ମଥୁରା ମଙ୍ଗଳ/ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର

ମଥୁରା ମଙ୍ଗଳ ଲେଖକ/କବି: ଭକ୍ତ ଚରଣ ଦାସ
ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର


ପ୍ରଥମ ଛାନ୍ଦ
ରାଗ – ଚକ୍ରକେଳି


ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର । ଜୟ ରାମ-ଅନୁଜ ଦାମୋଦର । ୧ ।
ଜୟ କଂସାରି ଜଗତ-ତାରଣ । ଜୟ ମାଧବ ନନ୍ଦକ-ଧାରଣ । ୨ ।
ଜୟ ରମାରମଣ ଦଇତାରି । ଜୟ ଅନନ୍ତ ଅଖିଳବିହାରୀ । ୩ ।
ଜୟ ଗରୁଡାସନ ପୀତବାସ । ଜୟ ବକାରି ନରକବିନାଶ । ୪ ।
ଜୟ ଭଗତବତ୍ସଳ ମୁରାରି । ଜୟ କାରଣ-ସଲିଳବିହାରୀ । ୫ ।
ଜୟ ଜଗତଜୀବନ ମୋହନ । ଜୟ ନୃସିଂହ ହିରଣ୍ୟଧ୍ବଂସନ । ୬ ।
ଜୟ ଯାଦବ-ବରଜଚନ୍ଦ୍ରମା । ଜୟ ସର୍ବକାରଣ ବିଶ୍ଵକର୍ମା । ୭ ।
ନାନା ରୂପ, ଅରୂପ ତୁହି ହଉ । ପ୍ରାଣୀମାନଙ୍କ ହିତେ ଦେହ ବହୁ । ୮ ।
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ । କେହି ନ ଜାଣେ ଆଦି ମଧ୍ୟ ଅନ୍ତ । ୯ ।
ସର୍ବ ଆତ୍ମାରେ ତୁହି ଆତ୍ମାରାମ । ତୋର ବିହୁନେ ନାହିଁ କର୍ମାକର୍ମ । ୧୦ ।
ତୁ ସେ ଆଦି ଅନାଦି ନିରାକାର । ଶ୍ରୁତି ସୁମୃତି କି ନାହିଁ ଗୋଚର । ୧୧ ।
ତୋର ଆଜ୍ଞା ଶିରେ ଧରି ବିରଞ୍ଚି । ଚତୁର୍ଦ୍ଦଶ ଭୁବନ ଅଛି ରଞ୍ଚି । ୧୨ ।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା । ତୋର ସର୍ଜିଲାରୁ ଏହି ବକତା । ୧୩ ।
ତୋହୋ ନ କଲା ଆଉ ନାହିଁ କେହି । ତୁ ସେ ସର୍ବକରତା ଭାବଗ୍ରାହୀ । ୧୪ ।
ଏଣୁ ମନରେ କରଇ ବିଚାର । ତୋହ ବ୍ୟତ୍ରକେ ଗତି ନାହିଁ ମୋର । ୧୫ ।
ଯେବେ ସୁଦୟା କରିବ ମୋହରେ । ମନ ରଖାଇ ପଙ୍କଜ ପୟରେ । ୧୬ ।
ଆଉ ସମ୍ପଦେ ନାହିଁ ପ୍ରୟୋଜନ । ଭକ୍ତ ବିନେ ମୋ ଦରିଦ୍ର ଜୀବନ । ୧୭ ।
ସୁଜ୍ଞ ଜନଙ୍କ ମୁଖରୁ ଶୁଣିଲି । କୃଷ୍ଣ ଭଜନେ ତରନ୍ତି ଜାଣିଲି । ୧୮ ।
ଜ୍ଞାନ ସ୍ମରଣ ପଠନ ଶ୍ରବଣେ । ପୂର୍ବେ ତରିଅଛନ୍ତି ମୁନିଗଣେ । ୧୯ ।
ସେହୁ ପୁରାଣେ ହୋଇଛି ଲେଖନ । ମିଥ୍ୟା ନୁହଇ ପ୍ରମାଣ ବଚନ । ୨୦ ।
ନିଶି ଦିବସେ ଯେ ହରି ପୂଜନ୍ତି । ଭବ କଳୁଷ ସନ୍ତାପ ତେଜନ୍ତି । ୨୧ ।
ଏଣୁ ବିଚାର କରଇ ମନରେ । କିପାଁ ମରୁଛି ଏ ଭବବନରେ । ୨୨ ।
ଧନ ଜନ ଜୀବନ ଚିର ନୋହେ । ପାପ-ଅନଳ ପିଣ୍ଡ-କାଷ୍ଠ ଦହେ । ୨୩ ।
ଲୋଭ ସକଳ ଦ୍ରବ୍ୟେ ପ୍ରବର୍ତ୍ତାଇ । କାମ କାମିନୀ ମଦରେ ମତାଇ । ୨୪ ।
ମୋହ ମୋହିତ କଲା ଦିବାନିଶି । ମର୍ମେ ଘୋଟି ରହିଲା ପାପରାଶି । ୨୫ ।
ଚଳି ନୁହଇ ଯାତନାରେ ପଡି । ଦିନୁ ଦିନୁ ଆୟୁଷ ଗଲା ଛିଡି । ୨୬ ।
ଏଣୁ ବିଚାର କଲି ମୋର ଚିତ୍ତେ । ବୁଦ୍ଧି ନ ଦିଶେ ତରିବି କେମନ୍ତେ । ୨୭ ।
କୃଷ୍ଣ ଚରିତ ଅମୃତ ବାରିଧି । କଳି-କଳୁଷ-ରୋଗକୁ ଔଷଧି । ୨୮ ।
ତହୁଁ କିଛି ପ୍ରସଙ୍ଗରେ କହିବି । ଦୁଷ୍ଟ ପାତକଭାରାକୁ ଦହିବି । ୨୯ ।
ଗୀତ କରି ରଚିବି ହରିଲୀଳା । ଦୟା କର ହେ ସ୍ଵାମୀ ନନ୍ଦବଳା । ୩୦ ।
ଯେଉଁ ରୂପେ କଂସ କେଶୀ ବଧିଲ । ଏଥି ପରେ ନାନା ଦୁଷ୍ଟ ସାଧିଲ । ୩୧ ।
ତାହା କହିବାକୁ ମୋର ବିଚାର । ରାଗବନ୍ଧରେ କରିବି ପ୍ରଚାର । ୩୨ ।
ମୋର ହୃଦରେ ବସି ଦିଅ କହି । ଭକ୍ତଚରଣ ଏତିକି ମାଗଇ । ୩୩ ।
ଏଥୁ ଅନନ୍ତରେ ଶୁଣ ସୁଜନ । ଶୁକ କହନ୍ତି ରାଜନ ଆଗେଣ । ୩୪ ।
ପରୀକ୍ଷିତ ଶୁଣ ହୋଏ ଊଷତ । କୃଷ୍ଣଚରିତ ନାମ ଭାଗବତ । ୩୫ ।
ଦଶମସ୍କନ୍ଧ ଚରିତ ବର୍ଣ୍ଣନ । ଯେଉଁ ମତେ କଂସ ଜନ୍ମ ମରଣ । ୩୬ ।
ମହାପ୍ରତାପ ଦୁର୍ମିଲା ନନ୍ଦନ । ଇନ୍ଦୁମତୀ ଗର୍ଭେ ହେଲା ଜନମ । ୩୭ ।
ବାହୁବଳେ ପୃଥିବୀ ଆକ୍ରୋଶିଲା । ନୃପବରମାନଙ୍କୁ ବିନାଶିଲା । ୩୮ ।
ଗୋରୁ ବ୍ରାହ୍ମଣଙ୍କୁ ଦେଲା କଷଣ । ଡରେ ଦେବତା ପଶିଲେ ଶରଣ । ୩୯ ।
ଧର୍ମ ନାଶି ଅଧର୍ମ କର୍ମ କଲା । ଦିନୁ ଦିନୁ ଜୀବଙ୍କୁ ଦୁଃଖ ଦେଲା । ୪୦ ।
ଦେଖି ସହି ନ ପାରିଲେ ଅମର । ସର୍ବେ ମେଳ ହୋଇ କଲେ ବିଚାର । ୪୧ ।
କିସ କରିବା ବୋଲେ ସୁନାସୀର । ବେଳୁ ବେଳ ଦୁଃଖ ଦେଲା ଅସୁର । ୪୨ ।
କାହା ଆଗେ କହିବା ଗଲା ମହୀ । ଇନ୍ଦ୍ର ବଚନେ ପିତାମହ କହି । ୪୩ ।
କ୍ଷୀରସାଗରେ ଶୟନ ଅନନ୍ତ । ଯାଇ ଗୁହାରି କରିବା ଦେବନ୍ତ । ୪୪ ।
ଆମ୍ଭ ଅର୍ଥେ ହୋଇବେ ଅବତାର । ତେବେ ଦୁଷ୍ଟ ରାକ୍ଷସ ଯିବ ମାର । ୪୫ ।
ଏଥି ବାହାରେ ଅନ୍ୟ ଗତି ନାହିଁ । ବେଦବର ଉଠିଲେ ଏତେ କହି । ୪୬ ।
ସର୍ବ ଦେବତା ସଙ୍ଗରେ ଘେନାଇ । କ୍ଷୀରସାଗର ତଟେ ହେଲେ ଯାଇଁ । ୪୭ ।
ଅତି ଆରତେ ଡାକନ୍ତି ଅମର । ଦେବ ରକ୍ଷା କର ମହୀ ତୋହର । ୪୮ ।
ଯେବେ ନ ରଖିବ ନାଶ ଗଲୁଟି । ଦୈତ୍ୟ ସ୍ଵର୍ଗଭୁବନ ଗଲା ଲୁଟି । ୪୯ ।
ଗୋରୁ ବ୍ରାହ୍ମଣ ସୁଜନ ନାଶିଲା । ମହା ଅଧର୍ମେ ମହୀକି ଗ୍ରାସିଲା । ୫୦ ।
ସୁରଗଣ ବିକଳ କର୍ଣ୍ଣେ ଶୁଣି । ଦୟାସାଗର ପ୍ରଭୁ ଚକ୍ରପାଣି । ୫୧ ।
ଆଜ୍ଞା କଲେ ସକଳ ସୁରେ ଯାଅ । ଦୈତ୍ୟ ମାରିବି ଅଳ୍ପ ଦିନ ରହ । ୫୨ ।
ବସୁଦେବ ଘରେ ହେବି ଜନମ । ବଢି କଂସକୁ ନାଶିବି ବହନ । ୫୩ ।
ଶୁଣି ଆନନ୍ଦେ ବାହୁଡି ଦେବତା । ଯହୁଁ ଆଜ୍ଞା ଦେଲେ ସୃଷ୍ଟି କରତା । ୫୪ ।
କେତେ ଦିନ ଅନ୍ତରେ ଭଗବାନ । ପୃଥ୍ଵୀ ହିତେ ତେଜି ନାଗଶୟନ । ୫୫ ।
ଦେବକୀର ଉଦରେ କଲେ ବାସ । ଜନ୍ମ ଲଭିଲେ ରହି ଦଶ ମାସ । ୫୬ ।
ବସୁଦେବ ଗୋପେ ଛାଡି ଅଇଲା । ତହୁଁ ଯେତେ ଯେତେ ଲୀଳା ହୋଇଲା । ୫୭ ।
ଦିନୁ ଦିନୁ ବଢିଲେ ନନ୍ଦଘରେ । ଚନ୍ଦ୍ର ଯେସନ ଚନ୍ଦ୍ରମା ପକ୍ଷରେ । ୫୮ ।
ସାତ ଦିନରେ ମାଇଲେ ପୂତନା । ଯାର ନାମ ଅଟଇ ବଜ୍ରସେହ୍ନା । ୫୯ ।
ତୃଣା ଶକଟା ବକା ଅଘାସୁର । ମାରି ତାରିଲେ କୁବେର କୁମର । ୬୦ ।
କାଳୀ କାଳିନ୍ଦୀ ହ୍ରଦରେ ଦଳିଲେ । ବନ ଅନଳ କିଞ୍ଚିତେ ଗିଳିଲେ । ୬୧ ।
ବଛା ବାଳକ ହରିଲା ବିଧାତ । ନିଜ ଅଙ୍ଗରୁ ସର୍ବ କଲେ ଜାତ । ୬୨ ।
ନନ୍ଦ ରାଜାକୁ ହରିଲା ବରୁଣ । ତାକୁ ଆଣିଦେଲେ ରମାରମଣ । ୬୩ ।
ଇନ୍ଦ୍ର ବିବାଦେ ତୋଳି ଗୋବର୍ଦ୍ଧନ । ଗୋପ ରଖିଲେ ଜଗତ-ଜୀବନ । ୬୪ ।
ବୃନ୍ଦାବନରେ କରନ୍ତି ବିଳାସ । ସଙ୍ଗେ ଘେନି ଅନେକ ବାଳଶିଷ । ୬୫ ।
ବସ୍ତ୍ର-ଚୋର ଆଦି ଯେତେ ଚରିତ । କେହୁ କହିବ କରି ଆଦି ଅନ୍ତ । ୬୬ ।
ରାସେ ରସିଲେ ଗୋପୀଙ୍କ ସଙ୍ଗତେ । ଏହି ମତି ବେଭାର ଯେତେ ଯେତେ । ୬୭ ।
କେଶୀ ପିଣ୍ଡ ମନ୍ଥିଲେ ବାହୁବଳେ । ପ୍ରାଣେ ମାଇଲେ ଯେତେ ଦୈତ୍ୟ ଗଲେ । ୬୮ ।
ତାହା ଶୁଣି ଡରିଲା କଂସାସୁର । ଭୟେ କମ୍ପଇ ହୋଇ ଥରହର । ୬୯ ।
ମନ୍ତ୍ରୀ ଅକ୍ରୂରକୁ ଘେନି ଭାଳଇ । କ୍ରୋଧେ ନୟନୁ ଲୋତକ ଗଳଇ । ୭୦ ।
କହେ କାତର ତରେ ହୋଇ ଛନ୍ନ । ମନ୍ତ୍ରୀ ଶୁଣିବା ମୋହର ବଚନ । ୭୧ ।
ମୁନିବର ନାରଦ ଗଲେ କହି । ତେଣୁ କରି ଅସ୍ଥିର ମୋର ଦେହୀ । ୭୨ ।
ନନ୍ଦନନ୍ଦନ ମୋହର ବଇରୀ । ତାକୁ କେମନ୍ତେ ପକାଇବି ମାରି । ୭୩ ।
ଯେତେ ଗଲେ ସଂହାରିବା ନିମନ୍ତେ । ତାଙ୍କୁ ମାଇଲା ଗୋବିନ୍ଦ କିଞ୍ଚିତେ । ୭୪ ।
କେତେ ଉପାୟ କଲି ତାଙ୍କ ପାଇଁ । ତହିଁ କିଛି ନୋହିଲେ ବେନି ଭାଇ । ୭୫ ।
ବିଷ ସ୍ତନେ ଭରି ଗଲା ପୂତନା । ତାକୁ ଜାଣି ମାଇଲା ନନ୍ଦ କହ୍ନା । ୭୬ ।
ପୁଣ ତୃଣା ଶକଟା ବେନି ଗଲେ । ସେହି ନାଶିଲେ ବାହୁଡି ନଇଲେ । ୭୭ ।
ବକା ଅଘା ବ୍ୟୋମ ବଛାସୁରକୁ । କେଶୀ କଦମ୍ଵା ଧେନୁକା ବୀରକୁ । ୭୮ ।
ମାରି ନିଶ୍ଚିନ୍ତେ ଛନ୍ତି ବେନି ଭାଇ । କିସ କରିବି ଶୁଣ ମନ୍ତ୍ରୀସାଇଁ । ୭୯ ।
ମୋର ବିଶ୍ଵାସ ତୁ, ଏଣୁ କହୁଛି । ଆଣି ଦେବୁ ନନ୍ଦର ବେନି ବଛି । ୮୦ ।
କାଲି ପ୍ରଭାତେ କରିବୁ ଗମନ । ରାମକୃଷ୍ଣ ଆଦି ନନ୍ଦ ରାଜନ । ୮୧ ।
ବରଷକର ବର୍ତ୍ତନ ବସାଣ । ଏହା ଘେନାଇଁ ଆପଣା ସଙ୍ଗେଣ । ୮୨ ।
ମୋହ ଛାମୁରେ କରାଇବ ଭେଟ । ବଳେ ଧରି ମାରିବି ନନ୍ଦ ଚାଟ । ୮୩ ।
ତେବେ ସୁଖେ ଭୁଞ୍ଜିବୁ ନାନା ଭୋଗ । ଯେତେ କାଳ ପର୍ଯ୍ୟନ୍ତେ ଥିବ ଯୋଗ । ୮୪ ।
ବ୍ୟାଧି ଅଳପ ହୋଇ ସଞ୍ଚରଇ । ହେଳା ମାତ୍ରକେ ପରାଣ ମାରଇ । ୮୫ ।
ଶୂନ୍ୟ ମଣ୍ଡଳେ ମେଘ ପ୍ରକାଶଇ । ଛିଦ୍ର ହୋଇ ବହୁତ ବରଷଇ । ୮୬ ।
ଭସ୍ମ କୁଢରେ ଅଗ୍ନିକଣା ଥାଇ । ମନ୍ଦ ପବନେ ବଳିଷ୍ଠ ହୁଅଇ । ୮୭ ।
କାଳେ ସଂସାର କରଇ ଦହିଜ । ସେହି ପ୍ରକାରେ ନନ୍ଦର ତନୁଜ । ୮୮ ।
ତାଙ୍କୁ ବେଳହୁଁ ଉପାଏ ମାରିବା । ନ ମାଇଲେ କାଳେ ଆପେ ମରିବା । ୮୯ ।
ତେଣୁ କରି କହିଲି ମନ୍ତ୍ରୀବର । ମୋହ ଅର୍ଥେ ଉପାଏ ତୁମେ କର । ୯୦ ।
ଏତେ ବୋଲି ବେନିକର ଧଇଲା । ଶୋକେ ଆଲିଙ୍ଗନ କରି କହିଲା । ୯୧ ।
କରେ ବହୁତ ପ୍ରକାରେ ବିନତି । କହୁ କହୁ ପ୍ରବେଶ ହେଲା ରାତି । ୯୨ ।
ନିଜ କରେ ଲେଖନପତ୍ର ଧରି । ଆଜ୍ଞାପତ୍ରିକା ଲେଖି ଦଣ୍ଡଧାରୀ । ୯୩ ।
ମୁଦି ଅକ୍ରୂର କରେ ସମର୍ପିଲା । ଯାଅ ବୋଲି ହରଷେ ଆଜ୍ଞା ଦେଲା । ୯୪ ।
ମନ୍ତ୍ରୀ ଗଳାରେ ଲମ୍ଵାଇ ବାହାର । ଚିତ୍ତ ଆନନ୍ଦେ ହୋଇଲା ମନ୍ଦିର । ୯୫ ।
କଂସ-ରାଜା ହିଁ ନିଶ୍ଚିନ୍ତେ ରହିଲା । କାଳଚକ୍ରେ ପଡି ମୋହ ହୋଇଲା । ୯୬ ।
ସ୍ନାନ ମାର୍ଜନ ଭୋଜନ ଶୟନ । କିଛି ନ ରୁଚଇ ବିଷ ସମାନ । ୯୭ ।
ଯେଉଁ ଦିଗକୁ ଦିଅଇ ଅନାଇଁ । ସେହୁ ଦିଗେ ଦିଶେ ନନ୍ଦକହ୍ନାଇ । ୯୮ ।
ଶୋଇ ସପନେ ଚମକି ପଡଇ । କହି ବଚନେ କ୍ଷଣକେ ହୁଡ଼ଇ । ୯୯ ।
ଝାଇଁ ମାରଇ ନିଶ୍ବାସ ପ୍ରଖର । ସପନରେ ଦେଖଇ ନିଜ ଶିର । ୧୦୦ ।
ଶଙ୍ଖ ଶବଦ ନିଶ୍ବାସ ପବନ । କରେ ଦକ୍ଷିଣ ଦିଗକୁ ଗମନ । ୧୦୧ ।
କଣ୍ଠେ ମନ୍ଦାରମାଳ ବିଭୂଷଣ । କରି ମଇଁଷିଯାନ ଆରୋହଣ । ୧୦୨ ।
ଚର୍ମ ଦେଶରେ ପଡିଛି କବରୀ । ଫିଟି ପବନେ ଉଡେ କେରି କେରି । ୧୦୩ ।
ଚାରିଦିଗେ ଶୃଗାଳ ଶ୍ଵାନ ପେଚ । ଗୃଧ୍ର ଅହି ମଞ୍ଜାରୀ ଧ୍ଵନି ଉଚ୍ଚ । ୧୦୪ ।
ପ୍ରାଣ ନ ରହଇ ଯେଉଁ ସ୍ଵପନେ । କଂସ ଦେଖିଲା ତା ବେନି ନୟନେ । ୧୦୫ ।
ଚେତି ଉଠି ମନରେ ବିଚାରଇ । ସ୍ଵପ୍ନ ସତ୍ୟ ନୋହେ ବେଦ ଭାଷଇ । ୧୦୬ ।
ମନେ ଏମନ୍ତ ବିଚାରି ଶୋଇଲା । ନିଶି ପାହିଣ ପ୍ରଭାତ ହୋଇଲା । ୧୦୭ ।
ଜାଣି ଅକ୍ରୂର ଉଠିଲା ଆସନୁ । ପୂର୍ବ ଦିଗେ ଦେଖିଲା ଉଦେ ଭାନୁ । ୧୦୮ ।
ନିତ୍ୟ କର୍ମ ସାରି ହେଲେ ବାହାର । ଭକ୍ତ ଦାସ ସାଜେ ରଥ ତାହାର । ୧୦୯ ।