୍ୟାଜ ନ କରି ରାମ ଦେ ତ୍ଵରିତ।୨୧।
ବୋଲୁଁ କଉଶିକ ରାଘବ ଆସି, ବେହରଣ ସିନ୍ଧୁରେ ଯାଏ ଦିଶି।
ବୀଚିର ଲୀଳାରେ ମହାରଞ୍ଜନ, ବ୍ୟଥିତ ତିମିରେ ଗ୍ରସ୍ତ ରାଜନ।୨୨।
ବିବେକ ସ୍ଵୟମ୍ଭୁ ଆତ୍ମଭୁ ଚିତ୍ତେ, ବିଧାନ ମୁନି ରାମର ଉଚିତେ।
ବସେ ମାନ୍ୟ କରି ଆଶିଷ ପାଇ, ବୋଲ ରାମ ଯାଉ କୌଶିକ କହି।୨୩।
ବାଚଂଯମଭୂତି ନୃପ ପାଇଲେ, ବାହୁଳ ପ୍ରାୟେ ତପସ୍ଵୀ ଜଳିଲେ।
ବିରୋଚନ ଏ ବଶିଷ୍ଠ ମନକୁ, ବୋଇଲେ ଏ ଋଷି ନେଉ ରାମକୁ।୨୪।
ବକ୍ତ୍ରବିକାରରୁ ନୃପର ଘେନି, ବାହାରିଲେ ରାମ ଲକ୍ଷ୍ମଣ ବେନି।
ବିଳମ୍ବ ନ କରି ସରଯୂ ପାରି, ବିଗମ୍ୟ ଅରଣ୍ୟ ମଧ୍ୟେ ବିହରି।୨୫।
ବୋଲାଇ ତାମସୀ ଯେ ସେ ବାହାର, ବଢାଇ ଦେଇ ସନ୍ଧ୍ୟାଛଳେ କର।
ବାରୁଣୀ କୁଣ୍ଡେ ବୁଡାଇ ଈନକୁ, ବିନାଶ କରିବା ଇଚ୍ଛି ଦିନକୁ।୨୬।
ବାଳ ଧରି କିବା ନେଇ ଆକର୍ଷି, ବାୟସଚୟ ଯିବା ତଥା ଦିଶି।
ବୋବିଦେଲା ପକ୍ଷିନାଦ ଛଳର, ବଦନେ କାଳି ପଡିଲା ଦିଗର।୨୭।
ବିକଟ କାଳକୁ ଯହୁଁ ଦର୍ଶନ, ବୁଡିଲା ପଦ୍ମିନୀ ପଦ୍ମ ନୟନ।
ବସା ତେଜି ନିଶାଚର ପ୍ରକଟ, ବର୍ଜି ତର୍ଜି କଲେ ହୁଁ ହୁଁ ହୁଁ ରଟ।୨୮।
ବିରସ ତେଜି ବାହାର ଭୁଜଙ୍ଗେ, ବିକୃତ ଭୟଙ୍କର ହେଲା ତୁଙ୍ଗେ।
ବେନି ଭ୍ରାତା ମୁନି ସକାଳେ ରହି, ବଞ୍ଚିଲେ ପ୍ରଭାତ ପ୍ରବେଶ ହୋଇ।୨୯।
ବାସବଦିଗ ଅଭ୍ରମୁକରିଣୀ, ବ୍ୟଜନ କଳା ରକ୍ତ ପିଣ୍ଡ ଜାଣି।
ବିମ୍ଵ ସବିତାର ଦିଶି ଆସିଲା, ବିଞ୍ଚେ କର୍ଣ୍ଣେ ଶୀତ ବାତ ସେ ହେଲା।୩୦।
ବିଚ୍ଛେଦନ କରି ତମକୁ କି ସେ, ବିଲେପିତ ଚକ୍ର ରକତ ବଶେ।
ବଞ୍ଚିଲେ ଭୟେ ଲୁଚି ରାତ୍ରିଚର, ବିନାଶକାଳ ଆରମ୍ଭ ଆମ୍ଭର।୩୧।
ବର୍ଣ୍ଣନା ସିଦ୍ଧିକି ଆଣିଲା ସେହି, ବିଶ୍ଵାମିତ୍ର ରାମଚନ୍ଦ୍ରଙ୍କୁ କହି।
ବାବୁ ଏ ବନେ ତାଡକା ନିବାସ, ବାଟ ଭାଙ୍ଗିଯିବା ବିହିବ ତ୍ରାସ।୩୨।
ବୋଲେ ରାମ ଏକ ରାକ୍ଷାସୀ ଡରେ, ବାଟ ଭାଙ୍ଗି ଗଲେ ବହୁତ ବୀରେ।
ବାଦୀ ହେବା କେହି ମଖ ରକ୍ଷଣେ, ବୋଲିଣ ଆଗ ହୋଇଲେ ଆପଣେ।୩୩।
ବିଶ୍ଵାମିତ୍ର ମଧ୍ୟେ ପଛେ ଲକ୍ଷ୍ମଣ, ବିପିନ ଦେଖନ୍ତି ଅତି ଭୀଷଣ।
ବିରୋଚନକର ପଶଇ ନାହିଁ, ବିଭାବରୀ ସ୍ଥାନ ସର୍ବଦା ସେହି।୩୪।
ବାଚକ ଏ ଘେନି ପେଚକପନ୍ତି, ବିଲୋକନ ନୋହେ ମେଚକକାନ୍ତି।
ବିନୋଦ ସ୍ଵଚ୍ଛେ କରନ୍ତି ଗଣ୍ଡକ, ବଲ୍ମୀକ ବିଦାରୁଛନ୍ତି ଭଲ୍ଲୁକ।୩୫।
ବରାହ ପ୍ରତୀତି ସ୍ଵନରୁ ଜାଣି, ବିଡାଳଆଦି ଦୀପ୍ତାକ୍ଷରୁ ଆଣି।
ବାରି ହୋଏ ଗଜ ଦଶନ ଘେନି, ବଢାନ୍ତେ ପାଦ ନ ଦିଶେ ଅବନୀ।୩୬।
ବୃକ୍ଷ ବଲ୍ଲୀ ପତ୍ର ଘଞ୍ଚରୁ କରି, ବାୟୁ ଯେ ମଶକ ମଶାରି ସରି।
ବିଚାରି ରାଘବ ରାକ୍ଷସୀ ଆସୁ, ବିଧାନ ଗୁଣ ଟଙ୍କାର ଏ ବଶୁଁ।୩୭।
ବଜ୍ର ଉପରେ କି ବଜ୍ର ପଡିଲା, ବିଶ୍ରାମସ୍ଥାନ ତାଡକା ଛାଡିଲା।
ବିକ୍ରମି ଆସିଲା ମନରୁ ବେଗେ, ବଡମେଘଖଣ୍ଡ କି ବାୟୁ ଯୋଗେ।୩୮।
ବିଳ ପରା ନାସା ସର୍ପ ଫୁତ୍କାର, ବାତହିଁ ବହୁଛି ନିଶ୍ଵାସ ତାର।
ବସୁନ୍ଧରାଧର ଶୃଙ୍ଗ କି ହନୁ, ବହେ କି ଝର ଝାଳ ତଥା ତନୁ।୩୯।
ବିସ୍ତୃତ ମୁଖ ଗହ୍ଵର ସଦୃଶ, ବ୍ୟାଘ୍ର କଲା ପ୍ରାୟ ସେ ମଧ୍ୟେଘୋଷ।
ବିସ୍ତାରେରେରେ କାର ଶୁଭୁଅଛି, ବହ୍ନିଯୋଗ ପ୍ରାୟ ଜିହ୍ଵା ଜଳୁଛି।୪୦।
ବିବତ୍ସରୂପା ଆସି ପରବେଶ, ବୃକ୍ଷ ପ୍ରହାରେ ବହି ମହାରୋଷ।
ବୋଇଲା ମୋ ଦାନ୍ତ ଲଞଳ ଈଶ, ବପ୍ର ତୁମ୍ଭେ ହେବ କରିବି ଚାଷ।୪୧।
ବ୍ୟାନ ସହ ପ୍ରାଣ କର୍କଟ ବତ, ବାହାରି ହୋଇବ ମନ୍ଦ ଆୟତ୍ତ।
ବୋଲି ସେ ତଳ ଉଞ୍ଚାଇବା ବେଳେ, ବିଧୁ ଅର୍ଧଶର ପ୍ରୟୋଗ କଲେ।୪୨।
ବିଶାଳ ତୁଙ୍ଗ ଶାଳ ମହୀରୂହ, ବିଚ୍ଛେଦିଲା ପ୍ରାୟ ପଡିଲା ଦେହ।
ବାହାର ତହୁଁ ଦିବ୍ୟ ରୂପ ହେଲା, ବିମାନ ଆରୋହି ସ୍ଵର୍ଗକୁ ଗଲା।୪୩।
ବୃଷ୍ଟି କଲେ ପୁଷ୍ପ ବାଦ୍ୟ ବଜାଇ, ବିବୁଧ ନିକର ଆକାଶେ ରହି।
ବନ ଯେ କାଳିକା ଦେବୀ ଆକାର, ବାହୁରୁ ତାଡ କି ଭାଙ୍ଗିଲା ତାର।୪୪।
ବେଦ ବଂଶର ବିନାଶ ଉଦ୍ବେଗ, ବିଧ୍ଵଂସି ଦୈତ୍ୟ ରଖିବ ମୋ ଯାଗ।
ବିଗଳିତ ତାପ ହୋଇଲି ଆଗ, ବୃଜିନୀ ଗଲା ବରି ସ୍ଵର୍ଗ ଭୋଗ।୪୫।
ବିପକ୍ଷ ପକ୍ଷ ନାହିଁ ମୋକ୍ଷ ଦାୟୀ, ବିଷ୍ଣୁ ଏ ସ୍ଵୟଂ ଅବତୀର୍ଣ୍ଣ ମହୀ।
ବପୁରେ ଲୀନ ଅବତାର ମାନ, ବସନ୍ତି ପୁରୁଷଲକ୍ଷଣେ ମୀନ।୪୬।
ବିଖ୍ୟାତ ହେଲେ ମନ୍ଦର ତାଡନେ, ବରାହବରେ ଏ ନିପୁଣ ଗୁଣେ।
ବସନ ହିରଣ୍ୟ-ପ୍ରଭା ଗଞ୍ଜନ, ବଳୀ ଶିରେ ପାଦ ଦେଇ ଗମନ।୪୭।
ବିଜିତ ତେଜରେ ସହସ୍ରକର, ବର୍ଣ୍ଣରେ କୃଷ୍ଣ କରି ଅଙ୍ଗୀକାର।
ବଳ ସଙ୍ଗ ହୋଇଅଛି ସହଜେ, ବୁଦ୍ଧତ୍ଵ ବୁଦ୍ଧିରେ ପୁଣ ଉପୁଜେ।୪୮।
ବିଭ୍ରାଜମାନ ସାୟକରେ ଅତି, ବିଦିତ କରୁଛି ଗନ୍ଧର୍ବଗତି।
ବର୍ତ୍ତମାନ ଭୂତ ଭବିଷ୍ୟ ଘେନି, ବେକ୍ଷଣେ ଅବତାରୀ ଏହି ଚିହ୍ନି।୪୯।
ବପ୍ତା ଭାଗ୍ୟୁ ଦଶରଥ ନୃପତି, ବିଦ୍ୟାଗୁରୁ ହୋଇ ରହୁ ମୋ କୀର୍ତ୍ତି।
ବିବେକୀ ଋଷି ସ୍ନାନବିଧି ସାରି, ବିଜୟା ଜୟା ମନ୍ତ୍ର ଦାନ କରି।୫୦।
ବିଶାଳ କଟକ ସୀମାରେ ସ୍ଥିତ, ବିଚାରୁ ଅସ୍ତ୍ର ଶସ୍ତ୍ର ଉପଗତ।
ବୀରେଶ୍ଵର ରାମ ପଚାରୁ ସତ, ବଦନ୍ତି ମୁନି ସେ ଦେଶ ଚରିତ।୫୧।
ବାସର ନିଶିଏ ତହିଁରେ ରହି, କହିଲେ ପ୍ରଭାତ ହରଷ ହୋଇ।
ବାନପଦେ ଏ ଛାନ୍ଦ ମନୋହର, ବିରରେ ଉପଇନ୍ଦ୍ର ବୀରବର।୫୨।