ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର

ଶ୍ରୀରାଧା ବାତୁଳୀ

ଶ୍ରୀରାଧା ବାତୁଳୀ ପ୍ରେମରତ୍ନ ତୁଳୀ
ଘେନ ଚିହ୍ନରା ଗ୍ରାହକମାନେ ।
କୃଷ୍ଣ ଅତି ଦୀନେ ଦୂତିକାକୁ ଦିନେ
ପଚାରନ୍ତି କର ଧରି ଛନ୍ନେ ।
ପ୍ରାଣବନ୍ଧୁ ରୀତି
କହି ମୋ ଶ୍ରୁତିକି କର ଗତି ।
ହସି ଦୂତୀ ଭାଷେ ପ୍ରେମ ଜଳେ ଭାସେ
ବିହ୍ୱଳିତ ମତି ଦିବା ରାତି ॥୧॥

କାଳିଆ କମଳ ଦେଖିଲେ କମଳ
ନୟନରେ ହୁଏ ଜରଜର ।
ଦେଖି ନବଘନ ତାର ଅପଘନ
ପୁଲକି ହୁଅଇ ଥରଥର ।
ଘନ ସୁନ୍ଦର ହେ
ଯମୁନା ଯିବାକୁ ତରତର ।
ଏ ଅତି ବିଚିତ୍ର କଜ୍ଜ୍ୱଳର ଚିତ୍ର
ଲେଖି ଚୁମ୍ବ ଦିଏ ବାରବାର ।୨।

ଦେଖି ତମାଳକୁ ବିଚାରି କୋଳକୁ
ସଜ ହେଉଥାଇ ବାହୁ ଯୁଗ ।
ଶ୍ୟାମ ସୁବାସରେ ଆଶ ମାନସରେ
କଳାବତୀ ସଙ୍ଗେ ଅନୁରାଗ ।
ରସ ଶେଖର ହେ
ଭୂଷଣ ନୀଳେନ୍ଦ୍ର ମଣିହାର ।
ବସି ରାମାବର ଫିଟାଇ କବର
ଦେଖୁଥାଇ ଥୋଇ ହୃଦେ ତାର ॥୩॥

ହେମ ମରକତ ଯୋଖି ଅଶକତ
ପରି ନେତ୍ର ମୁଦି ରହେ କ୍ଷଣେ ।
ଦଇବ ଘଟନ ମୟୂର ନଟନ
ଦେଖି ସୁଖୀ ହୁଏ କେଉଁ ଗୁଣେ ।
ଭାବ ବିନୋଦ ହେ
କୃଷ୍ଣ ବର୍ଣ୍ଣ ଶେଯେ ମାଡ଼େ ନିଦ ।
ଶ୍ରୀ ଅଙ୍ଗ ତିଳକୁ ଚାହିଁବା ବେଳକୁ
ଚିତ୍ତରେ ଜାତ ହୁଏ ମୁଦ ॥୪॥