ସମ୍ମିଳନୀ
ଲେଖକ/କବି: ମଧୁସୂଦନ ଦାସ


ଗଙ୍ଗା ଗୋଦାବରୀ ଯମୁନା କାବେରୀ
           ପୂଜା ପାଇଁ ନାନା ଘାଟେ,
ଛାଡି ନିଜ ମାନ ଲୋଡି ଜାତି ପ୍ରାଣ
            ପ୍ରବେଶିଲେ ସିନ୍ଧୁତଟେ ।
କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ
            ଦେଖାଉଛି ଜାତି ବଳ,
ତଟ ସୀମା ଲଙ୍ଘି ପରବତ ଭାଙ୍ଗି
            ନାଚୁଛି ତରଙ୍ଗମାଳ ।
ଦେଖି ଦେବୀଗଣ ଜାତୀୟ ଜୀବନ
           ଛାଡି ନିଜ ଗର୍ବମାନ,
ସିନ୍ଧୁରେ ମିଶିଲେ ଉଲ୍ଲାସେ ନାଚିଲେ
           ଲଭି ନୂଆ ଜାତି ପ୍ରାଣ ।
ନିଜର ଜୀବନ ଜାତିକୁ ଅର୍ପଣ
            କଲେ ମିଳେ ଜାତି ପ୍ରାଣ,
ଜାତୀୟ ଜୀବନ ନ ମିଳିବ କଲେ
            ହାଟେ ବାଟେ ଅନ୍ଵେଷଣ ।
ପତିବ୍ରତା ସତୀ ପତିର ମିଳନ
           ଲଭିବା ଆଶାରେ ପୋଡେ,
ଜାତିର ମିଳନ ଲଭିବା ଆଶାରେ
           ତୋର ପ୍ରାଣ କିଆଁ ଡରେ ।
ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ
            କୋଟି ପ୍ରାଣବିନ୍ଦୁ ଧରେ,
ତୋର ପ୍ରାଣବିନ୍ଦୁ ମିଶାଇ ଦେ, ଭାଇ
           ଡେଇଁପଡି ସିନ୍ଧୁନୀରେ ।
ତରଙ୍ଗ ଉଠିବ ସିନ୍ଧୁ ଗରଜିବ
            ଶୁଣିବୁ ସିଂହର ରବ,
ବ୍ରିଟିଶ ରାଜ୍ୟରେ ଓଡିଆ ଜାତିର
           ବଢିବ ମାନ ଗୌରବ ।