ସ୍ନାନ ସ୍ମରଣ ଚଉତିଶା

ସ୍ନାନ ସ୍ମରଣ ଚଉତିଶା
ଲେଖକ/କବି: ଦୀନକୃଷ୍ଣ ଦାସ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ବିଷୟକ ରଚନା ।

ଦିଶ-ସିନ୍ଧୁଡ଼ା
କହେ ଦୀନକୃଷ୍ଣ ଶୁଣ ରେ ସଙ୍ଗାତ ଧିକ ହୋଉ ମୋ ଜୀବନ
କୋଟିବ୍ରହ୍ମାଣ୍ଡନାଥ ସ୍ନାନ ଉତ୍ସବ କଲିନାହିଁ ଦରଶନ ସେ
କଉଁ ଅଭାଗ୍ୟ ମୋର ।
କଲା ସେ ସୁଖ ବିହି ଅନ୍ତର ସେ ।
କହିବାକୁ ତ ନୋହେ ଗୋଚର ସେ ।
କହ କହ ମତେ ସେ ଉତ୍ତର ସେ ।୧।
 
ଖଦି ଚାମର ଆଲଟ ପଙ୍ଖା ଘେନି ଖଟଣୀ ସାମନ୍ତମାନେ
ଖଗପତିନାଥ ବିଜେ କରାଇବା ଦେଖିଲି ନାହିଁ ନୟନେ ସେ
କ୍ଷଣ କ୍ଷଣକ ସୁଖ ।
ଖଣ୍ଡେ ଅଶେଷ ଜନମ ଦୁଃଖ ସେ ।
ଖେଦ-ତିମିରି ଶୀତ-ମୟୂଖ ସେ ।
ଖମଣ୍ଡଳେ ଦେଖୁଥିବେ ଲୋକ ସେ ।୨।
 
ଗୀତ ବାଦ୍ୟ ନୃତ୍ୟ ଅତି ଅପ୍ରମିତ ଅନେକ ଚନ୍ଦ୍ରଉଦିଆ
ଗହଳେ ହୁଳା ଦିହୁଡ଼ି ଲାଗି ହତ କରିବା ଚନ୍ଦ୍ରଉଦିଆ ସେ
ଗଲା ନ କହି ମତେ ।
ଗଞ୍ଜି ନୋହିବି ଅବା କେମନ୍ତେ ସେ ।
ଗୁଣୁଅଛି ଏହି କଥା ଚିତ୍ତେ ସେ ।
ଗଙ୍ଗା ତେଜିଲେ ତୃଷା ଆରତେ ସେ ।୩।
 
ଘଟଣ ଆକାଶ ମଣ୍ଡଣି ମଣ୍ଡିତ ନୋହିଲା ବାରେ ଲୋଚନ
ଘୋଷିଲି ନାହିଁ ଘନଶ୍ୟାମ ସୁନ୍ଦର ନାମ ଅମୃତ ବଚନ ସେ
ଘନ ଘଣ୍ଟ ଶବଦ ।
ଘେନି ମର୍ଦ୍ଦଳ ମଧୁର ନାଦ ସେ ।
ଘୋଟି ଯାଉଥିବ ବିଷ୍ଣୁ ପଦ ସେ ।
ଘୁଞ୍ଚେ ଯାହା ଶୁଣି ଘନ ମୁଦ ସେ ।୪।
 
ନୟନାନନ୍ଦ ଶ୍ରୀ ନୀଳାମ୍ବର ଲୀଳା ବିଜେ ମତ୍ତ ସିଂହ ଠାଣି
ନ ପାରିଲି ଦେଖି ଆହା ସେ ରଙ୍ଗିମା ନେତ୍ର ଭଙ୍ଗିମା ଚାହାଁଣୀ ସେ
ନିଶାକର-ବଦନ ।
ନେତ୍ର-ଚକୋର-ସୁଖ-ସଦନ ସେ ।
ନାନା ଦୁଃଖ-ତିମିରି-ଛେଦନ ସେ ।
ନୃପ-ମନ-କୁମୁଦ-ମୋଦନ ସେ ।୫।
 
ଚନ୍ଦ୍ର ଉଜ୍ଜ୍ୱଳ ପର୍ବତରେ ବିଚିତ୍ର ରଜତ ଶୃଙ୍ଗ ପରାୟେ
ଚରାଚର ନାଥ ମଣ୍ଡିବାରୁ ମଞ୍ଚା ମଣ୍ଡପକୁ ଅତିଶୟେ ସେ
ଚକ୍ଷୁ ଭିତରେ ଆସି ।
ଚାହୁଁ ଚାହୁଁ ଯାଉଅଛି ମିଶି ସେ
ଚିତ୍ତ ନଉଛି ବଳେ ଆକର୍ଷି ସେ ।
ଚିନ୍ତ ଚନ୍ଦ୍ରକୁ ଦେଉଛି ନାଶି ସେ ।୬।
 
ଛାଡ଼ି ଚକା ଅପସର ଚକା ଆଖି ଚାର ଓହ୍ଲାଇବା ବେଳେ
ଛଛନ୍ଦ ହୋଇ ମୁଁ ଦେଖି ନ ପାରିଲି ଆହା ସେ ମହା ଗହଳେ ସେ
ଛତ୍ର ଚାମର ତ୍ରାସେ ।
ଛାଇ ହୋଇଥିବେ ଚଉପାଶେ ସେ ।
ଛାୟାନାଥ ଚନ୍ଦ୍ର ଯହିଁ ବସେ ସେ ।
ଛାୟାରେ ମନ ନୟନ ତୋଷେ ସେ ।୭।
 
ଜଗମୋହନରୁ ଶ୍ରୀ ଜଗମୋହନ ବାହାର ହେବା ସମୟେ
ଯାଉନାହିଁ ମୋର ମନରୁ ସେ ଶୋଭା ଯେମନ୍ତ ସେ ସୁଖମୟେ ସେ
ଯଉଁ ସିନ୍ଦୁରୀ ପାଗ ।
ଯୋଗୀ ଯୋଗ କରେ ଉଦବେଗ ସେ ।
ଯାହା ଦେଖି ବଢ଼େ ଅନୁରାଗ ସେ ।
ଯାଉ ଜୀବ ତା ସୁମରି ଆଗ ସେ ।୮।
 
ଝୁଲନ୍ତା ମତ୍ତଗଜ ପ୍ରାୟେ ଝୁଲି ସେ ବେନି ପାଶକୁ ଚାହିଁବା
ଝମକିଲା ସିଂହ ପରାୟେ ଚମକି ଝଲକି ଯାଇଁ ରହିବା ସେ
ଝଳି ଚନ୍ଦ୍ରମା ମୁଖ ।
ଝଟ ଝଟ ଝଟକିବା ସୁଖ ସେ ।
ଝାଳ ବିନ୍ଦୁକୁ କର୍ପୂର ରେଖ ସେ ।
ଝିମିଟିକେ ହରେ କେତେ ଦୁଃଖ ସେ ।୯।
 
ନିଶି ଦିବସ ସମାନ କରି ବିଜେ କରିବା ସାନ ମଣ୍ଡପେ
ନୋହିଲା ନୟନ ସଙ୍ଗେ ସୁନ୍ଦର ସେହ୍ନା ଲାଗି ଶୋଭା ରୂପେ ସେ
ନାନା ଜଳରେ ସ୍ନାନ ।
ନାଶ କରେ ନାନା ଦୁଃଖମାନ ସେ ।
ନାହିଁ କଲା ଗର୍ଭଜଳ ସ୍ନାନ ସେ ।
ନିଶ୍ଚେ ଦେଲା ଚଉବର୍ଗ ଦାନ ସେ ।୧୦।
 
ଟେକ କଜ୍ଜ୍ୱଳ ପର୍ବତରୁ ନିର୍ଝର ଝରିଲା ପ୍ରାୟେକ ହୋଇ
ଟଳି ଆସନ୍ତେ ଶ୍ରୀମୁଖୁଁ ଜଳଧାରା ଟେକି ଅନାଇଲି ନାହିଁ ସେ
ଟେକ ଚନ୍ଦନ ପଙ୍କ ।
ଟେକେ ପୂରେ ଶ୍ରୀମୁଖ ଶଶାଙ୍କ ସେ ।
ଟେକେ ହରିଲା ଭବ ଆତଙ୍କ ସେ ।
ଟାଣ ପାପୀଙ୍କି କଲା ନିଶଙ୍କ ସେ ।୧୧।
 
ଠାଠିକ କରି ଠାକୁର ସ୍ନାନ ଜଳ ଆନନ୍ଦେ ନ କଲି ସେବା
ଠେଲାଠେଲି ପେଲାପେଲି ଯହିଁ ପାଇଁ ସକଳ ମାନବ ଦେବା ସେ
ଠଣ ପଦ୍ମ ନୟନ ।
ଠିକେ ଦେଖିଲା ନାହିଁ ନୟନ ସେ ।
ଠାବ କରନ୍ତା ଗତି ନୟନ ସେ ।
ଠୂଳେ ଲଭନ୍ତା ଆନନ୍ଦ ଦାନ ସେ ।୧୨।
 
ଡୋଳେ ନ ଦେଖିଲି ପୀତବାସ ଲାଗି ଡାଳିମ୍ବନେତ୍ରା
ଡେରି ହୋଇଛି ଏବେହେଁ ରୋମ ଅଙ୍ଗେ କରି ଦର୍ଶନ ବାଞ୍ଛା ସେ
ଡକା କଲା ଦଇବ ।
ଡାକି ଦେଲା କେତେ ପରାଭବ ସେ
ଡାଳମୃଗ କରି ମୋ ସ୍ୱଭାବ ସେ
ଡିଆଁଇବାରେ ଦେଲା ସେ ଭାବ ସେ ।୧୩।
 
ଢାଳେ ନ ଦେଖିଲି ନୀଳାଦ୍ରିସିଂହର ନାନା ଫୁଲେ ହାଥୀ ସାଜ
ଢୋକିଲା ଅମୃତ ହାଥୁ ନେଇ ମତେ ଏହା କଲା କୁଶଧ୍ୱଜ ସେ
ଢାଳେ ହୋଇଲି ନାଶ ।
ଢଗ ପସରାକୁ କରି ଆଶ ସେ
ଢମ ପଣେ ହୋଇଲି ଆବେଶ ସେ
ଢାଳେ ନ ଚାହିଁଲି ଜଗଦୀଶ ସେ ।୧୪।
 
ଆହା ସେ ଫୁଲ ଚୂଳ କର ପଲ୍ଲବ ଆହା ସେ ଅଳକା ପନ୍ତି
ଆହା ସେ ଫୁଲମାନଙ୍କରେ ବିସ୍ତାର ହୃଦୟରେ ଯନ୍ତାଯନ୍ତି ସେ
ଆହା ସେ ଶୋଭା ଦେଖି ।
ଅତି ପବିତ୍ର କରନ୍ତି ଆଖି ସେ । ଆନନ୍ଦରେ ହୋଉଥାନ୍ତି ସୁଖୀ ସେ ।
ଆଉ କାହିଁକି ହୁଅନ୍ତି ଦୁଖୀ ସେ ।୧୫।
 
ତୈଲୋକ୍ୟ ମୋହନ ତ୍ରିତାପ ଦହନ ମଧୁର ମୂର୍ତ୍ତିକି ଚାହିଁ
ତ୍ରାହି କର ମହାପ୍ରଭୁ ମହାବାହୁ ବୋଲି ଡାକ ଦେଲି ନାହିଁ ସେ
ତେଡ଼େ ସମୟ ଗଲା ।
ତିନି ତାପ ମୋହର ନ ଗଲା ସେ ।
ତହିଁ ଯେତେ ମୋର ଆଶା ଥିଲା ସେ ।
ତେତେ ଦଇବ ନିରାଶ କଲା ସେ ।୧୬।
 
ଥାବର ଜଙ୍ଗମ କୀଟ ପତଙ୍ଗରେ କାହିଁ ମୁଁ ନୋହିଲି ଲେଖା
ଥରେ ନ ଦେଖିଲି ରଦ୍ରମାବଦନେ କର୍ପୂର ଚନ୍ଦନ ରେଖା ସେ
ଥିଲା କର୍ମରେ ଏହା ।
ଆଉ ପ୍ରାଣେ ନ ଦେଖିବି ତାହା ସେ
ଆଉ ଅମୃତ ବିଷେ ସୋରେହା ସେ
ଥରେ ପ୍ରଭୁହିଁ ନ କଲେ ଆହା ସେ ।୧୭।
 
ଦୀନଜନ ବନ୍ଧୁ ଦୟେଣା ଭୂଷଣ ଦୟାସିନ୍ଧୁ ଜଗନ୍ନାଥ
ଦାଣ୍ଡ ଯାକ ପୂରି ଦେଖୁଥିବେ ଲୋକେ ଆହା ଶଙ୍ଖ ଚକ୍ର ହାଥ ସେ
ଦିବ୍ୟ ସୁବେଶ ଶୋଭା ।
ଦରଶନେ କେ ନୋହିବ ଲୋଭା ସେ
ଦେବତାଙ୍କ କରିଥିବ ଲୋଭା ସେ
ଦଶଦିଶେ ପୂରିଥିବ ପ୍ରଭା ସେ ।୧୮।
 
ଧବଳ ଛତ୍ର ଚାମର ଚନ୍ଦ୍ର ସୂର୍ଯ୍ୟ ତରାସ ମେଘ ଡମ୍ବର
ଧରଣୀର ପ୍ରଭୁଙ୍କ ପାଶରେ କି ଦିଶୁଥିବେ ଆଡ଼ମ୍ବର
ଧନ୍ୟ ସେବକ ଜନେ ।
ଧରି ଚନ୍ଦନ ଜଳ ବସନେ ସେ
ଧର ଧର ବୋଲି ତୋଷ ମନ ସେ
ଧୀରେ ଦେଉଥିବେ ଯଜମାନେ ସେ ।୧୯।
 
ନୀଳାଦ୍ରି ସିଂହ ଛାମୁରେ ନୃପ ସିଂହ ପଟୋଆର ହୋଇ ରହି
ନିଶାକରକୁ ଚକୋରପନ୍ତି ପ୍ରାୟେ ସମସ୍ତେହେଁ ଥିବେ ଚାହିଁ ସେ
ନାନା ପ୍ରକାରେ ଗୀତ
ନାନା ବାଦ୍ୟ ନାନା ରୂପେ ନୃତ୍ୟ ସେ
ନିରନ୍ତରେ ହେବାରୁ ଏକତ୍ୱ ସେ
ନିରାନିଧି ଉଛୁଳିଲା ମତ ସେ ।୨୦।
 
ପୋଡ଼ୁ ପୋଡ଼ୁ ମୋର ପାପିଷ୍ଠ କରମ ଧିକ ଧିକ ମୋ ଜୀବନ
ପଦ୍ମଲୋଚନ ଧୂପ ଦୀପ ଆଳତି କଲି ନାହିଁ ଦରଶନ ସେ
ପରମାନନ୍ଦ ସୁଖ ।
ପରଶରେହେଁ ପଳାନ୍ତା ଦୁଖ ସେ
ପଲକେହେଁ ନ ଛାଡ଼ନ୍ତି ପାଖ ସେ
ପୁଷ୍ପ ଯେଡ଼େ କରେ ଶିଳୀମୁଖ ସେ ।୨୧।
 
ଫୁଲମାଳ ଚୂଳ ଉଲାଗି କର ସେ ସେବକେ ଅଙ୍ଗେ ମିଶିବା
ଫଳଲୋଭେ ମହା କଳପ ବୃକ୍ଷକୁ ବେଢ଼ିଲା ପ୍ରାୟେ ଦିଶିବା ସେ
ଫୂରୁଅଛି ଲୋଚନେ ।
ଫେଡ଼ି କହିବି କେତେ ବଚନେ ସେ
ଫଣୀଧର ଧରେ ଯାହା ମନେ ସେ
ଫନ୍ଦା ଏହିଟି ଭବମୋଚନେ ସେ ।୨୨।
 
ବାମଦେବ କଇଳାସ ପର୍ବତରୁ ଓହ୍ଲାଇଲା ପ୍ରାୟେ ହୋଇ
ବାହୁଡ଼ା ବିଜେ କରିବା ନ ଦେଖିଲି ରେବତୀଙ୍କ ପ୍ରାଣସାଇଁ ସେ
ବନ୍ଦାପନା ବଢ଼ାଇ ।
ବେନି ପାଶକୁ ହସି ଅନାଇ ସେ
ବାଞ୍ଛାପୂର୍ଣ୍ଣ ଲୋକକୁ କରାଇ ।
ବଡ଼ ଦେଉଳେ ପଶିଲେ ଯାଇଁ ସେ ।୨୩।
 
ଭଦ୍ର ଦାୟିନୀ ସୁଭଦ୍ରାଙ୍କ ବିଜୟେ ଝଟକ ବିଜୁଳି ପ୍ରାୟେ
ଭଲା ଝଟକି ଅଦୃଶ୍ୟ ହୋଇଥିବେ ଗୁଣ୍ଡିଚା ଉତ୍ସବ ଯାୟେ ସେ
ଭଲା ଭଲା ସେ ଛବି ।
ଭବଭୟ-ପର୍ବତକୁ ପବି ସେ
ଭକ୍ତଜନ-ମନ-ପଦ୍ମ ରବି ସେ
ଭାଗ୍ୟ ଥିଲେ ସେ ଛବି କି ଲଭି ସେ ।୨୪।
 
ମର୍କତ ପର୍ବତ ଶୃଙ୍ଗ ପ୍ରାୟେ ହୋଇ ମହାବାହୁ ଥିବେ ରହି
ମହା ମେଘକୁ ଚାତକ ପକ୍ଷୀ ପ୍ରାୟେ ଭକ୍ତଜନେ ଥିବେ ଚାହିଁ ସେ
ମାଳ ଚୂଳ ଉତ୍ତାରି ।
ମନ ନେତ୍ରେ ଆନନ୍ଦ ବିସ୍ତାରି ସେ
ମହା କଷ୍ଟୀ ଲୋକଙ୍କ ନିସ୍ତାରି ସେ
ମହା ମହୋତ୍ସବ ଥିବେ କରି ସେ ।୨୫।
 
ଜଗତବ୍ରହ୍ମାଣ୍ଡଧରକୁ ଧରି ସେ ଚକା ଛଡ଼ାଇବା ବେଳେ
ଜଗତ ଯାକ ଉଛୁଳି ପଡ଼ୁଥିବ ଜୟ ଶବଦ ଗହଳେ ସେ
ଯଉଁ ସୁଖ ସେ କାଳେ ।
ଯୋଗୀ ନ ଜାଣନ୍ତି ଯୋଗବଳେ ସେ ।
ଜୀବ ପରମକୁ ଘେନି ଖେଳେ ସେ ।
ଜାଣିଥିବ ଯେ ଦେଖିଛି ଡୋଳେ ସେ ।୨୬।
 
ରଜତ-ଗିରି ଶିଖରୁ ମତ୍ତଗଜ ପଡ଼ିଲା ପରାୟେ ହୋଇ
ରାଜୀବ ନୟନ ବିଜୟେ କୃତ୍ୟଙ୍କୁ ଶ୍ରୀକର-ପଇଠ ଦେଇ ସେ
ରହି ଦକ୍ଷିଣ ମୁଖେ ।
ରଖି ସେବକମାନଙ୍କୁ ପାଖେ ସେ ।
ରଙ୍ଗେ ବନ୍ଦାପନା ହେବା ସୁଖେ ସେ
ରହିଥିବେ ଲୋକେ ଯେଝା ସୁଖେ ସେ । ୨୭।
 
ଲାବଣ୍ୟ ବାରାଧି ଲୀଳା ନିଜେ ସୁଧା ଜଳଧିରେ ପଡ଼ି ଜନେ
ଲୋଳାୟିତ ହୋଇ ସ୍ନାନ କରୁଥିବେ ପରମ ଆନନ୍ଦ ମନେ ସେ
ଲୀଳା ଏବେ ସୁମରି ।
ଲୋଭେ ହୃଦୟ ହୋଉଛି ଭାରୀ ସେ ।
ଲୋତକରେ ନେତ୍ର ଅଛି ପୁରି ସେ ।
ଲକ୍ଷେ ଗୁଣେ ରୋମ ହୁଏ ଡେରି ସେ ।୨୮।
 
ବାହାକୁ ବାହା ହିଆକୁ ହିଆ ଭର ପିଠିକି ପିଠି କେ ଦେଇ
ବିଚିତ୍ରଗତି କରିବାକୁ ହୁଙ୍କାର ଧ୍ୱନିମାନ ଥିବ ହୋଇ ସେ
ବିଷ୍ଣୁପାଦ ଶବଦ
ବ୍ରହ୍ମାଣ୍ଡରେ ବାଜି ପ୍ରତି ନାଦ ସେ ।
ବିଷ୍ଣୁପଦ କରିଥିବ ଭେଦ ସେ ।
ବିନାଶିବ ସଂସାର ପ୍ରମାଦ ସେ ।୨୯।
 
ଶ୍ରୀଅଙ୍ଗ ସୁବାସ ପୂରି ଦଶଦିଶ ସବୁରୀ ମନ ତୋଷିବା
ସୁଧାବିନ୍ଦୁ ପ୍ରାୟେ ସ୍ୱର୍ଗରୁ ସତତେ ଫୁଲମାନ ବରଷିବା ସେ
ଶୋଭା କହିବି କେତେ ।
ସିନ୍ଧୁ ଲହରୀ କଳି କି ଚିତ୍ତେ ସେ ।
ସବୁପ୍ରକାରେହେଁ ନୋହେ ପ୍ରତେ ସେ
ସୁରମାର୍ଗ ବୋଲି ଏତେ ତେତେ ସେ ।୩୦।
 
ସିଂହ ପର୍ବତ କନ୍ଦରାରୁ ପ୍ରବେଶ ପରାୟେ ଅତି ସହରେ
ଶ୍ରୀ ଜଗମୋହନ ବିଜେ କରିଥିବେ ଶ୍ରୀଜଗମୋହନ ଘରେ ସେ
ସୁଧାକର ଯେମନ୍ତ ।
ଶ୍ୱେତ ମେଘେ ହୋୟେ ଅବିଦିତ ସେ ।
ସେହି ରୂପେ ସେ କମଳାକାନ୍ତ ସେ
ଶୀଘ୍ରେ ହୋଇଲେ ଅନ୍ତରହିତ ସେ ।୩୧।
 
ସକଳ ବ୍ରହ୍ମାଣ୍ଡ ନାଥ ସବୁ ସୁଖ ଶ୍ରୀ ଗୋପୀନାଥଙ୍କୁ ଦେଇ
ଶୁଭେ ବିଜେ କଲେ ଅଣଅପସରେ ଛାମୁରେ ତାଟି ବନ୍ଧାଇ ସେ
ସ୍ନାନ ଯାତ୍ରାହିଁ ଗଲା ।
ଶ୍ରୀଗୁଣ୍ଡିଚା ନିକଟ ହୋଇଗଲା ସେ ।
ସବୁଆଡ଼େ ଉଛାହା ହୋଇଲା
ସଜ ହେବାକୁ ମନ ଧାଇଁଲା ସେ ।୩୨।
 
ହୃଦୟ ଏତେବେଳେ ଯାହା ହୋଉଛି କାହାକୁ କହିବି ତାହା
ହରି ବାହାରେ ଏ ଦୁଖ ଜାଣିମାକୁ ଆଉ କେହି ନାହିଁ ସାହା ସେ
ହାନିଲାଭ କରତା ।
ହେଲେ ପରମପଦ ବିଧାତା ସେ ।
ହର ବ୍ରହ୍ମାଦି ଦେବ ଦେବତା ସେ
ହେବେ ସତେ ପ୍ରଭୁ ପ୍ରସନ୍ନତା ସେ ।୩୩।
 
କ୍ଷମାସାଗର ନାଗରବର ଆହେ ପ୍ରଭୁ କୃପା-ରତ୍ନାକର
କ୍ଷକ୍ଷନ୍ଦେ ନନ୍ଦିଘୋଷ ରଥେ ବିଜୟେ ଦରଶନ ଦତ୍ତ କର ସେ
କ୍ଷେତ୍ରବରକୁ ନେଇ ।
କ୍ଷାର କ୍ଷୋଭ ମନରୁ ଛଡ଼ାଇ ସେ ।
କ୍ଷେମେ ନେତ୍ର ଉତ୍ସବ କରାଇ ସେ
କ୍ଷାମୁ କ୍ଷଣେ ଛଡ଼ାଇବ ନାହିଁ ସେ ।୩୪।