ରମାରମଣ ହେ
ଲେଖକ/କବି: ଉପେନ୍ଦ୍ର ଭଞ୍ଜ

ରମାରମଣ ହେ

ରମାରମଣ ହେ
ତୁମେ ପରା ଦୟାସିନ୍ଧୁ
ଦୀନଠାରେ କିମ୍ପା ହୃଦେ ଅନୁକମ୍ପା
ହେଉନାହିଁ ଦୀନବନ୍ଧୁ ॥ଘୋଷା॥

ତ୍ରିଭୁବନ ଦୁଷ୍ଟ ନିବାରଣ ରୁଷ୍ଟ
ବାଡ଼ବାଗ୍ନି ଗର୍ଭେ ଭରି
ଲୋକାଲୋକ ଗିରି ଭଗତ ମଣ୍ଡଳୀ
ମଧ୍ୟେ ହୋଇଛ ମାଧୁରୀ ॥୧॥

ଅଗାଧ ସୁଷମା ଅଶେଷ ମହିଁମା
ସଂକୁଳେ ହୋଇ ପ୍ରଚୁର
ମଚ୍ଛ କଚ୍ଛ ଜଳଚର ଅବତାରଙ୍କର-
ଅଟ ଜନ୍ମ ସ୍ଥଳ ॥୨॥

ଜଳଜ ଗଭୀର ବାଣୀ ସୁମଧୁର
ଘୋଷକୁ କରି ବଂଦିତ
ତରଙ୍ଗ ବିଶେଷ ମହା ମହୋଲ୍ଲାସ
ଭରେ ହୋଇଛ ରଞ୍ଜିତ ॥୩॥

ତରଙ୍ଗିଣୀ ବୃନ୍ଦ ସୁମନସ କଦମ୍ବର-
ନୃପତି ବୋଲାଇ
ମହତି ପରମ ଯୋଗେ ଦୁରାଧମ
ଜନକୁ କରୁଛ ତ୍ରାହି ॥୪॥

ଅଣିମାଦି ଅଷ୍ଟ ରତନ ବିଶିଷ୍ଟ
ପ୍ରଦାନେ କୁଶଳ ହୋଇ
କଷ୍ଟକୁ ଲୋକର କରୁଛ ନିକର
ଭଞ୍ଜ ବୀରବର କହି ॥୫॥