ମନସିଜ ମନମୋହନ
ମନସିଜ ମନମୋହନ
(ରାଗ: ବେହାଗ - ରୂପକ ତାଳ)
ମନସିଜ ମନମୋହନ ଘନଶ୍ୟାମ ସୁନ୍ଦର ରେ, ସଜନି ।
ହେମ ବରନି ପ୍ରେମରେ ତୋର ନିତି ଜର ଜରରେ । ପଦ।
ସ୍ଫୁଟ ଚମ୍ପକ ବଲ୍ଲୀ କି ସେ ଯେ ଦୂରରୁ ବଲୋକି
ଉଠି ଆସୁ ଆସୁ ତନୁ ଯାକ ହେଉଥିଲା ଥର ଥରରେ ।୧।
ନାଗ କେଶର କୁଞ୍ଜରେ ତୁ ପହୁଡ଼ିବା ଶେଯରେ
ବସି ରାଧେ ରାଧେ ବୋଲ ଗୀତ ଗାଉଥିଲେ ଧୀର ଧୀର ରେ। ୨।
ଶୁଣି ହଂସଜା ବନରେ ରାଜହଂସ ନିଶ୍ବନରେ
ତୋର ହଂସକ ପରି କଂସ ବଇରୀ ମଣି ତର ତର ରେ। ୩।
ଦେଖି କେତକୀ ଦଳରେ ଲେଖ ଲେଖି ମୋ କରରେ
ଦେଉ ଦେଉ ନୟନ କଲେ ଥନ ଥନ ନୀରେ ଧର ଧରରେ । ୪।
ଗୁଣି ଗୁଣି ଗୁଣ ଗଣକୁ ତୋର ସୁନ୍ଦରପଣକୁ
ଗୋପାଳକୃଷ୍ଣର ପୁରତରେ କହୁଥିଲେ ବାର ବାରେ ରେ। ୫।