ରସ ରତ୍ନାକର/ଦ୍ଵିତୀୟ ଛାନ୍ଦ

ରସ ରତ୍ନାକର ଲେଖକ/କବି: ଗଙ୍ଗାଧର ମେହେର
ଦ୍ଵିତୀୟ ଛାନ୍ଦ


ଦ୍ଵିତୀୟ ଛାନ୍ଦ


(ରାଗ-ଚୋଖି)

ରସିକ ବୁଧ ନିକର ରସେ ଚିତ୍ତଦାନ କର
    ଉଷା ନାମେ ସୁତା ଥିଲା ବଳି-ସୁତର
ରମଣୀ କୁଳ-ରତନ ଲଭି ନବ ଯଉବନ
     ହୋଇଲା ଜନ-ନୟନ-ବନ୍ଦୀ-ମନ୍ଦିର
       ରସବତୀ ଶୋଭାସାଗର
   ରଙ୍ଗେ ମନ୍ଥି ଦେଲାଣି କୁଞ୍ଜ-କୁମର


ରତ୍ନକୂଟ ପୟୋଧର ତହିଁ ବେଣୀ କାକୋଦର
    ମନ୍ଥନ ଭରେ ହେଲେଣି କ୍ରମେ ବାହାର,
ରଜନୀକର ସୁହାସ ପାରିଜାତକ ସୁବାସ
     ଗମନ ଅଭ୍ରମୁ-ଈଶ ପୀୟୂଷଗୀର
       ରମା, ରୁଚି ଅତି ରୁଚିର
   ରହିଛି ଈଶ ଲବଧେ ବିରହ ତା'ର ।




ରଙ୍ଗ-ରାଜୀବ-ଅଧରା ଗମନ କରନ୍ତେ ଧରା-
    ମଣ୍ଡଳକୁ ମଣ୍ଡିଦିଏ ଚାଳି ପୟର
ରତୀଶ-କମାଣ-ଭୂରୁ ଯୁବାଜନ-ଦମ୍ଭଗୁରୁ
     ଭୟଦ ଅଞ୍ଜନାଞ୍ଚିତ ନୟନ ଶର
       ରମ୍ଭାଜିତ ଉରୁ ତାହାର
   ରମ୍ଭା ନ୍ୟୂନ ହେବ ଚାହିଁ ଯୋଷିତବର ।


ରଦରାଜି ମୋତିପନ୍ତି ପରାୟେ ଶୋଭା ଦିଶନ୍ତି
    ଭୁଜ-ବଲ୍ଲୀ ହେମ-ପୁଷ୍ପମାଳା ପ୍ରକାର
ରମଣୀୟ ପଦତଳ ପ୍ରବାଳ ସମ ମଞ୍ଜୁଳ
     ପଞ୍ଚାନନ ପ୍ରାୟେ କ୍ଷୀଣ କଟି ସୁନ୍ଦର ;
       ରସନିଧି ରମଣୀବର
   ରବଥଜିତ ବଚନ ମୃଦୁ ମଧୁର ।


ରକ୍ଷକୁଳ ମହୀପତି ସୁତାକୁ ଯୌବନବତୀ
    ଚାହିଁ ରଖାଇଲା ଅତି ଅଗମ୍ୟ ପୁର
ରଖାଇ ପ୍ରହରୀଗଣ ପ୍ରଚଣ୍ଡେ ବୋଲେ ବଚନ
     ଥିବ ସଦା ସାବଧାନ ଜେମା ଉପର ;
       ରକ୍ଷ ପକ୍ଷ ନର କିନ୍ନର
   ରଣବାସକୁ ନ ଯିବେ ହେଲେ ଈଶ୍ବର ।



ରସାଳସୀ ନାନା ରଙ୍ଗେ ସହଚରୀ ଗଣ ସଙ୍ଗେ
    ଅନ୍ତଃପୁର ମଧ୍ୟେ ରହି କରେ ବିହାର,
ରବା-ବଂଶୀ ସମର୍ଦ୍ଦଳ ବଜାଇ ବାଦ୍ୟ ମଞ୍ଜୁଳ
     କେତେବେଳେ ଅକ୍ଷ ଖେଳେ ହୋଇ ତତ୍ପର
       ରସାଭୂଷା-ଯୋଷା-ଶେଖର
   ରଙ୍ଗେ କଉତୁକେ ହରେ ନିଶା ବାସର ।




ରମ୍ୟ କୁବେର କାନନ ଜିଣି ବାଣ ଉପବନ
    ନନ୍ଦନବନକୁ ନିତି କଲେ ଧିକ୍କାର
ରସାଳ କ୍ରମୁକ ତାଳ ନାରୀକେଳ ଯେ ତମାଳ
     ରାଜି ରାଜି ବିଭାଜିତ ବିଟପି-ବର
       ରମ୍ଭାହଳି ପ୍ରିୟକେଶର
   ରମେ ଚିତ୍ତ ଚନ୍ଦନ କୌଶିକ କର୍ପୂର ।


ରଙ୍ଗଣୀ ନବ ମାଳିକା ମଲ୍ଲୀ ମାଧବୀ ଯୂଥିକା
    ବିବିଧ କୁସୁମବତୀ ବଲ୍ଲୀ ସୁନ୍ଦର
ରସଗ୍ରାହୀ ମଧୁକର ବସିଣ ପୁଷ୍ପ ଉପର
     ଗୁଣୁଗୁଣୁ ସ୍ଵନ କରେ ଅତି ମଧୁର
       ରସାଳ ଫଳରେ ସୁଭାର
   ରହନ୍ତି ପାଦପେ ନମ୍ରେ କି ବୁଧ ନର ।



ରବିଙ୍କର କର ଜାଳ ନ ଛୁଏଁ ଧରଣୀ ତଳ
     ଘନ କିଶଳୟାବୃତ ଶାଖୀ ନିକର
ରମ୍ୟ କୁଞ୍ଜ ନିକେତନ ସ୍ଥାନେ ସ୍ଥାନେ ବିଦ୍ୟମାନ
     ଶୁକ ଶାରୀ ତହିଁ ଭାଷୁ ଥାନ୍ତି ସୁସ୍ଵର
       ରହେ ମଧ୍ୟେ ସରସୀବର
   ରସାଦେବୀ ଦରପଣ କି ସେ ରୁଚିର ।



ରଞ୍ଜନ ସୁଧା ସୁଧାପାନ ଚାରି ଦିଗେ ବିଦ୍ୟମାନ
    ପରିପୂର୍ଣ୍ଣ ହୋଇଅଛି ବିମଳ ନୀର
ରଜତ କମଳ ମାଳ ପ୍ରଫୁଲ୍ଲ ହୋଇ ମଞ୍ଜୁଳ
     ଫୁଟିଛି ଅମିତ ଇନ୍ଦୀବର କହ୍ଲାର
       ରୟ ହରି ବାସ ତାଙ୍କର
   ରଜ ସାରଥି କକୁଭେ କରେ ପ୍ରଚାର ।


ରମ୍ଭୋରୁ ତହିଁ ବିହରେ ସରୋବରେ ସ୍ନାନ କରେ
    ନନ୍ଦନେ କିନ୍ନରୀ ପରି ଶୋଭା ସଞ୍ଚାର
ରଖିଥାଏ ସୁସଙ୍ଗିନୀ ସଙ୍ଗେ ସଚିବ ନନ୍ଦିନୀ
     ଚିତ୍ରଲେଖା ନାମେ ଖ୍ୟାତ ଚତୁରୀ ବର;
       ରଙ୍ଗେ ଜାଣେ ବିଦ୍ୟା ଅପାର
   ରଭସେ ବିଚରି ପାରେ ସାରା ସଂସାର ।