ରାଜାଙ୍କ ବିନୟ ଦେଖିଣ କୈକେୟୀ

ରାଜାଙ୍କ ବିନୟ ଦେଖିଣ କୈକେୟୀ
ବିଷୟ
ରାଗ ସିନ୍ଧୁଡ଼ା

ରାଜାଙ୍କ ବିନୟ ଦେଖିଣ କୈକେୟୀ ବୋଲନ୍ତି ଶୁଣ ନୃପତି ।
ଶୁଣିଛତ ସ‌ତ୍ୟ ପାଇଁ ପୂର୍ବେ ରାଜାମାନେ କଲେ ଯେତେ ରୀତି ।
ଆହେ ସ‌ତ୍ୟବକତା । ସତ୍ୟ ତେଜିଲେ ମୋହର ହତ୍ୟା ।
ଶୁଭିବ ସତ୍ୟହୀନ ବାରତା । କିପାଜ୍ଞ ହେଉଛ ଏଡ଼େ ଦୀନତା ହେ ।
ପିତା ଆଜ୍ଞା ଦେଲେ ସାନୁଜ ସ‌ହିତେ ଅଇଲେ କୋଦଣ୍ତଧର ।
ନୃପତିଙ୍କି ଚାହିଁ ନମସ୍କାର କଲେ ଛୁଇଁଣ ବେନି ପୟର ।
ଦେଖି ପିତା ବିକଳ । ନୟନରୁ ବହେ ଅଶ୍ରୁଜଳ ।
'ରାମ' ବୋଲି ହୋଇଲେ ବିକଳ । ଢଳିପଡ଼ିଲେ ଅବନୀତଳ ।
ଓଳଗି ହୋଇ କୈକେୟୀକି ପୁଚ୍ଛନ୍ତି ଏଥିର ଚରିତ କ‌ହ ।
କେଉଁ କାରଣେ ପିତାଙ୍କ ଶୋକ ଏଡ଼େ ଲାଗିଲା ମୋତେ ସନ୍ଦେହ ।
କିବା ମୋ ଅଭିଷେକ । ସୀଉକାରକୁ କରନ୍ତି ଶୋକ ।
ନାଶଗଲେ କିବା ଜ୍ଞାତି ଲୋକ । ତୁମ୍ଭଯୋଗୁଁ କି ହୁଏ ଏତେକ ।
କୈକେୟୀ କ‌ହ‌ନ୍ତି ଶୁଣ ରାମଚନ୍ଦ୍ର ଯହିଁପାଇଁ ଏ ମୂର୍ଚ୍ଛିତ ।
ସେତ ନ କ‌ହିବେ ମୁଁ ତାହା କ‌ହିବି କଲେ ତୁମ୍ଭେ ସନମତ ।
ଶୁଣି ଜାନ‌କୀକାନ୍ତ । କ‌ହୁଛି ଏହା କରି ସୁକୃତ ।
ପ୍ରାଣ ମାଗିଲେ ଦେବି ତ୍ୱରିତ । ଅଗ୍ନି ଜାଳିଣ ହୋଇବି ହତ ।
ସନ୍ତୋଷ ହୋଇଣ ବୋଲନ୍ତି ଜନନୀ ପୂର୍ବେ ଦେଇଛନ୍ତି ବର ।
ତାହା ମାଗିବାକୁ ନିସତ ହୋଇଣ ଶୋକ କରନ୍ତି ପିଅର ।
ତୁମ୍ଭେ ବନ‌କୁ ଯିବ । ଅଭିଷେକ ଭରତ ହୋଇବ ।
ଆଉ କ୍ଷଣେ ବିଳମ୍ବ ନୋହିବ । ତେବେ ପିତାଙ୍କ ସ‌ତ୍ୟ ରହିବ
ଚଉଦବରଷ‌ଯାଏ ତୁମ୍ଭେ ଆହେ ଧରିଥିବ ଯତିବେଶ ।
ଫଳ ମୂଳ ଖାଇ ଗ୍ରାମେ ନ ପଶିବ ବକଳ କରିବ ବାସ ।
ତାର ନିଷ୍ଠୁର ବାଣୀ । ରାମ ସନମତ କଲେ ଶୁଣି ।
ସେହିକ୍ଷଣି ହୋଇଲେ ମେଲାଣି । ଦୀନ ବିଶି ଶୋକ ଭରେ ଭଣି ।