ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
(ରାଗ: ଯଦୁକୁଳ କାମୋଦି - ଆଦି ତାଳ)


ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା,
ସେ କରୁ ଗୋ ସେ ପୀରତି ଯା ଦେହ ଲୁହାର ମା । ପଦ ।

ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ,
ନାଗରା ବାଜୁଛି ବ୍ରଜଯାକରେ ଯାହାର ମା । ୧ ।

ମଥୁରାକୁ ଦଧି ବିକି, ପଥେ ଗଲା ଗୁଆଳିକି,
ଶେଯେ ଶୁଆଉଛି ସେ ଗୋବର୍ଦ୍ଧନ ଗୁହାର ମା । ୨ ।

ପଡ଼ିଲେ ତା ଆଗରେ ବୁଡ଼ିବି ଦୁଃଖ ସାଗରେ,
ପ୍ରାଣ ଧରି ଚାହିଁବି ମୁଁ ମୁଖକୁ କାହାର ମା । ୩ ।

କାଳିନ୍ଦଜା କୂଳରେ ଚାହିଁଲି ନୀପ ମୂଳରେ,
ପଳାଇ ଆସିଲି ଠାରି ଜାଗୁଥିଲେ ଦ୍ଵାର ମା । ୪।

ଗୋପାଳକୃଷ୍ଣ ଭାଷେ ସ୍ଵାମିନି ତୁମ୍ଭପାଇଁ ସେ,
ବ୍ରଜବିଧୁ ହୋଇଛନ୍ତି ସୁରଭି ମହାର ମା । ୫।