ମାନ ଉଦ୍ଧାରଣ କର ହେ ତାରଣ

(ମାନ ଉଦ୍ଧାରଣରୁ ଲେଉଟି ଆସିଛି)
ମାନ ଉଦ୍ଧାରଣ କର ହେ ତାରଣ
ଲେଖକ/କବି: ଉପେନ୍ଦ୍ର ଭଞ୍ଜ

ମାନ ଉଦ୍ଧାରଣ କର ହେ ତାରଣ

ମାନ ଉଦ୍ଧାରଣ କର ହେ ତାରଣ
ଶରଣ ମୁଁ ତୁମ୍ଭ ପାଦତଳେ ।

ଅନାଥର ନାଥ ନୀଳଗିରି ନାଥ
ଜଗନ୍ନାଥ ନାମ ନୀଳାଚଳେ ।

ମହୋଦଧୀ କୂଳେ କଳ୍ପବଟ ମୂଳେ
ବିଜେ କରିଛ ବଡ଼ ଦେଉଳେ ।

ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା
ତା' ଡାକ ଶୁଣିଲ ପଶା ଖେଳେ ।

ମାରକଣ୍ଡ ୠଷି ଯାଉଥିଲେ ଭାସି
ଉଦ୍ଧରି ଧଇଲ ବାହୁତଳେ ।

କିଷ୍କିନ୍ଧାକୁ ଗଲ ବାଳି ବିନାଶିଲ
ବନ୍ଧ ହେ ବାନ୍ଧିଲ ସିନ୍ଧୁଜଳେ ।

ଲଙ୍କାରେ ରାବଣ ବଧିଲ ଆପଣ
ଜନକ ନନ୍ଦିନୀ ସୀତାଛଳେ ।

ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ
ଭୋଜନ କଲ ବିଦୁର ଘରେ ।

କୁରୁସଭା ତଳେ ପାଞ୍ଚାଳି ଚିନ୍ତିଲା
କୋଟି ବସ୍ତ୍ର ଦେଲ ଅବହେଳେ ।

ବନପୋଡ଼ି କାଳେ ଘୋର ଦାବାନଳୁ
ଉଦ୍ଧରି ଧଇଲ ବ୍ରଜବାଳେ ।

ଭଣେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ଶରଣ ମୁଁ ତୁମ୍ଭ ପାଦତଳେ ।