ମଥୁରା ମଙ୍ଗଳ/ଗୋବିନ୍ଦ ବିଚ୍ଛେଦେ ବରଜନାରୀ

ନବମ ଛାନ୍ଦ

ଆଷାଢଶୁକ୍ଳ ବାଣୀ


କୃଷ୍ଣଙ୍କ ମଥୁରା ଗମନରେ ଗୋପୀମାନଙ୍କ ଦଶା

ଗୋବିନ୍ଦବିଚ୍ଛେଦେ ବରଜନାରୀ । କୁରଙ୍ଗନୟକୁ ବହଇ ବାରି ।

ଫିଟିଲା କବରୀ ତୁଟିଲା ହାର । ଶୁଖିଲା ରଙ୍ଗିମା-ଜବା ଅଧର ।

ଅଙ୍ଗୁ ବ‌ହେ ଝାଳ । ପାଣ୍ତୁର ଦିଶେ ହେମ-ଗଣ୍ତସ୍ଥଳ ।

କାହା ବଦନୁ ନ ସ୍ଫୁରଇ ବାଣୀ । କାହାର ନ ଚଳଇ ପାଦ ପାଣି ।

କାହାର ହିଆ ହୋଏ ଦମଦମ । କାହା ନାସାରୁ ନ ବ‌ହେ ପବ‌ନ ।

କେ ଭୂମିରେ ପଡ଼େ । କେହୁ ବେନିବାହୁ ହୃଦରେ କୋଡ଼େ ।

କେ ନେଇ ଶିରେ ମାରଇ ପଥର । କେହୁ ବୋଲେ ସଖି ମଲି ଏଥର ।

କେ ବୋଲେ କାହିଁକି ପରାଣ ଅଛି । ଦାରୁଣ ଯମ ପକା ପାଞ୍ଜି ପୋଛି ।

ମୁଁ ହୁଅଇଁ ନାଶ । କେ ବୋଲେ ଆସ ଗୋ ଖାଇବା ବିଷ ।

କେ ବୋଲେ ଝାସିବା ଯମୁନାଗଣ୍ତେ । କେ ବୋଲେ ଅନଳ ଜାଳିବା ପିଣ୍ତେ ।

କେ ବୋଲେ କଣ୍ଠେ ଚଳାଇବା ଛୁରୀ । କେ ବୋଲେ ଆଖି ପକାଇବା ଖୋଳି ।

ଅନ୍ଧ ହେଲେ ଭଲ । କେ ବୋଲେ ଅକ୍ରୂର ମାରିବା ଚାଲ ।

କି କରିବ କରୁ ନୃପତି କଂସ । ରହିବା ନାହିଁ ପଛେ ତାର ଦେଶ ।

ସମ୍ପଦେ ଆମ୍ଭର ନାହିଁ ଭରସା । ଅନ୍ୟ ଦେଶେ ଯାଇଁ କରିବା ବସା ।

ଆମ୍ଭ କୃଷ୍ଣ ଥାଉ । ନୋହିଲେ ଅକ୍ରୂର ବାହୁଡ଼ି ଯାଉ ।

କାହାର ହାର ହୋଇଲା ଶିଥିଳ । କାହାର ଖସିଲା କଟି ଦୁକୂଳ ।

କାହା କବ‌ରୀ ଚରଣରେ ଲୋଟେ । ସ୍ୱରଭେଦେ କାହା କଣ୍ଠ ନ ଫିଟେ ।

କରନ୍ତି ବିଳାପ । ଘୋଟି ଯାଉଅଛି ସନ୍ତାପ-ଆପ ।

କେ ବୋଲେ ରସିକସାଗର ହରି । ମାରିତ ଯାଉଛି କୁଳକୁମାରୀ ।

କେ ବୋଲେ ରାହୁବଇରିବଦନ । କେ ବୋଲେ ଷଣ୍ଢ ଶକଟମର୍ଦ୍ଦନ ।

କେ ବୋଲେ ବକାରି । କେ ବୋଲେ କାଳୀ ଗର୍ବଖର୍ବକାରୀ ।

କେ ବୋଲେ ପୁତନା ପରାଣଖିଆ । କୁଶ ପରାୟେ କରୁଛ ହିଆ ।

ତିଳରୁ ଅର୍ଦ୍ଧେ ନ କର କରୁଣା । କୃପାସିନ୍ଧୁ ପଣ ଯାଉଛି ଜଣା ।

ଶୁଷ୍କନ‌ଦୀ ମତ । ଏବେ ସେ ଜାଣିଲୁଁ ତୁମ୍ଭ ଚରିତ ।

ଦୀନ‌ଜନେ ଦୟା ନ କର ହରି । ଦୀନ‌ବନ୍ଧୁ ନାମ ବ‌ହ କି କରି ।

ଆଝୁଁ ଯେ ବୋଲିବ ଦୀନବାନ୍ଧବ । ମହତ୍ତ୍ୱ ତାର ସାରିବୁଁ ମାଧବ ।

କ‌ହୁଅଛୁଁ ସତ । କଇତବ ବନ୍ଧୁ ନାମ ବ‌ହତ ।

ଗୋପୀଙ୍କ ଆରତବଚନ ଶୁଣି । ସୁଦାମଙ୍କୁ ଚାହିଁ ମୂରଲୀପାଣି ।

ବୋଇଲେ ଗୋପୀଙ୍କି କର ସନ୍ତୋଷ । ନିଶ୍ଚିନ୍ତେ ରହିଥାନ୍ତୁ ନିଜବାସ ।

ମୋ ଆସିବା ଯାଏ । କୃଶ ନ କରିବେ କନ‌କ‌କାୟେ ।

ଶୁଣି ଗୋପାଳେ କ‌ହିଲେ ଗୋପୀଙ୍କି । ଅକ୍ରୁର ରଥ ବାହିଲା ଚମକି ।

ନିରାଶେ ରହିଲେ ବରଜନାରୀ । ଜଳ ଶୁଖିଲେ ଯେସନେ ସଫରୀ ।

ସେହିମତି ହୋଇ । ଏକ ଆରକେ ମୁଖ ଚାହାଁଚାହିଁ ।

ବସନ୍ତ ଗଲେ ଯେହ୍ନେ ଦିଶେ ବନ । ବରଷାଶେଷେ ଯେହ୍ନେ ନ‌ଦୀମାନ ।

ଅନ୍ଧାରପକ୍ଷେ ଯେହ୍ନେ କଳାକର । ପଦ୍ମ ଯେସନେ ପଡ଼ିଲେ ଶିଶିର ।

ହୋଇଯାଏ କ୍ଷୀଣ । ଚନ୍ଦ୍ର ବିନେ ଯେହ୍ନେ କୁମୁଦବନ ।

କାନ୍ତ ବିହୀନେ ଯେସନେ ରମଣୀ । ଧର୍ମ ବିହୀନେ ଯେସନେ ଧରଣୀ ।

ବେଦ ବିହୀନେ ଯଥା ଦ୍ୱିଜବର । ଧନର ବିହୀନେ ଯେସନେ ନର ।

ହେଲେ ଗୋପନାରୀ । ରାଜ୍ୟ ବିହୀନେ ଯେହ୍ନେ ଦଣ୍ତଧାରୀ ।

ବିଦ୍ୟା ପାସୋରିଲେ ଯେହ୍ନେ ପଣ୍ତିତ । ମାତା ବିହୀନେ ଯେସନେ ବାଳୁତ ।

ଚକ୍ଷୁ ବିହୀନେ ଶୋଭାବନ୍ତ ଜନ । ଭୂଷଣ ବିନେ ଯେହ୍ନେ ନାରୀଗଣ ।

ଦିଶେ ଅସୁନ୍ଦର । ବୃକ୍ଷ ବିହୀନେ ଯେହ୍ନେ ଗିରିବର ।

କୃଷ୍ଣ ବିହୀନେ ସେହିମତି ଗୋପୀ । ଚିନ୍ତା ରତ୍ନାକରେ ହୋଇଲେ ତାପୀ ।

ଦିଗ ନ ଦିଶି ଦିଶିଲା ଅନ୍ଧାର । ଅମାବାସ୍ୟାରେ ଯେସନେ ଚକୋର ।

ହୁଅନ୍ତି ଅଜ୍ଞାନ । କୁଲାଳଚକ୍ର ପ୍ରାୟେ ଭ୍ରମେ ମନ ।

ସକଳ ବିଷୟ ମଣ‌ନ୍ତି ବିଷ । ହରଷ ତ୍ୟଜି ଲଭିଲେ ବିରସ ।

ଶିରୀଷକୁସମ ଯେସନେ ହିମେ । ବ୍ରଜେଶ ବିନୁ ବ୍ରଜନାରୀମାନେ ।

ହୋଇ ଗଲେ କୃଶ । ଭୃଙ୍ଗ ବିନୁ ଯେହ୍ନେ ଚମ୍ପକପୁଷ୍ପ ।

ହାର ହେଲା ଗରୁ ବସନ ଅହି । ଚନ୍ଦନ କର୍ପୂର ରୁଚଇ ନାହିଁ ।

କାମହୁତାଶନେ ଜଳଇ ଅଙ୍ଗ । କୃଷ୍ଣ ବିଚ୍ଛେଦେ ଦ୍ୱିଗୁଣ ଅନଙ୍ଗ ।

ମରମେ ସନ୍ଧିଲା । ପ୍ରାଣ ନେବାରୁ ଅଧିକ ହୋଇଲା ।

ଆରତେ କାନ୍ଦନ୍ତି ହରିଣୀନେତ୍ରୀ । ବାଳୁତ ପରାୟେ କନ‌କଗାତ୍ରୀ ।

ଚଉଦିଗକୁ ଦିଅନ୍ତି ଅନାଇ । ହା କୃଷ୍ଣ ବୋଲି ପଡ଼ନ୍ତି ବୁଲାଇ ।

ପ୍ରଖର ନିଶ୍ୱାସ । କ୍ଷଣକୁ କ୍ଷଣ ଉଡ଼ଇ ସାହାସ ।

ବସିଲେ ନ ପାରନ୍ତି ଦମ୍ଭେ ଉଠି । ଉଠିଲେ ଯାଆନ୍ତି ମହୀରେ ଲୋଟି ।

ଏକ ଆରକେ ଧରାଧରି ହୋଇ । ବଚନ କ‌ହିଲେ ମାରଇ ଝାଇଁ ।

ବ‌ହେ ଶ୍ରମଝାଳ । ଫିଟି ପଡ଼ଇ କବରୀ ଅଞ୍ଚଳ ।

କାନ୍ଦି ଲୋଡ଼ିଲେ କାନ୍ଦି ନ ପାରନ୍ତି । ଆରତେ ଶୂନ୍ୟକୁ କୋଳ କରନ୍ତି ।

ଶ୍ୟାମଘନ ସଙ୍ଗ ପ୍ରସଙ୍ଗ ମାନ । ଚିତ୍ତେ ଚିତ୍ତୋଇ ବୁଜନ୍ତି ନୟନ ।

ଥରଥର ତନୁ । ବାରିଜ ଯେହ୍ନେ ନ ଦେଖିଲେ ଭାନୁ ।

କ‌ହଇ ଭକତଚରଣ ଦାସ । ଗୋବିନ୍ଦ ବିନା ଗୋପୀଏ ନିରାଶ ।

ସଦନେ ପ୍ରବେଶ ହୋଇଲେ ଯାଇ । ରଙ୍ଗିମାଚରଣ‌ଯୁଗଳ ଧ୍ୟାୟି ।

ନିଶି ଦିବସରେ । ଦୁଃଖେ ରହିଲେ ଆସିବା ଆଶାରେ ।