ମଥୁରା ମଙ୍ଗଳ/କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ

ପଞ୍ଚମ ଛାନ୍ଦ

ରାଗ ମଧୁପ ଚଉତିଶା ବୃତ୍ତେ

ଗୋପୀମାନଙ୍କ ବିଳାପ


କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ । ଚାହିଁ ଶ୍ରୀମୁଖ ଅରବିନ୍ଦକୁ ॥

ମଥୁରା ଗଲେ ଅକ୍ରୁର ସଙ୍ଗେ ରଙ୍ଗେ ଗୋପୀମାନଙ୍କୁ ଦେବ କାହାକୁ ହେ । ମୋହନ ॥

ତୁମ୍ଭ ପଛେ ପଛେ ଜୀବ ଯିବ । କାହାପାଇଁ ଏ ପିଣ୍ଡରେ ଥିବ ॥

ଯାହା ବାହା ସାହା ପାଇ ବଞ୍ଚିଥିଲୁ ସେହୁ ଯେବେ କଂସପୁର ଯିବ ହେ । ମୋହନ ॥

ବିଷ ଦେଇ ନାଶ କରି ଯାଅ । ନିର୍ଜ୍ଜଞାଳେ ମଧୁପୁରେ ଥାଅ ॥

ତିଳେ ଅନ୍ତର ହୋଇଲେ ମରୁଥାଉଁ ଏବେ ଦୁଇ ଚାରିଦିନ କହ ହେ । ମୋହନ ॥

ଯେତେବେଳେ ଯାଅ ବୃନ୍ଦାବନେ । ସଙ୍ଗେ ଗୋପାଳ ବାଳକମାନେ ॥

ବଛା ଛରାଇ ବାହୁଡ଼ି ଆସିବାକୁ ପଥ ଚାହୁଁ ଥାଉଁ ଗୋପୀମାନେ ହେ । ମୋହନ ॥

ଗୋପେ ପଶ ଆସି ଯେତେବେଳେ । ପ୍ରାଣ ପଶଇ ହୃଦୟସ୍ଥଳେ ॥

ଚନ୍ଦ୍ର ଦେଖି ଯେହ୍ନେ କୁମୁଦବିପିନ ମହାଆନଦେ ଫୁଟଇ ଜଳେ ହେ । ମୋହନ ॥

ରବି ଦେଖି ଯେହ୍ନେ ଅରବିନ୍ଦ । ଚକ୍ଷୁ ପାଇଲେ ଯେସନେ ଅନ୍ଧ ॥

ଚିରକାଳଦୁଃଖି ରତନ ଲିଭିଲେ ଯେହ୍ନେ ହୁଅଇ ସେହୁ ଆନନ୍ଦ ହେ । ମୋହନ ॥

ନବଲାବଣ୍ୟ ବାରିଦତନୁ । ଦେଖି ଦୁଃଖ ଦୂର କରୁଁ ମନୁ ॥

ଜୀବନଜଡୋଳା ଦେଖିଲେ କି ଡୋଳା କେବେ ପାସୋରି ପାରିବ ନୁହେ ହେ । ମୋହନ ॥

କର୍ଣ୍ଣ ଡେରି ଶୁଣୁଥାଉଁ ବଂଶୀ । କାମକାଣ୍ଡେ ହେଉଥାଉଁ ଧ୍ବଂସି ॥

ଏବେ ସେମାନେ ଆଝୁଁଶୂନ୍ୟ ହୋଇବ କି କରିବୁଁ ବୃନ୍ଦାବନ ବାସୀ ହେ । ମୋହନ ॥

ଇନ୍ଦ୍ର ବିବାଦୁଁ କେହୁ ରଖିବ । ଗୋବର୍ଦ୍ଧନ କେ କରେ ଟେକିବ ॥

ଷଣ୍ଢ ଶକଟ ତୃଣ ବକ ନିବାରି ବନଅନଳୁଁ କେହୁ ତାରିବ ହେ । ମୋହନ ॥

ନନ୍ଦରାଣୀ ବାନ୍ଧିବ କାହାକୁ । ଜଳୁଁକେ ଆଣି ଦେବ ନନ୍ଦକୁ ॥

କାଳୀଫଣାରେ କେହୁ ନୃତ୍ୟ କରିବ କେହୁ ତାରିବ ମଣିଚୂଡ଼କୁ ହେ । ମୋହନ ॥

ବାଟ ଜଗି କେ ମାଗିବ ଘାଟ । ତାଳି ଦେଲେ କେ କରିବ ନାଟ ॥

କେହୁ ଲବଣି ଚୋରି କରି ଖାଇଲେ ରାଣୀ କାହାକୁ ପିଟିବ ଛାଟ ହେ । ମୋହନ ॥

ନିଶାକାଳେ କେ ବାଇବ ବଂଶୀ । ବନେ ନେବ ଗୋପଶୁଭ୍ରକେଶୀ ॥

କାହା ସଙ୍ଗେ ରଙ୍ଗେ ରାସମଣ୍ଡଳରେ ପୁହାଇବୁଁ ଆମ୍ଭେ ସୁଖେ ନିଶି ହେ । ମୋହନ ॥

କାହାଚୁଳରେ ଖଞିବୁଁ କିଆ । କାହା ହିଆରେ ଭିଡ଼ିବୁ ହିଆ ॥

କାହା ଛାମୁରେ ଆମ୍ଭେ ଲାଜ ବିହିଣ ଅନାଇଁ ଯେ ହୋଇବୁଁତ ଠିଆ ହେ । ମୋହନ ॥

କାହା ନାମେ ଗାଉଥିବୁଁ ଗୀତ । କାହା ସଙ୍ଗେରେ ଖେଳିବୁଁଜୃତ ॥

କାହାକୁ ଦ୍ବାରବନ୍ଧ ଧରି ଅଳପ ହସି କହିବୁଁ କହତ ସତ ହେ । ମୋହନ ॥

କେହୁ ନେତ୍ରପ୍ରାନ୍ତେ ଠାରୁଥିବ । ନିଧୁବନକୁ କଢ଼ାଇ ନେବ ॥

ଶଶିଖଣ୍ଡ ଗଣ୍ଡଦେଶରେ ଆମ୍ଭର କେହୁ ପୁଣ ପୁଣତ ଚୁମ୍ବିବ ହେ ମୋହନ ॥

ଭୂତ ଛଡ଼ାଇବ କେ ରାଧାକୁ । କେହୁ ହରିବ ଦୁଃଖବାଧାକୁ ॥

କେହୁଁ ବୃନ୍ଦାବତୀ ସଙ୍ଗେ ବିହରିବ ବୃନ୍ଦାବନେ ଖୋଜିବୁଁ କାହାକୁ ହେ । ମୋହନ ॥

କେଳିକଦମ୍ବ କହି ବଞ୍ଚିବ । ତୁମ୍ଭ ବିଚ୍ଛେଦେ ପ୍ରାଣ ମୁଞ୍ଚିବ ॥

ଯମଭଗିନୀ ଯମୁନା ଆଜିଠାରୁ କୃଶ ହୋଇ ସେ ଦୂରେ ଘୁଞ୍ଚିବ ହେ । ମୋହନ ॥

ଖଗ ମୃଗ ମହୀରୁହମାନେ । ପ୍ରାଣ ହାରିବେ ତୁମ୍ଭ ବିହୁନେ ॥

ଗୋପଭୁବନ ଅସୁନ୍ଦର ଦିଶିବ କାନ୍ତ ନ ଥିଲେ ନାରୀ ଯେସନେ ହେ । ମୋହନ ॥

ତାପୀ ହୋଇବୁଁ ସକଳ ଭୀରୁ । ଦିନୁ ଦିନୁ ଚିନ୍ତା ହେବ ଗୁରୁ ॥

ଶାନ୍ତିପୀରତିକି ବାଡ଼ ହେଲା କଂସଦୂତ ଏମନ୍ତ ମନେ ବିଚାରୁଁ ହେ । ମୋହନ ॥

କାହାସଙ୍ଗରେ ଫଗୁ ଖେଳିବୁଁ । କାହା କଥାକୁ କର୍ଣ୍ଣ ଡ଼ରିବୁଁ ॥

କାହାପାଇଁ ରତ୍ନପଲଙ୍କ ପକାଇ ଆସିବାକୁ ଚାହିଁ ବସିଥିବୁଁ ହେ । ମୋହନ ॥

କାହା ମୁଖରେ ଦେବୁଁତାମ୍ବୁଳ । କାହା ନୟନେ ଦେବୁଁ କଜ୍ଜ୍ୱଳ ॥

କାହାରି ରୁଚିର ଚିକୁରକୁ ବେଣୀ କରି ସାଜିବୁଁ ଚୂର୍ଣ୍ଣକୁନ୍ତଳ ହେ । ମୋହନ ॥

ତୁଳ୍ପ ବୟସ ବାଳକ ମେଳେ । ଖେଳୁଥାଅ ଯେ ଯମୁନାକୂଳେ ॥

କାହାକୁ ଦେଖିବା ପାଇଁ ଗୋପଗୋଈ ଜଳ ନିମିତ୍ତ ଚଳିବୁଁ ମେଳେ ହେ । ମୋହନ ॥

କଥା ନ କହ କାହିଁକି ହରି । ଅକ୍ରୁର କି ବଳେ ନେବ ଧରି ॥

ଘେନିବୁଁ ଜୀବନ ଭାଙ୍ଗିବୁଁ ତା ଯାନ କଥା ରହିଥାଉ ତିନିପୁରୀ ହେ । ମୋହନ ॥

ଶୁଣି ବୋଲନ୍ତି ଗୋକୁଳ ବନ୍ଧୁ । ଦୁଃଖ ନ କର ଗୋ ବ୍ରଜବଧୁ ॥

ତୁମ୍ଭ ପ୍ରସାଦେ ଯାତ୍ରା ଦେଖି ଆସିବୁଁ ହରି ରଖିବେ ସର୍ବ ଆପଦୁଁ ଗୋ । ଗୋପୀଏ ॥

ନନ୍ଦରାଣୀ କରନ୍ତି ରୋଦନ । କୋଳେ ଧରିଣ ନିଜ ନନ୍ଦନ ॥

ଚରଣ ଧରି ଭକ୍ତିଦାସ କାନ୍ଦଇ ବେଢ଼ି କାନ୍ଦନ୍ତି ସକଳ ଜନ ସେ । ମୋହନ ॥