ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ଲାବଣ୍ୟବତୀ/ଜୟ ଜୟ ଜୟ ରାମ ଜନକସୁଖଦ

< ଲାବଣ୍ୟବତୀ
ଲାବଣ୍ୟବତୀ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପ୍ରଥମ ଛାନ୍ଦ: ଜୟ ଜୟ ଜୟ ରାମ ଜନକସୁଖଦ

ରାଗ – ନଳିନୀଗୌଡ଼ା
(ରାମବିଭା ପ୍ରଥମଛାନ୍ଦ ବାଣୀରେ )

ଜୟ ଜୟ ଜୟ ରାମ ଜନକସୁଖଦ ।
ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧।
ଚନ୍ଦ୍ରହାସଶୋକର ସମସ୍ତ କାଳର ।
ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ ।୨।
କବି ଭାରତୀକି ଅଗୋଚର ଛବି ଜାର ।
ସୁମନାବୃନ୍ଦବନ୍ଦିତ ଏଣୁ ନିରନ୍ତର ।୩।
ମହାଶୟ ବଳରିପୁ ପରେ ତାପକର ।
ଛତ୍ରଭଙ୍ଗ କୃତରୁ କାତର ଅରି-ପୁର ।୪।
ସହସ୍ରକର ଉନ୍ନତହର ତେଜବାନି ।
ହରିପକ୍ଷ ସଦାନନ୍ଦ ତୋଷ ବିବର୍ଦ୍ଧନ ହେ ।୫।
ସେ ପ୍ରଭୁ କଞ୍ଜଚରଣେ କରି ତତପର ।
ଭଞ୍ଜ ବୀରବର କବି ମାନସଭ୍ରମର ହେ ।୬।
ମୁର୍ତ୍ତବନ୍ତ କରି ମୂଦୁ ଗୀତ ବିଚାରଇ ।
ଏଣୁକରି ଥିବ ଅଳଙ୍କାରଯୁକ୍ତ ହୋଇ ।୭।
ପଦ ସରଳ ଧ୍ଵନିରେ ଶ୍ରବଣ ମୋହିବ ।
ଅର୍ଥୀଜନପ୍ରକରକୁ ଆନନ୍ଦ କରିବ ହେ ।୮।
ଡରଳରେ ସାବର୍ଣ୍ଣ୍ୟ ଜା ବ୍ୟାକରଣେ ଲିହି ।
ସୁଚିତ୍ତେ କରଇ ଏହି ଗୀତ ହିତ ପାଇଁ ଯେ ।୯।
ବୁଝାଇଲେ ଜଡ଼ଜନ ଭାବକୁ ପାଇବ ।
ଖଳ ଖର ଚୂତାଙ୍କୁର ପ୍ରାୟେକ ହ୍ରାସିବ ହେ ।୧୦।
ନଧୁ ମକ୍ଷି ଉଚ୍ଛିଷ୍ଟେ ଅମୃତାଦର ସୁରେ ।
କରନ୍ତି ଯେମନ୍ତ ସାଧୁଜନେ ସେ ପ୍ରକାରେ ହେ ।୧୧।
ଏବେ ଚୁତ୍ତ ରୁଚିତ ରଚିତ ସୁମଧୁର ।
ଶ୍ରୁତିବଦନରେ ପାନ କର ବୁଧ ନର ହେ ।୧୨।
ଦିନେ କଇଳାସେ ବସି ଏକାନ୍ତେ ଗଉରୀ ।
ପଶାରଙ୍ଗେ ରସିବାକୁ ସ୍ଵସଙ୍ଗେ ବିଚାରି ହେ ।୧୩।
ଏକ କନ୍ୟାଏ ଅଦ୍ଭୁତେ ମନୁଁ ଜାତ ହେଉ ।
ସୁଷମାରେ ସମରେ ତ୍ରିଲୋକରେ ନ ଥାଉ ।୧୪।
ଯେ ଜଗତଜନନୀ ସେ କଲା ମନୋରଥ ।
ଜାତ ଦିବ୍ୟ ସୁନ୍ଦରୀ କିମ୍ପାଇଁ ହେବ ବ୍ୟର୍ଥ ।୧୫।
ଆଉ କି ପ୍ରଶଂସିବା ଉମାରୁ ଜନ୍ମ ଯାର ।
ଶାମୁକୁଁ ମୁକୁତା ଜାତ ହୋଇଲା ପ୍ରକାର ଯେ ।୧୬।
ବାଞ୍ଛାରୁ ଉତ୍ପତ୍ତ ବାଞ୍ଛାବତୀ ନାମ ଦେଇ ।
ଖେଳେ ବଳାଇଲେ ମତି ଦୁହେଁ ବସି ତହିଁ ଯେ ।୧୭।
ଏ ସମୟେ ଶୁଭିଲେ ଡମରୁ ଗରୁନାଦ ।
ପାର୍ବତୀ ମତିରେ ଜାତ ଏମନ୍ତ ବିଷାଦ ଯେ ।୧୮।
ହରାନେତ୍ରଗତ ଯେବେ ହେବ ଏ ଶୋଭାଙ୍ଗୀ ।
ଯିବ ସିନା ମୋହର ସୁଭାଗୀପଣ ଭାଙ୍ଗି ।୧୯।
ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ ।
ଏ ସଂସାର ଆମ୍ଭ ଖେଳଘରର ସଦୃଶ ।୨୦।
କିଛୁ କାଳ ଅଗମ୍ୟ ଅରଣୈ ଏହୁ ଥାଉ ।
ଜନ୍ମାନ୍ତେ ପୁରୁଷସଙ୍ଗ ବିଳାସକୁ ପାଉ ଯେ ।୨୧।
ଗଣ ଦେବୀ ଜଣକୁ ଏମନ୍ତ ଆଜ୍ଞା ଦେଲେ ।
ସେ ନେଇ ଘୋର କାନନେ ପୁରକେ ରଚିଲେ ଯେ ।୨୨।
ତହିଁ ରଖି କହିଲେ ଲଘିଂବୁ ଯେବେ ଦ୍ଵାର ।
କିଛୁ କାଳେ ପ୍ରାଣ ହତ ହୋଇବ ତୋହର ଯେ ।୨୩।
ଯେବଣ ପୁରୁଷ କର ଗ୍ରହଣ କରିବ ।
ଆନ ତନୁ ପ୍ରାପତରେ ସେ ପତି ହୋଇବ ଯେ ।୨୪।
ଏତେ କହି ସେ ଦେବୀ ହୋଇଲା ତିରୋହିତ ।
ଗହନରେ ବାଞ୍ଛାବତୀ ଦିବ୍ୟପୁରେ ସ୍ଥିତ ଯେ ।୨୫।
ଏମନ୍ତରେ ଗଲା ତହିଁ କେତେ ସମ୍ବତ୍ସର ।
ପ୍ରଭାକର ନାମେ ଏକ କ୍ଷତ୍ରିୟକୁମାର ଯେ ।୨୬।
ତପ ତା ଅକଥନୀୟ ଦିବ୍ୟ ନାରୀଶ୍ରଦ୍ଧେ ।
ପଞ୍ଚାଗ୍ନି ସ୍ଥାପନ କରେ ତପଋତୁ ମଦ୍ଦ୍ଗେ ।୨୭।
ପ୍ରାବୁଟ କାଳରେ ଗୃହଦରକୁ ନ ଯାଇ ।
ଝଞ୍ଜାବାତ ଜଳପାତ କରକା ସହଇ ଯେ ।୨୮।
ଶୀତେ ଜଳଶାୟୀ ଭୂମିଶଯ୍ୟା ବସ୍ତ୍ରହୀନେ ।
ମୃତ୍ତକା ଶଙ୍କର ପୂଜା କରେ ପ୍ରତିଦିନେ ଯେ ।୨୯।
ସେ ସୁକୃତରାଶି ଆସି ଠୁଳ ହୋଇ ତାର ।
କେଦାରେଶ୍ଵର ଦର୍ଶନେ କଲା ବଳାତ୍କାର ଯେ ।୩୦।
ଯାଉଁ ଯାଉଁ ସେ ଅଗମ୍ୟ ଅରଣ୍ୟେ ମିଳିଲା ।
ରତ୍ନମୟ ପୁର ଚାହିଁ ଚିତ୍ତରେ ଭାଳିଲା ଯେ ।୩୧।
କିନ୍ନରୀ କିନ୍ନର ବା କାହାର ଏଥି ସ୍ଥିତି ।
ଦେଖିବା ବିଚାରେ ଦେଖେ ପ୍ରାଙ୍ଗଣେ ଯୁବତୀ ଯେ ।୩୨।
ଚନ୍ଦ୍ରକୁ ନିନ୍ଦା କରୁଛି ମୁଖହାସକାନ୍ତି ।
ସାରଙ୍ଗକୁ ନିନ୍ଦୁଛି ନୟନ ଭୂରୁ ଗତି ଯେ ।୩୩।
ନାସା-ମଧ୍ୟ ଓଷ୍ଠ ନିନ୍ଦେ ତରୁଣ ହରିକି ।
ଅପବାଦ ଅପସରି ଲକ୍ଷ୍ୟ ସେ ନାରୀ କି ଯେ ।୩୪।
ଅମର ସମ୍ପତ୍ତ ଲଭି ବିଲୋକନ ମାତ୍ରେ ।
ନାରୀ ରୂପ ପିତୁଳା ଲେଖନ ହେଲା ନେତ୍ରେ ଯେ ।୩୫।
ସେ ପ୍ରେମମଞ୍ଜରୀ ଶୋଭାପଞ୍ଜରୀ ହୋଇଲା ।
ପୁଂସନେତ୍ର-ଖଞ୍ଜରୀଟ ତହିଁରେ ରହିଲା ।୩୬।
ରାମ ଶବ୍ଦ ବହୁବଚନରେ କଲା ଜପ ।
ର୍ମା ବିପରୀତ ସେହି କାଳେ ବହି କୋପ ଯେ ।୩୭।
ଶରୀର ମଧ୍ୟଲୋପକୁ ଶରୀର ମଧ୍ୟକୁ ।
ଯୋଖି ପ୍ରହାରିଲା ବିଚାରିଣ ତା ବଧକୁ ଯେ ।୩୮।
ତାକୁ ସ୍ତୁତି କଲା ତୋ ନାରୀରେ ଇଚ୍ଛା ମୋର ।
ଭାବି କି ହୋଉଛି ପର ଏ ଆନ ପ୍ରକାର ଯେ ।୩୯।
ଜାଣ ନାହିଁ ଅଭିଧାନ ବିଧାନମାନଙ୍କୁ ।
କହନ୍ତି ବିଧୁ ଚନ୍ଦ୍ରମା ବିଷ୍ଣୁ କର୍ପୁରକୁ ।୪୦।
ଏ କାଳରେ ପୁଂସଠାରେ ରାମା ଦୃଷ୍ଟିପାତ ।
ଜନ୍ମ ଅନ୍ଧ ନୟନକୁ ଲଭିଲେ ଯେମନ୍ତ ଯେ ।୪୧।
ମନମଥ ମଥନେ ଥରିଲା ହେଲା ଜାନୁ ।
କଦମ୍ବକୋରକ ଶୋଭା ଲୁଟି କଲା ତନୁ ଯେ ।୪୨।
ନେତ୍ର ବଡ଼ସୀରେ ସେ ଧଡ଼ସି ଅନୁରାଗେ ।
ପୁରୁଷ ମନମୀନକୁ ଧରିନେଲା ବେଗେ ଯେ ।୪୩।
ସେକାଳେ ସୁବେଣୀମଣି ଧୀବର ହୋଇଲା ।
ଉରଜ କୁବେଣୀ ସଙ୍କଟରେ ପକାଇଲା ଯେ ।୪୪।
ସେ ସମୟେ ପୁରୁଷ କହିଲା ଯୋଡ଼ି କର ।
ହେ ରସ ଉଦୟା ସୁହୃଦୟା ଦୟା କର ହେ ।୪୫।
ତପତ ତପନୀୟାଙ୍ଗୀ ତପଫଳ ମୋର ।
ଦ୍ରହସିତେ ଇଷିତେ ସଫଳ କରି କର ଯେ ।୪୬।
ଅତି ଦୀନ କ୍ଷୀଣ ହୀନ ମୁଁ ମଦନ ଶରେ ।
ରକ୍ଷା କର କକ୍ଷା କରି କୁଟିଳାକ୍ଷା ବାରେ ଯେ ।୪୭।
ଏ ବଚନ ସୀଉକାର କଟାକ୍ଷେ ଆଣିଲା ।
ରସିକା ଭଜିଲା ଭାବ ରସିକ ଜାଣିଲା ଯେ ।୪୮।
ଏକେ ତ ଏକାନ୍ତ ଦୁଜେ ତରୁଣ ତରୁଣୀ ।
ଭେଟ ଯାହା ଲୋଡ଼ୁ ଥାଇ ଫୁଲ-ଧନୁ-ପାଣି ଯେ ।୪୯।
ପଞ୍ଚବିଶିଖକୁ ଜେତେ ଲକ୍ଷ୍ୟ ଅବା କଲା ।
ଭଲା ଲକ୍ଷ୍ୟ ନାଗର ନାଗରୀ ହୃଦ ହେଲେ ଯେ ।୫୦ ।
ପୂରୁଷ ନିକଟ ଲଭୀବାକୁ କୃଶକଟୀ ।
ଭାବବତୀ ମନେ କରି ଅଇଲା ପାଛୋଟି ।୫୧।
ଯୁବା ଦେହ ବହି ଏ ଉତ୍ସବୁଁ ଦଡ଼ କରି ।
ଉତ୍ସବ ଭୋଗ କାହିଁଛି କେ କହୁ ବିଚାରି ।୫୨।
ଦଇବେ ଦେହଳୀ ବଳି ତ୍ରିବଳିଶୋଭିତା ।
ଆଲିଙ୍ଗନ କଳୀ ପୁଂସ ହୋଇଣ ଲୋଭିତା ।୫୩।
ଚୁମ୍ବିବା ବେଳକୁ ମୁଖରାଜୀବ ତାହାର ।
ଜୀବହୀନ ହୋଇଣ ରହିଲା କଳେବର ଯେ ।୫୪।
ଚାହୁଁ ତରୁଣ ଅରୁଣ -ଓଷ୍ଠୀର ଏ ରାତି ।
ବଦନ ପବନ କେତେ ଦତ୍ତକଲା ଶୃତି ଯେ ।୫୫।
ଲୋତକ ଜଳରେ ଆଗ ଧୋଇଦେଲା ମୁଖ ।
ବୋଇଲା ମୁଁ ନ ମରି ଦେଖିଲି ଏତେ ଦୁଖ ଯେବ୍ ।୫୬।
ଏ ସମୟରେ ଶୁଭିଲା ଅଶରୀରୀ ବାଣୀ ।
ଗଙ୍ଗାସାଗର ସଙ୍ଗମେ ଝାସ ପୁଂସମଣି ।୫୭।
ଏ ବଲ୍ଲଭୀକି ଲଭିବୁ ନୃପସୁତ ହେଇ ।
ଅନଳେ ନ ଦହି ସେହିଠାରେ ଯାଅ ଥୋଇ ଯେ ୫୮।
ଏ ବଚନେ କିଛି ସନ୍ତାପକୁ ଶାନ୍ତି କଲା ।
ବଙ୍ଗଦେଶେ ଯାଇ ଗଙ୍ଗାସାଗରେ ଝାସିଲା ଯେ ।୫୯।
କର୍ଣ୍ଣାଟ ଦେଶରେ କାଞ୍ଚିନାମେ ନଗ୍ର ସାର ।
ଶଶିଶେଖର ନାମରେ ତହିଁ ନରେଶ୍ଵର ଯେ ।୬୦ ।
ଶଶିରେଖା ନାମେ ତାର ପଟ୍ଟ ଯେ ମହିଷୀ ।
ପୁତ୍ରାର୍ଥେ ଅନେକ ବ୍ରତେ ତୋଷି କାଶୀବାସୀ ଯେ ।୬୧।
ତା ଉଦର ଆକାଶରେ ପ୍ରକାଶ ହୋଇଲା ।
ଅକଳଙ୍କ କଳାନିଧି ପରାୟେ ଶୋହିଲା ଯେ ।୬୨।
ଆହାଲାଦେ ଚନ୍ଦ୍ର ତେଜେ ଭାନୁ ଭାବି କରି ।
ଚନ୍ଦ୍ରଭାନୁ ନାମ ଦେଲେ ବିଚାରି ବିଚାରି ।୬୩।
ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର ।
ସଙ୍ଗୀତରେ ନାରଦ ଶୃଙ୍ଗାରଶାସ୍ତ୍ରେ ମାର ।୬୪।
କବିପଣେ ଗଣେଶ ଜ୍ୟୋତିଷେ ବୃହସ୍ପତି ।
ଅଶ୍ଵାରୋହେ ମିହିର ଭୈରବ ପରା ଗତି ।୬୫।
ଧନୁର୍ଦ୍ଧରେ ଅର୍ଜ୍ଜୁନ ଗଦାରେ ବୃକୋଦର ।
ଦାନୀରେ କର୍ଣ୍ଣ ମାନୀରେ କୁରୁ ଦଣ୍ଡଧର ।୬୬।
ବଳିଷ୍ଠରେ ବଳି ଧାର୍ମିକରେ ଯୁଧିଷ୍ଠିର ।
ସୁନ୍ଦରପଣରେ ତାର ସେହି ପଟାନ୍ତର ।୬୭।
ମନ୍ତ୍ରୀ ଜ୍ୟୋତିଷ ସାଧୁତ ପୂରୋଧା କୁମର ।
ନାମ ଗୁଣନିଧି ବସନ୍ତକ ପୁରନ୍ଦର ।୬୮।
ଋତୁଧ୍ଵଜ ସହିତେ ଏ ଚାରି ମିତ୍ର ହିତ ।
ନିଶି ଦିନ ଭିନ୍ନ ନୋହେ ଏହାଙ୍କ ସଙ୍ଗତ ।୬୯।
ହେ ରାମ କୃଷ୍ଣ ସୁନ୍ଦର କଳାପମଣ୍ଡନ ।
ରାଧାପତିରୁଚିହାସ ଅଘବିଖଣ୍ଡନ ।୭୦ ।
ଉପଇନ୍ଦ୍ର ଭଞ୍ଜ ବୀରବର ମନୋରଥ ।
ଏ ଗୀତ ପୂର୍ଣ୍ଣ ହେବାରେ କର ଏହା ସାର୍ଥ ଯେ ।୭୧।